ଲେଖା: ଦେଵ ତ୍ରିପାଠୀ
ଥିଲେ ଜଣେ ବିବିଧ ପ୍ରତିଭାର ଅଧିକାରୀ ଯୁବକ । ଦିନେ କଟକରୁ ଜଣେ ଉଚ୍ଚଶିକ୍ଷିତ ଯୁବକ ନିଜର ଚାରିବନ୍ଧୁଙ୍କ ସହ ଯାଇ ସେ ଯୁବକଙ୍କ ପାଖରେ ପହଞ୍ଚନ୍ତେ, ଯୁବକଜଣକ ସେମାନଙ୍କୁ ନିଜ ମନର ସଙ୍କଳ୍ପ ପ୍ରକାଶ କଲେ – “ତୁମେ ପାଞ୍ଚଜଣ ଶପଥ ନିଅ । ପ୍ରତ୍ୟେକ ଅନ୍ତତଃ ପାଞ୍ଚଜଣଙ୍କୁ ଶିକ୍ଷିତ କରିବାର ଦାୟିତ୍ବ ନେବ । ଯିଏ ଶିକ୍ଷିତ ହେବେ ସେମାନେ ପ୍ରତ୍ୟେକେ ଆଉ ପାଞ୍ଚଜଣଙ୍କୁ ଶିକ୍ଷିତ କରାଇବେ । ତାହାହେଲେ ଯାଇ ପାଞ୍ଚବର୍ଷରେ ଓଡ଼ିଶାରେ ଶିକ୍ଷିତମାନଙ୍କ ସଂଖ୍ୟା ବଢିପାରିବ ।”
ଏଇ ଗମ୍ଭୀର ବାଣୀକୁ ଯେପରି ଗୁରୁମନ୍ତ୍ର ଭାବେ ଗ୍ରହଣ କରି ନେଇଥିଲେ, ନେଇଥିଲେ ବଜ୍ର ସଙ୍କଳ୍ପ, ବରିନେଇଥିଲେ ଜୀବନର ମନ୍ତ୍ରଭାବେ ! ସେ ଗୁରୁମନ୍ତ୍ରର ପ୍ରଭାବରେ ସେ ପାଞ୍ଚବନ୍ଧୁ ଗଢିତୋଳିଲେ ସେମାନଙ୍କ ବିରଳ ସାଧନାର ସ୍ବର୍ଗ, ଚିରନ୍ତନ ଶାନ୍ତି, ଜ୍ଞାନ, ପ୍ରଜ୍ଞା, ଧୀଶକ୍ତିର କାନନ, ବକୁଳଛୁରିଅନା କୁଞ୍ଜର ଆଧୁନିକ ଶିକ୍ଷାମନ୍ଦିର – ସତ୍ୟବାଦୀ ବନବିଦ୍ୟାଳୟ !
ତେବେ ଏଇ ପଞ୍ଚବନ୍ଧୁଙ୍କ ମଧ୍ୟରେ ଅଗ୍ରଗଣ୍ୟ ଉତ୍କଳୀୟ ରାଜନୀତିକ ତଥା ସାଂସ୍କୃତିକ ଜାଗରଣର ମହାଯୋଦ୍ଧା ଭାରତମଣି ଗୋପବନ୍ଧୁଙ୍କ ଜୀବନରେ ଜାତୀୟତା, ସମାଜସେବା, ତ୍ୟାଗ, ଆଦର୍ଶ, ସ୍ବଚ୍ଛତାର ପ୍ରଖ୍ୟାପନ କରାଇପାରିଥିବା ସେ ମହାନ ଯୁବକ ଜଣକ ଥିଲେ ମୁକ୍ତ୍ୟାର ରାମଚନ୍ଦ୍ର ଦାସ ।
ପ୍ରଚଣ୍ଡ ଦେଶପ୍ରେମୀ, ଦେଶର ନବନିର୍ମାଣ ନିମନ୍ତେ ସଦାତତ୍ପର, ଦୀନଦୁଃଖୀଙ୍କ ସେବାରେ ଉତ୍ସର୍ଗୀକୃତ ଓ ସମର୍ପିତ, ନିରକ୍ଷର ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବାରେ ଜୀବନ ବିତାଇ ଦେଇଛନ୍ତି ରାମଚନ୍ଦ୍ର । ତାଙ୍କର ମହତ୍ତ୍ଵ, ବ୍ୟକ୍ତିତ୍ଵ, ମାନବିକତା, ଆତ୍ମଚିନ୍ତନ ଯଶୋଦେହରେ ଚିର ଅମ୍ଳାନ ଓ ଚିରଭାସ୍ୱର ହୋଇପାରିଛି । ନିଜ ଜୀବନକୁ ତିଳ ତିଳ ଦଗ୍ଧ କରି ସେ ଓଡ଼ିଆଙ୍କୁ ଭଲ ପାଇଛନ୍ତି ।
କର୍ମବାଦରେ ବିଶ୍ୱାସ ରଖୁଥିବା ରାମଚନ୍ଦ୍ରଙ୍କ ହୃଦୟ ଥିଲା ବିଶ୍ୱମାନବର ଚିତ୍ରଶାଳା । ତ୍ୟାଗ ଥିଲା ତାଙ୍କ ଜୀବନର ପରମ ଲକ୍ଷ୍ୟ । ନରସେବା ହିଁ ନାରାୟଣଙ୍କ ପୂଜା ଓ ସେବା । ଏହି ଧର୍ମରେ ଦୀକ୍ଷିତ ହୋଇ ସେ ନିଜର ଦଶମାସର ଏକମାତ୍ର ପୁତ୍ରର ମୃତ୍ୟୁରେ ମଧ୍ୟ ଥିଲେ ଅବିଚଳିତ, ବରଂ ପ୍ରାର୍ଥନା କରିଥିଲେ ଭଗବାନଙ୍କୁ : “ହେ ପ୍ରଭୁ, ଭବିଷ୍ୟତରେ ମୋତେ ଆଉ ପୁଅ ଦିଅନା, ନହେଲେ ସଂସାର ବନ୍ଧନରେ ମୁଁ ଦୁନିଆଁ ଭୁଲିଯିବି !”
ତ୍ୟାଗର କେଡ଼େ ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମୁକ୍ତ୍ୟାର ରାମଚନ୍ଦ୍ର । ତାଙ୍କରି ପ୍ରଭାବରେ ଗୋପବନ୍ଧୁ ମଧ୍ୟ ତାଙ୍କର ପୀଡ଼ିତ ପୁତ୍ରକୁ ଛାଡ଼ିଦେଇ ବନ୍ୟାଗ୍ରସ୍ତ ଅଞ୍ଚଳକୁ ଜନସେବା ପାଇଁ ଚାଲିଯାଇଥିଲେ, ଫେରିଆସି ଦେଖିଲେ ପୁଅ ଆଉ ନାହିଁ । ମାତ୍ର କଣ୍ଠରୁ ତାଙ୍କର ବହିଆସିଛି:
“ଗୋଟିଏ ପୁଅ ଦେଇ
ହୃଦୟେ ମୋହର ଶତପୁତ୍ର ମୁଁ
କୁଢାଇ ଆଣିଛି ଏଇ II”
ରାମଚନ୍ଦ୍ର ନିଜେ ସାହିତ୍ୟିକ ନ ଥିଲେ ମଧ୍ୟ ଗୋପବନ୍ଧୁଙ୍କ ମଧ୍ୟରେ ସାହିତ୍ୟିକ ପ୍ରତିଭାର ଉନ୍ମେଷ ସୃଷ୍ଟି କରିଥିଲେ ରାମଚନ୍ଦ୍ର । ଗୋପବନ୍ଧୁଙ୍କ ହାତରେ ‘ସତ୍ୟବାଦୀ’ ଓ ‘ସାପ୍ତାହିକ ସମାଜ’ ପ୍ରକାଶନ ହେବା ପଛରେ ଥିଲା ରାମଚନ୍ଦ୍ରଙ୍କ ପ୍ରେରଣା । ସାହିତ୍ୟର ପ୍ରୋତ୍ସାହନ ଓ ପ୍ରସାର ଉଦ୍ଦେଶ୍ୟରେ ସେ ପୁରୀରେ ଗଢିଥିଲେ ଜଗନ୍ନାଥ ପ୍ରେସ୍ । ତାଙ୍କରି ପ୍ରେରଣା ଓ ସମର୍ଥନ ରେ ଗଢିହୋଇଥିଲେ କେତେ କେତେ ସାହିତ୍ୟିକ ।
ଅବିଭକ୍ତ ପୁରୀ ଜିଲ୍ଲାର ଭିଙ୍ଗାରପୁର ଗ୍ରାମରେ ଜନ୍ମିତ ମହାନ ଜାତୀୟତାବାଦୀ ରାମଚନ୍ଦ୍ର ଦାସ ବାଲେଶ୍ଵର ଓ ଆଖପାଖ ଅଞ୍ଚଳରେ ଉତ୍କଳ ସମ୍ମିଳନୀକୁ ପରିବ୍ୟାପ୍ତ କରାଇଥିଲେ । ୧୯୦୬ ମସିହା ଜୁଲାଇ ୩୧ ତାରିଖରେ ବାଲେଶ୍ଵରରେ ଉତ୍କଳ ସମ୍ମିଳନୀର ଅଧିବେଶନରେ ଦିକ୍ଷାନ୍ତ ଭାଷଣ ଦେଉ ଦେଉ ଅସୁସ୍ଥ ହୋଇ ଇହଧାମ ତ୍ୟାଗ କରିଥିଲେ ।
ସେଇ ମୁକ୍ତପୁରୁଷ ଶୁଦ୍ଧାତ୍ମା ରାମଚନ୍ଦ୍ରଙ୍କ ଜୀବନଦର୍ଶନ ଅମୃତମୟ ମାନବଜାତିର ଅନୁକରଣୀୟ ଓ ଅନୁସରଣୀୟ ହେଉ, ଦେଶ, ଜାତି ଓ ବିଶ୍ୱର କଲ୍ୟାଣ ହେଉ ।