ପଣ୍ଡିତ ଅନନ୍ତ ମିଶ୍ର

ଲେଖା: ନିରଞ୍ଜନ ସାହୁ

ବୟସର ବ୍ୟବଧାନ ବେଶୀ ନୁହେଁ, ମାତ୍ର ସାତବର୍ଷ । ଦାସେ ଆପଣେଙ୍କ ଠାରୁ ମାତ୍ର ସାତବର୍ଷ ସାନ । ହେଲେ ଦାସେ ଆପଣେ ଥିଲେ ଗୁରୁତୁଲ୍ୟ, ଶ୍ରେଷ୍ଠ ଆଦର୍ଶ ତାଙ୍କ ପାଇଁ । “ତାଙ୍କୁ ଆଦର୍ଶ କରି ସିନା ଦେଶ ସେବା କରିବି, ହେଲେ ଚାଲିଚାଲି ଯିବା ଅପେକ୍ଷା ସାଇକେଲଟିଏ ବ୍ୟବହାର କଲେ ଆଉ ଟିକିଏ ସୁଗମ ହେବ।” ଏଇ କଥାଟି ମନରେ ଆସିଲା ଏଣ୍ଟ୍ରାନସ୍ ପାଶ୍ କରିଥିବା ଜଣେ ଅଠର ବର୍ଷୀୟ କିଶୋରଙ୍କର । ତେଣୁ ଟଙ୍କା ଠୁଳେଇଲେ ସାଇକେଲ କିଣିବା ପାଇଁ । କଥା ଜାଣିଲେ ଦାସେ ଆପଣେ, ଆଉ ଡାକି କରି କହିଲେ,
“ଅଭାବ ଭାରି
ଟଙ୍କା ଥିଲେ ଦିଅ, ଦେବି ମୁଁ ‘ଅନନ୍ତ’
ଗଲେ ଦୁଇ ଦିନ ଚାରି ।”

ଟଙ୍କାଥଳି ଆଣି ଦାସେ ଆପଣେଙ୍କ ପାଖରେ ଥୋଇଦେଲେ ସେହି କିଶୋର । ବହୁଦିନ ଗଲା । କିନ୍ତୁ ଟଙ୍କା ଫେରସ୍ତ ହେଲା ନାହିଁ । ମନରେ ଆସିଲା, “ସାଇକେଲ ତ ନିହାତି ଦରକାର, ନହେଲେ ଚାଲି ଚାଲି ପାଦରେ ବୁଲିବା କଷ୍ଟକର ଓ ଅଧିକ ଅଞ୍ଚଳକୁ ଯାଇ ହେବନାହିଁ । ବୋଧହୁଏ ଟଙ୍କା ଫେରାଇବାକୁ ଭୁଲି ଯାଇଛନ୍ତି !” ତେଣୁ ଆଉ ବିଳମ୍ବ ନକରି ଗୋପବନ୍ଧୁଙ୍କ ଦ୍ଵାରସ୍ଥ ହେଲେ ସେହି କିଶୋର। ଦେଖିବା ପରେ ଅଳପ ହସି ଉତ୍ତର ଦେଲେ ଗୋପବନ୍ଧୁ — “ମୋର ଟଙ୍କା କଥା ମନେ ଅଛି, ଜାଣି ଜାଣି ଦେଇ ନାହିଁ । ଯଦି କଥା ରଖିବ ତେବେ ସଙ୍ଗେ ସଙ୍ଗେ ଦେଇଦେବି ।”

ତେବେ କଥା କ’ଣ ଥିଲା ? “ବରଷା କାଦୁଅରେ ଅପନ୍ତରା ବାଟରେ ଯାଇ ଘର ଘର ବୁଲି ଲୋକଙ୍କୁ ସାହାଯ୍ୟ କରୁଛ । ସାଇକେଲରେ  ସଡ଼କବାଟରେ ଯାଇ, ଗଳିକନ୍ଦିରେ ଥିବା ଅଭାବୀ ଲୋକଙ୍କ ଅବସ୍ଥା ବୁଝିବ କିପରି ? କିପରି ପୋଛିବ ଲୁହ ତାଙ୍କର ?” ସରମି ଗଲେ ‘ଅନନ୍ତ’ ! ମଥା ନଇଁଗଲା ଗୋପବନ୍ଧୁଙ୍କ ଚରଣ ଯୁଗଳରେ । ସାଇକେଲ କିଣା ନୋହିଲା । ପାଦରେ ଚାଲି ଚାଲି ସେବା କରିବାକୁ ନିବୃତ୍ତ ହେବାର ପ୍ରଶ୍ନ ଆଉ ଆସିବ କୁଆଡ଼ୁ ?

ସେଦିନର ସେହି କିଶୋର ଅନନ୍ତ ମିଶ୍ର, ସତ୍ୟବାଦୀ ଯୁଗର ସପ୍ତସଖା ମଣିଷ, ସଂଗଠକ, ପ୍ରଚାରକ, ବିଚ୍ଛିନ୍ନାଞ୍ଚଳ ମିଶ୍ରଣର ଆଦ୍ୟ ପ୍ରବର୍ତ୍ତକ, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ଦାୟିତ୍ଵ ନିର୍ବାହକ

~ କ୍ଷୁଦ୍ର ଶପଥ କିନ୍ତୁ ଜାତି ପାଇଁ ମହାର୍ଘ ~
୧୮୮୪ ମସିହା ଜାନୁଆରୀ ମାସ ୧୦ ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଶ୍ରୀରାମଚନ୍ଦ୍ରପୁର ଶାସନରେ ଜନ୍ମ ନେଇଥିଲେ ପଣ୍ଡିତ ଅନନ୍ତ ମିଶ୍ର (Pandit Ananta Mishra) । ମାଧ୍ୟମିକ ଶିକ୍ଷା ଶେଷ ପରେ ଚାରିଜଣ ବନ୍ଧୁ ଭାରତମଣି ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଓ ଅନନ୍ତ ମିଶ୍ର ଭାର୍ଗବୀ ନଦୀ କୂଳରେ ଶପଥ ନେଲେ, “ଆମେ ସରକାରୀ ଚାକିରୀ କରିବା ନାହିଁ । ଜନ୍ମ ବେଳେ ମାତୃଭୂମିକୁ ଯେପରି ଦେଖିଥିଲେ, ମୃତ୍ୟୁ ପୂର୍ବରୁ ନିଜ କାମରେ ତାହାଠାରୁ ଉନ୍ନତ ଦେଖିବା ।” ଏହି ଶପଥ ହିଁ ହୋଇଥିଲା ସଭିଙ୍କ ଜୀବନର ମୂଳମନ୍ତ୍ର ।

~ ଶିକ୍ଷକତା ମାଧ୍ୟମରେ ସମାଜ ସଂସ୍କାର ~
୧୯୦୨ ମସିହାରେ ଉତ୍ତମ ଶିକ୍ଷା ଦେଇ ଭଲ ମଣିଷ ତିଆରି କରିବାର ସଂକଳ୍ପ ନେଇ ଡେଲାଙ୍ଗ ମାଇନର ସ୍କୁଲରେ ଶିକ୍ଷକତା ଆରମ୍ଭ କଲେ ମିଶ୍ରେ । ସେଇଠୁ ଆରମ୍ଭ ହେଲା ସମାଜ ସଂସ୍କାର କାର୍ଯ୍ୟକ୍ରମ। ଅସ୍ପୃଶ୍ୟତା ନିବାରଣ ପାଇଁ ପ୍ରଥମ ପଦକ୍ଷେପ ନେଲେ ପଂକ୍ତି ଭୋଜନ ଆନ୍ଦୋଳନ ମାଧ୍ୟମରେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତ୍ର ବସି ଖାଇବାର କାର୍ଯ୍ୟକ୍ରମ ଆରମ୍ଭ ହେଲା ଏବଂ ଚାଲିଲା ମଧ୍ୟ । ୧୯୦୯ ମସିହାରେ ପ୍ରତିଷ୍ଠିତ ହେଲା ସତ୍ୟବାଦୀ ବନବିଦ୍ୟାଳୟ । ଗୋପବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଅନନ୍ତ ମିଶ୍ର ଆସୁଥିଲେ ପ୍ରତ୍ୟହ ଅନ୍ତେବାସୀ ମାନଙ୍କ ସାନ୍ଧ୍ୟକାଳୀନ ପ୍ରାର୍ଥନାରେ ଯୋଗ ଦେବାକୁ । ସତ୍ୟବାଦୀ ବନବିଦ୍ୟାଳୟରେ ଚାଲିଲା ପଙ୍କ୍ତିଭୋଜନ । ସେତେବେଳେ ବ୍ରାହ୍ମଣମାନେ ଥିଲେ ଅତ୍ୟନ୍ତ ରକ୍ଷଣଶୀଳ । ନିଶ ରଖିବା ଥିଲା ଏକ ଗର୍ହିତ ଅପରାଧ । ଏଭଳି ଚଳଣିର ଘୋର ବିରୋଧ କରିଥିଲେ ପଣ୍ଡିତ ଅନନ୍ତ ମିଶ୍ର । ଭଲ ସଂଗଠକ ଭାବେ ପରିଚିତ ପଣ୍ଡିତେ ଏକ ବିରାଟ ବ୍ରାହ୍ମଣ ସଭାର ଆୟୋଜନ କଲେ ସାକ୍ଷୀଗୋପାଳ ମନ୍ଦିର ପାଖରେ। ଦାଢ଼ି କାଟି, ନିଶ ରଖି ଏହି ସଭାରେ ସେ ଚଳଣି, ସଂସ୍କାର ଉପରେ ଏକ ସାରଗର୍ଭକ ଭାଷଣ ଦେଇ ସମସ୍ତଙ୍କୁ ଚମତ୍କୃତ କରିଦେଲେ ତାଙ୍କର ଅକାଟ୍ୟ ଯୁକ୍ତି ବଳରେ । ପୁରୀର ଶାସନୀ ବ୍ରାହ୍ମଣ ସମାଜ ଏପରିକି ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟ ବ୍ୟସ୍ତ ହୋଇ ପଡ଼ିଥିଲେ । ବାଗ୍ମୀ ପୁରୁଷ ନୀଳକଣ୍ଠ ଦାସଙ୍କ ଭାଷାରେ , “ସେହି ଦିନ ହିଁ ତାଙ୍କର ପ୍ରଚାରକତ୍ଵର ପ୍ରତିଷ୍ଠା ହୋଇଥିଲା ।”

~ ଉତ୍କଳ ସମ୍ମିଳନୀ ଆଭିମୁଖ୍ୟର ପ୍ରଚାରକ ~
୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଗଠିତ ହେବା ପରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ସର୍ବତ୍ର ତତ୍ପରତା ପ୍ରକାଶ ପାଇଲା । ସେଥିରେ ଜଣେ କର୍ମୀ ଭାବେ ସାମିଲ୍ ହୋଇଗଲେ ପଣ୍ଡିତ ଅନନ୍ତ ମିଶ୍ର ।୧୯୧୪ ମସିହାରେ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ହେଲା ସମ୍ମିଳନୀର ଦଶମ ଅଧିବେଶନ । ସମ୍ମିଳନୀର କାର୍ଯ୍ୟ ମୂଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ହେଉଥିବାର କିଛି ନେତୃସ୍ଥାନୀୟ ବ୍ୟକ୍ତି ମତ ଦେଇଥିଲେ । ଏହା ସହ ଓଡ଼ିଶାର ଅନ୍ୟ ଦୁଇଟି ଅବିଚ୍ଛେଦ୍ୟ ଅଙ୍ଗ ମେଦିନୀପୁର ଓ ସିଂହଭୂମିରେ ପ୍ରଚାର କାର୍ଯ୍ୟ ପାଇଁ ସ୍ଥିର କରାଗଲା । ଏହି ପ୍ରଚାର କାର୍ଯ୍ୟ ନ୍ୟସ୍ତ ହେଲା ଅନନ୍ତ ମିଶ୍ରଙ୍କ ଉପରେ । ଜଣେ ଉଚ୍ଚକୋଟୀର ସଂଗଠକ, ପ୍ରଚାରକ ଭାବେ ବେଶ୍ କିଛି ଖ୍ୟାତି ଆସିଯାଇଥିଲା ତାଙ୍କର ସେତେବେଳକୁ ସାରା ଓଡ଼ିଶାରେ । ଏହା ଏକ ପରମ କର୍ତ୍ତବ୍ୟ ମନେ କରି ଡେଲାଙ୍ଗ ବିଦ୍ୟାଳୟରୁ ଶିକ୍ଷକତା ଛାଡ଼ି, ଚାଲିଲେ ଓଡ଼ିଶାର ଉପାନ୍ତ ଅଞ୍ଚଳକୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସହ । ପାଦରେ ଚାଲି ଚାଲି ସିଂହଭୂମି, ଷଢ଼େଇକଳା, ଚକ୍ରଧରପୁର, ମଞ୍ଜୁଷା, ମେଦିନୀପୁର, ଗଞ୍ଜାମର ସବୁ ଅଞ୍ଚଳ ବୁଲି ବୁଲି ସ୍ଵତନ୍ତ୍ର ଓଡ଼ିଶା ଓ ଓଡ଼ିଆଙ୍କ ଏକତ୍ରୀକରଣ ପାଇଁ ଉତ୍କଳ ସମ୍ମିଳନୀର ବାର୍ତ୍ତା ପ୍ରଚାର କଲେ ।

~ ଅସାଧାରଣ ବାଗ୍ମୀ, ବକ୍ତା ଓ ପ୍ରଚାରକ ~
ଜଣେ ଭଲ ସଂଗଠକ ହୋଇଥିବାରୁ ତାଙ୍କ ପ୍ରଚାରର ଢଙ୍ଗ ନିଆରା ଥିଲା । କୌଣସି ଗାଁ ବା ସହରକୁ ଯିବାର ଥିଲେ, ଯାନ ବାହାନ ପାଇଁ ବାଛବିଚାର ନ ଥିଲା ତାଙ୍କର । କେତେବେଳେ ପାଦରେ ଚାଲି ଚାଲି, କେତେବେଳେ ଯାହା ମିଳେ, ସେଥିରେ ଯାଇ ସଭାସ୍ଥଳରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବା ଥିଲା ତାଙ୍କର ଶ୍ରେଷ୍ଠ ଗୁଣ । ଯାହାଫଳରେ ସର୍ବତ୍ର ଆଦୃତ ହେଉଥିଲେ ଅନନ୍ତ ମିଶ୍ର ମହାଶୟ । ଷଢ଼େଇକଳା, ସିଂହଭୂମି ଥିଲା ତାଙ୍କର କର୍ମଭୂମି । ଘରେ ଘରେ ସୁପରିଚିତ ଥିଲେ ପ୍ରଚାରକ ପଣ୍ଡିତ ଅନନ୍ତ ମିଶ୍ର ନାମରେ । ଓଡ଼ିଶାର ବାଗ୍ମୀପୁରୁଷ ନୀଳକଣ୍ଠ ଦାସ ତାଙ୍କ ଆତ୍ମଜୀବନୀରେ ଅନନ୍ତ ମିଶ୍ରଙ୍କ ସମ୍ପର୍କରେ ଲେଖିଛନ୍ତି: “ପ୍ରଚାରର ବାର୍ତ୍ତା ଘେନି ତୁମେ ଉତ୍କଳର ପୁରପଲ୍ଲୀ, ବନପ୍ରାନ୍ତର, ଗିରି ନଦୀ ସବୁ ଦେଖିଛ । ପଦବ୍ରଜରେ ଏପରି ପ୍ରଚାରକ ଓଡି଼ଶାରେ ଆଉ କେହି ଜନ୍ମ ହେବ ବୋଲି ଆଶା ନାହିଁ । ଏ ସମସ୍ତ ପ୍ରଚାର ମଧ୍ୟରେ ତୁମର ପ୍ରାଣ ଥିଲା ଓଡ଼ିଶାର ଜାତୀୟତା । ଉପାନ୍ତ ଅଞ୍ଚଳ ଓଡ଼ିଶାର ହେବ, ଏହା ତୁମ ପ୍ରଚାରର ମୂଳ ମନ୍ତ୍ର । କଂଗ୍ରେସ ଆସିଲା, ସେଥିରେ ତୁମେ ପ୍ରାଣପଣେ ଯୋଗ ଦେଇଛ । ମାତ୍ର ସମସ୍ତ କାର୍ଯ୍ୟ ମଧ୍ୟରେ ତୁମେ ଓଡ଼ିଶାର ଜାତୀୟତାକୁ ଶୟନେ ସ୍ଵପନେ ଜାଗରଣରେ ସବଳ କରିଥିଲ । ସେଥିପାଇଁ ତୁମର କର୍ମକ୍ଷେତ୍ର ହେଲା ସିଂହଭୂମି ।”

~ ଅସହଯୋଗ ଆନ୍ଦୋଳନର ଯୋଦ୍ଧା ~
୧୯୩୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ଵାନରେ ସାରାଦେଶରେ ଆରମ୍ଭ ହେଲା ଲବଣ ସତ୍ୟାଗ୍ରହ । ସେହି ଆନ୍ଦୋଳନରେ ଯୋଗ ଦେଲେ ଅନନ୍ତ ମିଶ୍ର । ବ୍ରିଟିଶ ପୋଲିସ ଦ୍ବାରା ଗିରଫ ହେବା ସହ ଜେଲ୍ ଗଲେ । କାରାଦଣ୍ଡ ଭୋଗୁଥିବା ସମୟରେ ଦେଶଦ୍ରୋହୀ ଭାବେ ବହୁ ନିର୍ଯ୍ୟାତନାର ଶିକାର ହେଲେ ।

୧୯୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିରେ ସ୍ଵତନ୍ତ୍ର ହେଲା । କିନ୍ତୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସିଂହଭୂମି, ଷଢ଼େଇକଳା, ମେଦିନୀପୁର, ମଞ୍ଜୁଷା ଓଡ଼ିଶା ସହ ମିଶି ପାରିଲା ନାହିଁ । ଏଥିରେ ବ୍ୟଥିତ ହେବା ସହ ପ୍ରଚାରକ ପଣ୍ଡିତ ଅନନ୍ତ ମିଶ୍ର ଭାଙ୍ଗିପଡ଼ିଲେ । ୧୯୩୭ ମସିହା ଅପ୍ରେଲ ବେଳକୁ ଅସୁସ୍ଥ ହୋଇ ପଡିଲେ । ଏକ ମାସ ପରେ ମେ ମାସ ୬ ତାରିଖରେ ଏଇ ଓଡ଼ିଆପ୍ରାଣ କର୍ମବୀର ଚିରଦିନ ପାଇଁ ଆଖି ବୁଜିଦେଲେ । ନିଃସ୍ଵାର୍ଥପର ସମାଜସେବା, ତ୍ୟାଗ, ବିଚ୍ଛିନ୍ନାଞ୍ଚଳର ଅଦ୍ୱିତୀୟ କର୍ମୀ, ଓଡ଼ିଶା ପାଇଁ ଅବିସ୍ମରଣୀୟ ପୁରୁଷଶ୍ରୀ ପଣ୍ଡିତ ଅନନ୍ତ ମିଶ୍ର ଓଡ଼ିଆମାନଙ୍କ ହୃଦୟରେ ଅମର ହୋଇ ରହିଗଲେ ।

ଆଧାର: “ଆମେ ଓଡ଼ିଆ” ପୁସ୍ତକ;  ଶିଶୁସାହିତ୍ୟିକ ବଟକୃଷ୍ଣ ଓଝାଙ୍କ କବିତା ‘ନଇଁ ଗଲା ଆପେ ମଥା’

©’ଅନ୍ତରଙ୍ଗ କଳିଙ୍ଗ’ 

2 thoughts on “ପଣ୍ଡିତ ଅନନ୍ତ ମିଶ୍ର”

  1. ମହାନ୍ ଉତ୍କଳ ମାଟିର ମଣିଷ ଅନନ୍ତ ମିଶ୍ର ଆମମାନଙ୍କ ଗର୍ବ ।

  2. BIJAYA KUMAR CHHATOI

    ପ୍ରଚାରକ ଅନନ୍ତ ମିଶ୍ର ଙ୍କର ଜନ୍ମ ୧୮୮୪ ଅକ୍ଟୋବର (କାର୍ତ୍ତିକ ଅଁଳା ନବମୀ) ରେ ଜନ୍ମ

Leave a Comment

Your email address will not be published. Required fields are marked *

Scroll to Top