ପଞ୍ଚୁପାଣ୍ଡଵ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ
~ ପଞ୍ଚୁପାଣ୍ଡଵ ମନ୍ଦିର ~
ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରେ ଲୁଚି ରହିଥିବା ଏକ ଅନାଲୋଚିତ ଅଧ୍ୟାୟ ହେଉଛି “ପଞ୍ଚୁପାଣ୍ଡଵ ମନ୍ଦିର” l ଶତାବ୍ଦୀ ପୁରାତନ ଏହି ଶୈବପୀଠ ବିଷୟରେ ବିଶେଷ କୌଣସି ଆଲୋଚନା କେଉଁଠାରେ ଦେଖିବାକୁ ମିଳେନା l ଦିନଥିଲା ସେ କାଳରେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ଏଇ ଭୂଖଣ୍ଡରେ ଏକ ସୁସମୃଦ୍ଧ ସଭ୍ୟତାର ବିକାଶ ଘଟିଥିଲା l ଏହି ପଞ୍ଚୁପାଣ୍ଡଵ ମନ୍ଦିରରେ କେଶରୀ ବଂଶୀ ଶାସନ କାଳୀନ କେତେକ ପ୍ରାଚୀନ ମୂର୍ତ୍ତି ଦେଖିବାକୁ ମିଳେ l ଜଗତସିଂହପୁର ଜିଲ୍ଲାର ହାତଗଣତି କେତୋଟି ପ୍ରାଚୀନ ଶୈବପୀଠ ମାନଙ୍କ ମଧ୍ୟରେ ଏହି ମନ୍ଦିରଟି ହେଉଛି ଅନ୍ୟତମ l
ଜଗତସିଂହପୁର ସହର ଦେଇ ବାଲିକୁଦା ଯିବା ବାଟରେ ପଡ଼େ ଡେଙ୍ଗାପୋଲ, ଆଉ ଡେଙ୍ଗାପୋଲର ଦକ୍ଷିଣ ଦିଗ କେନାଲ କଡ଼େ କଡ଼େ ଗଲେ ପଡ଼ିବ କୁଣ୍ଡେଶ୍ୱର ଗ୍ରାମର ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ଓ ସଠଳପୁର ଗ୍ରାମର ସପ୍ତମାତୃକାଅଜୈକପାଦ ଭୈରବ ମନ୍ଦିର l
ଡେଙ୍ଗାପୋଲର ବାମ ଦିଗ କେନାଲ କଡ଼େ କଡ଼େ ଗଲେ ପଡ଼ିବ “ଦରବା” ଗ୍ରାମ, ଆଉ ସେଇ ଗାଁର ଶେଷ ପ୍ରାନ୍ତରେ ରହିଛି ଏହି ପଞ୍ଚୁପାଣ୍ଡଵ ମନ୍ଦିର l କୁହାଯାଏ ଏହି ମନ୍ଦିରଟିକୁ କେଶରୀ ବଂଶୀ ରାଜା ବିଶ୍ୱମ୍ବର ନିର୍ମାଣ କରିଥିଲେ ଯିଏ କି କୁଣ୍ଡେଶ୍ୱର ଗ୍ରାମର ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିରର ମଧ୍ୟ ନିର୍ମାତା ଅଟନ୍ତି l
କୁହାଯାଏ ବାର ଗୋଟି ଗ୍ରାମ ବା ପୁରକୁ ନେଇ କୁଣ୍ଡିନଗ୍ର ବା କୁଣ୍ଡେଶ୍ୱର ନଗ୍ର ଗଠନ ହୋଇଥିଲା l ଏହି “ଦରବା” ଗ୍ରାମଟି ମଧ୍ୟ ପ୍ରାଚୀନ କୁଣ୍ଡି ନଗ୍ରର ଅନ୍ତର୍ଭୁକ୍ତ ଥିଲା l ମନ୍ଦିରଟିର ଏପରି ନାମକରଣ “ପଞ୍ଚୁପାଣ୍ଡଵ” ହେବା ପଛରେ ଥିବା କାରଣ କ’ଣ ଥାଇପାରେ ତାହା ଜାଣିବାରେ ମୋର ଜିଜ୍ଞାସା ଜିଜ୍ଞାସାରେ ହିଁ ରହିଗଲା l ଅବଶ୍ୟ ଅନୁସନ୍ଧାନ କଲେ କିଛି ତଥ୍ୟ ମିଳିପାରେ l
ପଞ୍ଚଆୟତନ ଶୈଳୀରେ ନିର୍ମିତ ଏହି ପଞ୍ଚୁପାଣ୍ଡଵ ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟ ଦେଉଳ ବ୍ୟତୀତ ଆଉ ଚାରିଗୋଟି ମନ୍ଦିର ରହିଛି l ଏହି ସମସ୍ତ ମନ୍ଦିର ରେଖ ଶୈଳୀରେ ନିର୍ମିତ ଏବଂ ସମସ୍ତ ମନ୍ଦିର ଗର୍ଭଗୃହରେ ଲିଙ୍ଗସ୍ୱରୂପ ମହାଦେବ ବିରାଜମାନ କରିଛନ୍ତି l ପଞ୍ଚୁପାଣ୍ଡଵ ମନ୍ଦିରର ବିଶେଷତ୍ୱ ହେଲା ମୁଖ୍ୟ ମନ୍ଦିର ସହିତ ଅନ୍ୟ ଚାରୋଟି ଯାକ ମନ୍ଦିର ଉଭୟ ଇଟା ଓ ପଥରରେ ନିର୍ମିତ ମାତ୍ର କାରୁକାର୍ଯ୍ୟ ବିହୀନ l ସାଧାରଣତଃ ପ୍ରାଚୀ ନଦୀ ଉପତ୍ୟକାରେ ଏହିପରି ଇଟା ନିର୍ମିତ କେତୋଟି ମନ୍ଦିର ଦେଖିବାକୁ ମିଳେ l
ଏହି ମନ୍ଦିର ପରିସରରେ ବିଘ୍ନରାଜ ଗଣେଶଙ୍କ ଏକ ନିଖୁଣ ତଥା ଖୁବ୍ ସୁନ୍ଦର ପ୍ରତିମାଟିଏ ରହିଛି l କଳା ମୁଗୁନି ପଥରରେ ନିର୍ମିତ ଏହି ପ୍ରତିମାଟି ଯେତିକି କମନୀୟ ସେତିକି ଭବ୍ୟ l ଏହା ବ୍ୟତୀତ ଅଷ୍ଟଭୂଜା ଦୁର୍ଗା, କାର୍ତ୍ତିକେୟ, ଆସ୍ତିକଜରତ୍କାରୁ ଓ ଭଗବାନ ବରାହଙ୍କ ପ୍ରାଚୀନ ମୂର୍ତ୍ତି ରହିଛି l
ମନ୍ଦିର ପରିସର ପ୍ରବେଶ ପଥକୁ ଲାଗି ଏକ ଛାତ ଘରେ ବିଷ୍ଣୁଙ୍କର ଏକ ବିରାଟ ମୂର୍ତ୍ତି ରହିଛି l ଶଙ୍ଖ, ଚକ୍ର, ଗଦା ଓ ଅଭୟ ମୁଦ୍ରାରେ ଦଣ୍ଡାୟମାନ ଏହି ବିଗ୍ରହଙ୍କ ପାଦଦେଶରେ ପ୍ରଣିପାତ ମୁଦ୍ରାରେ ଗରୁଡ଼ ବସିଛନ୍ତି l ବିଷ୍ଣୁଙ୍କ ଏହି ପ୍ରତିମାଟି ଏକ ଦୁର୍ଲଭ ମୂର୍ତ୍ତି l
ଦରବା ଗ୍ରାମକୁ ଯିବା ପୂର୍ବରୁ ପଡ଼ିବ “ପରାହାଟ” ଗ୍ରାମ l ଏହି ଗ୍ରାମରେ ରହିଛି ବହୁ ପ୍ରାଚୀନ ଭଗବତୀ ମନ୍ଦିର l ନିକଟବର୍ତ୍ତୀ ଗ୍ରାମ ଓ ସେଇ ଅଞ୍ଚଳରେ ଏହି ମନ୍ଦିରଟି ଅଳ୍ପ ବହୁତେ ପରିଚିତ l ଦେବୀ ଭଗବତୀ ପ୍ରତ୍ୟକ୍ଷ ଠାକୁରାଣୀ ବୋଲି ଏଇ ଅଞ୍ଚଳବାସୀଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି l ସ୍ୱଳ୍ପ ଉଚ୍ଚର ଏହି ମନ୍ଦିର ଗର୍ଭଗୃହରେ ଦେବୀ ଭଗବତୀ ବିରାଜମାନ କରିଛନ୍ତି l ମାଆଙ୍କ ଏହି ପ୍ରତିମାଟି ବହୁତ ପ୍ରାଚୀନ l ଏହି ମନ୍ଦିରଟି କେଶରୀ ବଂଶୀ ଶାସନ କାଳର ହୋଇଥିବା ଅନୁମାନ କରାଯାଏ l
ମନ୍ଦିର ଗର୍ଭଗୃହକୁ ପ୍ରବେଶ ପଥର ଉଭୟ ପାର୍ଶ୍ୱରେ ଦୁଇଟି ବିଷ୍ଣୁ ପ୍ରତିମା ରହିଛି l ଦୁଇଟିଯାକ ମୂର୍ତ୍ତି ଖୁବ୍ ସୁନ୍ଦର l ଦକ୍ଷିଣ ପାର୍ଶ୍ୱରେ ଥିବା ପ୍ରତିମାଟି ବାମ ପାର୍ଶ୍ୱରେ ଥିବା ପ୍ରତିମା ଠାରୁ ଅଳ୍ପ ବଡ଼ ଓ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ l ଦୁଇଟି ଯାକ ବିଷ୍ଣୁ ପ୍ରତିମା କଳା ମୁଗୁନି ପଥରରେ ନିର୍ମିତ ମାତ୍ର ବିଧର୍ମୀ କଳା ପାହାଡ଼ ଦ୍ୱାରା ଖଣ୍ଡିତ ହୋଇଥିବା ମନ୍ଦିର ପୂଜାରୀ କୁହନ୍ତି l
ଐତିହ୍ୟାନୁରାଗୀ କେହି, ଡେଙ୍ଗାପୋଲ ଦେଇ ଯିବା ଆସିବା ସମୟରେ ମାତ୍ର ତିନି କିଲୋମିଟର ଦୂରରେ ଥିବା ସ୍ୱଳ୍ପ ପରିଚିତ ଏହି ମନ୍ଦିର ଦୁଇଟିକୁ ନିହାତି ବୁଲିଯାଇ ପାରିବେ, ଆଉ କଳିଙ୍ଗ ବାସ୍ତୁ କଳାର ପ୍ରାଚୀନ କୀର୍ତ୍ତିରାଜିକୁ ଅବଲୋକନ କରି ପାରିବେ l
ଗ୍ରାମ: ଦରବା ଓ ପରାହାଟ, ଡେଙ୍ଗାପୋଲ ନିକଟ, ବାଲିକୁଦା ବ୍ଲକ, ଜଗତସିଂହପୁର ଜିଲ୍ଲା, ଓଡ଼ିଶା

Leave a Comment

Your email address will not be published. Required fields are marked *

Scroll to Top