ଲେଖା: ଶିଶିର ସାହୁ ମନୋଜ
ସାଧାରଣତଃ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆରେ ଧାନଚାଷ ହୁଏ ଓ ଧାନଚାଷ ହେଉଥିଵା ହେତୁ ଏଠାରେ ଧାନ୍ଯ ସମ୍ଵନ୍ଧୀୟ ଖାଦ୍ୟ ମଧ୍ୟ ମିଳିଥାଏ । ଵିଶ୍ଵରେ ସର୍ଵପ୍ରଥମେ ଆମ କୋରାପୁଟରେ ଧାନଚାଷ ହୋଇଥିଵା ପ୍ରମାଣ ମିଳେ ।
ଧାନଗଛର ଵିଭିନ୍ନ ଜାତି ରହିଛି ପ୍ରାୟତଃ ୩୦୦ରୁ ଅଧିକ ଜାତିର ନାମ ମିଳେ ତେଵେ ଏସିଆ ମହାଦେଶରେ Oryza sativa, Oryza coarctata, Oryza meyeriana, Oryza ridleyi, Oryza rufipogon ଇତ୍ୟାଦି କେତେକ ଜଣାଶୁଣା ଧାନଜାତିର ହିଁ ଚାଷ ହୋଇଥାଏ ।
ଗଵେଷକଙ୍କ ମତରେ ଆଫ୍ରିକୀୟ ଧାନ Oryza glaberrima ଓ ଭାରତୀୟ ଧାନ oryza sativaର ଉତ୍ପତ୍ତି oryza perennis ନାମକ ଏକ ଜଙ୍ଗଲୀ ଧାନ ଜାତିରୁ ହୋଇଥିଲା । oryza perennis ଭାରତ ଓ ଆଫ୍ରିକା ଉଭୟ ମହାଦେଶରେ ଦେଖାଯାଏ ।
୧୯୫୫ର ଏକ ସର୍ଭେ ଦ୍ଵାରା ଓଡ଼ିଶାରେ ସବୁଠାରୁ ଅଧିକ ଚାଷ ଜାତୀୟ ଧାନ ଓ ନୀଵାର ପ୍ରକାର ମିଳିଛି । ଏହା ପୂର୍ଵରୁ ଚୀନ ଓ ପରେ ଦକ୍ଷିଣ ଭାରତକୁ ଧାନଚାଷର ଆଦିକେନ୍ଦ୍ର ଵିଚାର କରାଯାଉଥିଲା ।
ପ୍ରଥମେ ସଉରା ଗଦଵା ଲୋକେ ଆରଣ୍ଯକ ପଦ୍ଧତିରେ ଧାନଚାଷ କରୁଥିଲେ । ମାଇଡା଼ ଓ ଉତ୍ତଳ ଚାଷଭେଦରେ ଏହା ଦୁଇ ପ୍ରକାରର । ଦକ୍ଷିଣ ପଶ୍ଚିମ ଓଡ଼ିଶାର ଆରଣ୍ଯକ ଧାନଚାଷ ପଦ୍ଧତିକୁ ମାଇଡା଼ କୁହାଯାଉଥିଲାଵେଳେ ଦକ୍ଷିଣ ଓଡ଼ିଶାର ଜନଜାତୀୟ ଆରଣ୍ଯକ ଧାନଚାଷ ପଦ୍ଧତିକୁ ଉତ୍ତଳ କୁହାଯାଏ ।
ତେଵେ ସଉରାଦି ଜାତିଙ୍କ ପରେ ଓଡ଼ିଶାର ଜନଜାତୀୟ ଲୋକଙ୍କ ମଧ୍ୟରୁ ପର୍ଵତଵାସୀ ଉଡ୍ରମାନେ ସମତଳଵାସୀ ହେଲେ ଏଵଂ ସମ୍ଭଵତଃ ପ୍ରଥମେ ଏଇମାନେ ହିଁ ସମତଳ ଅଞ୍ଚଳରେ ଧାନଚାଷ କରିଥିଲେ ବୋଲି ଏମାନଙ୍କୁ ଦ୍ରାଵିଡ଼ ଲୋକେ ଓଡ୍ ଧାତୁ = ଚାଷକରିଵା ଅର୍ଥରେ ଓଡ଼ = ଚାଷୀ ବୋଲି ଅଭିହିତ କରିଥିଲେ ।
ଓଡ଼ିଶାରେ ଚାଉଳ ଶବ୍ଦର ଅନ୍ୟ ରୂପ ଚାମଳ । ଚାମ୍ ଶବ୍ଦ ମୁଣ୍ଡା ଭାଷାର ଜୋମ୍ ଶବ୍ଦର ଅପଭ୍ରଂଶ । ଜୋମ୍ ର ଅର୍ଥ ଖାଇଵା । ଏହି ଶବ୍ଦକୁ ସଂସ୍କୃତ ନେଇ ଜମ୍ ଧାତୁ କରିଅଛି ଏଵଂ ଏଥିରୁ ଜେମନ, ଜମନ, ଜେମନାଳୟ ଇତ୍ୟାଦି ଶବ୍ଦ ସୃଷ୍ଟି କରାଯାଇଛି ।
ଓଡ଼ିଆ ତଥା ଗୁଜରାଟୀ ଭାଷାରେ ଜମଵା କ୍ରିୟାଶବ୍ଦ ଖାଇଵା ଅର୍ଥରେ ଵ୍ଯଵହୃତ ହୋଇଥାଏ । କେତେକ ଗଵେଷକଙ୍କ ମତରେ ‛ଜେମ୍–ଳ’ରୁ ‛ଚାମ୍–ଳ’ ଏଵଂ ‛ଚାମ୍―ଳ’ରୁ ଚାଉଳ ଶବ୍ଦର ସୃଷ୍ଟି ହୋଇଛି ।
ଓଡ଼ିଶାରେ ଧାନଚାଷ ସର୍ଵାଧିକ ହେଉଥିଵାରୁ ଏଠାରେ ପ୍ରାଚୀନ କାଳରୁ ଧାନ ସମ୍ଵନ୍ଧୀୟ ଖାଦ୍ଯଦ୍ରଵ୍ଯ ମଧ୍ୟ ଅନ୍ୟ ଅଞ୍ଚଳ ଅପେକ୍ଷା ସଂଖ୍ୟା ଓ ପ୍ରକାର ଭେଦରେ ଅଧିକ ପରିମାଣରେ ପ୍ରାପ୍ତ ହୋଇଥାଏ ।
ପଖାଳ ସେଇଭଳି ଏକ ଖାଦ୍ୟ ଯାହା ସମଗ୍ର ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆରେ ମିଳିଯାଉଥିଲେ ହେଁ ସର୍ଵାଧିକ ଖିଆଯାଏ ଓଡ଼ିଶାରେ । ଏସିଆ ମହାଦେଶର ଯେଉଁ ଯେଉଁ ଦେଶରେ ପ୍ରାଚୀନ କଳିଙ୍ଗୀମାନେ ନିଜ ସଂସ୍କୃତି ଓ ସଭ୍ଯତାର ପ୍ରଚାର ପ୍ରସାର କରିଥିଲେ ଆଜି ସେଇ ଅଞ୍ଚଳଗୁଡ଼ିକରେ ଅଳ୍ପ ବହୁତେ ଧାନଚାଷ ହୁଏ, ପଖାଳ ଭାତ ବି ଖିଆଯାଏ ।
ଓଡ଼ିଶାରେ ପଖାଳ ଏତେ ଲୋକପ୍ରିୟ ଖାଦ୍ୟ ଯେ ଏହାର ପ୍ରକାର ଓ ଅଞ୍ଚଳ ତଥା ମାନଵଜାତି ଭେଦରେ ଅନେକ ନାମ ପ୍ରଚଳିତ । ଭାରତରେ ଓ ଭାରତ ବାହାରେ ପଖାଳ ସମ୍ବନ୍ଧୀୟ ଏତେ ଶବ୍ଦ କୋଉଠେ ମିଳେ ନାହିଁ । ନିମ୍ନରେ ପଖାଳ ସମ୍ବନ୍ଧୀୟ କେତେକ ଜଣାଶୁଣା ଶବ୍ଦର ଉଲ୍ଲେଖ କରାଗଲା…
● କୁଣ୍ଡଗୋଳ: ବାସି ପଖାଳ, କାଞ୍ଚି
● କେନ୍ଦା ପଖାଳ: ସଜ ପଖାଳ
● କୋଳି ଆମ୍ଵିଳି: ସାମାନ୍ୟ ଖଟା ପଖାଳ
● ଚାଇଁ ପଖାଳ: ଭାତ ଗରମ ଥାଉଁ ଥାଉଁ ସେଥିରେ ପାଣି ଢଳାଯଇଥିଵା ପଖାଳ । ଯେଉଁ ପଖାଳ ଭାତରୁ ଉଷୁମ ଛାଡି଼ ନଥାଏ ।
● ଝଣତା ପଖାଳ: ତବତ ଭାତ ଗରମ ଥାଉଁ ଥାଉଁ ତହିଁରେ ପାଣି ମିଶାଇ ଦେଲେ ଯେଉଁ ପଖାଳ ହୁଏ, ତାହାକୁ ଝଣତା ପଖାଳ କହନ୍ତି; ତାହା ବିସ୍ବାଦ ଲାଗେ। ଝଣତା ଶବ୍ଦର ଆନରୂପ ଧଣତା ଯାହାର ଅର୍ଥ ଵିସ୍ଵାଦ ଅଟେ ।
●ଝାଇଁପଖାଳ: ତବତ ଭାତର ପଖାଳ; ତବତ ଭାତ ତାତି ଥିଵା ଅଵସ୍ଥାରେ ତହିଁରେ ପାଣି ଦେଲେ ଯେଉଁ ପଖାଳ ହୁଏ; ଚାଇଁପଖାଳ; ତଟକା ସଜ ପଖାଳ । ଚାଇଁ ଓ ଝାଇଁ ଏ ଉଭୟ ଶବ୍ଦ ସଂସ୍କୃତ ଧାତୁଶବ୍ଦ ଧ୍ନା ଧାତୁ ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।
● ତୁଂଡା କୁଡୁନ୍/ଡୁଂଡା କୁଲ: ସଉରା ଲୋକେ ପଖାଳକୁ ତୁଂଡା କୁଡୁନ୍ ଓ ଡୁଂଡାକୁଲ କୁହନ୍ତି ।
● ଦଧ୍ଯନ୍ନ: ଦହି ପଖାଳ
●ଦହିପଖାଳ: ଏହାକୁ ଦଧ୍ଯନ୍ନ ମଧ୍ୟ କୁହାଯାଏ । ଏହା ଭାତ ସଙ୍ଗେ ଦହି ମିଶାଇ ପ୍ରସ୍ତୁତ କରାଯାଏ । ରୁଚିଭେଦରେ ଏଥିରେ ଲେମ୍ବୁରସ, ଅଦାଛେଚା, କିଞ୍ଚିତ୍ ମିଠା ଦେଇ ଘିଅ ଓ ଜୀରା ବଘାରିଵାଦ୍ବାରା ଏହା ସମୟରେ ଅତି ଉପାଦେୟ ହୁଏ । ଏମନ୍ତେ କି ଦେଵତାମାନଙ୍କ ନିକଟରେ ଖେଚେଡ଼ି ସଙ୍ଗେ ଦହିପଖାଳ ଭୋଗରୂପେ ଅର୍ପିତ ହୁଏ ।
● ଦାଃ ମାଣ୍ଡି: ଓଡ଼ିଶାର ହୋ-ଭାଷୀ ପଖାଳକୁ ଦାଃ ମାଣ୍ଡି କହିଥାଆନ୍ତି ।
● ଧଣତା/ଧଣନ୍ତା: ସଜ ପଖାଳ
ସଜ ପଖାଳରେ ଆମ୍ବିଳା ତୋଡ଼ାଣି ନ ମିଶିଲେ କିମ୍ବା ଭାତ ଗରମ ଥାଉ ଥାଉ ତହିଁରେ ପାଣି ମିଶାଇ ସଙ୍ଗେ ସଙ୍ଗେ ତାକୁ ଖାଇଲେ ତାହା ଵିସ୍ବାଦ ଲାଗେ, ଏପରି ଭାତକୁ ଧଣତା ବା ଧଣନ୍ତା ଭାତ ବୋଲାଯାଏ ।
● ଧୁଆ ପଖାଳ: ଗରମ ଭାତ ଥରେ ଧୁଆ ହେଲା ପରେ ତହିଁରୁ ପୁଣି ପାଣି ପୂରାଯାଇ ପ୍ରସ୍ତୁତ ହେଵା ପଖାଳ ଭାତ ଵିଶେଷ
● ପକାଲ୍’ବ/ପକାଲ୍ ବାତ: ଡିଡାୟୀ ଭାଷୀ ପଖାଳକୁ ପକାଲ୍’ବ ଓ ପକାଲ୍ ବାତ କୁହନ୍ତି ।
● ପଖାଳି ପାପ/ପଖାଳି ଅଣ୍ଡା: ପଖାଳ ଭାତକୁ କୁଭିଭାଷୀ ପଖାଳି ପାପ ଓ ପଖାଳି ଅଣ୍ଡା କହିଥାଆନ୍ତି ।
● ପାହାନ୍ତି ପଖାଳ: ପାହାନ୍ତା ସମୟରେ ଖିଆଯିଵା ପଖାଳ
● ପେଜ: ପଶ୍ଚିମ ଓଡ଼ିଶାରେ ପଖାଳ ଅର୍ଥରେ ପେଜ ଶବ୍ଦ ପ୍ରୟୋଗ ହୋଇଥାଏ ।
● ପେଜ ଭାତ: ପଖାଳ ଭାତ (କଳାହାଣ୍ଡି)
● ଫସକା: ସଜ ପଖାଳ
● ବାସ ପଖାଳ: ଲେମ୍ବୁ ଵା ଟଭା ପତ୍ର ଆଦି ଦିଆଯିଵା ସୁଵାସିତ ହୋଇଥିଵା ପଖାଳ ଵିଶେଷ
● ବାସି ପଖାଳ: ଏକ ବା ଏକାଧିକ ଦିନ ପୂର୍ଵରୁ ରନ୍ଧାହୋଇ ପଖାଳ ଯାଇଥିବା ଭାତକୁ ବାସି ପଖାଳ କୁହାଯାଏ। ଯେଉଁ ଦିନ ଭାତ ରନ୍ଧାହୋଇଥାଏ ସେହି ଦିନ କରାଯିଵା ପଖାଳକୁ ସଜ ପଖାଳ ବୋଲାଯାଏ ଓ ସଜ ପଖାଳ ଏକ ଦିନରୁ ଅଧିକ ରହିଗଲେ ତାକୁ ବାସି ପଖାଳ ବୋଲାଯାଏ । କେଉଁଠି କେଉଁଠି ତିନିଦିନର ବାସିପଖାଳକୁ କାଞ୍ଜିପଖାଳ ମଧ୍ୟ କୁହନ୍ତି ।
●ସଜ ପଖାଳ: ରନ୍ଧା ଯାଇଥିଵା ଭାତରେ ପାଣି ସାଙ୍ଗେ ସାଙ୍ଗେ ମିଶାଯାଇ ପ୍ରସ୍ତୁତ କରାଯିଵା ପଖାଳ । ତବତ ଭାତରେ ପାଣି ମିଶାଇଲେ ‘ପଖାଳ’ ହୁଏ । ଆଜି ପଖଳା ହୋଇଥିବା ଭାତକୁ ‘ସଜପଖାଳ’ କହନ୍ତି। ସଜପଖାଳ ଏକ ଦିନରୁ ବେଶି ରହିଗଲେ ତାକୁ ‘ବାସିପଖାଳ’ ବା ‘ଆମ୍ବିଳି ପଖାଳ’ କହନ୍ତି। ବାସି ପଖାଳର ସ୍ବାଦ ଖଟ୍ଟା ହୁଏ ଓ ତହିଁର ତୋଡ଼ାଣି ମଧ୍ୟ ଖଟ୍ଟା ଲାଗେ। ବାସି ତୋରାଣି ବହୁ ଦିନ ରହିଲେ ତାହା କାଞ୍ଜି ପାଣି ହୁଏ। କାଞ୍ଜି ପାଣିରେ ମୂଳା ଆଦି ଦେଇ ସିଝାଇଲେ ତାହା କାଞ୍ଜି ହୁଏ।
● ସରୁ ପଖାଳ: ସରୁ ଚାଉଳର ଅନ୍ନର ପଖାଳ
● ସିତା: ପଖାଳ ଭାତ; ବଲାଙ୍ଗୀର ଅଞ୍ଚଳରେ ପଖାଳକୁ ସିତା କୁହାଯାଏ ।
~ ପଖାଳକୁ ନେଇ ପ୍ରଚଳିତ ଓଡ଼ିଆ ଢଗ ~
■ଯେ ତବତ ଖାଇଛି ସେ ପଖାଳ ଖାଉ,
ଯେ କିଛି ନ ଖାଇଛି ସେ ଗାଧୋଇ ଯାଉ■
■ପଖାଳ ଭାତରେ ଘି !
ତୋର ବାପ ଖାଇଥିଲା କି ?■
■ଆରେ ଚଇତା !
ତବତ ଖାଇବୁ କି ପଖାଳ ଖାଇବୁ ବେଳ ଥାଉଁ ଥାଉଁ କହିଥା■
■ସକାଳ ଗାଧୁଆ ପଖାଳ ଖିଆ, ଦିହରେ ଯେବେ ଯାଏ■
■ସେକାଳ ପଖାଳ ଆଉ ନାହିଁ■
■ଜୁଡେ ମାଇଝିର୍ ଘଏତା,
ବାସି ଖାଏବୁ କି ତପ୍ ଲା ଖାଏବୁ ଦିନ୍ ଥାଉ ଥାଉ କହିଥା■
■ଦୁଇ ମାଇପର ଘଇତା
ତବତ ଖାଇବୁ କି ପଖାଳ ଖାଇବୁ ଦିନ ଥାଉ ଥାଉ କହିଥା■
■ଦି ମାଇପର ଘଇତା
ପତର ପକେଇ ବଇଥା■
ଚିତ୍ର ସୌଜନ୍ଯ: ସୁରେଶ ଖୁଣ୍ଟିଆ ଓ ସାମାଜିକ ଗଣମାଧ୍ୟମ
© ଶବ୍ଦଭେଦ