ନିତ୍ୟାନନ୍ଦ ଶତପଥୀ 

ଲେଖା ଅମ୍ରିତେଶ ଖଟୁଆ
୧୯୬୪ ମସିହାରେ ପୁରୀର ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ ହଲ୍’ରେ ନିଖିଳ ଉତ୍କଳ ଯୁବ ଲେଖକ ସମ୍ମିଳନୀ। ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥାଏ, ପ୍ରଫେସର ଓ ସାଥିରେ ଧର୍ମପତ୍ନୀ ମଧ୍ୟ ଆସିଥାଆନ୍ତି। ଏହାର ମୁଖ୍ୟ ଆୟୋଜକ ଥାଆନ୍ତି ଆଡଭୋକେଟ୍ କୈଳାସ ଲେଙ୍କା, ସାମ୍ବାଦିକ ପ୍ରଫୁଲ୍ଲ ପଟ୍ଟନାୟକ, ବ୍ରଜନାଥ ରଥ ତଥା ଆଡଭୋକେଟ୍ ଗୁରୁ ମହାନ୍ତି। ପ୍ରଫେସର ମହୋଦୟ ଓ ଧର୍ମପତ୍ନୀ କବିତା ପାଠ ନିମନ୍ତେ ଆସିଥିଲେ। ସେ ସମୟରେ ତାଙ୍କର ତନ୍ମୟ କବିତା ଲେଖନୀରେ, ପୁରୀ ସମ୍ମିଳନୀର ଫଟୋ ତାଙ୍କୁ ବାରମ୍ବାର ଦେଖାନ୍ତି ବିଶିଷ୍ଟ ହରିହର ମିଶ୍ରବ୍ରଜନାଥ ରଥ
ସମ୍ମିଳନୀ ଉପଲକ୍ଷେ ‘Souvenir’ ପତ୍ରିକାରେ ପ୍ରବନ୍ଧ ପ୍ରକାଶ କରେଇବା ପାଇଁ ମନରେ ଦ୍ବନ୍ଦ୍ବ। ପ୍ରଫେସରଙ୍କ ଇଚ୍ଛା ପ୍ରବନ୍ଧ ସହ କିଛି ସମାଲୋଚନା ସାହିତ୍ୟ ନିମନ୍ତେ ଅଭିନିବେଶ କରନ୍ତେ। ପ୍ରଫେସରଙ୍କ ଭୟ – ଗୋଟିଏ ଘରେ ଦୁଇଜଣ କବିତା ଲେଖିଲେ ହାଣ୍ଡି ମାଙ୍କଡ଼ଚିତ୍ ମାରିପାରେ। ବନ୍ଧୁ କୈଳାସ ଲେଙ୍କା କହିଲେ ପ୍ରଫେସରଙ୍କ କବିତା ମେଟାଫିଜିକାଲ୍ କବିତା (Metaphysical Poem), ସେଥିପାଇଁ କଳ୍ପରୂପର କବିତାକୁ ମଧ୍ୟ ଆଗେଇ ନେବା ପାଇଁ କହନ୍ତି !
ସେତେବେଳେ ଯୁବମେଳାରେ ଗୋଟିଏ ପ୍ରବନ୍ଧ ଲେଖିଲେ। ଶୀର୍ଷକ – “କ୍ଲାନ୍ତି ନା କ୍ରାନ୍ତି” ! ଏହା ଅତିମାତ୍ରାରେ ସାଧୁବାଚ୍ୟ ହୋଇ ଜନମାନସରେ ଚଞ୍ଚଳ ଚଞ୍ଚଳ ଆଦୃତ ହୋଇ ଉଠିଲା। ଏହା ପରବର୍ତ୍ତୀ ସମୟରେ ବି.ଏ. ଶ୍ରେଣୀର ଏମ୍.ଆଇ.ଏଲ୍. ପୁସ୍ତକରେ ମୁଦ୍ରିତ ହୋଇ ପାଠ୍ୟକ୍ରମରେ ସନ୍ନିବେଶିତ ହୁଏ। ପ୍ରଫେସର କହିଥିଲେ ଯେ ଏ ପ୍ରବନ୍ଧ ଯେତିକି ଆଦୃତି ଓ ପ୍ରଶସ୍ତି ଲଭିଥିଲା, ତା’ ଆଗରେ ସମସ୍ତ ପୁରସ୍କାର ଫିକା ପଡିଯାଏ। ସେଥିରୁ କତିପୟ ଥିଲା – ” … ହେ ମୋର ଦେଶର ଅଗଣିତ ଉଦ୍ଦାମ ଯୁବ ଓ ଛାତ୍ରଶକ୍ତି, ନିଜକୁ ଉପଲବ୍ଧି କର। ସତ୍ଯକୁ ଆବିଷ୍କାର କର। ଯୁକ୍ତିକୁ ସାବ୍ୟସ୍ତ କର। କ୍ରାନ୍ତି, କ୍ରାନ୍ତି ହିଁ ହେଉ ତୁମର ମନ୍ତ୍ର ; ଅବସନ୍ନତା ବା କ୍ଲାନ୍ତି ନୁହେଁ। ମିଥ୍ୟାଚାର ଓ ପରାଜୟ ନୁହେଁ। ତୁମ ଦୁର୍ବାର ଜୟଯାତ୍ରାର ଶୋଣିତ ବାର୍ତ୍ତା ଆଗାମୀ ଭାରତ ଲେଖି ରଖିବ ଓ ଆହୁରି ଅନେକଙ୍କୁ ଭାରତ ଜନନୀ ଜନ୍ମ ଦେବ। ସେମାନେ ମଧ୍ୟ ତୁମକୁ ଅତିକ୍ରମ କରିଯିବାକୁ ଚେଷ୍ଟା କରିବେ। ତୁମେ ସ୍ଵାଗତ କରିବ। ଏ କଥା ଯେପରି ଭୁଲି ନ ଯାଅ ଯେ, ତୁମେମାନେ ଗୋଟିଏ ଗୋଟିଏ ପ୍ରଦୀପ୍ତ ମଶାଲ୍, ଆଗ୍ନେୟ ବିଶ୍ଵାସ, ଜ୍ଵଳମାନ ଉଲକାପିଣ୍ଡ।”
ସଚ୍ଚି ରାଉତରାୟଙ୍କ ଏହି ଧାଡି ତାଙ୍କର ପାଥେୟ –
“ମୋ ଜୀବନ ଗନ୍ତାଘରୁ କଡାକ୍ରାନ୍ତି ଯାହା ହେଲା ବ୍ୟୟ।
ଦେବା ଟା ହିଁ ସତ୍ଯ ଏକା ଧନ୍ୟ ହୁଏ ତା’ ଯୋଗୁଁ ସଞ୍ଚୟ।”
(“କଡାକ୍ରାନ୍ତି” = ଉଦ୍ଦିଷ୍ଟ ଦୁଇଟି ପରିମାପକ ଅଟନ୍ତି । “କଡା” ହେଉଛି ଗଣ୍ଡାଏର ଚାରିଭାଗରୁ ଏକ ଭାଗ ଏବଂ “କ୍ରାନ୍ତି” ଗୋଟିଏ କଡାର ଏକ ତୃତୀୟାଂଶ।)
ପ୍ରଫେସରଙ୍କ ଗ୍ରାମ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅନ୍ତର୍ଗତ ପୀତାମ୍ବରପୁର ଶାସନ। ଇତିହାସରୁ ଜଣାଯାଏ, କୁଜଙ୍ଗର ଜନୈକ ରାଜା ପୀତାମ୍ଵର ଷଣ୍ଢ ତାଙ୍କରି ନାମରେ ବସେଇଥିଲେ। ବ୍ରିଟିଶ ଶାସନ ସମୟରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଇଷ୍ଟେଟ୍ ଏହାକୁ ନିଲାମରେ କିଣିନେଇଥିଲେ। ସେତେବେଳେ ତାଙ୍କ ଗ୍ରାମର ରାଜସ୍ୱ ବା ରେଭେନ୍ୟୁ ନାମ ହେଇଯାଇଥିଲା ‘ଗରେଇ ଶାସନ’। ସେ ସମୟରେ ନିକଟବର୍ତ୍ତୀ ଗୋଟିଏ ଗ୍ରାମର ନାମ ମଧ୍ୟ ଗରେଇ ଥିଲା।
ଏହି ‘ପ୍ରଫେସର’ ଥିଲେ ନିତ୍ୟାନନ୍ଦ ଶତପଥୀ। ପିତାଙ୍କ ନାମ ବିଦ୍ୟାଧର ଶତପଥୀ ଏବଂ ମାତା ଥିଲେ ଦୁର୍ଗାଦେବୀ। ଜନ୍ମ ତାଙ୍କର ୧୯୩୭ ମସିହା ଅକ୍ଟୋବର ମାସ ୨୫ ତାରିଖରେ। ଅଶିଣ ପୂନେଇଁ। ତାଙ୍କ ଗ୍ରାମରେ ଥିଲେ ପ୍ରତିଷ୍ଠାସମ୍ପନ୍ନ କୃଷକ ମାନେ। ସେତେବେଳେ ତାଙ୍କ ଗ୍ରାମର ସମସ୍ତ ସଦସ୍ୟ ପରସ୍ପର ମଧ୍ୟରେ ଭ୍ରାତୃତ୍ଵ ସଂହତ କରି ପାଳୁଥିଲେ। ତାଙ୍କର ଭାଇ ଥିଲେ ସଚ୍ଚିଦାନନ୍ଦ ଶତପଥୀ ଏବଂ ଦାମୋଦର ଶତପଥୀ।  ସାନଭାଇ ଗୌରହରି ଓ ରବି ତଥା ଭଗିନୀ ଭାନୁ ଓ ବନଲତା!
ପ୍ରଫେସର ନିତ୍ୟାନନ୍ଦ ଶତପଥୀ ମହୋଦୟ ଛୋଟ ବେଳେ ତାଙ୍କ ଗରେଇ ଶାସନର ମାଧ କକା ତାଙ୍କୁ କାନ୍ଧରେ ବସାଇ ଅଥବା ନାଉ କରି ନେଇ ବଜାରରେ ବୁଲାନ୍ତି। ଅହର୍ନିଶ ପୁଣି ସମସ୍ତେ ଦେଖନ୍ତି ରାମଲୀଳା। ଗ୍ରାମ ମହାଦେବ ମନ୍ଦିର ଆମ୍ବଗଛ ମୂଳେ ହେବା ପରେ ଭଅଁରପୁର ନାମକ ଗ୍ରାମରେ ଅନୁଷ୍ଠିତ ହୁଏ। ସେଠି ପ୍ରଫେସରଙ୍କ ସହ ତାଙ୍କ ମୈତ୍ର ମାନେ ଲଢିବା ହୁଅନ୍ତି ବସିବା ଥାନଟେ ସଞ୍ଚି ରଖିବା ପାଇଁ ! ରାତି ହେଇଗଲେ ସପ ମଶିଣା ପକେଇ ଶୋଇ ପଡୁଥାଆନ୍ତି ଆଉ କକେଇ କାଖେଇ ଆଣୁଥିଲେ !
ପାଞ୍ଚ ବର୍ଷ ହେଲା ବେଳକୁ ସିଏ ଗାଁ ସ୍କୁଲ ପାଇଁ ଯିବାକୁ ହୁଅନ୍ତି। ତାଙ୍କ ଏକମାତ୍ର ଶିକ୍ଷକ ଥିଲେ ଗ୍ରାମର ବ୍ରଜବନ୍ଧୁ ବିଶ୍ଵାଳ! ବିଳମ୍ବ ଅନ୍ତେ ପୁଅ ମାନେ ବେତ ତାଡନାରୁ ଛାଡ୍ ପାଉନଥିଲେ ! କାହା ନାକରୁ ସିଂହାଣି ବୋହିଗଲେ ବି ଦି’ ହାତରେ ଦି’ କାନକୁ ଧରି ଠିଆ ହେବାଟା ଥୟ, ନହେଲେ ଏକ ଗୋଡିକିଆ ଠିଆ ହେବାଟା ହୁଅନ୍ତା ପରବର୍ତ୍ତୀ କାର୍ଯ୍ୟର ଫଳଶ୍ରୁତି ! 
ପଣିକିଆ, ମିଶାଣ-ଫେଡାଣ, ହରଣ ଓ ଗୁଣନ, ବର୍ଣ୍ଣବୋଧରେ ତାଙ୍କ ଶିକ୍ଷାର ଲଗ୍ନ ! ସେତେବେଳେ ତୃତୀୟ ଶ୍ରେଣୀ ପାର୍ ହେଇ ସାରିଥିଲା ବେଳେ ତାଙ୍କର ବୃତ୍ତି ପରୀକ୍ଷା ଆଗତପ୍ରାୟ ! ବ୍ରଜସାର୍ କହିଥାଆନ୍ତି , “ତୁ ମନ ଦେଇ ପାଠ ପଢ଼ ; ବୃତ୍ତି ପରୀକ୍ଷାକୁ ରାହାମା ଯିବୁ”। ପ୍ରଫେସର ହାପ୍ ପ୍ୟାଣ୍ଟ ଓ ଏକମାତ୍ର ସଫାସାର୍ଟ ପିନ୍ଧି ସେଠା ପାଇଁ ଚଳିଲେ, ହେଲେ ପହଞ୍ଚିଲା ବେଳକୁ ଭୟରେ ପିଳେହି ପାଣି ! ହେଲେ, ବୃତ୍ତିରେ ଯୋଗ୍ୟ ନ ହେବାରୁ ତାଙ୍କ ବର୍ଷଟିଏ ଦୁର୍ଯୋଗ ସହିବାକୁ ପଡିଥିଲା !
୧୯୫୫ ମସିହାରେ ତାଙ୍କର ମାଟ୍ରିକ ପରୀକ୍ଷା। ଉତ୍କଳ ବିଶ୍ଵବିଦ୍ୟାଳୟ ପାଇଁ ଏହି ପରୀକ୍ଷା ନିୟନ୍ତ୍ରଣ କରିବା ଥିଲା ଶେଷ ବର୍ଷ। ତା’ ପରବର୍ଷ ବୋର୍ଡ ଏହି ଦାୟିତ୍ୱ ଗ୍ରହଣ କରିଲା। ସେତେବେଳେ ପ୍ରଫେସରଙ୍କ କଟକ ଅବସ୍ଥାନ। ସେତେବେଳେ ‘ସମାଜ’ ଖବରକାଗଜରେ ପ୍ରକାଶ ପାଇଥିଲା ଯେ ୨୨୫ ଜଣ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଫେସର ୪୮୩ ରଖି ସମଗ୍ର ରାଜ୍ୟସ୍ତରରେ ତୃତୀୟ ସ୍ଥାନ ଲଭିଥିଲେ !
ଏହା ପରେ ରେଭେନ୍ସାରେ ତାଙ୍କର ଅଧ୍ୟୟନ ଆଗେଇ ଚାଲିଲା ! ସେତେବେଳେ ଅବଶ୍ୟ ଜୋର୍ ସୋର୍ ପାଠପଢା ଆଗେଇ ଚାଲିଲା ବେଳେ ସେହି ବର୍ଷ କଟକରେ ପ୍ରବଳ ବନ୍ୟା ! ସେହି ପୂର୍ବରାତ୍ରିର ନାନା ବନ୍ଧ ଭାଙ୍ଗିଯିବାରୁ ସମସ୍ତେ ରାତ୍ରି କାଳ ବସ୍ତା ପକେଇ ସାବଧାନ ଥାଆନ୍ତି ! ବନ୍ୟା ପରେ ପ୍ରଫେସର ମୈତ୍ରମାନଙ୍କ ସମେତ ଖାଦ୍ୟ ଆଦି ସମସ୍ତ ବଣ୍ଟନ ଅଭିପ୍ରାୟରେ ବିଭିନ୍ନ ଆଡେ ଯାଇଥିଲେ।
୧୯୫୮ ମସିହାରେ ଆଇ.ଏସ୍.ସି ପରୀକ୍ଷା ପରେ ‘ଆସନ୍ତାକାଲି’ ପତ୍ରିକା ପାଇଁ ପ୍ରଥମ କରି ସେ କବିତା ଦେଇଥିଲେ। ଏହା ପରେ ବି.ଏ. ଅନର୍ସ ପରୀକ୍ଷାରେ ପ୍ରଥମ ଶ୍ରେଣୀ ନ ପାଇ ମଧ୍ୟ ସିଏ ସେ ସମୟରେ ମଧୁସୂଦନ ସ୍ଵର୍ଣ୍ଣ ପଦକ ପାଇପାରିଥିଲେ – ସେତେବେଳେ ବିସ୍ମୟର ପଟାନ୍ତର ନାହିଁ ! ୧୯୬୦ ମସିହାରେ ଓଡ଼ିଆ ଭାଷାରେ ଏମ୍.ଏ ପାଇଁ ନାମ ଲେଖାଇ ସେ ଅନେକ ବରେଣ୍ୟ ବ୍ୟକ୍ତିତ୍ଵଙ୍କ ସଂସ୍ପର୍ଶରେ ଆସିଥିଲେ – ଡ. କୁଞ୍ଜବିହାରୀ ତ୍ରିପାଠୀ, ଅଧ୍ୟାପକ ଜୟକୃଷ୍ଣ ମିଶ୍ର (ଅନ୍ୟତମ ପ୍ରସିଦ୍ଧ ‘ଅଂଶୁପା’ କାବ୍ଯର କବି ), ଡ. କାହ୍ନୁଚରଣ ମିଶ୍ର, ଗୋପାଳ ଚନ୍ଦ୍ର ମିଶ୍ର, ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ), ଡ. ଶ୍ରୀନିବାସ ମିଶ୍ର, ଶ୍ରୀ ଚିନ୍ତାମଣି ବେହେରା। ସେତେବେଳେ ଭାଷାତତ୍ତ୍ଵରେ ପ୍ରବୀଣ ସାଧକ ଥିଲେ ଗୋଲୋକବିହାରୀ ଧଳ ଓ ଆଧୁନିକ କବିତାର ଅଧ୍ୟାପନା ନ୍ୟସ୍ତ ଥିଲେ ଚିନ୍ତାମଣି ବେହେରା।
ସେହି ସମୟରେ ଅନେକ କବିତା ଲେଖୁଥିଲେ। ୧୯୬୨ ମସିହାରେ ମଧ୍ୟ ଗୋଟିଏ ବିଷୁବ ମିଳନ ପାଇଁ ‘ଦୁଇଧାର’ ଶୀର୍ଷକ କବିତା ଲେଖିଥିଲେ। ସେହି ବର୍ଷ ଜୁନ୍ ୨୪ ତାରିଖରେ ତାଙ୍କ ଶୁଭ ପରିଣୟ ପାଇଁ ତାରିଖ ନିର୍ଘଣ୍ଟ ହେଇସାରିଥାଏ। ଏବଂ, ଦୁହିଁଙ୍କ – ପ୍ରତିଭା ଶତପଥୀ ଏବଂ ପ୍ରଫେସରଙ୍କ ପ୍ରଥମ ଯୁଗଳବନ୍ଦୀ କବିତାସ୍ତବକ ‘ଆମ କବିତା’ ‘ଡଗର’ ଦ୍ଵାରା ପ୍ରକାଶ ପାଇଥିଲା। ସେତେବେଳେ ଜୁଲାଇ ମାସରେ ଏମ୍.ଏ ଫଳାଫଳ ପ୍ରକାଶ ପାଇଲା ପ୍ରଫେସର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।
୧୯୬୨ ମସିହା ଜାନୁୟାରୀ ୧୪ ତାରିଖ । ସଂକ୍ରାନ୍ତି ପୁରୁଷ ଫକୀରମୋହନଙ୍କ ଜନ୍ମଜୟନ୍ତୀ। ସେତେବେଳେ ଫକୀରମୋହନ କଲେଜରେ ସଭାର ପ୍ରତିନିଧିତ୍ଵ କରୁଥିଲେ ପ୍ରଫେସର ଓ ତାଙ୍କ ସହଯୋଗୀ ଗଣେଶ୍ଵର ମିଶ୍ର। ଫକୀରମୋହନଙ୍କ ଶାନ୍ତିକାନନର ପରିଦର୍ଶନ କରି ଯେଉଁ ମର୍ମାନ୍ତିକ ଦୃଶ୍ୟ, ଦେଖିଲେ ତାହା ତାଙ୍କୁ ପ୍ରଭାବିତ କରିଥିଲା – ନିଜ ଜୀବଦ୍ଦଶାରେ ଫକୀରମୋହନ ଗଢିଥିବା ପୂର୍ଣ୍ଣାବୟବ ମୂର୍ତ୍ତିଟି ପରିତ୍ୟକ୍ତ ! ଆଉ ସେଠାରେ ଜନ୍ମ ନେଲା ‘ପୂଜ୍ୟପୂଜା ସଂସଦ’ଡ. କୁଞ୍ଜବିହାରୀ ଦାଶ ସଭାପତିତ୍ଵ ଗ୍ରହଣ କରିବା ସହ ପ୍ରଫେସର ନିତ୍ୟାନନ୍ଦ ଶତପଥୀ ମହୋଦୟ ସଂପାଦକ ହୋଇଥିଲେ।
ଏହା ପରେ ଗୋପବନ୍ଧୁ, ନୀଳକଣ୍ଠଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ସେଠାରେ ଏହାର ମଧ୍ୟ ସଭା ଆୟୋଜିତ ହୋଇଥିଲା। ତତ୍କାଳୀନ ଆଇ.ଏ.ଏସ୍ ତଥା ସଂସ୍କୃତି ବିଭାଗର ଡାଇରେକ୍ଟର୍ ବିମଳ କିଶୋର ମିଶ୍ର ବକ୍ତୃତାବାଜି ଅପେକ୍ଷା ସ୍ଥାୟୀ କାର୍ଯ୍ୟକୁ ପ୍ରୋତ୍ସାହନ ଦେଲେ। ସେଥିରୁ ଜନ୍ମ ନେଲା ‘ମଧୁ ସ୍ମରଣିକା’, ‘ଗୋପବନ୍ଧୁ ପରିକ୍ରମା’, ‘ନୀଳକଣ୍ଠ ପରିକ୍ରମା’, ‘ଆଚାର୍ଯ୍ୟ ପରିକ୍ରମା’, ‘ଗୋଦାବରୀଶ ପରିକ୍ରମା’, ‘ଗଜପତି ପରିକ୍ରମା’, ‘ଅତିବଡୀ ପରିକ୍ରମା’, ‘ମାନସିଂହ ପରିକ୍ରମା’, ‘ବୈକୁଣ୍ଠ ପରିକ୍ରମା’, ‘ଉତ୍କଳମଣି ଶତବାର୍ଷିକ ପରିକ୍ରମା’, ‘ପ୍ରହରାଜ ପରିକ୍ରମା’ ପରି କେତୋଟି ପୂଜ୍ଯମାନଙ୍କ ଉପରେ ଦୁର୍ମୂଲ୍ଯ ଗ୍ରନ୍ଥ ସମଗ୍ର।
୧୯୬୨ ମସିହାରେ ସେ ରେଭେନ୍ସା ନୈଶ ମହାବିଦ୍ୟାଳୟରେ ପ୍ରଥମ କରି ଅଧ୍ୟାପନା ନିମନ୍ତେ ଯୋଗ ଦେଇଥିଲେ। ଏହା ପରେ ୧୯୬୯ ମସିହାରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗରେ ଦୀର୍ଘ ଚାଳିଶ ବର୍ଷ ଅଧ୍ୟାପନା କରି ନାନାବିଧ ଗବେଷଣା ପୁସ୍ତକ ଓ ବହୁ ପତ୍ରପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ। ତାଙ୍କର ବାଗ୍ମିତା ସେତେବେଳେ ଓଜସ୍ଵୀ ଥିଲା। ଅନର୍ସରେ ପଢାଇଲା ବେଳେ ନିତ୍ୟାନନ୍ଦ ଶତପଥୀ କବିବର ରାଧାନାଥ ରାୟଙ୍କ ‘ଚିଲିକା’‘ମହାଯାତ୍ରା’ କାବ୍ଯ ପଢାଇ ତଲ୍ଲୀନ ହୋଇପଡୁଥିଲେ। 
୧୯୭୯ ମସିହାରେ ତାଙ୍କର ‘ସବୁଜରୁ ସାମ୍ପ୍ରତିକ’ ଗବେଷଣା ପୁସ୍ତକ ପ୍ରକାଶ ପାଇଥିଲା। ଏଥିରେ ସନ୍ନିହିତ ୧୯୨୦ ପରବର୍ତ୍ତୀ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ବିଶ୍ଳେଷଣଗତ ଅବିସମ୍ବାଦିତ ଚର୍ଚ୍ଚା। ଉତ୍କଳ ବିଶ୍ଵବିଦ୍ୟାଳୟର ସତ୍ୟବାଦୀ ଚେୟାର ପ୍ରତିଷ୍ଠା ହେବା ପରେ ସେ ସେହି ପଦରେ ପ୍ରଫେସର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ‘ଇସ୍ତାହାର’ ପତ୍ରିକାର ନିତ୍ୟାନନ୍ଦ ଶତପଥୀ ଥିଲେ ପ୍ରତିଷ୍ଠାତା-ସମ୍ପାଦକ। ଉଭୟ ସର୍ଜନାତ୍ମକ ଓ ଆଧୁନିକ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଏକ ବୈପ୍ଳବିକ ମୋଡ଼ ଥିଲା।
୧୯୭୯ ମସିହାରେ ତାଙ୍କରି ଉଦ୍ୟମ ଫଳରେ ଶିଳ୍ପପତି ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କ ଇମ୍ଫା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ‘ଶାରଳା ପୁରସ୍କାର’ ପ୍ରତିଷ୍ଠା ଦ୍ଵାରା ଅନେକ କୃତୀ ସାଧକଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଉଥିଲା। ୧୯୮୫ ମସିହାରେ ସମ୍ଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ‘ସାମ୍ପ୍ରତିକ’ ପ୍ରତିଷ୍ଠା କରି ବାଙ୍ଗାଲୋର ଓ ଦିଲ୍ଲୀ ଠାରେ ଦୁଇଟି ଦ୍ଵିଭାଷିକ ପାଠ୍ୟଚକ୍ରର ଆୟୋଜନ କରିଥିଲେ।
ଆଧୁନିକ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଜଣେ ପ୍ରବୀଣ ଓ ଯୁଗଧର୍ମୀ ସାଧକ ଥିଲେ ପ୍ରଫେସର ନିତ୍ୟାନନ୍ଦ ଶତପଥୀ। ‘କବିତା ଯୁଗେ ଯୁଗେ’ (୧୯୭୬), ‘ପ୍ରମୁଖ କବି କତିପୟ’ (୧୯୮୪), “କାବ୍ୟ ପ୍ରକରଣ’ (୧୯୯୧), ‘ସାରଳାରୁ ସମ୍ପ୍ରତି’ (୧୯୯୪) ତଥା ‘ଏବଂ ସତୁରୀରୁ ସହସ୍ରାବ୍ଦୀ’ ଗ୍ରନ୍ଥ ଗୁଡିକ ଏହାର ନିଦର୍ଶନ। ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନୀକୁ ଆଧାର କରି ‘ହେ ସାଥି ହେ ସାରଥୀ!’‘ଅନିକେତ’ ଉପନ୍ୟାସ ତାଙ୍କର ଅନବଦ୍ୟ ରଚନା। 
ତାଙ୍କର ଆତ୍ମଜୀବନୀ ହେଉଛି ‘ଶୈଶବରୁ ଅବସର’। ନିରଳସ ଜୀବନଶିଳ୍ପୀ ତଥା ଓଡ଼ିଆ ଭାଷା ଓ ସାହିତ୍ୟ ଜଗତରେ ପୂଜ୍ୟପୂଜା ପରମ୍ପରାର ଆରମ୍ଭ ପରି ଆତ୍ମପ୍ରତ୍ୟୟସିଦ୍ଧ କାର୍ଯ୍ୟରେ ନ୍ୟସ୍ତ ରହି ନିତ୍ୟାନନ୍ଦ ଶତପଥୀ ଅଗଣ୍ୟ ସାଧକଙ୍କ ପରି ଅଦ୍ଵିତୀୟ ହୋଇଛନ୍ତି। ୨୦୨୦ ମସିହା ଜୁନ ୩ ତାରିଖରେ ନିତ୍ୟାନନ୍ଦ ଶତପଥୀ ପରଲୋକ ଗମନ କରିଛନ୍ତି I 
#ସ୍ମରଣୀୟ : ନିତ୍ୟାନନ୍ଦ ଶତପଥୀ 

Leave a Comment

Your email address will not be published. Required fields are marked *

Scroll to Top