ନିତ୍ୟାନନ୍ଦ ମହାପାତ୍ର

ଲେଖା: ଅମ୍ରିତେଶ ଖଟୁଆ
ଓଡ଼ିଶାର ସ୍ଵାଧୀନତା ସଂଗ୍ରାମ ପର୍ଯ୍ୟାୟ ସହ ଏହାର ସାମାଜିକ ଓ ସାହିତ୍ୟିକ ପଟ୍ଟଭୂମିରେ ଜଣେ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦ ମହାପାତ୍ର। ସାହିତ୍ୟର କର୍ଣ୍ଣଧାର ଯେ ତାଙ୍କ ଲେଖନୀ, ତାଙ୍କ ‘ହିଡ଼ମାଟି’ର ଦେହକୁ ଫୁଟାଇଥିବା କଳିକା ଯେ ତାଙ୍କ ଏକମାତ୍ର ଲେଖନୀ, ତାହା ପାଇଁ ସେ କହିଛନ୍ତି, “ମୋର ଅପହୃତ ଚିତ୍ତକୁ ଆପଣାର କରିବାରେ, ଦୁ଼ଃଖରେ, ସୁଖରେ, ରାଗରେ, ଅହଙ୍କାରରେ, ଶାନ୍ତିରେ, ଶୃଙ୍ଗାରରେ ଏଇ ଲେଖନୀ ଛଡ଼ା ଏକାନ୍ତ ସହାୟକ ବନ୍ଧୁ ମୋର ଆଉ କେହି ନାହିଁ। ନିଃସଙ୍ଗ ଜୀବନର ସେଇ ମୋର ଏକମାତ୍ର ଭରସା। ସେଇ ମୋର ସାଧନାର ସାକ୍ଷୀ।” 
୧୭ ଜୁନ୍, ପବିତ୍ର ରଥଯାତ୍ରା ଦିନ କାନ୍ତକବି ଲକ୍ଷ୍ମୀକାନ୍ତ ଓ ଲବଙ୍ଗଲତା ଦେବୀଙ୍କ ଜ୍ୟେଷ୍ଠପୁତ୍ର ରୂପେ ନିତ୍ୟାନନ୍ଦ ଭଦ୍ରକର ନୂଆବଜାରସ୍ଥିତ ତାଳପଦା ଠାରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ଜୀବନଚର୍ଯ୍ୟାର ଜଣେ ଏକନିଷ୍ଠ ଅନୁଗାମୀ ଥିଲେ। ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ଡାକରାରେ ଲବଣ ସତ୍ୟାଗ୍ରହରେ ୧୯୩୦ରେ ଯୋଗ ଦେଇ କାରାବରଣ କରିଲେ। ସେଇଠି ଆରମ୍ଭ ହୁଏ ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଆଦ୍ୟତନ ଶକ୍ତିପରିଚୟ। ପୁନଶ୍ଚ ଭାରତଛାଡ଼ ଆନ୍ଦୋଳନ ଅବଧି ଭିତରେ ସେ ତିନି ଥର କାରାବରଣ କରିଥିଲେ। ସେ ବ୍ରହ୍ମପୁର କାରାଗାରରେ ଥିବାବେଳେ ସିପିଆଇ, ଓଡ଼ିଶା ଶାଖା ପାଇଁ ଦଳର ପତାକା ଉତ୍ତୋଳନ ସଂଗୀତ ‘ଏଇ ଲାଲ ପତାକା ତଳେ’ ରଚନା କରି ବହୁଚର୍ଚ୍ଚିତ ହୋଇଥିଲେ । ସେ ଡଗରର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । 
ନିତ୍ୟାନନ୍ଦ ମହାପାତ୍ର, ଡଗର ପତ୍ରିକାରେ “ଡଗର ନିତ୍ୟାନନ୍ଦ” ଶୀର୍ଷକରେ ନିଜର ବ୍ୟଙ୍ଗଚିତ୍ର ପ୍ରକାଶକରି ନିଜ ବିଷୟରେ ଲେଖିଥିଲେ : “…. ଆପଣ ଜଣେ ବ୍ୟର୍ଥ ପ୍ରେମିକ, ବ୍ୟର୍ଥ ରାଜନୈତିକ, ବ୍ୟର୍ଥ ଲେଖକ, ବ୍ୟର୍ଥ ସାହିତ୍ୟିକ, ବ୍ୟର୍ଥ ମନୁଷ୍ୟ, ବୋଧହୁଏ ବ୍ୟର୍ଥ ପଶୁ ମଧ୍ୟ… ସାହିତ୍ୟ ଓ ରାଜନୀତି ଭିତରେ, ଧର୍ମ ଓ ପ୍ରେମ ଭିତରେ, ଧନୀ ଓ ଦରିଦ୍ର ଭିତରେ, ଜଡ଼ ଓ ଆଧ୍ୟାତ୍ମ ଭିତରେ ଦ୍ୱନ୍ଦ୍ୱ ଓ ସାଲିସ ବା ସାଲିସର ଅକ୍ଷମତା ହିଁ ଆପଣଙ୍କୁ ‘ନିତ୍ୟ ଆନନ୍ଦ’ ଦେଇଛି।”
୧୯୩୯ ମସିହାରୁ ସେ ପ୍ରତ୍ୟକ୍ଷ ରାଜନୀତିରେ ସଂପୃକ୍ତ ହୁଅନ୍ତି। ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୩୧ ମସିହାରେ ଜେଲରୁ ବାହାରିଲା ପରେ ୧୯୩୨ ମସିହାରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନେତୃତ୍ୱରେ ସେ ମେଦିନୀପୁର ଗଲେ “ଓଡନେଲ କମିଟି” ନିକଟରେ ସାକ୍ଷ୍ୟ ଦେବା ପାଇଁ। 
ମେଦିନୀପୁର କଣ୍ଟେଇ ସବଡିଭିଜନର ଓଡ଼ିଆ ଲୋକମାନଙ୍କ ସାକ୍ଷ୍ୟ ନେବାକୁ ପ୍ରୟାସ କରିଥିଲେ ନିତ୍ୟାନନ୍ଦ ମହାପାତ୍ର। ତାଙ୍କ ସହ ଥିଲେ ଯଦୁମଣି ମଙ୍ଗରାଜ ଓ ଜାତୀୟ କବି ବାଞ୍ଛାନିଧି ମହାନ୍ତି। କିନ୍ତୁ, ସିଏ ପହଞ୍ଚିଲାବେଳକୁ ଶୁଣାଯାଏ ଯେ ପ୍ରତିପକ୍ଷ ବଙ୍ଗଳାର ଲୋକଙ୍କ ଦ୍ଵାରା ଜଣେ ଓଡ଼ିଆ ଲୋକର ହତ୍ୟା ହୋଇସାରିଛି। ସମସ୍ତଙ୍କୁ ଲାଗିଲା ଯେ ନିତ୍ୟାନନ୍ଦଙ୍କ ଦେହାନ୍ତ ଘଟିଲା। କିନ୍ତୁ, ବଙ୍ଗଳୀମାନଙ୍କ ଏକ ଚକ୍ରାନ୍ତକାରୀ ଶୋଭାଯାତ୍ରାରେ ମୁସଲମାନ ବେଶ ହୋଇ ସେ ଗୋଦାବରୀଶ ମିଶ୍ରଙ୍କ ନିକଟକୁ ଚାଲିଆସନ୍ତି।  
ତାଙ୍କ ଜୀବନଯାତ୍ରାରେ ଆଞ୍ଚଳିକତାବୋଧ କଦାଚିତ୍ ଗ୍ରାସ କରିପାରିନାହିଁ, ହେଲେ ନିଜ ଦାଦା ସୀତାକାନ୍ତ ମହାପାତ୍ର ଓ ପିତା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ତ୍ୟାଗ-ତିତିକ୍ଷା ଗୁଣ ତାଙ୍କଠାରେ ଏକ ଗଭୀର ଛାପ ପକାଇଥିଲା। ବ୍ୟକ୍ତିକୈନ୍ଦ୍ରିକ ଚୈତ୍ୟ ଜଗତରେ ତାଙ୍କର ତ୍ୟାଗନିଷ୍ଠା ଓ ମାନବବାଦୀ ଗୁଣ ଅଧିକାଂଶଙ୍କୁ ବିସ୍ମିତ କରିଦିଏ।
ପ୍ରଥମ ସୃଜନଲଗ୍ନ ଆରମ୍ଭ ହୁଏ ମାତ୍ର, ସାତ ବର୍ଷ ବୟସରୁ ଯେତେବେଳେ ସିଏ ମାତୁଳାଲୟ ବାଲେଶ୍ଵର ଜିଲ୍ଲା କୁପାରୀଥାନା ଓସ୍ତପାଳ ଗାଁରେ ‘ସାବିତ୍ରୀ’ ଶୀର୍ଷକ କବିତା ଲେଖିଥିଲେ। ଏହିପରି ସେ ପରିବାରର ଉତ୍ସବାଦି ବ୍ୟସନରେ ଅନେକ କାବ୍ୟବ୍ୟଞ୍ଜନା କରୁଥିଲେ। ପିଉସୀ ଇନ୍ଦୁମତୀଙ୍କ ଉପରେ ଲେଖିଲେ – “ସ୍ରବିଛି ସରଗୁଁ ପ୍ରଫୁଲ୍ଲ ଚିତ୍ତରେ/ ସୁଧା ଇନ୍ଦୁଧାରା ମଧୁରେ ମଧୁରେ”। ଏହାର ତାଙ୍କ ବାପା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ଡ଼ଗର” ପତ୍ରିକାରେ ସିଏ ସୃଜନଶୀଳତାର ଛଟକ ଦେଖାନ୍ତି। ସଂପାଦନା ନିତ୍ଯାନନ୍ଦ ମହାପାତ୍ର କରୁଥିଲା ବେଳେ ତାଙ୍କ ସହ ମୁଦ୍ରଣ କାର୍ଯ୍ୟନ୍ୟସ୍ତ ଥିଲେ ହାସ୍ୟସମ୍ରାଟ ଫତୁରାନନ୍ଦ। ସେତେବେଳେ କଟକର ପିଠାପୁରଠାରେ ଏହାର ମୁଦ୍ରଣ କାର୍ଯ୍ୟ ଚାଲିଥାଏ। 
ଏଥିପୂର୍ବରୁ ନିତ୍ୟାନନ୍ଦ ମହାପାତ୍ର ଶଶିଭୂଷଣ ରଥଙ୍କ ଆଶା ଦୈନିକରେ ୧୫୦ ଟଙ୍କାରେ କାମ କରିଥିଲେ (୧୯୪୫ – ୪୬ ), ହେଲେ ଶିଳ୍ପପତି ମଦନଲାଲ ଯାଜୋଡିଆ କିଣି ପ୍ରକାଶ କରୁଥିବାରୁ ଅନେକ ବାର ତାଙ୍କ ସହ ମତାନ୍ତର ହେବାରୁ ସେ ସଂପାଦକ ପଦତ୍ୟାଗ କରିଥିଲେ। ଭିନ୍ନ ଭିନ୍ନ ନାମରେ ନିତ୍ୟାନନ୍ଦ ମହାପାତ୍ର ଡ଼ଗର ପତ୍ରିକାରେ (ନାରୀ ଓ ପୁରୁଷ ନିର୍ବିଶେଷରେ) ଗୋଟିଏ ଗୋଟିଏ ସଂଖ୍ୟାର ସବୁ ଲେଖାରେ ସ୍ରଷ୍ଟା ହୋଇଯାଇଥିଲେ। ସେଥିପାଇଁ ତାଙ୍କର ଲେଖନୀ ଥିଲେ ଅଜସ୍ରସ୍ରାବୀ। ମଝିରେ ମଝିରେ ଚିତ୍ରାଙ୍କନ କିମ୍ବା ଅଭିନୟ ମଧ୍ୟ ସେ କରିଛନ୍ତି। 
ସାହିତ୍ୟର ସମସ୍ତ ବିଭାଗରେ ତାଙ୍କର ଆଦର୍ଶ ସଦା ଅନୁଗୃହୀତ ଓ ଜନାଦୃତ। ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ଅନୁବାଦ ଓ ନାଟକରେ ତାଙ୍କର ସିଦ୍ଧହସ୍ତତା ସର୍ବାଦୌ ସ୍ଵୀକୃତ ମଧ୍ୟ। ତାଙ୍କର ପ୍ରଥମ ବଡ଼ ଗଳ୍ପ (କସ୍ମିନ୍ ସ୍ଥାନେ ଉପନ୍ୟାସ ମଧ୍ୟ କୁହାଯାଇଛି ) ‘ଭୁଲ୍’, ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ନବଭାରତ’ ପତ୍ରିକାରେ ୧୯୩୬ ମସିହାରେ ପ୍ରକାଶ ଲାଭ କରିଲା ପରେ ଏହା ପୁସ୍ତକ ଆକାରରେ ପ୍ରକାଶ ପାଏ। ହିଡ଼ମାଟି (୧୯୪୮), ଭଙ୍ଗାହାଡ଼ (୧୯୫୬), ଖସଡ଼ା ବାଟ (୧୯୫୨), ଜୀଅନ୍ତା ମଣିଷ, ଜୀବନର ଲକ୍ଷ୍ୟ ( ୧୯୫୫), ‘ସୁଖର ସନ୍ଧାନେ’ (୧୯୫୬), ଘରଡିହ (୧୯୮୬), ଗଳ୍ପ : ଆଖି ନାହିଁ କାନ ନାହିଁ, ଏଗାରଟା, କ୍ଷଣିକ, ଧଳାଗାର, ଇନ୍ଦ୍ର ଓ ଇନ୍ଦ୍ରାଣୀ, କଳାଗାର, ରାଜକନ୍ୟା, ମରଦ ପରୀକ୍ଷା, ଶରଦୂତ, ସ୍ବରାଜ ପାଲା, ହେ ମହାତ୍ମା, ମାଉସୀ ତଥା ଅନୁବାଦ ସାହିତ୍ୟରେ ସ୍ଵରାଜ ସଂହିତା (ଇଂରାଜୀ: ଇଣ୍ଡିଆନ ହୋମ୍ ରୁଲ୍), ମାଟିକା ପୁତୁଳା (ମାଟିର ମଣିଷ ଉପନ୍ୟାସର ହିନ୍ଦୀ ଅନୁବାଦ), ରାଜାଜୀଙ୍କ କମ୍ବନ ରାମାୟଣ, ଆତ୍ମଜୀବନୀ “ନାହଂ ତିଷ୍ଠାମି ବୈକୁଣ୍ଠେ” ଥିଲା ତାଙ୍କର ଅନବଦ୍ୟ କୃତିସମୂହ।
ନିତ୍ୟାନନ୍ଦଙ୍କ କଥାଧର୍ମୀ ଭାବଭୂମି ବୈଚିତ୍ର୍ୟ ମଣ୍ଡିତ। ପ୍ରେମିଳ ଜଗତ, ସାମନ୍ତବାଦର ପ୍ରବାହ, ରାଜନୈତିକ କ୍ଷମତାପିଷ୍ଟ ବ୍ୟକ୍ତି ଓ ସମାଜର ଯନ୍ତ୍ରଣା ଏବଂ ସର୍ବମୂଳରେ ଜୀବନରେ ଆଧ୍ୟାତ୍ମିକ ଅବବୋଧ ସହ ଏହାକୁ ଜୀବନ ବଞ୍ଚିବାର ମୌଳିକ ସଂପଦ ରୂପେ ଅବହିତ କରିଅଛନ୍ତି। ପ୍ରେମ କରେ ମଣିଷକୁ ଦେବତା, ସେଥିପାଇଁ ବୋଧେ ପ୍ରେମର ପଥ ପିଚ୍ଛିଳ ଓ ଦୁଃସହ ହୋଇଥାଏ। ବଞ୍ଚିବାର ସଂଗ୍ରାମ ଓ ପ୍ରବଞ୍ଚନମୁକ୍ତ ଆହବର ବାର୍ତ୍ତାବହ ହେଉଛି ଜୀବନ ଧାରଣ। ଜୀବନ କ୍ଷମତାଲିପ୍ସୁ ପ୍ରତିଯୋଗିତା ଓ ଆପେ ବଞ୍ଚିବାର କଳାରୁ ବହୁ ଊର୍ଦ୍ଧ୍ଵରେ। ନିଜେ ବଞ୍ଚିବା ପାଇଁ ଅନ୍ୟକୁ ସୁଯୋଗ ଦେବା ମଧ୍ୟ ଗୋଟିଏ ଚିରନ୍ତନୀ। 
ଏହି ଆଦର୍ଶକୁ ଜୀବନରୂପୀ ଅମୃତସାଗରରେ ଆପ୍ୟାୟିତ କରି ଆଦର୍ଶୋନ୍ମୁଖ ହେଲେ ଏହା ସ୍ଵାଦିଷ୍ଟ ହୁଏ, କାରଣ ସୁଖ କେବେ ଅପହଞ୍ଚ ନୁହେଁ। ନିଜ ଗଳ୍ପ ସାମ୍ରାଜ୍ୟର ଜୀବନବାଦୀ ଜଗତ ଓ ମାନବବାଦୀ ଚେତନାର ଏକ ସଂସୃଷ୍ଟି ମଧ୍ୟରେ ସିଏ ସଂରଚନା କରିପାରିଥିଲେ ଆଶାର ବିଦ୍ୟୋତନ, ବିଦ୍ୟୋତନ ଉପରେ ଆଦର୍ଶର ପରିସ୍ଫୁଟନ। 
ରାଜକନ୍ୟା ଗଳ୍ପକୁଳରେ ରହିଛନ୍ତି ପ୍ରାୟ ବାର ଚଉଦଟି ଗଳ୍ପ। ରାଜକନ୍ୟା ବିବାହ କରିବ, ନୀଚ ଲୋକର ପାଣିଗ୍ରହଣ କରୁଁ, ନାହିଁ ସେଥିରେ ଦୋଷ, ନାହିଁ ସେଥିରେ କଳୁଷ; କେବଳ ଯାହା ଏକ ଉପର୍ଯ୍ୟୁକ୍ତ ଜୀବନକୁ ଅବବୋଧକୁ ଦିଆଯାଇଛି ଶ୍ରେୟମାନ୍ୟ। 
ହିଡ଼ମାଟି ଓ ଘରଡିହ ତାଙ୍କର ସବୁଠାରୁ ଲୋକପ୍ରିୟ ଓ ଚର୍ଚ୍ଚିତ ଉପନ୍ୟାସ। ଜ୍ଞାନପୀଠ ପୁରସ୍କାର ପାଇଁ ତାଙ୍କର ନାମ ଯାଇଥାଏ, କିନ୍ତୁ ସେ ସେଥିରୁ ବଞ୍ଚିତ ହୁଅନ୍ତି। ମାତ୍ର, ପୁରସ୍କାର ଓ ଉପାଧି ଉପରେ ତାଙ୍କ ଉପନ୍ୟାସରେ ଥିବା ମସ୍ତିଷ୍କକୁ ଆନ୍ଦୋଳିତ କରୁଥିବା ପ୍ରେରଣା ଓ ପ୍ରଭାବଶାଳୀ ଉପପାଦ୍ୟ ପଢିଲେ ମହାକାବ୍ୟର ଅନୁଭୂତି ସମାଜକୁ ଦିଏ ପୁଣି ନବଦିଗନ୍ତ। ତାଙ୍କ ଯୋଗନିଷ୍ଠ ଚିନ୍ତାଧାରା ଓ ଗାନ୍ଧୀବାଦିତାର ଅପୂର୍ବ ନିଦର୍ଶନ ଦେଇଥିବା ଉପପାଦ୍ୟର ସାରବତ୍ତାକୁ କାର୍ଯ୍ୟ ନିଃସ୍ରବିତ କରିଲେ ଗୋଟିଏ ମହନୀୟତା ନିଶ୍ଚିତ ସାର୍ଥକତା ଲାଭ କରିବ।

Leave a Comment

Your email address will not be published. Required fields are marked *

Scroll to Top