ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ

ଲେଖା: ଶିବାଶିଷ ମହାପାତ୍ର
ଜଣେ ଜମିଦାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ “ଜମି ଉଦାର” ସନ୍ଥ । କଟକର ଏକ ଅନାମଧେୟ ଭଡା ଘରେ (ଆବଶ୍ୟ ପରେ ତାହା ପରିଣତ ହୋଇଥିଲା “ସ୍ବରାଜ ଆଶ୍ରମ” ଭାବରେ) ରହୁଥିଲେ ଅବିଭକ୍ତ କଟକ ତଥା ଏବେକାର ଜଗତସିଂହପୁର ଜିଲ୍ଲାର ଖେରସ ଅଞ୍ଚଳର ଜମିଦାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ଚୌଧୁରୀ । ଏହି ଘରେ ୧୮୯୫ ମସିହା ମେ ମାସ ୮ ତାରିଖ ତାରିଖ ଜନ୍ମ ଗ୍ରହଣ କରିଥିଲେ ଗାଁ ମଫସଲ ତଥା “ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ” । 
ବାପା ଥିଲେ ଜମିଦାର ତଥା କଟକର ଜଣେ ନାମକରା ଓକିଲ, ତେଣୁ ସନ୍ଥଙ୍କ ଶିକ୍ଷା ଆରମ୍ଭ ହୋଇଥିଲା ଗ୍ରାମରୁ ଏବଂ ଶେଷ ହୋଇଥିଲା ସୁଦୂର କଲିକତା ସହରରେ । କଲିକତା ପ୍ରେସିଡେନ୍ସି କଲେଜରୁ ୧୯୧୨ ମସିହାରେ  ବି.ଏ ଏବଂ ୧୯୧୪ ମସିହାରେ ପାସ କରିଥିଲେ ଏମ୍.ଏ । ଓକିଲାତି ପଢ଼ିଲା ବେଳେ ହୋଇଥିଲା ବାପାଙ୍କ ଦେହାନ୍ତ ଏବଂ ଏହି କାରଣ ଯୋଗୁଁ ଚାଲି ଆସିଥିଲେ ଓଡ଼ିଶା, ଡୋରି ଲଗାଇ ପାଠ ପଢ଼ାରେ । ୧୯୧୭ ମସିହାରେ ବ୍ରିଟିଶ ସରକାର ଅଧିନରେ ଚାକିରୀ ଆରମ୍ଭ କଲେ କଟକରେ ଡେପୁଟି ମାଜିଷ୍ଟ୍ରେଟ ପଦରେ ।
ଏମ୍.ଏ. ପାସ କରିବା ବର୍ଷ ୧୯୧୪ ମସିହାରେ ବିବାହ କରିଥିଲେ କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଝିଆରି ତଥା ତାଙ୍କ ସାନ ଭାଇ ଗୋପାଳବଲ୍ଲଭଙ୍କ କନ୍ୟା ଶ୍ରୀମତି ରମାଦେବୀ, ଯାହାଙ୍କ ନାମରେ ମୁଣ୍ଡ ଟେକିଛି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଭୁବନେଶ୍ୱରରେ । ଚାକିରୀ କରିବାର ୪ ବର୍ଷ ବେଳକୁ ଯାଜପୁର ଜିଲ୍ଲାର ଡେପୁଟି କଲେକ୍ଟର ଥିବା ସମୟରେ ଦେଇଥିଲେ ଇସ୍ତଫା ଚାକିରୀରୁ ଏବଂ ନିଜ ତଥା ନିଜ ପରିବାର ସମେତ ଝାସ ଦେଇଥିଲେ ସ୍ବାଧୀନତା ସଂଗ୍ରାମରେ । ଚାକିରି ଛାଡିବା ଆଶ୍ଚର୍ଯ୍ୟାନିତ କରିଥିଲା ଅନେକଙ୍କୁ । ପରେ ପରେ ଏ ଦେଶ ଜାତି ପାଇଁ ତାଙ୍କ ଧର୍ମପତ୍ନୀ ରମା ଦେବୀ ପାଲଟିଗଲେ ମା’ ଏବଂ ନିଜେ ବନିଗଲେ ସନ୍ଥ । ସାନଭାଇ ସେବା କଲେ ଓଡ଼ିଶା ମାଟିର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବରେ । 
୧୯୨୧ ମସିହାରେ ଓଡ଼ିଶାକୁ ପ୍ରଥମ ଥର ପାଇଁ ଡକାଗଲା ସର୍ବଭାରତୀୟ କଂଗ୍ରେସ କମିଟିର ସଭାକୁ ଏବଂ ସନ୍ଥ ଗୋପବନ୍ଧୁ ଚୌଧୁରୀ କରିଥିଲେ ଓଡ଼ିଶାର ପ୍ରତିନିଧିତ୍ଵ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । 
ଜଗତସିଂହପୁର ଜିଲ୍ଲାରେ ଅଳକା ନଦୀ କୂଳରେ ପ୍ରତିଷ୍ଠା କରିଥିଲେ ଅଳକା ଆଶ୍ରମ । ଗାଁରେ ମ୍ୟାଲେରିଆ ଏବଂ ହଇଜା ବିରୁଦ୍ଧରେ କରୁଥିଲେ ସଂଗ୍ରାମ । ପରେ ଗାନ୍ଧୀଜିଙ୍କ ଅନୁସାରେ ବରୀ ନିକଟରେ ନିଜର ଆଶ୍ରମ ପ୍ରତିଷ୍ଠା କରି ଗାଁ ଲୋକଙ୍କୁ ଖଦି, ଚାଷ ଏବଂ ଶିକ୍ଷା ଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ମାନ ଆଣିଛନ୍ତି । ତାଙ୍କ ଦ୍ବାରା ଆରମ୍ଭ ଚାଷପ୍ରଣାଳୀ ଏବେ ମଧ୍ୟ ବରୀ ଅଞ୍ଚଳରେ ଦେଖିବାକୁ ମିଳେ । ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ ସମୟରେ କାରାବରଣ ତଥା ଆହତ ମଧ୍ୟ ହୋଇଥିଲେ ।
ଭାରତ ସ୍ଵାଧୀନତା ଲାଭ କଲାପରେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଇ ବରୀ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିରେ ନିଜ କରିଥିଲେ ନିୟୋଜନ । ପରେ ପରେ ଆଉ ଜଣେ ସନ୍ଥ ବିନେବା ଭାବେଙ୍କ ସହ ମିଶି ଲୋକଙ୍କ ପାଖରେ ପହଞ୍ଚାଇଥିଲେ ଭୂଦାନ ଆନ୍ଦୋଳନକୁ । ମହାତ୍ମାଗାନ୍ଧୀଙ୍କ ଜୀବନୀ ପୁସ୍ତିକାକୁ ଅନୁବାଦ କରିଥିଲେ ଓଡ଼ିଆରେ । ତାଙ୍କ ଶେଷ ଜୀବନ କଟିଥିଲା କଟକର ଭୂଦାନ ଆଶ୍ରମରେ ।
ଆଜି ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ ନାହାନ୍ତି ସତ, କିନ୍ତୁ ରହିଯାଇଛି ତାଙ୍କ ନୀତି ତଥା ଆଦର୍ଶ । ସମାଜ ସେବାକୁ ପାଥେୟ କରି ଆଜି ସେ ହୋଇଯାଇଛନ୍ତି ଚିର ଅମର । 

Leave a Comment

Your email address will not be published. Required fields are marked *

Scroll to Top