ଲେଖା: ଅମୃତେଶ ଖଟୁଆ
“ବୀର ଦରଶନ ମାତ୍ରେ ପ୍ରେମର ପ୍ରବାହେ
ଭାସି ଦିବାରାତ୍ର, ସତୀ, ବୀର ପାଦପଦ୍ମେ,
ସମର୍ପିଛ ମନପ୍ରାଣ, ଉନ୍ମାଦିନୀ ପ୍ରାୟେ
ସ୍ଥାପିଅଛ ବୀରମୂର୍ତ୍ତି ପୂତ ହୃଦସଦ୍ମେ।
× × ×
ହୃଦ-ଉପବନେ ପ୍ରେମ ମାରୁତ ମଳୟ,
ସ୍ଵର୍ଗେ ପ୍ରେମ, ପ୍ରେମ ପୁଣି ତ୍ରିଦଶ-ଆଳୟ।
(କବିତା – “ସୁଭଦ୍ରା”)
ବ୍ୟାସକବି ଫକୀରମୋହନଙ୍କ ପରବର୍ତ୍ତୀ ଗାଳ୍ପିକ ପିଢିର ଆଦ୍ୟଲଗ୍ନରେ ତଥା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟର ଜଣେ ତଦନୁରୂପ ଇତିହାସ-ସଚେତ ଦେଶମାତୃକା-ଅନୁରକ୍ତ ସାରସ୍ଵତ ପ୍ରତିଭା ରୂପେ ତାଙ୍କର ଆବିର୍ଭାବ। ସମ୍ବଲପୁର ସେତେବେଳେ ଇଂରେଜମାନଙ୍କ ଅଧୀନ। କେତେବେଳେ ଛତିଶଗଡ଼ ଭୂଖଣ୍ଡରେ ତ କେତେବେଳେ ବଙ୍ଗର ଅଧୀନରେ ରହିଲା।
ସେହି ସମୟରେ ମରାଠୀ ଓ ହିନ୍ଦୀ ଲୋକଙ୍କ ଦ୍ଵାରା ଓଡ଼ିଆ ଭାଷା ତିରୋହିତ । ଓଡ଼ିଆ ଭାଷାପ୍ରେମୀଙ୍କ ସମୁଦ୍ୟମରେ ସେତେବେଳେ ବିପଦାପନ୍ନ ବ୍ୟବସ୍ଥା ସାମାନ୍ୟ ଉପଶମ ଲାଭ କରୁଥିବା ବେଳେ ବିପର୍ଯ୍ୟସ୍ତ ଓଡ଼ିଆ ଭାଷାକୁ ପ୍ରତିବେଶୀ ଭାଷା ସମକକ୍ଷ କରାଇବା ରୀତିରେ ସାହିତ୍ଯିକ ଦୟାନିଧି ମିଶ୍ର ଥିଲେ ଅନ୍ୟତମ। ତାଙ୍କ ସମୁଦ୍ଯମ ଓ ସାହିତ୍ୟ ସଂରଚନା ଅନେକ ବଦାନ୍ୟ ପତ୍ରିକାରେ ପ୍ରକାଶ ପାଇ ଓଡ଼ିଆ ସାହିତ୍ୟରେ ତାଙ୍କର ଏକ ଅନନ୍ୟ ପରିଚୟ ସୃଷ୍ଟି କରେ।
ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଠାରୁ ତିନି ମାଇଲ୍ ଦୂରରେ ଥିବା ତୁଳଣ୍ଡି ଗ୍ରାମରେ ୧୮୯୧ ମସିହା ଜୁନ୍ ୨୧ ତାରିଖରେ ପିତା ଲୋକନାଥ ମିଶ୍ର ଓ ମାତା କୁନ୍ତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ଦୟାନିଧି । ପିତା ତାଙ୍କର ଗାଁର ଊର୍ବର ଜମି ଉପରେ ନିର୍ଭର କରିବା ସହ ପଟୁଆରି କାମ କରୁଥିଲେ। ସେତେବେଳେ ଚାରି ଭାଇ ଦୟାନିଧିଙ୍କର। ସମ୍ଵଲପୁର ଜିଲ୍ଲା ହାଇସ୍କୁଲରେ ନିଜର ପାଠ୍ୟକ୍ରମ ଆରମ୍ଭ କରିବା ସହିତ ତତ୍କାଳୀନ ମାଟ୍ରିକ୍ ପରୀକ୍ଷାରେ ସମଗ୍ର ଓଡ଼ିଶାରେ ପ୍ରଥମ ଶ୍ରେଣୀ ତାଲିକାରେ ଦ୍ଵିତୀୟ କ୍ରମରେ ଥିଲେ। ଏଥିରେ ତାଙ୍କ କୁଳର ଜ୍ୟେଷ୍ଠ ଭାଇ ବାଞ୍ଛାବଟଙ୍କର ଅବଦାନ ବହୁତ ଥିଲା।
ଏହା ପରେ ସମ୍ଵଲପୁରରୁ ଆସି ସେତେବେଳେ ସେ କଟକର ରେଭେନ୍ସା କଲେଜରେ ବି.ଏ. ପଢିଲେ। ବିଦ୍ୟାଳୟ କାଳରୁ ହିଁ ସେ କାବ୍ୟାଦି ସର୍ଜନରେ ଲିପ୍ତ ରହୁଥିଲେ। ୧୯୦୫ ମସିହାରେ ଲେଖିଥିବା ଗଳ୍ପ “ସୁନ୍ଦରୀ” ସେତେବେଳେ ଉତ୍କଳ ସାହିତ୍ଯର ସମ୍ପାଦକ ବାଗ୍ମୀ ବିଶ୍ଵନାଥ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ତତ୍ସହିତ, ବାଗ୍ମିତା, ଅଭିନୟ କୁଶଳତା, ସମାଜସେବା ଓ ସାହିତ୍ୟ ସାଧନା ନିମିତ୍ତ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ପାଠ ପଢିବା ଦିନରୁ ହିଁ ତାଙ୍କର ସର୍ଜନଶୀଳତା ଓ ଗାଳ୍ପିକ-ଔପନ୍ୟାସିକ ରୂପେ ସେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ।
୧୮୯୯ ମସିହାରେ କଟକର ଜଣେ ରାଜାନୁରକ୍ତ ଜମିଦାର ରାୟବାହାଦୁର ଯୋଗେଶ୍ଵର ଚନ୍ଦ୍ର ସେତେବେଳେ ଲେଫ୍ଟନାଣ୍ଟ ଗଭର୍ଣ୍ଣର୍ ଉଡବର୍ନଙ୍କ ନାମରେ ଗୋଟିଏ ପୁରସ୍କାର ରେଭେନ୍ସା କଲେଜରେ ସ୍ଥାପିତ କରିଥିଲେ। କଟକର ଜିଲ୍ଲା ମାଜିଷ୍ଟ୍ରେଟ ରେଭେନ୍ସା କଲେଜର ଅଧ୍ୟକ୍ଷଙ୍କ ସହିତ ପରାମର୍ଶ କରି ବି.ଏ. ଓ ବି.ଏସି – ଏଇ ଦୁଇ ପରୀକ୍ଷାରେ ଯେଉଁ ଛାତ୍ର ସର୍ବାପେକ୍ଷା ଅଧିକ ନମ୍ଵର ରଖିବ, ତାକୁ ଏହି “ଉଡବର୍ନ ପୁରସ୍କାର” ମିଳୁଥିଲା। ଆଉ ୧୯୧୫ ମସିହାରେ ଦୟାନିଧିଙ୍କୁ ଏହି ପୁରସ୍କାର ମିଳିଥିଲା। କାରଣ, ସେତେବେଳେ ବି.ଏ. ପରୀକ୍ଷାରେ ଏକନମ୍ବର ଗ୍ରାଜୁଏଟ୍ ଭାବରେ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ସହ ସମଗ୍ର ବିହାର-ଓଡିଶାରେ ଆଇ.ଏ. ପରୀକ୍ଷାରେ ଏକନମ୍ବର ଛାତ୍ର ରୂପେ ଉତ୍ତୀର୍ଣ୍ଣ ହୁଅନ୍ତି।
ଏହା ପରେ କଲିକତା ପ୍ରେସିଡେନ୍ସି କଲେଜରେ ସ୍ନାତକୋତ୍ତର ଇତିହାସ ବିଭାଗରେ ନାମ ଲେଖାଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ତାଙ୍କ ଶିକ୍ଷା ଅସମାପ୍ତ ରୁହେ। ଏହାପରେ “ଏଇ.ଟି” (Vicenciate In Teaching) ଉପାଧି ପାଇ ତତ୍କାଳୀନ ମାନ୍ଦ୍ରାଜ ପ୍ରଦେଶ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଟ୍ରେନିଂ ସ୍କୁଲରେ ଶିକ୍ଷକତା ପରେ ବିଦ୍ୟାଳୟ ପରିଦର୍ଶକ ରୂପେ ନିଯୁକ୍ତି ପାଆନ୍ତି।
ଏଥି ମଧ୍ୟରେ ସେ ବିଭିନ୍ନ ପାହ୍ୟାରେ କାର୍ଯ୍ଯ କରି ବହୁ ଅଭିଜ୍ଞତା ଅର୍ଜନପୂର୍ବକ ନିଜର ଦକ୍ଷତା ପ୍ରତିପାଦିତ କରନ୍ତି। ଏହି ସମୟ ୧୯୨୧ । ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ସେ ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ବିଦେଶୀ ବସ୍ତ୍ର ଜାଳିବା ସହ ବ୍ରହ୍ମପୁରରେ ବ୍ରିଟିଶ୍ ସରକାର ବିରୋଧୀ ଭାଷଣ ପାଇଁ କାରାବରଣ କରନ୍ତି।
ଆଉ ସେହିଦିନଠାରୁ ସେ ଖଦଡ଼ ପିନ୍ଧିବାକୁ ନିଜର ଅଙ୍ଗେ ଆବୃତ କରି ବିଲାତିବସ୍ତ୍ର ଆମରଣ ପରିତ୍ୟାଗ କରନ୍ତି। ସରକାରୀ ଚାକିରି ଛାଡି ୧୯୨୫ ମସିହାରେ ବରଗଡ଼ ଠାରେ ବି.ଏଲ୍. ପଢି କଟକଠାରେ ସ୍ଵାଧୀନ ଭାବରେ ଓକିଲାତି କରନ୍ତି। ଆଉ ଏହି ସମୟରେ ତାଙ୍କର ଅନେକ କବିତା, କାହାଣୀ ସବୁ ‘ଉତ୍କଳ ସାହିତ୍ୟ’ ମାସିକ ପତ୍ରିକାରେ ପ୍ରକାଶିତ ହେଉଥିଲା।
ଏହା ପରେ ବ୍ରଜସୁନ୍ଦର ଦାସଙ୍କ ‘ମୁକୁର’ ପତ୍ରିକାର ପ୍ରକାଶନ ଆରମ୍ଭ ହେବା ପରେ ୧୯୨୨ରୁ ୧୯୨୬ ପର୍ଯ୍ୟନ୍ତ ଏହାର ସମ୍ପାଦନା କାର୍ଯ୍ୟ ନିର୍ବାହ କରିଥିଲେ। କେବଳ ସେତିକି ନୁହେଁ, ବିଭିନ୍ନ ଉପାଦେୟ ପୁସ୍ତକ ପ୍ରକାଶନ ନିମନ୍ତେ ଦୈନିକ ଛାପାଖାନାରେ ବ୍ୟବସ୍ଥା କରୁଥିଲେ। ‘ଅରୁଣା’, ‘ରୂପର ମୂଲ୍ଯ’ ଭଳି ଗଳ୍ପ, ‘ସୁଭଦ୍ରା’, ‘ବୈଧବ୍ୟ ବ୍ରହ୍ମଚର୍ଯ୍ୟ’ ଭଳି ଅନେକ ସୁନ୍ଦର କବିତା ସେତେବେଳେ ‘ମୁକୁର’ରେ ପ୍ରକାଶ ଲାଭ କରିଥିଲା । ଆଉ ତତ୍-ସଂଲଗ୍ନ ପ୍ରକାଶିତ ଗଳ୍ପ କିୟତ୍ ହେଲା ‘ଆକର୍ଷଣ’, ‘ମାନଭଞ୍ଜନ’, ‘ସଂଯୁକ୍ତା’ ଓ ‘ରାଣା ପ୍ରତାପ ସିଂହ’ ପରି ସୁଖପାଠ୍ୟ ଗଳ୍ପ ଏବଂ ଚରିତୋପନ୍ଯାସ।
ଏଥି ସହ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ଡିସେମ୍ବର ୨୬ ଓ ୨୭ର “ଉତ୍କଳ ସମ୍ମିଳନୀ” ଅଧିବେଶନରେ ଯୋଗ ଦେଇ ସେ କହିଥିଲେ –
“ମାନନୀୟ ସଭାପତି ମହୋଦୟ, ଉପସ୍ଥିତ ନେତୃସ୍ଥାନୀୟ ଗୁରୁଜନବୃନ୍ଦ ଏବଂ ଭାଇ ଓ ଭଉଣୀମାନେ ! ଜଣେ ଛାତ୍ର ପ୍ରତିନିଧିକୁ ଉତ୍କଳ ସମ୍ମିଳନୀର ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ଦୁଇ ପଦ କହିବା ପାଇଁ ଅନୁମତି ଦେଇଥିବାରୁ ମୁଁ ସଭାପତିଙ୍କ ନିକଟରେ କୃତଜ୍ଞ । ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଓଡିଶା ସାମ୍ରାଜ୍ୟର ଦୁର୍ଗତି ସମ୍ବନ୍ଧରେ ଚିନ୍ତା କଲେ ନିଜକୁ ଧିକ୍କାର କରିବାକୁ ଇଚ୍ଛା ହୁଏ। ଆମ ଭିତରେ ସଂହତି ଅଭାବ ହେତୁ ଆଜି ଆମେମାନେ ପରସ୍ପର ଠାରୁ ବିଚ୍ଛିନ୍ନ ହୋଇ ରହିଛୁ।
ଊନବିଂଶ ଶତାବ୍ଦୀର ଶେଷ ଭାଗରେ ସମ୍ଵଲପୁର ଅଞ୍ଚଳରେ ହିନ୍ଦୀ ଭାଷାର ପ୍ରଚଳନ ହେତୁ ସେଇଠି ଯେମିତି ଅସନ୍ତୋଷର ବହ୍ନି ଜଳି ଉଠିଥିଲା ଏବଂ ଭାଷା ଆନ୍ଦୋଳନ ଜରିଆରେ ୧୯୦୫ରେ ସେ ଅଞ୍ଚଳ ଯେପରି ଓଡିଶା କମିଶନରେ ଅନ୍ତର୍ଭୁକ୍ତ ହେଲା ଆଜି ଦକ୍ଷିଣାଞ୍ଚଳରେ ସେହି ଧରଣର ଏକ ଭାଷା ଆନ୍ଦୋଳନ ଦରକାର । ତାହାଲେ ଗଞ୍ଜାମ, କୋରାପୁଟ ତଥା ତତ୍-ସଂଲଗ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମାଡ୍ରାସ୍ ପ୍ରେସିଡେନ୍ସିରୁ ଅଲଗା ହୋଇ ଓଡିଶା କମିଶନରେ ସମ୍ମିଳିତ ହେବ। ଦକ୍ଷିଣ ଓଡିଶାର ଏହି ଆନ୍ଦୋଳନରେ ନେତୃତ୍ବ ନେବା ପାଇଁ ପାରଳାଖେମୁଣ୍ଡିର ତରୁଣ ମହାରାଜ ଯେ ଯୋଗ୍ୟତମ ବ୍ୟକ୍ତି କହିବା ବାହୁଲ୍ୟ …. “
ବର୍ତ୍ତମାନ “ଦୟାନିଧି ମିଶ୍ର ସ୍ମୃତି କମିଟି” ଦ୍ଵାରା ସଙ୍କଳିତ ତଥ୍ୟ ଅନୁସାରେ ଦୟାନିଧି ମିଶ୍ର ହେଉଛନ୍ତି ସମଗ୍ର ଓଡ଼ିଆ ସାହିତ୍ୟରେ ପୂର୍ଣ୍ଣାଙ୍ଗ ଉପନ୍ୟାସ ରଚନାରେ ଚତୁର୍ଥ। ୧୯୧୫ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ‘ନୟନତାରା’ ପ୍ରକାଶ ପାଇଲା ବେଳକୁ ଓଡିଆ ଭାଷାରେ ଉପନ୍ୟାସ ସଂଖ୍ୟା ମୁଷ୍ଟିମେୟ ଥିଲା । ତା’ର ଏକ ତାଲିକା ଗୋପୀନାଥ ମହାନ୍ତି ଦେଇ କହନ୍ତି ଯେ ପୂର୍ଣ୍ଣାଙ୍ଗ ଉପନ୍ୟାସ ରଚନାରେ ତାଙ୍କର “ନୟନତାରା” ଷଷ୍ଠ ସ୍ଥାନରେ ଆସୁଥିଲା ବେଳେ ସ୍ଵୟଂ ଔପନ୍ୟାସିକ ଏହି ସୂତ୍ରରେ ସମଗ୍ର ଓଡ଼ିଆ ମାଟିରେ ଚତୁର୍ଥ ଔପନ୍ୟାସିକ।
ଦୟାନିଧି ବୀର ସୁରେନ୍ଦ୍ର ସାଏଙ୍କ ଏକ ଫଟୋଚିତ୍ର ସଂଗ୍ରହ କରି ଉତ୍କଳ ସାହିତ୍ୟର ୧୯୧୪ ଏପ୍ରିଲ ସଂଖ୍ୟାରେ ‘ବିବିଧ ପ୍ରସଙ୍ଗ’ରେ ପ୍ରକାଶ କରିଥିଲେ, ଯାହାକୁ ଅବଲମ୍ବନ କରି ବୀର ସୁରେନ୍ଦ୍ର ସାଏଙ୍କ ବର୍ତ୍ତମାନର ଫଟୋଚିତ୍ର ପ୍ରସ୍ତୁତ ହୋଇଥାଏ। ଏବଂ ଫଟୋ ସଂପର୍କରେ ଲେଖା ଏଭଳି ଥିଲା-
”ଚିତ୍ରଖଣ୍ଡି ସମ୍ବଲପୁରର ଜଣେ ଐତିହାସିକ ବୀରପୁରୁଷଙ୍କର । ଫାଲଗୁନ ମାସର ଉତ୍କଳ ସାହିତ୍ୟରେ ପ୍ରକାଶିତ ‘ମିଳନ’ ନାମକ ଗଳ୍ପରେ ଏହାଙ୍କ ବିଷୟରେ ଉଲ୍ଲେଖ ଅଛି । କାରାଗାରରେ ନିବଦ୍ଧ ଥିବାବେଳେ ତାଙ୍କର ଯେଉଁ ଛବି ନିଆଯାଇଥିଲା, ତହିଁରୁ ଖଣ୍ଡିଏ ସମ୍ବଲପୁର ନିବାସୀ କଟକ କଲେଜର ଛାତ୍ର ଶ୍ରୀମାନ ଦୟାନିଧି ମିଶ୍ର ସଂଗ୍ରହ କରି ଯତ୍ନ ପୂର୍ବକ ସଂପାଦି ରଖିଥିଲେ ।”
ତାଙ୍କର ସାନଭାଇ ଥିଲେ ପ୍ରଖ୍ୟାତ ଉଦ୍ଭିଦବିଜ୍ଞାନୀ ପର୍ଶୁରାମ ମିଶ୍ର। ପୁନଶ୍ଚ, ସେ ସମ୍ବଲପୁର ଫେରି ଆସି ୧୯୨୮ ମସିହାରେ ‘ନବଯୁଗ’ ନାମକ ଏକ ପତ୍ରିକାରେ ସମ୍ପାଦନା କାର୍ଯ୍ୟ ବହନ କରିଥିଲେ। ସେତେବେଳେ, ଗଡ଼ଜାତ ମିଶ୍ରଣକୁ ନେଇ ତତ୍କାଳୀନ ଓଡିଶାର କୃଷିମନ୍ତ୍ରୀ କପିଳେଶ୍ଵର ପ୍ରସାଦ ନନ୍ଦ ଏହି ‘ନବଯୁଗ’ ପତ୍ରିକା ସହ ସମ୍ପୃକ୍ତ ଥିଲେ। ଆଉ ଏହି ସମୟରେ ତାଙ୍କର ଗଳ୍ପ ପାଟବରେ ବିସ୍ତୃତି ଘଟିବା ସହ ୧୯୨୬ ମସିହାରେ ସର୍ବମୋଟ୍ ୧୧ଟି କବିତାକୁ ତାଙ୍କର ପ୍ରଥମ କବିତା ସଙ୍କଳନ ପ୍ରକାଶ ପାଏ – “ବିରହବଂଶୀ”। ଏହା ଗଦ୍ୟ କାବ୍ୟରେ ପୁଷ୍ଟ ସତ୍ତ୍ଵେ ପୂର୍ବ ସୁଖସ୍ମୃତିର ସନିର୍ବନ୍ଧ କୃତି ରହିଛି ସମାହିତ –
“ଗାଇବାକୁ ମତେ କହୁଛ କିମ୍ପାଇ
କବିତା ଉତ୍ସ ତ ଯାଇଛି ଶୁଖି,
ଶୁଷ୍କ ପ୍ରାଣେ ଏବେ କି ଗୀତ ଗାଇବି
ମୋ ସଙ୍ଗତେ କିମ୍ପା ହେବ ଯେ ଦୁଃଖୀ।”
ହୃଦୟୋବେଶ ବାଗଦେବୀଙ୍କ ଉପାସ୍ଯ ପୀଠ, ଅଥଚ ‘କବିତାକୁଞ୍ଜ’ରେ ତାଙ୍କର ଛନ୍ଦୋଦ୍ଭବ ଶୈଳୀରେ ଭରିରହିଛି ବିରହ ଗୀତିକା ତ କେତେବେଳେ ରକ୍ତବ୍ରତୀ ଦେଶମାତୃକାର ସେବ୍ୟ ଗାନ ! ଏଥିପାଇଁ ଯେ ସେ କେବଳ କାବ୍ୟବୋଧରେ ସୀମିତ, ଏହା କସ୍ମିନ୍ କାଳେ ନୁହେଁ — ବରଞ୍ଚ ତାଙ୍କର ଇତିହାସମୁଖୀନତା ବେଶ୍ ସ୍ପଷ୍ଟ ବାରିହୁଏ। ସୁରେନ୍ଦ୍ର ସାଏଙ୍କ ପରେ ମୁକୁନ୍ଦଦେବ, ରାଣାପ୍ରତାପ ତଥା ସମ୍ଵଲପୁରର ଅଭୟ ସିଂହଙ୍କ ସହ ମରହଟ୍ଟାମାନଙ୍କ ସଂଘଟିତ ଯୁଦ୍ଧବିଗ୍ରହ ଏବଂ ଦେଶମାତୃକା ପାଇଁ ଗଢିଥିବା ଶିରୋଦେଶର ଗାଥା ବର୍ଣ୍ଣନାରେ ତାଙ୍କର ‘ଅରୁଣା’, ‘ମିଳନ’, ‘ଶାନ୍ତି’ ଓ ‘ପ୍ରଦୀପ ନିର୍ବାଣ’ ଭଳି ଗଳ୍ପ ବେଶ୍ ସୁନ୍ଦର।
‘ଅରୁଣା’ ଗଳ୍ପରେ ପଚିଶବର୍ଷୀୟ ଜଣେ ବୀର ଅଶ୍ଵାରୋହୀ କିପରି ନିଜ ଚାତୁର୍ଯ୍ୟ ବଳରେ ମରହଟ୍ଟାଙ୍କ ଅତର୍କିତ ଆକ୍ରମଣକୁ ପ୍ରତିହତ କରିପାରିଲେ ତାହାର ବର୍ଣ୍ଣନା ତ ରହିଛି, ମାତ୍ର, ମରହଟ୍ଟାମାନେ ଆଣିଥିବା ଗର୍ଦ୍ଦଭଦଳ ଏବଂ ମହିଳାମାନଙ୍କୁ ବନ୍ଦୀ କରାଗଲା। ହେଲେ, ଜଣେ ପଞ୍ଚଦଶବର୍ଷୀୟା ଯୁବତୀ ଓଡ଼ିଆ ସୈନିକଙ୍କ ଦ୍ଵାରା ବନ୍ଦିନୀ ହୋଇ ସମ୍ଵଲପୁର ଦୁର୍ଗରେ କାରାବରଣ କଲେ। ତାହାର ବର୍ଣ୍ଣନା କିଛି ଏହିପରି –
× × ×
“ଗିରି ଶିଖରାବସ୍ଥିତ ଦୁର୍ଗ ଭିତରକୁ ଯାଇ ଯୁବକ ଉପରୋକ୍ତ ଯୁବତୀକୁ ସ୍ଵ-ଶିବିରକୁ ଡକାଇଲେ। ଯୁବତୀ ସଙ୍ଗରେ ଦାସୀ ମଧ୍ୟ ଆସିଲା। ଯୁବତୀକୁ ଦେଖି ଯୁବକ କହିଲେ, ‘ସେନାପତି-ନନ୍ଦିନି! ଓଡିଆମାନଙ୍କ ଆଚରଣ ଦେଖି ରୁଷ୍ଟ ହେବେ ନାହିଁ କ୍ଷତ୍ରିୟମାନେ ଯୁଦ୍ଧରେ ଜୟଲାଭ କରି ଶୂନ୍ୟହସ୍ତରେ ପ୍ରତ୍ୟାବୃତ୍ତ ହୁଅନ୍ତି ନାହିଁ। ଏଣୁ ଆଜି ସେନାପତି-ନନ୍ଦିନୀ ଏ ଦୁର୍ଗରେ ବନ୍ଦୀ। କିନ୍ତୁ, ତୁମ୍ଭର ଭୟ କରିବାର କୌଣସି କାରଣ ନାହିଁ । ଦୁର୍ଗରେ ତୁମ୍ଭଙ୍କୁ ଉଚିତ୍ ସମ୍ମାନ ଦିଆଯିବ। “
ଯୁବକଙ୍କ କଥା ଶୁଣି ଯୁବତୀ ନୀରବରେ ତଳକୁ ମୁହଁ କରି କାନ୍ଦିବାକୁ ଲାଗିଲା। ଦାସୀ କହିଲା, “ଆପଣ ଆପଣଙ୍କ କାର୍ଯ୍ୟ କରିଛନ୍ତି। ସେଥିପାଇଁ ଆମ୍ଭେମାନେ ଆପଣଙ୍କୁ ନିନ୍ଦା କରୁନାହୁଁ। କିନ୍ତୁ ମରହଟ୍ଟା-ଶିବିରରେ କି ଆଉ କିଛି ନଥିଲା ?”
– “ଥାଇପାରେ । କିନ୍ତୁ ସେଥିପାଇଁ ଆମ୍ଭର ଲୋଭ ନାହିଁ । କ୍ଷତ୍ରିୟ ଜାତି ଚୋରି କରେ ନାହିଁ।”
– “ସେନାପତି-ନନ୍ଦିନୀଙ୍କୁ ଏପରି ବଳପୂର୍ବକ ଆଣିବା ଚୋରର କାର୍ଯ୍ୟ ନୁହେଁ କି ? ଆପଣ ବୀର। ଯୁଦ୍ଧରେ ଶତ୍ରୁକୁ ପରାସ୍ତ କରିଛନ୍ତି। କିନ୍ତୁ, ରମଣୀ ଉପରେ ଅତ୍ୟାଚାର ବୀରଙ୍କ କାର୍ଯ୍ୟ ନୁହେଁ। “
– “ରମଣୀ ଉପରେ କୌଣସି ଅତ୍ୟାଚାର ହୋଇନାହିଁ। ବୀରନାରୀ ବୀରଭୋଗ୍ୟା। ସେନାପତି-ନନ୍ଦିନୀ ବୀର-ରମଣୀ। ସେ ବୀରପୁରୁଷର ଯୋଗ୍ଯ। ତାଙ୍କୁ ବୀରପୁରୁଷ ହସ୍ତରେ ନ୍ୟସ୍ତ ହେବାର ଦେଖିଲେ ସୁଖୀ ହେବି।”
– “ତାଙ୍କ ହୃଦୟ-ରାଜ୍ଯରେ ରାଜା ହେବା ପାଇଁ ମରହଟ୍ଟା ବୀର ଅଛନ୍ତି। ଏଠାରେ ରହିଲେ ତାଙ୍କ ମନରେ ଦୁଃଖ ଛଡ଼ା ସୁଖ ହେବ ନାହିଁ। “
– “ଯଦି ସେପରି ହୁଏ, ତାଙ୍କ ମନରେ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନୁହେଁ। ମୁଁ ଏହିକ୍ଷଣି ତାଙ୍କୁ ନିରାପଦରେ ତାଙ୍କ ପିତାଙ୍କ ନିକଟକୁ ପଠାଇ ଦେବି। ଓଡ଼ିଆ ଜାତି ଅବଳା ପ୍ରତି ସମ୍ମାନ ଦେଖାଇ ଜାଣେ। ସେନାପତି-ନନ୍ଦିନୀ ପିତୃ-ଶିବିରରେ ଥାଇ ଦେଖିବେ ଯେ ଓଡ଼ିଆ ବୀର ମରହଟ୍ଟା ବୀର ଅପେକ୍ଷା ନିକୃଷ୍ଟ ନୁହେଁ।”
ଯୁବକଙ୍କ ଶେଷ ବାକ୍ୟ ଶୁଣି ଯୁବତୀ ଲୋତକ ସମ୍ଵରଣ କରି ତାଙ୍କ ଆଡକୁ ଅନାଇଲା। ଯୁବକଙ୍କ ମୁଖରେ ଉଦାରତାର ସ୍ପଷ୍ଟ ଚିହ୍ନ ଦେଖି ସେ ମୁଗ୍ଧ ହୋଇଗଲା। ସେ ନିର୍ନ୍ନିମିଷ ଲୋଚନରେ ତାଙ୍କର ଅପୂର୍ବ ରୂପଶ୍ରୀ ଦେଖିବାକୁ ଲାଗିଲା। ଇତ୍ୟବସରରେ ଯୁବକଙ୍କ ଚକ୍ଷୁ ସହିତ ତାହାର ଚକ୍ଷୁ ମିଳିତ ହେଲା। ସେ ଲଜ୍ଜାରେ ତଳକୁ ଅନାଇବାକୁ ଲାଗିଲା। ଯୁବକଙ୍କ ପ୍ରତି ପୂର୍ବେ ଯେ ବିରକ୍ତି ଜନ୍ମିଥିଲା, ତାହା କେଉଁ ଆଡେ ଉଭେଇ ଗଲା। ତାହାର ଶରୀରର ପ୍ରତ୍ୟେକ ଶିରାରେ ଅନନୁଭୂତ ତଡିତ୍-ପ୍ରବାହ ବହିବାକୁ ଲାଗିଲା। ଯୁବତୀର ଭାବାନ୍ତର ଦେଖି ଯୁବକ କହିଲେ, “ଯଦି ସେନାପତି-ନନ୍ଦିନୀଙ୍କ ଇଚ୍ଛା ହୁଏ, ତାହା ହେଲେ ତାଙ୍କୁ ଅନତି-ବିଳମ୍ଵେ ପିତୃ ସମୀପକୁ ପଠାଇବାର ବନ୍ଦୋବସ୍ତ କରିବ। “
× × ×
ସେତେବେଳେ ମରହଟ୍ଟାଙ୍କ ଦ୍ଵାରା ହେଉଥିବା ଭାରତର ବିଭିନ୍ନ ପ୍ରାନ୍ତରରେ ସମର-ଘୋଷଣା ସହ ହିନ୍ଦୁରାଜ୍ୟର ସଂସ୍ଥାପନ ମଧ୍ୟାନ୍ତରରେ ଘଟିଥିବା କେତୋଟି ରୋମାଞ୍ଚକାରୀ ଘଟଣାର ବର୍ଣ୍ଣନା ବେଶ୍ ସୁନ୍ଦର ହୋଇପାରିଛି। ସେତେବେଳେ ସମ୍ଵଲପୁରର ଐତିହ୍ୟ ଯେତିକି ସମୃଦ୍ଧ ଥିଲା, ଏହାର ବାଣିଜ୍ୟ, ସଂସ୍କୃତି ଓ ସମର-ଦକ୍ଷତା ମଧ୍ୟ ତଦନୁରୂପ ଉନ୍ନତ ଥିଲା।
ତଦାନୀନ୍ତନ ଗଭର୍ଣ୍ଣର୍ Lord Clive ସମ୍ଵଲପୁରରେ ହୀରକ-ବାଣିଜ୍ୟ ପ୍ରତି ଆକର୍ଷିତ ହୋଇଥିଲେ। ବୀରପ୍ରସୂ ସମ୍ବଲପୁର ମାଟିର ହୀରାଖଣ୍ଡରୁ ହୀରକ-ବାଣିଜ୍ୟ ସେତେବେଳେ ରୋମ୍ ପର୍ଯ୍ୟନ୍ତ ବିସ୍ତୃତ ଥିଲା ! ଆଉ ସେ ସମୟରେ ସଂଘଟିତ ମରହଟ୍ଟା ଓ ସମ୍ବଲପୁର ନରପତି ଅଭୟ ସିଂହଙ୍କ ସମେତ ସମ୍ଵଲପୁରବାସୀଙ୍କ ଓଡିଆମାଟିକୁ ରକ୍ଷା କରିବା ପାଇଁ ବୀରତ୍ଵ ସମଗ୍ର ଭାରତବର୍ଷରେ ଦୃଷ୍ଟାନ୍ତ ଥିଲା !
ଆଉ ଏହି ଯୁଦ୍ଧବିଗ୍ରହ ମଧ୍ୟରେ ମରହଟ୍ଟା ଶାସକ ରଘୁଜୀରାଓଙ୍କ କନ୍ୟା ଅରୁଣା ଯୁଦ୍ଧବିଦ୍ୟାରେ ନିପୁଣା। ବୟଃପ୍ରାପ୍ତା ହେବା ପରେ ପ୍ରତ୍ୟହ ପିତାଙ୍କ ସହ ଯୁଦ୍ଧକୁ ଯାଉଥିଲେ। ଆଉ ଆମେ ମାନେ ଯେଉଁ ଯୁବତୀ ଓ ଯୁବକ କଥା ଉପରୋକ୍ତ ଗଳ୍ପାଂଶରେ ଉଦ୍ଧୃତ କରିଥିଲୁ, ସେମାନେ ଆଉ କେହି ନଥିଲେ, ବରଂ ସେହି ପଚିଶ ବର୍ଷୀୟ ଅଶ୍ବାରୋହୀ ଥିଲେ ବୀର ପୃଥ୍ଵୀସିଂହ ଓ ଯୁବତୀ ଅରୁଣା ! ଆଉ ସେତେବେଳେ ମରହଟ୍ଟା ସୈନ୍ୟ ପୃଥ୍ଵୀରାଜଙ୍କ ବ୍ୟୂହ ଭେଦ ନ କରିପାରି ପରାସ୍ତ ହୋଇଛି !
ନିଜର ଏକାଧିକ ଐତିହାସିକ ଗଳ୍ପ ମାଧ୍ୟମରେ ଓଡିଆ ଜାତିର ତଥ୍ୟାଶ୍ରୟୀ ଚିତ୍ରଣପୂର୍ବକ ଆଦର୍ଶକୁ ଆହୁରି ପରାଙ୍ଗପୁଷ୍ଟ କରିଛନ୍ତି ଦୟାନିଧି ମିଶ୍ର। ବିଶେଷତଃ, ଓଡ଼ିଆ ମାଟିରେ ସଂଗ୍ରାମ ଓ ଆତ୍ମ-ତିତିକ୍ଷାର ଅନାଲୋଚିତ ଫର୍ଦ୍ଦ ଉନ୍ମୋଚିତ କରିଥିଲେ ସେ ଏହି ‘ଅରୁଣା’, ‘ସଂଯୁକ୍ତା’ ଓ ‘ପ୍ରଦୀପ ନିର୍ବାଣ’ ଭଳି ଗଳ୍ପରେ। ଯେତେ ଦୂର ସମ୍ଭବ ସେ ହିଁ ପ୍ରଥମେ ମିଳନ ଗଳ୍ପ ଲେଖି ସମ୍ଵଲପୁରର ବୀରତ୍ଵମଣ୍ଡିତ ଅତୀତର ଉଦବୋଧନ କରିଛନ୍ତି। ନୃସିଂହନାଥ, ବାରପାହାଡ଼, ବୁଢାରଜା ସହିତ ସୁରେନ୍ଦ୍ର ସାଏ ଓ ଲୁଦୋପାଲି ଯୁଦ୍ଧ ପ୍ରତି ଲୋକଦୃଷ୍ଟି ଆକର୍ଷଣ କରିଛନ୍ତି।
କେବଳ ଏତିକି ନୁହେଁ, ପୂର୍ବୋକ୍ତ ବର୍ଣ୍ଣିତ ତାଙ୍କର ‘ନୟନତାରା’ ଉପନ୍ୟାସ ହେଉଛି ମହାନଗର-ଭିତ୍ତିକ ପ୍ରଥମ ଓଡ଼ିଆ ଉପନ୍ୟାସ । ଆଉ ତତ୍ସହ ପ୍ରକାଶ ପାଇଛି ଆଉ ଏକ ଉପନ୍ୟାସ, ଯାହାର ଶୀର୍ଷକ ହେଉଛି ‘ମାନଭଞ୍ଜନ’। ବ୍ୟାସକବି ଫକୀରମୋହନଙ୍କ ‘ପ୍ରାୟଶ୍ଚିତ’ ଗଳ୍ପର ପଟ୍ଟଭୂମିରେ ତାଙ୍କର ‘ନୟନ ତାରା’ ଉପନ୍ୟାସ ପରିଗଠିତ। ‘ପ୍ରାୟଶ୍ଚିତ’ରେ କଟକ, ‘ନୟନତାରା’ରେ କଲିକତାର ଚିତ୍ର। ନାୟିକା ନୟନତାରା ଯେ କେବଳ ଆଦର୍ଶ ସୁଗୃହିଣୀ, ଆଭିଜାତ୍ଯ ପରିବର୍ତ୍ତେ ହୃଦୟବତ୍ତା ବୁଝିବ – ତାହା ହିଁ ଏହା ଉପସଂହାରରେ ଘଟିଛି। ଓଡ଼ିଆ ସାମାଜିକ ଜୀବନର ଏକ ନୂତନ ଚରିତ୍ର ଦେଖାଦେଇଛି ତହିଁରେ।
ଏଥି ସହ ନିଜର ଓକିଲାତିରେ ସାହିତ୍ୟିକ ଭାଷାର ଛଟା ଓ ଶବ୍ଦଭଣ୍ଡାରର ପ୍ରୟୋଗରେ ସକୁଶଳ ଜବାବ ସୁଆଲ କରୁଥିଲେ। ପୋଖତ ହାକିମ ଓ ଜିଲ୍ଲାର ଅଭିଜ୍ଞ ଓକିଲ ମାନେ ବରଗଡରେ ବାଲୁଙ୍କେଶ୍ଵରଙ୍କ ମୁଜାହିଦା (ଡ୍ରାଫ୍ଟିଂ) ବିଶ୍ଵକେଶନଙ୍କର ଜେରା – ଜବାନବନ୍ଦୀ ଓ ଦୟାନିଧିଙ୍କର ଜବାବ ସୁଆଲ ସମଗ୍ର ଓଡିଶାରେ ସେତେବେଳେ ଚର୍ଚ୍ଚିତ ହୋଇଥିଲା। ସେତେବେଳେ ଜାତୀୟ ଆନ୍ଦୋଳନରେ ସମ୍ପୃକ୍ତ ରହି ଦୟାନିଧି ମିଶ୍ର ନିଜର ଲୋକପ୍ରିୟତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ତତ୍କାଳୀନ ବରଗଡ଼ ସବଡିଭିଜନର ବିଶିଷ୍ଟ ଜନସେବକ ରୂପେ ସମ୍ମାନିତ ହୋଇଥିଲେ।
ତାଙ୍କ ପ୍ରତିଭାର ବର୍ଣ୍ଣନା କରିବାକୁ ଯାଇ ବିଶିଷ୍ଟ କବି ସତ୍ୟନାରାୟଣ ବହିଦାର ଲେଖିଛନ୍ତି –
“ପଢଲେ ଆଇନ୍ ଲଢଲେ ବୁଆ
ଦେଶର୍ କାମେ ହୋ,
ପିନ୍ଧଲେ ଖଦଡ଼୍ ଉକୀଲ୍ ହେଲେ
ଦେଶର୍ ନାମେ ହୋ।
ନଉକିରୀ କେ ମାଏଲେ ଲାତ୍
ଜବର୍ କଲେ ଛାତି,
ନଉକର୍ କେ ଉକର୍ ଦେଲେ
ଦେଶର୍ କାମେ ମାତି।”
ପ୍ରତ୍ୟହ ତାଙ୍କର ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ସହ ପତ୍ର ବିନିମୟ ମାଧ୍ୟମରେ ଆଳାପ ସଂଳାପ ହେଉଥିଲା। ଆଉ ସେହି ସବୁ ପତ୍ର “ଦୟାନିଧି ପତ୍ରାବଳୀ” ନାମରେ ପ୍ରକାଶିତ ହେଇ ସାରିଛି। ଏହି ଗରୀୟାନ୍ ସାହିତ୍ୟିକ ତଥା ସମାଜର ଜଣେ ଆଦର୍ଶପୁଙ୍ଗବ ଦୟାନିଧି ମିଶ୍ର ୧୯୫୫ ମସିହା ଜୁଲାଇ ୨୮ ତାରିଖରେ ୬୪ ବର୍ଷରେ ଇହଲୀଳା ସମ୍ଵରଣ କରିଥିଲେ।
© ଅମୃତେଶ ଖଟୁଆ Amritesh Khatua
ଚିତ୍ର: ଦୟାନିଧି ମିଶ୍ର ସ୍ମୃତି କମିଟି