ଦାସିଆ ଅଜା

ଲେଖା: ଅମ୍ରିତେଶ ଖଟୁଆ
“କେହି ନ ଜାଣିବେ କେହି ନ ଦେଖିବେ
ନ କାନ୍ଦିବେ ଥରେ କେହି,
ଚାଲିଯିବି ଏକା ଏତିକି ମାଗୁଣି
ତୁମ୍ଭ ନାମ ଗାଇ ଗାଇ।” (ଦାସିଆ ଅଜା)ସମଗ୍ର ଓଡ଼ିଆ ମାଟିରେ ସେ ଥିଲେ ଦଶ ପଇସାର ରଜା, ଦାସିଆ ଅଜା । ନୂଆଗାଁର ତତ୍କାଳୀନ ଶିକ୍ଷାବିତ ପଣ୍ତିତ ଲୋକନାଥ ତ୍ରିପାଠୀଙ୍କ ପ୍ରେରଣାରେ ମାତ୍ର ୫ ଖଣ୍ତ ବହିରେ ଦାସିଆ ଅଜା ଆରମ୍ଭ କରିଥିଲେ ପାଠାଗାର ଓ ଓଡ଼ିଶା ଭ୍ରମଣ। ଏହାପରେ ସେ ପାଲଟି ଯାଇଥିଲେ ଓଡ଼ିଶାର ସର୍ବଶ୍ରେଷ୍ଠ ଜ୍ଞାନ-ଭିକାରି। ମୁଠାଏ ମୁଢ଼ି ଓ କପେ ନାଲି ଚା’ ଥିଲା ତାଙ୍କର ଜୀବନ। ଜୀବନ ପ୍ରଣାଳୀ ଥିଲା ସରଳ ଓ ଅତି ସାଧାରଣ। ଦାଶରଥୀ ପଟ୍ଟନାୟକ ବା ଆମ ସ୍ନେହ-ସମ୍ମାନାସ୍ପଦ ଦାସିଆ ଅଜା !

ଦାଶରଥୀ ପଟ୍ଟନାୟକ ବା ଦାସିଆ ଅଜା ୧୯୦୭ ମସିହା ଜୁଲାଇ ୧୨ ତାରିଖ ଦିନ ନୟାଗଡ଼ ନିକଟସ୍ଥ ନୂଆଗାଁ ବ୍ଲକର ଉଦୟପୁରର ପର୍ବତବେଷ୍ଟିତ ଗ୍ରାମରେ ବାଞ୍ଛାନିଧି ପଟ୍ଟନାୟକ ଓ ପାର୍ବତୀ ଦେବୀଙ୍କ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଉଦୟପୁର ଗ୍ରାମ ଦାଶରଥୀଙ୍କ କର୍ମଭୂମି ରୂପେ ପରିଚିତ ହୋଇଥିଲା।
           
ସାହିତ୍ୟ ପରିଚର୍ଚ୍ଚା କାଳରେ ତାଙ୍କ ବ୍ୟକ୍ତିତ୍ଵ ଅବଶ୍ୟ ସ୍ମରଣୀୟ। ତାଙ୍କ ସଂଗ୍ରାହକ ବିଶେଷଣଟି ଅପୂର୍ଣ୍ଣ ଲାଗେ। ସେ ଅଧିକ କିଛି ! ବାପୁଜୀଙ୍କ ପରି ଓଡିଶାରେ ସେ ସର୍ବାଧିକ ସଂଖ୍ୟାରେ ଚିଠି ଲେଖି ବ୍ଯାଗରେ ନିଜର ବିଡାଏ ପୋଷ୍ଟକାର୍ଡ ରଖିଥିବେ। ସବୁ ଦିନେ ସକାଳେ କିମ୍ବା ସମୟ ମିଳିଲେ ବସି ଚିଠି ଲେଖନ୍ତି। ତଳେ ସନ୍ତକରେ (ଦସ୍ତଖତ ଦେବା ସମୟରେ) ‘କଣା ଦାସିଆ’, ‘ଅଜା’ କିମ୍ବା ଦାଶରଥି ପଟ୍ଟନାୟକ ଲେଖାଥାଏ ତାରିଖ ସହ। ସେ କୁହନ୍ତି, ସଂସାରରେ ମଣିଷ ସହ ସମ୍ପର୍କ ଯୋଡିବା ପାଇଁ ଏଇ ପୋଷ୍ଟ କାର୍ଡ ଖଣ୍ଡିକ ହିଁ ଯଥେଷ୍ଟ।

ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ନିଜର ଖଣ୍ତିଏ ଗାମୁଛା ପିନ୍ଧି ଓ ଖଣ୍ତିଏ ଗାମୁଛାକୁ ମୁଣ୍ତରେ ଠେକା ବାନ୍ଧି, କାନ୍ଧରେ ଏକ ଝୁଲାମୁଣି ଓହଳାଇ, ବାଉଁଶ ଠେଙ୍ଗାଟିଏ ଧରି ପାଦରେ ଚାଲି ଚାଲି ସମଗ୍ର ଓଡ଼ିଶାର ଗାଁଗଣ୍ତା, ସହର ବଜାର, ଘରଦ୍ବାର ବୁଲି ବୁଲି ସାଧକ ଦାସିଆ ଅଜା ନିଜର ଏକନିଷ୍ଠ ସାଧନାରେ ଏକ ନିପଟ ପାହାଡ଼ ଜଙ୍ଗଲ ଆଦିବାସୀ ଅଧ୍ୟୁଷିତ ମଫସଲ ଗାଁ ନୟାଗଡ଼ ଉଦୟପୁରରେ ପ୍ରତିଷ୍ଠା କରିଥିଲେ ପୃଥିବୀ ପ୍ରସିଦ୍ଧ ୩ ଗୋଟି ମହାନ ସଂସ୍ଥାନ, ଯଥା: ବାଞ୍ଛାନିଧି ପାଠାଗାର, ଶ୍ରୀଅରବିନ୍ଦ ସଂଗ୍ରହାଳୟ ଯଦୁମଣି ସାହିତ୍ୟ ସଂସଦ

ଏହା ପୂର୍ବରୁ ବାଲ୍ଯ ସମୟ ଥିଲା ନିହାତି ସଂଘର୍ଷସଙ୍କୁଳ। ମାତ୍ର, ଚତୁର୍ଥ ଶ୍ରେଣୀ ଯାଏଁ ପଢା ତାଙ୍କର। ବାପା ମା’ଙ୍କର ଜ୍ୟେଷ୍ଠ ସନ୍ତାନ ହେତୁ ନାନାବିଧ ବୃତ୍ତି ଆପଣାଇଥିଲେ ହେଁ ସେଥିରେ ଥିଲା ବନ୍ଧା ସଂଘର୍ଷର ଚଉତରା ! କେତେବେଳେ ଲାଞ୍ଚ ଦେଇ ବିବଶତାବଶତଃ ଫରେଷ୍ଟଗାର୍ଡ ହେବା, ପରେ କିୟତ୍ ସମୟ ପାଇଁ ବଲାଙ୍ଗୀରର ଧୁଳିଆପଦା ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରି ପୁଣି ୧୯୩୮ ମସିହାରେ ମାସକୁ ୧୫ ଟଙ୍କା ଦରମାରେ ରଣପୁରରେ ଫରେଷ୍ଟ ଗାର୍ଡ ହେଇଛନ୍ତି। ପରବର୍ତ୍ତୀ ସମୟରେ ଅମିନ ଓ ଶେଷରେ ଗାଁର ସରବରାକର (ଖଜଣା ଅସୁଲକାରୀ) । ମାତ୍ର, ଏହି ପଦ ଉଠିଯିବାରୁ କର୍ମହୀନ ଜୀବନ। ଆର୍ଥିକ ସ୍ଥିତି ବେଶ୍ ସୁଧୁରିଛି, ହେଲେ ୧୯୫୯ ବର୍ଷ ତାଙ୍କ ପାଇଁ ଥିଲା ଏକ ଗୁରୁତ୍ଵପୂର୍ଣ୍ଣ ବର୍ଷ।

 

ଓଡିଶାରେ ପାଠାଗାର ଆନ୍ଦୋଳନର ଜନକ ବୋଲି ତାଙ୍କୁ ବିବେଚିତ କରାଯାଇଥିଲେ ସୁଦ୍ଧା ଆଜି ପାଠକୀୟତା ସେତେ ପ୍ରେରଣାପ୍ରଦ ହୋଇନଥିବାର ବୋଧ ହୋଇଥାଏ ! ଭାଗବତର ଗୋପଲୀଳା, ଲକ୍ଷ୍ମୀପୁରାଣ, ଖୁଦୁରୁକୁଣୀ, ଆଚାର୍ଯ୍ୟ ଗୀତା ତଥା ଗୋଟିଏ ଭଙ୍ଗା ଟିଣ ବାକ୍ସ ସହ ଆରମ୍ଭ ହୋଇଛି ତାଙ୍କ କାର୍ଯ୍ୟକଳାପ। ଗ୍ରନ୍ଥପ୍ରେମୀ ହେଇ ସେ କ’ଣ ନ କରିଛନ୍ତିି ! ଘରବାଡି ସବୁ ଘରଣୀ ପୂର୍ଣ୍ଣମାସୀଙ୍କ ଜିମା ଦେଇ ଖଣ୍ଡେ ଆଣ୍ଠୁ ନଲୁଚା ଲୁଗା, ପାକଲା ଗାମୁଛା, ବସ୍ତା ପରି ଥଳି ଧରି ସେ ଆଗେଇ ଯାଇଛନ୍ତି । ସବୁ ଶ୍ରେଣୀର ମଣିଷଙ୍କ ସହ ଭେଟ, ସରକାରୀ କର୍ମଚାରୀ, ଛାତ୍ର, ଶିକ୍ଷକ, ଗୃହକର୍ମୀ, ପ୍ରକାଶକ, ସମ୍ପାଦକ, ଲେଖକ ଇତ୍ୟାଦି !

ବହି, ପତ୍ରିକା, ଚିଠି, ପୋଥି ମାଗି ଆଣିବାରେ କେବେ ସଙ୍କୋଚ କରି ନାହାଁନ୍ତି ସେ, କାରଣ ଆମର ସୁନ୍ଦର ପ୍ରବାଦଟିଏ ପରା ଅଛି,
“ଧନଧାନ୍ୟ ପ୍ରୟୋଗେଷୁ ବିଦ୍ୟାୟାଃ ସଂଗ୍ରହେଷୁ ଚ।
ଆହାରେ ବ୍ୟବହାରେ ଚ ତ୍ଯକ୍ତଲଜ୍ଜ ସୁଖୀ ଭବେତ୍।”

“ଅହୋ ! ଧନମାନ ସବୁ ନିପୁତି କରି ଦେଖି ନେଉଟାଇ ଆଣିଲା ବେଳକୁ କି ଅବଧାନଙ୍କ ପାଖ ମାଡି ବିଦ୍ୟା ପାଞ୍ଚିଲା ବେଳେ କି ଭୁଞ୍ଜି ଗିଳି କୁଶଳ ବାରତା ପୃଚ୍ଛା କରିଥିଲେ, ଲାଜ ତେଜିଲେ ସୁଖ ହେଜିବୁ।” ହେଲେ ଦଇବର ସଂସାର ଯେ କଟୁ ବୃକ୍ଷ ବି ଫଳେଇଛି, କେହି କେହି ତାଙ୍କୁ ଦୁଆରୁ ତଡିଛି ତ କେତେବେଳେ ଜୀବେଦୟା ହୋଇ ତାଙ୍କୁ ଜିନିଷ ବୋହିବା ପାଇଁ ମିଳିଛି ଲୋକଙ୍କ ସାହାଯ୍ୟ।

ଦାଶିଆ ଅଜାଙ୍କ ଉଦୟପୁର – ଏପରି ଏକ ପାଟଣା ଯେ ସେଠି ନାହିଁ ନଥିବା ଇତିହାସ ରହିଛି, ବୋଇଲେ ତହିଁ ଉତ୍ତାରୁ ମିଳେ ଖ୍ରୀଷ୍ଟପୂର୍ବ ଶତାବ୍ଦୀର ଚଟାଣ, ପଥର, ପୋଥିପତ୍ର, ଜନ୍ତୁଚମଠୁ ନେଇ ନାନା ପ୍ରକାରର ଅର୍ବାଚୀନ ଅସ୍ତ୍ରଶସ୍ତ୍ର। ସେହି ସବୁ ସାଇତା ହେଲା ଦାସିଆ ଅଜାଙ୍କ ହାତେ! ଜୀବନ୍ମୃତ ଅତୀତ ପାଇଲା ବର୍ତ୍ତମାନର ସୁରଭିରେ ଏକ ଅପୂର୍ବ ସ୍ଫୁରଣ, ତହୁଁ ହୋଇଲା ଗୌରବର ଜୀବନ୍ୟାସ। ଆଉ ସଂଗ୍ରହ ସାରି କେତେବେଳେ ରାତି କଟେଇଛନ୍ତି ବସଷ୍ଟାଣ୍ଡରେ, ରେଲୱେ ଷ୍ଟେସନରେ ତ କେତେବେଳେ କେଉଁ ସ୍କୁଲ କଲେଜର ବାରଣ୍ଡାରେ !

ଖାଦ୍ୟ ସେଇ ଚୁଡା, ଗୁଡ, ମୁଢି ଏବଂ ତଦ୍ ଜାତୀୟ କତିପୟ ପେଟ ପୂର୍ତ୍ତି ଅର୍ଥେ ଖାଦ୍ୟ। ବହି ସଂଖ୍ୟା ହେଇଯାଇଥାଏ ତିରିଶ ହଜାରକୁ ସରିକି ! ଗଣିଲେ ପୋଥିପତ୍ରଠୁ ନେଇ ପତ୍ରିକାର ବଢି ବଢି ସଂଖ୍ୟା ଗଣନ କରିଲେ ସ୍ତମ୍ଭୀଭୂତ ହେଇଯିବ – ବାପାଙ୍କ ନାମରେ ଗଢିଛନ୍ତି ସେସବୁ – ବାଞ୍ଛାନିଧି ପାଠାଗାର ! ଜୀବାଶ୍ମ, ପୁରାତନ ଅସ୍ତ୍ରଶସ୍ତ୍ର, ସଂଖ୍ୟାତତ୍ତ୍ଵ, ପ୍ରତ୍ନତତ୍ତ୍ଵ, ଭୂଗୋଳ, ଚିତ୍ରକଳା ଆଦି ନାନାବିଭାଗ ଫଳେ ଭାଜିତ ହୋଇଥିଲା ସେହି ପାଠାଗାର। ମେସୋପୋଟାମିଆରୁ ହରପ୍ପା, ମୋହେଞ୍ଜୋଦାରୋରୁ ହିରୋସିମା – ବିଶ୍ଵର କୋଣାନୁକୋଣ ପଦାର୍ଥ ଏଠି ଠୁଳ। କେତେବେଳେ ହିରୋସିମାର ମୃତ୍ୟୁକାଣ୍ଡ ପରବର୍ତ୍ତୀ ମାଟି ତ ଚନ୍ଦ୍ରର ପଥର !

ଏପରିକି ଶତାଧିକ ବର୍ଷ ତଳର ଆଦିବାସୀ ସଂସ୍କୃତିର ଦୁଷ୍ପ୍ରାପ୍ୟ ଅଳଙ୍କାର ସହ ପୋଷାକ ପରିଚ୍ଛଦ ସହ ଅଗଣନ ଅସ୍ତ୍ରଶସ୍ତ୍ର ! ମହାଭାରତ, ରାମାୟଣ, ଆୟୁର୍ବେଦ, ତନ୍ତ୍ରବିଦ୍ୟା, ବେଦାଦି ବେଦାଙ୍ଗ, ପ୍ରାଚୀନ ଚିକିତ୍ସା ପ୍ରଣାଳୀ ସହ ଗୀତଗୋବିନ୍ଦରେ ବର୍ଣ୍ଣିତ ଦଶାବତାରର ୬୮ ପୋଥିପତ୍ର ସଂଗଠିତ ହେବାର ଦେଖି ଲୋକାଚାର ସେଠାରେ ହାର୍ ମାନିଯାଏ ଏଭଳି ଏକ ମହନୀୟତା ସମ୍ମୁଖରେ !

ଏତଦବ୍ୟତୀତ ସେ ନିଜ ନାମରେ ୧୯୪୯ ମସିହାରେ ଅନୁଗୋଳ ଜିଲ୍ଲାର କିଶୋରନଗର ଠାରେ ନିଜେ ଏକ ସର୍ବେକ୍ଷଣ ସ୍କୁଲର ପ୍ରତିଷ୍ଠା କରିଥିଲେ। ନିଜର ଗାଁର ଜମି ବିକି ସେ ଏହି “ଦାଶରଥୀ ପଟ୍ଟନାୟକ ଶିକ୍ଷାନୁଷ୍ଠାନ” ଗଢଣ କରିପାରିଥିଲେ। ୧୯୫୪ ମସିହା ପର୍ଯ୍ୟନ୍ତ ସେ ଅନେକତ୍ର କ୍ୟାମ୍ପ ଆଦିର ଆୟୋଜନକ୍ରମେ ଶତାଧିକ ଛାତ୍ରଙ୍କୁ ସହସ୍ରାଧିକ ସଂଖ୍ୟାରେ ଉତ୍ତୀର୍ଣ୍ଣ କରେଇଥିଲେ। ସେତେବେଳେ, ଚାଷ କରିବାକୁ ମନସ୍ଥ କରିସାରିଥିବା ଦାସିଆ ଅଜା ୬-୭ ଏକରର ଜମିରେ ଖୁଣ୍ଟା ତକ (ବଳକା ଚେର ଓ ଗଛଗଣ୍ଡି ସବୁ) ତାଡି ସେ “ଖୁଣ୍ଟାତଡା ରଜା” ରୂପେ ଅଭିହିତ ହୋଇଥିଲେ। ସେ କିଛି କାଳ ପାଇଁ “କଳିଙ୍ଗ” ନାମିତ ଏକ ସମ୍ଵାଦପତ୍ରରେ ସାମ୍ବାଦିକତା କରିଥିଲେ ମଧ୍ଯ ସେ ପରବର୍ତ୍ତୀ ସମୟରେ ସେଥିରୁ ବ୍ଯାହତ ହୋଇଥିଲେ।

ସେ ସ୍ଵୟଂ କହନ୍ତି ଯେ ଖରାବେଳେ ଖୁଣ୍ଟାତାଡି ସବୁ ଶୋଇଲା ସମୟରେ ଧାଡିଏ ପଦିଏ ନପଢିଲେ ଆଖିକି ତନ୍ଦ୍ରା ଆସେନି କି ଉପର ଓଳି କାମ ତକ ବି ସେମିତି ରହିଯାଏ। ସେତେବେଳେ ତାଙ୍କ ଗ୍ରାମରେ କିଛି ବହି ବି ନଥାଏ ସେମିତି, ହେଲେ ଚାରିପଟରୁ ସବୁ ପୋଥିପତ୍ର ଆଣି ସାଙ୍ଗେ ସାଙ୍ଗେ ପଢି ସାରିଦିଅନ୍ତି। ସେହି ସମୟରେ ସେ ଯେଉଁ ପରିକଳ୍ପନା କରିଥିଲେ, ସେଥିରୁ ତାଙ୍କର କୃଶଦେହରେ ଥିବା କୃଚ୍ଛ୍ର ସାଧନାର ସ୍ପୃହା ବାରି ହୋଇପଡେ। ଯାହାକୁ ଭେଟୁଥିଲେ କି କୌଣସି ଲେଖକଙ୍କୁ ଭେଟିବେ କେବଳ ଚାରି ପଇସା କି ଦଶ ପଇସା ଯେମିତି ହେଲେ ଯାଚନା କରିବେ। ୧୯୫୯ରୁ ୧୯୯୭ ମସିହାର ଦୁର୍ଲ୍ଲଭ ଖବରକାଗଜ ଏହି ପାଠାଗାରରେ ସଂରକ୍ଷିତ।

୧୯୭୩ ମସିହାରେ ସେ ପ୍ରତିଷ୍ଠା କରିଥିଲେ “ଅରବିନ୍ଦ ସଂଗ୍ରହାଳୟ“। ଭାଇବୋହୂ ପ୍ରଦତ୍ତ କେତେକ ପୁରାତନ ମୁଦ୍ରାରୁ ଆରମ୍ଭ ହୋଇ ଏହାର ବିସ୍ତୃତି ଖପରା, ଗୋଡି, ପଥର, ଦେଶ ବିଦେଶର ପ୍ରାଚୀନ ମୁଦ୍ରା, ପାଇକମାନଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର, ତୋପ, ଅଳଙ୍କାର ବିଶେଷ, ହସ୍ତଶିଳ୍ପ, ବୟନଶିଳ୍ପ, ପ୍ରାଚୀନ ମୂର୍ତ୍ତି, ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଫଟୋଚିତ୍ର, ଡାକ ଟିକେଟ, ବିଭିନ୍ନ ଦେଶର କାଗଜ ନୋଟ୍, ଚିଠିପତ୍ର, ସେମାନଙ୍କ ବ୍ୟବହୃତ ସାମଗ୍ରୀ, ସାମୁଦ୍ରିକ ଜୀବମାନଙ୍କ ଜୀବାଶ୍ମ, ମାନଚିତ୍ର, କଣ୍ଢେଇ, ଓଜନ ଓ ମାପ ପ୍ରଣାଳୀ, ବିଭିନ୍ନ ପ୍ରତିକୃତି ସହ ପୋଥି ଆଦି ୩୯ ଭଳି ବିଭାଗର ସ୍ଥାପନା ହୁଏ। ଏଥି ସହ ସେ ପରିଣତ ବୟଃପ୍ରାପ୍ତ ହେବା ବେଳକୁ ଉତ୍କଳଘଣ୍ଟ ଯଦୁମଣିଙ୍କ ନାମରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଛନ୍ତି। ଏହା ଥିଲା ଯେପରି ଏକ ଜାତୀୟ ତୀର୍ଥକ୍ଷେତ୍ର ।

ତାଙ୍କର ଅମଳିନ ଚିନ୍ତା ଥିଲା –
“ମଣିଷ ଆପଣା ଧନ ପର,
ଯେତେ ପାରୁଛ ମଣିଷ ଧର।”

ସେ ରହିଯାଇ ନାହାନ୍ତି। ଅକ୍ଷରଶିକ୍ଷା ପାଇଁ ସେ ଅର୍ଥଭିକ୍ଷାଟନକୁ ସୁଦ୍ଧା ଅବଲମ୍ବନ କରିବାରେ କୁଣ୍ଠାବୋଧ କରିନାହାନ୍ତି। ଗରିବ ଛାତ୍ରମାନଙ୍କୁ ପଢେଇବା ପାଇଁ, ଦୁଃସ୍ଥ କଳାକାରଙ୍କୁ ସାହାଯ୍ୟ ଦେବା ସହ ସାହିତ୍ୟିକଙ୍କୁ ଆର୍ଥିକ ଅନୁଦାନ ପାଇଁ ଛୋଟ ପିଲାଠୁ ନେଇ ପ୍ରତିପତ୍ତିଶାଳୀଙ୍କ ଆଗରେ ହାତ ପାତିଛନ୍ତି । ଯେତିକି ପାଇଲେ ପ୍ରାପ୍ଯ ସବୁ ପୋଷ୍ଟ ଅଫିସ୍ ନହେଲେ ବ୍ୟାଙ୍କ ଆକାଉଣ୍ଟରେ ଅଲଗା ଅଲଗା ଜମା କରି ରଖନ୍ତି। ମାତ୍ର, ସେ ଆଜିଯାଏ କାହାରି ଘର ଦୁଆରକୁ ପ୍ରକାଶ୍ୟରେ କେବେ ମାଡିନାହାନ୍ତି।

ଜାତି ପାଇଁ ଆଜୀବନ ସମର୍ପିତ ତଥା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ଏହି ମହାନ୍ ବ୍ୟକ୍ତିତ୍ଵଙ୍କ ଶେଷ ସମୟ ଥିଲା ସବୁଠାରୁ କରୁଣ ଓ ମର୍ମନ୍ତୁଦ ! ୧୯୯୭ ମସିହା ସେପ୍ଟେମ୍ବର ୧୨ ତାରିଖରେ ସେଇ ମହାନ ସଂଗ୍ରାହକ, ସଂରକ୍ଷକ, ସାରସ୍ଵତ ସାଧକ ଦାସିଆ ଅଜାଙ୍କର  ଜୀବନର ଅବସାନ ଅନେକଙ୍କୁ ସ୍ତବ୍ଧ କରିଥିଲା।

୨୪ ଡିସେମ୍ବର ୧୯୮୮ ମସିହାରେ ସେ ନିଜ ଶେଷ ଇଚ୍ଛା ବର୍ଣ୍ଣନା କରି କହିଥିଲେ ଯେ ତାଙ୍କର ଦେହାନ୍ତ ଯେଉଁଠି ହେବ, ସେଇଠି ହିଁ ତାଙ୍କ ସମାଧି ହେବ ଏବଂ ଯେତିକି ଧନ ସମ୍ପତ୍ତି ତାହା ସବୁ ପରିବାର କି ତାଙ୍କ କ୍ରିୟାନୁଷ୍ଠାନ ପାଇଁ ବିନିଯୋଗ ନ କରି ତାଙ୍କ ପ୍ରାଣପ୍ରିୟ ଅନୁଷ୍ଠାନ ମାନଙ୍କ ନିମନ୍ତେ ବ୍ୟୟ କରିବା ପାଇଁ ନିବେଦନ କରିଥିଲେ। ବର୍ତ୍ତମାନ ତାଙ୍କର ସେହି ତିନୋଟି ବୃହତ୍ ଅନୁଷ୍ଠାନ ଦାଶରଥି ପଟ୍ଟନାୟକ ଫାଉଣ୍ଡେସନ ଟ୍ରଷ୍ଟ୍ ନାମରେ ଗଠିତ ହେବା ସହ ତାଙ୍କର ସଂଗ୍ରହାଳୟକୁ ରାଜ୍ଯ ସରକାର ସଂରକ୍ଷିତ କରିବା ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ ସୁଦ୍ଧା ପୂର୍ବବତ୍ ଚଳଚଞ୍ଚଳ ଥିବାର ଦେଖାଯାଏ ନାହିଁ।

Leave a Comment

Your email address will not be published. Required fields are marked *

Scroll to Top