ଲେଖା: ଅମୃତେଶ ଖଟୁଆ
ଭାରତବର୍ଷରେ ସାମାଜିକ ବିକାଶର ଧାରାରେ ଓଡ଼ିଆ ମାଟିର ତୁଳସୀ ମୁଣ୍ଡା !
ଆଜିର ସମ୍ଭ୍ରାନ୍ତ ବିଶ୍ଵରେ ସମସ୍ତେ ଯେତେବେଳେ ପ୍ରଗତିଶୀଳତାର ବ୍ୟାଖ୍ୟା କରନ୍ତି, ସେତେବେଳେ ତାଙ୍କ ଚାକ୍ଷୁସ ହୁଏ କେବଳ ଆର୍ଥିକ ମେରୁଦଣ୍ଡର ସିଧାସଳଖ ଚିତ୍ର ତ କେତେବେଳେ ଉଚ୍ଚାଟିତ ନଭଶ୍ଚୁମ୍ଭୀ ଅଟ୍ଟାଳିକାମାନ। ଏଥିରେ ଦେଖନ୍ତି ସେମାନେ ଆଧୁନିକତାର ସଚିତ୍ର ପ୍ରଗତିଶୀଳତା, ସ୍ଵାଚ୍ଛନ୍ଦ୍ୟର ନିରୁଦବିଗ୍ନ ଫଳକ ! ହେଲେ, ନଥାଏ ସେଥିରେ ଭବିଷ୍ୟତକୁ ଆଦର୍ଶ ନତୁବା ବର୍ତ୍ତମାନକୁ ଗଢିବାରେ ଏହାର ଉପଜୀବ୍ୟ। ପ୍ରଗତିଶୀଳତା ସେତେବେଳେ ଉଦ୍ରେକ ହୋଇଛି ଯେତେବେଳେ ଜନମାନସରୁ ଲିଭିଛି ଅତିରଞ୍ଜିତ ସାମାଜିକ ଚେତନା ଏବଂ ଆରମ୍ଭ ହେଇଛି ବର୍ତ୍ତମାନରୁ ଉତ୍ତରିତ ପିଢିକୁ ଆଦର୍ଶଗାମୀ କରେଇବାର ଯୁଗାନ୍ତକାରୀ ସମୁଦ୍ୟମ !
ଆମ ଭାରତବର୍ଷର ବାପୁ ମହାତ୍ମା ଗାନ୍ଧୀ ଥରେ କହିଥିଲେ – “I have not conceived my mission to be that of a knight-errant wandering everywhere to deliver people from difficult situations. My humble occupation has been to show people how they can solve their own difficulties. କେବଳ, ସୁଖସ୍ଵାଚ୍ଛନ୍ଦ୍ୟର ସକୁଶଳ କାମନା କରି ଲୋକଙ୍କୁ ବୁଲି ବୁଲି ବୋଇଲେ ହୋଇନଥାଏ, ପରିବର୍ତ୍ତନ ତ ସେତେବେଳେ ଆଗତ ହୁଏ, ଯେତେବେଳେ ଜଣଙ୍କ ସଂଘର୍ଷସଙ୍କୁଳ ଜୀବନରେ “ଜୀବନ”ର ପ୍ରକୃତ ମହତ୍ତ୍ଵକୁ ଉପଲବ୍ଧି କରିପାରିବେ।
ପୁନର୍ବାର ସେ କହିଛନ୍ତି, “ପ୍ରାକ୍ତନ ଇତିହାସର ଭୃତ୍ୟଗଣ ଜାଣିନଥିଲେ ଯେ ସେମାନେ ମୁକ୍ତିର ଆସ୍ଵାଦନ କରିପାରିବେ। ଭାରତୀୟ ନାରୀଙ୍କ ଅବସ୍ଥା ମଧ୍ୟ ତଦନୁରୂପ – ସେମାନଙ୍କୁ ଶିଖାଇ ଦିଆଯାଏ ଯେ ସେମାନେ ନିଜକୁ ପୁରୁଷର ଦାସତ୍ବ ଗ୍ରହଣ କରିବେ। ନାରୀମାନଙ୍କୁ ସେମାନଙ୍କ ଆତ୍ମ-ମର୍ଯ୍ୟାଦା ବିଷୟରେ ସଚେତ କରାଇବା ସହ ତାଙ୍କର ପୁରୁଷଙ୍କ ସମକକ୍ଷ ସ୍ଵାଧୀନତା ଥିବାର ବୋଧ କରାଇ ସାମାଜିକ କାର୍ଯ୍ୟରେ ମନୋନିବେଶ କରାଅ।”
ଗୁଜୁରାତୀରେ “ତ୍ୟାଗମୂର୍ତ୍ତି” ନାମକ ପୁସ୍ତକରେ ସିଏ ଉଲ୍ଲେଖ କରିଛନ୍ତି – “Any foreigner who examines our society dispassionately will admit that the laws and the customs confer on our women a very inferior status. This is fundamentally wrong and it will have to be fundamentally altered . . . ” ଆଉ ଏହାର ଏକ ଦୃଷ୍ଟାନ୍ତ ଥିଲା “SEWA”(୧୯୬୯) ଅଭିଯାନ – ଆଜିର ସ୍ଵୟଂ ସହାୟକ ଗୋଷ୍ଠୀ (SHG) ପୂର୍ବରୁ ଜଣେ ଟ୍ରେଡ୍ ୟୁନିଅନିଷ୍ଟ୍ ଶ୍ରୀମତୀ ଇଲା ଭଟ୍ଟଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବା ଏକ ବଦାନ । ଏହା ଥିଲା Self-Employed Women’s Association” ! ଦରିଦ୍ର, ଅନ୍ତ୍ୟଜ ତଥା ମହିଳା ଶ୍ରମଜୀବୀଙ୍କୁ ଆତ୍ମନିର୍ଭରଶୀଳ କରେଇବା ପାଇଁ ଏହାର ପ୍ରଧାନ ଓ ପ୍ରାଥମିକ ଲକ୍ଷ୍ୟ।
ସ୍ଵାଧୀନୋତ୍ତର ଶ୍ରମଜୀବୀଙ୍କୁ ଉତ୍ପୀଡନରୁ ରକ୍ଷା କରିବା ସହ ଅର୍ଥନୈତିକ ବ୍ୟବଧାନକୁ ହ୍ରାସ କରାଇବା ସେତେବେଳେ ସମସ୍ତଙ୍କ ପାଇଁ ଏକ ସମସ୍ୟା। ଆଉ ସେତେବେଳେ ଅନେକ ନିରକ୍ଷର ଲୋକଙ୍କୁ ତଥା ପ୍ରୌଢ଼ ଶିକ୍ଷାର ବ୍ୟବସ୍ଥାର ଲୋଡା ହେଇଥିଲା। ଏଥି ସହ ପାରିବାରିକ ସମସ୍ୟା ଏବଂ ଗୃହକର୍ମୀମାନଙ୍କ ଅବ୍ୟବସ୍ଥିତ କାର୍ଯ୍ୟଶୈଳୀ ସେତେବେଳେ ପାରିବାରିକ ସମସ୍ୟାକୁ ଜଟିଳତର କରିପକେଇଥାଏ। ଏବଂ ନାବାଳିକା, ସ୍ତ୍ରୀଲୋକ, ଶ୍ରମଜୀବୀମାନଙ୍କ ଦୁରବସ୍ଥାଙ୍କ ସମାଧାନ ପାଇଁ ଏହିପରି ଅନେକ ଅଭିଯାନ ଆରମ୍ଭ ହୁଏ । ଆଉ ଏଥି ସହ ବିନୋବା ଭାବେଙ୍କ ଆବିର୍ଭାବ ଓ ଭୂଦାନ ଆନ୍ଦୋଳନ ସମଗ୍ର ଭାରତବର୍ଷରେ ଚର୍ଚ୍ଚିତ ହୋଇଛି।
ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ଠାରୁ ବର୍ତ୍ତମାନ ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ପାଇଁଁ ତାଙ୍କ ଅତୁଳ ଅବଦାନ, ତାଙ୍କ ମହୀୟସୀ ବିଜୟୋଦ୍ଦୀପ୍ତା ସେବା ତାଙ୍କୁ ପଲ୍ଳୀରୁ ଟାଣି ଆଣିଛି ଦେଶ ଦେଶାନ୍ତର ମଣ୍ଡଳେ। ନାମ ତାଙ୍କ ତୁଳସୀ ମୁଣ୍ଡା, ସ୍ନେହସ୍ନିଗ୍ଧା ତୁଳସୀ ଅପା। ସେ ବିନୋବା ଭାବେଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭୂଦାନ ଆନ୍ଦୋଳନରେ ମାତ୍ର ୧୪ ବର୍ଷ ବୟସରେ ସାମିଲ ହୋଇଥିଲେ । ତୁଳସୀ ମୁଣ୍ଡା କେଉଁଝରର ଅଦୂରବର୍ତ୍ତୀ କାଇଁଶି ଗ୍ରାମରେ ୧୫ ଜୁଲାଇ ୧୯୪୭ରେ ଜନ୍ମଗ୍ରହଣ କରିଥିଲେ।
ଓଡ଼ିଶାର କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ସେରେଣ୍ଡା ଗ୍ରାମରେ ସେ ଜନ୍ମିତା । ତାଙ୍କ ବାପାଙ୍କ ନାମ ଚରଣ ମୁଣ୍ଡା ଓ ମାଙ୍କ ନାମ ଘାସ ମୁଣ୍ଡା । ବାପା ଗାଁର ଚଉକିଆ ଥିଲେ । ପିଲାଟି ଦିନରୁ ବାପା ଚାଲିଯାଇଥିଲେ । ସାତ ଭାଇ ଉଭଣୀଙ୍କ ମଧ୍ୟରେ ସେ ସବୁଠାରୁ ସାନ । ବଡ଼ ଭାଇ ଭଉଣୀମାନେ ଖଣି ଖାଦାନରେ କାମ କରୁଥିଲେ । ପେଟ ପୋଷିବା ପାଇଁଁ ତାଙ୍କୁ ମଧ୍ୟ ଏକ ଖାଦାନରେ କାମ କରିବାକୁ ପଡ଼ିଥିଲା । ଯେତେବେଳେ ସେ ମାତ୍ର, ୧୨ ବର୍ଷ ବୟସର ନିଜ ବଡ଼ ଭଉଣୀ ସଙ୍ଗେ କେନ୍ଦୁଝରର ସେରେଣ୍ଡା ଠାରେ ରହି ସପ୍ତାହକୁ ଟ ୨ /- ପାଉଥିଲେ।
ସମକାଳରେ ଅନ୍ୟମାନେ ଯେତେବେଳେ ଛେଳି ଚରାବନ୍ତେ କୁଟୁମ୍ଵ ପୋଷଣ କରୁଥାଆନ୍ତି, ସେତେବେଳେ ପାଠପଢିବାର ସ୍ପୃହା ଥିଲେ ମଧ୍ୟ ତାଙ୍କୁ ଅନେକ ବାଧା ଦ୍ଵାରା ସମ୍ମୁଖୀନ ହେବାର ଥିଲା ତେବେ ତାଙ୍କ କାଇଁଶି ଗ୍ରାମରେ କୌଣସି ବିଦ୍ୟାଳୟ ନଥିବା ହେତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ପାଠ ପଢ଼ିବାର ଆଗ୍ରହ ଦେଖି ଖଣି ମ୍ୟାନେଜର ତାଙ୍କୁ ଇଂରାଜୀ ଶିଖାଇଥିଲେ । କାରଣ, ସେତେବେଳେ ତାଙ୍କ ଗାଁରେ ଅଧିକାଂଶ ଥିଲେ ନିରକ୍ଷର ଓ ବିଦ୍ଯାଳୟର ସରଞ୍ଜାମ ନଥାଏ।
୧୯୬୩ ମସିହାରେ ସନ୍ଥ ବିନୋବା ଭାବେ ଓଡ଼ିଶା ଆସିଥିଲେ । ଅସହାୟ ଗରିବଙ୍କ ପାଇଁ ବିନୋବା ତାଙ୍କର ଜମି ଦାନ କରିଦେଇଥିଲେ । ତାଙ୍କଦ୍ୱାରାତୁଳସୀ ମୁଣ୍ଡା ଅନୁପ୍ରେରିତ ହୋଇଥିଲେ । ଭୂଦାନ ଆନ୍ଦୋଳନ ପାଇଁ ଆୟୋଜିତ ଶାନ୍ତି ସୈନିକ ତାଲିମ ପାଇଁଁସେ ମଧ୍ୟପ୍ରଦେଶ ଚାଲିଯାଇଥିଲେ । ସେହିଠାରୁ ତାଙ୍କ ସମାଜସେବା ଆରମ୍ଭ ହେଲା। ସେଠାରେ ଓଡ଼ିଶାର ଅନ୍ନପୂର୍ଣ୍ଣା ଦାଶ, ନିର୍ମଳା ଦେଶପାଣ୍ଡେଙ୍କ ସହ କାମ କରିଥିଲେ ।
ତାଲିମ ନେଇ ନିଜ ଗ୍ରାମକୁ ଫେରିବା ପରେ ଅଞ୍ଚଳର ଖଣି ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କ ପିଲା ଶିକ୍ଷାର ଆଲୋକରୁ ଅତି ଦୂରରେ ଥିବା ତୁଳସୀ ମୁଣ୍ଡା ଦେଖିଥିଲେ। ଓଡ଼ିଶା ଫେରିବା ପରେ ସମାଜସେବୀ ମାଳତୀ ଚୌଧୁରୀ, ରମାଦେବୀ, ନିର୍ମଳା ଦେଶପାଣ୍ଡେଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଜୀବନର ଦିଗରେ ପରିବର୍ତ୍ତନ ହୋଇଥିଲା। ଯୋଡ଼ା, ବଡ଼ବିଲ ଅଞ୍ଚଳର ଖଣିରେ କରୁଥିବା ଶ୍ରମିକମାନଙ୍କ ପିଲାମାନେ ଅର୍ଥାଭାବରୁ ପାଠପଢ଼ି ପାରୁନଥିଲେ।
ଏହି ପିଲାମାନଙ୍କୁ ନିଃଶୁଳ୍କ ପାଠ ପଢ଼ାଇବା ପାଇଁଁ ସେ ସ୍ଥିର କରିଥିଲେ । ସେତେବେଳେ ସାମାଜିକ ଧାରଣା ଅନୁସାରେ ପୁଅମାନେ ଚାଷବାସ କରି ରୋଜଗାର କରିବା ଏବଂ ଝିଅ ସବୁବେଳେ ସମ୍ଭ୍ରାନ୍ତ ଘରେ ବଢିବାର ଧାରା ରହିଥିଲା। ମାତ୍ର, ଏସବୁ ସଂକୀର୍ଣ୍ଣତାକୁ ଭ୍ରୂକ୍ଷେପ ନ କରି ୧୯୬୪ ମସିହାରେ ସେରେଣ୍ଡାକୁ ଫେରି ଗାଁ ପ୍ରଧାନଙ୍କ ସହାୟତାରେ ଏକ ସ୍କୁଲ ଆରମ୍ଭ ହୋଇଥିଲା । ସେତେବେଳେ ଆଦିବାସୀ ଗାଁରୁ ୩୦ ଜଣ ପିଲା ଆସିବା ପରେ ସେ ସାନ୍ଧ୍ୟ ବିଦ୍ୟାଳୟ ରୂପେ ଏହାକୁ ଅଗ୍ରସର କରାଇ ପାରିଥିଲେ।
ଆଉ ଏହି ସ୍କୁଲରେ ପିଲାମାନଙ୍କୁ ପଢେଇବା ପାଇଁ କେତେବେଳେ ତୁଳସୀ ମୁଣ୍ଡା ଘର ଘର ବୁଲି ହାତ ପାତିଛନ୍ତି ତ କେତେବେଳେ ‘ମୁରି’ ଓ ଅନ୍ୟାନ୍ଯ ପନିପରିବା ବିକ୍ରି କରି ଅର୍ଥବୃଦ୍ଧି କରିଥିଲେ। ତୁଳସୀ ମୁଣ୍ଡା ୧୯୬୬ ମସିହାରେ ଏକ ମହୁଲ ଗଛ ମୂଳରେ ମୁକ୍ତ ଶିକ୍ଷା ଦାନ ଆରମ୍ଭ କରିଥିଲେ । ‘ଉତ୍କଳ ନବଜୀବନ ମଣ୍ଡଳ’, ‘ଉତ୍କଳ ସବୋଦୟ ମଣ୍ଡଳ’, ‘ଗାନ୍ଧୀ ସ୍ମାରକ ନିଧି’, ‘ବନବାସୀ ସେବା ସମିତି’, ‘ଜନସଚେତନା ମଣ୍ଡଳ’, ‘ମା’ ରମାଦେବୀ ଗ୍ରାମ ସଂଗଠନ’ ଓ ‘ରେଡକ୍ରସ’ ସହ ତୁଳସୀ କାମ କରଛନ୍ତି । ଅନ୍ତର୍ଜାତୀୟ-ସ୍ତରରେ ଆମେରିକାର ‘ଇଣ୍ଡିଆ ଲିଟେରାସି ପ୍ରୋଜେକ୍ଟ୍’, ‘ଜର୍ମାନୀ ଇ.ଜେଡ୍.ଇ’ ସଂସ୍ଥା ଓ ‘ସୁଇଡେନ୍ ଆଲବମ୍’ ସଂସ୍ଥା ସହ ସେ କାମ କରିଛନ୍ତି।
ତୁଳସୀ ଅପା କହୁଥିଲେ – “ମୁଁ ନିରକ୍ଷର ଥିଲି ଆଉ ବହି ଭିତରର ପାଠ ବିଷୟରେ ମୁଁ କିଛି ବି ଜାଣିନଥିଲି। କିନ୍ତୁ, ଶିକ୍ଷା ସମ୍ପର୍କରେ ମୁଁ ବେଶ୍ ସଚେତ ହେଇ ଆସୁଥିଲି ଆଉ ମୋର ମଧ୍ୟ ସମ୍ଯକ୍ ସାଧ୍ୟ ଥିଲା ଯେ ମୁଁ ସେହି ମାତ୍ରାରେ ଶିକ୍ଷାର ପ୍ରାୟୋଗିକ ମୂଲ୍ୟକୁ ବୁଝିପାରିଛି।”
ଅନୁଭୂତିରୁ ସେ ଥରେ ଏକ ସାକ୍ଷାତକାରରେ କହିଥିଲେ – “ସ୍ଵତଃ ପ୍ରବୃତ୍ତ ସେମାନେ ଆସୁଥା’ନ୍ତି। ସବୁ ଲକ୍ଷ୍ୟ ଯେପରି ସାଧିତ ହେଇ ଯାଉଥାଏ, ଯେତେବେଳେ ସ୍ଵୟଂ ପିଲାମାନେ ନିଜ ପକ୍ଷରୁ ପଢା ଦେୟ ଦେଇ ଦେଉଥିଲେ – ଆଉ ତାହା ଆମ ଅଭିଯାନର ଏକ ଉଲ୍ଲେଖନୀୟ ଦୃଶ୍ୟ। ସମ୍ଭ୍ରାନ୍ତ ଶିଳ୍ପାନୁଷ୍ଠାନ ସମେତ ଅନେକ ବୈଦେଶିକ ଦାତବ୍ୟ ଏଜେନ୍ସିମାନଙ୍କ ପକ୍ଷରୁ ଅନୁଦାନ ଆସୁଥାଏ।”
ସେତେବେଳେ ସେ ହଷ୍ଟେଲ୍ ମେସ୍ ପାଇଁ ୨୦୦ ଟଙ୍କା ନିର୍ଦ୍ଧାରଣ କରିଥିଲେ, ଯାହାକି ଆର୍ଥିକ ରୂପେ ସକ୍ଷମ ଥିବଖ ପିଲାମାନେ ଦେଉଥିଲେ। ତାଙ୍କ ଉତ୍ସାହ ଦେଖି ଗ୍ରାମବାସୀମାନେ ତାଙ୍କୁ ସହଯୋଗ କରିଥିଲେ । ତୁଳସୀ ଅପାଙ୍କ ଅନୁରୋଧରେ ସେତେବେଳେ ପାହାଡ କଟାଯାଇ ସ୍କୁଲ ଗଢିବା ପାଇଁ ଛଅ ମାସ ଲାଗିଯାଇଥାଏ। ଆଉ ତାଙ୍କର ପ୍ରଚଣ୍ଡ ଅଧ୍ୟବସାୟ ଓ ଇଚ୍ଛାଶକ୍ତି ଆଗରେ ସେ ଗଢିଦେଇଥିଲେ ସତରଟି ବିଦ୍ୟାଳୟ ଏବଂ ତାଙ୍କ ବିଦ୍ୟାଳୟରେ ପଢୁଥିଲେ ଅନ୍ୟୂନ ୨୦,୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ।
ଏହି ପିଲାମାନଙ୍କ ପାଇଁଁ ସେ ‘ଆଦିବାସୀ ବିକାଶ ମଞ୍ଚ’ ନାମକ ଏ ସଂଗଠନ ଗଠନ କରିଥିଲେ । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପିଲାମାନେ ମାଗଣାରେ ପାଠ ପଢ଼ୁଛନ୍ତି । ଆଜି ଓଡ଼ିଶାର ପ୍ରାୟ ୪,୦୦୦ରୁ ୫,୦୦୦ ଆଦିବାସୀ ପିଲା ଏହି ସ୍କୁଲରେ ପାଠ ପଢ଼ୁଛନ୍ତି । ଏବଂ ସବୁଠାରୁ ବଡ଼ ବିଶେଷତ୍ଵ ଥିଲା ଯେ ଏହି ବିଦ୍ଯାଳୟରେ ଅଧିକାଂଶ ଥିଲେ ଛାତ୍ରୀବର୍ଗର, ଯାହା ପାଇଁ ତାଙ୍କର ଅଭିଯାନ କ୍ରମେ ଶିକ୍ଷାକ୍ଷେତ୍ରରେ ଏକ ଅନଗ୍ରସର ଅଞ୍ଚଳରୁ ଆରମ୍ଭ ହୋଇ ସମଗ୍ର ଭାରତରେ ଏକ ନୂତନ ଉନ୍ମାଦ ସୃଷ୍ଟି କରିପାରିଥିଲା।
ଆଜିର ଶିକ୍ଷା ବ୍ୟବସ୍ଥାକୁ ତୁଳସୀ ମୁଣ୍ଡା ଦର୍ଶାଇଛନ୍ତି – “ଲୋକ କେବଳ ଚାକିରୀ ପାଇବା ପାଇଁ ପାଠ ପଢନ୍ତି। କିନ୍ତୁ, ଏହି ଦପ୍ତରମୁଖୀ ଆଭିମୁଖ୍ୟ ପୁନଶ୍ଚ ସେମାନଙ୍କୁ ଏକପ୍ରକାରର ଦାସତ୍ଵକୁ ଠେଲି ଦିଏ। ସେ ନିଜ ମାଲିକଙ୍କ ସହ ବନ୍ଧା ରହନ୍ତି ଏବଂ ତାଙ୍କୁ ଦୈନନ୍ଦିନ ଜୀବନର ଶତ୍ରୁସୁଲଭ କରିଦିଏ। ମଣିଷର ମୁଣ୍ଡରେ ଶିକ୍ଷାର ଇଚ୍ଛା ଥିଲେ ମଧ୍ୟ ଭୟ ଓ ଅନ୍ଧାର ଏବେ ବି ଘୋଟି ରହିଛି।
ଏଥି ପୂର୍ବରୁ ୧୯୮୧ ମସିହାରେ ସମାଜ ସେବା ପାଇଁଁ ବରପାଲି ମ୍ୟୁନିସିପାଲଟି ଦ୍ୱାରା, ୧୯୯୭ ମସିହାରେ “ସାହିତ୍ୟ ସଂସ୍କୃତି ପରିଷଦ, ଯୋଡ଼ା” ଦ୍ୱାରା, ୧୯୯୮ ମସିହାରେ “ଭାରତୀୟ ଆଦିମଜାତି ସେବା ସଂଘ” ଦ୍ୱାରା, ୧୯୯୯ ମସିହାରେ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଦ୍ୱାରା “ସ୍ୱାଭିମାନ ସମ୍ମାନ”, ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ “ସାହସୀ ମହିଳା ସମ୍ମାନ”, ୨୦୦୧ ମସିହାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ପାଇଥିଲେ।
ଏହା ସହ ତୁଳସୀ ମୁଣ୍ଡା ୨୦୦୮ ମସିହାରେ “କାଦମ୍ବିନୀ ସମ୍ମାନ”, ୨୦୦୯ ମସିହାରେ ନୂଆଦିଲ୍ଲୀରେ “ଲକ୍ଷ୍ମୀପାଟ ସିଘାଂଣିଆ ନ୍ୟାସନାଲ ଲିଡରସିପ୍” ସମ୍ମାନ, ୨୦୧୧ ମସିହାରେ ସମାଜସେବାରେ ଉତ୍କୃଷ୍ଟତା ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା “ଓଡ଼ିଶା ଲିଭିଂ ଲେଜେଣ୍ଡ୍” ସମ୍ମାନ, ୨୦୧୪ ମସିହାରେ ସିଏନ୍ଏନ୍ ଆଇବିଏନ୍ଠାରୁ “ସିନିୟର ସିଟିଜେନ୍” ଆଓ୍ବାର୍ଡ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି।
ମୁଣ୍ଡାଙ୍କ ଜୀବନୀ ଉପରେ ଅମୀୟ ପଟ୍ଟନାୟକ ତୁଳସୀ ଅପା ନାମରେ ଓଡ଼ିଶାର ପ୍ରଥମ ଜୀବନୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହା ୨୦୧୭ ମସିହା ମଇ ୧୯ ତାରିଖ ଦିନ ମୁକ୍ତିଲାଭ କରିଥିଲା । ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଏହା ପର୍ଯ୍ୟବେସିତ । ୨୦୧୬ ମସିହା ଅକ୍ଟୋବର ୩୦ ତାରିଖରେ ଇରାନ୍ ରାମସରଠୋର ତେହରାନ ଜସ୍ମିନ୍ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ତୁଳସୀ ଅପା ପ୍ରର୍ଦଶିତ ହୋଇଥିଲା।
ଓଡ଼ିଶାର ଏକମାତ୍ର ଚଳଚ୍ଚିତ୍ର ଭାବେ ତୁଳସୀ ଅପା ଏହି ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା । ୨୦୧୬ ମସିହା ଅକ୍ଟୋବରରେ ଅନୁଷ୍ଠିତ ସିମଲା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ‘ତୁଳସୀ ଅପା’କୁ ଶ୍ରେଷ୍ଠ ଫିଚର ଫିଲ୍ମର ସମ୍ମାନ ମିଳିଥିଲା।