ତାପ୍ତୀ

ଲେଖା: ଶିଶିର ସାହୁ ମନୋଜ

ପଶ୍ଚିମ ଭାରତରେ ଗୋଦାଵରୀ ଓ ନର୍ମଦା ନଦୀର ମଧ୍ୟଭାଗରେ ପ୍ରଵାହିତ ହେଉଥିଵା ପ୍ରଶିଦ୍ଧ ପଶ୍ଚିମମୁଖା ନଦୀକୁ ତାପ୍ତୀ ନାମରେ ଜଣାଯାଏ । ଏହି ତାପ୍ତୀ ନଦୀକୁ ତପତୀତାପୀ ନଦୀ ମଧ୍ୟ କୁହନ୍ତି । ଏହି ନଦୀ ମଧ୍ଯପ୍ରଦେଶ ରାଜ୍ଯ ଅନ୍ତର୍ଗତ ଵୈତୂଲ୍ ଉପଖଣ୍ଡର ମୁଲତାଈ ନାମକ ସ୍ଥାନରୁ ସାତପୁଡ଼ା ପର୍ଵତରୁ ବାହାରି ପଶ୍ଚିମମୁଖା ହୋଇ ମହାରାଷ୍ଟ୍ରର ଖାନଦେଶୀ ମାଳଭୂମି ଏଵଂ ଗୁଜରାତ ସୁରତର ସମତଳଭୂମି ପାର କରି କାମ୍ଵେ ଉପସାଗରରେ ମିଶିଛି । ପୌରାଣିକ କଥାନୁସାରେ ଯମୁନା ଓ ତାପ୍ତୀ ଭଗଵାନ ସୂର୍ଯ୍ୟଙ୍କ କନ୍ଯା ତଥା ଯମଙ୍କ ଭଗିନୀ ଥିଲେ ।

ଶ୍ରୀଵିଷ୍ଣୁପୁରାଣରେ ତାପ୍ତୀ ନଦୀ ଵିଷୟରେ ଏପରି କୁହାଯାଇଛି;
“ତାପୀ ପୟୋଷ୍ଣୀ ନିର୍ଵ୍ଵିନ୍ଧ୍ଯା କ୍ଷିପ୍ରା ଚ ଋଷଭା ନଦୀ ।
ବିନ୍ଧ୍ଯପାଦପ୍ରସୂତାସ୍ତାଃ ସର୍ଵ୍ଵାଃ ଶୀତଜଳାଃ ଶୁଭାଃ ॥”

ସେଇପରି ଅନ୍ଯ ଏକ ସ୍ଥାନରେ ତାପ୍ତୀ ନଦୀର ମହିମା ଗାନ ପୂର୍ଵକ କୁହାଯାଇଛି;
“ତାପୀ ତାପା ଚ ଗୋଲୋମୀ ଗୋମତୀ ଶାଳିତା ମହୀ ।
ସରସ୍ଵତୀ ଯୁତା ନଦ୍ଯୋ ନର୍ମ୍ମଦା ପଶ୍ଚିମାନୁଗାଃ ॥
ଆସାଂ ଜଳଂ ଘନଂ ଶୀତଂ ପିତ୍ତଘ୍ନଂ କଫକୃତ୍ତଥା ।
ଵାତଦୋଷ ହରଂ ହୃଦ୍ଯଂ କଣ୍ଡୁକୁଷ୍ଠଵିନାଶନମ୍ ॥”

ତାପ୍ତୀ ନଦୀକୁ ପଶ୍ଚିମ ଭାରତର ଲୋକେ ତାପୀ କୁହୁଥିଲାଵେଳେ ଓଡ଼ିଆ ପ୍ରାଚୀନ ପୁରାଣଗ୍ରନ୍ଥରେ ଏହାକୁ ତପତୀ କୁହାଯାଇଛି ।

ତାପ୍ତୀ ଓ ତପତୀ ଆଦି ଶବ୍ଦର ମୂଳରେ ତପ ଶବ୍ଦ ରହିଛି ।

ତାପ୍ତୀ ଓ ତାପୀ ଶବ୍ଦର ସୃଷ୍ଟିକୁ ନେଇ ଦୁଇଗୋଟି ମତ ରହିଛି ।
୧. ମୂଳ ତପ ଶବ୍ଦର ଏକ ଅର୍ଥ ସୂର୍ଯ୍ଯ ଅଟେ । ପୁରାଣ ଶାସ୍ତ୍ରରେ ଯେହେତୁ ତାପ୍ତୀଙ୍କୁ ସୂର୍ଯ୍ୟଙ୍କ କନ୍ଯା ଉଲ୍ଲେଖ କରାଯାଇଛି ତେଣୁ ସେହି ତପନଙ୍କର କନ୍ୟା ନାମ ତାଙ୍କ ନାମାନୁସାରେ ରଖାଯାଇଛି । ଆଗକାଳରେ ପିତାଙ୍କ ନାମାନୁସାରେ କନ୍ଯାର ନାମକରଣର ପରମ୍ପରା ରହିଥିଲା, ଯେପରି କି
✓ଗାନ୍ଧାରଙ୍କ କନ୍ଯା ଗାନ୍ଧାରୀ
✓ମଗଧରାଜ କୌଶଲ୍ଯଙ୍କ କନ୍ଯା କୌଶଲ୍ୟା
✓ମାଦ୍ରନରେଶଙ୍କ କନ୍ଯା ମାଦ୍ରୀ
✓ଦ୍ରୁପଦଙ୍କ କନ୍ଯା ଦ୍ରୌପଦୀ
✓କୁନ୍ତିଭୋଜଙ୍କ କନ୍ଯା କୁନ୍ତୀ ଇତ୍ୟାଦି ଇତ୍ୟାଦି ।

୨. ସ୍ପନ୍ଦ ପୁରାଣ ତାପୀଖଣ୍ଡ ଅନୁଯାୟୀ ବରୁଣଦେଵ ଅଗସ୍ତ୍ଯ ମୁନିଙ୍କ ଶାପରେ ସଂଵରଣ ନାମରେ ସୋମବଂଶର ରାଜା ହେଲେ ଓ ବହୁ ତପସ୍ଯା କରି ସୂର୍ଯ୍ୟଙ୍କ ପରମ ରୂପଵତୀ ଓ ପାପନାଶିନୀ କନ୍ଯା ତାପୀଙ୍କୁ ଵିଵାହ କଲେ । ପଶ୍ଚିମ ଭାରତୀୟ ଲୋକେ ନିଜକୁ ସୋମବଂଶୀ ପରିଚୟ ଦେଇଥାନ୍ତି । ପ୍ରାଚୀନ କାଳର ଅନେକ ସୋମବଂଶୀ ରାଜା ପଶ୍ଚିମ ଭାରତରେ ହୋଇଥିଵା ପୁରାଣଗ୍ରନ୍ଥରେ ଉଲ୍ଲେଖ ମିଳେ । ସେଇ ପଶ୍ଚିମ ଭାରତର ଜଣେ ପୌରାଣିକ ରାଜା ସଂଵରଣ ଯେହେତୁ ତପକରି ସୂର୍ଯ୍ୟପୁତ୍ରୀଙ୍କୁ ଲାଭକଲେ ତେଣୁ ତାଙ୍କ ନାମ ତପତୀ, ତାପ୍ତୀ ଓ ତାପୀ ଆଦି ହୋଇଥାଇପାରେ ।

(ଚିତ୍ର: ସୁରଟ ନଗରଠାରେ ଵନ୍ଯାଜଳଯୁକ୍ତ ତାପ୍ତୀନଦୀର  ଉତ୍ତୋଳିତ ଆଲୋକଚିତ୍ର)

Leave a Comment

Your email address will not be published. Required fields are marked *

Scroll to Top