ଜାତୀୟକବି ବୀରକିଶୋର

ଲେଖା: ଦେଵ ତ୍ରିପାଠୀ
~ ଜାତୀୟକବି ବୀରକିଶୋର ଦାସ ~
୧୯୨୧ ମସିହା । #କଟକ
ଲୋକଙ୍କ ମନରୁ ଲିଭିନି #ଜାଲିଆନାୱାଲାବାଗ ର ଅନିର୍ବଚନୀୟ କରାଳ ଯଜ୍ଞର ଦୃଶ୍ୟ ! କଟକଠାରୁ କେତେ ହଜାର କିଲୋମିଟର ଦୂରର ସେଇ ହୃଦୟଥରା ଦୃଶ୍ୟରେ ଓଡ଼ିଆଙ୍କ ହୃଦୟ ମଧ୍ୟ ହୋଇଥିଲା ବହୁଧା ବିଦୀର୍ଣ୍ଣ ! ସେଭଳି ସନ୍ଧିକ୍ଷଣରେ କଟକରେ ପ୍ରକାଶ ପାଇଲା ଓଡ଼ିଆ ଭାଷାର #ପ୍ରଥମ_ରାଜନୈତିକ_ସଙ୍ଗୀତ_ପୁସ୍ତକ ! କବିଙ୍କ ନାମ ନ ଥିବା ସେଇ ପୁସ୍ତକର ମୂଲ୍ୟ ଥିଲା ତିନି ଅଣା !
ସାହିତ୍ୟ ସୃଷ୍ଟି ଓ ପୁସ୍ତକ ପ୍ରକାଶନର ପେଣ୍ଠ ଐତିହାସିକ କଟକ ମାଟିରେ ପୁସ୍ତକଟିଏ ଛପା ହେବା ଅବା କୋଉ ନୂଆ କଥା ଥିଲା ! କିନ୍ତୁ ପୁସ୍ତକଟି ଯେ ଥିଲା ନିଆରା ! ପ୍ରକାଶନ ବାବଦ ଯୋଜନା ହୁଏତ ଗୋରା ଅଫିସରଙ୍କୁ ଜଣାଥିଲା ! ୨୫ ବର୍ଷୀୟ ଯୁବକଟି ତେଣୁ ଅଚିରେ ହେଲା ଚକ୍ଷୁଶୂଳ ! ତୁଙ୍ଗ ବ୍ରିଟିଶ କର୍ମକର୍ତ୍ତାଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହେଲା ସେଇ ଯୁବକ ଉପରେ ! ମାତ୍ର #ବୀରପ୍ରସବିନୀ ଉତ୍କଳ ଜନନୀଙ୍କ ମୁଖମଣ୍ଡଳରେ ହସଟିକକ ଚହଟାଇବା ପାଇଁ ତ୍ୟାଗପୂତ ସଂଗ୍ରାମ ଯଜ୍ଞରେ ଯିଏ ଆତ୍ମାହୁତି ଦେବାକୁ ଆଗେଇ ଆସିଛି, ସିଏ କିବା ହାରିଯାଇଥା’ନ୍ତା !
କଟକରେ ସିନା ବହିଟି ବିକ୍ରି ହୋଇପାରିବ ନାହିଁ, କିନ୍ତୁ କଟକଠୁ ଦୂରରେ ?
ଆକସ୍ମିକ ଥିଲା ସେଇ ସଙ୍ଗୀତ ପୁସ୍ତକର ସଙ୍କଳନ ଓ ପ୍ରକାଶନ । କଟକରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଭିତରେ ଲୁଚାଛପାରେ ହଜାର ହଜାର ପୁସ୍ତକ ପହଞ୍ଚିଗଲା #ବ୍ରହ୍ମପୁର ରେ !
କଟକରେ କଡ଼ା ନଜରରେ ଅଛନ୍ତି ସେଇ #ଜାତୀୟତାବାଦୀ କବି, କିନ୍ତୁ ତେଣେ ବ୍ରହ୍ମପୁର ସହରରେ ଦିନକରେ ବିକ୍ରି ହୋଇଗଲା ୩୦୦୦ ରୁ ଉର୍ଦ୍ଧ୍ବ ବହି ! ପରେ ପରେ କ୍ଷିପ୍ର ଗତିରେ ବହିସବୁ ପହଞ୍ଚି ସାରିଥିଲା ପାରଳାଖେମୁଣ୍ଡି, ଜୟପୁର, ଭବାନୀପାଟଣା, ଖରିଆର, ଧର୍ମଗଡ଼, ବରଗଡ଼, ବଉଦ, ବାମଣ୍ଡା, ସମ୍ବଲପୁର, ତାଳଚେର, ବାଲେଶ୍ଵର ଇତ୍ୟାଦି କେତେ କେତେ ସହରରେ !
ତେବେ କ’ଣ ଥିଲା ସେ ବହିରେ ?
ବ୍ରିଟିଶ କର୍ମକର୍ତ୍ତା ବହିଟି ବାବଦରେ ଖବର ପାଇ ଅନୁସନ୍ଧାନ କଲାବେଳକୁ ଓଡ଼ିଆଙ୍କ ଧମନୀରେ ଅଦ୍ଭୁତପୂର୍ବ ଶିହରଣ ଖେଳାଇ ସାରିଲାଣି ସେ ବହି !
“**** **** ****
ପଞ୍ଜାବର ଅତ୍ୟାଚାର ନାହିଁ କିରେ ମନେ ?
ଦେଖୁ ଦେଖୁ ଶୁଣି ଭୁଲିଗଲୁ କ୍ଷଣେ !
**** **** ****
ଡାକୁଛନ୍ତି ପଞ୍ଜାବ କୁଳସୀମନ୍ତିନୀ,
ବିନା ଦୋଷରେ ମରିଥିଲେ ସେସବୁ ଗର୍ଭିଣୀ ।।
**** **** ****
ଏ ଜୀବନ ଦାନ କରି ଦେଶ ଲାଗି ଭାଇ,
ଆଗପଛ କଥା କିଛି ବାରେ ଚିନ୍ତା ନାହିଁ” ।।
କିନ୍ତୁ କି ପ୍ରମାଣ ଅଛି ଯେ ଯୁବକଙ୍କୁ ପୁଲିସ ଧରିବ ! ଅବଶ୍ୟ ଜନତା ଆଉ ପୁଲିସ ସଭିଏଁ ଜାଣିଛନ୍ତି ସେ ପୁସ୍ତକର କବି କିଏ ! କେବଳ ଯୁବକଙ୍କର ନୁହେଁ, ତାଙ୍କ ବନ୍ଧୁସହୋଦର ସହିତ ଗାଁ ଘର ମଧ୍ୟ ଖୋଜି ଚାଲିଲା ପୁଲିସ ! ଅନ୍ୟ ଉପାୟ ନ ପାଇ ମକଦ୍ଦମା କରିବା ପାଇଁ ବିଚାରିଲେ ସରକାର ! ମାତ୍ର ଯେଉଁ ବହି #ମଧୁବାବୁ ଙ୍କୁ ଉତ୍ସର୍ଗୀକୃତ ଏବଂ #ବ୍ରଜସୁନ୍ଦର_ଦାସ ଙ୍କ #ମୁକୁର ପ୍ରେସରେ ଛପାଯାଇଛି ତା’ ବିରୁଦ୍ଧରେ ମକଦ୍ଦମା ହୁଅନ୍ତା ବା କିପରି ? ଏ ଦୁଇଜଣଙ୍କ ଉପରେ ବ୍ରିଟିଶ ସରକାରଙ୍କର ଅତୁଟ ବିଶ୍ୱାସ !
ତଥାପି ବହିଟି ବେଆଇନ ଘୋଷିତ ହେଲା ! ବହିର ପ୍ରଚାର ଓ ପ୍ରସାର ଉପରେ କଟକଣା ଲାଗୁ ହେଲା ! ସେତେବେଳକୁ ବହିତକ (ପ୍ରାୟ ୫୦୦୦୦ରୁ ଉର୍ଦ୍ଧ୍ବ) ବିକ୍ରି ସରିଛି ।
ସବୁ ଚେଷ୍ଟା ସତ୍ତ୍ବେ ଯୁବକଙ୍କୁ ସରକାର ବନ୍ଦୀ କରିପାରିଲେ ନାହିଁ ସିନା, ସେ ଯୁବକ କିନ୍ତୁ ଦାଗୀ ହେଇଗଲେ ସରକାରଙ୍କ ଦୃଷ୍ଟିରେ ! ଆଉ ମହାନ ବିପ୍ଳବୀ ବୋଲି ପରିଚିତ ହୋଇଗଲେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନ ଓ ହୃଦୟରେ !
ପରାଧୀନତାର ଶୃଙ୍ଖଳରୁ ମୁକ୍ତିଲାଭ ନିମନ୍ତେ ଜାତୀୟ ଜୀବନରେ ଦେଶଭକ୍ତିମୂଳକ ବ୍ୟାକୁଳତାର ସ୍ରୋତ ଦେଶବାସୀଙ୍କ ହୃଦୟକୁ ଉଦ୍‌ବେଳିତ କରୁଥିଲା ବେଳରେ ଯୁବସୁଲଭ ଗୁଣାବତ୍ତାରେ ପ୍ଳାବିତ ସେଇ ମହାବିପ୍ଳବୀ #ବୀରକିଶୋର_ଦାସ ଙ୍କ ମନକୁ ଦେଶବାସୀଙ୍କ ଦୁଃଖ ଦୁର୍ଦ୍ଦଶା ବ୍ୟଥିତ ଓ ମର୍ମାହତ କରିଦେଲା !
ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିର ଆରମ୍ଭରୁ ସେ ଇଂରେଜମାନଙ୍କ ସକଳ ପ୍ରକାର ଅତ୍ୟାଚାର, ଅନ୍ୟାୟ, ଅନୀତି ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ କରିବା ନିମନ୍ତେ ବୈପ୍ଳବିକ ଚେତନାର ଅଗ୍ରଦୂତ ରୂପେ କାର୍ଯ୍ୟ ଆରମ୍ଭ କଲେ। ଅଷ୍ଟାଦଶ ଶତାବ୍ଦୀରେ କବି #ପୁଷ୍କିନ୍ ଯେପରି ତାଙ୍କ କାବ୍ୟକବିତା ମାଧ୍ୟମରେ #ଜାର୍ ଶାସନର ଅନ୍ୟାୟ, ଅନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ, ସେହିପରି ଦୀର୍ଘଦିନର ଦାସତ୍ଵ ଶୃଙ୍ଖଳକୁ ଛିନ୍ନ କରି #ମୁକ୍ତି ଓ ସ୍ଵାଧୀନତାର ନବସୂର୍ଯ୍ୟୋଦୟ ପାଇଁ ବୀରକିଶୋରଙ୍କ ଲେଖନୀରୁ ଆତ୍ମପ୍ରକାଶ କରିଥିଲା ସେଇ ଅମର #ମୋହନବଂଶୀ କାବ୍ୟ ।
ରାଶି ରାଶି ଜାତୀୟବାଦୀ ସଙ୍ଗୀତ ରଚନା କରି ସଂଗ୍ରାମୀମାନଙ୍କ ଭିତରେ ଦେଶଭକ୍ତିମୂଳକ ଜାଗରଣ ସୃଷ୍ଟି କରିବାରେ ସେଇ #ଜାତୀୟକବି ଥିଲେ ସଫଳ ବିନ୍ଧାଣୀ । ସେଥିପାଇଁ ବୀରକିଶୋର କେତେ ଯେ ଘାତପ୍ରତିଘାତର ଶରବ୍ୟ ହୋଇଥିଲେ, ବିଦେଶୀ ଶାସକଙ୍କ ଚକ୍ରବୁହ୍ୟର ଶିକାର ହୋଇ ବହୁବାର କାରାବରଣ କରିଥିଲେ ! ସବୁସତ୍ତ୍ୱେ ନିଜେ ଅଟଳ ଅବଦମିତ ରହି କବିଟିଏ ହେବାର ଉତ୍କଣ୍ଠାରେ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିରୁ ଅନୁକୂଳ ପରିବେଶ ଅନ୍ଵେଷଣ କରିବାରେ ଜାତୀୟକବି ବୀରକିଶୋର ଥିଲେ ଜଣେ ସମର୍ଥ ସାରଥୀ। ତେଣୁ ସେ #ସମର_ଯୁଗର_ଅମର_ସଙ୍ଗୀତ ପୁସ୍ତକର ମୁଖବନ୍ଧରେ ଲେଖିଥିଲେ – “ମୁଁ କବିତାକୁ ଭଲପାଏ, କବିତା ମୋତେ ଭଲ ପାଏ। ସ୍ଵାଧୀନତାକୁ ମର୍ମେ ମର୍ମେ ଅନୁଭବ କରିଥିଲି ମୁଁ ଏବଂ ସ୍ବାଧୀନତା ସଂଗ୍ରାମର ପବିତ୍ର ବହ୍ନିରେ ଝାସ ଦେଇଥିଲି। ଏହି କବିତା ଲାଗି ଥରକୁ ଥର ଜେଲ୍ ଗଲି ତଥାପି କବିତା ଆଉ ମୋ ଭିତରେ ଯେଉଁ ନିବିଡ଼ ସମ୍ପର୍କ ସେ ତୁଟିଲା ନାହିଁ ବରଂ ଅଧିକ ଶକ୍ତ ହେଲା !”
ଜାତୀୟକବି ବୀରକିଶୋର ଦାସ ! ଯାହାଙ୍କ ପ୍ରତିଟି କବିତା ଥିଲା ଓଡ଼ିଆଙ୍କ ପାଇଁ #ଜାତୀୟତାର_ମହାମନ୍ତ୍ର ! ଏ ମାଟିରେ ଏମିତି କେଉଁ ମୁକ୍ତିସଂଗ୍ରାମ ନ ଘଟିଛି, ଯେଉଁଠି ବିପ୍ଳବୀଙ୍କ ଧମନୀରେ ଜାତିପ୍ରେମର ଫଲ୍ଗୁ ପ୍ରବାହ ନିମିତ୍ତ ତାଙ୍କ କବିତାର ଆଶ୍ରା ନିଆଯାଇନି ! #ଲବଣ_ସତ୍ୟାଗ୍ରହ ହେଉ ଅବା #ଅଗଷ୍ଟ_ବିପ୍ଳବ !ସତ୍ୟାଗ୍ରହୀମାନଙ୍କ ହୃଦୟରେ ଅଗ୍ନିସଂଯୋଗପୂର୍ବକ ସେମାନଙ୍କୁ ବିଦେଶୀ ଶାସନ ବିରୋଧରେ ରକ୍ତମୁଖା କରିବା ପାଇଁ ଜାତୀୟକବି ବୀରକିଶୋର ଥିଲେ ସଙ୍କଳ୍ପବଦ୍ଧ ! ତାଙ୍କ ସୃଷ୍ଟି ଥିଲା ସେଇପରି ବୈପ୍ଳବିକ ଚେତନାରେ ଭରା ! ଶାଣିତ ଶବ୍ଦ ବ୍ୟଞ୍ଜନରେ ଭରା ! । ଲେଖିଥିଲେ ସେ ପଦେ,
“ଭାଇ ହେ, ରଣ ସମୟରେ ବହି ଧରିବାକୁ
ମୋତେ ଆଉ ତମେ କୁହନା,
ଛାତିରେ ରକତ ତାତି ଉଠେ ମୋର
ବାଜି ଉଠେ ଯୁଦ୍ଧବାଜଣା” !
ଅବିଭକ୍ତ କଟକ ଜିଲ୍ଲାର #ପୁନଙ୍ଗ ଗ୍ରାମରେ ଧରାବତରଣ କରିଥିଲେ ଜାତୀୟତା, ବିପ୍ଳବ ଓ ସମତାର ସେଇ ମାନ୍ତ୍ରିକ ଜାତୀୟକବି ବୀରକିଶୋର ! କୋଟି ଦଣ୍ଡପ୍ରଣାମ ଏ ଜାତିର !
ଆଜି ଜାତୀୟକବି ବୀରକିଶୋର ନାହାଁନ୍ତି ସତ ! ତଥାପି ଆଜି ସ୍ବାଧୀନ ଓଡ଼ିଶା ମାଟିରେ ନିଷ୍ପେଷିତ, ଅବହେଳିତ, ଅତ୍ୟାଚାରିତ ଜନତାର ଅଧିକାର ପାଇଁ ଲଢ଼ୁଥିବା ଜନବାଦୀ ସଂଗ୍ରାମୀଙ୍କ ତୁଣ୍ଡରେ ନିନାଦିତ ହୁଏ କବିଙ୍କ ଅମର କବିତାମାନ,
“ମୁଁ ଯେ ବିଦ୍ରୋହୀ, ଚିରବିଦ୍ରୋହୀ
ଚିର ରଣଜୟୀ ରଣବିଦ୍ରୋହୀ,
ରଣମାନବ, ରଣଦାନବ ରଣରକ୍ତ ମୁଖରୁ
ମୁକ୍ତ କରିବି ମୋର ମହି” ।।
ହଁ ! ଚିରକାଳ ଅମର ରହିବ କବିଙ୍କ କବିତା ! କାରଣ ଅତ୍ୟାଚାର କେବେ ସରେନା ! ଶୋଷଣର ଦାନବ କେବେ ମରେନା !

Leave a Comment

Your email address will not be published. Required fields are marked *

Scroll to Top