ଲେଖା: ନିରଞ୍ଜନ ସାହୁ
ମାତ୍ର କୋଡିଏ ବର୍ଷ ବୟସରେ ବ୍ରିଟିଶ ସରକାରଙ୍କ ସିଭିଲିଆନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ୧୮୫୮ ମସିହାରେ ଭାରତକୁ ପ୍ରଶାସକ ହୋଇ ଆସିଲେ ଜଣେ ଇଂରେଜ ଯୁବକ। ମେଧାବୀ ତଥା ସଂସ୍କୃତି ସମ୍ପନ୍ନ ଯୁବକଟିଏ। ଚାକିରୀର ଆଦ୍ୟକାଳ ପ୍ରଥମ ଦଶବର୍ଷ ମଧ୍ୟରେ କଲିକତା, ପଞ୍ଜାବ, ଗୁଜରାଟ, ଅମ୍ବାଲା, ଲୁଧିଆନା, ଶାହାବାଦ, ପୂର୍ଣ୍ଣିଆ ଓ ବିହାର ପ୍ରଦେଶର ଚମ୍ପାରଣ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରି ସୁବିଦିତ ହୋଇ ସାରିଥାନ୍ତି ଭାରତ ସ୍ଥିତ ଇଂରେଜ ପ୍ରଶାସକମାନଙ୍କ ମଧ୍ୟରେ। ବିଶେଷ କରି ବିଭିନ୍ନ ଭାରତୀୟ ଭାଷା ବିଷୟରେ ଅଧ୍ୟୟନ ଓ ଗବେଷଣା କରି ବେଶ ଖ୍ୟାତି ଅର୍ଜନ କରି ସାରିଥାଆନ୍ତି ସେହି ଯୁବକ ମହୋଦୟ।
ଚାକିରୀ କାଳର ଦଶବର୍ଷ ଅନ୍ତେ, ଏଗାର ବର୍ଷରେ ପାଦ ଥାପିବା ବେଳକୁ ସେହି ଯୁବକ ୧୮୬୯ ମସିହାରେ ସ୍ଥାନାନ୍ତରିତ ହୋଇ ଆମ ରାଜ୍ୟର ବାଲେଶ୍ବର ଜିଲ୍ଲାକୁ ବଦଳି ହୋଇ ଆସିଲେ କଲେକ୍ଟର ଭାବରେ। ଏହାର ତିନି ବର୍ଷ ପୂର୍ବରୁ ଓଡ଼ିଶା ମାଟି କାନ୍ଦିଥିଲା ନ’ଅଙ୍କ ଦୁର୍ଭିକ୍ଷର କରାଳ ପ୍ରତିଘାତରେ।
‘ହାଅନ୍ନ’ ଚିତ୍କାର କ୍ଷୀଣ ହୋଇ ଆସିଥିଲା, କିନ୍ତୁ ‘ନଇଁ ପଡ଼ିଥିବ ଯେତିକି ବେଳେ, ବିଧାଏ ମାରିବ ସେତିକିବେଳେ’ ନ୍ୟାୟରେ ଓଡ଼ିଶା ଆକାଶରେ ଆଉ ଏକ ମନୁଷ୍ୟ କୃତ ଧୂମକେତୁ ଦୃଶ୍ୟମାନ ହୋଇଥିଲା, ତାହା ଥିଲା ଓଡ଼ିଆ ଭାଷାର ଉଚ୍ଛେଦ ପାଇଁ ହୀନମନ୍ୟତା ଥିବା ଏକ ଗୋଷ୍ଠୀର ଚକ୍ରାନ୍ତ, ପ୍ରକାରାନ୍ତରେ ‘ଉଡିୟା ଏକ ସ୍ଵତନ୍ତ୍ର ଭାଷା ନୟ’! ଏହିଭଳି ଏକ ସନ୍ଧିକ୍ଷଣରେ ‘ଭାଷା ସୁରକ୍ଷା ଯୁଦ୍ଧରେ’, ଈଶ୍ୱର ପ୍ରେରିତ ଜଣେ ସାରଥୀ ଉଭା ହେଲେ — ଓଡ଼ିଆ ଓ ଓଡ଼ିଶା ପାଇଁ ସମର୍ପିତ ଆତ୍ମନ- ‘ଜନ୍ ବୀମ୍ସ୍’।
୧୮୬୭ ମସିହାର ଶେଷ ଭାଗ ବେଳକୁ ଓଡ଼ିଆ ଭାଷା ଉଛେଦ ପାଇଁ କେତେକ ହୀନମନ୍ୟ ବଙ୍ଗାଳୀ ଲେଖକ ସେମାନଙ୍କ ମସୀ ଚାଳନା କଲେ। ବଙ୍ଗଳାର ସୁପ୍ରସିଦ୍ଧ ବିଦ୍ୱାନ ଐତିହାସିକ ରାଜେନ୍ଦ୍ରଲାଲ ମିତ୍ର ଓଡ଼ିଶାର ମନ୍ଦିରମାନଙ୍କ ଉପରେ ଅନୁଧ୍ୟାନ କରିବାକୁ ଆସି କଟକ ଠାରେ ଏକ ସଭାରେ ଭାଷଣ ଦେଲେ।ଭାଷଣର ଲକ୍ଷ୍ୟ ଥିଲା ‘ଓଡ଼ିଆ ଭାଷାର ଉଚ୍ଛେଦ’। ସେତେବେଳେ ଓଡ଼ିଶା ଅନ୍ୟ ଚାରୋଟି ପ୍ରଦେଶ ସହ ଭାଗଭାଗ ହୋଇ ରହିଥିଲା। ଓଡ଼ିଶା କହିଲେ କେବଳ ବାଲେଶ୍ଵର, କଟକ ଓ ପୁରୀ ଜିଲ୍ଲାକୁ ମୁଖ୍ୟତଃ ବୁଝାଉଥିଲା। ମିତ୍ର ମହୋଦୟ ତାଙ୍କ ଭାଷଣରେ କହିଲେ, ଏହି କୋଡ଼ିଏ ଲକ୍ଷ ଲୋକଙ୍କ ପାଇଁ କୌଣସି ସ୍ଵତନ୍ତ୍ର ଭାଷା ଦରକାର ନାହିଁ ଏବଂ ଓଡିଆ ସ୍ଵତନ୍ତ୍ର ହୋଇ ରହିଲେ ଏହି ରାଜ୍ୟର ଉନ୍ନତି ଅସମ୍ଭବ। ଏହି ସମୟରେ ଆଉଜଣେ ହୀନମନ୍ୟ ବ୍ୟକ୍ତି କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଖଣ୍ଡିଏ ବହି ପ୍ରକାଶ କରିପକାଇଲେ, ‘ଉଡିୟା ଏକ ସ୍ଵତନ୍ତ୍ର ଭାଷା ନୟ’। ବହିର ବିଜ୍ଞାପନରେ ଦର୍ଶାଯାଇଥିଲା – “ସହୃଦୟ ତତ୍ତ୍ଵଦର୍ଶୀ ମହୋଦୟ ବୃନ୍ଦ, ଅନୁକମ୍ପା ହୃଦୟରେ ଏହା ଆଦ୍ୟପ୍ରାନ୍ତ ପଢ଼ି ଦେଖିପାରିବେ, ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ, ଏହା ବଙ୍ଗଳା।”
ଏହି ହୀନ ଚକ୍ରାନ୍ତକୁ ତୀବ୍ର ବିରୋଧ ଓ ସମାଲୋଚନା କରି କର୍ମବୀର ଗୌରୀଶଙ୍କର ଉତ୍କଳ ଦୀପିକାରେ ଓଡ଼ିଶାର ସ୍ଵର ଉତ୍ତୋଳନ କଲେ। ତୀବ୍ରରୁ ତୀବ୍ରତର ହେଲା ଭାଷା ବିବାଦ। ବ୍ୟାସକବି ଫକୀରମୋହନଙ୍କ ସମେତ ଅନ୍ୟାନ୍ୟ ସାହିତ୍ୟିକ, ଚିନ୍ତାନାୟକଗଣ ଏହି ଆହ୍ୱାନର ମୁକାବିଲା କଲେ ସ୍ଵ ସ୍ଵ ମତାମତ ଓ ମସୀ ଚାଳନା କରି। ଏହି ସନ୍ଧିକ୍ଷଣରେ ପହଞ୍ଚିଲେ ଜନ୍ ବୀମ୍ସ୍ ବାଲେଶ୍ଵର ଜିଲ୍ଲାର କଲେକ୍ଟର ଭାବରେ ୧୮୬୯ ମସିହାରେ। ବିଦ୍ଵାନ ଏବଂ ଭାରତୀୟ ଭାଷା ବିଶାରଦ ଜନ୍ ବୀମ୍ସ୍ ସେତେବେଳକୁ ଭାରତୀୟ ଭାଷାଗୁଡିକ ଉପରେ ତୁଳନାତ୍ମକ ବ୍ୟାକରଣ ବହି ଲେଖୁଥିଲେ। ତାଙ୍କୁ ସହାୟତା କରିବା ପାଇଁ ସଂସ୍କୃତ, ଓଡ଼ିଆ ଓ ବଙ୍ଗଳା ଭାଷାରେ ଜ୍ଞାନ ଥିବା ଜଣେ ପଣ୍ଡିତଙ୍କ ଆବଶ୍ୟକ ଥିଲା। ମିଳିଗଲେ ଫକୀରମୋହନ ସେନାପତି, ଅନ୍ୟତମ ଓଡ଼ିଆ ପ୍ରେମୀ ହାଲମ୍ ମହାଶୟଙ୍କ ମାଧ୍ୟମରେ। ବୟସର ତାରତମ୍ୟ ଥିଲେ ହେଁ ଜଣେ ଗୁଣୀ ଓ ଅନ୍ୟ ଜଣେ ଗୁଣଗ୍ରାହୀଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହେଲା। ଫକୀରମୋହନ ବିଳରୁ ସାପ ବାହାର କରିବା ମନ୍ତ୍ର ଜାଣିଥିଲେ, ତେଣୁ ବିଳ ମଧ୍ୟରୁ ବିଛା କାଢିବା କଷ୍ଟକର ହେଲା ନାହିଁ। ଓଡ଼ିଆ ଭାଷା ସମ୍ପର୍କରେ ଗାରୁଡି ମନ୍ତ୍ର ଫୁଙ୍କିଲେ ଫକୀରମୋହନ ଜନ୍ ବୀମ୍ସ୍ ମହାଶୟଙ୍କ କାନରେ। ଓଡ଼ିଆ ଭାଷା ପ୍ରେମରେ ପଡିଗଲେ ଗୁଣଗ୍ରାହୀ, ବିଦ୍ୱାନ, ଭାରତୀୟ ଭାଷାବିଶାରଦ ଜନ୍ ବୀମ୍ସ୍ !
![](https://antarangakalinga.org/wp-content/uploads/2020/10/FB_IMG_1600924324580.jpg)
ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଓ ପ୍ରକୃତ ପରିଚୟ ପାଇ ବିଦ୍ଵେଷୀ ବଙ୍ଗାଳୀ ଗୋଷ୍ଠୀଙ୍କ ମୁହଁ ବନ୍ଦ କରିଦେଇଥିଲେ ଜନ୍ ବୀମ୍ସ୍ ମହାଶୟ। ପ୍ରଥମ ଆଲୋଚନା କଲେ ‘ରସ କଲ୍ଲୋଳ’ ସମ୍ପର୍କରେ। ପ୍ରବନ୍ଧ ପ୍ରକାଶିତ ହେଲା Indian Antiques ପତ୍ରିକାରେ। ଓଡ଼ିଶାର ଲୋକକଥା, ଇତିହାସ, ଭାଷା, ସାହିତ୍ୟ ସମ୍ପର୍କୀତ ପ୍ରବନ୍ଧମାନ ଲେଖି ପ୍ରକାଶିତ କଲେ ଇଂରାଜୀ ପତ୍ରିକା ମାନଙ୍କରେ। ଏକ ଭାଷା ସମ୍ବନ୍ଧିତ ବିବାଦରେ କଲିକତାର Asiatic society of Bengal ସଭାରେ “ଓଡ଼ିଆ ଭାଷାର ଅନ୍ୟାନ୍ୟ ଆଧୁନିକ ଆର୍ଯ୍ୟ ଭାଷାଗୁଡିକ ସହିତ ସମ୍ବନ୍ଧ” ଶିରୋନାମାରେ ଏକ ପାଣ୍ଡିତ୍ୟପୂର୍ଣ୍ଣ ସାରଗର୍ଭକ ଭାଷଣ ଦେଇ ବଙ୍ଗସ୍ଥିତ ଓଡ଼ିଆ ବିରୋଧୀମାନଙ୍କ ମୁହଁ ବନ୍ଦ କରିଦେଇଥିଲେ। ଓଡ଼ିଆ ଭାଷା ବଙ୍ଗଳା ଭାଷାଠାରୁ ପୁରୁଣା ଏବଂ ଏହି ଭାଷା ଉତ୍ତରରେ ମେଦିନୀପୁର, ପଶ୍ଚିମରେ ନାଗପୁର ଓ ଦକ୍ଷିଣରେ ତେଲେଙ୍ଗାନା ପର୍ଯ୍ୟନ୍ତ ପରିବ୍ୟାପ୍ତ ବୋଲି ଜନ୍ ବୀମ୍ସ୍ ମହାଶୟ ମତ ଦେବାବେଳେ ବଙ୍ଗୀୟ ବିଦ୍ୱାନମାନଙ୍କର ପାଟି ଫିଟାଇବାର ବାଟ ନଥିଲା। ସେହିଠାରେ ଓ ସେହି ବକ୍ତୃତା ମାଧ୍ୟମରେ ରାଜେନ୍ଦ୍ରଲାଲ୍ ମିତ୍ର ଓ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ମତକୁ ଦୃଢ ଭାବରେ ଖଣ୍ଡନ କରି ସର୍ବଶେଷ ମତ ରଖିଲେ “ଓଡ଼ିଆ ଏକ ସ୍ଵତନ୍ତ୍ର ଓ ଶାସ୍ତ୍ରୀୟ ଭାଷା। ଏହାର ବିରୋଧରେ ଯେ କୌଣସି ଆହ୍ବାନକୁ ମୁଁ ପ୍ରତିଆହ୍ଵାନ ରୂପେ ଗ୍ରହଣ କରିବାକୁ ପ୍ରସ୍ତୁତ।” ବଙ୍ଗୀୟ ମାନଙ୍କର ହୀନ ଚକ୍ରାନ୍ତର ଯବନିକା ପଡ଼ିଲା ଏଇଠି।
ପକ୍ଷପାତିତା ଜଡ଼ିତ ଏକଦେଶଦର୍ଶୀ ଏଭଳି ମନ୍ତବ୍ୟ ପ୍ରକାଶିତ ହେଉଥିଲାବେଳେ ଓଡିଆ ଭାଷା ଓ ସାହିତ୍ୟ ପ୍ରତି ଉଦାରଚେତା ବୀମ୍ସ୍ ମହାଶୟଙ୍କ ଅନୁରକ୍ତି ଓ ସହାନୁଭୂତି ବିସ୍ମୟକର ।ବାଲେଶ୍ଵର ହାଇସ୍କୁଲର ବଙ୍ଗୀୟ ପଣ୍ଡିତ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ‘ଉଡିୟା ସ୍ଵତନ୍ତ୍ର ଭାଷା ନୟ’ ପୁସ୍ତକକୁ କେନ୍ଦ୍ର କରି ପ୍ରସିଦ୍ଧ ଭାଷାତତ୍ତ୍ଵବିତ୍, ପ୍ରତ୍ନତାତ୍ତ୍ଵବିତ୍ ଜନ୍ ବୀମ୍ସ୍ ଓ ରାଜେନ୍ଦ୍ରଲାଲ୍ ମିତ୍ରଙ୍କ ମଧ୍ୟରେ ପାଣ୍ଡିତ୍ୟପୂର୍ଣ୍ଣ ଯୁକ୍ତିର ଖଣ୍ଡନ ମଣ୍ଡନ ସାହିତ୍ୟ ଇତିହାସରେ ଗୁରୁତ୍ୱପୂର୍ଣ୍ଣ। ଏହି ବାଦାନୁବାଦ ବୌଦ୍ଧିକ ସ୍ତରରେ ସୀମିତ। ରୟାଲ୍ ଏସିଆଟିକ୍ ସୋସାଇଟିର ଏକ ଅଧିବେଶନରେ (୪/୫/୧୮୭୦) ଜନ୍ ବୀମ୍ସ୍ On the relation of Oriya to the other modern Aryan Languages ଶୀର୍ଷକ ଦୀର୍ଘ ପ୍ରବନ୍ଧ ପଢିଥିଲେ। ଏଥିରେ କାନ୍ତିଚନ୍ଦ୍ରଙ୍କ ପୁସ୍ତକକୁ ‘ଭାଷାତାତ୍ତ୍ଵିକ ଯୁକ୍ତି ବିରହିତ’ କହି ବୀମ୍ସ୍ ମହାଶୟଙ୍କ ଦ୍ଵାରା ଓଡ଼ିଆ ଭାଷାର ପ୍ରାଚୀନତା, ସ୍ଵାତନ୍ତ୍ର୍ୟ ଓ ଉତ୍କର୍ଷ ପ୍ରମାଣିତ। ଓଡ଼ିଆ ଭାଷା ପ୍ରତି ସମଧିକ ମମତା ଅନ୍ୟତ୍ର ତାଙ୍କ ପ୍ରାମାଣ୍ୟ ଗ୍ରନ୍ଥରେ ପ୍ରକାଶିତ। ଓଡ଼ିଆ ବଙ୍ଗଳାର ଉପଭାଷା, ଜନସଂଖ୍ୟାର ଅଳ୍ପତା ବିଚାରରେ ଏହାର ସ୍ଵତନ୍ତ୍ର ସାହିତ୍ୟ ସୃଷ୍ଟି ଅସମ୍ଭବ ଏ ମତ ତାଙ୍କ ଦ୍ଵାରା ଅଗ୍ରାହ୍ୟ।
![](https://antarangakalinga.org/wp-content/uploads/2020/10/FB_IMG_1600924320343.jpg)
‘ଲକ୍ଷ ଲକ୍ଷ ଲୋକଙ୍କ ମାତୃଭାଷା ଓଡ଼ିଆକୁ ଲୋପ କରିବା ଓଡ଼ିଶାବାସୀ କେତେକ ବଙ୍ଗୀୟ ଓ ଇଂରେଜ ବ୍ୟକ୍ତିଙ୍କ ଶକ୍ତି ଅତୀତ। ଏ ଭାଷା ବିଲୋପ ନିମନ୍ତେ କୌଣସି ସବଳ ପ୍ରୟାସୀ ଇଂରାଜୀ ଶାସନ ମୂଳ ନୀତିର ପରିପନ୍ଥୀ।’— ଏହା ଜନ୍ ବୀମ୍ସ୍ ମହାଶୟଙ୍କର ଥିଲା ଦୃଢ ସତର୍କବାଣୀ।ଓଡ଼ିଆ ଭାଷାର ଆପେକ୍ଷିକ ଉତ୍କର୍ଷ ପ୍ରତିପାଦନ ନିମନ୍ତେ ତାଙ୍କ ଯୁକ୍ତି ହେଲା, ଏହା ସ୍ଥିର ନିର୍ଦ୍ଦିଷ୍ଟ ରୂପ ଧାରଣ କରିଥିବାବେଳେ ବଙ୍ଗଳା ଭାଷାର ଅସ୍ତିତ୍ବ ନଥିଲା। ବଙ୍ଗର ଅଧିବାସୀ ମାନେ ପୂର୍ବ ହିନ୍ଦୀର ଅପଭ୍ରଷ୍ଟ ଶବ୍ଦାବଳୀ ବହୁ ପରିମାଣରେ ବ୍ୟବହାର କରୁଥିଲେ। ଆଧୁନିକ ଗଦ୍ୟର ରଚନାରେ ମୌଳିକତାର ଅଭାବ, ଉତ୍ତମ ଲେଖକ ହେବା ନିମନ୍ତେ ସାଧନା ବିମୁଖତା, ଦେଶୀୟ ସାହିତ୍ୟ ପ୍ରତି ଅନାଗ୍ରହ, ମାତୃଭାଷାର ଶୁଦ୍ଧତା ପ୍ରତି ଓଡ଼ିଆମାନଙ୍କର ପରାଙମୁଖତା ଜନ୍ ବୀମ୍ସ୍ ମହାଶୟଙ୍କ ଦୁଃଖର କାରଣ।~ ଓଡ଼ିଆ କାବ୍ୟ ସାହିତ୍ୟର ବିଶ୍ଳେଷଣ ~
ଓଡ଼ିଆ ସାହିତ୍ୟର ବିଧିବଦ୍ଧ ଆଲୋଚନା କ୍ଷେତ୍ରରେ ଜନ୍ ବୀମ୍ସ୍ ଙ୍କ କୃତିତ୍ୱ ବେଶ୍ ଉଲ୍ଲେଖଯୋଗ୍ୟ। ଓଡ଼ିଶାର ଦେଶୀୟ ସାହିତ୍ୟ, ରସକଲ୍ଲୋଳ ସମ୍ପର୍କରେ ଅଭିମତ, ଓଡ଼ିଶାର ଲୋକସାହିତ୍ୟ ସମ୍ପର୍କରେ ତିନୋଟି ବିଶ୍ଳେଷଣାତ୍ମକ ତଥ୍ୟନିଷ୍ଠ ଆଲୋଚନା ଲେଖି ଓଡ଼ିଆ ସାହିତ୍ୟ ସମୀକ୍ଷା ପ୍ରତି ସେ ସୁଧୀସମାଜର ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ରଚନାରେ ଓଡ଼ିଆ ଭାଷାରେ ଶବ୍ଦ ଓ ଗଠନ ରୀତିର ଅକ୍ଷୁର୍ଣ୍ଣତା, ଉପେନ୍ଦ୍ର ଭଞ୍ଜଙ୍କ ତିରିଶ ଖଣ୍ଡ କାବ୍ୟ ସମେତ ବୟାଅଶୀ ଖଣ୍ଡ ଓଡ଼ିଆ କାବ୍ୟ ଉଲ୍ଲିଖିତ। ରସକଲ୍ଲୋଳ କାବ୍ୟ ରଚନାର ପରିବେଶ, ଦୀନକୃଷ୍ଣଙ୍କ ପରିଚୟ, କାଳ ନିରୂପଣ ପରେ ବୀମ୍ସ୍ ଙ୍କ ଦ୍ଵାରା କାବ୍ୟର ଭାଷା ଓ ଛନ୍ଦ ସଂଯୋଜନା ପ୍ରଶଂସନୀୟ। ଓଡ଼ିଶାର ଲୋକସାହିତ୍ୟ ସମ୍ପର୍କରେ ତାଙ୍କ ଆଲୋଚନା ଚିତ୍ତାକର୍ଷକ। ଏହି ଆଲୋଚନାଗୁଡ଼ିକରେ ବୀମ୍ସ୍ ସାହେବଙ୍କ ତଥ୍ୟନିଷ୍ଠ ଓ ରସବୋଧ ସମନ୍ଵିତ।
ଦୀର୍ଘ ନଅ ବର୍ଷ କାଳ ଓଡ଼ିଶାରେ ରହଣୀ ସମୟରେ ଏହାର ଜଳବାୟୁ ତାଙ୍କର ଦେହସୁହା ହୋଇ ଯାଇଥିଲା। ଓଡ଼ିଶାର ସାଂସ୍କୃତିକ ବିପୁଳତା, ବିବିଧ ଜନଜୀବନ, କିମ୍ବଦନ୍ତୀ, ପରମ୍ପରା, ଅନ୍ଧବିଶ୍ୱାସ ଓ ଓଡିଆଙ୍କ ସରଳତାରେ ସେ ବାନ୍ଧି ହୋଇପଡ଼ିଥିଲେ। ଓଡ଼ିଶାର ଶୁଭେଚ୍ଛୁ କମିଶନର ଓ କଲେକ୍ଟରଗଣ ଯଥା T. E. Ravenshaw, ହେନେରୀ ରିକେଟସ, ମାକଫରସନ୍, ଆର୍ମଷ୍ଟ୍ରଙ୍ଗ ଏବଂ ସର୍ବୋପରି ବୀମ୍ସ୍ ମହାଶୟ ଆଜି ମଧ୍ୟ ଓଡିଶାରେ ସ୍ମରଣୀୟ।
ବାଲେଶ୍ଵର ଓ କଟକର କଲେକ୍ଟର ତଥା ଓଡ଼ିଶା ଡିଭିଜନର କମିଶନର ଭାବେ କାର୍ଯ୍ୟ କରି ସେ ଓଡ଼ିଆ ହୋଇଯାଇଥିଲେ। ଓଡ଼ିଆ ଶିଖିଯାଇଥିଲେ। Comparative Grammar of the Modern Aryan Languages of India ବହିଟିରେ ଓଡ଼ିଆ ବ୍ୟାକରଣ ଉପରେ ବିସ୍ତୃତ ଆଲୋଚନା କରି ଓଡ଼ିଆ ପ୍ରେମର ପରିଚୟ ଦେଇଛନ୍ତି ବୀମ୍ସ୍ ମହାଶୟ। Memories of Bengal Civilian ନାମକ ଏକ ସ୍ମୃତି କଥା ପୁସ୍ତକରେ ଓଡ଼ିଶା ବିଷୟରେ ପାଞ୍ଚଟି ଅଧ୍ୟାୟ ରହିଛି। ଓଡ଼ିଶାର ଜନଜୀବନ, ଗଡ଼ଜାତ ଅଞ୍ଚଳର କଥା, ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା, ବାଲେଶ୍ଵର ଲୁଣମରା, ଓଡ଼ିଶାର ପ୍ରାକୃତିକ ଶୋଭା ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି ତାଙ୍କର ଆତ୍ମଲିପିରେ।
![](https://antarangakalinga.org/wp-content/uploads/2020/10/FB_IMG_1600924333725.jpg)
ଓଡ଼ିଶାରେ ପ୍ରାୟ ସବୁ ପ୍ରାଚୀନ ମନ୍ଦିର, ମୂର୍ତ୍ତି, ଦୁର୍ଗ ସେ ପରିଦର୍ଶନ କରିଛନ୍ତି। କଟକ ଥିଲା ତାଙ୍କର ପ୍ରିୟ ସହର। କଟକରେ କାହିଁକି ରାଜଧାନୀ ପ୍ରତିଷ୍ଠା ହୋଇଥିଲା, ଚୌଦ୍ଵାର, ହୁକିଟୋଲା,ଫଲସ୍ ପଏଣ୍ଟ୍, କେନ୍ଦୁଝର ନରବଳୀ, ପୁରୀ ମନ୍ଦିର, ପୁରୀ ପଣ୍ଡା, ଗଡ଼ଜାତ ରାଜାରାଜୁଡ଼ାଙ୍କ ବେଶ ପୋଷାକ, ଅତ୍ୟାଚାର, ଲୁଣମରା, ଓଡ଼ିଆ ଝିଅ ବାହାଘର ଇତ୍ୟାଦି ତାଙ୍କ ଆଲୋଚନା ଗ୍ରନ୍ଥମାନଙ୍କରେ ବର୍ଣ୍ଣିତ।ଓଡ଼ିଶାର ଭାଷା, ସାହିତ୍ୟ, ଇତିହାସ, ଭୂଗୋଳ, ପ୍ରତ୍ନତତ୍ତ୍ଵ ସମ୍ପର୍କରେ ସେ ୧୬ ଗୋଟି ଆଲୋଚନା ଗ୍ରନ୍ଥ ଲେଖିଯାଇଅଛନ୍ତି। ଏସବୁ ୧୮୭୦ ରୁ ୧୮୯୬ ମଧ୍ୟରେ ପ୍ରକାଶିତ। ଦୀର୍ଘ ନଅ ବର୍ଷର ଯାତ୍ରା ଓ ଏହି ଭୂଖଣ୍ଡ ସହ ଜଡ଼ିତ ହୋଇ ପଡିଥିବା ଜନ୍ ବୀମ୍ସ୍ ନିରାଶ ହୋଇପଡିଲେ ଓଡ଼ିଶା ଛାଡ଼ି ଯିବାକୁ। ମନ ନ ଥିଲା ଏବଂ ଅନ୍ୟ ପକ୍ଷରେ ଓଡ଼ିଶାର ଜନସାଧାରଣ ଯେମିତି ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଅନ୍ୟତ୍ର ବଦଳି ହୋଇ ସେ ଓଡ଼ିଶା ଛାଡିଲେ ୧୮୭୮ ମସିହାରେ।୧୮୩୭ ମସିହା ଜୁନ୍ ୨୧ ତାରିଖରେ ଜନ୍ମିତ ବୀମ୍ସ୍ ମହାଶୟ ୧୯୦୨ ମଇ ୨୪ ତାରିଖରେ ଆରପାରିକୁ ଚାଲିଗଲେ। ସେ ଜନ୍ମରେ ଓଡ଼ିଆ ନଥିଲେ, କିନ୍ତୁ ପ୍ରାଣରେ ଥିଲେ ଓଡ଼ିଆ।
ଆଜି ସେହି ଫିରିଙ୍ଗି ଓଡ଼ିଆଙ୍କୁ ସ୍ମରଣ କଲାବେଳେ ମନରେ ଉଙ୍କି ମାରୁଛି ଏକ ପ୍ରଶ୍ନବାଚୀ ଯେମିତି – “ଜନ୍ ବୀମ୍ସ୍ ନ ଥିଲେ, ଆମେ ଓଡ଼ିଆ ଭାଷାଭାଷୀ କ’ଣ ସତରେ ସୁରକ୍ଷିତ ଥାଆନ୍ତେ ?”
ଆଧାର: ଆମେ ଓଡ଼ିଆ, ନୃସିଂହ ଚରଣ ସାହୁ;
ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ, ଡଃ ଶ୍ରୀନିବାସ ମିଶ୍ର