ଚାନ୍ଦବାଲି

ଲେଖା: ଦେଵ ତ୍ରିପାଠୀ

୧୮୬୬ ମସିହା । କଟକ ।

ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ କାଳ । ଓଡ଼ିଆ ଲୋକଙ୍କ ପାଇଁ ବଙ୍ଗଦେଶ କିମ୍ବା ଅନ୍ୟାନ୍ୟ ଅଞ୍ଚଳରୁ ଆବଶ୍ୟକୀୟ ପଦାର୍ଥ ଆଣିବା କିମ୍ବା ପଠାଇବା ପାଇଁ ନିର୍ଭର କରିବାକୁ ପଡ଼ୁଥିଲା ଜଳପଥ ଉପରେ । ଓଡ଼ିଶାରେ ଏକ ଅନୁକୂଳ ସାମୁଦ୍ରିକ ବନ୍ଦରର ଆବଶ୍ୟକତା ଅନୁଭବ କରି କମିଶନର T. E. Ravenshaw ଦାୟିତ୍ଵ ଦେଲେ Captain Mc Neillଙ୍କୁ । ତେବେ ଓଡ଼ିଶାର କେତେକ ପ୍ରାଚୀନ ଅବା ଲୁପ୍ତ ବନ୍ଦରଗୁଡ଼ିକ ଉପରେ ସବିଶେଷ ଗବେଷଣା କରି ଜ୍ଞାନ ଅର୍ଜନ କରିଥିବା କ୍ୟାପଟେନ୍ ନୀଲ୍ ପରିଶେଷରେ ଏକ ଦୀର୍ଘ ରିପୋର୍ଟ ସହିତ ଯେଉଁ ପ୍ରାଚୀନ ବନ୍ଦରର ନାମ ପ୍ରସ୍ତାବ ଦେଲେ, ସେ ବନ୍ଦର ଥିଲା ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ମୁକସାକ୍ଷୀ ଚାନ୍ଦବାଲି ।

କହିବା ବାହୁଲ୍ୟ, ଉତ୍କଳର ଏକ ପ୍ରାଚୀନ ପ୍ରାକୃତିକ ନଦୀ ବନ୍ଦର (Natural River Port) ଭାବେ ଏକଦା ସୁଖ୍ୟାତି ଅର୍ଜିଥିବା ଚାନ୍ଦବାଲି ଦେଇ ସାଧବମାନେ ଦିନେ ଜାଭା (ଯବଦ୍ଵୀପ), ସୁମାତ୍ରା (ସ୍ବର୍ଣ୍ଣଦୀପ), ବୋର୍ଣ୍ଣିଓ (ବରୁଣ ଦ୍ଵୀପ), ବାଲି (ବଳୀଦ୍ଵୀପ) ପ୍ରମୁଖ ଇଣ୍ଡୋନେସିଆର ଦ୍ଵୀପପୁଞ୍ଜ ଏବଂ ଥାଇଲାଣ୍ଡ (ଶ୍ୟାମଦେଶ), ମାଳୟ, ଭିଏତନାମ (ଚମ୍ପା), ଶ୍ରୀଲଙ୍କା (ସିଂହଳ), ମାଲୟେସିଆ, କମ୍ବୋଡିଆ (କମ୍ବୋଜ), ସୁମେର (ଟାଇଗ୍ରୀସ୍ ଓ ୟୁଫ୍ରେଟିସ୍ ନଦୀଉପତ୍ୟକା ଅଞ୍ଚଳସମୂହ), ବର୍ମା (ମିଆଁମାର୍), ଆନାଟୋଲିଆ (ଏସିଆ ମାଇନର୍), ଗ୍ରୀସ୍, ରୋମ୍, ମିଶର, ଚୀନ୍, ଜାପାନ, କୋରିଆ, ଆଫ୍ରିକା, ସାଉଦିଆରବ, ଇରାକ, ଇରାନ୍, ହଲାଣ୍ଡ, ଡ଼େନମାର୍କ (ଦିନାମାର୍) ଆଦି ଅଞ୍ଚଳକୁ ବାଣିଜ୍ୟ କରିବାକୁ ଯାଉଥିଲେ । କେବଳ ସେତିକି ନୁହେଁ, କରମଣ୍ଡଳ (ଆନ୍ଧ୍ର ଓ ତାମିଲନାଡ଼ୁ), ଡ଼େକାନ୍, ମାଲାବାର୍ (କେରଳ), ଗୁଜୁରାତ, ବମ୍ବେ ଦ୍ଵୀପ ପରି ବିଭିନ୍ନ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ବାଣିଜ୍ୟିକ କାରବାରରେ ଲିପ୍ତ ଥିଲେ !


ନିଜ ଅଧ୍ୟବସାୟ ବଳରେ ଉତ୍କଳର ବାଣିଜ୍ୟିକ କାରବାରର ଇତିହାସ ପଢ଼ି ସାରିଥିଲେ କ୍ୟାପଟେନ୍ ନୀଲ୍ ! ଉଚ୍ଚାକାଙ୍କ୍ଷୀ ନୀଲ୍ ଦିନେ ଅନୁରୋଧ ପୂର୍ବକ କମିଶନର ରେଭେନ୍ସା ମହାଶୟଙ୍କୁ ସାଥୀରେ ନେଇଗଲେ କଲିକତା ! ପରିତ୍ୟକ୍ତ ଜଳପଥରେ ଜାହାଜ ମେଲି ଦେଇ ନୀଲ୍ ଯୋଜନା କରୁଥିଲେ ନିଜ ପାଇଁ ସୁନେଲି ଭବିଷ୍ୟତ, କମିଶନର ରେଭେନ୍ସା କିନ୍ତୁ ଭାବୁଥିଲେ ସେଇ ଐତିହାସିକ ଲୁପ୍ତ ବନ୍ଦରଟିର ପୁନରୁଦ୍ଧାର ତଥା ତଜ୍ଜନିତ ଆର୍ଥନୀତିକ ବିକାଶର କଥା !

ଖୁବଶୀଘ୍ର ବ୍ରିଟିଶ ସରକାରଙ୍କ ଠାରୁ ୧୭୯ ଏକର ଜମିକୁ ଦଶ ବର୍ଷ ପାଇଁ ଲିଜ୍ ସୂତ୍ରରେ ନେଇ ବନ୍ଦର ସମେତ ଆନୁସଙ୍ଗିକ ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ଲାଗିପଡ଼ିଲେ କ୍ୟାପଟେନ୍ ନୀଲ୍ ! କମିଶନର ରେଭେନ୍ସାଙ୍କ ନିରନ୍ତର ଉଦ୍ୟମର ଫଳସ୍ବରୂପ ୧୮୭୨ ମସିହାରେ କଟକର ନୂତନ କମିଶନର ଚାନ୍ଦବାଲିକୁ ପୂର୍ଣ୍ଣକ୍ଷମ ବନ୍ଦର ଭାବେ ଘୋଷଣା କଲେ ! ବନ୍ଦରର ଉନ୍ନୟନ କାର୍ଯ୍ୟ ସମାପନ ଉପରାନ୍ତେ ନୀଲ୍’ଙ୍କ ନବଗଠିତ କମ୍ପାନୀ India General System Navigation Co. ବନ୍ଦରର ପରିଚାଳନା ଭାର ହାତକୁ ନେଲା ! ଚାନ୍ଦବାଲିର ଇତିହାସରେ ଯୋଡ଼ା ହେବାକୁ ଯାଉଥିଲା ପ୍ରଗତିର ନୂତନ ପୃଷ୍ଠା !

ରେଭେନ୍ସାଙ୍କ ଦୃଷ୍ଟିରେ ଭାରତବର୍ଷର ସର୍ବୋତ୍ତମ ଯାତ୍ରୀପରିବହନ ଓ ବାଣିଜ୍ୟଭିତ୍ତିକ ବନ୍ଦର ଭାବେ ଗଢ଼ି ଉଠୁଥିବା ଚାନ୍ଦବାଲି ବନ୍ଦରରେ ୧୮୭୩ ମସିହାରେ ଚାନ୍ଦବାଲି-କଲିକତା ଏବଂ ଚାନ୍ଦବାଲି-ବାଲେଶ୍ୱର ପଥରେ ବାଷ୍ପଚାଳିତ ଯାତ୍ରୀ ଓ ମାଲବାହୀ ଜାହାଜର ଚଳାଚଳ ନିୟମିତ ହେଲା ! Central Steam Navigation Co. ନାମକ କମ୍ପାନୀ ଅଧୀନରେ ଛୋଟ ଛୋଟ ବାଷ୍ପଚାଳିତ ନୌକା ବଦଳରେ ଯାତ୍ରା ଓ ବେସିନ୍ ନାମକ ଦୁଇଟି ବିଶାଳ ଜାହାଜର ଚଳାଚଳ ଆରମ୍ଭ ହୋଇଗଲା ।

ବ୍ୟକ୍ତିଗତ ବ୍ୟବସାୟ ଓ ଲାଭକୁ ଦୃଷ୍ଟିରେ ରଖି ନୀଲ୍ ପ୍ରଣୟନ କରିଥିବା ଯୋଜନାରେ ଉଭୟ ନୀଲ୍ ଓ ବ୍ରିଟିଶ ସରକାର ଯଥେଷ୍ଟ ଲାଭବାନ ହୋଇଥିଲେ ହେଁ ଓଡ଼ିଶାର ଜନସାଧାରଣ ମୁଖ୍ୟତଃ କଟକ ଓ ବାଲେଶ୍ଵର ଜିଲ୍ଲାର ଛୋଟବଡ଼ ବ୍ୟବସାୟୀ ବିଶେଷ ଭାବେ ଲାଭାନ୍ୱିତ ହୋଇଥିଲେ । ନଅଙ୍କ ଦୁର୍ଭିକ୍ଷର କରାଳ ଆଘାତରୁ ମୁକୁଳି ଧୀର ପଦପାତରେ ଚାଲିବାକୁ ଆରମ୍ଭ କରିଥିବା ଜାତିଟିର ଅର୍ଥନୈତିକ ବିକାଶ ଏବଂ ସାଂସ୍କୃତିକ ବିନିମୟ ଦିଗରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିଥିଲା ଚାନ୍ଦବାଲି ବନ୍ଦର, ସେଥିପାଇଁ ଓଡ଼ିଆ ଜାତି ପୁଞ୍ଜିପତି କ୍ୟାପଟେନ୍ ନୀଲଙ୍କ ପାଖରେ ଋଣୀ ରହିବ ନିଶ୍ଚିତ ।

ବ୍ୟବସାୟୀ ଗୋଷ୍ଠୀଙ୍କ ବ୍ୟତୀତ ଅନ୍ୟ ଏକ ବୃହତ ଗୋଷ୍ଠୀ ପାଇଁ ବରଦାନ ସଦୃଶ ଥିଲା ଚାନ୍ଦବାଲି ବନ୍ଦର ! କମ୍ପାନୀ ମାଧ୍ୟମରେ ଜଳପଥରେ ଯାତାୟାତର ଚାହିଦା ବୃଦ୍ଧି ଯୋଗୁଁ ଛୋଟ ଛୋଟ ପାଲଟଣା ଜାହାଜଗୁଡ଼ିକର ଚଳାଚଳ ମଧ୍ୟ ଧୀରେ ଧୀରେ ଆରମ୍ଭ ହେଲା ! କନିକା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଇତ୍ୟାଦି ଅଞ୍ଚଳ ଉଦ୍ୟମୀ ବ୍ୟକ୍ତିମାନଙ୍କ ଉଦ୍ୟମରେ ବନ୍ଦରରୁ ଯାତାୟାତରେ ଜଡ଼ିତ ହେଲେ ଶତାଧିକ ପାଲଟଣା ଜାହାଜ ! ଏପରିକି କମ୍ପାନୀର ବଡ଼ ବଡ଼ ଜାହାଜମାନଙ୍କ ସହିତ ମାଲ ବୋଝେଇ କିମ୍ବା ଖଲାସି ବାବଦରେ ଯୋଡ଼ି ହେଲେ ଶତାଧିକ ଡି଼ଙ୍ଗି (ସାନଡ଼ଙ୍ଗା) ! ଫଳତଃ, ପଟ୍ଟାମୁଣ୍ଡାଇ, କନିକା ଅଞ୍ଚଳର ଗରିବ ଜମିହୀନ ଶ୍ରେଣୀର ଲୋକେ ପାଇପାରିଲେ ନିୟମିତ କର୍ମସଂସ୍ଥାନ ! ଜଳପଥରେ ଚଳାଚଳ ସୁଗମ ହେବା କାରଣରୁ ଆରଡ଼ିରେ ଆଖଣ୍ଡଳମଣି, କେନ୍ଦ୍ରାପଡ଼ାରେ ଶ୍ରୀବଳଦେବଜୀଊ, ପୁରୀରେ ବଡ଼ଦେଉଳ ଦର୍ଶନ କରିବାକୁ ତୀର୍ଥଯାତ୍ରୀଙ୍କ ଯାତାୟାତ ବୃଦ୍ଧି ପାଇଲା । ମତ୍ସ୍ୟଜୀବୀଙ୍କ ଗାଁ ଭାବେ ପରିଚିତ ଥିବା ଚାନ୍ଦବାଲି ଦେଢ଼ ଦଶନ୍ଧି ଭିତରେ ଛୋଟ ବ୍ୟବସାୟିକ ସହରରେ ପରିଣତ ହୋଇଗଲା !  


ବନ୍ଦରର ବର୍ଦ୍ଧିତ କାରବାର ତଥା ପରିଚୟକୁ ସୁଚାରୁରୂପେ କରିବା ନିମନ୍ତେ ତତ୍କାଳୀନ କମିଶନର ଓଡ଼ିଶା ରାଜ୍ୟ ବନ୍ଦର ମୁଖ୍ୟ କାର୍ଯ୍ୟାଳୟ କଟକରୁ ଚାନ୍ଦବାଲିକୁ ସ୍ଥାନାନ୍ତରିତ କରିଦେଲେ । ଚାନ୍ଦବାଲି ସହରରେ ବୈଷୟିକ ଏବଂ ଗମନାଗମନ ପରିଚାଳନା ଉଦ୍ଦେଶ୍ୟରେ Port and Inland Water Transport Office ମଧ୍ୟ ସ୍ଥାପିତ ହେଲା । ୧୮୮୧ ମସିହା ମାର୍ଚ୍ଚ ୨୮ ତାରିଖରେ ସରକାର ବିଧିବଦ୍ଧ ଭାବେ ଚାନ୍ଦବାଲି ବନ୍ଦରକୁ ସରକାରୀ ବନ୍ଦର ରୂପେ ଘୋଷଣା କରିଦେଲେ !

ନଅଙ୍କ ଦୁର୍ଭିକ୍ଷରେ କଙ୍କାଳସାର ବନିଯାଇଥିବା ଜାତିର ମୁହଁରେ ଦାନା ଦେଇ ବଞ୍ଚାଇପାରିଥିଲା ସେଇ ଚାନ୍ଦବାଲି ବନ୍ଦର ! ଓଡ଼ିଆଙ୍କ ଜନଜୀବନରେ, କଥାରେ, ଗାଥାରେ ବି ଥିଲା ସେଇ ବନ୍ଦରର ଗୁଣଗାନ ! କବିପଣ୍ଡିତଙ୍କ ତୁଣ୍ଡରେ ଲେଖନୀରେ ଥିଲା ଚାନ୍ଦବାଲିର ଗାରିମାମୟ କାହାଣୀ ! କବିବର ଚିନ୍ତାମଣି ମହାନ୍ତି କବିଶେଖର ପରା ଲେଖିଦେଇଗଲେ:
“ବହିତ୍ର ବଳିତ ରମ୍ୟ ଚାନ୍ଦବାଲି,
ବାଣିଜ୍ୟ ଗୌରବ ରଖିଛି ସମ୍ଭାଳି ।”
—-   —   —-

“ଏଇ କଥାକୁ ନାଆ ପେଲିଦେଲି କଲିକତାକୁ . . !” ଉପକୂଳ ଓଡ଼ିଶାର ଗାଁ ଗହଳିର ମାଇପିମହଲରେ ବହୁ ପ୍ରଚଳିତ ଏଇ ଢଗଟି ହସ ଅବା ଥଟ୍ଟାତାମସାରେ ବ୍ୟବହୃତ ହେଉଥିଲେ ହେଁ, କଥାଟି ଯେ କେହି ଶତାବ୍ଦୀ ତଳର ଗୌରବମଣ୍ଡିତ ଜାତିଟିର ଆର୍ଥନୀତିକ ସମୃଦ୍ଧିକୁ ନେଇ ସୃଷ୍ଟି, ସେକଥା ହୁଏତ ଅନେକଙ୍କୁ ଅଜଣା !

ବ୍ରିଟିଶ ସରକାର ଉତ୍ତମ ଜଳପଥ ଭାବେ ସ୍ଥିର କରି ଚାନ୍ଦବାଲି ବନ୍ଦରର ବିକାଶ କଲେ, ବନ୍ଦର ଦେଇ ଉଭୟ ଯାତ୍ରୀ ଓ ମାଲ ପରିବହନ ସୁଗମ ହେଲା, ଯାତାୟାତ ଗମନାଗମନ ବୃଦ୍ଧି ହେଲା, ଆର୍ଥିକ ସମୃଦ୍ଧି ଘଟିଲା । କେବଳ ଚାନ୍ଦବାଲି ନୁହେଁ, କନିକା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଏପରିକି କଟକ ନଗର ଓ ଆଖପାଖ ଅଞ୍ଚଳର ବିକାଶ ଘଟିଲା, ତେଣୁ ଓଡ଼ିଆଙ୍କ ମାନସପଟରେ ଚାନ୍ଦବାଲି ଆଉ ଜଳପଥରେ ନାଆ ପେଲିଦେବା ଉଭୟ ଅତି ପରିଚିତ ଶବ୍ଦ ଭାବେ ଆସ୍ଥାନ ଜମାଇଦେଲେ !

କହିବା ବାହୁଲ୍ୟ, ଚାନ୍ଦବାଲିକୁ ଉତ୍କଳ ଭୂଖଣ୍ଡର ଏକ ପ୍ରାଚୀନ ନୌବାଣିଜ୍ୟ ବନ୍ଦର ଭାବେ ଅଭିହିତ କରିଥିଲେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ଅଫିସର Captain Neil; ମାତ୍ର ନୀଲ୍ ଗବେଷକ କିମ୍ବା ଐତିହାସିକ ନ ଥିଲେ । ଦୁଃଖର କଥା, ନୀଲ୍’ଙ୍କ ପରେ ଦେଢ଼ ଶତାବ୍ଦୀରୁ ଅଧିକ କାଳ ବିତିଗଲାଣି, ମାତ୍ର ଚାନ୍ଦବାଲିର ପ୍ରାଚୀନତାକୁ ନେଇ ବିଭିନ୍ନ ତଥ୍ୟ ଉପଲବ୍ଧ ଥିଲେ ମଧ୍ୟ ବ୍ୟାପକ ଗବେଷଣାର ଆବଶ୍ୟକତା ଏବେ ମଧ୍ୟ ଅନୁଭୂତ ହୁଏ !

ତେବେ ଚାନ୍ଦବାଲିକୁ ଲାଗି ରହିଛି ବାଲିଗାଁ ବୋଲି ବଡ଼ ଗାଁଟିଏ । ଏଠାକାର ରାଜା ଥିଲେ ବାଲି, ରାଣୀ ଚାନ୍ଦଦେବୀ । କୁହାଯାଏ, ରାଣୀ ଓ ରାଜାଙ୍କ ନାମରେ ସମ୍ମିଶ୍ରଣରେ ସମ୍ଭବତଃ ‘ଚାନ୍ଦବାଲି’ ନାମରେ ସୃଷ୍ଟି ! ଲୋକକଥା ଯାହା ବି ସୂଚନା ମିଳୁଥାଉ ପଛେ, ଏଇ ବାଲିଗାଁ ନିକଟସ୍ଥ ମହୁରୀ ଗାଁରେ ମିଳେ ଏକ ଅତି ପୁରାତନ ବିଶାଳ ବୋଇତରେ ଭଗ୍ନାବଶେଷ ! ଅତୀତରେ ବୋଇତରେ ବାଣିଜ୍ୟ କାରବାର ହେଉଥିବାର ଇଏ ଏକ ବଳିଷ୍ଠ ପ୍ରମାଣ ! ଇତିହାସ କହେ, ମହୁରୀ ଗାଁ ଉତ୍କଳର ଏକ ପ୍ରାଚୀନ ବନ୍ଦର ଥିଲା ! ଅପରପକ୍ଷରେ, ତଅପୋଇ ଏବଂ ତାଙ୍କ ସାଧବ ସାତଭାଇଙ୍କ ଆଧାରଭୂମି ପ୍ରାଚୀନ ରିଘାଗଡ଼ ଓ ସାତଭାୟା ହୋଇଥିବାରୁ ଚାନ୍ଦବାଲି ବନ୍ଦରର ପ୍ରାଚୀନତା ସମ୍ପର୍କରେ ଅନୁମାନ କରିହୁଏ ।

ଚାନ୍ଦବାଲି ସହରର ଅନତି ଦୂରରେ ଧୀବର ମାନଙ୍କ ଇଷ୍ଟଦେବୀ ମା’ ଡାକେଶ୍ୱରୀଙ୍କ ଭବ୍ୟ ଦେଉଳଟିଏ ବିଦ୍ୟମାନ । ସାଧବମାନେ ଦୂରଦେଶକୁ ବଣିଜ ନିମନ୍ତେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ମା’ଙ୍କୁ ଉପାସନା କରିବାକୁ ଭୁଲୁ ନ ଥିଲେ ! ଅପରପକ୍ଷରେ ବାଂଲାଦେଶର ରାଜଧାନୀ ଢାକା ମହାନଗରୀରେ ପୂଜା ପା’ନ୍ତି ମା’ ଡାକେଶ୍ୱରୀ । ଚାନ୍ଦବାଲିର ବୈତରଣୀ ତଟସ୍ଥ ଡାକେଶ୍ୱରୀ ମନ୍ଦିର ଓ ଢାକା ନଗରୀର ଡାକେଶ୍ୱରୀ ମନ୍ଦିରର ଗଠନଶୈଳୀ ରେ ରହିଛି ଅପୂର୍ବ ସାମଞ୍ଜସ୍ୟ ! ଉଭୟ ଦେଉଳର ଦେବୀଙ୍କ ପ୍ରତିମାରେ ମଧ୍ୟ ! ଗବେଷକଗଣ ମତ ଦିଅନ୍ତି ଯେ, ନିର୍ଦ୍ଦିଷ୍ଟ ଏକ ନାବିକ/ସାଧବ ଗୋଷ୍ଠୀଙ୍କ ଦ୍ବାରା ଉଭୟ ଦେଉଳ ନିର୍ମିତ ଏବଂ ଦିଅଁମାନେ ପ୍ରତିଷ୍ଠିତ । ହୁଏତ ପ୍ରାଚୀନ ଉତ୍କଳର ସାଧବମାନେ ବାଂଲାଦେଶକୁ ବାଣିଜ୍ୟ କରିବାକୁ ଯାଇ ସେଠାରେ ମା’ ଡାକେଶ୍ୱରୀଙ୍କୁ ସ୍ଥାପନା କରିଥିବେ କିମ୍ବା ବାଂଲାଦେଶରୁ ମା’ ଡାକେଶ୍ୱରୀଙ୍କ ମୂର୍ତ୍ତି ଆଣି ଚାନ୍ଦବାଲିରେ ପ୍ରତିଷ୍ଠା କରି ପୂଜା ଆରାଧନା କରିଥିବେ । ଢାକାନଗରୀର ଦେବୀ ଭାବେ ଡାକେଶ୍ୱରୀ ପ୍ରସିଦ୍ଧି ଲାଭ କରିଥିବେ କିମ୍ବା ଡାକେଶ୍ୱରୀଙ୍କ ନାମରୁ ଢାକା ନାମକରଣ ହେଇଥିବ, ଏହା ଗବେଷଣାସାପେକ୍ଷ !

କେହି କେହି ବାଲିଦ୍ଵୀପ ସହ ବାଣିଜ୍ୟିକ ସମ୍ପର୍କ ଥିବା କାରଣରୁ ଓଡ଼ିଶାର ଏହି ସର୍ବପୁରାତନ ନଦୀବନ୍ଦରର ନାମ ଚାନ୍ଦବାଲି ହୋଇଛି ବୋଲି ମତ ଦିଅନ୍ତି ! ନାମକରଣ ପଛରେ ଯାହା ବି କାରଣ ଥାଉ ନା କାହିଁକି, ପ୍ରାଚୀନ ନୌବାଣିଜ୍ୟ ପରମ୍ପରାରେ ବନ୍ଦରର ଭୂମିକା ଅନସ୍ବୀକାର୍ଯ୍ୟ !

ଯାଜପୁର ଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ ବୈତରଣୀ ସୁନାବ୍ୟା ଥିବାରୁ ଏ ଅଞ୍ଚଳରେ ଏକଦା ନଦୀପଥରେ ପରିବହନ ସମ୍ଭବ ଥିଲା । ଯାଜପୁର ଆଖପାଖ ଅଞ୍ଚଳରୁ ପଣ୍ୟଦ୍ରବ୍ୟ ସଂଗୃହୀତ ହୋଇ କୟାଁଗୋଲା ଜେଟିରେ ସାଇତି ରଖାଯାଉଥିଲା, ଏବଂ ସେଠାରୁ ଚାନ୍ଦବାଲି ବନ୍ଦର ଦେଇ ବିଦେଶକୁ ପଠାଯାଉଥିଲା । ମହାନଦୀ ଜଳପଥ ଦେଇ ବିଦେଶରୁ ଫେରୁଥିବା ସାଧବମାନେ ଯେପରି କଟକ ଗଡଗଡିଆ ଘାଟରେ ବାଲିଯାତ୍ରା ଉତ୍ସବ ପାଳୁଥିଲେ, ଚାନ୍ଦବାଲି ବାଟେ ବିଦେଶରୁ ଫେରୁଥିବା ବଣିକ/ସାଧବଗଣ ସେପରି ଯାଜପୁରର ଦଶାଶ୍ବମେଧ ଘାଟରେ ଆୟୋଜନ କରୁଥିଲେ ବାଲୁଙ୍କାଯାତ୍ରା ନାମକ ମେଳାଟିଏ !

ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବର କଥା ଯେ, ପଞ୍ଚଦଶ-ଷୋଡଶ ଶତାବ୍ଦୀବେଳକୁ ଇଂରେଜ ଜାତି ଯାହା କରିଥିଲେ, ତା’ର ହଜାର ହଜାର ବର୍ଷ ପୂର୍ବରୁ କଳିଙ୍ଗବାସୀ ସମଗ୍ର ପୃଥିବୀରେ ଉପନିବେଶ ସ୍ଥାପନ କରି ନିଜକୁ ଏକ ଚତୁର ବିଚକ୍ଷଣ ଜାତିର ପରିଚୟ ଦେଇପାରିଥିଲେ ! ସିଂହଳ ଅବା ମାଳୟ ଦ୍ଵୀପପୁଞ୍ଜରେ ଉପନିବେଶ ଥାପିପାରିଥିବା ଗର୍ବିତ ଜାତି ଆମେ ! ତେବେ ପଞ୍ଚଦଶ ଷୋଡ଼ଶ ଶତାବ୍ଦୀବେଳକୁ ଚାନ୍ଦବାଲି ବନ୍ଦର ଦେଇ ବାଣିଜ୍ୟ କାରବାର ଥିଲା ନଭଶ୍ଚୁମ୍ବୀ ! ପ୍ରାଚୀନ ଉତ୍କଳର କଟକୀ ତାରକସି ପ୍ରାଚ୍ୟ ଓ ୟୁରୋପକୁ ଯାଇପାରୁଥିଲା ଏଇ ଚାନ୍ଦବାଲି ବନ୍ଦର ବାଟେ !

ଚାନ୍ଦବାଲି ବନ୍ଦର ! ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ମୁକସାକ୍ଷୀ । ତତ୍କାଳୀନ ଉତ୍କଳର ପ୍ରବେଶଦ୍ୱାର (Gateway of Odisha) ମଧ୍ୟ ! ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରେ ଉତ୍କଳ ଭୂମିରେ ପ୍ରଭୁତ୍ୱ ବିସ୍ତାର କରିବା ପାଇଁ ଇଂରେଜମାନେ ଏଇ ବନ୍ଦର ଓ ପଟ୍ଟାମୁଣ୍ଡାଇ ନଦୀବନ୍ଦର ଦେଇ ପହଞ୍ଚିଥିଲେ କଟକରେ । ଘୁମୁସର ବିଦ୍ରୋହ ଠାରୁ ଆରମ୍ଭ କରି ବକ୍ସି ଜଗବନ୍ଧୁଙ୍କ ପାଇକ ବିଦ୍ରୋହ, ପିଣ୍ଡିକୀ ବାହୁବଳେନ୍ଦ୍ର, ଜୟୀ ରାଜଗୁରୁଙ୍କ ପରି ମୁକ୍ତିପାଗଳ ମୁକ୍ତିଯୋଦ୍ଧା ମାନଙ୍କୁ ପ୍ରତିହତ କରିବା ପାଇଁ, ବୀରରକ୍ତେ ଗଢ଼ା ବାରବାଟୀ ଦୁର୍ଗକୁ ଅକ୍ତିଆର କରିବା ପାଇଁ ହଜାର ହଜାର ସଂଖ୍ୟକ ବ୍ରିଟିଶ ଓ ଭାରତୀୟ ସୈନ୍ୟଙ୍କ ପଲଟଣ ଉତ୍କଳ ମାଟିରେ ପ୍ରବେଶ କରିଥିଲେ ଏଇ ଚାନ୍ଦବାଲି ବନ୍ଦର ବାଟେ !


ଓଡ଼ିଆ ଜାତି ପାଇଁ ମା’ଟିଏ ଥିଲା ଚାନ୍ଦବାଲି ! ବାରମ୍ବାର ଧ୍ୱସ୍ତବିଧ୍ୱସ୍ତ ହେଲା ପରେ ବି ମୁଣ୍ଡ ଟେକି ଛିଡ଼ା ହୋଇଛି ସେଇ ମା’, ଓଡ଼ିଆଙ୍କ ସୁଖ ପାଇଁ ! ଦାନା ଦେଇଛି ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ! ୧୮୮୭ ସନ୍ ମଇ ୨୫ ତାରିଖରେ ଚାନ୍ଦବାଲି ଦେଖିଛି  ଭାରତବର୍ଷର ସବୁଠାରୁ ବଡ ଜାହାଜ ଦୁର୍ଘଟଣାରେ  ସାର୍ ଜନ୍ ଲରେନ୍ସ (Sir John Lawrence) ର ଲୀନ, ୧୪୦୦ ସନ୍ତାନଙ୍କ ମରଣର ଦୃଶ୍ୟ ! କଳଙ୍କିତ ଇତିହାସ ଲେଖା ହୋଇଛି ଚାନ୍ଦବାଲିର ମଥାରେ ! ପ୍ରଭାବିତ ହୋଇଛି ଯାତ୍ରୀ ପରିବହନ ! ପୁଣି ମଥା ଟେକିଛି ଚାନ୍ଦବାଲି !

ଓଡ଼ିଆ ଜାତି ପାଇଁ ମା’ଟିଏ ସାଜିଥିଲା ଚାନ୍ଦବାଲି ବନ୍ଦର ! ମାତ୍ର ୧୮୮୭ ସନ୍ ମଇ ୨୫ ତାରିଖରେ ୧୪୦୦ ସନ୍ତାନଙ୍କ ମରଣ ସହିତ କଳଙ୍କିତ ଜାହାଜ ଦୁର୍ଘଟଣାରେ କଳଙ୍କିତ ହେଲା ଏଇ ବନ୍ଦର ! ଲକ୍ଷ ଲକ୍ଷ ଓଡ଼ିଆଙ୍କ ମୁହଁରେ ଦାନା ଦେଉଥିବା ସେଇ ମା’ ଶୋଇଗଲା ଚିର ନିଦ୍ରାରେ ! 

କିଛି ବର୍ଷର ସ୍ଥାଣୁତା ପରେ କେହି ଜଣେ ଉଚ୍ଚାକାଙ୍କ୍ଷୀ ବ୍ରିଟିଶ କର୍ମକର୍ତ୍ତାଙ୍କ ହାତରେ ଚାନ୍ଦବାଲି ପୁନର୍ଜୀବନ ଲଭିଲା ସତ ! ଉନ୍ନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ କଲିକତାରୁ କଟକକୁ ରେଳଗାଡ଼ି ଛୁଟିଲା ! ଗମନାଗମନ ସହିତ ବିକାଶର ଧାରା ବଦଳିଲା, ଜଳପଥରେ ଯାତ୍ରାର ଗୁରୁତ୍ଵ ହ୍ରାସ ପାଇଲା, ଚାନ୍ଦବାଲି-କଲିକତା ମଧ୍ୟରେ ଜାହାଜ ଚଳାଚଳ ଧୀରେ ଧୀରେ ବନ୍ଦ ହୋଇଗଲା !

ତେବେ ଚାନ୍ଦବାଲିର ସ୍ପର୍ଦ୍ଧିତ ସୂର୍ଯ୍ୟ ପୁନଃ ଅସ୍ତ ହୋଇ ଆସିଲା ବେଳକୁ ମନପ୍ରାଣରେ ଆଗେଇ ଆସିଥିଲେ ଶତାବ୍ଦୀର ସୂର୍ଯ୍ୟ ! ୧୯୧୩ ମସିହାରେ ଲଣ୍ଡନ Imperial Legislative Council ଅଧିବେଶନରେ ବନ୍ଦରର ପୁନରୁତ୍ଥାନ ତଥା ସମ୍ପ୍ରସାରଣ ପାଇଁ ଯୁକ୍ତିନିଷ୍ଠ ପ୍ରସ୍ତାବ ଆଗତ କରିଥିଲେ ସେ ! ତଥାପି ଚାନ୍ଦବାଲି ବନ୍ଦରରେ ଯାତ୍ରୀ ଓ ମାଲ ପରିବହନର ଚାହିଦା ହ୍ରାସକୁ ଦୃଷ୍ଟିରେ ରଖି ବ୍ରିଟିଶ କର୍ତ୍ତୃପକ୍ଷ ସେ ବାବଦରେ ବିଶେଷ ଧ୍ୟାନ ଦେଇ ନ ଥିଲେ !


ମାତ୍ର ଓଡ଼ିଆ ଜାତିକୁ ମଥାଟେକି ଚଲାଇବା ପାଇଁ ପଣ କରିଥିବା ଜାତି ଗାଲମାଧବ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସାଧନାରତ ଥାଇ; ମାଟି ମା’ ପାଇଁ, ପ୍ରାଣପ୍ରିୟ ଓଡ଼ିଆଙ୍କ ପାଇଁ ସର୍ବସ୍ୱ ବାଜି ଲଗାଇ ଦେଇଥିବା ଜାତିଐରାବତ ଜୀବନର ଦୁର୍ବିସହତମ ସମୟରେ ମଧ୍ୟ ଚାନ୍ଦବାଲିର ପୁନରୁତ୍ଥାନ ଉଦ୍ୟମ ତ୍ୟାଗ କରି ନଥିଲେ ! ବ୍ରିଟିଶ ସରକାରଙ୍କ ପାଇଁ ଚାନ୍ଦବାଲି ହୁଏତ ଥିଲା ମୃତ ବନ୍ଦରଟିଏ ! ମଧୁବାବୁ କିନ୍ତୁ ସେଇ ମୃତ ନିଷ୍ପ୍ରାଣ ଚାନ୍ଦବାଲିର ଶରୀରରେ ପଢ଼ି ପାରୁଥିଲେ ଉତ୍କଳୀୟ ନୌବାଣିଜ୍ୟର ବିସ୍ତୃତ ଗାରିମାମୟ ଇତିହାସକୁ ! ସହଜରେ ହାରିଯିବାର ବ୍ୟକ୍ତି ନ ଥିଲେ ମଧୁବାବୁ !

ଦୀର୍ଘ ୧୧ ବର୍ଷର ନିରବଚ୍ଛିନ୍ନ ପ୍ରଚେଷ୍ଟା ଫଳରେ ୧୯୨୪ ମସିହାରେ ମଧୁବାବୁଙ୍କ ଭାବଗର୍ଭକ ଆବେଦନକୁ ସ୍ବୀକାର କରି, ବନ୍ଦରକୁ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ବ୍ୟବହାରିକତା ଅନୁଧ୍ୟାନ କରିବା ପାଇଁ ବ୍ରିଟେନ୍ ସରକାର Captain Etsonଙ୍କୁ ଦାୟିତ୍ଵ ଦେଲେ ।

ବନ୍ଦର ନିମନ୍ତେ ବିପୁଳ ଅର୍ଥରାଶିର ନିବେଶକୁ ଦୃଷ୍ଟିରେ ରଖି Captain Etson ଅନୁଧ୍ୟାନ କଲେ ସତ ! କିନ୍ତୁ ଦୀର୍ଘ ଦେଢ଼ ମାସରେ କ୍ୟାପଟେନ ଯେଉଁ ଦୀର୍ଘ ତଥ୍ୟପୂର୍ଣ୍ଣ ସାରଗର୍ଭକ ବିବରଣୀ ପ୍ରଦାନ କଲେ, ବନ୍ଦରର ସମ୍ପ୍ରସାରଣ ପାଇଁ ଅନୁକୂଳ ହେଲା ! (ଦୁର୍ଭାଗ୍ୟକୁ କ୍ୟାପଟେନ ଏଟସନ୍ ଗବେଷକ କି ଐତିହାସିକ ନ ଥିଲେ, ଅନ୍ୟଥା ତାଙ୍କ ହାତରଚିତ ସେ ବହୁମୂଲ୍ୟ ବିବରଣୀ ଉତ୍କଳୀୟ ନୌବାଣିଜ୍ୟ ଇତିହାସରେ ଏକ ଉଲ୍ଲେଖନୀୟ ଅବଦାନ ଭାବେ ଗୃହୀତ ହୋଇଥା’ନ୍ତା !)

ଚାନ୍ଦବାଲି ବନ୍ଦରର ପୁନର୍ବିନ୍ୟାସ ପାଇଁ ମଧୁବାବୁଙ୍କ ବ୍ୟତୀତ କନିକା ଗଡ଼ଜାତର ମହାରାଜା ରାଜେନ୍ଦ୍ରନାରାୟଣ ଭଞ୍ଜଦେଓଙ୍କ ପ୍ରତି କୃତଜ୍ଞ ରହିବ ଓଡ଼ିଆ ଜାତି ! ସ୍ଵାର୍ଥକୈନ୍ଦ୍ରିକ ଚିନ୍ତାଧାରା ଓ ଆଦର୍ଶରହିତ ଚେତନାର ବଶବର୍ତ୍ତୀ ଅଧିକାଂଶ ଗଡ଼ଜାତୀୟ ରାଜାମହାରାଜା ମଧୁବାବୁଙ୍କ ହାତ ଛାଡି ସାରିଥିଲେ ମଧ୍ୟ, ରାଜେନ୍ଦ୍ର ନାରାୟଣ ଥିଲେ ତାଙ୍କର ଚିରସାଥୀ ! ସ୍ବତଃ ମଧୁବାବୁଙ୍କ ସମସ୍ତ କର୍ମ/ଯୋଜନା ପ୍ରତି ତାଙ୍କର ଥିଲା ପ୍ରଚଣ୍ଡ ସହୃଦୟ ସମର୍ଥନ ଓ ସମ୍ମାନ ! ବନ୍ଦର ସମ୍ପ୍ରସାରଣ ନିମନ୍ତେ ଆବଶ୍ୟକୀୟ ନୂତନ ଅଫିସଗୃହ, ବତୀଘର ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ନିମନ୍ତେ ବିନାମୂଲ୍ୟରେ ଜମି ଯୋଗାଇ ଦେଇଥିଲେ ମହାରାଜା !


ଚାନ୍ଦବାଲି ବନ୍ଦର ଦେଇ ଯାତ୍ରୀବାହୀ ଜାହାଜ ଗୁଡ଼ିକର ପୁନଃ ଯାତାୟାତ କୁ ପ୍ରୋତ୍ସାହିତ କରାଇବା ନିମନ୍ତେ ନିଜର ପୁରୁଣା ଷ୍ଟିମର୍ ‘ବଳରାମ’ ସହିତ ଆରମ୍ଭ କଲେ ବିଦେଶରୁ କ୍ରୟ କରିଥିବା ସ୍ବତନ୍ତ୍ର ଆଧୁନିକ ବିଶାଳକାୟ ଷ୍ଟିମର୍ ‘ଯାତ୍ରା’ର ଚଳାଚଳ ! ମହାରାଜାଙ୍କ ପ୍ରଚେଷ୍ଟାରେ ଚଳାଚଳ କଲା ୭ଟି ଆଧୁନିକ ଷ୍ଟିମର ଏବଂ ୯୦ରୁ ଅଧିକ ନୌକା !

ମଧୁବାବୁଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ମହାରାଜା ରାଜେନ୍ଦ୍ର ନାରାୟଣଙ୍କ ସହୃଦୟତାରେ ପୁଷ୍ଟ ଚାନ୍ଦବାଲି ବନ୍ଦର ପୂର୍ଣ୍ଣତଃ ଚଳଚଞ୍ଚଳ ରହିଥିଲା ଚାରି ଦଶନ୍ଧି କାଳ । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ଏବଂ ବହୁବିଧ କାରଣରୁ ୧୯୬୨ ମସିହା ଫେବୃୟାରୀ ମାସରୁ ଜାହାଜ ଚଳାଚଳ ସହିତ ସମସ୍ତ ପ୍ରକାରର ପରିବହନ ବନ୍ଦ ହୋଇଗଲା । ନୀଳାମ୍ବୁ, ସାବିତ୍ରୀ, ସଫିନ୍, କଲ୍ୟାଣୀ ନାମକ ଜାହାଜମାନେ ହିଁ ଥିଲେ ଚାନ୍ଦବାଲିର ଶେଷ ଯାତ୍ରୀ !

ଉତ୍କଳୀୟ ନୌବାଣିଜ୍ୟ କ୍ଷେତ୍ରରେ ସର୍ବାଧିକ ଘଟଣାବହୁଳ ଚାନ୍ଦବାଲି ବନ୍ଦର ଥିଲା ଉତ୍କଳୀୟ ମାନଙ୍କର ବିଦେଶୀ ଦେଶମାନଙ୍କ ସହ ଯୋଗସୂତ୍ର ସ୍ଥାପନର ମୂଳାଧାର । ଏତେ ସଂଖ୍ୟକ ଦେଶକୁ ବଣିଜ ଉଦ୍ଦେଶ୍ୟରେ ଯାଉଥିବା ସାଧବ/ବଣିଜ ମାନଙ୍କର ଦରିଆପାରି ହେବାର କୌଶଳ ସୁଚାରୁରୂପେ ଜଣାଥିଲା । ତେଣୁ ସେଇ ପ୍ରାଚୀନ ପରମ୍ପରାର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ୧୯୭୯ ମସିହାରେ ଏଠାରେ ସ୍ଥାପନା କରାଯାଇଥିଲା ଚାନ୍ଦବାଲି ନାବିକ ପ୍ରଶିକ୍ଷଣ କେନ୍ଦ୍ର (Crew Training Institute of Chandbali) । ଶିକ୍ଷିତ ଓଡ଼ିଆ ଯୁବକମାନଙ୍କୁ ନଦୀ, ସମୁଦ୍ରରେ ଜାହାଜ ଓ ନୌକା ଚାଳନା କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିବା ଲକ୍ଷ୍ୟରେ ସ୍ଥାପିତ ଏହି ଅନୁଷ୍ଠାନଟି ସରକାରୀ ଉଦାସିନତା କାରଣରୁ ଆଜି ରୁଗ୍ଣ !

ଆଜି ‘ଚାନ୍ଦବାଲି’ ନାହିଁ ! ବୈତରଣୀ କୂଳର Port and Inland Water Transport Office, ଚାନ୍ଦବାଲିର ଭଗ୍ନ ଜରାଜୀର୍ଣ୍ଣ କାବିଲସାହେବ କୋଠି, ବିଶାଳକାୟ ଲଙ୍ଗର, କନିକା ରାଜା ବ୍ୟବହାର କରୁଥିବା ତୋପ, କମାଣ, କେବଳ ଆମର ଅତୀତର ଗୌରବମୟ ଇତିହାସ ଓ ଆମ ସାଧବ ପୁଅମାନଙ୍କ ଦରିଆପାରି ସ୍ମୃତିକୁ ସତେଜ କରାଇ ଆଖିରେ ଲୁହ ଦେଉଛି କେବଳ ।

1 thought on “ଚାନ୍ଦବାଲି”

Leave a Comment

Your email address will not be published. Required fields are marked *

Scroll to Top