ଚାଚେରୀ ଲୀଳା

ଲେଖା: ନିରଞ୍ଜନ ସାହୁ

ଓଡ଼ିଆ ସାହିତ୍ୟରେ କବି ଶରଣ ଦାସ ବେଶୀ ପରିଚିତ ନୁହନ୍ତି । ସେ ସପ୍ତଦଶ ଶତାବ୍ଦୀର କବି, ବୈଷ୍ଣବ ମତବାଦୀ । ଜଗନ୍ନାଥଙ୍କ ଚାଚେରୀ ଲୀଳା ଦେଖିବାକୁ ଯାଇଥିଲେ ଶ୍ରୀକ୍ଷେତ୍ର । ଯାହା ଦେଖିଥିଲେ ତାହାର ଅବିକଳ ବର୍ଣ୍ଣନା କରିଛନ୍ତି ତାଙ୍କର ରଚିତ ଏକ ମାତ୍ର ଗ୍ରନ୍ଥ ‘ଚାଚେରୀ ଲୀଳା’ରେ । ତେଣୁ ଏହି ଚାଚେରୀ ଲୀଳା ଗ୍ରନ୍ଥରେ ସେ ସମୟରେ ଶ୍ରୀକ୍ଷେତ୍ରର ଚିତ୍ର ସ୍ପଷ୍ଟ ।

ରାଧାକୃଷ୍ଣ କେଳି କଥା ସମ୍ପର୍କୀୟ ଯେତେ ଗୁଡ଼ିଏ ଗ୍ରନ୍ଥ ଦେଖାଯାଏ ତନ୍ମଧ୍ୟରୁ ଶରଣ ଦାସଙ୍କ ରଚିତ ଗଦ୍ୟ ପଦ୍ୟ ଗ୍ରନ୍ଥ ଚାଚେରୀ ଲୀଳା ଅନ୍ୟତମ । ଏଥିରେ ମୁଖ୍ୟତଃ ଶ୍ରୀମନ୍ଦିରର ଦୋଳୋତ୍ସବ ବର୍ଣ୍ଣିତ । ପ୍ରଭୁ ଜଗନ୍ନାଥ ଫାଲଗୁନ ଶୁକ୍ଲ ଏକାଦଶୀ ତିଥିରେ ବାହାରି ଆସନ୍ତି ଚଳନ୍ତି ପ୍ରତିମା ମଦନଗୋପାଳ ଭାବେ ଫଗୁ ଖେଳିବା ପାଇଁ । ଶ୍ରୀମନ୍ଦିର ବେଢ଼ାର ପରିକ୍ରମା ପରେ ସିଂହଦ୍ଵାର ଗୁମୁଟ ପାର ହୋଇ ଅରୁଣସ୍ତମ୍ଭ ଠାରୁ ପଟୁଆର ଭିତରେ ଆଗେଇ ଚାଲନ୍ତି  ଏଇମିତି ଅଗ୍ନି ଉତ୍ସବ ପର୍ଯ୍ୟନ୍ତ । ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ ପ୍ରତିଦିନ । ଶେଷରେ ପାଞ୍ଚଦିନ କାଳ ନାନାଦି ଲୀଳା କରି ବିଜେ କରନ୍ତି ଶ୍ରୀମନ୍ଦିର ପରିସରକୁ । ଏହି ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ, ମନୋଜ୍ଞ ଏବଂ ଜୀବନ୍ତ, ଯାହା ନିଖୁଣ ଭାବରେ ଚିତ୍ରିତ ହୋଇଛି ଶରଣ ଦାସଙ୍କ ଚାଚେରୀ ଲୀଳା ଗ୍ରନ୍ଥରେ ।


~ ଆର୍ଯ୍ୟବର୍ତ୍ତ ଲୋକେ ଏକାଠି ରୁଣ୍ଡ ~
ପ୍ରଭୁଙ୍କର ଜ୍ୟୋତି ଅରୁଣ ରଜତର ସୌନ୍ଦର୍ଯ୍ୟ ପରି ଓ ଫଗୁଖେଳ ଯୋଗୁଁ ରଙ୍ଗ ବର୍ଣ୍ଣ ଦେଖା ଯାଉଛି । ପଳାଶ ଫୁଲ ପନ୍ତି ଓ ସୁରଙ୍ଗ ପାଟଛତି ମଧ୍ୟ ରହିଛି । ଏହି ଦୋଳ ଉତ୍ସବ ପାଇଁ ବହୁ ସଂଖ୍ୟକ ଲୋକଙ୍କର ସମାଗମ ହୋଇଛି । ଓଡ଼, ଦ୍ରାବିଡ଼, ଗଉଡ଼ (ବଙ୍ଗ), କର୍ଣ୍ଣାଟ, ମରହଟ୍ଟା, ଗୁଜରାଟ, ସଉରାଷ୍ଟ୍ର, ନେପାଳ, ଡାହାଜଗଡ଼, କୁଞ୍ଜଗଳ, ବଇଦେହୀ (ବିଦେହ) ମଣ୍ଡଳ, ଶାଖାମଣ୍ଡଳ, ଭାଗାମଣ୍ଡଳ, ବଳଏମଣ୍ଡଳ, ଚୋରମଣ୍ଡଳ, ବିଦ୍ଵାନନଗର, ରାଧାନଗର, କୁଣ୍ଡିନଗର, ଯଜାନଗର, ସଖାନଗର, ମାଳବ, ମଗଧ, ନଇଷଧ, କାଶୀ ବାରାଣସୀ, ରଣା, ବାଞ୍ଚି, ବାମଞ୍ଚି, ଜୟନ୍ତ, ମଗଧ, ମଘଦେଶ, ମଚ୍ଛଦେଶ, ପାଞ୍ଚାଳ ଦେଶ, ହସ୍ତିନା କଟକ, ବାରୁଣାବନ୍ତ, ଜେନାବଳି ପାଟଣା, ଗୟା, ପ୍ରୟାଗ, ଜମ୍ବୁଦ୍ଵୀପ ପ୍ରଭୃତି ନବଖଣ୍ଡରୁ ଲୋକ ଆସିଛନ୍ତି । ଏହା ବ୍ୟତୀତ ଛତିଶ ମଣ୍ଡଳରୁ ଲୋକ ଆସିଛନ୍ତି । ପୁଣି ଶ୍ଵେତଦ୍ଵୀପ, ଶାକଲ୍ୟ ଦ୍ଵୀପ, କୁଶ ଦ୍ଵୀପ, ଶାମଳି ଦ୍ଵୀପ, ସିଂହଳ ଦ୍ଵୀପ, ରମେକ ଦ୍ଵୀପ, ଲଙ୍କା ବିଲଙ୍କା ପ୍ରଭୃତି ଦ୍ଵୀପରୁ ଲୋକ ଆସିଛନ୍ତି । ମଞ୍ଚ ମଣ୍ଡଳର ଲୋକ ଶ୍ରୀପୁରୁଷୋତ୍ତମରେ ଏକତ୍ରିତ ହୋଇଛନ୍ତି । ଜନଲୋକ ଠାରୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ଆସିଛନ୍ତି । ତଳ, ପାତାଳ, ରସାତଳ ଲୋକମାନେ ମଧ୍ୟ ଆସିଛନ୍ତି, ଶ୍ରୀ ଦୋଳରେ ଦୋଳଗୋବିନ୍ଦ ଗୋପାଳଦେବଙ୍କୁ ଦର୍ଶନ କରିବା ପାଇଁ । ନଡ଼ିଆ, ଗୁଆ ଚାଉଳ ଓ ନାନାଦି ଫଳ ପୁଷ୍ପ ତଥା ରତ୍ନ ସୁବର୍ଣ୍ଣ ପ୍ରଭୁଙ୍କୁ ପ୍ରଦାନ କରିଛନ୍ତି ।

ଏହି ଉତ୍ସବରେ ବିଭିନ୍ନ ଲୋକମାନଙ୍କର ସମାଗମ ହେତୁ ଶ୍ରୀକ୍ଷେତ୍ର ଉଛୁଳି ଉଠିଛି । ଘୋର ଭିଡ଼ ହୋଇଛି । ଏଥିରେ କିଏ ତା’ର ପିଲାକୁ ହାତଛଡ଼ା କରିବା ପରେ ଖୋଜିବା ଆରମ୍ଭ କରି ଦେଇଛି । କିଏ ଭିଡ଼ ଦେଖି ବାହୁଡ଼ି ଯାଇଛି । ଚାରିଆଡ଼େ ଲୋକଙ୍କ ଦ୍ୱାରା ଅଣାୟତ୍ତ ଅବସ୍ଥା । ସୂତା ପଡ଼ିବା ପାଇଁ ସ୍ଥାନ ନାହିଁ । ଲୋକ ଓ ସେବାୟତଙ୍କ ଗର୍ଜନରେ ଶ୍ରୀକ୍ଷେତ୍ର ଉଛୁଳି ଉଠୁଛି । ଲୋକ ମାନଙ୍କର ଗହଳ ଚହଳ ସହ ହରି ହରି ଶବ୍ଦ, ଜୟ ଜୟ ଧ୍ୱନି, କୃଷ୍ଣ କୃଷ୍ଣ ଧ୍ବନିରେ ଗର୍ଜି ଉଠୁଛି ସାରା ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର, ବଡ଼ଦାଣ୍ଡ

~ ଭକ୍ତମୟ ବଡ଼ଦାଣ୍ଡ ~
ଲୋକମାନଙ୍କର ସମାଗମ ପ୍ରବଳ ହେତୁ କିଏ ତଳେ ଲୋଟି ପଡ଼ି ଉଠିପାରୁ ନାହିଁ । ଆଉ କିଏ ସେହି ଲୋକଟିକୁ ନ ପାଇ ନାମ ଧରି ଡାକୁଛି । ବେତବାଡ଼ି ମାଡ଼ ଖାଇ କିଏ ସେଠାରୁ ଯାଇ ମାଡ଼ ଚିହ୍ନ ଦେଖୁଛି । ଅନ୍ୟ କେଉଁ ଲୋକର ବେଶ ଓ ବସନ ଫିଟି ପଡ଼ିଲାଣି । ଲୋକ ଗହଳିରୁ ରକ୍ଷା ପାଇବା ପାଇଁ କିଏ ଦୂରକୁ ପଳାଇ ଯାଉଛି । ଡେଙ୍ଗା ଲୋକମାନେ ଅଲଗା ହୋଇ ଦୂରରୁ ଠିଆ ହୋଇ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । କିଏ ମେଢ଼ ଉପରୁ, କିଏ କୋଠାଘର ଉପରୁ, କିଏ ପାଚେରୀ ଉପରେ ଚଢ଼ି ପ୍ରଭୁଙ୍କୁ ଦର୍ଶନ କରୁଛି । ଅନେକ ଲୋକ ଦଳାଚକଟା ପାଇଁ ଧୂଳି ଧୂସରିତ । କାହାର କେଶ ମୁକୁଳା । କିଏ ତୃଷିତ ହୋଇ ପାଣି ପିଇବାକୁ ଧାଇଁଛି । କାହାର ଅଣ୍ଟା ଭାଙ୍ଗି ପଡ଼ିଛି ଓ କିଏ ଛୋଟେଇ ଛୋଟେଇ ଚାଲୁଛି । ଲୋକ ଗହଳିରେ କିଏ ତାକୁ ନିନ୍ଦା କରୁଥିବା ଲୋକଟାକୁ ଖୋଜୁଛି । ଆଉ କିଏ କିଛି ନ ମାନି, ଠେଲା ପେଲା କରି ବିମାନ ପାଖକୁ ଧସେଇ ପଶି ଯାଉଛି ।

~ ଯାତରା ଭିଡ଼ ~
କେହି ପ୍ରଭୁ ଦୋଳଗୋବିନ୍ଦ ମୁଖାରବିନ୍ଦକୁ ଦେଖି ଦୂରିତ ନାଶ କରିବା ପାଇଁ ଅପଲକ ନୟନରେ ଚାହିଁ ରହିଛି । କେହି ଯୁବତୀ ତା’ର ବନ୍ଧୁକୁ ହଜାଇ ଥିବାରୁ ଚକିତ ହୋଇ ସମସ୍ତଙ୍କ ମୁହଁକୁ ଚାହିଁ ଖୋଜୁଛି । କିଶୋରୀ ତରୁଣୀ ତା’ର ଭିଣୋଇକୁ ଭେଟି ଖୁସି ହୋଇ ଉଠିଛି । ଅନ୍ୟ କେଉଁ ସୁମୁଖୀ ତା’ର ନଣନ୍ଦକୁ ଦେଖି ମେଳ ତ୍ୟାଗ କରିଛି । ଅନ୍ୟ କେଉଁ କିଶୋରୀ ତା ଭାଇର ଶିଳାକୁ ଦେଖି ଖୁସିରେ ଗପି ଚାଲିଛି । ମାନ୍ୟ ଲୋକ ପାଖରେ କେଉଁ ମୃଗାକ୍ଷୀ କିଶୋରୀ ମୁହଁ ପୋତି ଠିଆ ହୋଇ ଶୀଘ୍ର ଖସି ଯିବା ପାଇଁ ଚେଷ୍ଟା କରୁଛି । କିଏ ଝୁଣ୍ଟି ପଡ଼ିଛି ତ କିଏ ଭିଡ଼ରେ ଗଡ଼ି ପଡ଼ିଛି । କିଏ ବାଟ ବଣା ହୋଇ ଏପଟ ସେପଟ ହେଉଛି, ସଖୀ ସଙ୍ଗାତଙ୍କୁ ହୁରି ପକାଇ ଖେଦି ପଳାଉଛି । କାହାର ପୁଅ ହଜିଯାଇଛି, ଆଖିରୁ ଲୁହ ବାହାରିବା ସହ ବଡ଼ ପାଟିରେ ଚିତ୍କାର କରୁଛି । କେଉଁ ଗଣିକାର କୁଚ କାହାର ଦେହରେ ବାଜିବାରୁ, ସେ ପାଖେଇ ଯାଉଛି। କିଏ କାନ୍ତକୁ ଖୋଜୁଛି, ବେଳେ ବେଳେ କାନ୍ଦି କାନ୍ଦି ନୟାନ୍ତ ହୋଇ ଉଠୁଛି । କେଉଁ ନାରୀ ତା ଝିଅକୁ ଧରି ବାଟ କଢ଼େଇ ନେଉଛି । ସୁନ୍ଦରୀ ସ୍ତ୍ରୀମାନଙ୍କ ପଛେ ପଛେ କିଛି ରସିକ ନାଗର ଚାଲିଛନ୍ତି ।ପଢ଼ିହାରୀ ମାନେ ବେତ ଠୁକେଇ ଦେଇ ପ୍ରଭୁଙ୍କ ନାମରେ ଆଶୀର୍ବାଦ ଦେଉଛନ୍ତି । ଭିଡ଼ ଭିତରେ କାହାର ଶଙ୍ଖା ଦି ପଟ ଭାଙ୍ଗି ଯିବା ଫଳରେ ସେ ଯୁବତୀ କଇଁ କଇଁ ହୋଇ କାନ୍ଦି ଉଠୁଛି । ସେଠାରେ ଏତିକିବେଳେ ତା’ର ସଜନୀ ପହଞ୍ଚିଯାଇ ତାକୁ ବୋଧ କରୁଛି, ହୃଦୟ ବ୍ୟଥାକୁ ବଖାଣୁଛି, କାଳିଆ ଠାକୁରଙ୍କ ଉପରେ ଭରସା ରଖ ବୋଲି କହୁଛି । ଅଳ୍ପ ଟିକେ ଆଗରେ ଲଙ୍ଗଳା ନାଗା ବାବାକୁ ଦେଖି ସୁକେଶୀ ନାରୀଟିଏ ମନକୁ ମନ ମୁଚୁ ମୁଚୁ ହସୁଛି ।

ଯାତ ଲାଗି ରହିଛି । ଅଧିକ ନାରୀ ଯୋଗ ଦେଇ ଯାତ୍ରାକୁ ଆହୁରି ରଙ୍ଗୀନ କରି ଦେଉଛନ୍ତି । ନାରୀଙ୍କ ମଧ୍ୟରୁ କେହି କେହି ଭାଇକୁ ଡାକ ପକାଇ ମେଳା ଭିତରକୁ ନ ଯିବା ପାଇଁ କହୁଛି । ସ୍ତ୍ରୀ ଲୋକଙ୍କ ମେଳରେ ଯିବା ପାଇଁ ତାଗିଦ୍ କରି କହୁଛି । ଭିଡ଼ ଭାଙ୍ଗିଲେ ଯାଇ ଦର୍ଶନ କରିବା ପାଇଁ ଅଳି କରୁଛି । ଯୁବତୀ ପଲ କିଛି ନ ମାନି ମଦନମୋହନଙ୍କ ବିମାନ ପାଖକୁ ଧସି ଯାଉଛନ୍ତି । ହୁଳହୁଳି, ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ, ଶ୍ରୀକ୍ଷେତ୍ର । ତାରି ମଧ୍ୟରେ ନୂଆ ଜୁଆଁଇର ହାତ ନ ଛାଡ଼ିବା ପାଇଁ ବଡ଼ ପାଟିରେ ଶାଶୁ ଝିଅକୁ କହି ଚାଲିଛି । ଯାତ୍ରା ସାରି ଘରକୁ ଫେରିବା ବେଳକୁ ସଉଦା, ଖଜା ଇତ୍ୟାଦି କିଣି ଯିବା ପାଇଁ ପ୍ରସ୍ତୁତ ରହିବାକୁ ମୁଖିଆ ଲୋକଟି କହି ହେଉଛି । କେଉଁ ବସାରେ ରହିଲ ବୋଲି କୁଆଁରୀ ଟୋକି ତା ଆଈକୁ ପଚାରି ପଚାରି କଥା ଆଦାୟ କରୁଛି । କାହାର ମାମୁଁ ମାଇଁ ଝଗଡ଼ା ଲାଗି ଅଲଗା ଅଲଗା ହୋଇ ଚାଲୁଛନ୍ତି ବୋଲି ବାପା ଆଗରେ ଫେରାଦ୍ ହେଉଛି । ନ ଡରିବା ପାଇଁ କିଏ କାହାକୁ ବୁଝାଇ ଦମ୍ଭ ଦେଉଛି । ଏହି ସମୟରେ କାହାର ଗୋଡ଼ରୁ ମୁଦି ହଜିଯାଇଛି ବୋଲି ଶୁଣି, ସମସ୍ତେ ଖୋଜିବାକୁ ଲାଗି ଯାଇଛନ୍ତି । ଛୋଟ ପିଲାଟାଏ ମୁଦି ପାଇଯାଇଛି ଓ ଖଜା ଖାଇଲେ ଦେଇଦେବ ବୋଲି ବଡ଼ ପାଟିରେ କହୁଛି । କାହାର ହାରାବଳୀ ହଜିଯାଇଛି, ଆଉ ଶାଶୁ ଭୟରେ କିଛି ନ କହି ଗେରସ୍ତ ଦିଅର ଆଗରେ ଖୋଜିବା ପାଇଁ ଅଳି କରୁଛି । ଝାଳ ବୋହି ମୁଣ୍ଡରେ ସିନ୍ଦୂର ଟୋପା ଲିଭି ଯାଉଥିବାରୁ କାହାକୁ କାହାକୁ ଭାରି ବ୍ୟସ୍ତ ଲାଗୁଚି । ଏ ଭିଡ଼ ଭିତରେ ଗଳି ଛପି ବିମାନ ପାଖକୁ ଚାଲି ଯାଇ ଦୁଇ ସଖୀ ଚାନ୍ଦୁଆ, ଚାମର ଓ ମଦନଗୋପାଳ, ରାଧା ଓ ରୁକ୍ମିଣୀଙ୍କ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି । ପରସ୍ପର ମଧ୍ୟରେ ବଉଳ ବସିଛନ୍ତି ଓ ଠାକୁରଙ୍କ ପାଖରେ ସତ୍ୟ କରାକରି ହୋଇଛନ୍ତି, ପ୍ରଥମ ପୁଅ ଝିଅ ହେଲେ, ସମୁଦୁଣୀ ହେବେ ।


~ ମଦନଗୋପାଳ ବିମାନେ  ବିଜେ ~
ମଦନଗୋପାଳ ବିଜେ କରିଛନ୍ତି ବିମାନରେ । ମେଢ଼ ଚାରି ପାଖରେ ଗଜମାନଙ୍କ ମେଳରେ ସିଂହ, ଶାମଳ ସଙ୍ଗରେ ବକ, ବନିଆ ଦଳରେ ହରିଣ, ନେଉଳ ମେଳରେ ଅହି ରହିଥିବାର ବିଚିତ୍ର ସମାବେଶକୁ ଦେଖାଇ ଦେଉଛି । ପ୍ରଭୁ ବୃନ୍ଦାବନେଶ୍ଵରଙ୍କ ମୂରଲୀ ସ୍ଵନରେ ଚିତ୍ତ ମନମୋହିତ ହୋଇ ଉଠୁଛି । ମାଧବୀ କୁଞ୍ଜରେ ଥିବା ଅନ୍ୟାନ୍ୟ ବିଚିତ୍ର ରୂପକୁ ମଧ୍ୟ କେଉଁ ରମଣୀ ତାର ସଖୀକୁ ଦେଖାଇ ଦେଉଛି । ମାଧବୀ କୁଞ୍ଜରେ ଗୟଳ ସମ୍ବର ଉପରେ ବସିଛି, ଶୁଆ ଗୁଆ ଖାଉଛି, ମାଳ ମାଳ ପିତୁଳୀ ବୀଣା ଧରି ବଜାଉଛନ୍ତି। ଅପସରୀ ମାନେ ଗଛ ଡାଳ ଧରିଥିବାର ଦୃଶ୍ୟ, କସ୍ତୁରୀ ଯୁଥ, ବାଛୁରୀ ମେଳରେ ଗାଈପଲ, କୁଞ୍ଜଲତା ତରୁ ତଳେ ନେଉଳ ଦଳ ପ୍ରଭୃତି ଦୃଶ୍ୟ ଦେଖାଇ ଦେଉଛି । କେଉଁ ସଖୀ ଏହି କଥା ଶୁଣି ଅଳ୍ପ ଅଳ୍ପ ହସୁଛି । କିଏ ହରେ ଗୋବିନ୍ଦ, ଗୋପାଳ ଗୋବିନ୍ଦ, ହରେ କୃଷ୍ଣ, ଜୟ ଜଗନ୍ନାଥ ଜପ କରିବାରେ ଲାଗିଛି ।

~ ହାସ ପରିହାସରେ ଓଡ଼ିଆଣୀ ~
ମଣ୍ଡପ ଚାରିପାଖରେ ଅପୂର୍ବ ପ୍ରତିମାମାନଙ୍କର ଦୃଶ୍ୟ ସମ୍ପର୍କରେ ଯୁବତୀଗଣ କୁହାକୁହି ହେଉଛନ୍ତି । ଥଟ୍ଟା ପରିହାସ ଚାଲିଛି । କେଉଁ ଯୁବତୀ ତା’ର ସଖୀକୁ କେଉଁଠି କେଉଁ ଋଷି ବସିଛନ୍ତି ଚିହ୍ନାଇ ଦେବା ପାଇଁ ଅନୁରୋଧ କରୁଛି । କେହି ତା’ର ନଣନ୍ଦକୁ ଉର୍ଦ୍ଧ୍ବ ବାହୁ ଯୋଗୀ ତା’ର ବର ହେଉ ବୋଲି ଥଟ୍ଟା ପରିହାସ କରୁଛି । କେଉଁ ଭାଉଜ ତା’ର ନଣନ୍ଦକୁ ବଡ଼ଦାଣ୍ଡରେ ବର ଘର କରିବା ପାଇଁ ଥଟ୍ଟା କରୁଛି । ପୁରୁଷୋତ୍ତମ କ୍ଷେତ୍ରକୁ ଆସିଲେ ରହିବା ପାଇଁ ଆଉ ଅସୁବିଧା ହେବ ନାହିଁ ବୋଲି ଶୁଣାଉଛି । ବାଙ୍ଗରା ଋଷି ଜଣକୁ ଦେଖାଇ, ତା’ର ଶଶୁର ହେଉ ବୋଲି ଠାକୁରଙ୍କୁ ଜଣାଇବା ପାଇଁ ଉସକାଉଛି । ଜଟା ଥିବା ଋଷି, ପରପଞ୍ଚ ମୁନି, ଘାଟଜଗା ମୁନି ଇତ୍ୟାଦିଙ୍କୁ ଆଖି ଠାର ମାରି ଦେଖେଇ ଦେଉଛି । କେଉଁ ଯୋଗୀ କାହାର ପଣତ ଭିଡ଼ି ଧରିଥିବା ହେତୁ ସୁନ୍ଦରୀ ଯୁବତୀ ମାନେ ସେ ବାଟ ଦେଇ ଯାଉନାହାନ୍ତି ବୋଲି ହାସ ପରିହାସରେ ଛିଗୁଲେଇ ଛିଗୁଲେଇ କହି ଚାଲିଛି ।

ଯମେଶ୍ଵର ମନ୍ଦିର କେଉଁ ଦିଗରେ ଅଛି ବୋଲି ସଖୀ ଜଣେ ଅନ୍ୟ ସଖୀକୁ ପଚାରିବାରେ, ସେ ତାକୁ ଦକ୍ଷିଣ ଦିଗକୁ ଯିବା ପାଇଁ କହିଛି । ପାଖରେ ଥିବା ଆର ଜଣକ ସଖୀ ଆଖି ଠାର ମାରି ହୋ ହୋ ହୋଇ ହସିଛି । ସିଂହ ଦୁଆରକୁ ଲାଗି ତା ମଳାଶୁର ଘରେ ରହିଯିବା ପାଇଁ ଇସାରା ଦେଇ ହସିବାକୁ ଲାଗିଛି । ଆଉଜଣେ ବୋହୂ ତା’ର ଶାଶୁ ଓ ନଣନ୍ଦକୁ ଖୋଜି ଆଣିଲେ ପଣେ କଉଡ଼ି ଦେବ ବୋଲି ଥଟ୍ଟା କରି କହୁଛି । ଦୂରରେ ଥିବା ଢମାଳି ପୁରୁଷକୁ ଦେଖି କିଶୋରୀ ଜଣକ ଆଖି ଠାର ମାରି ଦେଉଳ ପଛରେ ଘର ନେଇ ଏକୁଟିଆ ରହୁଛି ବୋଲି କହି ଦେଇଛି ।

~ ଫଗୁ ଖେଳ ~
ଅବିର ବୋଳାବୋଳି ଆରମ୍ଭ ହୋଇଯାଇଛି ବିମାନ ସହ ଯାଉଥିବା ଯାତ୍ରୀମାନଙ୍କ ମଧ୍ୟରେ । କିଏ ଫଗୁ ବୋଳିବା ଭିତରେ ପରିହାସରେ ବିଧାଏ ମାରିଛି ଆଉ ରଙ୍ଗ ବୋଳି ଦେଇ ମୁହଁ ଦେଖି ଆସିବାକୁ ତଡ଼ୁଛି । ଗୋପାଳ ମାନେ ବାଡ଼ିଖେଳ ସହ ଓଗାଳ ଗାଇ ଗାଇ ଲୋକଙ୍କ ଭିତରେ ଗୋଟିଏ ବଡ଼ ଜାଗା ଆବୋରି ନେଇଛନ୍ତି । ଘଣ୍ଟି ଘାଗୁଡ଼ି ବାନ୍ଧି ସୁନ୍ଦର ନୃତ୍ୟ ପରିବେଷଣ କରୁଛନ୍ତି । କେଉଁ ନାରୀ ପରିହାସରେ ଫଗୁ ଧରି ପଛେ ପଛେ ଯାଇ ଭାଉଜ ମୁହଁକୁ ମାରିଛି । ରାଧାକୃଷ୍ଣ ହୋଇ ପିଲାଏ ବାହାଘର କରିବାକୁ ସଜ ହେଉଛନ୍ତି । କାହାର ଆଖିରେ ଫଗୁ ପଡ଼ିଛି । ଫଗୁ ଆଖିରେ ପଡ଼ିବାରୁ କିଏ ‘ଭାଇଖାଇ’ ବୋଲି ଗାଳି କରିଛି । ନାରୀମାନେ ସାତ-ପାଞ୍ଚ ମେଳ ହୋଇ ଅବିର ବୋଳାବୋଳି ହେଉଛନ୍ତି । କିଏ ତା’ର ମିତଣୀକୁ ଥଟ୍ଟା କରି କହୁଛି ଯେ, ନଣନ୍ଦ ଘରେ କୁଣିଆ ହୋଇଥିଲ, ନଣନ୍ଦେଇ କଥା ଟିକେ କୁହ । ତାକୁ ପରିହାସ ଭଲ ଲାଗିବ, କାରଣ ତା ଘରେ କୁଣିଆ ପଡ଼ିଛନ୍ତି । 


~ ଭିଡ଼କୁ ନୁହଁ ~
ଭାରି ଭିଡ଼ ହୋଇଛି । ତା ସାଙ୍ଗକୁ ଗୁଳୁଗୁଳି । କିଏ କିଏ କଥା ହେଉଛନ୍ତି, “ଚାଲ, ପଳେଇବା । ବାଇଶି ପାହାଚରେ ବସିଯିବା । ଟିକେ ଥକ୍କା ମାରି ବୁଲିବାକୁ ଯିବା ।”
କେ ବୋଲଇ ଆଲୋ ହାଇଲୋ,
            ଭିଡ଼େ ନ ପାରିବା ରାଇ ଲୋ,
ଏହି ଆଡ଼େ ଆମ୍ଭେ ମାଇପଙ୍କ ମେଳେ,
             ଆସିବା ଶ୍ରୀମୁଖ ଚାହିଁଲୋ ।

କେ ବୋଲଇ ଆଲୋ ଖାଡି଼ ଲୋ,
              ଭିଡ଼ ଅଛି ବୁଡ଼ି ପଡ଼ି ଲୋ,
ଏହିଠାରେ ଆମ୍ଭେ ରହି ନ ପାରିବା,
               ପାଇବାଟି ବେତ ବାଡ଼ି ଲୋ ।

କେ ବୋଲଇ ଆଲୋ ରାଧି ଲୋ,
                ଗୋଡ଼ରୁ ହଜିଲା ମୁଦି ଲୋ,
ଲଇଁ କରି ମୁଁ ଯେ ଖୋଜିଲା ବେଳକୁ,
                ଜଣ ଜଣ ଗଲେ କୁଦି ଲୋ ।

କେ ବୋଲଇ ଆଲୋ ଅଜା ଲୋ,
                 କିଣୁ କିନା ଫେଣା ଖଜା ଲୋ,
ପୁଅ ଖେଳିବାକୁ କୁଣ୍ଢାଇ କିଣିମା,
                  ବଣା କରି ମତେ ନ ଯା ଲୋ ।

~ ବାଇଶି ପାହାଚେ ଓଡ଼ିଆଣୀ ~
କିଏ ନୀଳଚକ୍ରକୁ ଚାହିଁ ବେଭାର ଦିଆନିଆ ସଖୀ ସଙ୍ଗାତ ବସିଛି । ଭଲ କରି ବାଳ ବାନ୍ଧିବା, ଲୁଗା ପିନ୍ଧିବା ପାଇଁ କେଉଁ ରମଣୀ ତାର ସଖୀକୁ କହୁଛି । ପୁଅ ବଣା ହୋଇଥିଲା ତ ପାଇଲୁ କି ନାହିଁ, ଆଉ କାନ୍ଦନା ବୋଲି ପ୍ରବୋଧନା ଦେଉଛି, ସବୁକଥା ପ୍ରଭୁଙ୍କୁ ଜଣେଇଦେ ବୋଲି କହି ଜୁହାର ହେଉଛି । ମହାପ୍ରସାଦ ଟଙ୍କ ତୋରାଣି ପିଇବା ପାଇଁ ଡକାଡକି ହୋଇଛନ୍ତି । ଆମ୍ବିଳା ତୋରାଣିରେ ଟଭାରସ, ଦହି, ଅଦା ମିଶାଇ ଶୋଷରେ ପିଇଦେବା ପାଇଁ ମିଠା ବୋଲି ସଖୀ ପରିହାସ କରି କହିଲା । ବାଇଶି ପାହାଚରେ ବିଶ୍ରାମ ସାରି ଆଉ ଥରେ ଯାତକୁ ଯାଇ କିଣାକିଣି କରିବା ପାଇଁ ଅନୁରୋଧ କରୁଛି ପାଖରେ ବସିଥିବା ଆର ସଖୀକୁ ।

ଯାତ ଗହଳି ଭିତରେ ଘର ପାଇଁ ଦରବ କିଣିବାକୁ ନାରୀମାନଙ୍କ ଭିଡ଼ ଜମିଛି । ନାକଚଣା କିଣିବା ପାଇଁ ମୂଲ କରିଛନ୍ତି । ମୁଦି, ପାଟ, ବରତ କିଣିବାକୁ ମୂଲ ଆରମ୍ଭ ହୋଇଯାଇଛି । କିଏ ତାର ସଖୀକୁ କାଚ, ଖଡ଼ୁ, ବାହି ପିନ୍ଧିବା ପାଇଁ ଅନୁରୋଧ କରୁଛି । ବଡ଼ଦାଣ୍ଡରେ କାହାର ନିର୍ବନ୍ଧ ହେବା କଥା କିଏ ଜଣେ କହିଛି । ଖଜା, ବଡ଼ି, ବାଇଗଣ, ମୁଗ, ଖଡ଼ୁ, ଶଙ୍ଖା, ଚଣା, କାଚ, ଚନ୍ଦନ ପେଡ଼ି, ଫେଣା, ଲଡ଼ୁ, ମହାପ୍ରସାଦ, ନଡ଼ିଆ, ଚୁଡ଼ି, କସ୍ତୁରୀ ଫଳ, ହାତୀଦାନ୍ତ, ଚିତ୍ର ପେଡ଼ି, ଚନ୍ଦ୍ରକାନ୍ତି ଦର୍ପଣ, ମଲକଢ଼ୀ, କାପ, ଛଟ , ନାକଚଣା ଫୁଲ, କଣ୍ଢେଇ, କଳାମେଘୀ ପତ୍ର ପାଟ, ପଇଡ଼ ଚଉଁରୀ ମୁଠି ପ୍ରଭୃତି ନାରୀମାନେ ବଡ଼ଦାଣ୍ଡ ଦୋଳଯାତରୁ କିଣିଛନ୍ତି । ଦର କଷାକଷି ଚାଲିଛି –

   କେହୁ କିଣିଅଛି ବଳା ନାକଚଣା,
   ଫୁଲ ମଲିକଢ଼ୀ କାପ ଗୋ ।
   କେ ବୋଲେ କିଣିଲ ଛିଟ ଗୋ,
   କଳାମେଘୀ ଚିତ୍ର ପାଟ ଗୋ ।
   କେ ବୋଲଇ ମୂଲ ବହୁତ ହୋଇଲା,
   ଦେହକୁ ହୋଇଲା ଛୋଟ ଗୋ ।
   କଉଡ଼ି ନ ଥିଲେ ନିଅ ଗୋ,
   ଶୋଷକୁ ପଇଡ଼ ପିଅ ଗୋ,
   କେ ବୋଲଇ ମୋର ଖରଚ ସରିଲା,
   ଉଧାର କଉଡି଼ ଦିଅ ଗୋ ।
   ଚନ୍ଦ୍ରକାନ୍ତି ଦରପଣ ଗୋ,
   ମୂଲ କଲା ତେର ପଣ ଗୋ ।
   କେ ବୋଲଇ ସଖୀ ମୁହଁ ଚାହିଁବାରୁ,
   ଶରଧା ହୋଇଲେ କିଣ ଗୋ ।
   କେହୁ ଦିଶୁଅଛି ଫୁଟି ଗୋ,
   କେ କିଣେ ଚଉଁରୀ ମୁଠି ଗୋ ।
   କେ ବୋଲଇ ସଖି ଛିଡ଼ା ହୋଇବାରେ,
   ବଥାଉ ଅଛି ମୋ ପିଠି ଗୋ ।
   କେ ବୋଲଇ ଦେଖ ମିତ ଗୋ,
   ଭଲ ଶୋଭା ପାଇ ଖ୍ୟାତ ଗୋ,
   ଛାମୁରେ ପରିଛା ପଟୁଆର କରି,
   ଧରିଅଛି ସୁନା ବେତ ଗୋ ।

~ ଉଛୁର ହେଲାଣି ଏବେ ~
ଜଗତ୍ ମନମୋହନ ମଦନଗୋପାଳଙ୍କ ଦୋଳଯାତ୍ରା ରାତି ସାରା ଦେଖି କ୍ଲାନ୍ତ ହୋଇପଡିଥିଲେ ଭକ୍ତଗଣ । ଆଉ ବିଳମ୍ବ ନକରି ଭଡ଼ା ନେଇଥିବା ଘରକୁ ଫେରି ଯିବା ପାଇଁ କୁହାକୁହି ହେଉଥିଲେ ସଭିଏଁ । ଆଜିରେ ତ ସରିଯାଉନି । ଚାଲ, କାଲି ରାତିରେ ପହଞ୍ଚି ମଦନଗୋପାଳଙ୍କୁ ମନଭରି ଦର୍ଶନ କରି ପହରିଦିନ ସକାଳୁ ସକାଳୁ ବାହାରିଯିବା ଗାଁକୁ । ପୁଣି ଜିଇଁ ଥିଲେ ଆର ସନକୁ . .

(କବି ଶରଣ ଦାସ ଶ୍ରୀକ୍ଷେତ୍ରରେ ପହଞ୍ଚି ଲୀଳା ଆରମ୍ଭରୁ ଶେଷ ଦିନ ପର୍ଯ୍ୟନ୍ତ ଦର୍ଶନ କରିଥିଲେ ପ୍ରଭୁ ଜଗନ୍ନାଥଙ୍କୁ ଓ ମଦନ ଗୋପାଳଙ୍କୁ । ଏହି ଗ୍ରନ୍ଥ ଚାଚେରୀ ଲୀଳା ସେହି ଦୃଷ୍ଟିରୁ ତାଙ୍କର ପ୍ରତ୍ୟକ୍ଷଦର୍ଶୀ ବିବରଣୀ । ସତରେ, ଚାଚେରୀ ଲୀଳା ପରି ସୃଷ୍ଟି ଓଡ଼ିଆ ସାହିତ୍ୟ ରେ ବିରଳ I)

ଆଧାର: ଚାଚେରୀ ଲୀଳା ପୁସ୍ତକ
ଫଟୋ:  ବିଭିନ୍ନ ସୂତ୍ରରୁ 

Leave a Comment

Your email address will not be published. Required fields are marked *

Scroll to Top