ଚକୁଳି

ଲେଖା: ଡ. ଜୟଶ୍ରୀ ନନ୍ଦ

~ ଚକୁଳି ~
“ଏଇଠି ଆମର ରୋଷେଇ ଘର
ଏ ଘର ଭିତର ସଫା ସୁତର
ଏଇ ଘରେ ମାଆ ପରିବା କାଟେ
ବେସର ବାଟେ ଜାଇ ରଗଡେ
ଶାଗ ଖରଡେ ଗଢଇ ପିଠା . . . ” 
ଆମ ଓଡ଼ିଆ ଘରେ ପିଠାପଣା ପରା ବରଷକ ବାରମାସ ।
ଆମ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଖାଲି ସୁଆଦିଆ ନୁହେଁ ଏହା ସ୍ବାସ୍ଥ୍ୟକର, ସନ୍ତୁଳିତ ଓ ଅନେକ ଖାଦ୍ୟସାରରେ ପରିପୂର୍ଣ୍ଣ । ସକାଳର ଜଳଖିଆ ହେଉ ବା ମଧ୍ୟାହ୍ନ ଭୋଜନ ହେଉ ଅବ ରାତ୍ରିଭୋଜନ ଓଡ଼ିଆ ଖାଦ୍ୟ ବେଶ ସନ୍ତୁଳିତ ଆହାର । ସକାଳ ଜଳଖିଆରେ ଆମର ଅନ୍ୟ ଏକ ପାରମ୍ପରିକ ଖାଦ୍ୟ ଯାହାକୁ ନେଇ ଆମେ ପିଲାବେଳେ ଅନେକ ଗପ ବି ଶୁଣିଛେ । ଢଗଢମାଳି ବି ଶୁଣିଛେ । ଯେମିତି, ସାତ ଚକୁଳି ଚଉଦ ଚେଁ ଗପ, ଦୁଈ ବିଲେଈଙ୍କ ପିଠାକଳି ଓ ମାଙ୍କଡ ଗପ, ପୁଷି ମାଉସୀ ପୁଷି ମାଉସୀ, ଚକୁଳି କରୁଛି ସକାଳୁ ବସି, ଏକୁଟିଆ ବସି ବିଲୁଆ ଭାଇ, ଟାଉ ଟାଉ କରି ଦେଉଛି ଖାଇ . . । କଥା କଥାରେ କହନ୍ତି, ଆରେ ଚକୁଳିରେ କେତେଟା କଣା ଗଣିଛୁ” ? “ଚକୁଳି ଖାଇବା ଲୋକ ବିନ୍ଧ କାହିଁ ଗଣୁଛୁ” ? ଏମିତି ଅନେକ କଥା ଅଛି ଏଇ ପାରମ୍ପରିକ ଖାଦ୍ୟ ଉପରେ !
(ଚକୁଳି ନଡିଆ କୋରା କ୍ଷିର କଦଳୀ)
(କ୍ଷିରଚକୁଳି ପିଠା ଚିନି)
   (ସରୁଚକୁଳି ଭଜା ଖିରି)
ଚକୁଳି ବିରି, ଚାଉଳ ପାଣି ଦେଇ ବଟା ଯାଇ ସେଥିରେ ଲୁଣ ମିଶାଇ ପତଳା ଆଣ ତିଆରି କରାଯାଏ ଓ ସେଇ ଆଣରେ ତିଆରି ହୁଏ । ଏ ପିଠା ବୁଢାରୁ ଶିଶୁ ଯାଏ ସମସ୍ତଙ୍କର ପ୍ରିୟ କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରାୟ ପିଲାଟି ଯେବେ ଖାଇବା ଶିଖିବା ଆରମ୍ଭ କରେ ସେତେବେଳେ ମା’ ତାର ଏଇ ଚକୁଳିପିଠା କ୍ଷୀରରେ ଚକଟି ଖୁଆଇବା ଆରମ୍ଭ କରନ୍ତି । କାରଣ ଏଥିରେ ଡାଲି ଓ ଚାଉଳ ଦୁଇଟି ଯାକ ଥାଏ ଓ ପିଲାଟି ଦରକାର କରୁଥିବା ପୃଷ୍ଟିସାର ମିଳିଯାଏ । ଏହା ନରମ ହୋଇଥିବାରୁ ଖାଇବା ପାଇଁ ସୁବିଧା । ମାଆମାନେ ପିଲାଙ୍କୁ ଚିନି/ଗୁଡ ସହିତ ଖାଇବା ପାଇଁ ଦିଅନ୍ତି । କେହି କେହି ଘିଅ ଲଗାଇ ଚକୁଳିରେ ପିଲାଙ୍କୁ ଖାଇବା ପାଇଁ ମଧ୍ୟ ଦିଅନ୍ତି । ପିଲାଟି ବି କଥା ଶିଖୁ ଶିଖୁ ଏହାକୁ ତାର ଦରୋଟି ଓଠରେ ତାତା ବୋଲି କହିବା ଶିଖେ ।
(ପିଆଜ ପଡି ଛୁଙ୍କଚକୁଳି)
(ଘିଅ ଜିରା ଛୁଙ୍କଚକୁଳି)
(ଭଜା , ରାବିଡି ସହ ସରୁଚକୁଳି)
ପ୍ରାୟତଃ ସମସ୍ତେ ଏ ପିଠା ଖାଇବା ପାଇଁ ଭଲ ପାଆନ୍ତି । ବଡ ପରିବାର ହୋଇଥିଲେ ଏ ଜଳଖିଆଟି ସମସ୍ତଙ୍କ ପାଇଁ ତିଆରି କରିବା ସୁବିଧା ହୋଇଥାଏ । ଓଡ଼ିଶା କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଏହାକୁ ପ୍ରାୟ ସମସ୍ତେ ବନାନ୍ତି ଜଳଖିଆରେ । ପୂଜାପାର୍ବଣରେ ବି ଏ ପିଠା । ଓଷାବାରରେ ବି । ଶ୍ରୀଜଗନ୍ନାଥଙ୍କ ପାଖେ ଭୋଗଲାଗେ । ଜଗନ୍ନାଥଙ୍କର ଛପନଭୋଗରୁ ଗୋଟିଏ । ଗୁରୁବାର ଲକ୍ଷ୍ମୀପୂଜାରେ ବି ଭୋଗଲାଗେ ।
(ଗୁଡ କ୍ଷିର କଦଳୀ ଚକୁଳି ସହ)
(ଶୀତଦିନିଆ ଧଣିଆ ପତ୍ର ଚଟଣୀ ସହ ଧନିଆପତ୍ର ପଡି ଚକୁଳି)
    (ଚକୁଳି ବନ୍ଧାକୋବି ଭଜା)
ପିଲାଟିଏ ଘରେ ଜନ୍ମହେଲେ ଷଠିମାତାଙ୍କୁ ପୂଜା କରାଯାଏ, ସେଦିନ ଏ ପିଠା ଭୋଗଲାଗେ । ଆମ ଓଡ଼ିଆ ଘରେ ବାହାଘର ପରେ ଝିଅ ବାପଘରୁ ବିଦା ହେବା ଆଗରୁ ଚକୁଳି ଲେଉଟାଇ ଶାଶୁଘରକୁ ଯାଏ । କହନ୍ତି ଚକୁଳି ଲେଉଟାଇ ଗଲେ ଜଲଦି ଫେରିବ । ପୁଅଝିଅ ବିଦେଶକୁ ଗଲେ ମା ଏହାକୁ ନିଶ୍ଚେ ବନାଇବେ କହନ୍ତି ଲେଉଟାଚକୁଳି ତେଣୁ ପିଲା ଜଲଦି ଲେଉଟିବେ । ବାହାଘର ତୃତୀୟ ଦିନ ହାଣ୍ଡିଧଡକା ଦିନ ବେଦୀ ପାଖରେ ପୂଜା ହୁଏ । ଅନେକଙ୍କ ଘରେ ଜନ୍ମଦିନରେ ଖିରି, ଚକୁଳିପିଠା ଠାକୁରଙ୍କ ପାଖେ ଭୋଗଲାଗେ ।
(ଚକୁଳି ଆଳୁ ଗ୍ରୀନମଟର ତରକାରି)
(ଚକୁଳି ଆମ୍ବ ସୋଦୁଅ ଶୀତଦିନିଆ ପରିବା ଭଜା)
ବଡି ପକାଇଲେ ବିରି ବଟାହେବ ତେଣୁ ବଡି ତିଆରି ଦିନ ନିଶ୍ଚେ ଚକୁଳି ହେବ । ଝିଅ ଘରକୁ ସାଦ ଗଲେ ବନାହେବ । ଏହା ସହ ଆମ ଓଡ଼ିଆ ଭାରି ପରିଚିତ । ଶୀତଦିନିଆ ସକାଳୁ ଗରମ ଚକୁଳିର ବାସ୍ନା । ଆଖପାଖ କାହାରି ଘରେ ହେଲେ ଜଣାପଡିବ । ଏମିତି ଆମମାନଙ୍କ ସହ ଭାରି ଅଙ୍ଗାଙ୍ଗୀ ଭାବେ ଜଡିତ । ପିଲାବେଳେ ଆମେ ଯେତେବେଳେ ଗଣନା ଶିଖୁ ମାଆ ଛୋଟ ଛୋଟ ଚକୁଳି ବନେଇ ଥାଳିରେ ରଖନ୍ତି ଓ ପଚାରନ୍ତି କେତେଟା ଗଣିଲୁ । ପୁଣି ଗୋଟିଏ ଖୁଆଇ ଦେଇ ପଚାରନ୍ତି ଏବେ କେତେଟା ଅଛି । ତେଣୁ ଚକୁଳିକୁ ନେଇ ଅନେକ ଗୀତଗପ ଆମେ ଛୋଟବେଳୁ ଶିଖିଥାଉ । ଏ ଅନୁଭୁତି ଅନେକଙ୍କର ନିଶ୍ଚେଥିବ ।
(ପିଆଜ ଷଣ୍ଢା ପଡି ଚକୁଳି)
(ନଡିଆ ବାଦାମ ଚଟଣୀ ଜିଲାପି)
ଚକୁଳିର ପୁଣି ପ୍ରକାର ଭେଦ। ସରୁଚକୁଳି, ବୁଢାଚକୁଳି । #ସରୁଚକୁଳି ପୁଣି ଖାଇବା ପାଇଁ କାହାକୁ କେମିତି ଭଲ ଲାଗେ । ସରୁଚକୁଳି ସହ କ୍ଷିର ଚିନି ଓ କଦଳୀ; ଲଡୁ, ଜିଲାପି ସହ; ଆମ୍ବ ପଣସ ରସ ସହ; ମହୁଆ, ଗୁଡ ସହ ଚକୁଳି; ଭଜା, ତରକାରି, ସନ୍ତୁଳା ସାଙ୍ଗେ ଚକୁଳି; ଚକୁଳି ମଟର ତରକାରି ବା ଘୁଗୁନି; ସବୁଠୁ ବେଶି ସୁଆଦ ଖାସିମାଂସ ସହ ଚକୁଳି; ଆଚାର, ଚଟଣୀ (ନଡିଆ, ଚିନାବାଦାମ, ଧଣିଆ) ସହ ଇତ୍ୟାଦି ଇତ୍ୟାଦି । ପୁଣି ୠତୁ ଅନୁସାରେ ତାଳ ସମୟରେ ତାଳଚକୁଳି, ନିମ୍ବଫୁଲ ସମୟରେ ନିମ୍ବଚକୁଳି । ପିଆଜ ଷଣ୍ଢା, ଧନିଆପତ୍ର, କଞ୍ଚାଲଙ୍କା ଆଦି ଦେଇ ଚକୁଳି । ଆଣ ଖଟା ହୋଇଗଲେ ପିଆଜ, ଲଙ୍କା ଆଦି ପକାଇ ଛୁଙ୍କଚକୁଳି, ବାସୀଚକୁଳିଘିଅ ଜିରା ଆଦି ପକାଇ ଘିଅ ଛୁଙ୍କଚକୁଳି । ଆହୁରି କେତେ ଅଛି ପ୍ରତି ଓଡିଆ ଘରେ କେତେ ଭିନ୍ନ ପ୍ରକାରର ଚକୁଳି ତିଆରି ହୁଏ । ଓଡ଼ିଆରେ ଗୋଟିଏ କଥା ଅଛି, “ପୁଷେ ଖଇ, ମାଘେ ଦହି, ଚଇତେ ନିମଚକୁଳି ଖାଇ।” ଏହା ଆମକୁ ସୂଚାଏ ଯେ ପୌଷ ମାସରେ ଖଇ ଓ ମାଘ ମାସରେ ଦହି ପରି, ଚୈତ୍ର ମାସରେ ନିମଚକୁଳି ଖାଇବା ଆମ ସ୍ବାସ୍ଥ୍ୟ ପକ୍ଷେ ହିତକର । 
(ଭାରମିଠା ସହ)
ଦିନକୁ ଦିନ ଦେଶ ବିଦେଶର ଖାଦ୍ୟକୁ ପ୍ରାଧାନ୍ୟତା ଦେଇ ଆଜିର ପିଢି ଆମ ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ଭୁଲି ଯାଉଛନ୍ତି । ଆମ ଖାଦ୍ୟ ଆମର ପରିଚୟ । ଆମର ଉପର ପିଢ଼ିର ଗୁରୁଜନମାନେ କହନ୍ତି “ଆମ ବେଳର ଶୀତ ସକାଳର ଚକୁଳିର ମହ ମହ ବାସ୍ନା ଆଉ ଆସୁନାହିଁ ଏ କଥା କହି ଦୁଃଖ କରନ୍ତି । ଆମେ ଆମର ପାରମ୍ପରିକ ଖାଦ୍ୟକୁ ଖାଇବା ଓ ସମସ୍ତଙ୍କୁ ଖୁଆଇବା ଏ ଆମର କର୍ତ୍ତବ୍ୟ ହେଉ । ଆମେ ଖାଇଲେ ଖୁଆଇଲେ ସିନା ଆମର ପରପିଢ଼ି ଶିଖିବେ ଓ ଜାଣିବେ ।
(ଆମ୍ବ ଋତୁରେ ପାଚିଲା ଆମ୍ବ ସହ)
(ଖାସି ମାଂସ ସହ ସରୁଚକୁଳି)
ଅନେକ ଓଷାରେ ଏହା ଭୋଗଲାଗେ । ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଓଷାବାରରେ ଭୋଗଲାଗେ । ଅନୁରୋଧ ରହିଲା ଆପଣମାନେ ମତାମତରେ ଲେଖିବେ । ଏହା ଉପରେ ଢଗଢମାଳି, ଲୋକଗୀତ ବା ଲୋକକଥା ଜାଣିଥିଲେ ଲେଖିବେ । ଖାଦ୍ୟ ସହିତ ଆମର ଲୋକକଥା, ଢଗଢମାଳି ବି ଆମେ ଜାଣିପାରିବା ଶିଖି ପାରିବା ପରସ୍ପର ଠାରୁ । ଏ ଲୋକକଥା ହିଁ ତ ଆମର ଭାଷା ସାହିତ୍ୟ ।
Chakuli, Chakuli Pitha, Saruchakuli

Leave a Comment

Your email address will not be published. Required fields are marked *

Scroll to Top