ଗ୍ରାମେଶ୍ବର ମହାଦେବ

ଲେଖା: ତ୍ରିଲୋଚନ ସ୍ୱାଇଁ
~ ପଞ୍ଚପଲ୍ଲୀର ଶ୍ରୀ ଗ୍ରାମେଶ୍ବର ମହାଦେବ ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ଜଗତସିଂହପୁର ଜିଲ୍ଲାର କେତୋଟି ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରେ ପଞ୍ଚପଲ୍ଲୀର ଗ୍ରାମେଶ୍ବର ମହାଦେବ ମନ୍ଦିରର ପ୍ରସିଦ୍ଧି ସୁଦୂରପ୍ରସାରୀ l ଗଜପତି ମାନଙ୍କ ଶାସନକାଳରେ ବିଷୁନପୁର ବା ବିଷ୍ଣୁପୁର ଏକ କରଦ ରାଜ୍ୟ ଥିଲା l ସମୁଦ୍ର କୁଳବର୍ତ୍ତୀ ଅଞ୍ଚଳରେ ବାୟାଳିଶଟି ମୌଜାକୁ ନେଇ ବିଶୁନପୁର କରଦ ରାଜ୍ୟ l ଆଉ ଏହି ରାଜ୍ୟର ରାଜଧାନୀ ଥିଲା ଗଡ଼ବିଷ୍ଣୁପୁର l
ଗଡ଼ବିଷ୍ଣୁପୁରରେ ବୀରବର ଶ୍ରୀଚନ୍ଦନ ମହାପାତ୍ର ସାଙ୍ଗିଆଧାରୀ ରାଜାମାନେ ପୁରୁଷାନୁକ୍ରମେ ଶାସନ କରୁଥିଲେ l ନାରାୟଣ ବୀରବର ଶ୍ରୀଚନ୍ଦନ ମହାପାତ୍ର ଏହି ବଂଶର ଜଣେ ସୁ ଶାସକ ଥିଲେ l ମାତ୍ର ପରବର୍ତ୍ତୀ ସମୟରେ ସୂର୍ଯ୍ୟାସ୍ତ ଆଇନ୍ ବା sunset law ଅନୁସାରେ ଶେଷ ଶାସକ ଶ୍ରୀ ଦାଶରଥି ବୀରବର ଶ୍ରୀଚନ୍ଦନ ମହାପାତ୍ରଙ୍କ ସମୟରେ ଜମିଦାରୀ ହସ୍ତାନ୍ତର ହୋଇଥିଲା l
ସରକାରୀ ନିୟମ ଅନୁସାରେ ଜମିଦାରୀ ଉଛେଦ ହେବା ପରେ ଏହି ବିଷୁନପୁର ବା ବିଷ୍ଣୁପୁର ରାଜ୍ୟ ସରକାରଙ୍କ ଅଧୀନକୁ ଆସିଲା l ଅବିଭକ୍ତ କଟକ ଜିଲ୍ଲା ବା ଏବର ଜଗତସିଂହପୁର ଜିଲ୍ଲାର ଶେଷ ପ୍ରାନ୍ତରେ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅଞ୍ଚଳ ଏରସମା ଥାନା ଅନ୍ତର୍ଗତ ସମୁଦ୍ର କୁଳବର୍ତ୍ତୀ ଅଞ୍ଚଳରେ ଏହି ବିଷୁନପୁର ଅବସ୍ଥିତ l
ବିଷୁନପୁରରେ ରହିଛି ପ୍ରସିଦ୍ଧ ଗ୍ରାମ ପଞ୍ଚପଲ୍ଲୀ l ‘ପଞ୍ଚ’ ‘ପଲ୍ଲୀ’ ବା ପାଞ୍ଚଟି ପଡ଼ାକୁ ନେଇ ପଞ୍ଚପଲ୍ଲୀ ଗ୍ରାମ l ସେଇ ପଡ଼ାଗୁଡିକ ହେଲା ନାରଦିଆ, ଟିକରପଡ଼ା, ଗୋବିନ୍ଦପୁର, ପାଣିଏଣ୍ଡୁଳାପାଟଣା l ପଞ୍ଚପଲ୍ଲୀ ଗ୍ରାମର ମଧ୍ୟ ଭାଗରେ କେଉଁ ଅନାଦି କାଳରୁ ପୂଜା ପାଇ ଆସୁଛନ୍ତି ଶ୍ରୀ ଗ୍ରାମେଶ୍ବର ମହାଦେବ l ମନ୍ଦିରର ପଶ୍ଚିମ ଦିଗରେ ହଂସୁଆ ନଦୀ ପ୍ରବାହିତ ହୋଇ ବଙ୍ଗୋପସାଗରରେ ବିଲୀନ ହୋଇଛି l ଏହି ହଂସୁଆ ନଦୀକୁ ସ୍ଥାନୀୟ ଅଞ୍ଚଳରେ ସାଉଁଳିଆ ନଦୀ ନାମରେ ଲୋକେ ଜାଣନ୍ତି l
ପୁରାଣରୁ ଯାହା ଜଣାଯାଏ, ସୃଷ୍ଟିକର୍ତ୍ତା ବ୍ରହ୍ମlଙ୍କ ପୁତ୍ର ଗର୍ଗ ଋଷି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପିତା ବସୁଦେବାଙ୍କ କୂଳଗୁରୁ ଥିଲେ l ଗର୍ଗ ଋଷି ହିଁ ଶ୍ରୀବଳରାମ ଓ ଶ୍ରୀକୃଷ୍ଣଙ୍କର ନାମକରଣ କରିଥିଲେ l ଗର୍ଗ ଋଷି ଜଣେ ସିଦ୍ଧ ପୁରୁଷ, ମହର୍ଷି ଥିଲେ l
କୁହାଯାଏ ଦ୍ୱାପର ଯୁଗରେ ମହର୍ଷି ଗର୍ଗ ଏହି ଅଞ୍ଚଳରେ ଥିବା ଜଙ୍ଗଲରେ ଆଶ୍ରମ ନିର୍ମାଣ କରି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ l ମହାଦେବଙ୍କ ପୂଜା ଆରାଧନା ସହିତ ଜପ, ତପ ତଥା ଆଶ୍ରମବାସୀଙ୍କୁ ଶିକ୍ଷାଦାନ କରିଥିବାର ପ୍ରବାଦ ରହିଛି l ଏଣୁ ଏହି ଅଞ୍ଚଳକୁ ଗର୍ଗ ପୀଠ ବୋଲି ମଧ୍ୟ କୁହାଯାଏ ଏବଂ ଗ୍ରାମେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣର ପଶ୍ଚିମ ବେଢ଼ାରେ ଗର୍ଗଋଷିଙ୍କ ଏକ ମନ୍ଦିର ମଧ୍ୟ ରହିଛି l ମହର୍ଷି ଗର୍ଗଙ୍କ ଅନ୍ତେ ଓ ପରବର୍ତ୍ତୀ ସମୟ ନିୟତିର ସଂଘାତରେ ଉକ୍ତ ଶିବଲିଙ୍ଗ କାଳକ୍ରମେ ବାଲିରେ ପୋତି ହୋଇ ଯାଇଥିଲା l
(ଗର୍ଗ ଋଷିଙ୍କ ମନ୍ଦିର)
କିମ୍ବଦନ୍ତୀ କହେ, ଅନେକ ବର୍ଷ ପୂର୍ବେ ଏଠାକାର ଜଙ୍ଗଲରେ କେତୋଟି ଗୋପାଳ ପରିବାର ବସବାସ କରୁଥିଲେ l ସେମାନଙ୍କ ମୁଖ୍ୟ ବେଉସା ଗୋପାଳନ ଥିଲା l କୁହାଯାଏ ଜଣଙ୍କ ଦୁଧିଆଳୀ ଗାଈର ଚୀରରୁ ପ୍ରତିଦିନ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ନିୟମିତ କ୍ଷୀର ଝରୁଥିଲା l ଏହି ଆଶ୍ଚର୍ଯ୍ୟ ଘଟଣା କ୍ରମେ ରାଜାଙ୍କ କାନକୁ ଗଲା ଆଉ ରାଜା ନିଜ ପାରିଷଦ ବର୍ଗଙ୍କ ସହିତ ଆସି ପୂଜାପାଠ ହୋମ ଯଜ୍ଞ କରି ଉକ୍ତ ସ୍ଥାନକୁ ଖୋଲିବାକୁ ଆଦେଶ ଦେଲେ l କିଛି ଅଂଶ ଖୋଳିବା ପରେ ଶିବଲିଙ୍ଗ ଆବିର୍ଭାବ ହେଲେ l
ଗ୍ରାମବାସୀ ଶିବ ଲିଙ୍ଗକୁ ପୂଜାର୍ଚ୍ଚନା କଲେ ଆଉ ଗ୍ରାମ ମଧ୍ୟରୁ ମହାଦେବ ଆବିର୍ଭୁତ ହୋଇଥିବାରୁ ଗ୍ରାମେଶ୍ବର ମହାଦେବ ନାମରେ ସର୍ବ ବିଦିତ ହେଲେ l ଅନେକ ବର୍ଷ ହେବ ଏକ ଚାଳଘରେ ଗ୍ରାମେଶ୍ବର ମହାଦେବ ପୂଜା ପାଇ ଆସୁଥିଲେ l ମାତ୍ର ପରବର୍ତ୍ତୀ ସମୟରେ ଗ୍ରାମବାସୀ ତଥା ଅନ୍ୟ ଅନେକ ବଦାନ୍ୟ ବ୍ୟକ୍ତିଙ୍କ ଅକୁଣ୍ଠ ସାହାଯ୍ୟ ଓ ସହଯୋଗରେ ମହାଦେବଙ୍କ ପାଇଁ ଆଜିର ଏହି ଭବ୍ୟ ଆଉ ସୁନ୍ଦର ଦେଉଳଟି ନିର୍ମାଣ ହୋଇପାରିଛି l
ସ୍ଥାନୀୟ ଅଞ୍ଚଳ ତଥା ସମ୍ପୂର୍ଣ୍ଣ ଜଗତସିଂହପୁର ଜିଲ୍ଲାରେ ଏହି ମନ୍ଦିରର ପ୍ରସିଦ୍ଧି କାହିଁରେ କଅଣ l ବହୁ ଦୂର ଦୁରାନ୍ତରୁ ଭକ୍ତମାନେ ଗ୍ରାମେଶ୍ବର ମହାଦେବଙ୍କ ଦର୍ଶନରେ ଆସି ପରିବାରର ମଙ୍ଗଳ ମନାସିବା ସହିତ ନିଜର ମନସ୍କାମନା ପୂର୍ଣ୍ଣ କରନ୍ତି l ପ୍ରତିବର୍ଷ ଶିବରାତ୍ରି ସମୟରେ ଗ୍ରାମେଶ୍ବର ମହାଦେବ ମନ୍ଦିରରେ ପ୍ରବଳ ଜନସମାଗମ ହେବା ସହ ଏକ ମେଳାର ମଧ୍ୟ ଆୟୋଜନ ହୋଇଥାଏ l
ତଥ୍ୟ ସଂଗ୍ରହ : ଗ୍ରାମବାସୀ ଶ୍ରଦ୍ଧେୟ ହରପ୍ରସାଦ ମିଶ୍ର 
© ତ୍ରିଲୋଚନ ସ୍ୱାଇଁ

Leave a Comment

Your email address will not be published. Required fields are marked *

Scroll to Top