ଗଦ୍ୟଶିଳ୍ପୀ ଫକୀରମୋହନ

ଲେଖା: ନିରଞ୍ଜନ ସାହୁ

ଊନବିଂଶ ଶତାବ୍ଦୀରେ ଭାରତରେ ନବଜାଗରଣ ବା ରେନେସାଁର ପ୍ରବାହ ଐତିହାସିକମାନେ ନିର୍ଣ୍ଣୟ କରିଛନ୍ତି । ଆଧୁନିକ ଯୁଗରେ ମନୁଷ୍ୟର ନୂତନ ଚିନ୍ତାଧାରାର ଉତ୍ସ ହିଁ ରେନେସାଁ । ମଧ୍ୟଯୁଗୀୟ ଭାରତୀୟ ଚିନ୍ତା ପ୍ରଧାନତଃ ଈଶ୍ୱର ଓ ଧର୍ମକୈନ୍ଦ୍ରିକ । ଏହି ଚିନ୍ତାର ବିପରୀତଧର୍ମୀ ଭାବେ ହିଁ ଆରମ୍ଭ ହୋଇଥିଲା ନବଜାଗରଣ ବା ରେନେସାଁ । ଏହାର ମୂଳ ଜୀବନଦର୍ଶନ ମାନବମୁଖୀନତା ବା ମାନବତାବୋଧ ବା Humanism ।  ମଧ୍ୟଯୁଗୀୟ ଆଧ୍ୟାତ୍ମ ବିଦ୍ୟା ସ୍ଥାନରେ ପ୍ରାଚୀନ Classical ଯୁଗୀୟ ବିଦ୍ୟାର ପୁନରୁଜ୍ଜୀବନ ପାଇଁ ଆରମ୍ଭ ହୋଇଥିଲା ପ୍ରଚେଷ୍ଟା ସାରା ଦେଶରେ । ଅବଶ୍ୟ ସେତେବେଳକୁ ବିଦେଶୀ ରାଷ୍ଟ୍ରସମୂହ ଏହି ନବଜାଗରଣର ସ୍ଵାଦ ବେଶ୍ ଉପଲବ୍ଧି କରି ସାରିଥିଲେ ଏବଂ ସାମାଜିକ, ସାଂସ୍କୃତିକ ଜୀବନରେ ନୂତନ ଚିନ୍ତାଧାରାର ଅଭ୍ୟୁଦୟ ଘଟି ସାରିଥିଲା । ଇଂରେଜ ଶାସନର ପ୍ରଭାବ ହେତୁ ଭାରତୀୟ ସମାଜ ଓ ଜନମାନସରେ ନୂତନ ଜାଗରଣ ସୃଷ୍ଟି ହୋଇ ଆସୁଥିଲା । ବିଦ୍ୟାଚର୍ଚ୍ଚା ହେତୁ ମଣିଷ ମନର ସମ୍ପଦ, ଚିନ୍ତାର ଐଶ୍ୱର୍ଯ୍ୟ, କଳ୍ପନାର ମହତ୍ତ୍ଵ, ଶାସ୍ତ୍ରାତିରିକ୍ତ ସ୍ଵତନ୍ତ୍ର ମୂଲ୍ୟବୋଧର ପରିପ୍ରକାଶ ଘଟି ଆସୁଥିବା ବେଳେ ନବଜାଗରଣର ଆଦର୍ଶ ଓ ପ୍ରେରଣାରେ ଅନେକ ଭାରତୀୟ ଉଦବୁଦ୍ଧ ହୋଇ ସାରିଥିଲେ ।

ଏହି ଭଳି ଏକ ସନ୍ଧିକ୍ଷଣରେ ଓଡ଼ିଆ ସାହିତ୍ୟରେ ଆବିର୍ଭାବ ହୁଏ ଗଦ୍ୟଶିଳ୍ପୀ ଫକୀରମୋହନ ସେନାପତିଙ୍କର । ନବଜାଗରଣର ସ୍ରୋତ ଓଡ଼ିଶାରେ କ୍ଷୀଣ ଥିଲେ ସୁଦ୍ଧା ପଡ଼ୋଶୀ ବଙ୍ଗଦେଶରେ ମାଇକେଲ ମଧୁସୂଦନ ଦତ୍ତ, ଦେବେନ୍ଦ୍ରନାଥ ଠାକୁର, ରାଜା ରାମମୋହନ ରାୟ, ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଆଦି ମନିଷୀଗଣଙ୍କର ବ୍ୟକ୍ତିତ୍ଵ ବେଶ୍ ପ୍ରଶସ୍ତ ରୂପେ ବିକଶିତ । ପୁନଶ୍ଚ, ଶିକ୍ଷା କ୍ଷେତ୍ରରେ ୧୮୩୫ ରେ ଭାରତବର୍ଷରେ ଇଂରାଜୀ ଶିକ୍ଷା ପ୍ରଚଳନ (Mackle) ଏବଂ ୧୮୪୪ରେ ଇଂରାଜୀ ଶିକ୍ଷାକୁ ଯୋଗ୍ୟତାର ମାନଦଣ୍ଡ ଭାବେ ସ୍ଵୀକୃତି ପ୍ରଦାନ ହେତୁ ଏ ଦେଶରେ ଏକ ନୂତନ ଶିକ୍ଷିତ ମଧ୍ୟବିତ୍ତ ଗୋଷ୍ଠୀର ସୃଷ୍ଟି ହେଲା । ଫକୀରମୋହନଙ୍କ ସାହିତ୍ୟ ଏଇଭଳି ଏକ ଭିତ୍ତିଭୂମି ଉପରେ ଦଣ୍ଡାୟମାନ ହୋଇ ଏକକ ଭାବେ ଓଡ଼ିଆ ମଧ୍ୟବିତ୍ତ ଗୋଷ୍ଠୀର ସାହିତ୍ୟ ହୋଇ ଉଠିଲା । ଅତଏବ ଓଡ଼ିଶାରେ ଏହି ଗୋଷ୍ଠୀର ଜୀବନଯାତ୍ରା, ଆଶା ଆକାଙକ୍ଷା, ସବଳତା, ଗୁଣ, ଦୋଷ ଦୁର୍ବଳତା ଇତ୍ୟାଦି ଚିତ୍ରିତ ହୋଇ ଉଠିଲା ତାଙ୍କ ସାହିତ୍ୟରେ । ସାଧାରଣ ଲୋକଙ୍କ ପାଇଁ ଏହି ସାହିତ୍ୟ ହୋଇ ଉଠିଲା ସୁଖପାଠ୍ୟ ଓ ହୃଦୟସ୍ପର୍ଶୀ । ଏହି ଦୃଷ୍ଟିରୁ ଫକୀରମୋହନ ସାହିତ୍ୟ ହିଁ ତଦାନୀନ୍ତନ ଉତ୍କଳର ଦର୍ପଣ ! 

~ ଯୁଗରୁଚିରେ ଆପେକ୍ଷିକ ପ୍ରାଧାନ୍ୟ ~
ଗଦ୍ୟ ଓ ପଦ୍ୟ ମଧ୍ୟରେ ଆପାତ ପାର୍ଥକ୍ୟ ଥିଲେ ହେଁ ଗଦ୍ୟ ପଦ୍ୟର ସହଯୋଗ ବ୍ୟତୀତ ସାହିତ୍ୟ ସମ୍ପୂର୍ଣ୍ଣ ନୁହେଁ । କେହି କେହି କହନ୍ତି, ଗଦ୍ୟ ଓ ପଦ୍ୟ ମଧ୍ୟରେ ମୌଳିକ ପାର୍ଥକ୍ୟ ଅଳ୍ପ । ଯୁଗର ରୁଚି ଓ ଆବଶ୍ୟକତା ଅନୁଯାୟୀ ଏ ଦୁଇଟିର ପ୍ରାଧାନ୍ୟ ପ୍ରକାଶିତ । ଫକୀରମୋହନଙ୍କ ସାହିତ୍ୟ ସୃଷ୍ଟି ବେଳକୁ ଭାରତବର୍ଷ ଓ ଓଡ଼ିଶାର ରାଜନୈତିକ, ସାମାଜିକ, ସାଂସ୍କୃତିକ, ପରାଧୀନତା, ଭାଷା ତଥା ଆଞ୍ଚଳିକ ବୈଷମ୍ୟ ଓ ସ୍ଥିତିକୁ ବିଚାରକୁ ନିଆଯିବା ସମ୍ପୂର୍ଣ୍ଣ ରୂପେ ବିଧେୟ । ଊନବିଂଶ ଶତାବ୍ଦୀରେ ମିଶନାରୀ ରଚନା, ସମ୍ବାଦପତ୍ର, ପାଠ୍ୟପୁସ୍ତକ, ସାହିତ୍ୟ ପତ୍ରିକା, ମୁଦ୍ରାଯନ୍ତ୍ର ପ୍ରତିଷ୍ଠା ମାଧ୍ୟମରେ ଆଧୁନିକ ସାହିତ୍ୟର ଅଭିବୃଦ୍ଧି ଘଟୁଥିଲା ।

ଆଉ ଏକ ପକ୍ଷରେ ଓଡ଼ିଆ ଭାଷାର ବିଲୋପ ପାଇଁ ପ୍ରତିବେଶୀ ମାନଙ୍କର ଷଡ଼ଯନ୍ତ୍ର ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ସଜାଗ ରହିବାକୁ ଯଥେଷ୍ଟ ଖୋରାକ ଯୋଗାଉ ଥିଲା । ଏହି ସନ୍ଧିକ୍ଷଣରେ ଉତ୍କଳପ୍ରାଣ ଗୌରୀଶଙ୍କର, କୁଳବୃଦ୍ଧ ମଧୁସୂଦନଙ୍କର ଓଡ଼ିଶାର ଏକତ୍ରୀକରଣ କରିବା ଉଦ୍ଦେଶ୍ୟରେ ଜାତି ନନ୍ଦିଘୋଷକୁ ଆଗେଇ ନେବା ପାଇଁ ସତତ ପ୍ରଚେଷ୍ଟା  ସହ ଓଡ଼ିଶା ପ୍ରଦେଶର ପ୍ରାତଃ ସ୍ମରଣୀୟ ଟି.ଇ. ରେଭେନ୍ସାଜନ୍ ବୀମସ୍ ସାହେବଙ୍କ ପ୍ରେରଣା । ସାହିତ୍ୟକୁ ପ୍ରଗତିଶୀଳ କରି ଭାରତୀୟ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାକୁ ଫକୀରମୋହନ, ରାଧାନାଥ, ଗଙ୍ଗାଧର, ମଧୁସୂଦନ ରାଓବିଶ୍ଵନାଥ କର ଆଦିଙ୍କ ପ୍ରୟାସ । ରାଧାନାଥ, ଗଙ୍ଗାଧର କାବ୍ୟକାର, ଗୀତିକବିତା ମଧ୍ୟରେ ମଧୁସୂଦନଙ୍କ ସାର୍ଥକତା ! ଗଦ୍ୟ ସାହିତ୍ୟରେ ପ୍ରକୃଷ୍ଟ ବିକାଶ ଫକୀରମୋହନଙ୍କ ନିମନ୍ତେ ଅପେକ୍ଷିତ ଥିଲା ! ନିଜ ସାଧନାରେ ଗଦ୍ୟଶିଳ୍ପୀ ଫକୀରମୋହନ ଏହାକୁ ଅଭାବନୀୟ ସୁଷମା ମଣ୍ଡିତ ଓ ସମୃଦ୍ଧି ସମ୍ପନ୍ନ କରିଥିଲେ ।

~ ଫକୀରମୋହନଙ୍କ ଗଦ୍ୟ ସୃଷ୍ଟିର ଦୁଇଟି ପର୍ଯ୍ୟାୟ ~

୧ମ ପର୍ଯ୍ୟାୟ (କ):
ତାଙ୍କର ଗଦ୍ୟ ସାହିତ୍ୟ ସୃଷ୍ଟିରେ ଦୁଇଟି ପର୍ଯ୍ୟାୟ ସୁସ୍ପଷ୍ଟ । ଫକୀରମୋହନଙ୍କ ଲେଖା ଆରମ୍ଭ ହୁଏ ୧୮୬୬ ମସିହା ପୂର୍ବରୁ । ସେତେବେଳକୁ ବାଲେଶ୍ଵରରେ ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା ସ୍ଥାପନ ହୋଇ ନଥାଏ । ମାତ୍ର ଫକୀରମୋହନ ନିଜେ ଉପଲବ୍ଧି କରିଥିଲେ ଭାଷା ସୁରକ୍ଷା କେତେ ଆବଶ୍ୟକ । ତେଣୁ ପ୍ରଥମେ ରଚନା କଲେ ‘ରାଜପୁତ୍ର ଇତିହାସ’ । ୧୮୬୬ରୁ ୧୮୭୦ ମଧ୍ୟରେ ଲିଖିତ ହେଲା ଜୀବନ ଚରିତ ଏବଂ ଭାରତବର୍ଷର ଇତିହାସ (୨ଖଣ୍ଡ )। ସେତେବେଳେ ବଙ୍ଗଳା ଭାଷାର ଅଭାବନୀୟ ଉନ୍ନତି, ପରମ ଆକର୍ଷଣୀୟ, ଅଲଘଂନୀୟ ପ୍ରଭାବ ! ତେଣୁ ପ୍ରତିବେଶୀ ବଙ୍ଗଳାର ଲେଖକମାନଙ୍କର ସାହିତ୍ୟ ସୃଷ୍ଟି ପ୍ରଭାବିତ କରିଥିଲା ତାଙ୍କୁ । ମାତୃଭାଷାର ଉନ୍ନତି ନହେଲେ ଚିରକାଳ ଜାତି ଅବଜ୍ଞାତ ହେବ, ଏହି ଆଶଙ୍କାରେ ମାତୃଭାଷାର ସମୃଦ୍ଧି ଲକ୍ଷ୍ୟରେ ପ୍ରାଣପାତ ଉଦ୍ୟମ ହେଲା ତାଙ୍କର ସଂକଳ୍ପ । ଏହା ଥିଲା ତାଙ୍କର ଦିବାନିଶି ଭାବନା । ତେଣୁ ପୁସ୍ତକ ରଚନା ପାଇଁ ବଦ୍ଧପରିକର ହୋଇ ଆରମ୍ଭ କଲେ ୧୮୬୫ ମସିହାରେ ‘ରାଜପୁତ୍ର ଇତିହାସ’ । ସାହିତ୍ୟ ସାଧନା ସମ୍ପର୍କରେ — “ଖଣ୍ଡିଏ ବଙ୍ଗଳା ନୂତନ ପୁସ୍ତକ ହସ୍ତଗତ ହେଲେ ମୁଁ ଅନେକ ବେଳ ପର୍ଯ୍ୟନ୍ତ ତାହା ହସ୍ତରେ ଧରି ଓଲଟ ପାଲଟ କରି ଚତୁର୍ଦ୍ଦିଗ ଦେଖେ ଏବଂ ମନରେ କରେଁ କେବେ ଉତ୍କଳ ଭାଷାରେ ଏପରି ଖଣ୍ଡିଏ ପୁସ୍ତକ ବାହାରିବ, ଅଜ୍ଞାତସାରରେ ଗୋଟିଏ ଦୀର୍ଘ ନିଶ୍ଵାସ ପଡ଼ିଯାଏ ।”

ବଙ୍ଗଳା ଭାଷାରେ ପ୍ରକାଶିତ ହେଉଥିବା ମାସିକ ପତ୍ରିକା ‘ବିବିଧାର୍ଥ ସଂଗ୍ରହ, ସାପ୍ତାହିକ ସୋମପ୍ରକାଶ ଓ ଏଜୁକେଶନ ଗେଜେଟ୍’ ପଢ଼ି ଓଡ଼ିଆରେ ସେ ଧରଣର ସମ୍ବାଦପତ୍ର ବାହାର କରିବା ଥିଲା ତାଙ୍କର ପୋଷିତ ସ୍ଵପ୍ନ । ସେତେବେଳେ ବଙ୍ଗ ସରକାର ଯେଉଁ ଭାବରେ ସାହିତ୍ୟକୁ ଉତ୍ସାହିତ କରୁଥିଲେ, ସାହିତ୍ୟ ସମିତି ମାନ ଗଢୁ଼ଥିଲେ, ତାହା ଓଡ଼ିଶାରେ ସ୍ଵପ୍ନ ପ୍ରାୟ ଥିଲା । ତେଣୁ କ୍ଷୋଭ ଆସିଥିଲା ଫକୀରମୋହନଙ୍କ ମନରେ — “ସେ ସମୟରେ ଉତ୍କଳ ଭାଷାର ଉନ୍ନତି ସାଧନ ମୋର ଏକମାତ୍ର ଲକ୍ଷ୍ୟ ଥିଲା । ଅନ୍ୟାନ୍ୟ କାର୍ଯ୍ୟରେ ନିଯୁକ୍ତ ଥାଇ ମଧ୍ୟ କେବଳ ସେହି ବିଷୟ ମନ ମଧ୍ୟରେ ଚିନ୍ତା କରୁଥାଏ । ବଙ୍ଗ ଭାଷାରେ ଦିନକୁ ଦିନ ଯେପରି ନୂତନ ନୂତନ ପୁସ୍ତକମାନ ପ୍ରକାଶିତ ହେଉଅଛି, କି ଉପାୟରେ ଉତ୍କଳ ଭାଷାରେ ସେହିପରି ପୁସ୍ତକ ବାହାରିବ, ଏହାହିଁ ଉଦ୍ଦେଶ୍ୟ ।” ଏହି ଆବେଗ ଓ ଆଗ୍ରହ ପରବର୍ତ୍ତୀ କାଳରେ ତାଙ୍କୁ ପଣ୍ଡିତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ପ୍ରତିଷ୍ଠିତ’ ସାପ୍ତାହିକ ସୋମପ୍ରକାଶ ‘ରେ ଲେଖିବାକୁ ସୁଯୋଗ ଦେଇଥିଲା ଏବଂ କିଛି କିଛି ଲେଖୁଥିଲେ ମଧ୍ୟ ।

୧ମ ପର୍ଯ୍ୟାୟ (ଖ) / ଜୀବନ ଚରିତ:
ଓଡ଼ିଆ ଭାଷାରେ ପୁସ୍ତକ ଅଭାବ ଯୋଗୁଁ କିଛି ବଙ୍ଗାଳୀ ବାବୁମାନଙ୍କ ବିଦ୍ରୁପ ଦୂର କରିବା ପାଇଁ ବଙ୍ଗଳାର କୃତବିଦ୍ୟ ପାଠ୍ୟ ପୁସ୍ତକ ଲେଖକ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ରଚନାର ଅନୁବାଦ ୧୮୬୬ ମସିହାରେ ପ୍ରକାଶିତ ହେଲା କଲିକତା ବାପ୍ଟିଷ୍ଟ ମିଶନ ପ୍ରେସରୁ ଫକୀରମୋହନଙ୍କ ଦ୍ଵାରା । ଈଶ୍ଵରଚନ୍ଦ୍ରଙ୍କ ଜୀବନ ଚରିତ ମୌଳିକ ନୁହେଁ । ବଙ୍ଗୀୟ ଛାତ୍ରଙ୍କର ଚରିତ୍ର ଗଠନ ଉଦ୍ଦେଶ୍ୟରେ ବିଦ୍ୟାସାଗର ମହୋଦୟ ରବାର୍ଟ ଓ ଉଇଲିୟମ ଚେମ୍ବର୍ସଙ୍କ Biography (୧୮୩୫) ଅବଲମ୍ବନରେ ବହୁ ବିଶିଷ୍ଟ ବିଦେଶୀ ବୈଜ୍ଞାନିକ, ଦାର୍ଶନିକ, ଲେଖକ, ଜ୍ଞାନପିପାସୁ ବ୍ୟକ୍ତିମାନଙ୍କ ଜୀବନ କଥା ତାଙ୍କ ସଂକଳନରେ ସ୍ଥାନିତ କରିଥିଲେ । ଏହି ଭଳି ପୁସ୍ତକ ଛାତ୍ରବୃତ୍ତି ପାଇଁ ନିରୂପିତ ହୋଇଥିବାରୁ ଏବଂ ‘ଓଡ଼ିଶାର ଛାତ୍ରଛାତ୍ରୀ ବଞ୍ଚିତ ନ ହୁଅନ୍ତୁ’, ଏହି କଥା ଚିନ୍ତା କରି ୧୮୪୯ ମସିହାରେ ସଙ୍କଳିତ ଏହି ପୁସ୍ତକ ଅବଲମ୍ବନରେ ରଚିତ ହୋଇଥିଲା ଓଡ଼ିଆ ‘ଜୀବନ ଚରିତ’ । ଏହା ଥିଲା ପ୍ରତ୍ୟକ୍ଷରେ ଓଡ଼ିଆ ଛାତ୍ରଙ୍କର ଜ୍ଞାନବୃଦ୍ଧି ଓ କଲ୍ୟାଣ ସାଧନ ପାଇଁ ଉଦ୍ଦିଷ୍ଟ ଏବଂ ପରୋକ୍ଷରେ ଭାଷା ବିଲୋପ ସପକ୍ଷବାଦୀଙ୍କୁ ଏକ ବ୍ରହ୍ମଚାପୁଡ଼ା ।

୧ମ ପର୍ଯ୍ୟାୟ (ଗ) :ଭାରତବର୍ଷର ଇତିହାସ:
‘ଭାରତବର୍ଷର ଇତିହାସ’ ଥିଲା ଏକ ଉଲ୍ଲେଖନୀୟ କୀର୍ତ୍ତି । ଏହା ଦୁଇ ଭାଗରେ ପ୍ରକାଶିତ। ପ୍ରଥମ ଭାଗ ୧୯୬୯ ଓ ଦ୍ଵିତୀୟ ଭାଗ ୧୮୭୦ରେ ପ୍ରକାଶିତ । ଉତ୍କଳର ଛାତ୍ର ବୃତ୍ତି ପାଇଁ ଏହା ଥିଲା ପାଠ୍ୟପୁସ୍ତକ । ଏହି ପୁସ୍ତକ ପାଇଁ ସେ ସମୟର ସ୍କୁଲ ଇନ୍ସପେକ୍ଟର ସାତଶହ ଟଙ୍କା ଓ ଟି.ଇ. ରେଭେନ୍ସା ସାହେବ ତିନିଶହ ଟଙ୍କା ପୁରସ୍କାର ଦେଇଥିଲେ । ଏ ସମ୍ପର୍କରେ ଗଦ୍ୟଶିଳ୍ପୀ ଫକୀରମୋହନ ଉଲ୍ଲେଖ କରିଛନ୍ତି – “ମୁଁ ତିନି ବରଷ ଯାବତ୍ କାଳ ବହୁ ପରିଶ୍ରମ ସ୍ଵୀକାର ପୂର୍ବକ ଏହି ଇତିହାସ ଖଣ୍ଡକ ସଂଗ୍ରହ କରିଅଛି । ଏହି ପୁସ୍ତକ ବିଶେଷର ଅନୁବାଦ ବା ଗ୍ରନ୍ଥବିଶେଷରୁ ସଂଗୃହୀତ ହୋଇ ନାହିଁ । ଶ୍ରୀଯୁକ୍ତ ବାବୁ ତାରିଣୀଚରଣଙ୍କ ଭାରତବର୍ଷର ଇତିହାସ ଓ ଶ୍ରୀଯୁକ୍ତ ବାବୁ ନୀଳମଣି ବସାକଙ୍କ ରଚିତ ଇତିହାସ ଓ ଶ୍ରୀଯୁକ୍ତ ବାବୁ କୃଷ୍ଣଚନ୍ଦ୍ର ରାୟଙ୍କ ରଚିତ ଇତିହାସ ଓ ଶ୍ରୀଯୁକ୍ତ ବାବୁ କେଦାରନାଥ ଦତ୍ତ ରଚିତ ଭାରତବର୍ଷର ଇତିହାସ ଏବଂ ବିବିଧାର୍ଥ ସଂଗ୍ରହ ମାସିକ ପତ୍ରିକା ଏବଂ ଶ୍ରୀଯୁକ୍ତ ବାବୁ କାଳୀପ୍ରସନ୍ନ ଦତ୍ତ ରଚିତ ଚରିତ ମଞ୍ଜରୀ ଏହି କେତେଖଣ୍ଡ ପୁସ୍ତକ ଅବଲମ୍ବନ କରି ଏହା ସଂଗ୍ରହ କରିଅଛି ।”

ଏହି ପୁସ୍ତକ ଲେଖାରେ ଗଦ୍ୟଶିଳ୍ପୀ ଫକୀରମୋହନ କିନ୍ତୁ ନିଜର ମୌଳିକତା ହରାଇ ନଥିଲେ । ମନୋଗ୍ରାହୀ ଗଳ୍ପଗୁଡ଼ିକରେ ସେତେବେଳେ ତାଙ୍କର ସ୍ଵରୂପ ପ୍ରକାଶ ପାଇଥିଲା ଅବଶ୍ୟ । ବାବରଙ୍କ ବିଳାସ, ସୁରା ପାନ, ମାମୁଦଙ୍କ ରାଜ୍ୟ ଶାସନ ସହ ମାମୁଦ୍ ଓ କବି ଫିରୁଦାସୀଙ୍କ ବୃତ୍ତାନ୍ତ ଚିତ୍ରଣ ଆହୁରି ରସାଣିତ କରିଥିଲା ବିଷୟ ଗୁଡ଼ିକୁ । ଏଥିରେ ଫକୀରମୋହନଙ୍କ ଅନ୍ତର୍ନିହିତ ସୃଜନୀ ପ୍ରଷ୍ଫୁଟିତ । ପାଠ୍ୟପୁସ୍ତକ ଭାବେ ଏହା ରଚିତ ହୋଇଥିଲେ ସୁଦ୍ଧା ଐତିହାସିକ ତଥ୍ୟ ନିର୍ଣ୍ଣୟ ଓ ସିଦ୍ଧାନ୍ତ ମଧ୍ୟରେ ଫକୀରମୋହନ ସ୍ଵଦେଶୋତଖାତ୍ ଜାତିକୁ ଆତ୍ମସ୍ଥ କରି ଜାତୀୟ ଜାଗୃତିର ସ୍ଵପ୍ନ ଦେଖିବାକୁ ପଛାଇ ନାହାନ୍ତି । ଏହା ଓଡ଼ିଆ ସାହିତ୍ୟରେ ଏକକ, ଅନୁପମ ଓ ମୌଳିକ ନିଶ୍ଚିତ ଭାବେ । କିନ୍ତୁ ବିଡ଼ମ୍ବନା ଏହି ଯେ, ସେ ସମୟରେ ଓଡ଼ିଆ ପାଠ୍ୟପୁସ୍ତକକୁ କେନ୍ଦ୍ର କରି ଉତ୍କଳ ଦୀପିକା, ସମ୍ବାଦ ବାହିକା, ସାହିତ୍ୟ ଦର୍ପଣ ଇତ୍ୟାଦି ପତ୍ରିକା ମାନଙ୍କର ଅଶୋଭନୀୟ ମସୀ ଆନ୍ଦୋଳନ ଯେଉଁଭଳି ଭାବେ ଚାଲିଲା, ତାର ଶରବ୍ୟ ମଧ୍ୟ ହୋଇଥିଲା ଏହି ଭାରତବର୍ଷର ଇତିହାସ । ପୁଣି ପାଠ୍ୟକ୍ରମର ପରିବର୍ତ୍ତନ ଓ ଗତି ବଦଳି ଯିବାରୁ ଏହି ପୁସ୍ତକ ଅଧିକ କାଳ ବିଦ୍ୟାଳୟ ମାନଙ୍କରେ ଚଳି ପାରିଲା ନାହିଁ । ତଥାପି ଗଦ୍ୟଶିଳ୍ପୀ ଫକୀରମୋହନ କୃତ ‘ଭାରତବର୍ଷର ଇତିହାସ’ ଏଇ ଜାତିର ଜୀବନ ଚରିତ ଓ ଜାତିର ପ୍ରାଣ ସ୍ପନ୍ଦନ ସହ ଥିଲା ସମ୍ପୂର୍ଣ୍ଣ ଜଡ଼ିତ ।

ଗୋଟିଏ ପରାଧୀନ ଓ ବିଖଣ୍ଡିତ ଜାତିର ଆତ୍ମଚେତନାର ଜାଗୃତି ନିମିତ୍ତ ଫକୀରମୋହନଙ୍କ ପ୍ରାଣର ଆକୃତି, ଜାତିପ୍ରୀତି, ସୀମାହୀନ ମମତାବୋଧ ଜଡ଼ିତ ସାହିତ୍ୟ ସୃଷ୍ଟିର ଅଭିପ୍ସା — ଏହି ସୂତ୍ର ନ ବୁଝିଲେ ଫକୀରମୋହନ ସେନାପତିଙ୍କ ଇତିହାସ ଓ ଅନ୍ୟାନ୍ୟ ସୃଷ୍ଟି ସମୂହ ଆମମାନଙ୍କ ନିକଟରେ ଅସ୍ପଷ୍ଟ ରହିବା ବିଚିତ୍ର ନୁହେଁ !!

ପଞ୍ଚଦଶ ଶତାବ୍ଦୀରେ ୟୁରୋପୀୟ ରେନେସାଁ ପର୍ଯ୍ୟନ୍ତ ଭାରତୀୟ ଭାଷା, ସାହିତ୍ୟ ଥିଲା ଜନଜୀବନର ଦାରିଦ୍ର୍ୟ ଓ ସଙ୍କଟ ମଧ୍ୟରେ । ରେନେସାଁ ସଂସ୍କୃତିର ନବଜନ୍ମ ୟୁରୋପୀୟ ଜୀବନ ତଥା ସାହିତ୍ୟର ଗତିପଥରେ ଏକ ନୂଆ ମୋଡ଼ ଫିଟେଇ ଦେଇଥିଲା । ଏହି ପଞ୍ଚଦଶ ଶତାବ୍ଦୀରେ ୟୁରୋପରେ ସଂସ୍କୃତିର ନବଜନ୍ମ ଫଳରେ ସମାଜ ତଥା ବ୍ୟକ୍ତି ଜୀବନର ସକଳ କ୍ଷେତ୍ରରେ ଏକ ନୂତନ ସୃଜନଶୀଳ ଆଲୋଡ଼ନର ସୂତ୍ରପାତ ହୋଇଥିଲେ ହେଁ ଭାରତରେ ଊନବିଂଶ ଶତାବ୍ଦୀର ଶେଷ ପାଦ ପର୍ଯ୍ୟନ୍ତ ସେପରି ଆଲୋଡ଼ନ ଓ ଅଭ୍ୟୁଦୟ ପରିଲକ୍ଷିତ ହୋଇପାରିନଥିଲା । ୟୁରୋପୀୟ ରେନେସାଁ ଓ ତଥାକଥିତ ଭାରତୀୟ ରେନେସାଁ ମଧ୍ୟରେ ଚାରି ଶତାବ୍ଦୀର ବ୍ୟବଧାନ ! ତତ୍କାଳୀନ ଭାରତବର୍ଷର ସଂସ୍କୃତିର ଆଲୋଡ଼ନ-ହୀନ-ବଦ୍ଧ- ପଲ୍ଵଳ ଏହି ୟୁରୋପୀୟ ସାହିତ୍ୟ, ସଂସ୍କୃତି, ଜୀବନଚର୍ଯ୍ୟା, ବୈଜ୍ଞାନିକ ଦୃଷ୍ଟିକୋଣ ଆଦିର ଅନୁଶୀଳନରେ ହୋଇଉଠିଥିଲା ପ୍ରାଣବନ୍ତ । ଏହାହିଁ ଭାରତବର୍ଷ ଇତିହାସରେ ରେନେସାଁ ବା ପୁନର୍ନବା ବା ସଂସ୍କୃତିର ନବଜନ୍ମ ବା ବିଦ୍ୟାର ପୁନରୁଜ୍ଜୀବନ ବା Revival of Learning

ଭାରତୀୟ ସମାଜ ଜୀବନ ଓ ସାହିତ୍ୟ ମଧ୍ୟରେ ଏହି ଜାଗରଣ କିଛି ମାତ୍ରାରେ ପ୍ରବେଶ କରିଥିଲା ଊନବିଂଶ ଶତାବ୍ଦୀର ଅନ୍ତିମ ପର୍ଯ୍ୟାୟରେ ଏବଂ ବିଂଶ ଶତାବ୍ଦୀର ଆରମ୍ଭରେ ଅଗ୍ରସର ଅଭିମୁଖୀ ହେବାର ବେଶ୍ ସୂଚନା ମିଳେ । ତଦ୍ରୁପ ମଧ୍ୟ ଥିଲା ଓଡ଼ିଶା କ୍ଷେତ୍ରରେ । ବିଦ୍ୟା ଚର୍ଚ୍ଚା ହେତୁ ମଣିଷ ମନର ସମ୍ପଦ, ଚିନ୍ତାର ଐଶ୍ୱର୍ଯ୍ୟ, କଳ୍ପନାର ମହତ୍ତ୍ଵ, ମାନବିକ ମୂଲ୍ୟବୋଧ ହୋଇଥିଲା ପ୍ରକାଶିତ । ନବଯୁଗରେ ମୁଦ୍ରା ଯନ୍ତ୍ର ସ୍ଥାପନ, ଅନୁବାଦ, ପାଠ୍ୟ ପୁସ୍ତକ ରଚନା, ମାନବତାବୋଧ ସମ୍ବଳିତ ଚିନ୍ତାଧାରା, ପ୍ରଗତିଶୀଳ ସାହିତ୍ୟ ସର୍ଜନା ଥିଲା ଏକ ସାହସିକ କାର୍ଯ୍ଯ । ଓଡ଼ିଆ ସାହିତ୍ୟରେ ବ୍ୟାସକବି ଭାବେ ବିଦିତ, ଯୁଗସ୍ରଷ୍ଟା ଭାବେ ପରିଚିତ ଫକୀରମୋହନ ସେନାପତିଙ୍କ ସମ୍ପର୍କରେ ଏ ଅବତରଣିକା ଏକ ସ୍ବତନ୍ତ୍ର ତାତ୍ପର୍ଯ୍ୟ ବହନ କରେ। ନବଜାଗରଣ କାଳର ଆଦର୍ଶ ଓ ପ୍ରେରଣା ତାଙ୍କ ଜୀବନରେ ଓଡ଼ିଶାରେ ପ୍ରକୃଷ୍ଟ ଭାବେ ପ୍ରକାଶିତ । ଉପନିଷଦ, ରାମାୟଣ, ମହାଭାରତ ଆଦି ପୁରାଣମାନଙ୍କର ସର୍ବଜନ୍ୟବୋଧ ଭାଷାରେ ଅନୁବାଦ, ରାଜପୁତ୍ର ଇତିହାସ (୧୮୬୬), ଜୀବନ ଚରିତ, ଭାରତବର୍ଷର ଇତିହାସ (୧୮୬୯ ଓ ୭୦) ସେତେବେଳେ ତାଙ୍କ ଦ୍ଵାରା ରଚିତ ପ୍ରଥମ ପର୍ଯ୍ୟାୟରେ, ଯାହା ସବୁ ପ୍ରଭାବିତ ରଚନା । ତେବେ ୧୮୭୦ରୁ ୧୮୯୭ ପର୍ଯ୍ୟନ୍ତ ଫକୀରମୋହନଙ୍କ ସୃଷ୍ଟି ଯେମିତି ଥିଲା ସୁପ୍ତ । ଦୀର୍ଘକାଳ ପରେ ୧୮୯୭ ଠାରୁ ୧୯୧୮ (ଦେହାନ୍ତ) ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟର ସାହିତ୍ୟ ରଚନା ତାଙ୍କ ସୃଷ୍ଟି ମର୍ଯ୍ୟାଦାକୁ ବହୁଗୁଣିତ କରିଥିଲା । ଏହି ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇଥିଲା ଅମର କୃତି ଗଳ୍ପ, ଉପନ୍ୟାସ, ଆତ୍ମଚରିତ, ସର୍ବଜନ୍ୟବୋଧ କବିତା ଗୁଚ୍ଛ ଇତ୍ୟାଦି ଇତ୍ୟାଦିରେ । 
~ ଦ୍ଵିତୀୟ ପର୍ଯ୍ୟାୟ ସୃଷ୍ଟିର ପ୍ରଥମ ପାଦ ~
୧୮୯୬ ମସିହାରେ କଟକର ବାଖରାବାଦ ଧୂଆଁପତରିଆ ସାଇରେ ଗୋଟାଏ ଘର ତିଆରି କରି ସେଠାରେ ବସବାସ କରିବାକୁ ଲାଗିଲେ । ସେହିଠାରୁ ଆରମ୍ଭ ହୁଏ ତାଙ୍କର ଉପନ୍ୟାସ ଓ ଗଳ୍ପ ରଚନା । ଏ ସମ୍ପର୍କରେ ବ୍ୟାସକବି କହନ୍ତି: “କଟକ ବାସ ସମୟରେ ମୋର ଉପନ୍ୟାସ ଲେଖା ଆରମ୍ଭ ହୁଏ । ମୁଁ ପ୍ରଥମେ ରେବତୀ ନାମକ ଗୋଟିଏ ଗଳ୍ପ ଲେଖିଲି । ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ କରିବା ପାଇଁ ତାହା ସମ୍ପାଦକଙ୍କୁ ଦେଲି । ମୁଁ ଏହି ସମୟରେ ଯେଉଁ ଗଳ୍ପ ଓ ଉପନ୍ୟାସମାନ ଲେଖୁଥିଲି, ତାହା ମୋହ ନାମରେ ପ୍ରକାଶ ନ କରି ଧୂର୍ଜଟୀ ନାମରେ ପ୍ରକାଶ କରୁଥିଲି । ଏ ନାମଟି ବାଛିଥିଲେ ମୋର ପ୍ରିୟ ବନ୍ଧୁ ମଧୁସୂଦନ ରାଓ । ତତ୍ପରେ “ଛମାଣ ଆଠଗୁଣ୍ଠ” ନାମରେ ଗୋଟିଏ ଗଳ୍ପ ଆରମ୍ଭ କଲି । ତାହା କ୍ରମଶଃ ବଢ଼ି ବଢ଼ି ଗୋଟିଏ ବଡ଼ ଉପନ୍ୟାସରେ ପରିଣତ ହେଲା । ଏହାପରେ “ଅପୂର୍ବ ମିଳନ” ନାମରେ ଗୋଟିଏ ଉପନ୍ୟାସ ଲେଖିବାକୁ ଆରମ୍ଭ କରେ ଏବଂ ଏହି ନାମରେ ତାହା ଉତ୍କଳ-ସାହିତ୍ୟରେ ପ୍ରକାଶିତ ହୋଇଥିଲା । ସ୍ଵତନ୍ତ୍ର ପୁସ୍ତକାରରେ ଯେତେବେଳେ ଛାପା ହେଲା, ତାହାର ନାମ ଦେଲି ‘ଲଛମା’। ମୋର ଏହି ଗଳ୍ପ ଓ ଉପନ୍ୟାସମାନ ପଢ଼ି ପାଠକମାନେ ବିଶେଷ ପ୍ରୀତ ହୋଇଥିଲେ ।
‘ଛମାଣ ଆଠଗୁଣ୍ଠ’କୁ ସେମାନେ ବିଶେଷ ଆଗ୍ରହର ସହିତ ପଢ଼ୁଥିଲେ । ଏହି ଉପନ୍ୟାସ ଲିଖିତ ରାମଚନ୍ଦ୍ର ମଙ୍ଗରାଜର ମକଦ୍ଦମାର ବିବରଣ ଯେତେବେଳେ ଉତ୍କଳ ସାହିତ୍ୟରେ ପ୍ରକାଶିତ ହେଉଥିଲା, ସେତେବେଳେ ମଫସଲରୁ କେତେକ ଅଜ୍ଞ ଲୋକ ମକଦ୍ଦମା ବିଚାର ଦେଖିବା ପାଇଁ କଟକ ଆସିଥିଲେ ।
ସନ ୧୯୦୫ ମସିହାରେ ମୋହର ପୁତ୍ର ସବଡେପୁଟି କର୍ମରେ ନିଯୁକ୍ତ ହୋଇ ବାଲେଶ୍ଵର ଚାଲିଗଲା । ମୁଁ ସେହି ସମୟରେ କଟକ ଘର ଛାଡ଼ି ବାଲେଶ୍ଵର ଗଲି ।” (ଆତ୍ମଚରିତ) 
~ ଉପନ୍ୟାସ ସୃଷ୍ଟିର ଆଦ୍ୟ ଓଁକାର ~
୧. ଛମାଣ ଆଠଗୁଣ୍ଠ: ଧାରାବାହିକ ଭାବେ ଉତ୍କଳ ସାହିତ୍ୟରେ ଧୂର୍ଜଟୀ ଛଦ୍ମ ନାମରେ ୧୮୯୭ ଅକ୍ଟୋବର ଠାରୁ ୧୮୯୯ ପର୍ଯ୍ୟନ୍ତ ପ୍ରକାଶିତ ଏବଂ ୧୯୦୨ ମସିହାରେ ପୁସ୍ତକ ଆକାରରେ ମୁଦ୍ରିତ । ସୃଷ୍ଟିର ଅଭିନବତ୍ଵ ଓ ରଚନା ଗୌରବ ବିଚାରରେ ଏହାର ପ୍ରକାଶ ସମୟ ଓଡ଼ିଆ ସାହିତ୍ୟରେ ଏକ ଐତିହାସିକ, ମର୍ଯ୍ୟାଦା ଯୁକ୍ତ କାଳ ଭାବେ ବିବେଚିତ। ଇଂରେଜ ଶାସନର ଆରମ୍ଭରେ ଓଡ଼ିଶାର ସାମନ୍ତ ଶକ୍ତିର ବିପର୍ଯ୍ୟୟ, ଭୂବ୍ୟବସ୍ଥାରେ ବିଶୃଙ୍ଖଳା ପ୍ରସଙ୍ଗ ଇତିହାସ ସମର୍ଥିତ ଘଟଣା । ଶାସନର ସୁବ୍ୟବସ୍ଥା ଅଭାବ ହେତୁ ରାମଚନ୍ଦ୍ର ମଙ୍ଗରାଜ ପରି ଅଶିକ୍ଷିତ, ଚତୁର ଲୋକ ଅନ୍ୟାୟ ଓ ଛଳନା ଆଶ୍ରୟରେ ସମାଜରେ ବିତ୍ତ ଓ ପ୍ରତିଷ୍ଠା ଅର୍ଜନ କରିବା ଆଦି ସେ ସମୟର ସାମାଜିକ ସ୍ଥିତି । ଭଗିଆ ଓ ସାରିଆ ଏହି ଉପନ୍ୟାସରେ ମଙ୍ଗରାଜ ଓ ଚମ୍ପାର ଏକ ବୈସାଦୃଶ୍ୟ ଯୋଡ଼ି ଯାହା ଉପନ୍ୟାସକୁ ଚତୁରତା – ନିରୀହତା, ଖଳପଣ – ବୋକାପଣ, ଭଲମନ୍ଦର ସଂପାତ ମଧ୍ୟରେ ଭଲପଣ କିପରି ଧ୍ଵଂସ ପାଏ, ତାହା ନାଟକୀୟତା ଆଡ଼କୁ ନେଇଯାଏ। ଚକ୍ରାନ୍ତ, ଠକାମୀ, ପ୍ରବଞ୍ଚନା, ମନର ମଇଳା ମଧ୍ୟରେ ଗୋବିନ୍ଦା ଓ ଚମ୍ପାର ମୃତ୍ୟୁ ହୁଏ, ଚତୁରପଣିଆରେ ଫତେପୁର ସରଷଣ୍ଢ ଜମିଦାରୀ ହାତକୁ ଆସିଯାଏ । ଉପନ୍ୟାସରେ ଗୋଟିଏ ପରେ ଗୋଟିଏ ଚରିତ୍ରର ଜଳସମାଧି ଘଟିଛି । ମଙ୍ଗରାଜଙ୍କ ଲୁଣ୍ଠନ ସଂଗୃହୀତ ଧନ ସଂପତ୍ତି ମଧ୍ୟରେ ମୁଖ୍ୟ ସ୍ଥାନ ନେଇଥିବା ମାଟି ମୁଠାଏ ଅନ୍ୟାୟକୁ ଦଣ୍ଡ ଦେବା ସହ ନିରୀହ ସାରିଆ ଭଗିଆ ବି ବଳି ପଡ଼ିଛନ୍ତି ! ବୋଧେ ମାଟି ମା ସମସ୍ତଙ୍କୁ ଆପଣେଇ ନିଏ !! ତେବେ ମାଟି ମୁଠାଏର କାହାଣୀ ହିଁ ଛମାଣ ଆଠଗୁଣ୍ଠ । ଭାରତୀୟ ସାହିତ୍ୟରେ ଅପ୍ରତିଦ୍ଵନ୍ଦୀ ଉପନ୍ୟାସ !! 
୨. ଲଛମା: ଧୂର୍ଜଟୀ ଛଦ୍ମ ନାମରେ ଫକୀରମୋହନ ସେନାପତିଙ୍କ ଐତିହାସିକ ଉପନ୍ୟାସ ‘ଅପୂର୍ବ ମିଳନ’ ଉତ୍କଳ ସାହିତ୍ୟରେ ପଞ୍ଚମ ବର୍ଷ ତୃତୀୟ ସଂଖ୍ୟା (୧୯୦୧ ଜୁନ୍) ରେ ପ୍ରଥମ ପ୍ରକାଶିତ ହୋଇ ସପ୍ତମ ବର୍ଷ ଚତୁର୍ଥ ସଂଖ୍ୟା (୧୯୦୩ ଜୁଲାଇ) ରେ ଶେଷ । ୧୯୧୩ ମସିହାରେ ଅପୂର୍ବ ମିଳନ ପୁସ୍ତକ ଆକାରରେ ମୁଦ୍ରିତ ହେଲା ଲଛମା ନାମରେ । ଉପନ୍ୟାସରେ ଚିତ୍ରିତ ବର୍ଗୀମାନଙ୍କର ଲୁଣ୍ଠନ, ଅରାଜକତା, ଅତ୍ୟାଚାର, ଆଲିବର୍ଦ୍ଦି ଖାଁ, ଭାସ୍କର ପଣ୍ଡିତ ପ୍ରଭୃତିଙ୍କ ଚରିତ୍ରମାନଙ୍କ ଠାରେ ଓ ଭାସ୍କର ପଣ୍ଡିତଙ୍କ ହତ୍ୟା ଘଟଣା ସମସ୍ତ ଇତିହାସ ସମର୍ଥିତ । ଓଡ଼ିଶାର ରାଇବଣିଆ ଦୁର୍ଗ ଠାରୁ ଆରମ୍ଭ କରି ବଙ୍ଗଦେଶର ମୁର୍ଶିଦାବାଦ ପର୍ଯ୍ୟନ୍ତ ଐତିହାସିକ ସ୍ଥାନଗୁଡ଼ିକ ଘଟଣା ସଂସ୍ଥାନର ପରିବେଶ ରୂପେ ଗୃହୀତ ହୋଇ ବିଷୟବସ୍ତୁକୁ ଅଧିକ ସତ୍ୟାଶ୍ରୟୀ ଓ ଐତିହାସିକ ଗୁରୁତ୍ଵ ମଣ୍ଡିତ କରିଅଛି । ଓଡ଼ିଶାର ସାମନ୍ତ ଶକ୍ତିର ପତନ, ବର୍ଗୀ ପ୍ରପୀଡ଼ିତ ଉତ୍କଳର ଆଭ୍ୟନ୍ତରୀଣ ବିଶୃଙ୍ଖଳା ଜନିତ ଅଶାନ୍ତ କରୁଣ ଚିତ୍ରରେ ଉପନ୍ୟାସର ପୃଷ୍ଠା ଗୁଡ଼ିକ ପୂର୍ଣ୍ଣ । 
୩. ମାମୁଁ: ୧୯୧୩ ମସିହା ଅପ୍ରେଲ – ମେ ମାସରେ ପ୍ରକାଶିତ ହେଲା ଫକୀରମୋହନଙ୍କ ତୃତୀୟ ଉପନ୍ୟାସ ମାମୁଁ । ମୁଖ୍ୟ ନାୟକ ନାଜର ନଟବର ଦାସ ସରକାରୀ କର୍ମରେ ନିଯୁକ୍ତ ଥାଇ ପଦର ସୁଯୋଗରେ ନିଜ ଭଣଜା ନରୁବାବୁଙ୍କର ଜମିଦାରୀ ନିଜସ୍ଵ, ସରକାରୀ ତହବିଲ୍ ତୋସରଫ କରିବାକୁ କୁଣ୍ଠିତ ହୋଇନାହାନ୍ତି । ପାଶ୍ଚାତ୍ୟ ଚଳଣିର ଦୁର୍ଗୁଣ ପ୍ରତି ଅଳ୍ପ ଶିକ୍ଷିତ ମଧ୍ୟବିତ୍ତ ସମ୍ପ୍ରଦାୟର ମୋହ ନଟବର ଦାସଙ୍କ ଚରିତ୍ରରେ ପୂର୍ଣ୍ଣ ରୂପେ ପ୍ରକାଶିତ । ନୀତିବୋଧର ଅଭାବ, ଚରିତ୍ର ହୀନତା, ମଦ୍ୟପାନ, ପାରମ୍ପରିକ ଯୌଥ ପରିବାର ପ୍ରତି ଅଶ୍ରଦ୍ଧା ହେତୁ ନିଜ ଭଗ୍ନୀର କ୍ଷତି ସାଧନ ସବୁକିଛି ତାଙ୍କ ଚରିତ୍ରରେ ପୂର୍ଣ୍ଣ । ବିଶାଖା ଦେବୀଙ୍କୁ ନରିପୁର ରାଣୀ ବନାଇବା ନିମନ୍ତେ ନଟବରଙ୍କ ଉଗ୍ର ଲାଳସା, “ମୁଁ ତୁମକୁ ରାଣୀ ବନାଇବି” — ଏହି ବ୍ୟକ୍ତି ସ୍ଵାର୍ଥ ସମ୍ବଳିତ ଉଚ୍ଛୃଂଖଳ କାମନାର ନଗ୍ନରୂପ ଔପନ୍ୟାସିକଙ୍କ ତୀକ୍ଷ୍ମ ବାକ୍ୟବାଣ ଦ୍ଵାରା ନିର୍ମମ ଭାବେ ବିଦ୍ଧ ।
୪. ପ୍ରାୟଶ୍ଚିତ: ଶେଷ ଉପନ୍ୟାସ ପ୍ରାୟଶ୍ଚିତର ପ୍ରକାଶ କାଳ ୧୯୧୫ ମସିହା । ଇଂରାଜୀ ସଭ୍ୟତାର ଆଦ୍ୟ ସ୍ରୋତରେ ସମାଜ ଜୀବନରେ ଯୁବସମାଜର ବିଚାରହୀନ ଅନୁଚିକୀର୍ଷା ଜନିତ ବହୁ ପଙ୍କିଳ ଉପାଦାନ ଅବାଧରେ ପ୍ରବେଶ କରିଥିଲା । ଏହି ଉପନ୍ୟାସ ମାଧ୍ୟମରେ ଇଂରେଜୀ ଶିକ୍ଷିତ ସମାଜର ଆଶା-ଆକାଙକ୍ଷା ଚିତ୍ର ପ୍ରଦର୍ଶିତ । ଯୁବ ସମାଜ ସମ୍ମୁଖରେ ବଳିଷ୍ଠ ଆଦର୍ଶର ଅଭାବ, ପ୍ରାଣରେ ସଂଶୟ, ପ୍ରାଚ୍ୟ ପାଶ୍ଚାତ୍ୟ ସଭ୍ୟତାର ଆପାତ ସଂଘର୍ଷରେ ଚିତ୍ତ ଦୋଳାୟିତ, ସମାଜ ସଂସ୍କାର ନାମରେ ଅପରିଣାମଦର୍ଶୀତାର ଚିତ୍ର ପ୍ରାୟଶ୍ଚିତ ଉପନ୍ୟାସରେ ପ୍ରକଟିତ । ମୁଖ୍ୟ ନାୟକ ରାଜୀବ ଲୋଚନ, ସଦାନନ୍ଦ ପ୍ରମୁଖଙ୍କ ଚରିତ୍ର ସୁନ୍ଦର ଭାବେ ଚିତ୍ରିତ । ସମାଜ ଜୀବନରେ ଜାତିଗତ ଆତ୍ମବଡ଼ିମା ଓ ସଂଘର୍ଷର ତୀବ୍ରତା, ନବ ଶିକ୍ଷିତ ଯୁବକ ମାନଙ୍କ ଚିତ୍ତର ସଙ୍କଟ ଏହି ଉପନ୍ୟାସରେ ରୂପାୟିତ । ବୈଷ୍ଣବ ପଟ୍ଟନାୟକ ଓ ସଙ୍କର୍ଷଣ ମହାନ୍ତିଙ୍କ ଜାତିଗତ ବଡ଼ିମା ଓ ମନର ଅହମିକାର ସଂଘର୍ଷ ଅଧିକ ତୀବ୍ର ! ଅପରିମାଣଦର୍ଶୀତା ହେତୁ ଏଠାରେ ଦୁଇ ପରିବାର ଧ୍ଵଂସ । 
ଏହି ଚାରିଗୋଟି ଉପନ୍ୟାସ ଛ’ମାଣ ଆଠଗୁଣ୍ଠ, ଲଛମା, ମାମୁଁ, ପ୍ରାୟଶ୍ଚିତ ସ୍ଵ ସ୍ଵ ବିଷୟ, ନାଟକୀୟତା ମଧ୍ୟରେ ପ୍ରତିଷ୍ଠିତ । ଐତିହାସିକ ଉପନ୍ୟାସ #ଲଛମା ଯେପରି ତଥ୍ୟାଶ୍ରୟୀ ଓ ସଂଘର୍ଷ ମଧ୍ୟରେ ଗତିମୁଖର, ସେହିପରି #ଛ #ମାଣ #ଆଠଗୁଣ୍ଠ , #ମାମୁଁ#ପ୍ରାୟଶ୍ଚିତ୍ତ ଊନବିଂଶ ଶତାବ୍ଦୀ ଓଡ଼ିଶାର ସାମାଜିକ ଚିତ୍ର ଓ ଚରିତ୍ରର ବିଶ୍ଵସ୍ତ ଚିତ୍ରଣ ପୂର୍ବକ ଅତ୍ୟନ୍ତ ପ୍ରାଣସ୍ପର୍ଶୀ । 
୫. ବିଷମଞ୍ଜି: ସମାଜର ଜଟିଳ ସମସ୍ୟା ଉପରେ ଗଭୀର ଚିନ୍ତାର ପରିପ୍ରକାଶ ହେବାକୁ ଯାଉଥିଲା ଗୋଟିଏ ଦୀର୍ଘ ଗଳ୍ପ ମାଧ୍ୟମରେ । ଅର୍ଦ୍ଧାଧିକ ଲେଖା ବି ସରିଥିଲା । ଏହା ଉତ୍କଳ ସାହିତ୍ୟ ପତ୍ରିକାର ସୁଯୋଗ୍ୟ ସମ୍ପାଦକ ବିଶ୍ଵନାଥ କର ମହୋଦୟଙ୍କୁ ପତ୍ର ଜରିଆରେ ଜଣାଇଥିଲେ ଫକୀରମୋହନ । ଏହି ଦୀର୍ଘ ଗଳ୍ପ ଉପନ୍ୟାସ ରୂପେ ପ୍ରକାଶ ପାଉ ବୋଲି ପଲ୍ଲୀକବି ନନ୍ଦ କିଶୋର ଅନୁରୋଧ କରିଥିଲେ । କିନ୍ତୁ ହାୟ ! ଅସମ୍ପୂର୍ଣ୍ଣ #ବିଷମଞ୍ଜି ଆଉ ସମ୍ପୂର୍ଣ୍ଣ ହୋଇପାରି ନଥିଲା । ଚିରକାଳ ପାଇଁ ଓଡ଼ିଆ ପାଠକମାନେ ବଞ୍ଚିତ ହେଲେ ଏହି ଉପନ୍ୟାସ ପଠନରୁ । 
(ଫକୀରମୋହନଙ୍କ ସୃଷ୍ଟି ସମୂହ ଦୁଇଟି ପର୍ଯ୍ୟାୟଭୁକ୍ତ । ଦ୍ଵିତୀୟ ପର୍ଯ୍ୟାୟରେ ଅର୍ଥାତ୍ ୧୮୭୦ ଠାରୁ ଦେହାବସାନ ପର୍ଯ୍ୟନ୍ତ କେବଳ ଉପନ୍ୟାସ ନୁହେଁ, ଅନେକ ଗଳ୍ପ, ଆତ୍ମଚରିତ, କାବ୍ୟ ଇତ୍ୟାଦି ତାଙ୍କ ଦ୍ଵାରା ରଚିତ । ରଚନାର ବର୍ଗୀକରଣ କଲେ, ଆମେ ଆହୁରି ଅନେକ ଆଗକୁ ଯାଇପାରିବା । ଏହି ଦୃଷ୍ଟିରୁ ଆଜି ଉପନ୍ୟାସ ସମ୍ବନ୍ଧୀୟ ଆଲୋଚନା ପରେ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା ଅପେକ୍ଷା ରଖେ ।) 
ଆଧାର:  ଫକୀରମୋହନ ଆତ୍ମଚରିତ, ସମାଲୋଚକ ଡ. ଶ୍ରୀନିବାସ ମିଶ୍ରଙ୍କ ନିବନ୍ଧ; ଫକୀରମୋହନ ଗ୍ରନ୍ଥାବଳୀ; ବିଭିନ୍ନ ଆଲୋଚକ ମାନଙ୍କର କିଛି ପଠିତ ପ୍ରବନ୍ଧ

Leave a Comment

Your email address will not be published. Required fields are marked *

Scroll to Top