ଗଡ଼ମଧୁପୁର

ଲେଖା: ସୁରେଶ ପ୍ରସାଦ

କାଳଚକ୍ରର ଆବର୍ତ୍ତନ ଭିତରେ ତଥାପି ବିଗତଯୌବନ ଅସ°ଖ୍ୟ କୀର୍ତ୍ତି ଏବେବି ମନେ ପକେଇଦିଏ ଆମର ପ୍ରାଚୀନ ଇତିହାସକୁ । କୋଟି କୀର୍ତ୍ତିକିରିଟିନୀ ଉତ୍କଳର ସର୍ବତ୍ର ଇତିହାସର ଛିନ୍ନ ପୃଷ୍ଠା ଭିତରୁ ତଥାପି ଉଙ୍କି ମାରୁଛି ଆମର ସମୁଜ୍ଜଳ ଗୌରବ । ସେମିତି ଏକ ଗୌରବୋଜ୍ଜଳ ଇତିହାସକୁ ଆପଣା ଛାତିରେ ଧରି ଏବେବି ଦଣ୍ଡାୟମାନ b ବା ଆଜିର ମଧୁପୁର ଗଡ଼ ।

ଆନୁମାନିକ ଷୋଡ଼ଶ ଶତାବ୍ଦୀର ଆଦ୍ୟରେ, ଏବେର ଢେଙ୍କାନାଳ ଜିଲ୍ଲାର ସୀମାକୁଲାଗି ଅବସ୍ଥିତ ଏହି ଗଡ଼ମଧୁପୁର ରାଜ୍ୟ ସ୍ଥାପନା ହୋଇଥିଲା । ପୂର୍ବରୁ ଏଠାରେ ମଧୁସୂଦନ ବିଦ୍ୟାରତ୍ନ ନାମକ ଜଣେ ବ୍ରାହ୍ମଣ ରାଜା କମାଗଡ଼ ନାମରେ ଏକ ରାଜ୍ୟ ସ୍ଥାପନ କରି ରାଜ୍ୟ ଶାସନ କରୁଥିଲେ । କୁହାଯାଏ ୧୫୦୨ ଖ୍ରୀଷ୍ଟାବ୍ଦରେ ରାଜପୁତନାର ଜଣେ କ୍ଷତ୍ରିୟ ରାଜବଂଶଜ ଘଟଣାକ୍ରମେ ଏଠାକୁ ଆସି ବ୍ରାହ୍ମଣ ରାଜାଙ୍କୁ ପରାସ୍ତ କରି ନିଜର ରାଜବଂଶ ପ୍ରତିଷ୍ଠା କରିଥିଲେ । ବ୍ରାହ୍ମଣ ରାଜା ମଧୁସୂଦନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ କମାଗଡ଼ ପରିବର୍ତ୍ତେ ନୂତନ ଭାବରେ ସ୍ଥାପିତ ରାଜ୍ୟର ନାମ ରଖାଗଲା ମଧୁପୁର ଗଡ଼ ବା ଗଡ଼ମଧୁପୁର । ଏକ ସବୁଜିମାମୟ ପର୍ବତଶ୍ରେଣୀର ପାଦଦେଶରେ ସ୍ଥାପିତ ଗଡ଼ମଧୁପୁର ରାଜପ୍ରସାଦ କ୍ଷୁଦ୍ର ହେଲେ ମଧ୍ୟ ଅନେକ ଐତିହାସିକ କିମ୍ବଦନ୍ତୀକୁ ଧାରଣ କରି ତାର ଜୀର୍ଣ୍ଣ ଶରୀରରେ ଏବେବି ଦଣ୍ଡାୟମାନ ।

ଇତି ମଧ୍ୟରେ ଛଅଶହ ବର୍ଷ ବିତି ଗଲାଣି । ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜାଙ୍କ ସମୟରେ ଗଡ଼ମଧୁପୁର ରାଜପ୍ରାସାଦ ନିର୍ମିତ ହୋଇଛି । ଏହି ପ୍ରାସାଦରେ ରାଜପୁତନା, ମୋଗଲ ଏବଂ ଉତ୍କଳୀୟ ସ୍ଥାପତ୍ୟର ଅଦ୍ଭୁତ ନିଦର୍ଶନ ଦେଖିବାକୁ ମିଳେ । ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ ଗଡ଼ମଧୁପୁର ରାଜପ୍ରାସାଦ ପରିସର ମଧ୍ୟରେ ରହିଛି ଏକ ସୁଦୃଶ୍ୟ ରାଧାକୃଷ୍ଣଙ୍କ ମନ୍ଦିର, ସ୍ୱତନ୍ତ୍ର ରାଣୀମହଲ ଏବଂ ଆହୁରି ଅନେକ କିଛି । ରାଜପ୍ରସାଦ ପରିସୀମାକୁ ଲାଗି ରହିଛି ଏକ ସୁନ୍ଦର ମନୋରମ ଜଗନ୍ନାଥ ମନ୍ଦିର । ମନ୍ଦିର ପରିସରରେ ଅନ୍ୟାନ୍ୟ ଦେବାଦେବୀଙ୍କ ମନ୍ଦିର ମଧ୍ୟ ରହିଛି । ମନ୍ଦିରକୁ ପ୍ରବେଶ ପଥରେ ବାଇଶି ପାହାଚ, ମୁଖଶାଳାର ଗୁମୁଟରେ ପତିତପାବନ ଶୋଭା ପାଉଛନ୍ତି । ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଅତ୍ୟନ୍ତ କମନୀୟ । ପ୍ରତ୍ୟେକ ବର୍ଷ ଏଠାରେ ମହାପ୍ରଭୁଙ୍କ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇ ଥାଏ ।

ଓଡ଼ିଶାର ଅନ୍ୟାନ୍ୟ ରାଜପ୍ରାସାଦ ପରି ଗଡ଼ମଧୁପୁର ମଧ୍ୟ ଏବେ ଅବକ୍ଷୟର ଦ୍ୱାରଦେଶରେ । ଏହି ରାଜବଂଶର ଇତିହାସରେ ପ୍ରଥମ ଥର ପାଇଁ ଏବେ ଜଣେ ନାରୀ (ରାଜକନ୍ୟା) ସିଂହାସନରେ ଅଭିଷିକ୍ତା ହୋଇଛନ୍ତି ।

ଆଜି ସେ ରାଜତନ୍ତ୍ର ନାହିଁ କିମ୍ବା ରାଜପ୍ରାସାଦର କୋଳାହଳ ନାହିଁ । ମାତ୍ର ପଡି଼ରହିଛି ଅତୀତର ଅନେକ ତିକ୍ତମଧୁର ସ୍ମୃତି । କାଳର କରାଳ ଗର୍ଭରେ ବିଲୀନ ହୋଇଯିବା ପୂର୍ବରୁ ଏ ସବୁକୁ ପୁନରୁଦ୍ଧାର କରାଯିବା ଆବଶ୍ୟକ । କାରଣ ଏମିତି ଅନେକ ଜୀର୍ଣ୍ଣ ପ୍ରାସାଦ ଭିତରେ ଲୁଚି ରହିଛି ଆମର ଇତିହାସ । ସେଇ ଇତିହାସର ପୃଷ୍ଠାରେ ପୃଷ୍ଠାରେ କେତେ କେତେ ସ୍ମୃତିର ପଦଚିହ୍ନ । ସେ ସବୁକୁ ସାଉଁଟିବାର ଆବଶ୍ୟକତା ରହିଛି । ରାଜସ୍ଥାନ ପରି ଓଡ଼ିଶାର ପ୍ରାଚୀନ ପ୍ରାସାଦ ଗୁଡିକର ନବକଳେବର କରାଇ ପ୍ରାକୃତିକ-ପର୍ଯ୍ୟଟନର ସୁଯୋଗ ସୃଷ୍ଟି କରାଗଲେ ଅନ୍ତତଃ ଆମ ପରପିଢ଼ି ପାଇଁ ଇତିହାସ ସ°ରକ୍ଷିତ ହୋଇ ରହିପାରନ୍ତା ।

ଗଡମଧୁପୁର ରାଜ ପ୍ରାସାଦର ଜୀର୍ଣ୍ଣ ଦ୍ୱାରଦେଶରେ ଦଣ୍ଡାୟମାନ କଲେ ଅନୁଭବ ହୁଏ ଏକ ଅଦ୍ଭୁତ ଶିହରଣ, ଦର୍ଶକ ଯେମିତି ଫେରି ଯାଏ ସେଇ ପ୍ରାଚୀନ ଇତିହାସର କାଳଖଣ୍ଡକୁ, ଯେଉଁଠି ବିରାଜୁଥାଏ କିଛି ଅନ୍ଧାର ଆଉ ଝାପ୍ସା ଝାପ୍ସା ଆଲୋକ ।

Images: Kataka (Cuttack) Heritage & Culture Facebook Page, Dibya Ranjan das

Leave a Comment

Your email address will not be published. Required fields are marked *

Scroll to Top