ଲେଖା: ରାଜେଶ ବେଉରା
କଟକ ! ଏକ ରହସ୍ୟର ପୃଷ୍ଠା ! ରହସ୍ୟର ସେଇ ପୃଷ୍ଠାସବୁ ଭିତରୁ ଇତିହାସର ଅନୁସନ୍ଧାନ ଅଧିକ ତୃଷ୍ଣାତୁର କରି ଆସିଛି ପ୍ରତ୍ୟେକ ଜିଜ୍ଞାସୁକୁ !
- କିଏ ଗଢ଼ିଥିଲେ ଏଇ ମାଟିର ସ୍ମରଣୀୟ ଗାଥା ?
- କିଏ ଗଢ଼ିଥିଲେ #ବାରବାଟୀ ?
- କିଏ କାହିଁକି ଚୂର୍ଣ୍ଣ କଲା #ବୀରମାଟି ବାରବାଟୀକୁ ?
- କାହିଁକି ସୁପ୍ତ ସିଂହର ଦ୍ୱାରଦେଶରେ ଗର୍ଜି ଉଠିଲା ତୋପର କ୍ରୋଧ ?
- କେତେ ଦିନର କ୍ରୋଧ ଥିଲା ବ୍ରିଟିଶ ଜାତିର, ଓଡ଼ିଆ ଜାତି ଉପରେ ?
- ଓଡ଼ିଶାର #ନୌବାଣିଜ୍ୟ ଦିନର; ବେପାର ଦସ୍ୟୁମାନଙ୍କୁ ପରାଜିତ କରିଥିବା ଅନଙ୍ଗଭୀମ ଦେବଙ୍କ ପରାକ୍ରମର ପ୍ରତିବାଦ ଓ ପ୍ରତିଶୋଧ କ’ଣ ଏତେ ଶତାବ୍ଦୀ ପରେ ସାର୍ଥକ ହେଲା ?
କଟକର ନାଁ ଆସିଲେ ଏମିତି ଅସୁମାରୀ ପ୍ରଶ୍ନ ଉଙ୍କିମାରେ ମନରେ !
୫୨ ବଜ଼ାର ୫୩ ଗଳି ଭିତରେ ଆମେ ଦେଖୁ ଅଗଣିତ ଦେବାଦେବୀଙ୍କ କରୁଣାମୟ ଉପସ୍ଥିତି – ଯେଉଁମାନେ ଏହି ମହାନ ଐତିହ୍ୟମୟ ନଗରର ଇତିହାସ ତଥା ସାମାଜିକ ଜନଜୀବନର ମୁକସାକ୍ଷୀ !
ଇତିହାସ ଯେ ବିଶ୍ୱାସର ବସ୍ତୁ ନୁହେଁ, ବିଶ୍ଳେଷଣର ସାମଗ୍ରୀ, ଏ କଥା ମର୍ମେ ମର୍ମେ ଅନୁଭବ କରେ ଅନ୍ତରଙ୍ଗ କଳିଙ୍ଗ ! ସେଇ ବିଶ୍ଳେଷଣର ନୂତନ ଧାରା ଭାବେ ଆଜି ଆମେ ଶୁଭାରମ୍ଭ କରିଥିଲୁ “ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା”ର ! ଏ ଯାତ୍ରାର ପ୍ରଥମ ପାହାଚ ଭାବେ ଆମେ ବାଛି ନେଇଥିଲୁ କଟକ ଗଙ୍ଗାମନ୍ଦିର ସାହିର “ପ୍ରାଚୀନ” ଗଙ୍ଗେଶ୍ୱର ମହାଦେବ ମନ୍ଦିରକୁ ! କର୍ପୁର ନାହିଁ ସିନା, କନାଖଣ୍ଡିକୁ କିନ୍ତୁ ଜୀର୍ଣ୍ଣ କରିପାରିନି କାଳ !
ଦେବାଳୟର ପୂଜକ ରୁଦ୍ରକେତନ ପଣ୍ଡା ମହାଶୟଙ୍କ କହିବା ଅନୁଯାୟୀ ଗତ ଦଶନ୍ଧିରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଉକ୍ତ ଦେବାଳୟକୁ #ଗଙ୍ଗବଂଶୀ ଶାସକମାନଙ୍କ ସମୟର ବୋଲି ରେକର୍ଡଭୁକ୍ତ କରିଛନ୍ତି I ଗଙ୍ଗେଶ୍ୱର ମନ୍ଦିରକୁ ନେଇ ସାହିଟିର ନାମ #ଗଙ୍ଗାମନ୍ଦିର_ସାହି ଏବଂ ସନ୍ନିକଟ ପୁଷ୍କରିଣୀର ନାମ #ଗଙ୍ଗାପୋଖରୀ ହୋଇଛି, ତାହା ଏବେ ବି ଏକ ପ୍ରଶ୍ନବାଚୀ ! ତଥାପି ପୂଜକ ନିଜ ଅନୁଭବରୁ ଅନୁମାନ କରନ୍ତି ଯେ ଗଙ୍ଗେଶ୍ୱର ମନ୍ଦିର ନିଶ୍ଚିତ ଭାବେ ଗଙ୍ଗବଂଶୀ ଶାସକମାନଙ୍କ ରାଜୁତି କାଳର ! ହୁଏତ ତୃତୀୟ #ଅନଙ୍ଗଭୀମ ଦେବଙ୍କ କୃତି ଏଇ ମନ୍ଦିର !
ଦେଉଳରେ ଲିଙ୍ଗ ସହିତ ପୂଜା ପାଆନ୍ତି ଗଙ୍ଗେଶ୍ୱର ମହାଦେବଙ୍କ ଅନନ୍ୟ ବିରଳ #ପଞ୍ଚମୁଖୀ ମୂର୍ତ୍ତି ! ମୂର୍ତ୍ତିର ଗଠନଶୈଳୀ ବହୁ ପ୍ରାଚୀନ କାଳର ! ଗୋଟିଏ ପଥରରେ ଗଢା ଏଇ ସୁନ୍ଦର ମୂର୍ତ୍ତି !
ଗଙ୍ଗେଶ୍ୱର ମନ୍ଦିର ପରିସରରେ ପୂଜାପା’ନ୍ତି ନୃସିଂହ ମହାପଭୁ ! ଦିନେ କେବେ ପ୍ରଭୁ ଉଦ୍ଧାର ହୋଇଥିଲେ ସେଇ ଐତିହାସିକ ଗଙ୍ଗାପୋଖରୀ ଗର୍ଭରୁ ! ମୂର୍ତ୍ତିର ଗଠନଶୈଳୀ ବହୁ ପ୍ରାଚୀନ ! ମହାପ୍ରଭୁଙ୍କ ଭଗ୍ନମୂର୍ତ୍ତିଟି #ଲକ୍ଷ୍ମୀନୃସିଂହ ଙ୍କ ରୂପ ବୋଲି ଅନୁମେୟ ! ଦକ୍ଷିଣ ଭାରତୀୟ ଶୈଳୀରେ ଗଠିତ ମୂର୍ତ୍ତିର ବହୁ ଅଂଶ ଭଗ୍ନ ହେତୁ ସମ୍ପୂର୍ଣ୍ଣ ବୈଧାନିକ ନୀତିକାନ୍ତି ହୋଇ ପାରେନି ସତ ! ତିନି ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଏହି ବିରଳ ମୂର୍ତ୍ତିରେ ନୃସିଂହଙ୍କ ଦୁଇପାର୍ଶ୍ଵରେ ଶୋଭାପା’ନ୍ତି ବ୍ରହ୍ମା ଓ ମହେଶ୍ବର !
ଗଙ୍ଗେଶ୍ୱର ମହାଦେବଙ୍କ ପୀଠରେ ଉଭୟ ହରିହର ଭାବେ ମହାଦେବଙ୍କ ସହିତ ପୂଜାପା’ନ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଚତୁର୍ଦ୍ଧାମୂର୍ତ୍ତି ! ଦେବୀ ପାର୍ବତୀ ଓ ମହାବୀର ହନୁମାନଙ୍କ ମୂର୍ତ୍ତି ସ୍ଥାପନା ହୋଇଛି ଆଧୁନିକ ସମୟରେ I
ଗଙ୍ଗେଶ୍ୱର ମନ୍ଦିର ଅନତି ଦୂରରେ ଗଙ୍ଗାପୋଖରୀ I ସୁବିସ୍ତୃତ ! ବିଶାଳ ! ଅଥଚ ଅଲୋଡ଼ା ! ଅପାଙ୍କ୍ତେୟ ! ଅବହେଳାର ଚରମ ନିଦର୍ଶନ ! ଦଳପଙ୍କରେ ପୂର୍ଣ୍ଣ ! ପୋତି ହୋଇ ଯାଉଥିବା ବିଶାଳ ପୁଷ୍କରିଣୀର ବହୁଳାଂଶ ବାହୁବଳୀଙ୍କ ଦଖଲରେ ! ବଳକା ଅଂଶରେ ଜମିମାଫିଆ ଓ ବିଲଡରଙ୍କ ଲୋଲୁପ ଦୃଷ୍ଟି ! ତେବେ ପୁଷ୍କରିଣୀ ମଧ୍ୟଭାଗରେ ଶୋଭାପାଉଛି ପ୍ରାଚୀନ ଦିପଦଣ୍ଡି ! ଗୁଳ୍ମ ଆଚ୍ଛାଦିତ ! ଆମ ଅପାରଗପଣିଆକୁ ଛିଗୁଲେଇ ଚାଲିଛି ଯାହା !
ଅସୁମାରୀ କୋଠାବାଡ଼ିର ଘେର ଭିତରେ ଗଙ୍ଗେଶ୍ୱର ମନ୍ଦିର ମହାଦେବ ଦେଉଳଟି ହଜିଯାଏ ସିନା, ଐତିହ୍ୟପ୍ରେମୀ କଟକିଆର ପାଦ ଅଟକିଯାଏ ସେଠି ଯିବାଆସିବା ସମୟରେ, ମୁଣ୍ଡ ଆପେ ନଇଁଯାଏ ତା’ର ! କ୍ଷଣକ ପାଇଁ ହେଲେ ବି ସେ ପ୍ରାଣଭରି ଧନ୍ୟବାଦ ଦିଏ ସେଇ ଦେଉଳକୁ . . “ମୁ ତୁମକୁ ଭୁଲିନାହିଁ ! ଭୁଲିପାରିବି ନାହିଁ ! ତୁମେ ତ ମୋ ସହର ଇତିହାସର ପରିଚୟ ଜଣେ ! ତୁମକୁ କୋଟି ନମସ୍କାର !”