ଗଙ୍ଗା ଗୋଦାବରୀ

ସୌରଭିତ ସୃଷ୍ଟି: କୁଳବୃଦ୍ଧ ମଧୁସୂଦନ ଦାସ

କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଅମଳିନ ରଚନା ଗଙ୍ଗା ଗୋଦାବରୀ I

ଗଙ୍ଗା ଗୋଦାବରୀ ଯମୁନା କାବେରୀ
ପୂଜା ପାଇ ନାନା ଘାଟେ
ଛାଡି଼ ନିଜ ମାନ
ଲୋଡି଼ ଜାତିପ୍ରାଣ
ପ୍ରବେଶିଲେ ସିନ୍ଧୁତଟେ ।

କୋଟି ଜଳବିନ୍ଦୁ ମିଶି ହୋଇ ସିନ୍ଧୁ
ଦେଖାଉଛି ଜାତି ବଳ
ତଟ ସୀମା ଲଙ୍ଘି
ପରବତ ଭାଙ୍ଗି
ନାଚୁଛି ତରଙ୍ଗମାଳ ।

ଦେଖି ଦେବୀଗଣ ଜାତୀୟ ଜୀବନ
ଛାଡି଼ ନିଜ ଗର୍ବ ମାନ
ସିନ୍ଧୁରେ ମିଶିଲେ ଉଲ୍ଲାସେ ନାଚିଲେ
ଲଭି ନୂଆ ଜାତିପ୍ରାଣ ।

ନିଜର ଜୀବନ
ଜାତିକୁ ଅର୍ପଣ
କଲେ ମିଳେ ଜାତିପ୍ରାଣ
ଜାତୀୟ ଜୀବନ
ନମିଳିବ କଲେ
ହାଟେ ବାଟେ ଅନ୍ବେଷଣ ।

ପତିବ୍ରତା ସତୀ
ପତିର ମିଳନ
ଲଭିବା ଆଶାରେ ପୋଡେ଼
ଜାତିର ମିଳନ ଲଭିବା ଆଶାରେ
ତୋର ପ୍ରାଣ କିଆଁ ଡରେ ?

ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ
କୋଟି ପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡି଼ ସିନ୍ଧୁ ନୀରେ ।

ତରଙ୍ଗ ଉଠିବ ସିନ୍ଧୁ ଗରଜିବ
ଶୁଣିବୁ ସିଂହର ରବ
ବ୍ରିଟିଶ ରାଜ୍ଯରେ ଓଡ଼ିଆ ଜାତିର
ବଢ଼ିବ ମାନ ଗୌରବ ।

ଉପସ୍ଥାପନା: ଶିଶିର ସାହୁ ମନୋଜ  

Leave a Comment

Your email address will not be published. Required fields are marked *

Scroll to Top