ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ

ସୌରଭିତ ସୃଷ୍ଟି: ଗଙ୍ଗାଧର ମେହେର

(ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଭାରତୀୟ ସାହିତ୍ୟରେ ମଧ୍ୟ ସେ ଜଣେ ଯଶସ୍ଵୀ କବି ଭାବେ ପରିଚିତ। ତାଙ୍କର ଜୀବନୀ ସେ ଅତି ସଂକ୍ଷିପ୍ତ ଭାବରେ ରଚନା କରିଛନ୍ତି । ଉତ୍କଳ ଖଣ୍ଡର ସେହି ମହାନ କବି ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ ଉପସ୍ଥାପନା କରି ‘ଅନ୍ତରଙ୍ଗ କଳିଙ୍ଗ’ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ୧୯୨୪ ସାଲ ଅପ୍ରେଲ ୦୪ ଚୈତ୍ର ଅମାବାସ୍ୟା ଦିନ ଏହି ମହାକବିଙ୍କର ତିରୋଧାନ ଘଟିଥିଲା।)

*    *    *

ମୋର ଅତି ପ୍ରାଚୀନ ପୂର୍ବ ପୁରୁଷମାନେ ସମ୍ବଲପୁର ସହରରେ ବାସ କରୁଥିବାର କିମ୍ବଦନ୍ତୀ ଶୁଣିଥିଲି । ମୋର ପ୍ରପିତାମହ କେଶବ ମେହେର ବରପାଲିରେ ଥିଲେ । ତାଙ୍କର ପାଞ୍ଚ ପୁତ୍ର । ସେହି ଭାଇ ଭାଇ – ବିଶିଷ୍ଟ ପରିବାରକୁ ଲୋକେ ପାଞ୍ଚଭାୟା ଘର ବୋଲି ନାମ ଦେଇଥିଲେ । ତାଙ୍କ ଘର ନିକଟରେ ଗୋଟିଏ ଗୁଡୀ ବା ଭାଗବତ ମଣ୍ଡପ ଥାଇ  ଜନସାଧାରଣଙ୍କର ବୈଠକୀ ଓ ସାଧୁ ସନ୍ୟାସୀଙ୍କ ସାମୟିକ ଅବସ୍ଥାନ ରୂପେ ବ୍ୟବହୃତ ହେଉଥିଲା । ସେହି ହେତୁରୁ ଲୋକେ ତାଙ୍କୁ ଗୁଡିତଳିଆ ଘର ମଧ୍ୟ ବୋଲୁଥିଲେ । ମୋର ପିତାମହ ସେହି ପାଞ୍ଚଭାଇର ସର୍ବକନିଷ୍ଠ । ତାଙ୍କର ନାମ ଥିଲା ସଦାଶିବ । କିନ୍ତୁ ପିତାମାତା ଓ ଅଗ୍ରଜମାନଙ୍କର ସସ୍ନେହ ଡାକିବା ଅନୁସାରେ ସୁରୁବାବୁ ନାମରେ ଅଭିହିତ ହେଉଥିଲେ । ବସ୍ତ୍ର ବୟନ ତାଙ୍କର ମୁଖ୍ୟ କର୍ମ ଓ ବୈଦ୍ୟପଣ ଗୌଣକର୍ମ ଥିଲା । ଖଡ଼ି ଦେଖିବାରେ, ଜ୍ୟୋତିଷ ମତେ ଶୁଭାଶୁଭ ଦିନ ବାର ଗଣନାରେ, ଯାତ୍ରାର ଦିକ୍ – ଶୂଳାଦି ନିର୍ଣ୍ଣୟ କରିବାରେ ମଧ୍ୟ ସେ ଅଭ୍ୟସ୍ତ ଥିଲେ । ସଦାଶିବଙ୍କର ଦୁଇ ପୁତ୍ର । ମୋର ପିତା ଚୈତନ୍ୟ ଜ୍ୟେଷ୍ଠ ଥିଲେ ।


             
ପୁତ୍ରଦ୍ଵୟ ସାଧାରଣ ଭାବରେ ବସ୍ତ୍ରବୟନାଦି ଦ୍ଵାରା ପରିବାର ପୋଷଣରେ ସମର୍ଥ ହେଲାରୁ ସଦାଶିବଙ୍କ ବସ୍ତ୍ରବୟନ କାର୍ଯ୍ୟ ବନ୍ଦ ହୋଇ ବୈଦ୍ୟ ବ୍ୟବସାୟ ମୁଖ୍ୟ ହେଲା । ଧାନ ଓ ଟଙ୍କା ଋଣ ଦେବାର, ଗୋଧନ ବୃଦ୍ଧି କରିବାର, ବଳଦ ବିକା ହେବାର ଭୁଲିଆମାନଙ୍କ ବ୍ୟବସାୟର ଗୋଟିଏ ପ୍ରଧାନ ଅଙ୍ଗ । ମୋର ପ୍ରପିତାମହଙ୍କର ସେହି ବ୍ୟବସାୟ ଉତ୍ତମ ରୂପେ ଚଳୁଥିଲା ବୋଲି ମୁଁ ଶୁଣିଅଛି । କେତେକ ନିଦର୍ଶନ ମଧ୍ୟ ଦେଖିଅଛି। ମୋର ପିତାମହଙ୍କ ସମୟରୁ ତାହା କ୍ରମଶଃ ହ୍ରାସ ହୋଇ ଆସିଲା। ମୋର ପିତା ପୈତୃକ ବିଦ୍ୟା ଓ ବ୍ୟବସାୟରେ ଅଭ୍ୟସ୍ତ ହେଲେ । ସନ ୧୮୬୨ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୯ ତାରିଖ ଶ୍ରାବଣ ପୂର୍ଣ୍ଣିମା ଶନିବାରରେ ମୋର ଜନ୍ମ ହୁଏ । ମୋର ସ୍ମରଣ ହେଉଅଛି, ବାଲ୍ୟ କାଳରେ ପିତାମହଙ୍କ ସଙ୍ଗେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ପ୍ରତ୍ୟହ ଜଗନ୍ନାଥ ଦର୍ଶନ କରି ଆସୁଥିଲି ଓ ପିତୃବ୍ୟଙ୍କ ସଙ୍ଗେ ସନ୍ଧ୍ୟା ସମୟରେ ଜଗନ୍ନାଥ ମନ୍ଦିରରେ ସଂକୀର୍ତ୍ତନରେ ଯୋଗ ଦେଉଥିଲି । ପିତାମହୀ ଓ ମାତାଙ୍କ ଠାରୁ ଶୁଣିଅଛି ଯେ ଶୈଶବ କାଳରେ ମଧ୍ୟ ମୁଁ ବଡ଼ ଧୀର ସ୍ଵଭାବର ଥିଲି ଏବଂ ଗୋଟିଏ ଛୋଟ ମୃଦଙ୍ଗ ଧରି ସଂକୀର୍ତ୍ତନ ମଣ୍ଡଳୀ ସହ ନାଚିଥାଏଁ ।

ମୋର ଜନ୍ମର ପୂର୍ବରୁ ମୋର ପିତା ନିଜ ଗୃହରେ ଗୋଟିଏ ଚାଟଶାଳୀ କରି ଅନେକ ବାଳକଙ୍କୁ ପଢ଼ାଉଥିଲେ। ଚାଟଶାଳୀର ଶିକ୍ଷା ଭାଗବତ ପାଠ, କିଛି କିଛି ଛାନ୍ଦଗ୍ରନ୍ଥ ଓ ପଚିଶ ଖନ୍ଦା ପଣିଆରେ ଶେଷ ହେଉଥିଲା। ମୋର ବୟସ  ୭/୮ ବର୍ଷ ହେଲାରୁ ଶିକ୍ଷା ନିମନ୍ତେ ଚାଟଶାଳୀରେ ଉପଗତ ହେଲି । ସେତେବେଳକୁ ପିତା ନିଜର ଚାଟଶାଳୀ ଭାଙ୍ଗି ଦେଇଥିଲେ । ସୁତରାଂ ଗୃହ ନିକଟସ୍ଥ ଜଣେ ଜ୍ଞାତିଙ୍କର ଚାଟଶାଳୀରେ ସିଦ୍ଧିରସ୍ତୁ ଆରମ୍ଭ କଲି । ସେଠାରେ ରାସପଞ୍ଚାଧ୍ୟାୟର ୩/୪ ଅଧ୍ୟାୟ ପାଠ କଲାରୁ ସେହି ଚାଟଶାଳୀ ମଧ୍ୟ ଭାଙ୍ଗିଗଲା । ପରେ ମୋର ପିତା ନିଜେ ମୋତେ ନାମରତ୍ନଗୀତା ପଢାଇବାକୁ ଲାଗିଲେ। ତା ଦେଖି ପଡ଼ାର ୫/୭ ପିଲା ମୋ ସଙ୍ଗେ ପଢୁ଼ ପଢ଼ୁ ୨୫/୩୦ ପିଲା ପଢ଼ିଲେ । ପିତାଙ୍କର ଚାଟଶାଳୀଟିଏ ହେଲା । ମୁଁ କ୍ରମରେ ଭାଗବତମଥୁରା ମଗଂଳ ଆଦି ଛାନ୍ଦଗ୍ରନ୍ଥ ଉତ୍ତମ ରୂପେ ଗାଇପାରିଲି । ୨୫ ଖନ୍ଦା ପଣିକିଆ ମଧ୍ୟ ସାଧାରଣ ଭାବରେ କଣ୍ଠସ୍ଥ କଲି। ପ୍ରାୟ ୧୦ ବର୍ଷ ବୟସରେ ମୋର ବିବାହ ହେଲା । ତହିଁରେ ୬୦ ଟଙ୍କା ପର୍ଯ୍ୟନ୍ତ ମୋର ଋଣ ହୋଇଗଲା। ମୋର ପିତା ସର୍ବଦା ବସ୍ତ୍ରବୟନାଦି କାର୍ଯ୍ୟରେ ଅବହେଳା କରୁଥିଲେ ବୋଲି ତାଙ୍କର ପିତାମାତା ଓ ଭ୍ରାତାଙ୍କ ଦ୍ଵାରା ନିନ୍ଦିତ ହେଉଥିଲେ ‌। ଏଣେ ଋଣବୃଦ୍ଧିର ଉପକ୍ରମ ଦେଖି ତାଙ୍କର ପିତା ଓ ଭ୍ରାତା ତାଙ୍କୁ ଭିନ୍ନେ କରିଦେଲେ । ମୋର ପିତାଙ୍କ ଉପରେ ନିଜର ପରିବାର ନିଜେ ପୋଷିବାର ଭାର ପଡ଼ିଲା। ପିତାଙ୍କର ପରିବାର ବୋଇଲେ ମୋର ପିତା, ମୁଁ ଏବଂ ମୋର ଅଗ୍ରଜା, ଅନୁଜା ଦୁଇଗୋଟି ଭଉଣୀ । ମୋର ପିତାଙ୍କୁ ତାଙ୍କର ପିତା ଓ ଭ୍ରାତା କିଛି ଭାଗ ଦେଉନଥିଲେ । କିଛି ଦିନ ତାଙ୍କୁ ବଡ଼ କଷ୍ଟରେ ଚଳିବାକୁ ପଡ଼ିଲା ‌। ଏମନ୍ତ କି କେତେକ ଦିନ ପର୍ଯ୍ୟନ୍ତ ଅଭାବ ଥିବାରୁ ୧/୨ ଖଣ୍ଡ ଖୁରୀ (କଂସା) ଓ ଥାଳୀ ତାଙ୍କ ପିଉସୀ ଘରୁ ମାଗିଆଣି ନିର୍ବାହ ହେବାକୁ ପଡ଼ିଲା । ପିତା ବହୁତ ବ୍ୟସ୍ତ ହୋଇ, ବହୁତ କଳହ କରି, ବହୁତ ପଞ୍ଚାୟତ କରି ତୃତୀୟାଂଶ ତାଙ୍କ ପାଇବାର ସ୍ଥିର ହେଲା। ତଥାପି ସେ ତାହା ଠିକ୍ ରୂପେ ପାଇ ପାରିଲେ ନାହିଁ। କାନର ସୁନା ଫାସିଆ ଓ ହାତ ରୂପା ବଳା ଆଦି ଆମ୍ଭେ ଯାହା ଯାହା ପିନ୍ଧିଥିଲୁ, ତାହା ସବୁ ଆମ୍ଭ ଭାଗରେ ପଡ଼ିଲା। ଚଳନୋପଯୋଗୀ ବାସନବର୍ତ୍ତନ ମଧ୍ୟ ହେଲା । ଗାଈ ବାଛୁରୀ ୧୦ ପଟ, ବଳଦ ୭/୮ ପଟ, ଆମ୍ବ ୨୦ ଗଛ, ଋଣ ଟଙ୍କା ୨୦, କଳଦାର ଟଙ୍କା ଗୋଟିଏ, ୪/୫ ଯୋଡ଼ା ଲୁଗାର ଉପକରଣ ସୂତା, କରଜ ଦେଇଥିବା ଧାନ ପ୍ରାୟ ୨୦/୨୫ ପୁଡୁଗ ପର୍ଯ୍ୟନ୍ତ ପିତା ହିଁସା ପାଇଲେ ଏବଂ ନିଜେ ନିୟମିତ ରୂପେ ବସ୍ତ୍ର ବୟନ କରି ଆମ୍ଭମାନଙ୍କୁ ପୋଷିଲେ ।


ଏ ମଧ୍ୟରେ କିଛି ଦିନ ମୋର ପଢ଼ାପଢ଼ି ବନ୍ଦ ହେଲା । ମୋତେ ଖାଲି ବୁଲୁଥିବାର ଦେଖି କଟକିଆ ଅବଧାନଙ୍କ ଚାଟଶାଳୀରେ ଦେବାକୁ ପିତା କେତେ କେତେବେଳେ ମନସ୍ଥ କରୁଥିଲେ। ସେ ସମୟରେ ଅବଧାନଙ୍କ ପ୍ରହାର କଥା ଶୁଣି ମୋ ପ୍ରାଣ କମ୍ପି ଯାଉଥିଲା ଏବଂ ଚାଟଶାଳୀର ଛାତ୍ର ମାନଙ୍କର ଦୁଷ୍ଟତାକୁ ମଧ୍ୟ ଭୟ ହେଉଥିଲା । ସେ ସମୟରେ ସ୍କୁଲରେ ମଧ୍ୟ କମ୍ ପ୍ରହାର ନ ଥିଲା। ପରେ ଯେତେବେଳେ କଟକ ଜିଲ୍ଲା ଅନ୍ତର୍ଗତ ମୂଳବସନ୍ତ ଗ୍ରାମ ନିବାସୀ ପଣ୍ଡିତ ୰ଘନଶ୍ୟାମ ମିଶ୍ର ବରପାଲି ସ୍କୁଲକୁ ଶିକ୍ଷକ ହୋଇ ଆସିଲେ, ତାଙ୍କର ସାଧୁତା ଓ ଶିଷ୍ୟ ବାତ୍ସଲ୍ୟ କଥା ସ୍କୁଲରେ ଛାତ୍ରମାନଙ୍କ ମୁଖରୁ ଶୁଣି ସ୍କୁଲରେ ପଢିବାକୁ ମୋର ଇଚ୍ଛା ହେଉଥିଲା; କିନ୍ତୁ କାହାରିକୁ କିଛି କହିପାରୁ ନଥାଏ। ମୋତେ ସ୍କୁଲରେ ଦେବା ପିତାଙ୍କର ଆଦୌ ଇଚ୍ଛା ନଥିଲା। କାହିଁକିନା ପୂର୍ବତନ ଶିକ୍ଷକଙ୍କ ସମୟରେ ଅନୁପସ୍ଥିତ ବାଳକ ମାନଙ୍କର ପିତାମାନେ ବରଗଡ଼କୁ ଧରାଯାଇ କଠିନ ପରିଶ୍ରମ ଦଣ୍ଡ ପାଇଥିଲେ, ଯେତେବେଳେ କି ମୁଁ ସାନ ଥିବାରୁ ସ୍କୁଲକୁ ନିଆଯାଇ ନଥିଲି । ସ୍କୁଲରେ ଯାହାର ନାମ ଲେଖା ଯାଉଥାଏ, ତାର ଘରେ କାନ୍ଦବୋବାଳି ପଡୁଥିଲା ।

ସମ୍ଭବତଃ ୧୮୭୫ ମସିହାରେ ବରଗଡ଼ ତହସିଲଦାର ବରପାଲି ଆସିଥିଲେ । ସେହି ସମୟରେ ଆମ୍ଭ ପଡ଼ାର କେହି ହୁଏତ ମୋର ପିତାଙ୍କର ଉପରେ ନିଜର ହିଂସା ପଳାଇବାକୁ ମୋର ନାମ ତହସିଲଦାରଙ୍କ ଠାରେ ଲେଖାଇଦେଲେ । ତହସିଲଦାର ସାହେବ ମୋର ପିତାଙ୍କୁ ଡକାଇ ନେଇ ମୋତେ ସ୍କୁଲକୁ ପଠାଇବା ନିମନ୍ତେ ବାଧ୍ୟ କରି ତାଙ୍କ ଠାରୁ (ପିତାଙ୍କ)ଏକ୍ରାରନାମା ଲେଖାଇନେଲେ । ପିତା ଗୃହକୁ ଆସି ସେ କଥାକୁ ଅନ୍ୟାନ୍ୟ ଲୋକଙ୍କ ପରି ବିପଦ ଜ୍ଞାନ ନ କଲେହେଁ ମୋର ବସ୍ତ୍ରବୟନ ଶିକ୍ଷାରେ ବାଧା ହେବ ବୋଲି ଭାବିତ ହେଲେ। ମୁଁ ସ୍କୁଲକୁ ଯିବା ସମ୍ବାଦରେ ମନେ ମନେ ଉଲ୍ଲସିତ ହୋଇଥିଲି । ମୋ କଥାରୁ ହର୍ଷର ଆଭାସ ପାଇ ପଡ଼ାର ଜଣେ ଲୋକ କହିପକାଇଲେ –
“ବଡ଼ ବଡ଼ମାନେ ଗଲେଣି ହଟି
ସାନ ଯାଉଛି ବେସର ବାଟି ।”
    
ସେ କଥାରେ ମୁଁ ସଙ୍କୁଚିତ ହୋଇପଡି଼ଲି । ଅନ୍ୟ ଦିନ ସ୍କୁଲ ଚପରାଶୀ ଆସି ମୋତେ ଡାକିନେଲେ । ପ୍ରଥମେ ବ୍ରାଞ୍ଚ ସ୍କୁଲକୁ କିଛି ଦିନ ନିୟମିତ ରୂପେ ଗଲି । ପରେ ମଧ୍ୟାହ୍ନ ସମୟରେ ପଡା଼ରେ ବଳରାମ ଦାସଙ୍କ ରାମାୟଣ ପାଠ ହେଉଥିବାରୁ ତାହା ଶୁଣିବାର ଶ୍ରଦ୍ଧାରେ ଓ ଅବହେଳାରେ କିଛି ଦିନ ଅନୁପସ୍ଥିତ ମଧ୍ୟ ହେଲି । କିନ୍ତୁ ପିତାଙ୍କର ପ୍ରେରଣାରେ ପୁନର୍ବାର ଉପସ୍ଥିତ ହେଲି । ବ୍ରାଞ୍ଚ ସ୍କୁଲ ଶିକ୍ଷକ ଆମ୍ଭମାନଙ୍କୁ ପାଠ ଘୋଷିବାକୁ କହି କେତେକ ଦିନ ‘ସୀତା ବନବାସ’ (ଈଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କ ବଙ୍ଗଳା ପୁସ୍ତକ, ଯାହା ବିଛନ୍ଦ ପଟ୍ଟନାୟକଙ୍କ ଦ୍ଵାରା ଓଡିଆରେ ଅନୁବାଦିତ ହୋଇଥିଲା) ପାଠ କରିଥିଲେ । ମୁଁ ତାହା ଶୁଣି ତହିଁର ଅନେକ କଥା ବୁଝି ପାରିଥିଲି ।ବ୍ରାଞ୍ଚ ସ୍କୁଲରେ ଘନଶ୍ୟାମ ମିଶ୍ରଙ୍କ ପ୍ରଣୀତ ବର୍ଣ୍ଣ ପରିଚୟ ପାଠ କରିବାକୁ ହୋଇଥିଲା ଏବଂ ଗଣିତ, ପଚିଶଖନ୍ଦା ପଣିକିଆ ପୁନରଭ୍ୟାସ ଓ ଯୋଗ ବିଯୋଗ ଗୁଣନ ହରଣ ନୂତନ ଶିଖିବାକୁ ହେଲା। ୬ ମାସ ପରେ ଦ୍ଵିତୀୟ ଶ୍ରେଣୀକୁ ଗଲି । ବ୍ରାଞ୍ଚ ସ୍କୁଲ ଗ୍ରାମ ମଧ୍ୟସ୍ଥ ସମଲାଇ ଗୁଡ଼ିରେ ହେଉଥିଲା । ୨ୟ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗ୍ରାମ ଉପକଣ୍ଠସ୍ଥ ଗୋଟିଏ ପ୍ରକାଣ୍ଡ ଖପର ଘରେ ପଢୁଥିଲେ । ଯେତେବେଳେ ପ୍ରଥମ ଶ୍ରେଣୀର ପରୀକ୍ଷା ଦେବା ନିମନ୍ତେ ବଡ଼ ସ୍କୁଲକୁ ଗଲି, ସେଠାକାର କାନ୍ଥରେ ମାନଚିତ୍ରମାନ ଟଙ୍ଗା ହୋଇଥିଲା । ତାହା କି ଚିତ୍ର – ହାତୀ ନା ଘୋଡ଼ା କିଛି ବୁଝି ପାରିଲି ନାହିଁ। ୨ୟ ଶ୍ରେଣୀରେ ପଢ଼ିବା ସମୟରେ ମୋର ପିତା ହେଡମାଷ୍ଟରଙ୍କ ଅନୁମତି ନେଇ ବେଳେ ବୟନ କାର୍ଯ୍ୟରେ ଲଗାଇଲେ ଏବଂ ବେଳେ ପଢ଼ିବା ନିମନ୍ତେ ସ୍କୁଲକୁ ଛାଡ଼ି ଦିଅନ୍ତି ।

   
ଏହିପରି ଯାଇ ଦ୍ଵିତୀୟ ଶ୍ରେଣୀରେ ବୋଧୋଦୟ ଓ ଗଣିତ ମିଶ୍ର ଯୋଗ ବିଯୋଗ ପଢ଼ି ୬ ମାସରେ ୩ୟ ଶ୍ରେଣୀକୁ ଗଲି। ତହିଁରେ ସାହିତ୍ୟ ଚାରୁପାଠ ୧ମ ଭାଗ, ଇତିହାସ ୨ୟ ଭାଗର ଅର୍ଦ୍ଧାଂଶ , ଭୂଗୋଳ ସୂତ୍ରରୁ ମଧ୍ୟ ପ୍ରଦେଶ ଓ ମଧ୍ୟପ୍ରଦେଶର ନକ୍ସା, ଉତ୍କଳ ବ୍ୟାକରଣ ସଂକ୍ଷେପ ସନ୍ଧି ପର୍ଯ୍ୟନ୍ତ, ଗଣିତ ମିଶ୍ର, ଗୁଣନ, ହରଣ, ସାଧାରଣ ତ୍ରୈରାଶିକ, ଲଘିଷ୍ଠ, ଗରିଷ୍ଠ ପଢ଼ିଲି । ପୁଣି ୬ ମାସ ପରେ ୪ର୍ଥ ଶ୍ରେଣୀ । ସେଠାରେ ସାହିତ୍ୟ ଚାରୁପାଠ ୨ୟ ଭାଗ, କାଦମ୍ବରୀର ଅଧା, ଇତିହାସ ୨ୟ ଭାଗର ଶେଷାଂଶ, ଉତ୍କଳ ବ୍ୟାକରଣ ସଂକ୍ଷେପ, ପୂର୍ଣ୍ଣ ରୂପେ ସର୍ବପ୍ରକାର ତ୍ରୈରାଶିକ, ଭଗ୍ନାଂଶାଦି ଓ ଭାରତବର୍ଷର ନକ୍ସା ସହିତ ଭୂଗୋଳ । ୬ମାସ ପରେ ୫ମ ଶ୍ରେଣୀ। ପଞ୍ଚମ ଶ୍ରେଣୀରେ ସାହିତ୍ୟ ଚାରୁପାଠ ୩ୟ ଭାଗ, କାଦମ୍ବରୀର ଶେଷ, ଇତିହାସ ୩ୟ ଭାଗ, ବ୍ୟାକରଣ ଉପକ୍ରମଣିକା, ଗଣିତ କୁସୀଦ ବ୍ୟବହାର, ଚକ୍ରବୃଦ୍ଧି ଡିସକାଉଣ୍ଟ କମ୍ପାନୀର କାଗଜ ବିକ୍ରି, କ୍ଷେତ୍ର ପରିମାଣ, ବର୍ଗମୂଳ, ଘନମୂଳ ପର୍ଯ୍ୟନ୍ତ ପଢ଼ା ହୁଏ । ମୁଁ ୬ମାସ ପଢ଼ିଥିଲି । ମୋର ଆଗରୁ ପୂର୍ବ ବର୍ଷରୁ ପଢ଼ିଥିବା ୨ଜଣ ଛାତ୍ର ନର୍ମାଲ ପରୀକ୍ଷା ଦେବା ନିମନ୍ତେ ସମ୍ବଲପୁର ପ୍ରେରିତ ହେଲେ । ହେଡମାଷ୍ଟର ମୋତେ ପଠାଇବାର ପ୍ରସ୍ତାବ କରିବାରେ ମୋର ପିତାମାତା ଛାଡ଼ି ଦେବାକୁ ଅସମ୍ମତ ହେଲେ। କାରଣ ତାହା ଆଷାଢ଼ ମାସରେ ହୋଇଥିଲା। ପୂର୍ଣ୍ଣଗର୍ଭା ମହାନଦୀ ପାର ହୋଇ ମୁଁ ଯିବି, ଏହା ମୋର ପିତାମାତାଙ୍କର ସାହସ ହେଲା ନାହିଁ । ମୋର ଉତ୍ସାହରେ ବାଧା ହେବାରୁ ମୁଁ ବ୍ୟଥିତ ହେଲି । ସେ ସମୟରେ ଜଣେ ଭଦ୍ରଲୋକ ମୋର ପରୀକ୍ଷା ଦେଇ ନ ଯିବାର କାରଣ ପଚାରିବାରୁ ମୁଁ କିଛି ଉତ୍ତର ଦେଇ ନ ପାରି ଅନେକ ଲୋକଙ୍କ ସମକ୍ଷରେ କାନ୍ଦି ପକାଇଲି । ପୁଣି ମୋର ପଢ଼ା ଚଳିଲା । ସେ ସମୟରେ ୫ମ ଶ୍ରେଣୀରେ ବର୍ଷେ, ଦୁଇବର୍ଷ, ତିନି ବର୍ଷ ପଢ଼ିବାରେ କର୍ତ୍ତୃପକ୍ଷଙ୍କର କିଛି ଆପତ୍ତି ନଥିଲା। ମୋ ପଢ଼ା ଏକ ବର୍ଷ ପୂର୍ଣ୍ଣ ହେଲାରୁ ଶିକ୍ଷକ ମହାଶୟ ନିଜ ଇଚ୍ଛାରେ ୬ଷ୍ଠ ଶ୍ରେଣୀରେ ଉଦଘାଟନ କଲେ। ୬ଷ୍ଠରେ ସାହିତ୍ୟ ରଘୁବଂଶ, କ୍ଷେତ୍ରତତ୍ତ୍ଵ, ବୀଜଗଣିତ ପଢାଇଲେ । କିଛି ଅଳ୍ପ ଦିନ ପରେ ଅବକାଶ ନେଇ ଗୃହକୁ ଚାଲିଯିବାରୁ ସ୍କୁଲଟି କର୍ତ୍ତୃପକ୍ଷଙ୍କ ନିୟମାନୁସାରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଲା। ମୋର ପଢ଼ା ମଧ୍ୟ ଶେଷ ହେଲା ।
         
୨ୟ ଶ୍ରେଣୀରୁ ଆରମ୍ଭ କରି ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାଯାଏ  ମୁଁ ଏକ ବେଳ ଗୃହରେ ଥାଇ ବୟନ କାର୍ଯ୍ୟରେ ପିତାଙ୍କୁ ସାହାଯ୍ୟ ଦେଲି, ନିଜେ ମଧ୍ୟ ଶିଖିଲି । ଗୃହରେ କାର୍ଯ୍ୟ କରୁଥିବା ସମୟରେ ଗ୍ରନ୍ଥସବୁ ଠିକ୍ କରି ନେଇ ଥାଏ । ଯାହା ହୋଇ ନ ପାରେ, ସନ୍ଧ୍ୟା ସମୟରେ ଶିକ୍ଷକଙ୍କ ବସାକୁ ଯାଇ ଅନ୍ୟାନ୍ୟ ଛାତ୍ରଙ୍କୁ ଓ ଶିକ୍ଷକଙ୍କୁ ପଚାରି ନିଏ । ସନ୍ଧ୍ୟା ସମୟରେ ଶିକ୍ଷକଙ୍କ ବସାରେ ଅନେକ ପ୍ରଧାନ ପ୍ରଧାନ ଛାତ୍ର ଉପସ୍ଥିତ ହୋଇ ପାଠ ଘୋଷୁଥିଲେ । କେହି କେହି ଗରିବ ଛାତ୍ର ଶିକ୍ଷକଙ୍କ ଗୃହରେ ଆହାର କରି ରାତ୍ରରେ ସେଠାରେ ଶୋଉଥିଲେ । ଶିକ୍ଷକ ଅପତ୍ୟ ନିର୍ବିଶେଷରେ ଛାତ୍ରମାନଙ୍କୁ ସ୍ନେହ କରୁଥିଲେ। ମୋର ପିତାଙ୍କର ଅବସ୍ଥା ବଡ଼ ଶୋଚନୀୟ ଥିଲା ।

       

ମୁଁ ସ୍କୁଲରେ ଶିକ୍ଷା ଶେଷ କରିବା ପର୍ଯ୍ୟନ୍ତ ସାମାନ୍ୟ କୁରୁତା ଖଣ୍ଡେ କରିପାରି ନ ଥିଲି । ଖଣ୍ଡେ ଶାନ୍ତିପୁରୀ ଚଦର ଅତି ମ୍ଲାନ ହେବା ପର୍ଯ୍ୟନ୍ତ ବ୍ୟବହାର କରିବାକୁ ପଡ଼ିଥିଲା। ହାକିମ ଆସିଲା ଦିନ ସମସ୍ତେ କୁରୁତା ଲଗାଉଥିଲେ । ମୋ ଭାଗ୍ୟରେ ତାହା କେବେ ଘଟି ନଥିଲା । ଭଲ ଧୋତି ନଥିବାରୁ ପିତାମାତାଙ୍କ ଠାରେ ଅଳି କଲାବେଳେ ମୋର ପିତୃବ୍ୟ ତାଙ୍କର ଖଣ୍ଡେ କୋଷା ଧୋତି ବାହାର କରି ଦେଇଥିଲେ । ଥରେ ଇନ୍ସପେକ୍ଟର ଜେନେରାଲ ଆସିବାରୁ ଅନେକ ଛାତ୍ର ନୂତନ କୋଟ୍ ଚପକନ ପ୍ରସ୍ତୁତ କରାଇଲେ। ତହିଁ ସଙ୍ଗେ ମୋର ପିତାଙ୍କ ଠାରୁ ଟ୧. ବା ଟ୧/ଆଠଣା ନେଇ ଶିକ୍ଷକ ମହାଶୟ ଲଂକ୍ଲଥ କିଣି ଦରଜୀକୁ ଦେଲେ । ଦରଜୀ ତାହା ପୂର୍ଣ୍ଣ ରୂପେ ସିଲାଇ କରି ନଥିଲା। ସାହେବ ଆସିଗଲେ। କଚ୍ଚା ସିଲାଇ ଅବସ୍ଥାରେ ସେହି ଚପକନ ଲଗାଇ ସାହେବଙ୍କ ଠାରେ ପରୀକ୍ଷା ଦେଲି । ସେ ଚପକନଟି ଆଉ ପୂର୍ଣ୍ଣ ସିଲାଇ ହୋଇ ପାରିଲା ନାହିଁ । ପରେ ମୁଁ ନିଜେ ହାତରେ ସିଇଁ ନେଇଥିଲି । ପଞ୍ଚମ ଶ୍ରେଣୀରେ ଶିକ୍ଷା ସଙ୍ଗେ ଶିକ୍ଷକ ମହାଶୟ ମୋତେ ଓ ମୋ ଉପରର ଦୁଇ ଜଣ ପୁରାତନ ଛାତ୍ରଙ୍କୁ ସୂତ୍ରସାର ନାମକ ସଂସ୍କୃତ ବ୍ୟାକରଣ ପ୍ରାଇଭେଟରେ ପଢ଼ାଉଥିଲେ । ତାହା ସୁଦ୍ଧା ଗୃହରେ କାର୍ଯ୍ୟ କରି କରି ପଢ଼ିଥିଲି । ଆମ୍ଭମାନଙ୍କ ଛଡ଼ା କେତେକ ବାହାରିଆ ବ୍ରାହ୍ମଣ ପିଲାମାନଙ୍କୁ ମଧ୍ୟ ଶିକ୍ଷକ ମହାଶୟ ସିଦ୍ଧାନ୍ତ ଚନ୍ଦ୍ରିକା ବ୍ୟାକରଣ ପଢ଼ାଉଥିଲେ । ତହିଁରୁ କେତେ ଗୁଡ଼ିଏ ଆମ୍ଭେମାନେ ଅଭ୍ୟାସ କରି ନେଉଥିଲୁ । ସେତେବେଳେ ଶିକ୍ଷକଙ୍କ ବସା ଋଷିର ଆଶ୍ରମ ତୁଲ୍ୟ ବୋଧ ହେଉଥିଲା ।

ମୁଁ ପାଞ୍ଚଗୋଟି ଶ୍ରେଣୀରେ ଯେତେ ପୁସ୍ତକ ପଢିଲି, ତହିଁରେ ପ୍ରାୟ ଟ୨ ପର୍ଯ୍ୟନ୍ତ ପୁସ୍ତକ କିଣିବାରେ ମୋର ଖର୍ଚ୍ଚ ହୋଇଥିବ । ଅବଶିଷ୍ଟ ପୁସ୍ତକ ଛାତ୍ରମାନଙ୍କ ଠାରୁ ମାଗିଆଣି ପଢେ଼, ପଢ଼ି ସାରିଲେ ସେମାନଙ୍କୁ ଫେରାଇ ଦିଏ । ସ୍କୁଲ ବେତନ ସେ ସମୟରେ କେହି ଦେଉ ନ ଥିଲେ ।


ମୋର ସ୍କୁଲ ପଢ଼ା ଶେଷ ହେଲା । ସମସ୍ତ ଦିନ ଗୃହରେ କାର୍ଯ୍ୟ କଲି ଏବଂ ଟିକିଏ ସମୟ ପାଇଲେ କିଛି ନା କିଛି ପଢୁଥାଏଁ । ଯାହାଠାରୁ ଯାହା ପୁସ୍ତକ ପାଏ, ମାଗି ପଢେ । କେବେ କେବେ ତମସୁକ ଲେଖି କିଛି କିଛି ପାଏ, ତାହା ପୁସ୍ତକ କିଣିବାରେ ବ୍ୟୟିତ ହୁଏ। କ୍ରମେ ମୁଁ ଭଲ ରୂପେ ବୟନ କାର୍ଯ୍ୟ ଶିଖିଲି ।
        
୧୮୭୮ ଖ୍ରୀଷ୍ଟାବ୍ଦରେ ମୋର ଦୁର୍ବାକ୍ଷତ ହୁଏ । ପିତା କ୍ରମେ କ୍ରମେ ମୋ ଉପରେ ପରିବାର ପୋଷଣର ଭାରାର୍ପଣ କରିବାକୁ ଲାଗିଲେ ଏବଂ ବୟନ କାର୍ଯ୍ୟରୁ ଅବ୍ୟାହତି ପାଇ ସାହୁକାରୀ କରିବାରେ ଅଧିକ ସମୟ ଲାଗିଲେ । ତାଙ୍କର ବୈଦ୍ୟ କାର୍ଯ୍ୟ ମଧ୍ୟ ଚାଲିଥାଏ । ତେବେ ତହିଁରେ ତାଙ୍କର ଅଧିକ ପ୍ରସିଦ୍ଧି ନଥିଲା। ମୋର ହାତରେ ନିର୍ମିତ ବସ୍ତ୍ରରେ ଗ୍ରାହକ ମାନଙ୍କର ଆଗ୍ରହ ବଢ଼ିଲା ଏବଂ ମୋ ହାତରେ ତମସୁକ ଆଦି ଲେଖାଇବାକୁ ମଧ୍ୟ ଲୋକଙ୍କର ଆଗ୍ରହ ବୃଦ୍ଧି ହେଲା । କିନ୍ତୁ ମୁଁ ଏକାକୀ ଲୁଗା ବୁଣିବାକୁ ଟିକେ ବିରକ୍ତ ହୁଏ ।ଦୈବାତ ମୋର ଗୃହଦାହ ହେଲା । ଲୁଗା ବୁଣିବାର ଯନ୍ତ୍ର ପ୍ରାୟ ସମସ୍ତ ଦଗ୍ଧ ହୋଇଗଲା । ପୁଣି ମୋତେ କେତେକ ନିତାନ୍ତ ଆବଶ୍ୟକୀୟ ଯନ୍ତ୍ର ବାଧ୍ୟ ହୋଇ ଯୋଗାଡ଼ କରିବାକୁ ପଡିଲା ।
       
ଘନଶ୍ୟାମ ମିଶ୍ରଙ୍କ ଉତ୍ତାରୁ ବନମାଳୀ ଆଚାର୍ଯ୍ୟ ବରପାଲି ସ୍କୁଲର ଶିକ୍ଷକ ହେଲେ । କେତେକ ବର୍ଷ ପରେ ସେ ମଧ୍ୟ ଛୁଟି ନେଇ ଘରକୁ ବାହାରିଲେ । ତଦୁତ୍ତାରେ ତାଙ୍କ କାର୍ଯ୍ୟରେ ଶ୍ରୀ ଲକ୍ଷ୍ମଣ ମିଶ୍ର ରହିଲେ । ଘନଶ୍ୟାମ ମିଶ୍ରଙ୍କ ସମୟରେ ଯେଉଁ ନର୍ମାଲ ସ୍କୁଲର ପରୀକ୍ଷା ହୋଇଥିବାର ପୂର୍ବେ ଉଲ୍ଲେଖ ହୋଇଅଛି, ସେହି ଦିନରୁ ନର୍ମାଲ ସ୍କୁଲ ସମ୍ବଲପୁରରୁ ଉଠିଗଲା ଏବଂ ଟାଉନ ସ୍କୁଲ ଓ ଭିଲେଜ ସ୍କୁଲ ପରୀକ୍ଷା ଆରମ୍ଭ ହେଲା। ଲକ୍ଷ୍ମଣ ମିଶ୍ର ମୋତେ ଉତ୍ସାହିତ କରି ଭିଲେଜ ସ୍କୁଲରେ ପରୀକ୍ଷା ଦେବାକୁ ପ୍ରବର୍ତ୍ତାଇବାରୁ ପୁଣି ସ୍କୁଲରେ ନାମ ଲେଖାଇ ଆବଶ୍ୟକୀୟ ବିଷୟମାନ ଶିକ୍ଷା କଲି ଓ ୧୮୮୨ ଖ୍ରୀଷ୍ଟାବ୍ଦରେ ସମ୍ବଲପୁର ଯାଇ ପରୀକ୍ଷା ଦେଲି। ମରହଟ୍ଟା ଡେପୁଟି ଇନ୍ସପେକ୍ଟର ପ୍ରଶ୍ନ ଡାକିଥିଲେ, ଯହିଁରେ ଆର୍ଯ୍ୟ ଶବ୍ଦ ‘ ଆରିଓ ‘ ଉଚ୍ଚାରିତ ହୋଇଥିଲା। ଗଣିତ ପ୍ରଶ୍ନ ସମ୍ବଲପୁର ଜେଲର ପଥର ଛାପା ଅଙ୍କମାନ ସ୍ପଷ୍ଟ ଚିହ୍ନା ପଡ଼ୁ ନଥିଲା। ମୋଟ ମାର୍କ ୪୦୦ରୁ ୨୫୦ ପାଶ୍ ହୋଇଥିଲେ ମଧ୍ୟ ଗଣିତରେ ଉପଯୁକ୍ତ ନମ୍ବର ପାଶ୍ ହୋଇପାରି ନଥିବାରୁ ଭିଲେଜ ସ୍କୁଲରେ ପାଶ୍ ନ ହୋଇ ଦେଶୀୟ ପାଠଶାଳାର ସାର୍ଟିଫିକେଟ ମିଳିଲା ।

 
ମୋର କାର୍ଯ୍ୟ ପୂର୍ବବତ୍ ଚଳୁଥିଲା ଓ ଚଳିଲା । ମୁଁ ମୋର ପିତାଙ୍କର ଏକମାତ୍ର ପୁତ୍ର ଥିବାରୁ ସେମାନେ ଚାକିରୀ ନିମନ୍ତେ ମୋତେ ଗ୍ରାମାନ୍ତର ଛାଡ଼ି ଦେବାକୁ ରାଜି ନଥିଲେ । ୧୮୮୫ ଖ୍ରୀଷ୍ଟାବ୍ଦରେ ବରପାଲି ଜମିଦାରଙ୍କ ଜମିଦାରୀର ଅମୀନ କାର୍ଯ୍ୟରେ ସର୍ବପ୍ରଥମେ ନିଯୁକ୍ତ ହେଲି । କିଛି ଦିନ କାର୍ଯ୍ୟ କଲାରୁ କାର୍ଯ୍ୟ ବନ୍ଦ ହେଲା। କେତେକ ଦିନ ପରେ ବରପାଲି ଜମିଦାର ଓ ମୋକ୍ତାରଙ୍କ ବିରୁଦ୍ଧରେ କନବାଡ଼ ଗ୍ରାମ ଅନଧିକାର ପ୍ରବେଶ କରିଥିବା ମୋକଦ୍ଦମା ପଡ଼ିଲା। ମୋକ୍ତାର କପିଳ ଚରଣ ପଟ୍ଟନାୟକ ମୋତେ ଗୋଟିଏ ସଫାଇ ସାକ୍ଷୀ ଦେଲେ । ମୋର ଇଝାର କରାଇବାକୁ ତାଙ୍କୁ ମନାକଲି , ସେ ମାନିଲେ ନାହିଁ । ମୋର ଇଝାରରେ ତାଙ୍କର ପରିତ୍ରାଣ ପରିବର୍ତ୍ତନରେ ଦୋଷ ଦୃଢତର ପ୍ରମାଣିତ ହୋଇଗଲା । ତହିଁ ନିମନ୍ତେ ଜମିଦାରଙ୍କୁ ଟ୩୦୦, ମୋକ୍ତାରଙ୍କୁ ଟ୫୧ ଓ ଅନ୍ୟ ୮ ଜଣଙ୍କୁ ଟ୮୦ ଜୋରିମାନା ହେଲା । ଜମିଦାର ମୋ ଉପରକୁ ଅତ୍ୟନ୍ତ ରାଗାନ୍ଵିତ ହେଲେ । ଅପିଲରେ ଜମିଦାର ନିର୍ଦ୍ଦୋଷ ପ୍ରମାଣିତ ହେଲେ କିନ୍ତୁ ମୋକ୍ତାରଙ୍କ ଦଣ୍ଡ ପ୍ରବଳ ରହିଲା । ତଥାପି ମୋକ୍ତାର ମୋ ପ୍ରତି ଅସନ୍ତୁଷ୍ଟ ନଥିଲେ । ପୁଣି ଜମିଦାର ବନ୍ଦୋବସ୍ତ କାର୍ଯ୍ୟ ଚଳିବାରୁ ମୋକ୍ତାର ମହାଶୟ ମୋତେ ଅମୀନ କାର୍ଯ୍ୟ କରିବାକୁ ବାଧ୍ୟ କଲେ । ବନ୍ଦୋବସ୍ତ ଶେଷରେ ଜମିଦାର ସାହେବ ମୋତେ ମାଲମୋହରୀର କାର୍ଯ୍ୟ ଦେଲେ । କ୍ରମରେ ତାଙ୍କର ଖମାର, ବଜାର ପ୍ରଭୃତି ଅନେକ ବିଷୟରେ ହିସାବ ଭାର ଦେଲେ ଓ ମୋ ଉପରେ ବିଶ୍ୱାସ ରଖିଲେ । ୧୮୯୯ ଖ୍ରୀଷ୍ଟାବ୍ଦରେ ବରପାଲି ଜୁଡିସିଆଲ୍ ମୋହରୀର ଜମିଦାର ସାହେବ ମୋ ନାମରେ ସୁପାରିଶ କରି ସେହି କାର୍ଯ୍ୟ ଖଣ୍ଡିତ କରାଇଦେଲେ । ସେଇ ଦିନରୁ ବରପାଲିରେ ପ୍ରାୟ ତିନି ବର୍ଷ କାର୍ଯ୍ୟ କରି କିଛି ଦିନ ସମ୍ବଲପୁରରେ ରହିଲି । ପରେ ବିଜେପୁର ପରିବର୍ତ୍ତିତ ହୋଇ ସେଠାରେ ତିନି ବର୍ଷ ରହିଲି , ପୁଣି ସମ୍ବଲପୁର ପରିବର୍ତ୍ତିତ ହେଲି। କେତେକ ମାସ ପରେ କ୍ରମେ କ୍ରମେ ଦୁଇ ବର୍ଷ ପର୍ଯ୍ୟନ୍ତ ବିନା ବେତନରେ ଛୁଟି ନେଇ ବରପାଲିରେ ରହିଲି । ୧୯୦୭ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ବିଜେପୁର ଆସିଲି । ୧୯୧୪ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବରରୁ ପଦ୍ମପୁର ଆସିଅଛି।
   
ବରପାଲିରେ ପ୍ରଥମ ବେତନ ଟ୭ କ୍ରମରେ ୮/୧୦/୧୫ ଟଙ୍କା ପର୍ଯ୍ୟନ୍ତ ହୋଇଥିଲା। ଜୁଡିସିଆଲ ମୋହରିର କାର୍ଯ୍ୟରେ ପ୍ରଥମ ବେତନ ଟ୧୫, ତହିଁରୁ ଟ୨୦ ଓ ଟ୩୦ ହୋଇ ବର୍ତ୍ତମାନ ଟ୩୫ ହୋଇଅଛି।
    
ସ୍କୁଲ ଛାଡ଼ିଲାରୁ ଲାବଣ୍ୟବତୀ, ସୁଭଦ୍ରା ପରିଣୟ, ରସିକ ହାରାବଳୀ ଓ ବୈଦେହୀଶ ବିଳାସର କେତେକାଂଶ ସାଧାରଣ ଭାବରେ ଦେଖିଥିଲି । ସେହିପରି ରସକଲ୍ଲୋଳ ମଧ୍ୟ ଦେଖିଲି । ପ୍ରଥମେ ଛୋଟ ଛୋଟ କେତେକ କବିତା ପୂର୍ବ ଧରଣରେ ଲେଖିଥିଲି । ତନ୍ମଧ୍ୟରେ ରସରତ୍ନାକର ବଡ଼ ।
(ସମାପ୍ତ)
        
ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ ଅତି କ୍ଷୁଦ୍ର । ଏହି ଜୀବନୀ ଡଃ ନଗେନ୍ଦ୍ର ନାଥ ପ୍ରଧାନଙ୍କ ଦ୍ଵାରା ସଙ୍କଳିତ ।

ଉପସ୍ଥାପନା: ନିରଞ୍ଜନ ସାହୁ

1 thought on “ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ”

Leave a Comment

Your email address will not be published. Required fields are marked *

Scroll to Top