ଖୁଲଣା ସୁନ୍ଦରୀ

ଲେଖା: ଦେଵ ତ୍ରିପାଠୀ

ଇଏ ହଜିଲା ଦିନର କଥା ।

ବର୍ଷାଦିନେ ବଦଳି ଯାଉଥିଲା ଗାଁ ଭୂଇଁର ଭୂଗୋଳ । ପଚା କାଦୁଅର ଗାଁ ଦାଣ୍ଡ, ଚାରିଆଡ଼େ ପାଣିର ପ୍ରାଚୁର୍ଯ୍ୟ, ଫସଲର ଶ୍ୟାମଳ ସଙ୍ଗୀତ, ପିଢ଼ାରେ କଖାରୁଲଟା, ବାଡ଼ିରେ ଜହ୍ନିଫୁଲ, ଗୋବରଖାତ ପାଖରେ ରଙ୍ଗଣି ଓ ହରଗଉରା, ବର୍ଷାପୁଷ୍ଟ ଅଗଣିତ ଲତାକୁଞ୍ଜରେ ଫୁଲର ସମ୍ଭାର । ମାଟି ସାଙ୍ଗରେ ମିଶି ଶ୍ୟାମଳ ସଙ୍ଗୀତ ଓ ସୁରଭି ଖେଳାଉଥିବା କୃଷି-କ୍ଳାନ୍ତ ମଣିଷର ଭୋଦୁଅ ମାସ ବେଳକୁ ଶ୍ରମ ଟିକିଏ ପତଳା ହୋଇଆସେ ! ଆଶ୍ୱିନକୁ ପାର୍ବଣ ମୁଖ୍ର ଋତୁର ହାଲକା ବାସନା ଉତୁରିପଡ଼େ ଗାଁ ମାଟିରେ, ଓଡ଼ିଆ ପରିବାରରେ ! ପର୍ବପାଳନର ହିଲ୍ଲୋଳ ଖେଳିଯାଏ କିଶୋର କିଶୋରୀଙ୍କ ମନରେ । ଯୋର, ଟୁବ, ଗାଡ଼ିଆରୁ ଉଭେଇଯାଏ କଇଁଫୁଲ, ସାହିପଡ଼ିଶାଙ୍କ ବଗିଚା ଅଗଣାରୁ ଉଭେଇଯାଏ ଟଗର, ଗୋଡ଼ିବାଣ, କନିଅର ! ଶାରଦୀୟ ରାତିର ଲମ୍ବା ଓଢ଼ଣା ଲମ୍ବି ଆସିଲା ବେଳକୁ ଆମ ଜିଲ୍ଲାର ଗାଁ ଗହଳିର ଠାକୁରଘରୁ ଉଦଭାସି ଉଠେ ସମ୍ମିଳିତ ନାରୀକଣ୍ଠର ଲଳିତ ଗାନ:
“ମନୋହରି ବୋଲି ଏକ ବୋଇତ ।
ତକ୍ଷଣେ ସଜକଲା ନରନାଥ ।।
ଅନେକ ଦ୍ରବ୍ୟ ତା’ ଭିତରେ ଭରି ।
ଶୁଣ୍ଠି, ପିପ୍ପଳୀ ଯେ ପାନମଧୁରୀ ।।
***   ***   ***
ଅଷ୍ଟରତ୍ନ ଆଦି ଯେତେକ ଦ୍ରବ୍ୟ ।
ବୋଇତ ଭିତରେ ରଖିଲା ସର୍ବ ।।”

ଏହାର ସ୍ବର, ଲହର ଓ ଅକ୍ଷର ସହ ସବୁ ବୟସର ଓଡ଼ିଆଣୀ ପରିଚିତ ! ଖୁଦୁରୁକୁଣୀ ବା ଭାଲୁକୁଣୀ ଓଷାରୁ ଶୁଭାରମ୍ଭ ହୋଇଥିବା ଓଡ଼ିଆଙ୍କ ପାର୍ବଣଋତୁରେ ଚମକ ଆଣିଦିଏ ଶରତର ଖୁଲଣା ସୁନ୍ଦରୀ/ନିଶା ମଙ୍ଗଳବାର ଓଷା । ଖୁଲଣା ସୁନ୍ଦରୀ ପୁରାଣରେ ଓଡ଼ିଆ ସାଧବପୁଅର ଦରିଆପାରି ଯାତ୍ରା ସହିତ ସଭିଏଁ ଅଳ୍ପବହୁତେ ପରିଚିତ ! ମାତ୍ର କାଳର ଉପହାସ ଯେ, ଯେଉଁ  ସାଧବର ଦୂରନ୍ତ ସାମୁଦ୍ରିକ ଅଭିଯାନ, ଗୋରାପରେ ବଣିଜକୁ ନେଇ ଆମର ସ୍ବାଭିମାନର ମୂଳଦୁଆ; ସେଇ ସାଧବ ଓ ସେମାନଙ୍କର ବଣିଜ ସମ୍ପର୍କରେ ଆମେ କେତେ ବା ପରିଚିତ ! ଯଦିଓ ସେଇ ଐତିହ୍ୟକୁ ନେଇ ବୋଇତବନ୍ଦାଣ ହୁଏ, ଆକାଶଦୀପ ଉଠେ, କଟକ ଗଡ଼ଗଡ଼ିଆ ଘାଟରେ ବାଲିଯାତ୍ରା ଅନୁଷ୍ଠିତ ହୁଏ । ଅତୀତରେ କଳିଙ୍ଗ ଅବା ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଯେ ଖୁବ ସମୃଦ୍ଧ ଥିଲା, ତାହା ଇତିହାସ ଅପେକ୍ଷା ଲୋକଗୀତ, ଲୋକକାହାଣୀ, ପୁରାଣ ଅବା କିମ୍ବଦନ୍ତୀରୁ ମିଳେ ଅଧିକ !


ଅବିଭକ୍ତ କଟକ ଜିଲ୍ଲାର ଉପକୂଳର୍ବୀ ତଥା ନଦୀକୂଳିଆ ଗାଁ ମାନଙ୍କରେ ଆଶ୍ୱିନ ମାସରେ ବହୁଳଭାବେ ପାଳନ କରାଯାଏ ଏହି ଖୁଲଣା ସୁନ୍ଦରୀ ଓଷା । ଏଇ ସମୟ ମଧ୍ୟରେ ପାଣିପାଗ ଅନୁକୂଳ ରହିବା କାରଣରୁ ସମୁଦ୍ର ଥାଏ ଶାନ୍ତ । ସାଧବ ମାନଙ୍କ ବଣିଜ ଉଦ୍ଦେଶ୍ୟରେ ନଦୀ ଓ ସମୁଦ୍ରରେ ଗୋରାପ ମେଲିଦେବାର ଇଏ ପ୍ରକୃଷ୍ଟ ସମୟ । ଏପରି ମହାର୍ଘ ସମୟରେ ନିଜର ସ୍ବାମୀ, ପିତା, ପୁତ୍ର ଅବା ଭାଇମାନଙ୍କ ନୌଯାତ୍ରାର ସଫଳତା କାମନା କରି ଜିଲ୍ଲାର ଗାଁ ଗାଁ ରେ ଓଡ଼ିଆଣୀ ମାସେକାଳ ପାଳନ କରେ ଖୁଲଣା ସୁନ୍ଦରୀ ଓଷା ! ଆମ ଅତୀତର ଦରିଆପାରି ବାଣିଜ୍ୟର ପରମ୍ପରାକୁ ଉଜ୍ଜୀବିତ ରଖି ଓଡ଼ିଆଣୀଏ ପୂଜନ୍ତି ସାଧବ/ସୌଦାଗରଙ୍କ ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କୁ ! ବ୍ରତଟିର ଅନ୍ୟନାମ ସେଥିପାଇଁ ମଙ୍ଗଳା ଓଷା ଏବଂ ସ୍ଥଳବିଶେଷରେ ନିଶା ମଙ୍ଗଳବାର ଓଷା ।


ଧନେଶ୍ଵର ସୌଦାଗର ନାମକ ଧନୀ ବଣିକଙ୍କ କାହାଣୀକୁ ନେଇ ଖୁଲଣା ସୁନ୍ଦରୀ ପୁରାଣର ଉପାଖ୍ୟାନ ! ସାଧବଙ୍କ ଦୁଇ ପତ୍ନୀ ନୟନା ସୁନ୍ଦରୀ ଓ ଖୁଲଣା ସୁନ୍ଦରୀ । ଅପୁତ୍ରିକ ଦୋଷରୁ ମୁକ୍ତି ପାଇଁ କନିଷ୍ଠା ପତ୍ନୀ ଖୁଲଣା ମା’ ମଙ୍ଗଳାଙ୍କୁ ପୂଜି ପୁତ୍ରଟିଏ ଲଭନ୍ତି । ଇତି ମଧ୍ୟରେ କୌଣସି କାରଣରୁ ସାଧବ ଧନେଶ୍ଵର ଦରିଆପାରି ଥିବା ସମୟରେ ସମ୍ଭବତଃ ସିଂହଳ ଦ୍ଵୀପର (ଅଧୁନା ଶ୍ରୀଲଙ୍କା) ରାଜାଙ୍କ ହାତରେ ବନ୍ଦୀ ହୁଅନ୍ତି ! ଖୁଲଣା ସୁନ୍ଦରୀ ପୁରାଣରେ ସମୁଦ୍ର ଯାତ୍ରା ଏବଂ ମା’ ମଙ୍ଗଳାଙ୍କ ବର୍ଣ୍ଣନାରୁ ଧନେଶ୍ଵର ସାଧବ ବାଣିଜ୍ୟ କରିବାକୁ ଯାଇଥିବା ଦେଶଟି ସିଂହଳ ବା ଶ୍ରୀଲଙ୍କା ସହ ବହୁ ସାମଞ୍ଜସ୍ୟ ରଖେ ! ମାତ୍ର ଖୁଲଣା ସୁନ୍ଦରୀ ପୁରାଣରେ ଏହି ବିଦେଶକୁ ବିରୂପାଦେଶ ଭାବେ ବର୍ଣ୍ଣନା କରାଯାଇଛି ।
ଅଙ୍ଗ ବଙ୍ଗ ଆଦି କଳିଙ୍ଗ ଦେଶ ।
କାହିଁ ନ ରହିଣ ତଳେ ନରେଶ ।।
ମଜ୍ଜିକାବେଣୀ ଚିତ୍ରନଗ୍ରପୁର ।
ଯାଇ ମିଳିଲା ବିରୂପା ଦେଶର ।।
ଏଠାରେ ଏଇ ବିରୂପାଦେଶକୁ ଆଧୁନିକ ସମୟର କେଉଁ ଦେଶ ଭାବେ ଗ୍ରହଣ କରାଯାଇପାରେ ତାହା ଗବେଷଣାସାପେକ୍ଷ ।


ତେଣେ ଖୁଲଣା ସୁନ୍ଦରୀଙ୍କ ପୁତ୍ର ଶ୍ରୀଧର ବଡ଼ ହେଲା ପରେ ବୋଇତରେ ସାତଦରିଆ ପାର ହୋଇ ପିତା ଧନେଶ୍ଵରଙ୍କୁ ବନ୍ଦୀ ଜୀବନରୁ ମୁକୁଳାଇ ଉତ୍କଳକୁ ଫେରାଇ ଆଣିଛନ୍ତି । ଏସବୁ ସମ୍ଭବ ହୋଇପାରିଛି ମା’ ମଙ୍ଗଳାଙ୍କ କୃପାରୁ । ତେବେ ସାଧବପୁଅ ଯାତ୍ରା କାଳରେ ସମ୍ମୁଖୀନ ହୋଇଛନ୍ତି ଅଶାନ୍ତ ସମୁଦ୍ର, ଝଡ଼ଝଞ୍ଜା ଏବଂ ଭୟଙ୍କର ସାମୁଦ୍ରିକ ଜୀବଙ୍କର । ସେହି ଦୀର୍ଘପଥର ଯାତ୍ରାରେ ଶ୍ରୀଧର ଏକ ହିଂସ୍ର ସାମୁଦ୍ରିକ ଜନ୍ତୁ ପୂର୍ଣ୍ଣ ହ୍ରଦରେ ପ୍ରବେଶ କରିଛନ୍ତି !
“ପଚିଶ ଦିନ ସେଠାରେ ପଥ ବାହିଗଲେ ।
ବୋଇତ ଲାଗିଲା ଯାଇ ଯୋକର ହ୍ରଦରେ ।।
***   ***   ***
ଉଚ୍ଚେ ଲେଖା କଲେ ସେ ତିରିଶ ହାତ ହେବ ।
ଏକ ଏକ ଗୋଟି ଯେ ବୋଇତ ଗିଳିଦେବ ।।”

ହ୍ରଦରେ ଆକ୍ରମଣ କରିଥିବା ଜୀବର ଲମ୍ବ ୩୦ ହାତରୁ ଅଧିକ ହେବ ବୋଲି ବର୍ଣ୍ଣନା ରହିଛି । ଏହା ସମ୍ଭବତଃ ସାମୁଦ୍ରିକ ନୀଳତିମି କିମ୍ବା ସାର୍କ ହୋଇ ଥାଇପାରେ ! ତେବେ ପୁରାଣରେ ଏହାର ନାମ ଯୋକ ବୋଲି ଉଲ୍ଲେଖ ଅଛି ।

ଅବଶ୍ୟ “ଭଞ୍ଜ କନିକା” ପୁସ୍ତକରେ କବି ତଥା ଗବେଷକ ସରସ୍ବତୀ ଦାମୋଦର ମିଶ୍ର ଉକ୍ତ ରାଜ୍ୟକୁ ସିଂହଳ ବୋଲି ଦର୍ଶାଇଛନ୍ତି:
“ପୂର୍ବକାଳେ ଧନେଶ୍ଵର ନାମା ସଉଦାଗର ।
ପାଞ୍ଚମୁକା ଜନପଦେ ଥିଲେ ଧନେଶ୍ଵର ।।
***   ***   ***
ସିଂହଳ ଦ୍ଵୀପରୁ ଚାରୁ ମଙ୍ଗଳା ମୂରତି ।
ଅଣାଇ ନିଜ ନଗରେ ନରେନ୍ଦ୍ର ସୁମତି ।।”


ପ୍ରାଚୀନ ଉତ୍କଳ ସହିତ ସିଂହଳ ଦ୍ଵୀପ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପୂର୍ଣ୍ଣ ଏଥିରେ ସୁସ୍ପଷ୍ଟ । ଧନେଶ୍ଵର ସୌଦାଗରଙ୍କ ଦ୍ଵାରା ସିଂହଳ ଦେଶରୁ ଆନୀତ ମା’ ମଙ୍ଗଳାଙ୍କ କମନୀୟ ମୂର୍ତ୍ତି ଆଜି ପୂଜା ପାଆନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ନିକଟସ୍ଥ ନରେନ୍ଦ୍ରପୁର ଗ୍ରାମରେ । ଅବଶ୍ୟ ଭଞ୍ଜ କନିକା ପୁସ୍ତକରେ ଧନେଶ୍ଵରଙ୍କ ପୁତ୍ରଙ୍କ ନାମ ନରେନ୍ଦ୍ର ଉଲ୍ଲେଖ ରହିଛି । ନରେନ୍ଦ୍ର ମାଧବଙ୍କ ଉତ୍ତାରେ ଗ୍ରାମର ନାମ ହୁଏତ ନରେନ୍ଦ୍ରପୁର ହୋଇଛି । ନରେନ୍ଦ୍ର ପୁର ଯେ ଏକଦା ଛତ୍ରପଦା ନାମରେ ନାମିତ ଥିଲା ଏବଂ ପ୍ରାଚୀନ ଉତ୍କଳର ପ୍ରଧାନ ନୌବନ୍ଦର ଥିଲା ଏଥିରେ ସନ୍ଦେହ ନାହିଁ ।

ଇତିହାସର ବିଚିତ୍ର ବିରୋଧାଭାସ ଯେ, ସେହି ସାଧବମାନଙ୍କର ଇତିହାସ ତା’ର ଜନ୍ମମାଟିରେ ସ୍ବଳ୍ପଜ୍ଞାତ; ସ୍ମୂତି ଅତି ପାଣିଚିଆ ! ତଥାପି ଆମେ ରାଇଜର ଲୋକକଥା, ଓଷାବ୍ରତ ଆଦିରେ ସେ ସମୟର ପଦଧ୍ୱନି ଅନୁରଣିତ ।

ଚିତ୍ର: Abinash Dash, Lalit Mohan Ray
ଆଧାର: ୧. ‘ଖୁଲଣା ସୁନ୍ଦରୀ’, ବୀଣାପାଣି ପୁସ୍ତକ ଭଣ୍ଡାର, ଅଲିଶା ବଜାର, କଟକ;
୨. ‘ନିଶା ମଙ୍ଗଳବାର ଓଷା’, ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ;
୩  ‘ଭଞ୍ଜ କନିକା’ ସରସ୍ବତୀ ଦାମୋଦର ମିଶ୍ର, କାଶୀନାଥ ପ୍ରେସ୍, ଅଲିଶା ବଜାର, କଟକ;
୪. ‘ଆ କା ମା ବୈ’, ଫ୍ରେଣ୍ଡସ୍ ପବ୍ଲିଶର୍ସ, ଵିନୋଦବିହାରୀ, କଟକ;
୫. ‘ଗୋନାସିକା ନନ୍ଦିନୀ ବୈତରଣୀ’, ଡ଼ଃ ରଞ୍ଜନ ପ୍ରଧାନ, କ୍ରିଏଟିଭ ଓଡ଼ିଶା, କେନ୍ଦ୍ରାପଡ଼ା

Leave a Comment

Your email address will not be published. Required fields are marked *

Scroll to Top