ଖାଇ

ଲେଖା: ଶିଶିର ସାହୁ ମନୋଜ

ଓଡ଼ିଆରେ ‘ଖାଇ’ କେତେକ କ୍ଷେତ୍ରରେ ‘ଖାଇବା’ ଅର୍ଥକୁ ସୂଚାଏ ଏଵଂ ଅନ୍ୟ କେତେକ କ୍ଷେତ୍ରରେ ଭିନ୍ନ ଭାଵାର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ l

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖାଇ ଓ ଖାଈ ଶବ୍ଦର ମୁଖ୍ୟତଃ ଦୁଇଗୋଟି ଅର୍ଥର ଉଲ୍ଲେଖ ରହିଛି ।

୧. ଖାଇ (trench, Ditch)
ଗଡ଼ଖାଇକୁ କେତେକ ଅଞ୍ଚଳରେ କେଵଳ ‛ଖାଇ’ କୁହାଯାଏ । ହିନ୍ଦୀରେ ମଧ୍ୟ ଏ ଶବ୍ଦ ବହୁପ୍ରଚଳିତ । ଆମ ଓଡ଼ିଶାରେ ଗଡ଼ର ଚାରିପାଖକୁ ବେଢ଼ିଥିବା କୃତ୍ରିମ ଖାଲ ବା ଜଳଖାତକୁ ଖନ୍ଦକ ଓ ଗଡ଼ଖାଇ କୁହାଯାଏ । ସଂସ୍କୃତରେ Ditch ଵା trenchକୁ ଖାତ ଓ ଖାନ ଆଦି କୁହାଯାଏ ସେଇ ଶବ୍ଦର ସମଦ୍ଧୃତ ପ୍ରାକୃତ ରୂପ ଖାଇ ଅଟେ ।

୨. ଖାଇ (Eat)
ଖାଇ ଏକ ଦେଶଜ ପ୍ରତ୍ଯୟ ଯାହା ଶବ୍ଦ ପରେ ଖାଦ୍ଯ ସମ୍ବନ୍ଧ ହେତୁକ ଲାଗିଥାଏ । ଯେ କୌଣସି ପଦାର୍ଥ ଖାଏ ଵା ଯହିଁରେ ଖାଦ୍ୟ ପଦାର୍ଥ ରଖାଯାଏ । ସେଭଳି କେତେକ କ୍ଷେତ୍ରରେ ଖାଇ ଶବ୍ଦ ପ୍ରତ୍ଯୟ ଭାଵେ ପ୍ରୟୋଗ କରାଯାଇଥାଏ। ସେଇଭଳି ଖାଇଵାର ଅନ୍ୟ ରୂପ ଖାଇର ସ୍ତ୍ରୀ ଵାଚକରୂପ ହେଲା ଖାଈ । ସାଧାରଣତଃ ସ୍ତ୍ରୀ ଲୋକଙ୍କୁ ଗାଳୀ ଆଦିରେ ଏହି ଖାଈ ଶବ୍ଦର ପ୍ରତ୍ଯୟ ରୂପେ ପ୍ରୟୋଗ ହୋଇଥାଏ । ‘ଖାଇବା’ରୁ ନିଷ୍ପନ୍ନ ହୋଇଛି ଏଇ ‘ଖାଇ’ ଓ ‛ଖାଈ’ ଶବ୍ଦ l ଅଭିଧାନରେ ‘ଖାଇ’ ପଦଯୁକ୍ତ ଅନେକ ଶବ୍ଦରେ ହ୍ରସ୍ୱ ‘ଇ’କାର ଲେଖାଅଛି l କିନ୍ତୁ ଦେଵୀ ଓ ନଦୀ ଇତ୍ୟାଦିର ଵିଶେଷଣ ଭାଵରେ ଵ୍ୟଵହୃତ ହେଲେ ତାହା ଦୀର୍ଘ ‘ଈ’କାର ହୋଇପାରେ ଯାହା ଅନ୍ୟ କିଛି ଅଭିଧାନରେ ଗୋଚର ହୁଏ l ସ୍ତ୍ରୀଵାଚକ ହେଲେ ମଧ୍ୟ ଖାଇ ଶବ୍ଦ ଖାଈରେ ପରିଣତ ହୁଏ ଯଥା ‛ସଵାଖାଈ’ !

ଆମ ଭାଷାରେ ପ୍ରଚଳିତ ‛ଖାଇ’ ଓ ‛ଖାଈ’ ପରପଦ ଯୁକ୍ତ କିଛି ଶବ୍ଦର ଉଦାହରଣ:

୧. ନଦୀ ଓ ଜଳାଶ୍ରୟ:
# କଟକ ବାରବାଟି ଦୁର୍ଗ ସମେତ ଓଡ଼ିଶାର ସମସ୍ତ ଗଡ଼ ଚତୁପାର୍ଶ୍ୱରେ ଥିବା କୁମ୍ଭୀରସଙ୍କୁଳ ପାଣିଘେରକୁ ‘ଗଡ଼ଖାଈ’ କୁହାଯାଉଥିଲା l
# ଚକ୍ରଧର ମହାପାତ୍ରଙ୍କର ରିଏଲ ବାର୍ଥ ପ୍ଲେସ ଅଫ ବୁଦ୍ଧ ବହିରେ ଉଲ୍ଲେଖ ଅଛି, ଯେ କୁଆଖାଇ ନଦୀ ପୂର୍ଵେ ଏକ ‘କୃତ୍ରିମ ଖାଈ’  (artificial canal) ଥିଲା ଯାହାର ପରଵର୍ତ୍ତୀ ସଂକ୍ଷେପିତ ସ୍ୱରୂପ ହେଉଛି ‘କୁଆଖାଈ’ l
# ଅଵିଭାଜିତ କଟକ ଜିଲାର ଏକ ନଦୀ ‘ବିଲୁଆଖାଈ’
# ମୟୂରଭଞ୍ଜର ଏକ ନଦୀର ନାମ ‘ଖଡଖାଈ’ !
# କଟକର ଟାଙ୍ଗୀ ନିକଟସ୍ଥ ଏକ ନଦୀର ନାମ ‛ମେଣ୍ଢାଖାଈ’

୨. ଦେଵାଦେଵୀ ଓ ଡାହାଣୀ:
ପୁରୀ ଶ୍ରୀମନ୍ଦିରର ଦକ୍ଷିଣ ପୂର୍ଵ କୋଣରେ ଦେଵୀ ‘କାକୁଡ଼ିଖାଈ’ ଏବଂ ଦୋଳମଣ୍ଡପ ସାହିରେ ଅଙ୍ଗିରା ଋଷି ଆଶ୍ରମ ନିକଟରେ ଦେଵୀ ‘ଜହ୍ନିଖାଈ’ଙ୍କ ପୀଠ ରହିଛି l ଏ ଉଭୟ ହେଉଛନ୍ତି ଦୁର୍ଗା ଏବଂ ସ୍ଥାନୀୟ ଭାଷାରେ ‘ଗୋସାଣୀ’ (ଗୋସ୍ୱାମୀର ସ୍ତ୍ରୀଲିଙ୍ଗ = ଗୋସ୍ୱାମିନୀ; ତଦ୍ଭଵ ହେଲା ଗୋସାଣୀ) l

ଶୁଖିଲା ଖାଈ ― ଡାହାଣୀ ଵିଶେଷ; ଏମାନେ ଶୁଖିଲା ବିଷ୍ଠା ଓ ମାଂସ ଖାଆନ୍ତି ସେଇଭଳି ଆଉ ଏକଜାତୀୟ ଡାହାଣୀଙ୍କୁ କଞ୍ଚାଖାଈ କୁହାଯାଏ । ଏମାନେ ରାତିରେ ବିଷ୍ଠା ଚରନ୍ତି ଓ ଜୀବିତ ଶିଶୁ ପ୍ରଭୃତିଙ୍କୁ ଖାଇ ଯାଆନ୍ତି ବୋଲି ଲୋକଵିଶ୍ଵାସ ରହିଛି ।

ବେଗୁନିଆ ଛକଠାରୁ କଳାପଥର ରାସ୍ତାରେ ୧୦ କି.ମି. ପରେ ଆସୁଥିଵା ଏକ ଗାଁର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ “ଖରାଖାଈ” ।

୩. ପ୍ରାଣୀ:
# ଵିଷାକ୍ତ ଗଛ କୋଚିଲାକୁ ଖାଉଥିବା ପକ୍ଷୀ ‘କୋଚିଲାଖାଈ’ l
# ଆଉ ଦୁଇଟି ପକ୍ଷୀ ‘ହରଡ଼ଖାଈ’‘କୁଣ୍ଡାଖାଈ’
# ବାଲେଶ୍ଵର ଅଞ୍ଚଳରେ ଏକ ଜାତୀୟ ମାଛକୁ ‛ସାଷ୍ଟାମଖାଇ’ କୁହାଯାଏ ।

୪. ଗ୍ରାମ:
# ମୟୂରଭଞ୍ଜର ଗୋଟିଏ ଗ୍ରାମର ନାମ ‘କୁକୁଡ଼ାଖାଈ’
# କଟକ ନରସିଂହପୁରର ଗୋଟିଏ ଗ୍ରାମର ନାମ ‘ପିଠାଖାଇ’ l

୫. ଵୃକ୍ଷ ଓ ଫଳ:
# ଲକ୍ଷ୍ମଣ ମିଶ୍ରଙ୍କ ‘ଅନୁଭୂତ ଯୋଗମାଳା’ ବହିରେ ‘ରକ୍ତଖାଇ’ ନାମକ ଗଛର ଵର୍ଣ୍ଣନା ରହିଛି ଯାହାକି ରକ୍ତ ଜମାଟ ବା ସ୍କନ୍ଦନ କରାଏ (ଅର୍ଥାତ ରକ୍ତକୁ ଖାଇଲା ବୋଧେ)
# ଏକ ଗଛର ନାମ ମୟୂରଭଞ୍ଜରେ ‘ଖଣ୍ଡାଖାଇ’ = ସଂସ୍କୃତରେ ଶ୍ୟୋନାକ, କଟକରେ ଫଣଫଣା; ତା’ର ଖଣ୍ଡା ଆକୃତିର ଫଳ ହୁଏ ।

# କଞ୍ଚାଖାଇ ବୋଲି ଏକ ଵିଶେଷଣ ଆମ ଭାଷାରେ ଚଳୁଅଛି । ଏହି ଆଧାରରେ ଅନ୍ୟ ସମାର୍ଥକ ଵିଶେଷଣଟି ହେଉଛି କଞ୍ଚାସୁଆଦି । କଞ୍ଚା ବା ଅପକ୍ବ ଅବସ୍ଥାରେ ମୁଖରୋଚକ ମିଷ୍ଟଫଳକୁ କଞ୍ଚାଖାଇ କୁହାଯାଏ । ଏହି ଵିଶେଷଣ ଵିଶେଷ ଭାଵେ ଆମ୍ବ ପୂର୍ଵେ ଵ୍ଯଵହୃତ ହୋଇଥାଏ ।

୬. ପର୍ଵ:
# ସାରା ଓଡ଼ିଶାରେ ଲୋକେ ‘ଛାଡ଼ଖାଇ’ ପାଳନ୍ତି; ନୂଆଖାଇକୁ ବାଲେଶ୍ବରରେ ନୂଆଖିଆ କୁହାଯାଏ ଏଵଂ ସ୍ଥାନୀୟ ଲୋକେ ତାଙ୍କ ଆଞ୍ଚଳିକ ଶସ୍ଯ ଅମଳକାଳରେ ନୂଆଧାନ୍ୟର କ୍ଷୀରି କରି ଭଗଵାନଙ୍କୁ ଅର୍ପଣ କରିଥାଆନ୍ତି ।
# ସମ୍ବଲପୁର, ନୟାଗଡ଼, କଟକ ଜିଲ୍ଲାରେ ପାଳିତ ହୁଏ ‘ଡାଳଖାଇ’
# ଗଡ଼ଜାତର କେତେକ ଅଞ୍ଚଳରେ ନୂଆ ସିମ୍ଵକୁ ପ୍ରଥମେ ଈଶ୍ଵରଙ୍କୁ ଅର୍ପଣ କରି ପରେ ଖିଆଯାଏ ସେ ପର୍ଵ ସିମ୍ବଖାଇ ନାମରେ ପ୍ରଶିଦ୍ଧ । କେଉଁଠି କେଉଁଠି ଏ ପର୍ଵକୁ ଝଣ୍ଟାନୂଆଁ ବି କୁହାଯାଏ । 

୭. ଗାଳି:
ଓଡ଼ିଶାରେ ‛ଖାଈ’ ଶବ୍ଦଯୁକ୍ତ ସ୍ତ୍ରୀଵାଚକ ଶହ ଶହ ଗାଳୀ ଶବ୍ଦ ଚଳୁଅଛି । ଯଥା: ‘ଛୁଆଖାଈ’, ‘ସ୍ୱାମୀଖାଈ’, ‘ଭାଇଖାଈ’ ଶ୍ଳେଷପୂର୍ଣ୍ଣ ଗାଳି ଅଖାଈ; ତାଚ୍ଛଲ୍ୟପୂର୍ଣ୍ଣ ଗାଳି― ‘ଶୁଖୁଆଖାଈ’, ‘ଦୁଗୁତାଖାଈ’, ‛ପୁତୁଖାଈ’, ‛ଗୁହଖାଈ’, ‛ହେଡ଼ାଖାଈ’, ‛ବଉଁଶଖାଈ’, ‛ହାଣ୍ଡିଖାଈ’; ‛ଖାଣ୍ଡିଖାଈ’, ‛ଛତରଖାଈ’, ‛ମୁହଁଖାଇ’ ଓ ‛ସଵାଖାଇ’ ଇତ୍ୟାଦି ଇତ୍ୟାଦି ।

୮. ଯନ୍ତ୍ରୋପକରଣ:
# ଯେଉଁ ଶାଳାରେ ଗେଙ୍ଗୁଟି ପଥରକୁ ପେଶି ଚୁନ ପ୍ରସ୍ତୁତ କରାଯାଏ ତାହାକୁ ‘ଚୁନଖାଇ’ କହନ୍ତି ।
# ଯେଉଁ ଯନ୍ତ୍ର ଦ୍ବାରା ମଞ୍ଜିଯୁକ୍ତ କପାଫୁଟରୁ ମଞ୍ଜି ଅଲଗା କରାଯାଏ ତାକୁ ‛କପାଖାଇ’ କୁହନ୍ତି ।
# ଯେଉଁ କଳରେ ହଳ ଦ୍ଵାରା ପେଷାଯାଇ ଆଖୁରୁ ଦୋରୁଅ ବାହାର କରାଯାଏ ତାକୁ ‛ଆଖୁଖାଇ’ କୁହାଯାଏ ।
# ଶୀତଦିନେ ପିନ୍ଧାଯାଉଥିଵା ମଫଲର୍ ର ନିଆରା ଓଡ଼ିଆ ଦେଶଜ ନାମ ‛କାନଖାଇ’ ଅଟେ ।
# ଯୁଦ୍ଧ କଲାବେଳେ ଯେଉଁ ଖଣ୍ଡାର ଅଗ ଅଧିକ ଭାଙ୍ଗି ଯାଇ ବାକି ଅଧିକ ଯୋଦ୍ଧାର ହାତରେ ଥାଏ ତାକୁ ‘ଖାପଡ଼ଖାଇ’ ଖଣ୍ଡା କୁହାଯାଏ । ସାରଳା ମହାଭାରତରେ ଏ ଶବ୍ଦର ଵ୍ୟଵହାର କରି ସାରଳା ଦାସ ପଦେ ଲେଖିଛନ୍ତି,
“ଖାପଡ଼ାଖାଇ ଖଣ୍ଡା ଖଣ୍ଡେ ଧରି କରେ
ଚାଣ୍ଡେ ବାହାରିଲେ ଗର୍ଜିଣ ରାଗରେ”
# ଲୁଣ ରଖାଯାଉଥିଵା ଏକ ଜାତୀୟ ପାରମ୍ପରିକ ପାତ୍ରକୁ ‛ଲୁଣଖାଇ’ କୁହାଯାଉଥିଲା । ଭାତ ସଙ୍ଗେ ଖାଇବାପାଇଁ ଏ ପାତ୍ରରେ ଲୁଣ ବଢ଼ା ହେବାରୁ ଏଭଳି ନାମକରଣ ହୋଇଥିଵା ଵିଶ୍ଵାସ କରାଯାଏ । ଏକପ୍ରକାର ଛୋଟ ପ୍ଲେଟ୍, ରୋକାବୀ ବା ଥାଳିଆକୁ ମଧ୍ୟ ଲୁଣଖାଇ କୁହାଯାଉଥିଵା ପୁରୁଣା ଓଡ଼ିଆ ଅଭିଧାନରେ ଉଲ୍ଲେଖ ରହିଛି ।

ଏଇଭଳି ଓଡ଼ିଶାରେ ଖାଇ/ଖାଈ ଶବ୍ଦଯୁକ୍ତ ଶହ ଶହ ଶବ୍ଦ ଚଳୁଅଛି । 

ତଥ୍ଯ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ ଓ ଡାକ୍ତର ସନତ କୁମାର ଦାସ

Leave a Comment

Your email address will not be published. Required fields are marked *

Scroll to Top