ଖଉଲ ଗାଡ଼

ଲେଖା: ଶିବାଶିଷ ମହାପାତ୍ର

ତନ୍ତ୍ର, ମନ୍ତ୍ର, ଯନ୍ତ୍ରର ଏକ ପ୍ରମୁଖ ସ୍ଥାନ ସୁବର୍ଣ୍ଣପୁର ସହର । ଅଷ୍ଟଚଣ୍ଡୀ, ଅଷ୍ଟବିଷ୍ଣୁ, ଅଷ୍ଟଶମ୍ଭୁ ତଥା ଅଷ୍ଟମହାବୀରଙ୍କ ପୀଠ ବୋଲି ଏହା ବିବେଚିତ । ପଶ୍ଚିମ ଲଙ୍କା ଭାବରେ ଏହା ପ୍ରସିଦ୍ଧ ତଥା ବୀର ପର୍ଶୁରାମଙ୍କ ମାଟି ବୋଲି ମଧ୍ୟ ପରିଚିତ । ତିନି ଗୋଟି ନଦୀର ସଙ୍ଗମ ପାଇଁ ଏହାକୁ ଭାରତର ଦ୍ବିତୀୟ ପ୍ରୟାଗ ତଥା ୧୦୮ ଗୋଟି ମନ୍ଦିର ପାଇଁ ଏହାକୁ ଦ୍ବିତୀୟ ବାରାଣାସୀ ବୋଲି ମଧ୍ୟ କୁହନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିର ଯଥେଷ୍ଟ ପୂର୍ବରୁ ଏହି ଅଞ୍ଚଳରେ ସୂର୍ଯ୍ୟ ଉପାସନା ତଥା ସୂର୍ଯ୍ୟ ମନ୍ଦିରର ଐତିହାସିକ ପ୍ରମାଣ ମିଳିଛି । ବିଭିନ୍ନ ଦେବାଦେବୀ ମଧ୍ୟରେ ଶାକ୍ତ ଧର୍ମର ଉପାସନା ଏହାର ବିଶେଷତ୍ଵ । ପ୍ରସିଦ୍ଧ ବଳିଯାତ୍ରା ଏହାର ପ୍ରମୁଖ ଆକର୍ଷଣ ।

ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମାଁ ସୁରେଶ୍ଵରୀ । ଏହି ମାଟିରେ ମାଁ ଙ୍କ ପୂଜା ଆରମ୍ଭ ତଥା ଆବିର୍ଭାବ ବିଷୟରେ କିଛି ତଥ୍ୟ ମିଳିପାରି ନାହିଁ । କିମ୍ବଦନ୍ତୀ ଅନୁସାରେ ବୀର ପର୍ଶୁରାମ ତାଙ୍କ ମାଁ ରେଣୁକାଙ୍କୁ ଏହି ମାଟିରେ ସୁରେଶ୍ଵରୀ ଭାବରେ ପୂଜା କରୁଥିଲେ । କ୍ଷତ୍ରିୟଙ୍କୁ ସଂହାର କରି ଯଜ୍ଞ କରିଥିଲେ । ଆଜିବି ସେହି ଯଜ୍ଞକୁଣ୍ଡ “ଖଉଲ ଗାଡ଼” ଭାବରେ ପୂଜିତ । ଏହା ସହରେ ଥିବା ସୁରେଶ୍ଵରୀ ମନ୍ଦିରର ସାମନରେ ଅବସ୍ଥିତ । ଏହି ସ୍ଥାନର ଦେବୀ “ମାଁ ଖଉଳେଶ୍ବରୀ” । ଏହି ଗାତର ମାଟି‌କୁ ସାଧାରଣ ଭାବରେ କେହି ସ୍ପର୍ଶ କରିନଥାନ୍ତି । ବିଶ୍ବାସ ରହିଛି ଏହା ଚମଡ଼ାକୁ ପୋଡ଼ି ଦେଇଥାଏ ।

ସୋନପୁର ସହରର ପାରମ୍ପରିକ ବଳିଯାତ୍ରା ସମୟରେ ଏହି ସ୍ଥାନର ରହିଛି ଏକ ବିଶେଷ ଭୂମିକା । ଏହା ଏକ ଗୋପନୀୟ ସେବା ଏବଂ ଗୋପନୀୟତା ରକ୍ଷା କରାଯାଇଥାଏ । ବଳୀଯାତ୍ରାର ଚତୁର୍ଥୀ ଦିନ ମଧ୍ୟରାତ୍ରରେ ନିର୍ଦ୍ଦିଷ୍ଟ ସମୟରେ, ନିର୍ଦ୍ଦିଷ୍ଟ କେତୋଟି ଅଧିକୃତ ସେବାୟତଙ୍କ ଦ୍ବାରା ଏହା ପାଳନ କରାଯାଏ । ମାଁ ଖଉଳେଶ୍ବରୀଙ୍କୁ ପାରମ୍ପରିକ ପୂଜାର୍ଚ୍ଚନା କରିବା ପରେ ବିଧି ଅନୁସାରେ ରହିଥିବା ବରୁଆ ଏହି ଖଉଲ ଗାଡ଼ ମଧ୍ୟରେ ପ୍ରବେଶ କରନ୍ତି । ଅନେକ କଟକଣା ସହିତ ସର୍ବ ସାଧାରଣଙ୍କ ଅନୁପସ୍ଥିତିରେ ଏହା ସମାପନ ହୋଇଥାଏ । ତାନ୍ତ୍ରିକ ପ୍ରଣାଳୀରେ ଅତ୍ୟନ୍ତ ଗୋପନ ଭାବରେ ଏଠାରୁ ମାଟି କଢ଼ା ଯାଇଥାଏ ।

ଏହି ନୀତିକାନ୍ତି ଆଗରୁ ଆଖପାଖର ସମସ୍ତ ଗଛ ମାନଙ୍କରୁ ଚଢ଼େଇମାନଙ୍କୁ ଘଉଡ଼ା ଯାଏ । ଖଉଲ ଗାଡ଼ରୁ ବରୁଆ ଖଉଲ ମାଟି ଘେନି ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ପରେ ସେଦିନ ପାହାନ୍ତିଆ ପ୍ରହରରେ ଏହି  ଖଉଳ ମାଟିକୁ ସହରର ତିନି ଗୋଟି ଶକ୍ତିପୀଠ ଯଥାକ୍ରମେ “ସମଲେଶ୍ଵରୀ, ସୁରେଶ୍ଵରୀ ଓ ଖମ୍ବେଶ୍ୱରୀ”ଙ୍କ ପାଇଁ ତିନି ଭାଗରେ ବିଭକ୍ତ କରି ମନ୍ଦିରମାନଙ୍କୁ ଅଣାଯାଇଥାଏ । ଏହା ପରେ ଖମ୍ବେଶ୍ୱରୀ ପୀଠରେ ପ୍ରାତଃସମୟରେ ଖଉଳ ବଳି ବା ଖଉଳ ବଳି ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଏହି ବଳି ଅନ୍ଧାର ସମୟରେ (ବ୍ରାହ୍ମ ମୁହୁର୍ତ୍ତ) ହୋଇଥାଏ ଏବଂ ସୂର୍ଯ୍ୟ ଉଦୟ ପୂର୍ବରୁ ଏହାର ପରିସମାପ୍ତି ଘଟିଥାଏ । ସଂଗୃହିତ ଖଉଳ ମାଟି ଏହି ବଳିଯାତ୍ରାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନୀତି କାନ୍ତିରେ ବ୍ୟବହାର କରାଯାଏ ।

Leave a Comment

Your email address will not be published. Required fields are marked *

Scroll to Top