କୃଷ୍ଣପ୍ରସାଦ ବେହେରା   

ଲେଖା: ଯଦୁନାଥ ପଣ୍ଡା

“ନର୍ଦ୍ଦମା ପାଶେ ବାରବୁଲା ଡାକେ ହାଇ ମାରେ ବସି ବଣିକ
ଶକୁନ ଶାସନ ଅବସାନ କର ଯୁଗର ଦାବି ୟେ ଶାସକ
…………..
ଖଣିର ହଣାଳି ଟେକିଛି ନିହାଣ କୃଷକ କୋଦାଳ ଛାଡିଛି
ପ୍ରଗତିର ଘୋଡା ଚଇତକ ଛୁଟେ ଝଡର ଇଗଲ ମାତିଛି
ମାନିବୁନି ଆମେ ବିଧାତା ଶାସନ ନିୟତିର ହେବୁ ଜନକ”

ବେଶ ଆଧୁନିକ ଅବବୋଧରେ ରଚିତ, ଶକୁନ ଶାସନ ଅବସାନ କରିବାକୁ ଏମିତି ଦୃପ୍ତ ଦାବିକରି ନିଜ ନିୟତିର ନିୟାମକ ହେବାକୁ ସ୍ପର୍ଦ୍ଧା  କରିପାରୁଥିବା ଓଡ଼ିଶା ମାଟିର ଇଏ ଦାମ୍ଭିକ କବିଟିକୁ ଆପଣମାନେ ଜାଣିଛନ୍ତି  କି ? ବୋଧହୁଏ ନ। ଓଡ଼ିଆ ସାହିତ୍ୟର ଇତିହାସରେ ତାଙ୍କ ନା କୋଉଠି ବି ନଥିଭୁକ୍ତ ହେଇନି ।

ଏଇଟା ଆମ ମାନଙ୍କର ଗୋଟେ ଜାତୀୟ ଦୁର୍ଦ୍ଦଶା ଯେ ନାକଟେକା ସହରୀ ଶିଷ୍ଟବର୍ଗଙ୍କ ଦ୍ଵାରା ପାହାଚ ତଳର ପ୍ରତିଭାମାନଙ୍କୁ ପାସଙ୍ଗରେ ନ ପକେଇବା। ବୈଷ୍ଣବ ପାଣିଙ୍କ ଗୀତକୁ ଓଡିଶାର ପ୍ରତିଷ୍ଠିତ ଗାୟକମାନେ ବେତାର କେନ୍ଦ୍ରରେ ଗାଇବାକୁ ମନା କରିଦେଇଥିଲେ। ଅଣଓଡ଼ିଆ କୃଷ୍ଣମୁର୍ତି, ବାଳକୃଷ୍ଣ ଦାସଗୋପାଳ ଛୋଟରାୟଙ୍କ ଭଳି ରସଗ୍ରାହୀମାନଙ୍କୁ ପାଇ ନଥିଲେ ବୈଷ୍ଣବ ପାଣି ଗୋବରୀ ନଦୀରେ ପାଣି ହେଇ ବହିଯାଇ ନିଶ୍ଚିହ୍ନ ହେଇ ଯାଇଥାନ୍ତେ। ଉତ୍କଳ ଦୀପିକା ଭଳି ସଂସ୍କୃତି-ସଚେତନ ଖବର କାଗଜ ପ୍ରକାଶନ ହେବା ଆରମ୍ଭ ହେଇ ସାରିଥିଲେ ବି ରାଧାନାଥ, ଫକିରମୋହନ, ମଧୁସୂଦନ ରାଓଙ୍କ ଭଳି ଓଡ଼ିଆ ସାଂସ୍କୃତିକ ଦେବମଣ୍ଡଳର ଅଧୀଶ୍ଵରମାନେ ଆତଯାତ ହେଉଥିବା ସମୟରେ, ଭୀମ ଭୋଇ ଜଗତ ଉଦ୍ଧାର ପାଇଁ ନର୍କକୁ ଯିବାକୁ ଆଗୁସାର ହେଇସାରିଥିବା ସତ୍ତ୍ୱେ ବି ଏମିତିଆ ଲୋକଟେ ବଞ୍ଚିଛି ବୋଲି କେହି ଜାଣି ନଥିଲେ। କାରଣ, ଏଇ ସହରୀ ଶିଷ୍ଟ ସାଂସ୍କୃତିକ ଦେବମଣ୍ଡଳରେ ଲଟରପଟର ହେବାର ସୁଯୋଗ ବା ହୁଏତ, ଆଗ୍ରହ ତାଙ୍କର ନଥିଲା।

ଏଇ ଦୃପ୍ତ-କଣ୍ଠ ଦାମ୍ଭିକ କବି ଜଣକ ଥିଲେ କୃଷ୍ଣପ୍ରସାଦ ବେହେରା । ଜନ୍ମ ମାର୍ଚ୍ଚ ୫ ତାରିଖ ୧୯୧୫ ଏବଂ ମୃତ୍ୟୁ ୧୮ ଜୁଲାଇ ୧୯୭୨ ମସିହା । ଜନ୍ମ ଭଦ୍ରକ ପାଖ କପାଳୀ ନଦୀ କୁଳ ମୂଳଗାଁରେ। ଆନୁଷ୍ଠାନିକ ଶିକ୍ଷା ମାତ୍ର ତୃତୀୟ ଶ୍ରେଣୀ। ପେଟ ପୋଷିବା ପାଇଁ ବୃତ୍ତିଗତ ଜୀବନ ଆରମ୍ଭ କଲିକତାର ଗୋଟେ ବଙ୍ଗାଳୀ ବାଡିର ବୋଲକରା ଭାବରେ । 

ମାତ୍ର ଲୋକଟା ମୂଳରୁ ଓଳିଆରୁ ଗଜା, ପ୍ରକୃତିଦତ୍ତ ପ୍ରତିଭାର ଅଧିକାରୀ। କୃଷ୍ଣପ୍ରସାଦଙ୍କ ପାଖରେ ପିଲାବେଳୁ ସବୁ ପ୍ରକାର ନଟଖଟିଆ କୃଷ୍ଣକଳା ପ୍ରକାଶ ପାଇବାକୁ ଲାଗିଥିଲା – ଯେମିତି ବଂଶୀବାଦନକୁ ସେମିତି ଗୋପୀ ମୋହନ। ମୂଳରୁ ଗୋଟେ ଗୁଳାବନ୍ଧା ବିଷୟୀ ଜୀବନରୁ ବିତସ୍ପୃହ ହୋଇ ଏକ ସାବଲୀଳ ମୁକ୍ତଛନ୍ଦ ଜୀବନ ବଞ୍ଚିବାର ଆଗ୍ରହ ତାଙ୍କ ଭିତରେ ଦେଖା ଯାଇଥିଲା। ପାଠଶାଠ ପଢ଼ିବାରେ ଆଗ୍ରହ ନହେବାରୁ ୧୨ ବର୍ଷ ବୟସ ବେଳକୁ ବାପା ନେଇ ତାଙ୍କୁ ଭଣ୍ଡାରୀପୋଖରୀର ଅର୍ଜୁନଚାନ୍ଦ ଅପେରାରେ ଛାଡିଦେଇ ଆସିଥିଲେ। କିଛିଦିନ ପରେ ମା’ ପରଲୋକ ଗମନ କରିବା ସାଙ୍ଗକୁ ଅର୍ଜୁନଚାନ୍ଦ ଅପେରା ବି ଭାଙ୍ଗିଗଲା। ପେଟ ପୋଷିବାକୁ ଜଣେ ପରିଚିତଙ୍କ ସହିତ କଲିକତା ପଳେଇଲେ। ବିଷମ ବରାଳ ନାମକ ଜଣେ ଭଦ୍ରଲୋକଙ୍କ ଘରେ କାମ କରୁଥିବା ବେଳେ ଦିନେ ସନ୍ଧ୍ୟାରେ ବସି ତାଙ୍କ ଲଲିତ  କଣ୍ଠରେ ଗୀତତିଏ ଗାଉଥିବା ସମୟରେ ଗୁଣଗ୍ରାହୀ ବିଷମ ବାବୁଙ୍କ ଦୃଷ୍ଟିରେ ପଡିଲେ । ବିଷମ ବାବୁ ଥିଲେ କଲିକତା ଆକାଶବାଣୀ କେନ୍ଦ୍ରର କଣ୍ଠଶିଳ୍ପୀ ଓ କ୍ଲାରିଓନେଟ ବାଦକ । ସେ କୃଷ୍ଣପ୍ରସାଦଙ୍କୁ କଣ୍ଠସଙ୍ଗୀତ ଓ କ୍ଳେରୀଓନେଟ ବାଦନ ଶିକ୍ଷା ଦେବା ଆରମ୍ଭ କଲେ। ଐଶୀ-ପ୍ରତିଭା ସମ୍ପନ୍ନ କୃଷ୍ଣପ୍ରସାଦ ବେହେରା ତିନି ବର୍ଷ ଭିତରେ ଉଭୟ ବିଦ୍ୟାକୁ ଆୟତ୍ତ କରିନେଲେ।

୧୯୩୦ ମସିହା ବେଳକୁ ସୋର ନିକଟବର୍ତୀ କୋଚିଆକୋଇଲି ଗାଁର ଜମିଦାର ନୀଳମଣି ଉପାଧ୍ୟାୟଙ୍କ ଦ୍ଵାରା ଗଠିତ ଅପେରା ପାର୍ଟିରେ ମାଷ୍ଟର ହିସାବରେ ଯୋଗ ଦେବାକୁ ନିମନ୍ତ୍ରଣ ପାଇଲେ କୃଷ୍ଣପ୍ରସାଦ। ସେଇ ଷୋହଳ ବର୍ଷ ବୟସରୁ ଆରମ୍ଭ ହେଇଥିଲା ତାଙ୍କର ଯାତ୍ରାଦଳମାନଙ୍କରେ ଓସ୍ତାଦି କରିବା ଯାହା ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଜାରି ରହିଥିଲା। ଆସ୍ତେ ଆସ୍ତେ କବିଙ୍କ ପ୍ରତିଭାର ବାସନା ଗାଁକୁ ଗାଁ ବ୍ୟାପିବାରେ ଲାଗିଲା। କେତେ କେତେ ଗାଁ ଯାତରା ଦଳରେ ଓସ୍ତାଦି କରିବାକୁ ଡାକରା ଆସିଲା। କିନ୍ତୁ ଆସ୍ତେ ଆସ୍ତେ ତାଙ୍କ ଓସ୍ତାଦିରେ ଚାଲୁଥିବା ଯାତରା ଦଳମାନେ ସବୁ ଭାଙ୍ଗି ଯାଇଥିଲେ। ତେଣୁ ସେ ଯାଇ କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟରରେ ଯୋଗ ଦେଇଥିଲେ । କାଳୀଚରଣଙ୍କ କୁମ୍ଭାରଚକରେ ମଠାମଠି ହେଇ କୃଷ୍ଣପ୍ରସାଦଙ୍କର ଲେଖନ, ଅଭିନୟ, ଗୀତ, ସଙ୍ଗୀତ ପ୍ରଭୃତି  କଳାକାର ଜୀବନର ସବୁ ବିଭାଗ ଗୁଡିକ ମାର୍ଜିତ  ରୂପ ପାଇଥିଲା। ତା’ସଙ୍ଗକୁ  ସେଇଠି କୃଷ୍ଣ ପ୍ରସାଦଙ୍କୁ ମିଳିଥିଲା ଏକ ମହାର୍ଘ ଉପହାର – କୃଷ୍ଣଙ୍କ ରାଧା, କଳାକାର ଜୀବନର ମ୍ୟୁଜ; ଓଡ଼ିଶା ଥିଏଟରରେ ଗୀତ, ନାଚ, ଅଭିନୟ କରୁଥିବା ସୁବର୍ଣ୍ଣ ଲତା। ଘରେ କୃଷ୍ଣ ପ୍ରସାଦଙ୍କ ବିବାହିତା ଗୃହଲକ୍ଷ୍ମୀ କମଳା ଦେବୀ ଆଉ କଳା ଜଗତରେ ଲୀଳାସଙ୍ଗିନୀ ସରସ୍ଵତୀ ସୁବର୍ଣ୍ଣ ଲତା।

ନାନାଦି ଘନଘଟା ଭିତରେ ଓଡିଶା ଥିଏଟର୍ସ ଭାଙ୍ଗି ଯିବାବେଳକୁ କୃଷ୍ଣପ୍ରସାଦ ବେହେରା ପୁଣି ଥରେ ତାଙ୍କର ପୁରୁଣା ଲୀଳାଭୂମି ଗାଁ ଯାତରା ଦଳମାନଙ୍କରେ ଓସ୍ତାଦି କରିବାକୁ ଫେରି ଆସିଲେ । ସୋରୋ ନିକଟସ୍ଥ ଅଭଣା, ଅଞ୍ଜି, ମଙ୍ଗଳପୁର, ଗୁଡ, ନଳାଙ୍ଗ ଇତ୍ୟାଦି କେତେ କେତେ ଯାତ୍ରା ଦଳରେ ତାଙ୍କର ନଟ ଜୀବନ ସମାହିତ ହେଲା । ସେ ମଧ୍ୟରୁ ତାଙ୍କର ସବୁଠୁ ସୃଜନଶୀଳ ସମୟ କଟିଥିଲା ଅଭଣାରେ ୧୮ ବର୍ଷ ଏବଂ ମଙ୍ଗଳପୁରରେ ୪ ବର୍ଷ ।

କୃଷ୍ଣପ୍ରାସାଦ ବେହେରା ଥିଲେ ବହୁମୂଖୀ ପ୍ରତିଭା, ଏକାଧାରରେ ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା, ଗୀତିକାର, ସ୍ଵରକାର, ଗାୟକ ଏବଂ ବାଦ୍ୟଶିଳ୍ପୀ। ଚାଳିଶ ବର୍ଷର ନାଟ୍ୟ ଜୀବନରେ ସେ ପ୍ରାୟ ୬୮ ଖଣ୍ଡ ନାଟକ, ୮୦୦ ଗୀତିକବିତା, ଅସୁମାରୀ ସୁଆଙ୍ଗ, ତାମସା, ନୃତ୍ୟନାଟିକା ଇତ୍ୟାଦି ଲେଖି ଯାଇଛନ୍ତି। କୃଷ୍ଣପ୍ରସାଦଙ୍କ ଗୀତିକବିତା ଗୁଡ଼ିକ ତାଙ୍କ ନାଟକ ଗୁଡ଼ିକର  ନିର୍ଦ୍ଦିଷ୍ଟ ପରିବେଶରେ ଗାୟନ ପାଇଁ ରଚିତ ହୋଇଥିଲେ । କିନ୍ତୁ ଅଧିକାଂଶ ସୃଷ୍ଟିର ଭାବଗତ ଆବେଦନ କାଳୋତ୍ତୀର୍ଣ୍ଣ ଏବଂ ଚିରନ୍ତନ । ବିଭିନ୍ନ ପରିବେଶ ପାଇଁ ରଚିତ ହୋଇଥିବାରୁ ଗୀତିକବିତା ଗୁଡିକ ବିବିଧ ରସରେ ରସାଣିତ – ଭକ୍ତିନୈବେଦ୍ୟ, ପଲ୍ଲୀପ୍ରାଣତା, ଉଦବୋଧନୀ, ବିଦ୍ରୋହାତ୍ମକ, କ୍ଷୋଭ, ଜୀବନାନ୍ଵେଷଣ, ରମ୍ୟରୋମାଞ୍ଚ, କଟାକ୍ଷ, ହାସ୍ୟରସ, ବିରହ, ବିଚ୍ଛେଦ ଇତ୍ୟାଦି।   

ତାଙ୍କର ଗୀତିକବିତା ଗୁଡିକ ଉଭୟ କମନୀୟତା, ଧ୍ୱନିଲାଲିତ୍ୟ  ଏବଂ ଗଭୀର ଭାବବ୍ୟଞ୍ଜନାର ଅପୂର୍ବ ସମନ୍ଵୟ । ସମ୍ବେଦନପୂର୍ଣ୍ଣ ଜୀବନସମ୍ପୃକ୍ତି, ମାଟିମନସ୍କତା, ମୁକ୍ତିକାମନା, ପ୍ରଗତିଶୀଳତା, ନିଷ୍ପେଷିତର ପକ୍ଷଧର ଆବେଦନ, ଶୋଷଣକଷଣ ବିରୋଧରେ ବିଦ୍ରୋହ ପ୍ରଭୃତି  ନବଜାଗରଣର ସମସ୍ତ ଅନ୍ତଃସ୍ଵର ସହିତ ଗମ୍ଭୀର ନାନ୍ଦନିକତା  ତାଙ୍କ ଗୀତିକବିତାରେ ଢେଉ ଭାଙ୍ଗେ।

~ ଇତର ମଣିଷର ପକ୍ଷଧର ~
କୃଷ୍ଣପ୍ରସାଦ ବେହେରା ସୀମାନ୍ତରିତ ମଣିଷର ପକ୍ଷଧର । ନିଷ୍ପେଷିତ ମଣିଷର ଶୋଷଣ, କଷଣ, ବିଭେଦ, ବୈଷମ୍ୟ ବିରୋଧରେ ତାଙ୍କ ଗୀତି କବିତା ସବୁ ବ୍ୟଥାତୁର କବିପ୍ରାଣର ବିଦ୍ରୋହୀ ବୟାନ। ତା’ ସତ୍ତ୍ୱେ ବି ସେ ସବୁ ତଥାକଥିତ ବିଦ୍ରୋହୀ କବିତା ପରି ଉପର ଠାଉରିଆ ସ୍ଲୋଗାନଧର୍ମୀ ବୋମାବାଜି ନୁହେଁ; ଉଭୟ ଭାଷା ଓ ଭାବରେ  ଏସବୁ କବିର ମର୍ମଦହନର ମାର୍ମିକ ପରିପ୍ରକାଶ। ଆଧୁନିକ ଭାବମୟ ଚିତ୍ରକଳ୍ପମାନଙ୍କର ପ୍ରୟୋଗରେ ଭରପୁର ଏଇ ଗୀତିକବିତା ଗୁଡ଼ିକ ଅତ୍ୟନ୍ତ କମନୀୟ ଓ ଲାଲିତ୍ୟମୟ  ।

ବିଷମତା-ବିଜଡିତ ସମାଜରେ ଅମାନୁଷିକ ଜୀବନ ଧାରଣର ବର୍ଣ୍ଣନାରେ ଅପୂର୍ବ ଶ୍ଲେଷ ତାଙ୍କର ଏଇ କବିତାଟିରେ:
“ଅତି ତାଜା କଞ୍ଚା ଲହୁ ଟଗମଗ
ହସ ହସ ମୁଖ ତରୁଣ ଚାହାଁ,
ତୋ ଭୋକ ପାଇଁ କି ତାଳଚେର ଖଣି
କୋଇଲା କୁଢରେ ଫୁଟୁଛି ଚାହା !

ତେନ୍ତୁଳି ମଞ୍ଜିର ଉର୍ବର ଅଟା
ବାଲି ମିଶା ଡାଲି ଚମଡା ପରଟା,
ବନଫଳ ତେଲ ପବିତ୍ର ଡାଲଡା
ଭୋକର କାକରା ହୋଇଛି ଥୁଆ
ପ୍ରାଚୀନ ଏସିଆ ସଭ୍ୟ ଦୁନିଆ
ପୁଞ୍ଜିପତି ରଙ୍ଗ ଦେଖିବୁ ଆ”

ଶାସକ ବର୍ଗର ଶୋଷଣ ଓ ଅତ୍ୟାଚାରକୁ କି ଶାଣିତ ଶ୍ଲେଷ କରିଛନ୍ତି କବି କୃଷ୍ଣପ୍ରସାଦ ବେହେରା ଏଇ ପଂକ୍ତିଟିରେ –

“ତୁମ ହାତେ ଅଛି ଶାସନ ଦଉଡ଼ି
ବେଡ଼ି କୋରଡ଼ାର ମାଡ଼,
ତୁମେ ୟେ ଜଗତେ ବଡ,
ମାଉଁସ ଚିପୁଡି ରକତ ନିଗାଡ଼ି
ଓଜନ କରୁଚ ହାଡ଼ ।

~ ଯନ୍ତ୍ରଣାର ଶେଜରେ ସବୁଜିମାର ସ୍ଵପ୍ନ ~
ସମ୍ବେଦନହୀନ ସାମାଜିକ ଜୀବନରେ ଯୁଗଯନ୍ତ୍ରଣାକୁ ନେଇ କବି କୃଷ୍ଣପ୍ରସାଦ ବେହେରା ଯେତିକି ବ୍ୟଥିତ ତା’ଭିତରେ ସବୁ ଜଞ୍ଜାଳକୁ ଆତ୍ମସାତ କରି ଏକ ସୁନ୍ଦର ଜୀବନଟିଏ ବଞ୍ଚିବାକୁ ସଂଗ୍ରାମ କରୁଥିବା ସାଧାରଣ ମଣିଷର ସବୁଜ ସ୍ଵପ୍ନମାନଙ୍କୁ ନେଇ କବି ପ୍ରାଣ ମଧ୍ୟ ସେତିକି ଉଚ୍ଛଳ ।

“ଦିଶେ ଆଗାମୀ ଯୁଗର ଗାଁରେ
ଆମ ନୂଆ ଭାରତର ଗାଁ,
ପିଚୁ ଢଳା ପ୍ରତି ଗାଁକୁ ସଡ଼କ
ସୁଶୀତଳ ଛାଇ ଫୁଲର ମହକ,
ନୀଳ ବସନା ମୋ ମାଟି ମା’ ରେ
ଦିଶେ ଆଗାମୀ ଯୁଗର ଗାଁ ।

ବାରମାସୀ କ୍ଷେତ ହସେ ବିଲମାଳ
ବୁଲୁଛି କଳ ଲଙ୍ଗଳ,
ଖରା ଦିନରେ ବି ବେଙ୍ଗ ରଡ଼ି ଦିଏ
ବିଜୁଳି ତୋଳୁଛି ଜଳ
ମୋଟର ବୋହୁଛି ଧାନମୁଗ ବିରି
ଜଡ଼ା ଜବ ତିଳ କୋଳଥ ଖେସାରି
କାଟେ ଫସଲ ସୁନାର ଦା’ରେ
ଆମ ନୂଆ ଭାରତର ଗାଁ
ଦିଶେ ଆଗାମୀ ଯୁଗର ଗାଁ ।

~ ସମନ୍ଵୟ ଓ ସମ୍ପ୍ରୀତିର ଆହ୍ଵାନ ~
ପ୍ରତ୍ୟେକ ଦରଦୀ ମଣିଷ ପରି ଧର୍ମ, ଜାତି, ଳିଙ୍ଗ ଭିତ୍ତିରେ ବିଭାଜିତ ସମାଜରେ ହିଂସା, ଦ୍ଵେଷଭରା ମଣିଷ ଜୀବନକୁ ଦେଖି ଦରଦୀ କବିପ୍ରାଣ ଆର୍ତ୍ତନାଦ କରିଛି ଏବଂ ଏକ ସମନ୍ଵୟୀ ସ୍ଵପ୍ନ ଦେଖି ମଣିଷ ଜାତିକୁ ଦୃପ୍ତ ଆହ୍ଵାନ ଦେଇଛି ସେ ୟେ କବିତାରେ-
“କହିଲେ ବୁଦ୍ଧ ଯୀଶୁ ଶଙ୍କର କନଫୁସିଅସ କହେ କବୀର
ଗୁରୁ ନାନକ ରାୟ ରାମାନନ୍ଦ ତୁକରାମ ମହମ୍ମଦ
ବିଶ୍ଵବାସୀ ହିଂସା ଦ୍ଵେଷ ହତ୍ୟା କର ବନ୍ଦ
ସତ୍ୟ ଶାନ୍ତି ଦୟା କ୍ଷମା ତ୍ୟାଗ ପଥ ଧର
ପଶୁ ନୋହୁଁ ତୁ ମଣିଷ ଛୁଆ ମଣିଷ କାମ କର
×××  ×××  ×××
ସରଗ ଯିଏରେ ବେହସ୍ତ ସେଇଠି
ଦୁଇଟି ନାଆଁରେ ଗୋଟିଏ ଥାନ
ଗୀତା ଯାରେ କହେ ସରଗ ରାଇଜ
ବେହସ୍ତ ତାକୁରେ କହେ କୋରାନ”

ଅହିଂସା, ସତ୍ୟ, ଶାନ୍ତି ଓ ସହାବସ୍ଥାନର ଚଳନ୍ତି ପ୍ରତିମା ମହାତ୍ମା ଗାନ୍ଧୀଙ୍କୁ ନେଇ କୃଷ୍ଣପ୍ରସାଦଙ୍କ ଲେଖନୀରୁ ଏଇ କବିତାରେ ଝରିଛି ଅନ୍ତରାଞ୍ଜଳି-
“ଶାନ୍ତି ମୁକ୍ତି ପ୍ରଗତିର ବାଣୀ କଲ ପ୍ରଚାର
ସାବରମତୀ ସନ୍ଥ ତୁମେ ଗାନ୍ଧୀ ଚିର ସୁନ୍ଦର
ବିଶ୍ଵ ନଭେ ତବ ଶୁଭ ଜ୍ୟୋତି ନାଶେ ଅନ୍ଧାର”

ସମାଜର ଆଉ ଗୋଟିଏ ଅବହେଳିତ ଏବଂ ଲାଞ୍ଛିତବର୍ଗ, ନାରୀ ଜାତି ପାଇଁ କବିପ୍ରାଣ ବି ବ୍ୟଥିତ ତାଙ୍କ କବିତାରେ-
“ଏଇ ଆମ ମା ଜାତି
ଧରଣୀ ଠାରୁ ଯେ ସହଣୀ ଅଧିକ
ଫୁଲଠୁଁ କଅଁଳ ଛାତି ।

ଖସି ପଡ଼ୁ ଗ୍ରହ ତରା ଛିଡ଼ି ପଡ଼ୁ ଆକାଶ
ଜଳି ଉଠୁ ବାଡ଼ବାଗ୍ନି ଥମି ଯାଉ ବତାସ
ଫାଳ ଫାଳ ଫାଟି ଯାଉ ଧରଣୀ ଛାତି ।
ବିଶ୍ଵକୁ ନଇଁ ଆସୁ ଶେଷ ସଙ୍କ୍ରାନ୍ତି
ନହେଉ ଏଇ ଅନୀତି
ମାତୃ ଜାତିକୁ ଯନ୍ତ୍ରଣା ଦେଇ
ନକହୁ କେହି ଅସତୀ ।

~ ବିଦ୍ରୋହ ଓ ସମର୍ପଣର ଗୀତାଞ୍ଜଳି ~
ନବଜାଗରଣୀୟ ମାନବିକ ମର୍ଯ୍ୟାଦା ପ୍ରତି ସେ ଏତେ ସଚେତନ ଯେ ତାଙ୍କର ଅଧିକାଂଶ ଭକ୍ତିମୂଳକ ଗୀତିକବିତା ଗୁଡ଼ିକ କଳ୍ପିତ ଭଗବାନଙ୍କ ପାଖେ ଗୁହାରିଆ ପିଟିସନ କି କୃତାଞ୍ଜଳିପୁଟ କାକୁତିମିନତି ନୁହେଁ। ମଣିଷକୁ ସେ କୋଉ ପ୍ରଭୁ ପାଖେ ହାତପତା ମାଗୁଣିଆ କି ଅସହାୟ ବାହୁନିଆ କରି ଠିଆ କରେଇ ନାହାନ୍ତି। ଦେଖନ୍ତୁ ମଣିଷପଣିଆର କି ମର୍ଯ୍ୟାଦାବନ୍ତ ବିଦ୍ରୋହ, କି ଅଧିକାର ସାବ୍ୟସ୍ତ ଏଇ ସବୁ ଭକ୍ତିକବିତାରେ । ସେଥିରେ ଅଭିଯୋଗ ଅଛି, ସମର୍ପଣ ଅଛି, ଏକାତ୍ମତା ଅଛି କିନ୍ତୁ ଅଧୀଶ୍ଵର ପାଖରେ ଅଧୀନର ବଶମ୍ବଦତା ନାହିଁ ।
“କୁହ କଳା ମୁହଁ ଜଗାଠାକୁର
କିଆଁ କଳିଯୁଗେ ହେଲ ପଥର,
ତୁମେ ଦେଉଳରେ ଥାଇ ହସୁଛ
ଏଣେ କାନ୍ଦୁଛନ୍ତି ଦୁଖୀ ଆତୁର,
ପ୍ରଭୁ ଛପନ ମଣୋହୀ ଗିଳୁଚ
ଦେଖ ଉପବାସୀ କେତେ ଜନତା
ଏ କି ଅବିଚାର ତୁମେ କରୁଛ
ନିଜେ ହୋଇଣ ଜଗତ କରତା,
ତୁମ ସାନ ବଡ ଭେଦ ବିଚାରେ
ଜଳିଯାଏ ତୁମ ଚାରୁ ଜଗତ
ହିଂସା ଅସୂୟା ଡାଆଣୀ ଡେଉଁଛି
ମାଗେ ତତଲା ତଟକା ରକତ ।
×××  ×××
ଭକ୍ତର ଯଦି ଭକ୍ତି ନ ଘେନ ଭକ୍ତର ଭଗବାନ
ସୃଷ୍ଟିର ତୁମେ ସ୍ରଷ୍ଟା କିପରି ହେବ କୁହ ମହୀୟାନ ?

ଠିକ ଯେମିତି ବିଦ୍ରୋହ ସେମିତି ଅପୂର୍ବ ସମର୍ପଣ ଆଉ ଚେତନାର ବ୍ୟାପକତା; ଅପୂର୍ବ ମହାଭାବରେ ନିଷ୍ପେଷିତ ହେଇଯିବାର ଆତ୍ମ ନିବେଦନ:
“କୁହୁ କୁହୁ ପିକ ଡାକେ ସନ ସନ ପବନ
ମହ ମହ ଫୁଲ ବାସେ ତାରାଭରା ଗଗନ
ଚିତ୍ତେ ଚିନ୍ତି ଚିନ୍ତାମଣି ଚିଦାନନ୍ଦ ଚିନ୍ମୟ
ନିତି ନିତ୍ୟାନନ୍ଦ ଧାମେ ଯାଆ ରେ
ଅନ୍ତରେ ସେ ଅଛି ନାହିଁ ବାହାରେ ।

ପୁଣି  କି ମଧୁର ଅନ୍ତରଙ୍ଗ ଏକତ୍ମୀୟତା ସେ ଆରାଧ୍ୟ ସତ୍ତା ସହିତ:
“ବଧୁଲି  ଅଧର ମାଧୁରୀ ମଧୁର ସୁନ୍ଦର ମୋର ହରି
ନବ ମୁଞ୍ଜରିତ ଅଲି ଗୁଞ୍ଜରିତ ସଜ ନୀଲୋତ୍ପଳ ପରି
ଚନ୍ଦ୍ରରୁ ଚିପୁଡି ସୁଧାକେ ବୋଲିଛି କୋମଳ ତମାଳ ଦାମ
ଅସିତ ଆକାଶେ ଅସୀମ ବିକାଶ ନବ ଦୂର୍ବାଦଳ ଶ୍ୟାମ”

~ ଗୀତିମୟ ଗାଁରେ ମାଟି କାଦୁଅର କବିତା ~
ଗାଁ ଯାତ୍ରାଦଳଙ୍କ ଦ୍ଵାରା ଅଭିନୀତ ହେଉଥିବା ଗାଁର ଜୀବନକୁ ନେଇ ରଚିତ ତାଙ୍କ ନାଟକ ମାନଙ୍କରେ କୃଷ୍ଣପ୍ରସାଦଙ୍କ କବିତାର ଛବିଳତା ଆଉ ନିବିଡ଼ତା ତାଙ୍କର ପଲ୍ଲୀପ୍ରକୃତିର ଚିତ୍ରଣରେ ଖୁବ ମନୋମୁଗ୍ଧକର। ପଲ୍ଲୀକବିତା ଲେଖିଥିବା ଅଧିକାଂଶ କବିଙ୍କ ପଲ୍ଲୀଚିତ୍ରଣ ମୁଖ୍ୟତଃ ବର୍ଣ୍ଣନାଧର୍ମୀ; ସେଠି ଶାନ୍ତ, ନିରୀହ ସୁରମ୍ୟ ପଲ୍ଲୀ ପ୍ରକୃତିର ବର୍ଣ୍ଣନା ଅଧିକ । କୃଷ୍ଣପ୍ରସାଦ କିନ୍ତୁ ତାଙ୍କ ପଲ୍ଲୀ କବିତାରେ ପଲ୍ଲୀପ୍ରକୃତି ଭିତରେ ଜିଇଁଥିବା ଜୀବନ୍ତ ସତ୍ତାମାନଙ୍କର  ହସକାନ୍ଦ, ଦୁଖ, ଯନ୍ତ୍ରଣା, ଶ୍ରମ, ଶୋଷଣ, ବୈଷମ୍ୟ, ଟାହିଟାପରା, ଚପଳତା, ଉଚ୍ଛଳତା ସବୁକୁ ମାର୍ମିକ ଭାବରେ ଚିତ୍ରଣ କରିଛନ୍ତି । ଚାଷବେଳ ଆସିଲେ କାନ୍ଧକୁ କାନ୍ଧ ମିଳେଇ ଭାଇ ବନିଯାଉଥିବା ବାପପୁଅ, ସଞ୍ଜ ଅନ୍ଧାରରେ ଡକାଡକି ହେଇ ଚାଉଳ ଧୋଇ ବାହାରି ଥିବା ଗାଁ ଭୁଆସୁଣୀ, ମୁଣ୍ଡରେ କାଠ ଆଉ କାଖରେ ଛୁଆର ବୋଝ ବୋହୁଥିବା ଆଦିବାସୀ ମା’, ସାନଗଉଣୀରେ ଧାନ ମାପି ଠକୁଥିବା ଗାଁ ପଧାନ, ବାହା  ହେଇ ନ ପାରି ମନସ୍ତାପରେ ରହିଥିବା ଗରୀବ ଘରର ଝିଅ, ରୁଣୁଝୁଣୁ ଝୁଣ୍ଟିଆ ପାଦରେ ସଖୀ କଣ୍ଢେଇଟି ପରି ଚାଲୁଥିବା ଲାଜୁକି ନୂଆବୋହୂ, ନାଆ ବାହି ବାହି ଥକି ପଡିଥିବା ନାଉରୀ, କିଆ ପେଁକାଳି ବଜାଉଥିବା ମାମୁଁପୁଅ,  କୋଉ ନାଗରର ବାଟ ଚାହିଁ ଟେରେଇ ଟେରେଇ ଚାହୁଁଥିବା ଚୁଲୁବୁଲି ଚପଳା କିଶୋରୀ, ଗାଁର ଅଶରୀରୀ ଦୁନିଆର ଭୁତପ୍ରେତ, ଡାଆଣୀ, ଚିରଗୁଣୀ ଗ୍ରାମଦେବତୀ ସମସ୍ତେ ସେଥିରେ ରୂପାୟିତ। ଏମିତିକି ସେଠି ହଳଦୀ ମାଖି ଛଟକି ଛଣଫୁଲ ଭଅଁର ଟୋକାକୁ ଇସାରାରେ ନିମନ୍ତ୍ରଣ ଦିଏ, ପାଣିର ପଞ୍ଜୁରୀ ଠେଲି ମାଛରଙ୍କା ଡୁବିଯାଏ, ଢେଉର ପାଲିଙ୍କି ଚଢ଼ି ବେଙ୍ଗନାନୀ ବୋହୂହେଇ ଯାଏ, ସାଙ୍ଗ ହବା ପାଇଁ ପାଣିକୁଆ ମାଛରଙ୍କାକୁ ଡାକେ, ମାଟିଆ ଚିଲର କଅଁଳା ଛୁଆ କାଣ୍ଟିବଗ ସଙ୍ଗେ କଜିଆ କରେ, ହେସୁଆତି ବଣରେ ବଗ ବସି ଧ୍ୟାନ କରୁଥାଏ ଆଉ ନେଳିଆ ପାହାଡ ନିଦରେ ଶୋଇ ଥାଏ। । ଏଇସବୁ ଅସଚେତନ ନିର୍ବାକ ଚରିତ୍ରମାନେ କୃଷ୍ଣପ୍ରସାଦଙ୍କ ପଲ୍ଲୀମଞ୍ଚରେ ସମସ୍ତେ ସବାକ ସକ୍ରିୟ ଅଭିନେତା । କବି ସେଠି ବାହାରୁ ବୁଲି ଆସିଥିବା ପର୍ଯ୍ୟଟକ ଭଳି ପଲ୍ଲୀପ୍ରକୃତିର ଫୋଟୋ ଉଠଉ ନାହାନ୍ତି, ସେ ତା ଭିତରେ ନିବିଡ଼ ହେଇଯାଇଥିବା ଏକ ବିହ୍ଵଳିତ ପ୍ରାଣ । କବିତାର ଶବ୍ଦବି ସବୁ ନିପଟ ଗାଉଁଲି ଲୋକମୁଖର କଥିତ ଭାଷା – ଅଖଳ ମଖଳ, ଯୋଡି ଯାଉଁଳି, ଚଙ୍ଗଚଙ୍ଗୀ, ଝୁମୁରୁ ଝୁମୁରୁ, ଟୁସି କଲରା, ପାଟଫୁଲି, ମାଈ ସଞ୍ଜ ଇତ୍ୟାଦି !
“ଏଇ ପାଟ ଆର ପାରି ବଣବୁଦା ହେଲେ ପାରି
ନଈରେ ପଡିଛି ଟିକି ନାଆରେ
ତହିଁ ମୋର ମାମୁଁଘର ଗାଁରେ
ଦି ଦି ପତୁରିଆ ଧାନ ମିଚି ମିଚି କଳା ଦିଶେ
ଝଡେ ଆମ୍ବ ହେଲେ ଝଡ ବାଆରେ
×××   ×××
ଦି ପାଖରେ ଦାଣ୍ଡି ଘର ଗାଁ ଭାରି ସୁନ୍ଦର
ଅଖଳ ମଖଳ ମନ ମାମୁଁ ସାନ ପୁଅର
କିଆ ପେଁ କାଳି ଧରି ଆମ୍ବ ଟାକୁଆର ତୁରୀ
ବଜାଏ ସେ, ରାଗେ ଆଇ ମାଆ ରେ
ତହିଁ ମୋର ମାମୁଁ ଘର ଗାଁଆଁରେ
×××   ×××
ମାଟି ମା’ ଅଙ୍ଗନେ ସୁନା ଧାନ ଲୋଟେ
ଜଳେ ମଣି ଦୀପାଳି ହୀରା ଫୁଲ ଫୁଟେ
×××   ×××
କୋଇଲି ବେଙ୍ଗୁଲୀ ଦି ଭଉଣୀ ଲୋ
ଆଗୁଲି ପିଛିଲି ଗଲେ
ଶାଳବଣ ପାଖ ବିଲେ
ଅଳପ ଡେଙ୍ଗୀ ସେ ପାତେଳି କୋଇଲି
ଧାର ମୁହିଁ ଚଙ୍ଗଚଙ୍ଗୀ
ତେଲ ହଳଦୀରେ ପଚାଇଛି ଦେହ 
ଶାଶୁଘର ଯିବା ଲାଗି
ଟେରେଇ ଟେରେଇ ଅନାଏ କୋଇଲି
ଦୁରୁ କିଏ ହାତ ଠାରେ ।
×××   ×××
ଖର ଶନି ବାର ତିସିରା ପହର
ଅମେଇଶା ନିଶା ରାତି ଲୋ
ଜୁଳୁଜୁଳା ପୋକ ଜକଜକଜକ
ଚିରିଗୁଣୀ ଜାଳେ ବତୀଲୋ
ବବନା ଭୁତଟା ଗଡି ଗଡି ଯାଏ
ହୁଁ ହୁଁ କରେ ହୁଁ ହୁଁ
ମାଟିଘୋଡା ଚଢି ଯାଆନ୍ତି ବାସୁଳି ପାଶେ
ଝିଅ ପୁଅ ନାତି ଲୋ
×××   ×××
ଗରୀବ ଘରର ଗାଁ ଝିଅ କାନ୍ଦେ
ଲୁହ ତାର ଗୌରବ
ଝରି ଝରି ଯାଏ ମରମ କୁସୁମ
ମରି ଯାଏ ସୌରଭ
ଫୁଲ ଘୁଞ୍ଚି ଘୁଞ୍ଚି ଯାଏ ଫୁଲ ତୋଳିବାକୁ
କର ବଢାଇଲେ ଜଳ ତ ଅଥଳ ହୁଏ
×××   ×××
ବୁଦି ବୁଦି ବନବୁଦା ନଈ କୂଳେ କୂଳେ
ଝୁମୁରୁ ଝୁମୁରୁ ପାଦେ ନୂଆ ବୋଉ ଚାଲେରେ
ନୂଆ ବୋଉ ଚାଲେ।
କାଇଁଚ କତୁରି ତାଡ ଫୁଲ ନାକ ଚଣା
ସଖୀ କଣ୍ଢେଇଟି ପରି ମାନିଛି ଗହଣା
ଆଡ଼ ପାତେଳି ଅଳପ ହସେରେ
ବସନ୍ତେଇ ମଠାଶାଢୀ ଲୋଟି ଯାଏ ତଳେ ରେ
ନୂଆବୋହୂ ଚାଲେ ରେ।
×××   ×××
ସେପାଖେ ହଳଦୀ କ୍ଷେତ ଗହୀର ବିଲରେ କଇଁ
ଉଡି଼ଯାଏ ଗେଣ୍ଡାଳିଆ କଳାମେଘ ଆସେ ନଇଁ
ପାଣିର ପଞ୍ଜୁରି ଠେଲି ମାଛ ରଙ୍କା ବୁଡ଼ିଯାଏ
ଝାଉଁ ବଣ ଗୀତ ଗାଏ ମୌସୁମୀ ମହୁ ପିଇ
ସାରୁପତର ପେଡିରେ ବେଙ୍ଗ ନାନୀ ଶୋଇଛି
ପରିହାସ ପବନରେ ଆଖି ବୁଜି ଯାଇଛି
ଢେଉର ପାଲିଙ୍କି ଚଢ଼ି ସେପାରିକି ଯିବା ପାଇଁ
×××   ×××
ଭାରିତ ଟାପରା କରୁଛୁରେ ଟୋକା
ଦେଖାଇ ହଉଛୁ ଛୋପରା
ମୁଁ ରାଉତ ଘରର ରାହାବାଳୀ ଝିଅ
ଚିହ୍ନିଛୁ ନା ମୋତେ ଛତରା
×××  ×××
କୋଦାଳରେ କୋଡିଲା କେ ସରଗର କିଆରି
ଅଧା ଧଳା  ଅଧା କଳା ମେଘ କାଟେ ସିଆରି
×××  ×××
କଲମ ଫୁଲ ନିଦରେ ଶୁଏ ନରମ ସଞ୍ଜ ଆସେ
କଞ୍ଚା କମଳା ସବୁଜ ଘାସେ ଶିଶିର ବିନ୍ଦୁ ହସେ
×××  ×××
ଚାଉଳ ଧୋଇ ଯିବୁ ନାହିଁ  କି ଲୋ ଆସେ ଅନ୍ଧାର ମାଡି
ଗାତୁଆ ପେଚା କୁନ୍ଥେଇଲାଣି  ପୁଣି ହେଇଛି ନଈ ବଢି
ବିଲୁଆ ଦିଏ ରଡି, ବାଟ ଜଗିବ ଅନ୍ଧାର ଆସି
ନଈରେ ଯିବ କଳସୀ ଭାସି
ଡରେଇବ ଲୋ ଭଜୁଆ ମା’ ବାଟେ ପଡିଛି ମଡି 

~ ଭାଷାର ଚମକ  ଓ ଭାବର କୁହୁକ ~
ମଣିଷର ହର୍ଷ, ବିଷାଦ, ପ୍ରେମ, ବିରହ, ବିଚ୍ଛେଦ, ହାସ୍ୟରସ, ପ୍ରଭୃତି ବିଭିନ୍ନ ଆବେଗ ସହିତ ଗଭୀର ଜୀବନ ଦର୍ଶନକୁ ଖୁବ ଆଧୁନିକ ଅବବୋଧ ଏବଂ ବ୍ୟଞ୍ଜନାରେ ତାଙ୍କର ଅନେକ ସୁଗମ ସଙ୍ଗୀତରେ ରୂପାୟିତ କରିଛନ୍ତି କବି କୃଷ୍ଣପ୍ରସାଦ ବେହେରା।

ହସିଦିଏ ଲାଜକୁରୀ କଇଁ ଜହ୍ନର ଓହଳ ନଇଁ ଆସେ
ଫଣା ଟେକି ଚରଇ କୁହୁଡି ଓଦା ମାଟି ଓଦା ଦୁବ ଘାସେ ।
କ୍ଳାନ୍ତ ଶିଶୁ ଆକାଶେ ଶୋଇଛି ଅସହ୍ୟ ସୁନ୍ଦର ଉପବନ
ବନ ବୀଥିକାର ଘନ ବାସ ଚୋରି କରେ ଚପଳ ପବନ
ନିଦ୍ରାହୀନ ନକ୍ଷତ୍ରର  ସଭା ସ୍ବଚ୍ଛ ଶୁକ୍ଳ ଛାୟାପଥ ପାଶେ ।

ହସି ହସି ଖସି ଯାଏ ଶଶି ଉଚ୍ଚ ଉଚ୍ଚ ପରବତ ଶିରେ
ଚିତାକୁଟା ଶାମୁକା ସୁନ୍ଦର ତାଳିପକା ନଦୀ ବାଲି ତୀରେ ।
ପାଣିର ପଞ୍ଜୁରୀ ଠେଲିଦେଇ ନିଃସଙ୍ଗ ତାରକା ବୁଡି ମରେ
ମୁକୁଲ ଆକୁଳ ସୁରଭିରେ ନିଦ ରାଇଜୁ ସପନ ଆସେ ।

×××  ×××
ଝରଣା କରୁଣ ଗୀତି ବାଜେନା ପାଷାଣ ବୁକେ
କଳ କଳ ଛଳ ଛଳ ଝର ଝର କାନ୍ଦେ ଦୁଃଖେ
କଳା ମେଘ କାନି ଝାଡେ ନେଳିଆ ପାହାଡ ପରେ
ରୁପେଲି ବନ ଜୋଛନା ଛାଇ ତଳେ ମିଶେ ଧୀରେ
ସାଥୀ ହରା ବନ ପକ୍ଷୀ ଚକିତେ ଚମକି ଡାକେ
ବସନ୍ତର ସମାରୋହ ଜାଗିଉଠେ ମାଟି ପରେ
ରାତିର ଖୋଳପା ଚିରି କପୋତର ଗୀତି ଝରେ
ସକାଳର କୁଆଁ ତାରା ବିଦାୟ କବିତା ଲେଖେ
×××  ×××
ପଳାଶର ପର ଝାଡି ଫଗୁଣ ଯାଇଛି ଫେରି
କୁହୁଡି ପରିଖା ଡେଇଁ ଫୁଲର ଫରୁଆ ଭରି
ବଳୟିତ ମଳୟର ଅତର ମହକ ଆସେ
ଚାନ୍ଦର ଚାନ୍ଦୁଆ ତଳେ ଚୁନାଚୁନା ମେଘ ଭାସେ 

ଏହା ଛଡା କୃଷ୍ଣପ୍ରସାଦଙ୍କ ଅଜସ୍ର ସ୍ରାବୀ ଲେଖନୀ ଅନେକ ଓଡିଶୀ, ବ୍ୟଙ୍ଗ ଗୀତ, ଯୁଗଳ ଗୀତ, ନୃତ୍ୟ ନାଟିକା ରଚନା କରିଛି। ରୀତି ଯୁଗୀୟ ଶୈଳୀରେ କବିଙ୍କ ରଚିତ ଅନେକ ଓଡ଼ିଶୀ ଗୀତ ଭିତରୁ ଏଇ ଗୀତଟି:
ଶେଯ ତେଜ ବରଜ ରାଜ ତନୁଜ ଆଜ
ଘେନ ମୋର ଅରଜ ନିଶି ଶେଷ
ମଞ୍ଜରିଲାଣି କଞ୍ଜ ହସେ କୁସୁମ ସଞ୍ଜ
ଦେବେ ଲାଜ ସଜନୀ ଦେଖି ବେଶ

ତାଙ୍କ ନାଟକର ଜଣେ କପଟୀ ଏବଂ ଲୋଭୀ ଚରିତ୍ରକୁ ବ୍ୟଙ୍ଗ କରି କୃଷ୍ଣ ପ୍ରସାଦଙ୍କର ଏକ ପ୍ରସିଦ୍ଧ ବ୍ୟଙ୍ଗଗୀତ –
ଧୁଡୁକା ଭାଇ ସୁଡ଼ୁକା ଜାଉ ହାମ୍ପୁଡ଼ି ହାମ୍ପୁଡ଼ି ଖାଉଚି
ଖାଲି ଫୁକୁରୁ ଫୁକୁରୁ ଡେଉଁଚି
ନୂଆ ପଲମର ବଡି ଭଜାକୁ ଏ କଣେଇ କଣେଇ ଚାହୁଁଚି।

କୃଷପ୍ରସାଦଙ୍କର ଗୀତିକବିତା ଭାବ ଗାମ୍ଭୀର୍ଯ୍ୟ ଓ କମନୀୟ ଧ୍ୱନି ଲାଳିତ୍ୟର ସମାହାର । ଚମକଦାର ଆଧୁନିକ ଚିତ୍ରକଳ୍ପ ପ୍ରୟୋଗ କରିବାରେ କବି କୃଷ୍ଣପ୍ରସାଦ ବେହେରା ଥିଲେ ଯେ କୌଣସି ପ୍ରତିଷ୍ଠିତ ଆଧୁନିକ କବିଙ୍କୁ ବଳିଗଲା ପରି ସିଦ୍ଧହସ୍ତ-
ମୃତ୍ୟୁ ଶୀତଳ ଅଫିମ ରଜନୀ,
ମେଘର ବାଗୁଡି ଖେଳ,
ନିଃଶ୍ଵାସ ଝଡ ଉଠେ,
କାଠ ଛାତି ତଳୁ ପଥର କଲିଜା,
ସଲ୍ଲଜ ମେଘ ମଉଳା ଖରା,
ଦାନ୍ତ ନିକୁଟା କୁଡିଆ ଘର,
ତାରାର ସହର,
ବାରବୁଲା ମେଘ,
ତୁଳାଭିଣା ଧଳା ମେଘ,
ମିଳନ ଯମୁନା ତୀରେ,
ପାଣିର ପଞ୍ଜୁରି ଠେଲି,
ଢେଉର ପାଲିଙ୍କି ଚଢି,
ପରିହାସ ପବନରେ,
ଦୁଧ ଦରିଆ କୂଳେ ନିଦ ନଉକା,
ରାତିର ଖୋଳପା ଚିରି,
ସଲ୍ଲଜ ମେଘ ମଉଳା ଖରା,
ଜହ୍ନର ଓହଳ ନଇଁ ଆସେ,
ଚିତାକୁଟା ଶାମୁକା ସୁନ୍ଦର ତାଲିପକା ନଦୀ ବାଲି ପରେ,
ନିଦ୍ରାହୀନ ନକ୍ଷତ୍ରର ସଭା,
ପଳାଶର ପର ଝାଡି,
କଳା ମେଘ କାନି ବାଜେ,
ତରୁଣୀ ତାରା ଚାହିଁଛି ହଁସ ରାତି ହସିଦିଏ,
ସୁନା ପୁଟ ଦିଆ ହୀରା ଝରା ରାତି,
କଳାରାତି ଆସେ ଫଣା ଟେକି,
ବାଦଲ ଚାଦର ଦିଏ ଢାଙ୍କି,
ଗର୍ଭିଣୀ କାଳ ରାତି,
ଚନ୍ଦ୍ରରୁ ଚିପୁଡି ସୁଧା କେ ବୋଲିଛି
ଇତ୍ୟାଦି।

ଆଧୁନିକ କବିମାନେ କେବଳ କବିତାରେ ହୁଏତ ଏଭଳି ଗୁରୁଗମ୍ଭୀର ରୂପକଳ୍ପର ପ୍ରୟୋଗ କରିଛନ୍ତି କିନ୍ତୁ ଗାୟନଯୋଗ୍ୟ ଲଘୁଧର୍ମୀ ଗୀତିକବିତାରେ, ପୁଣି ଗାଁ ଗହଳିର ଶସ୍ତା ମନୋରଞ୍ଜନ ଧର୍ମୀ ବୋଲି ବିଚାର କରା ଯାଉଥିବା ଗଣନାଟ୍ୟରେ ଚକିତ କଲାଭଳି ତାଳମେଳ ରଖି ଏଭଳି ରୂପକଳ୍ପମାନଙ୍କର ସାବଲୀଳ ପ୍ରୟୋଗ କୃଷ୍ଣପ୍ରସାଦଙ୍କ ବିସ୍ମୟକର ପ୍ରତିଭାର ପରିଚୟ। 

ତାଙ୍କ କବିତାର ଅନ୍ୟ ଏକ ବିଶେଷତ୍ଵ ହେଉଛି କୌଣସି ରାଜନୈତିକ ମତାଦର୍ଶ ବା କାର୍ଯ୍ଯକଳାପ ସହିତ ପ୍ରତ୍ଯକ୍ଷ ସମ୍ପୃକ୍ତି ନଥାଇ ମଧ୍ୟ କେବଳ ନିଜସ୍ଵ ଉନ୍ମୁକ୍ତ ଅନୁଭୂତି ଏବଂ ସଂବେଦନଶୀଳ ଦ୍ରୁଷ୍ଟି ବିନିଯୋଗରେ ଗଣଜୀବନର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷମତା ସମ୍ପର୍କମାନଙ୍କର ନିଛକ ରୂପାୟନ। ସମୟର ଯେଉଁ ପ୍ରେକ୍ଷାପଟ୍ଟରେ ତାଙ୍କର ସୃଜନଶୀଳତାର ଶିଖର ଯାତ୍ରା ସେ ଥିଲା ସ୍ଵାଧୀନତା ସଂଗ୍ରାମ ଆଉ ସ୍ଵାଧିନତା ଲାଭ ପାରବର୍ତ୍ତୀ  ଉତ୍ସାହ, ଉଦ୍ଦୀପନା ଆଉ ପୁରୋଦୃଷ୍ଟିର ସମୟ। ସେଥିପାଇଁ ତାଙ୍କ କବିତାରେ ଏତେ ବିଦ୍ରୋହ, ବିଶ୍ଵାସ ଆଉ ଦାମ୍ଭିକତାର ସ୍ଵର ।

କୃଷ୍ଣପ୍ରସାଦ ବେହେରା ଥିଲେ ଜନ୍ମସିଦ୍ଧ ସ୍ଵଭାବ କବି। ତାଙ୍କର ରଚନା ସବୁ ପଢିଲେ ଲାଗେ କୋଉ  ଅତୀନ୍ଦ୍ରିୟ ଜଗତରୁ ତାଙ୍କ ପାଖକୁ ଆବେଗ ସବୁ ଉତୁରି ଆସିଛି। ଅସୀମ ଅନ୍ତରୀକ୍ଷରୁ ମହାବାର୍ତ୍ତା ସଂଗ୍ରହ କରିଆଣୁଥିବା  କୋଉ ଉପଗ୍ରହ ସାଙ୍ଗରେ ଯେମିତି ତାଙ୍କ ଚେତନାର  ଅଦୃଶ୍ୟ ଆଣ୍ଟେନା  ଲାଖି ଯାଇଥିଲା । ଏ ବିଚିତ୍ର ବର୍ଣ୍ଣା କବି ପ୍ରତିଭାଙ୍କ ରଚନା  ଭିତରେ ଆମେ ରୀତି ଯୁଗର ଆଙ୍ଗିକ ଆଡମ୍ବର, ପଞ୍ଚସଖା ଯୁଗର ଆଧ୍ୟାତ୍ମିକ ରହସ୍ୟମୟତା, ରାଧାନାଥୀୟ ମାଟିଲଗ୍ନ କଳ୍ପନାର କାରିଗରୀରେ ସ୍ଥୂଳଭୂମି ସହିତ ଭାବଭୂମିର ଅପୂର୍ବ ଚିତ୍ରାୟନ, ସତ୍ୟବାଦୀ ଯୁଗର ଆଦର୍ଶ ଆଉ ଉତ୍ସର୍ଗପୂର୍ଣ ଭାବମୟତା, ସବୁଜଯୁଗର ରମ୍ୟ ସ୍ଵପ୍ନମୟତା, ସମସାମୟିକ ଯୁଗର ଆଧୁନିକ ବ୍ୟଞ୍ଜନାର ଅପୂର୍ବ ସମାହାର ଲକ୍ଷ୍ୟ କରି ପାରିବା ।

କୃଷ୍ଣପ୍ରସାଦଙ୍କର ଇହ ଜଗତରେ ରହଣି ମାତ୍ର ସତାବନ ବର୍ଷର ।  ଜୀବନ କଟିଛି ବହୁ ଝଡଝଞ୍ଜା ଭିତରେ। କୈଶୋରରୁ ବାପା ମା ଛେଉଣ୍ଡ, ଜୀବନଯାକ ଅଭାବ ଅନଟନ ସଙ୍ଗେ ଅନବରତ କୁସ୍ତି କସରତ। କିନ୍ତୁ ବିଷୟ ସମ୍ପତ୍ତି ପ୍ରତି ବିତସ୍ପୃହ। ବାରବୁଲା ଜୀବନକୁ ବାନ୍ଧିବାକୁ ଫନ୍ଦି କରି ବସ ମାଲିକ ଥିବା ସମ୍ପନ୍ନ ଶ୍ଵଶୁର ଘର ଲୋକେ ଘରେ ରହି ବସ ଚଳାଚଳ କଥା ବୁଝିବାକୁ କହିବାରୁ ଆରମ୍ଭ ହେଲା ମନୋମାଳିନ୍ୟ, ତା’ପରେ ରାତାରାତି ଘରୁ ଚମ୍ପଟମରା ଯେ ଘରକୁ ଫେରିଲେ ମୃତ୍ୟୁ ପୂର୍ବରୁ ଅସୁସ୍ଥ ହେଲା ପରେ । ଅକାଳରେ ଛେଉଣ୍ଡ ହେଇଯିବାରୁ ପୈତୃକ ସମ୍ପତ୍ତି ସବୁ କେହି କେହି ହାତେଇ ନେଇଥିଲେ। କବିଙ୍କ ପ୍ରତିଭାମୁଗ୍ଧ କେହି ସରକାରୀ ଅଫିସର ସେସବୁକୁ ଉଦ୍ଧାର କରିବାକୁ ତାଙ୍କର ସହଯୋଗ ଚାହିଁବାରୁ ସିଧା ମନା କରିଦେଲେ-ଲକ୍ଷ୍ମୀଙ୍କ ଆଡିକି ଅଧିକ ଆକୃଷ୍ଟ ହେଲେ କୁଆଡେ ସରସ୍ଵତୀ ବିମନା ହେଇଯିବେ। ସରସ୍ଵତୀଙ୍କ ବରପୁତ୍ର ମଲେ ଲକ୍ଷ୍ମୀ-ବିବର୍ଜିତ ହେଇ, କପର୍ଦ୍ଦକ-ଶୂନ୍ୟ ଭାବରେ। ସମାଜର କୌଣସି ନିଷେଧକୁ ନ ମାନି ସେ ବଞ୍ଚିଥିଲେ ଅମାନିଆ ମୁକ୍ତଛନ୍ଦ ମଣିଷଟେ ହେଇ। ନା କିଛି ପାଇବାର ଆଶା ଥିଲା ନା ହରେଇବାର ହତାଶା । ଏଇ ଗଣକବି ମାନଙ୍କର ଜନତାର ତାତ୍କାଳିକ ହାତତାଳି ଛଡା ସାଂସ୍କୃତିକ ଇତିହାସରେ ଅମର ହେଇଯିବାର ବା କୋଉ  ଅଭିଳାଷ ଥାଏ ! ସେମାନେ ଜାଣି ଥାଆନ୍ତି ଅଭିଜାତ ସାଂସ୍କୃତିକ କ୍ଷମତାକେନ୍ଦ୍ର ସେମାନଙ୍କୁ ସହଜରେ ପଂକ୍ତିଭୂକ୍ତ କରେଇବ ନାହିଁ । ଫାଙ୍କା ଆସିଥିଲେ, ଫାଙ୍କା ଚାଲିଗଲେ। ସେଇଥିପାଇଁ ବୋଧହୁଏ ତାଙ୍କ ଲେଖାରେ ଏତେ ଦାମ୍ଭିକତା, ଉଚ୍ଛଳତା ଏବଂ ମାନବିକ ମର୍ଯ୍ୟାଦାର ଜୟଗାନ । 

ଜୀବନ କାଳ ଭିତରେ କେହି କେହି ସମଝ୍ଦାର  ଶୁଭେଚ୍ଛୁ ୧୯୪୦ ମସିହାରେ ମଞ୍ଜୁଳା ନାମରେ ଛୋଟ କବିତା ସଂକଳନଟିଏ ଛପେଇଥିଲେ। ଆଉ ଖଣ୍ଡେ ଦି ଖଣ୍ଡ  ନାଟକ କଲିକତାରୁ ଛପା ଯାଇଥିଲା ୧୯୬୫ ମସିହା ବେଳକୁ । ନିଜ ଲେଖା ପ୍ରତି ବି ସେ ଏତେ ନିର୍ଲିପ୍ତ ଥିଲେ ଯେ  ଯୋଉ ଯାତ୍ରାଦଳ ପାଇଁ ଯାହା ଲେଖୁଥିଲେ ସବୁ ସେଇଠି ଛାଡି ଚାଲି ଆସୁଥିଲେ; ନା ଭୌତିକ ସମ୍ପତ୍ତି ନା ବୌଦ୍ଧିକ ସମ୍ପତ୍ତି କାହା ଉପରେ କେବେ ବି ସ୍ଵତ୍ତ୍ଵାଧିକାର ଜାହିର କରି ନାହାନ୍ତି ସେ ନିରାସକ୍ତ ରସିକ କବି । ୧୯୮୦ ମସିହାରେ ତାଙ୍କର ୧୩୩ଟି କବିତାକୁ ସଂଗ୍ରହ କରି “କୃଷ୍ଣ ପ୍ରସାଦ ଚୟନିକା” ନାମରେ ପ୍ରକାଶିତ କରେଇଥିଲେ ଅଧ୍ୟାପକ ଶ୍ରୀ ଭାଗିରଥି ନାୟକ ଏବଂ ଶ୍ରୀ ଭାସ୍କର ଚନ୍ଦ୍ର ଆଗସ୍ତି। ପରେପରେ ସୋରୋଠାରେ “କେଶବକବି କୃଷ୍ଣପ୍ରସାଦ ସ୍ମୃତି ପରିଷଦ” ଗଠିତ ହୋଇ କିଛି ଗୁଣମୁଗ୍ଧ ସାରସ୍ଵତ ଦାୟାଦମାନଙ୍କ ଉଦ୍ୟମରେ ତାଙ୍କର ୮୦୦ ଗୀତି କବିତାର ସଞ୍ଚୟନ ଏବଂ ଅନେକ ଗୁଡିଏ ନାଟକ ସଂକଳିତ ହୋଇ ଗ୍ରନ୍ଥାବଳୀ ଆକାରରେ ପ୍ରକାଶିତ ହୋଇଛି ।  କାହିଁକି କେଜାଣି ନିଜକୁ କୃଷ୍ଣଙ୍କର ଅନ୍ୟ ନାମ “କେଶବ” ଭାବରେ ପରିଚିତ କରେଇବାକୁ କବିଙ୍କର  ଏକ ଆବେଗିକ ଆଗ୍ରହ ଥିଲା। ସେଥିପାଇଁ ଅନୁଗାମୀ ମାନଙ୍କର ଏଇ କେଶବକବି ନାମକରଣ । ଏବେ ତାଙ୍କର ଗୀତର ସ୍ଵରଗୁଡିକୁ ସଂଗ୍ରହ କରି ପରିବେଷଣ କରିବାକୁ ସଂଗଠିତ ଉଦ୍ୟମ ଆରମ୍ଭ କରା ଯାଉଛି।

ନିର୍ଲିପ୍ତ ମଣିଷ କେଶବକବି କୃଷ୍ଣପ୍ରସାଦ ବେହେରା ସବୁବେଳେ  ବଞ୍ଚିଥିଲେ ମାଟି ଆଉ ମଣିଷ ସହିତ ଯୋଡ଼ି ହେଇ, ଆଉ ମୁଣ୍ଡରେ ମେଞ୍ଚାଏ ଆକାଶୀ କଳ୍ପନା ନେଇ।  ଚାଲି ଯାଉଥିଲା ବେଳେ ଚହଳ ପଡୁଥିଲା ବେହେରା ମାଷ୍ଟ୍ରେ ଯାଉଛନ୍ତି ବୋଲି।

“ନିଜ ପ୍ରାଣ, ଅପରର ପ୍ରାଣ ଓ ପ୍ରକୃତିର ପ୍ରାଣରେ ପ୍ରବେଶ କରିବା ହିଁ କବିତ୍ଵ”  ବୋଲି କବି ତାଙ୍କ ନିଜର ଗୋଟେ ନାଟକରେ ଲେଖିଛନ୍ତି । ପକୃତରେ କବି କୃଷ୍ଣପ୍ରସାଦ ବେହେରା ଗଣପ୍ରାଣର ସ୍ପନ୍ଦନକୁ ଏମିତି ଛୁଇଁ ଯାଇଥିଲେ ଯେ ଯାଜପୁରରୁ ଜଳେଶ୍ଵର ପର୍ଯ୍ୟନ୍ତ କୃଷ୍ଣପ୍ରସାଦଙ୍କ ସାଂସ୍କୃତିକ ଚାରଣଭୂମିରେ ତାଙ୍କ ଗୀତ “ଚଷା, ଜୋଷା, ପଣ୍ଡିତ, ପାନ୍ଥ ଆଉ ବାରାଙ୍ଗନା” ପ୍ରାୟ ସମସ୍ତେ ଗାଉଥିଲେ।

ଜୀବନ ପ୍ରତି ଉନ୍ମୁଖ କୃଷ୍ଣପ୍ରସାଦ ବେହେରା ଜୀବନକୁ କବିତା-କାଦମ୍ବରୀ ସହିତ ପ୍ରାଣ ଭରି ପିଇଥିଲେ । ଏ ଅପାଂକ୍ତେୟ କବିଟି କାବ୍ୟ ସୋମରସ ପିଇ ଆମକୁ ଦେଇ ଯାଇଛି ଅପୂର୍ବ ସାଂସ୍କୃତିକ ରସାୟନ । ଆମ ହୃଦୟରେ ସେସବୁ ପାଇଁ ପାନ ଆଉ ପାଚନ ଶକ୍ତି ଅଛି କି ନା ଆସନ୍ତୁ ଆମେ ଟିକେ ପରୀକ୍ଷା କରି ଦେଖିନେବା। 

#ପୂଜନୀୟେଷୁ

Leave a Comment

Your email address will not be published. Required fields are marked *

Scroll to Top