କିଶନ ପଟ୍ଟନାୟକ

ଲେଖା: ଅମୃତେଶ ଖଟୁଆ

“କବି, ଦାର୍ଶନିକ ବା ବୁଦ୍ଧିଜୀବୀ ଯେ ରାଜନୈତିକ କ୍ଷମତା ନ ଚାହିଁବ ତାହା ନୁହେଁ। କୌଣସି ଦାର୍ଶନିକ ବା କବି ନିଜର ବୁଦ୍ଧି ଓ ବିଶ୍ଵାସ ପ୍ରତି ବିଶ୍ଵସ୍ତ ରହି ରାଜନୀତିର କର୍ମପ୍ରବାହ ଭିତରୁ କ୍ଷମତାକୁ ଉଠି ନିଜର ଆଦର୍ଶ ଅନୁଯାୟୀ ତା’ର ବ୍ଯବହାର କଲେ ଆମେ ତାହାଙ୍କୁ ସ୍ଵାଗତ ଜଣାଇବା ଉଚିତ।

କିନ୍ତୁ ଜଣେ ଅତି ପ୍ରତିଷ୍ଠିତ, ଦେଶବିଦେଶରେ ‘ଦାର୍ଶନିକ’ ନାମରେ ଖ୍ୟାତ ବୁଦ୍ଧିଜୀବୀ, ସମାଜର ଏକ ସନ୍ଧିକ୍ଷଣରେ ନିଜ ବୁଦ୍ଧିର ବ୍ୟବହାର ସାମାଜିକ ପ୍ରଗତିର ଅନୁଶୀଳନ, ପରୀକ୍ଷା ଓ ସମାଲୋଚନା ପାଇଁ ନ କରି, ଯଦି ଫମ୍ପା କ୍ଷମତା ଓ ଆଡ଼ମ୍ବର ଛଡା ଅନ୍ୟ କାର୍ଯ୍ୟକାରିତା ନ ଥିବା ସରକାରୀ ଗାଦିରେ ପିତୁଳା ରୂପେ ବସି ନିଜ ବୁଦ୍ଧି ବିଚାରକୁ ସରକାରୀ ଦୃଷ୍ଟିରୁ ବନ୍ଦ ରଖେ, ଏହାକୁ ବୁଦ୍ଧିଜୀବୀ ଧର୍ମ ପ୍ରତି ଗର୍ହିତ ବିଶ୍ଵାସଘାତକତା କହିବା ଭୁଲ ହେବ ନାହିଁ।

ଉଚ୍ଚତମ ସ୍ତରରୁ ଆରମ୍ଭ ହୋଇଥିବା ଏହି ସରକାରୀ ବୁଦ୍ଧିଜୀବୀର ପରମ୍ପରା ଆଜି ନିମ୍ନଶ୍ରେଣୀର ବୁଦ୍ଧିଜୀବୀମାନଙ୍କ ପର୍ଯ୍ୟନ୍ତ ଭେଦିଛି ଏବଂ କିଏ ଦିଲ୍ଲୀ ଦରବାର ତ କିଏ ରାଜ୍ୟ ସରକାର ନ ହେଲା ବେଳକୁ ଉନ୍ନୟନ ବ୍ଲକ ଦରବାରରେ କବି, ସଙ୍ଗୀତଜ୍ଞ ବା ଅର୍ଥନୀତିଜ୍ଞ ହେବାକୁ ଚେଷ୍ଟା କରିଛନ୍ତି।” (ଭାରତୀୟ ବୁଦ୍ଧିଜୀବୀର ସଙ୍କଟ)

ସର୍ବଭାରତୀୟ ସ୍ତରରେ ସମାଜବାଦୀ ଧାରାରେ ନିଜର ପୁରୋଦୃଷ୍ଟି ମାଧ୍ୟମରେ ପୂର୍ଣ୍ଣକାଳୀନ ସାମାଜିକ ଓ ରାଜନୈତିକ ବିଘଟନର ସନ୍ଧିକ୍ଷଣରେ ତାଙ୍କର ଆବିର୍ଭାବ। ୧୯୭୦ ଦଶନ୍ଧି ଭାରତୀୟ ରାଜନୈତିକ ମଞ୍ଚରେ ସୋସିଆଲିଷ୍ଟ୍ ପାର୍ଟିର ନାଟ୍ଯ ଅବସାନ ଅନ୍ତେ ଯେଉଁ କେତେକ ଏହି ସମାଜବାଦୀ ଭାବଧାରାକୁ ପୁନର୍ଜୀବିତ କରିଥିଲେ, ସେମାନଙ୍କ ମଧ୍ୟରୁ ଓଡ଼ିଆ ମାଟିର ଏହି ବଦାନ୍ୟ ନେତୃକାର ଥିଲେ ଅନ୍ୟତମ !

କୈଶୋରାବସ୍ଥାରେ ସେ ଥିଲେ ଜଣେ କବି – ସ୍ଵପ୍ନ କଥାକାର ହେବାର । ରାଜନୈତିକ ତରଳପଣ ସତ୍ତ୍ଵେ ତାଙ୍କ କଥାରେ କଠୋରତା ତାଙ୍କର ବୈଶିଷ୍ଟ୍ୟ ନଥିଲା। ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ଓଡ଼ିଆ ଭଳି ନାନାବିଧ ଭାଷାରେ ତାଙ୍କ ପଟୁତା ଏବଂ ବାଗ୍ମିତା ସମଗ୍ର ଦେଶର ବୌଦ୍ଧିକ ଜଗତକୁ ଅଗୋଚର ନଥିଲା ! ସେହି ବହୁବିଧ ପ୍ରତିଭାଧର ତଥା ନେତୃକାର ଥିଲେ ବିଶିଷ୍ଟ ରାଜନୀତିଜ୍ଞ କିଶନ ପଟ୍ଟନାୟକ !

୧୯୨୯ ମସିହା ୨୯ ଜୁନ ତାରିଖ ତତ୍କାଳୀନ କଳାହାଣ୍ଡି ଗଡ଼ଜାତର ରାଜଧାନୀ ଭବାନୀପାଟଣାରେ ଜନ୍ମଗ୍ରହଣ କରିଥିଲେ କିଶନ ପଟ୍ଟନାୟକ। ତାଙ୍କ ପିତା, ଚିନ୍ତାମଣି ପଟ୍ଟନାୟକ କଳାହାଣ୍ଡି ରାଜାଙ୍କ ଦ୍ଵାରା ସ୍ଥାପିତ ହାଇସ୍କୁଲରେ ଶିକ୍ଷକତା କରୁଥିଲେ। ସେତେବେଳେ କାଶୀପୁର ଜମିଦାରୀ ରାଜ୍ଯର ପ୍ରତ୍ୟକ୍ଷ ଶାସନାଧୀନ ହେବାରୁ ତାଙ୍କ ପିତାଙ୍କ ଉପରେ ଦେୱାନ ଦାୟିତ୍ୱ ହେବାର ପଡିଥିଲା। ତାଙ୍କ ଜ୍ଞାତିକୁଟୁମ୍ଵ ଥିଲା ବେଶ୍ ସମ୍ଭ୍ରାନ୍ତ ଏବଂ ଆର୍ଥିକ ଅବସ୍ଥାରେ ସ୍ଵଚ୍ଛଳ। ମାତ୍ର କିଶନ ସମଗ୍ର ଜୀବନ ଜାତିବାଦ ଓ ଆର୍ଥିକ ଶୋଷଣର ବିରୋଧକୁ ନିଜ ବିଚାରର ଅନ୍ୟତମ ପ୍ରମୁଖ ତତ୍ତ୍ଵ କରିଥିଲେ। ତାଙ୍କ ବଡ଼ ଭାଇ ପରବର୍ତ୍ତୀ ସମୟରେ ଓକିଲାତି କରି ଜିଲ୍ଲା ଜଜ୍ ହେବା ସହ ସାନଭାଇ ଜଗନ୍ନାଥ କଂଗ୍ରେସ ଦଳର ଏକ ପ୍ରମୁଖ ନେତା ହୋଇପାରିଥିଲେ। ନିଜ ମାତାଙ୍କ ଘରର ପ୍ରତିପୋଷଣ ସହ ପୁଅ ଝିଅଙ୍କ ପ୍ରତିପାଳନ ମଧ୍ୟ ନାରୀର ଅସୀମ ସାମର୍ଥ୍ୟ ଥିବାର ପ୍ରତ୍ୟୟ ତାଙ୍କ ମଧ୍ୟରେ ସୃଷ୍ଟି କରେ ନବଚେତନା।

କାଶୀପୁର ଠାରେ ନିଜର ପ୍ରାଥମିକ ଶିକ୍ଷା ଆରମ୍ଭ କରି ତୃତୀୟ ଶ୍ରେଣୀ ପାଠ ଉତ୍ତାରୁ ଭବାନୀପାଟଣା ସ୍କୁଲରେ ନାମ ଲେଖାଇଲେ। ୧୯୪୬ ମସିହାରେ ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲରୁ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଥିଲେ। ଆଉ ସେହି ଦଶନ୍ଧି ଥିଲା ଏକ ଅଦୃଷ୍ଟପୂର୍ବ ସମୟ। ଦ୍ଵିତୀୟ ବିଶ୍ଵଯୁଦ୍ଧ, ଅଗଷ୍ଟ ବିପ୍ଳବ, ଗଡ଼ଜାତ ଆନ୍ଦୋଳନ ସହ କୋରାପୁଟର ଲକ୍ଷ୍ମଣ ନାୟକଙ୍କୁ ସେତେବେଳେ ଫାଶୀ ଦଣ୍ଡ ଦିଆଯାଇଥିଲେ ମଧ୍ୟ ସେ ସମୟରେ କିଶନଙ୍କ ସଂସ୍ପର୍ଶରେ ଏହି ପ୍ରସଙ୍ଗ ସବୁ ଆସିନଥିଲା।

ବଲାଙ୍ଗୀରର ରାଜେନ୍ଦ୍ର କଲେଜରେ ଜଣେ ମେଧାବୀ ଛାତ୍ର ଭାବେ ବୃତ୍ତି ପାଇ ସେ ଆଇ.ଏ. ପଢୁଥିବାବେଳେ ୧୯୪୬ରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ୍‌ ହେବାରୁ ରାଜବିରୋଧୀ କାର୍ଯ୍ୟ ପାଇଁ ତାଙ୍କର ବୃତ୍ତି କଟାଯାଏ । ସେତେବେଳେ, ତେଲୁଗୁ-ଭାଷୀ ଅଧ୍ଯାପକ ଶ୍ରୀଯୁକ୍ତ ରାଓଙ୍କ ଅନୁପ୍ରେରଣାରେ ସେ ଜର୍ଜ ବର୍ଣ୍ଣାଡ୍ ଶ’ଙ୍କର ସୁଦୀର୍ଘ ନାଟକର ଉପକ୍ରମଣିକା ଅବଗାହନ କରିଥିଲେ । ଏହି ସମୟରେ ଦେଶ ସ୍ଵାଧୀନ ହୁଏ ଓ ଆଇ.ଏ.ରେ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବି.ଏ. ରେ କେବଳ “ପାସ୍” ଡିଗ୍ରୀ ହାସଲ୍ କଲେ।

ଏହା ପରେ ୧୯୫୦ରେ ନାଗପୁରରେ ରାଜନୀତି ବିଜ୍ଞାନରେ ଏମ୍.ଏ. କରି ସେ ଭବାନୀପାଟଣା ଫେରି ସେହିଠାରେ ବ୍ରଜମୋହନ ହାଇସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ। ନିଜ ଅନ୍ଦାଜରୁ ସେ କହନ୍ତି, ଯେ ମାଟ୍ରିକ୍ ପରେ କଳା ଶ୍ରେଣୀ ଛାତ୍ର ମଧ୍ୟ ଅନ୍ତତଃ ସାମାନ୍ୟ ବିଜ୍ଞାନ ଶିକ୍ଷା ପାଇବା ଉଚିତ୍ ହୁଅନ୍ତା, କାରଣ କଥାଭାଷାକୁ ତର୍କସମ୍ମତ ରୂପେ ସାବ୍ୟସ୍ତ କରେଇବା ପାଇଁ ବିଜ୍ଞାନ ଶିକ୍ଷା ସହାୟକ। ଏମିତିରେ ରାଜନୀତି ବିଜ୍ଞାନର ଛାତ୍ର ଥାଇ ମଧ୍ୟ ଦର୍ଶନଶାସ୍ତ୍ରରେ ଖୁବ୍ ଆଗ୍ରହୀ ଥିଲେ।
            
୧୯୫୧ ମସିହାରେ କିଶନ ପଟ୍ଟନାୟକ ସୋସିଆଲିଷ୍ଟ୍ ପାର୍ଟିର ପ୍ରାଥମିକ ସଦସ୍ୟ ରୂପେ ସେ ଯୋଗ ଦିଅନ୍ତି। କାରଣ, ସେ ସମୟରେ ନିଜ ପରିବାରର ରାଜଭକ୍ତି ତାଙ୍କ ପାଇଁ ଅସହ୍ୟ ଥିଲା। ଓଡିଶାର ରାଜା-ଜମିଦାର ମାନେ “ଗଣତନ୍ତ୍ର ପରିଷଦ” ନାମରେ ଏକ ଦଳ ଗଢି ରାଜନୀତିରେ ସକ୍ରିୟ ହେଲେ। ଯେତେବେଳେ ପରିବାରବର୍ଗ ଏହି ଦଳକୁ ସମର୍ଥନ ଜଣାଇଲେ, କିଶନ ପଟ୍ଟନାୟକ ଗୃହତ୍ୟାଗ ପୂର୍ବକ ସେହି ସହରରେ ଦଳିତ କର୍ମୀଙ୍କ ସାଙ୍ଗରେ ପାର୍ଟି ଅଫିସରେ ଯାଇ ରହିଲେ।
          
ଏହା ପରେ କିଶନବାବୁ ମାଡ୍ରାସ ଯାଇ ସୋସିଆଲିଷ୍ଟ୍ ପାର୍ଟି ଅଫିସରେ କିରାଣି ହୋଇ ରହିଥିଲେ। ଏଥି ବେଳକୁ ସୁରେନ୍ଦ୍ରନାଥ ଦ୍ଵିବେଦୀ ଏକ ମହତ୍ତ୍ଵପୂର୍ଣ୍ଣ ବୈଠକରେ ଯୋଗ ଦେବାକୁ ଆସି ମାଡ୍ରାସ ଠାରେ କିଶନ ପଟ୍ଟନାୟକଙ୍କ ସହ ଭେଟି ତାଙ୍କୁ ଓଡିଶାକୁ ଫେରିଆସି ପାର୍ଟି କାମ କରିବାକୁ ନିମନ୍ତ୍ରଣ କରିଲେ।
       
ତାଙ୍କ ଅନୁରୋଧକ୍ରମେ କିଶନ ପଟ୍ଟନାୟକ କଟକ ପାର୍ଟି ଅଫିସ୍’ରେ ଆସି ରହିଲେ ଏବଂ ସମାଜବାଦୀ ଦଳର ମୁଖପତ୍ର ‘କୃଷକ’ର ସମ୍ପାଦନା ଓ ପ୍ରକାଶନ କାର୍ଯ୍ଯରେ ସହଯୋଗ କଲେ। ସେଠାରେ ଖୁବ୍ ନ୍ୟୂନ ବ୍ୟବସ୍ଥା ରହଣିର – ଶୋଇବା ଟେବୁଲ ବେଞ୍ଚ ଉପରେ ଆଉ ଶସ୍ତା ହୋଟେଲ୍ ଖାଦ୍ୟ ଖାଇବା ପାଇଁ। ଏହି ସମୟରେ ହଠାତ୍ ତାଙ୍କର ଶ୍ଵାସରୋଗ ଆରମ୍ଭ ହେଇଯାଏ, ଯାହା ଆଜୀବନ ଲାଗି ରହିଥିଲା ।
             
୧୯୫୨ ମସିହାରେ ସର୍ବଭାରତୀୟ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୁଏ। ସେତେବେଳେ ସୋସିଆଲିଷ୍ଟ୍ ନେତୃବର୍ଗଙ୍କ “ଅଗଷ୍ଟ ବିପ୍ଳବ”ରେ ଏକ ନିର୍ଣ୍ଣାୟକ ଭୂମିକା ତାଙ୍କୁ ପରବର୍ତ୍ତୀ ସମୟରେ ବେଶ୍ ଖ୍ୟାତନାମା କରିପାରିଥିଲା। ମାତ୍ର ଏହି ନିର୍ବାଚନରେ ସମଗ୍ର ଦେଶରେ ତାଙ୍କର ଥିଲେ ୨୩୬ ଜଣ ପ୍ରାର୍ଥୀ, ଆଉ ସମଗ୍ର ଦେଶରେ ୧୨୬ଟି ଆସନ ସୋସିଆଲିଷ୍ଟ୍ ପାର୍ଟିକୁ ମିଳିଥିଲା। କିନ୍ତୁ, ତାଙ୍କ ସମକର୍ମା କମ୍ୟୁନିଷ୍ଟ ପାର୍ଟି ଲୋକସଭାରେ ୧୬ଟି ଆସନ ପାଇ ବିଧାନସଭାରେ ୧୬୨ ଆସନ ଲାଭ କରିଥିଲା। ଆଉ ସେତେବେଳେ ମୁଖ୍ୟ ନେତୃକାର ରାମମନୋହର ଲୋହିଆ ଏବଂ ମଧୁ ଲିମାୟେ ଦଳତ୍ଯାଗ କରିଲେ, ଯାହା ଫଳରେ ଦଳ ଦ୍ଵିଖଣ୍ଡିତ ହୋଇ ପ୍ରଜା ସୋସିଆଲିଷ୍ଟ୍ ପାର୍ଟି ନାମରେ ଏକ ନୂଆ ଦଳ ବାହାରିଲା।
                  
ଦଳର ବିଭାଜନକୁ ନାପସନ୍ଦ କରିଥିବା କିଶନ ପଟ୍ଟନାୟକ ଡ. ଲୋହିଆଙ୍କ ସହିତ ହିଁ ରହିଥିଲେ। ଲୋହିଆଙ୍କ ପରାମର୍ଶରେ ସେ ଇଂରାଜୀ ମୁଖପତ୍ର, “Mankind”ର ଦାୟିତ୍ୱ ପାଇଁ ହାଇଦ୍ରାବାଦ ଗଲେ। ଏହା ପରେ ଓଡିଶାରେ କାମ କରିବା ପାଇଁ ବ୍ୟାକୁଳ ହେବାରୁ ସେ ପରବର୍ତ୍ତୀ ସମୟରେ ଗଞ୍ଜାମକୁ ଚାଲିଆସନ୍ତି।
                
୧୯୬୦ ମସିହାରେ ଗଞ୍ଜାମ ଠାରେ ସତ୍ୟାଗ୍ରହ କରି କାରାବରଣ କରିଥିଲେ। ହେଲେ, ଏହି ସମୟରେ ଶୁଦ୍ଧ ବୌଦ୍ଧିକ କାର୍ଯ୍ୟ ତୁଳନାରେ ରାଜନୈତିକ କାର୍ମିକ ଜୀବନ ବା political field activity କୁ ସେ ପ୍ରାଥମିକତା ଦେଇ ଗାଁ ଗଣ୍ଡା ବୁଲି ସଙ୍ଗଠନ କାର୍ଯ୍ୟକୁ ତନଖି ଗ୍ରାମବାସୀଙ୍କ ସମସ୍ୟା ବୁଝିବାକୁ ବେଶି ପସନ୍ଦ କରୁଥିଲେ। ଆଉ ସେଥିପାଇଁ ଉଭୟ ବୈୟକ୍ତିକ ଏବଂ ବୌଦ୍ଧିକ ସ୍ତରରେ ଥିଲେ ସେ ଜଣେ ଦକ୍ଷ ବ୍ୟକ୍ତିତ୍ଵ।
              
୧୯୫୫ ମସିହାରେ କିଶନ ପଟ୍ଟନାୟକ କଟକରୁ ବରଗଡ଼ ଗଲେ। ତାଙ୍କରି ବ୍ୟକ୍ତିତ୍ଵର ଅନୁପ୍ରେରଣାରେ ସେଠାକାର ଅନେକ ଯୁବ କଂଗ୍ରେସ କର୍ମୀ ସୋସିଆଲିଷ୍ଟ୍ ଦଳରେ ଯୋଗ ଦେଇଥିଲେ। ୧୯୬୧ ମସିହା ବିଧାନସଭା ନିର୍ବାଚନ ସମୟରେ କିଶନ ପଟ୍ଟନାୟକ ସମ୍ବଲପୁର ଅଞ୍ଚଳର ସ୍ଥାନୀୟ କର୍ମୀ ଗଣନାଥ ପ୍ରଧାନ, ମକରଧ୍ଵଜ ପ୍ରଧାନ, ଲେଙ୍ଗୁ ମିଶ୍ର, ଚକ୍ରଧର ଭୋଇ, ଗିରୀଶ ପଟ୍ଟନାୟକ ପ୍ରଭୃତିଙ୍କୁ ସାଥିରେ ଦଳକାର୍ଯ୍ୟରେ ନିୟୋଜିତ ହେଲେ।
                
ଚାଷୀ ସଙ୍ଗଠନ ଦ୍ଵାରା ଆନ୍ଦୋଳନ ହେବା ସହ ତାଙ୍କ ସହକର୍ମୀ ଗଣନାଥ ପ୍ରଧାନ ଓ ମକରଧ୍ଵଜ ପ୍ରଧାନ ନିର୍ବାଚନ ଜିତିଲେ। ପୁନର୍ବାର ୧୯୬୨ ମସିହାରେ ଚାଷୀମାନଙ୍କ ମାଲ-ଗୁଜାରୀ ଛାଡ଼ ଦାବିରେ ସତ୍ୟାଗ୍ରହ କରି ସେ ପୁନର୍ବାର କାରାବରଣ କରିଥିଲେ। ସେତେବେଳେ ସେ ୧୯୬୨ର ଲୋକସଭା ନିର୍ବାଚନ ପାଇଁ ସମ୍ବଲପୁରରୁ ପ୍ରାର୍ଥୀ ଥିଲେ। ତାଙ୍କ ବାଗ୍ମିତା ଏକାଧିକ ସମଧର୍ମାଙ୍କୁ ପ୍ରଭାବିତ କରିବା ସହ ପ୍ରଥମ ଥର ପାଇଁ ଅଜସ୍ର ଲୋକପ୍ରିୟତା ଶ୍ରୁତେ ନିର୍ବାଚନରେ ବିଜୟୀ ହେଲେ।
                 
୧୯୬୭ ଓ ୧୯୮୯ ମସିହାରେ ସମ୍ଵଲପୁରରୁ ନିର୍ବାଚନରେ ତାଙ୍କର ଅପ୍ରତ୍ୟାଶିତ ପରାଜୟ ପରେ ବିଜୁ ପଟ୍ଟନାୟକ ସେତେବେଳେ ଜନତା ପାର୍ଟିର ନେତୃତ୍ବ ନେଉଥାଆନ୍ତି। କିଶନ ପଟ୍ଟନାୟକଙ୍କୁ ଜନତା ପାର୍ଟିରୁ ପ୍ରାର୍ଥୀ ହେବା ପାଇଁ ନିମନ୍ତ୍ରଣ ଆସିବା ସତ୍ତ୍ୱେ ସେ ଏହାକୁ ଅସ୍ଵୀକାର କରିଥିଲେ। ତାଙ୍କ ମତରେ କଂଗ୍ରେସର ବିରୋଧ ସହିତ ବିକଳ୍ପ ରାଜନୀତିର ମଧ୍ୟ ସୂତ୍ରପାତ ହେବା ଲୋଡା। ସମତା ଆଧାରିତ ସମାଜ ଗଠନ ହିଁ ଏହାର ଆଭିମୁଖ୍ୟ ବୋଲି ସେ ସ୍ପଷ୍ଟ କରିଦେଇଥିଲେ। ଏଥିପାଇଁ ତାଙ୍କ ଲୋକପ୍ରିୟତା ଅଳ୍ପକେ ହ୍ରାସ ପାଇଥିଲା ସତ, ମାତ୍ର ୧୯୯୧ ମସିହାରେ ଭି.ପି. ସିଂହଙ୍କ ଜନତା ପାର୍ଟି ସରକାର ଭଙ୍ଗ ପରେ ଲୋକେ କିଶନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ହେଜି ପାରିଥିଲେ।
               
୧୯୮୪ ମସିହାରେ ସ୍ଥାପିତ ବରଗଡର ‘ସମତା ଭବନ’ରେ କିଶନ ପଟ୍ଟନାୟକ ରହି ‘ଭୂମିପୁତ୍ର’ ଏବଂ ୧୯୯୩ ମସିହାରେ ‘ବିକଳ୍ପ ବିଚାର’ ପତ୍ରିକାର ପ୍ରକାଶନ ଆରମ୍ଭ କରିବା ସହ ସମ୍ପାଦନାର କାର୍ଯ୍ୟ ନିର୍ବାହ କରିଥିଲେ। ସେତେବେଳେ ଏହି ‘ସମତା ଭବନ’ ଏବଂ ‘ବିକଳ୍ପ ବିଚାର’ ଯଥାକ୍ରମେ ଓଡିଶାର ଏକ ପ୍ରମୁଖ ରାଜନୈତିକ କେନ୍ଦ୍ର ଓ ବୌଦ୍ଧିକ ଆକର୍ଷଣର କେନ୍ଦ୍ରସ୍ଥଳ ପାଲଟିଗଲା। ‘ସମତା ଭବନ’କୁ କେନ୍ଦ୍ର କରି ୧୯୮୦ ଦଶନ୍ଧିରେ ‘ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ’ ମାଧ୍ୟମରେ ବାଲକୋ ହଟାଅ ଆନ୍ଦୋଳନ ଦ୍ଵାରା ଚାଷୀ ସମସ୍ୟାକୁ ନେଇ ଅନୁରୂପ ଆନ୍ଦୋଳନ ହେଇପାରିଥିଲା।
                 
କିଶନ ପଟ୍ଟନାୟକଙ୍କ ସାଂସଦ ହେବାର ସମୟ ଟା ମଧ୍ୟ ଖୁବ୍ ମହତ୍ତ୍ଵପୂର୍ଣ୍ଣ ରହିଥିଲା। ସେତେବେଳେ, ‘ଇଂରାଜୀ ହଟାଓ’ ସ୍ଲୋଗାନ୍ ସୋସିଆଲିଷ୍ଟ୍ କର୍ମୀଙ୍କ ଦ୍ଵାରା ବେଶ୍ ଉଚ୍ଚାଟିତ ହୋଇଥିଲା। ସେମାନେ ହିନ୍ଦୀକୁ ସରକାରୀ ଭାଷା ରୂପେ ଗୁରୁତ୍ଵ ଦେବାରୁ ଅନେକ ଅଣ-ହିନ୍ଦୀ ରାଜ୍ୟରେ ତାହା ଏକାଧିପତ୍ୟ ବୋଲି ଅଭିଯୋଗ କରାଗଲା।
                 
ସେତେବେଳେ କିଶନ ପଟ୍ଟନାୟକ ଉଭୟ ହିନ୍ଦୀ ଓ ଇଂରାଜୀର ଅତିକ୍ରମଣକୁ ଅନେକ ଥର ବିରୋଧ କରିଛନ୍ତି। କିନ୍ତୁ, ପରବର୍ତ୍ତୀ ସମୟରେ ତାଙ୍କ ବହୁଭାଷିତା ପାଇଁ ସେ ଉତ୍ତର ଭାରତରେ ଦଳୀୟ କାର୍ଯ୍ୟରେ ସୁନିୟୋଜିତ ହୋଇପାରିଥିଲେ। ସେତେବେଳେ କିଶନ ବାବୁ ୩୨ ବର୍ଷ ବୟସର ଥାଇ ମଧ୍ୟ ଯୁବ ସାଂସଦ ରୂପେ ବିଭିନ୍ନ ପ୍ରସଙ୍ଗକୁ ଦୃପ୍ତ କଣ୍ଠରେ ଉତ୍ଥାପିତ କରିବାରେ ସଫଳ ହୋଇଥିଲେ।
                 
ସେତେବେଳେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ବ୍ଯକ୍ତିଗତ ଖର୍ଚ୍ଚକୁ କିଶନ ପଟ୍ଟନାୟକ ଯେଉଁ ପ୍ରଶ୍ନ ଉଠାଇଥିଲେ, ଏହାର ଉତ୍ତର-ପ୍ରତ୍ଯୁତ୍ତର ପତ୍ର ବିନିମୟରେ ଚାଲିଥିଲା, ଯାହାକି, ‘Rupees Twenty Five Thousand A Day’ ଶୀର୍ଷକ ପୁସ୍ତିକା ରୂପରେ ପ୍ରକାଶ ଲାଭ କରେ। ଏହା ସେତେବେଳେ ଦେଶର ପ୍ରମୁଖ ସମ୍ବାଦପତ୍ରେ ପ୍ରକାଶିତ ହୋଇ କିଶନ ପଟ୍ଟନାୟକଙ୍କୁ ଆହୁରି ପରିଚିତି ଆଣି ଦେଇ ପାରିଥିଲା।
                
ଆଉ ଏହା ସମଗ୍ର ଦେଶରେ ଯୌକ୍ତିକ ଏବଂ ଶାଳୀନତାପୂର୍ଣ୍ଣ ସମାଲୋଚନା ଶ୍ରୁତେ ବିକଳ୍ପ ରାଜନୈତିକ ପରିବେଶକୁ ଆହୁରି ସକ୍ରିୟ ଓ ଅନୁକୂଳ କରିସାରିଥିଲା। ଏପରିକି କିଶନ ପଟ୍ଟନାୟକଙ୍କ ବିରୋଧୀ ମଧ୍ୟ ଅଭଦ୍ରୋଚିତ ଆଚରଣ କରିବାକୁ କଦାପି ସାହସ କରିପାରିନାହାନ୍ତି। କିଶନ ପଟ୍ଟନାୟକଙ୍କ ଶାଳୀନ ସମାଲୋଚନା ତାଙ୍କ ବିଚାରଧାରାର ଗୋଟିଏ ପ୍ରମୁଖ ବୈଶିଷ୍ଟ୍ୟ ରୂପେ ଦଣ୍ଡାୟମାନ ଥିଲା।

କଳାହାଣ୍ଡିରେ ଅନାହାର ମୃତ୍ୟୁ, ସମ୍ଵଲପୁରର ମରୁଡିଠାରୁ ଆରମ୍ଭ କରି ସିକିମରେ ଚୀନର ଅନୁପ୍ରବେଶ, କମ୍ୟୁନିଷ୍ଟ ରାଜବନ୍ଦୀ ବିମୁକ୍ତି ଆଦି ଅନେକ ମହତ୍ତ୍ଵପୂର୍ଣ୍ଣ ପ୍ରସଙ୍ଗ ସହ ଜବାହରଲାଲ ନେହରୁ ବିଶ୍ଵବିଦ୍ୟାଳୟ ବିଲ୍ ଉପରେ ୨୦ ସେପ୍ଟେମ୍ବର ୧୯୬୫ ମସିହାରେ ଦେଇଥିବା ବକ୍ତବ୍ୟ ଆଜି ମଧ୍ୟ ଢେର୍ ପ୍ରାସଙ୍ଗିକ ମନେହୁଏ। ସେ କହିଥିଲେ ଯେ ଦିଲ୍ଳୀର ଜନସଂଖ୍ୟା ସେତେବେଳେ ୨୫-୨୬ ଲକ୍ଷ ଭିତରେ ହେବ, ସେଠାରେ ଦୁଇଟି ବିଶ୍ଵବିଦ୍ୟାଳୟ ତ ହେବା ଦରକାର।
             
ଅର୍ଥାତ୍, ଯେଉଁ ରାଜ୍ୟରେ ହାରାହାରି ୧୨-୧୩ ଲକ୍ଷ ଜନସଂଖ୍ୟା, ସେଠାରେ ଗୋଟିଏ ବିଶ୍ଵବିଦ୍ୟାଳୟ ନିଶ୍ଚିତ ସ୍ଥାପନ ହେବା ଦରକାର। ଆଉ ସେହି ସମୟରେ ଆନ୍ଧ୍ର, ଓଡିଶା, ବିହାର ଏବଂ ମଧ୍ୟପ୍ରଦେଶରେ ହଜାରରୁ ଗୋଟିଏ ପିଲା କଲେଜରେ ପାଠ ପଢେ। ତଥୈବ, ଚତୁର୍ଥ ପଞ୍ଚବାର୍ଷିକୀ ଯୋଜନାରେ ମଧ୍ୟ କୌଣସି ନୂଆ ବିଶ୍ଵବିଦ୍ୟାଳୟର ପ୍ରସ୍ତାବ ନଥିବାର ସେ ସୂଚାଇଦେଲେ।

ସେ ନେହରୁଙ୍କ ନାମକରଣରେ ବିଶ୍ଵବିଦ୍ୟାଳୟ ସ୍ଥାପନା ବିପକ୍ଷରେ ଯୁକ୍ତି ବାଢିଥିଲେ ଯେ କୌଣସି ଜୀବିତ ବ୍ୟକ୍ତିର ନାଁରେ ବିଶ୍ଵବିଦ୍ୟାଳୟ ନାମିତ କରାଯିବା କଥା ନୁହେଁ – ଏହାର ଅର୍ଥ ନୁହେଁ ଯେ କୌଣସି ବ୍ଯକ୍ତିର ମୃତ୍ୟୁର ତିନି ଚାରି ବର୍ଷ ପରେ ସେଭଳି ନାମକରଣ କରାଯାଉ।
              
ବ୍ଯକ୍ତି ଯେତେ ମହାନ ହୁଅନ୍ତୁ ପଛେ, ତାଙ୍କ ଐତିହାସିକ ମୂଲ୍ୟ ଓ ମହାନତା ନିରୂପଣ ପାଇଁ ଅନ୍ତତଃ ୨୦୦ ବର୍ଷ ପରେ ହିଁ ନିର୍ଦ୍ଧାରିତ ହୋଇପାରିବ। (ମାତ୍ର, ଯଦି ଏହି ନାମକରଣ ପରମ୍ପରା ଆରମ୍ଭ ହୁଏ, ତେବେ, ଯାହା ପାଖରେ ପ୍ରତିପତ୍ତି ଥିବ, ତା’ ନାଁରେ ସେ ବିଶ୍ଵବିଦ୍ୟାଳୟଗୁଡିକ ନାମକରଣ କରିଦେଇପାରିବ, ଯାହା ଅନ୍ତତଃ ଆମ ଦେଶର ପରମ୍ପରା ସହ ଆଦୌ ସମୀଚୀନ ହେବନାହିଁ !)
                 
୧୯୬୭ ମସିହାରେ କିଶନ ପଟ୍ଟନାୟକଙ୍କ ପ୍ରସିଦ୍ଧି ବ୍ୟାପକ ଥିଲା। ସେ ସମଗ୍ର ଦେଶ ସହ ସମ୍ଵଲପୁରର ସାଂସଦ ରୂପେ ଆଞ୍ଚଳିକ ସମସ୍ୟା ଉପରେ ଦୃଢ ମତ ଉପସ୍ଥାପନା ତାଙ୍କୁ ଖୁବ୍ ଲୋକ ପରିଚିତି ହାସଲ୍ କରାଇଥାଏ। ମାତ୍ର, ସେତେବେଳେ ତାଙ୍କୁ ସଫଳତା ମିଳିପାରି ନଥିଲା। ଆଉ ସେତେବେଳେ ୫୭ ବର୍ଷ ବୟସରେ ଲୋହିଆଙ୍କ ଦେହାବସାନ ଘଟେ ଏବଂ ସୋସିଆଲିଷ୍ଟ୍ ଗୋଷ୍ଠୀରେ କନ୍ଦଳ ବଢି ଗୋଟିଏ ପଟେ ଉତ୍ତର ପ୍ରଦେଶର ରାଜନାରାୟଣଙ୍କର ତଥା ଦ୍ଵିତୀୟ ଗୋଷ୍ଠୀ ମହାରାଷ୍ଟ୍ରର ସମାଜବାଦୀ ମଧୁ ଲିମାୟେଙ୍କର।
                
ଏହା ପରେ ୧୯୭୨ରେ କିଶନ ପଟ୍ଟନାୟକ ସମାଜବାଦୀ ବନ୍ଧୁଙ୍କ ସହ ‘ଲୋହିଆ ମଞ୍ଚ’ ଗଠନ କରି ଲୋହିଆଙ୍କ ପ୍ରଦର୍ଶିତ ଆଦର୍ଶକୁ ସହଜବୋଧ୍ୟ କରିବା। ୧୯୭୫ ଜୁନ୍ ମାସରେ ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ସମାଜବାଦୀଙ୍କ ସହ କିଶନ ପଟ୍ଟନାୟକ ମଧ୍ୟ କାରାବାସ ଗ୍ରହଣ କଲେ।
                    
ଆଉ ଏଥି ସହ ‘ମେନକାଇଣ୍ଡ୍’, ‘ଜନ୍’ ଏବଂ ‘ଚୌରଙ୍ଗୀ ବାର୍ତ୍ତା’ ଭଳି ପତ୍ରିକାର ପ୍ରକାଶନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ। ମାତ୍ର, ଜରୁରୀକାଳୀନ ପରିସ୍ଥିତି ପରେ ‘ବାର୍ତ୍ତା’ ନାମକ ପତ୍ରିକା ପ୍ରକାଶ କରିଲେ କିଶନ ପଟ୍ଟନାୟକ, ଯାହାର ନେପଥ୍ଯରେ ଥିଲେ କଲିକତାର ଅଶୋକ ସାକସେରିଆ, ମୁଜାଫରପୁରର ସଚ୍ଚିଦାନନ୍ଦ ସିହ୍ନା ଏବଂ ମଧ୍ୟପ୍ରଦେଶର ସୁନୀଲ୍ ଇତ୍ୟାଦି।
                    
କିଶନ ପଟ୍ଟନାୟକ ଥିଲେ ଜୟପ୍ରକାଶ ନାରାୟଣଙ୍କ ନିକଟ ସହଯୋଗୀ। ବିହାରରେ ସେତେବେଳେ ରହି କାର୍ଯ୍ୟ କରୁଥିଲେ କିଶନ ପଟ୍ଟନାୟକ। ସେତେବେଳେ ବିହାରରେ ଆନ୍ଦୋଳନ ମାନ କରିବା ସହ ନୀତୀଶ କୁମାର, ଲାଲୁ ଯାଦବ, ବଶିଷ୍ଟ ନାରାୟଣ ସିଂହ ଓ ଶିବଧର ସିଂହଙ୍କ ଭଳି ଯୁବନେତାଙ୍କ ସମ୍ପର୍କରେ ଆସିଥିଲେ।
                   
ଓଡିଶାରେ ଭକ୍ତଚରଣ ଦାସ, ପ୍ରଶାନ୍ତ ମିଶ୍ର, ରାଧାକାନ୍ତ ବହିଥାର, ଗିରୀନ୍ଦ୍ର ପଣ୍ଡା ଭଳି ଯୁବନେତା ସମାଜବାଦୀ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ। ମାତ୍ର, କିଶନ ପଟ୍ଟନାୟକ ଜନତା ପାର୍ଟିର ଅନ୍ତଃ କନ୍ଦଳ ପାଇଁ ସେଥିରେ ଯୋଗଦାନ କରିନଥିଲେ, ଯେତେବେଳେ କି ଅନେକ ସମଧର୍ମାମାନେ ସାମିଲ ହୋଇ ଯାଇଥିଲେ ସେହି ଦଳରେ।
               
ସେତେବେଳେ ଭାରତୀୟ ଜନତା ପାର୍ଟିର ଆଦ୍ୟ ରୂପ ଜନସଂଘ ଗୋଷ୍ଠୀର ଗଠନ ହେଉଥାଏ। ଏହା ପୂର୍ବରୁ କିଶନ ପଟ୍ଟନାୟକ ଜନତା ଦଳ ଭିତରେ ସାମ୍ପ୍ରଦାୟିକ ବିଚାରକୁ ପ୍ରୋତ୍ସାହନ ଦେବା ପାଇଁ ସତର୍କ କରିସାରିଥିଲେ, ଯାହାକୁ ନ ମାନି ମଧୁ ଲିମାୟେ ଓ ରାଜନାରାୟଣ ବିଜେପିର ଗଠନ କରିଲେ ଏବଂ ୧୯୭୯ ମସିହାରେ ଜନତା ଦଳ ସରକାରର ନାଟକୀୟ ଅବସାନ ଘଟେ। ଏଥି ପରେ ୧୯୮୦ ମସିହାରେ ନିରାଶ୍ରିତ ଯୁବଗୋଷ୍ଠୀଙ୍କୁ ନେଇ କିଶନ ପଟ୍ଟନାୟକ ଗଠନ କରିଲେ ‘ସମତା ସଙ୍ଗଠନ’।
            
ସେତେବେଳେ କିଶନ ପଟ୍ଟନାୟକ ବିଦେଶୀ ସଂସ୍ଥାଗୁଡିକ ପ୍ରତି ଯୁବକମାନଙ୍କ ଆକର୍ଷଣକୁ ବିରୋଧ କରିବା ସହ ‘ସମତା ସଙ୍ଗଠନ’ ଏକପ୍ରକାର ବିଭାଜନର ସମ୍ମୁଖୀନ ହୁଏ। ଫଳସ୍ୱରୂପ, କିଶନ ପଟ୍ଟନାୟକ ଫେରି ଆସି ବରଗଡ଼ରେ ଅବସ୍ଥାନ କରିଲେ। ୧୯୯୧ ଏବଂ ୧୯୯୪ ମସିହାରେ ଯଥାକ୍ରମେ ସେ ସେଠାରେ ‘ଜନ ଆନ୍ଦୋଳନ ସମନ୍ୱୟ ସମିତି’ ଏବଂ ‘ସମାଜବାଦୀ ଜନ ପରିଷଦ’ ଗଠନ ଦ୍ଵାରା ନାରୀ ବିମର୍ଶ, ଜାତିବାଥ ସମସ୍ୟା, ସମ୍ପ୍ରଦାୟବାଦ, ଜଗତୀକରଣ ତଥା ଆଦିବାସୀଙ୍କ ଅଧିକାରକୁ ନେଇ ନିଜର ମତ ଉତ୍ଥାପନ କରିଥିଲେ।

ଏତଦ୍ ବ୍ୟତୀତ, ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ସେ ଅନେକ ପୁସ୍ତକ ଓ ପ୍ରବନ୍ଧମାଳା ରଚନା କରିଛନ୍ତି। ‘ଭାରତ ଶୁଦ୍ରୋଁ କା ହୋଗା’ , ‘ବିକଳ୍ପହୀନ ନହିଁ ହେ ଦୁନିଆଁ’ (୨୦୦୦), ‘ଭାରତୀୟ ବୁଦ୍ଧିଜୀବୀର ସଙ୍କଟ’ (୨୦୦୧), ‘ବିଚାରର ଟିପାଖାତା’ (୨୦୦୪), ‘ଭାରତୀୟ ରାଜନୀତି ପର୍ ଏକ ଦୃଷ୍ଟି’ (୨୦୦୬), ‘କିଶାନ ଆନ୍ଦୋଳନ ଦଶା ଔର ଦିଶା’ (୨୦୦୬) ଭଳି ତାଙ୍କ କୃତି ସବୁ ଯୁଗୋପଯୋଗୀ ତଥା ପଠିତବ୍ଯ। ଏଥିରେ ସେ ଅନେକତ୍ର ଭାରତୀୟ ରାଜନୈତିକ ପରିବେଶରେ ନବୋନ୍ମଷ ସହ ପରିବର୍ତ୍ତିତ ସୂତ୍ରରେ ବିକଳ୍ପ ରାଜନୀତିର ଉତ୍ଥାପନପୂର୍ବକ ବୁଦ୍ଧିଜୀବୀମାନଙ୍କୁ ଆହ୍ଵାନ ମଧ୍ୟ କରିଛନ୍ତି।
                      
ଅପରିଗ୍ରହ ଥିଲା ତାଙ୍କ ନୀତି, ସମ୍ପତ୍ତି ତାଙ୍କର ନିଜସ୍ୱ କିଛି ନଥିଲା ବୋଇଲେ ଚଳେ। ତାଙ୍କୁ ମଝିରେ ମଝିରେ ରାଜ୍ୟପାଳ ପଦବୀ ଅଥବା କେଉଁ ଏକ ଦଳର ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଆସିଥିଲେ ସୁଦ୍ଧା ସେ ସମସ୍ତକୁ ବିନମ୍ରତା ସହକାରେ ପ୍ରତ୍ୟାଖ୍ୟାନ କରିଛନ୍ତି। ସମାଜବାଦୀ ଜନ ଆନ୍ଦୋଳନର ଏହି ମହାନାୟକ ୨୭ ସେପ୍ଟେମ୍ବର ୨୦୦୪ ମସିହାରେ ଦେହତ୍ୟାଗ କଲେ । ହେଲେ ଏବେ ମଧ୍ୟ ସମଗ୍ର ଦେଶରେ ରହିଛନ୍ତି ତାଙ୍କ ମୌଳିକ ବିଚାରଧାରାର ଅନୁପନ୍ଥୀ ଓ ପରିପ୍ରୟୋଗକାରୀ ଏକ ବୃହତ୍ତର ଯୁବଗୋଷ୍ଠୀ ।

© ଅମୃତେଶ ଖଟୁଆ Amritesh Khatua

Leave a Comment

Your email address will not be published. Required fields are marked *

Scroll to Top