କାଳୀଜାଇ: ଇପ୍ସିତ ଝଡ଼ର ଦେବୀ

ରଚନା: ଡ. ସନତ କୁମାର ଦାସ

[କାଳଜୟୀ କାଳୀଜାଇ ଗାଥା କବିତାର କବି, ସତ୍ୟବାଦୀ ବନବିଦ୍ୟାଳୟର ସାଧକ, ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କୁ  ଶ୍ରଦ୍ଧାଞ୍ଜଳି ବାଢ଼ିଦେଲା ବେଳେ ରସଗ୍ରାହୀ ହୃଦୟବନ୍ତମାନଙ୍କୁ ଅନୁରୋଧ, ଏ’ କାଳୀଜାଇ କବିତାର ଅନ୍ତଃସ୍ବର “କାଳୀଜାଇ: ଇପ୍ସିତ ଝଡ଼ର ଦେବୀ” ଶୁଣିବା ହେବେ । ]

~ କାଳୀଜାଇ: ଇପ୍ସିତ ଝଡ଼ର ଦେବୀ ~
ମାଆବାପା ସାଙ୍ଗସାଥୀ ପ୍ରିୟ ପରିଜନେ
ଜନପଦ ସୀମାନ୍ତରୁ ସଜଳ ନୟନେ
ସଙ୍ଗତେ ସେ କାହାଣୀର ନିଷ୍ଠାପର ଶ୍ରୋତା ଯେତେ ଆମ୍ଭେ
ସମୟ ସକଳ ପ୍ରସ୍ଥୁଁ, ଆଉ ମଧ୍ୟ ଆମ୍ଭ ସଙ୍ଗେ ତୁମ୍ଭେ :
“ଧୀରେ ଧୀରେ ନାଆ ବୁହା ରେ ନାଉରି ଝିଅକୁ ମାଡ଼ୁଛି ଡର
ଗଡ଼େ ଗଡ଼ଲୋକ ଚାହିଁ ବସିଥିବେ ଝିଅ ଯିବ ଶାଶୁଘର ।”
ଡାକିଅଛ ଆର୍ଦ୍ର କଣ୍ଠେ ହେ ଗୋଦାବରୀଶ,
ଆମ୍ଭେ କିନ୍ତୁ କେହି କିଛି ନ ଜାଣୁ ପଣ୍ଡିତେ
ଅଲିଅଳି ଝିଅଟିର ଅଭୀଷ୍ଟ ବିଳାସ ॥

“ନାଆ ଉଡ଼ିଗଲା ପବନ ପ୍ରାୟେ ଲୋ ପିଟିଗଲା ପାହାଡ଼ରେ
ବାପ ଝିଅ ଆଉ ନାଉରି ତିହ୍ନିହେଁ ବୁଡ଼ିଗଲେ ଅଥଳରେ ।
ମେଘ ଚାଲିଗଲା ମେଘର ବାଟେ ସେ ପବନ ହୋଇଲା ଥିର
ବାପା ପଚାରନ୍ତି ଖୋଜି ନାଉରି ରେ କାହିଁ ଗଲା ଝିଅ ମୋ’ର ? “
ଏ’ଯାବତ ଶୁଣି ଶୁଣି ମାଆଙ୍କ କଣ୍ଠରୁ
ଖସି ପଡ଼େ ଭାତ ଗୁଣ୍ଡା ମୋ’ ଶିଶୁ-ତୁଣ୍ଡରୁ
ଭାତଖିଆ ଇତି ଘେନେ ଅଶ୍ରୁଳ ବିନୀତ ଘୋରତର ପ୍ରତିବାଦେ
ଆଶୈଶବ ବିଦଗ୍ଧ ଏ’ କାରୁଣ୍ଯର ଖେଦେ
ପ୍ରଥମ ତାରୁଣ୍ଯେ ଯେବେ ଅନ୍ତର ଆକାଶେ
ଉଠିଲା ପ୍ରଚଣ୍ଡ ଝଡ଼ ପ୍ରଣୟ – ରଭସେ
ସେ ଝଡ଼ ଅତ୍ୟନ୍ତ ଚିହ୍ନା, ପ୍ରିୟ ମୋ’ର ଜନ୍ମ ଜନ୍ମାନ୍ତର
ଏକା ମୋ’ର ବୋଲି ନୁହେଁ, ବ୍ଯାପ୍ତିକାମ ପ୍ରତ୍ଯେକ ପ୍ରାଣର
ସେ’ ଝଡ଼ର ଅଭିଯାନ ପର୍ବ କଦାଚିତେ
ଖୋଲିଥିଲା ଯେ’ ରହସ୍ୟ, ଶୁଣିବା ପଣ୍ଡିତେ —

ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ ଝିଅକୁ ନ ମାଡ଼େ ଡର
ଚିଲିକା ଜଳକୁ ଝିଅ ଡରେନା ଲୋ ଭବଜଳେ ଭାରୀ ଡର ।
ବାପା କି ବୁଝିବେ ଲୁହର ଭେଦ ଲୋ, ବେଦନା ବହନ୍ତି ବୁକେ
ବେଦନା କାହାରି ଜାଇ ନ ସହେ ଲୋ ନୀରବରେ ଲୁହ ପୋଛେ ।

ଜଗତ ନ ଜାଣୁ ସେ ତ ଜାଣେ ତା’ର ବିଭବ ଗୋପନ
କେ ରୂପ ଖୋଜନ୍ତା ଆଉ ସେ ତ ନିଜେ ରୂପ ମୂର୍ତ୍ତିମାନ
ଯେ ବିଦ୍ଯା ସ୍ଫୁରଇ ତା’ର କୁଆଁରୀ ହୃଦୟେ
ଉଦ୍ଭାସିତ ମନ ପ୍ରାଣ ତାହାରି ଆଲୁଏ
ଚିଦ୍-ବିଶାଳ ବିହାୟସେ ଯା’ର ଅଭିସାର
ସେ କେହ୍ନେ ରଚନ୍ତା ଏଥେ ଛୋଟ ଏକ ଘର ?
ବର ଯା’ର ଚିନ୍ମୟ ସୁନ୍ଦର
ସେ କିଆଁ ବରିବ ଏକ ମୃତ୍ୟୁଶୀଳ ବର ?

ଝିଅର ଗହନ ପାଠ ବୁଝନ୍ତିନି କେହି
ସୁତରାଂ ଝିଅ ଜନ୍ମ ପରଘର ଲାଗି
ଅନିବାର୍ଯ୍ୟ ଏ’ ଶାହାସ୍ତ୍ର ବାକ୍ଯଟି ଶୁଣାଇ
ଯେ ଯାହା ଦାୟିତ୍ୱ ଯେବେ ନେଲେକ ତୁଲେଇ
ସମର୍ପିତ ଅଶ୍ରୁ ହାୟ ଏଡ଼େ ବଳୀୟାର !
ପ୍ରକୃତି ଘେନିଲା ନିଜ ଦାୟିତ୍ୱ ବେଭାର
ଯେ ଊର୍ଜାର ଝଡ଼ ଉଠେ ଜାଇର ଅନ୍ତରେ
ସେ ଝଡ଼ ପ୍ରସରି ଗଲା ଚିଲିକା ବକ୍ଷରେ
ସେ ଝଡ଼ ଦୁର୍ଯୋଗ ନୁହେଁ, ସେ ସୁଯୋଗେ ଜାଇ
ଦୃଶ୍ୟମାନ ଜଗତରୁ ଗଲାକ ଉଭେଇ ॥

ଅନ୍ତରଙ୍ଗ ଅଭୀପ୍ସାର ଝଡ଼-ଗତି ଉତ୍ତରଣ ଯୋଗେ
ଏ’ ଭବ-ବାସନା-ଝଡ଼ କାଳ କବଳରୁ
ଯେ ପାରେ ମୁଞ୍ଚାଇ
ଅବତୀର୍ଣ୍ଣା ଏ’ ଭୂମିର ନିରିମାଖୀ ଜାଇ –
ମଧ୍ୟେ ସେ ଭୂମାର କାଳୀ, ନିର୍ମମ ନିରୀହ
ଚେତନା । ବିହିତ ନାମ ତେଣୁ କାଳୀଜାଇ ॥

ହେ ଭ୍ରମ-ଭ୍ରମରବର, ସେହି ପାହାଡ଼ରେ
ଯେ କାନ୍ଦ ଶୁଣିଛ ତୁମ୍ଭେ ବେଳ ଅବେଳରେ
ସେ କାନ୍ଦ ଜାଇର ସତ୍ଯ, କିନ୍ତୁ ତୁମ୍ଭ ନିଜ ମୂଳାଧାରେ
ବନ୍ଦିନୀ ସେ ଅଶ୍ରୁ ମୋଚେ ଝଡ଼ ଅପେକ୍ଷାରେ ॥

ଶୁଣିଛ ଯା’ ନୂପୁର ଶିଞ୍ଜନ –
ମିଥ୍ୟା ନୋହେ ତାହା ତୁମ ପାଇଁ
ଝଡ଼ର ପ୍ରସ୍ତୁତି ଲାଗି ଗୁପ୍ତ ଆମନ୍ତ୍ରଣ ॥

“କାଳୀଜାଇ ବଡ଼ ପ୍ରତ୍ଯକ୍ଷ ଦେବତା”
ଯାଅ ଯେବେ ଦଣ୍ଡବତ କରି
ମାଗିନେବ ନିଶ୍ଚେ ସେହି କାମ୍ଯ ଝଡ଼ ଗୋଟି
ବନ୍ଧୁ ମୋ’ର ଦନ୍ତେ ତୃଣ ଧରି ॥

ଆରେକ ଦାରୁଣ କିନ୍ତୁ ଶୁଭଙ୍କର କଥା ବନ୍ଧୁ ଶୁଣ
ଧରାର ଅଧ୍ଯାତ୍ମଗତି ଦାବି କରେ ଯେଉଁ ଉତ୍ତରଣ
ତା’ ପାଇଁ ଇପ୍ସିତ ଯେଉଁ ଅଭୀପ୍ସାର ଝଡ଼
ସେ ଗୋପନ ଝଡ଼ ଯଦି ନ ଉଠେ ଅନ୍ତରୁ
କ୍ରୁରାତ୍ କ୍ରୁରତର ଝଡ଼ ଯାଗେ
ସେ ଚେଷ୍ଟା ରଚିବେ କାଳୀ ବହିର୍ଜଗତରୁ
ଉତ୍କଳର କାରୁଣିକ ଗୀତି
କାଳୀଜାଇ ସେହି ପ୍ରତିଶ୍ରୁତି ॥

‘କାଳୀଜାଇ: ଇପ୍ସିତ ଝଡ଼ର ଦେବୀ’ କବିତାର ପ୍ରେକ୍ଷାଭୂମି:
ଭାରତବର୍ଷର ଭାବପ୍ରବଣ ଧରାତଳେ କୁଳଗୋତ୍ର ପରିବର୍ତ୍ତନ ପୂର୍ବକ ନିଜର ଆଜନ୍ମ ପ୍ରିୟ ବାପାମାଆ ବନ୍ଧୁ ପରିଜନ ଘର ଗାଁ ଛାଡ଼ି ଏକ ନୂତନ ଅପରିଚିତ ପରିବାରର ସଦସ୍ୟ ହେବାକୁ ପଡ଼େ ବୋଲି ‘ବାହାଘର’ ପରି ସଂସ୍କାର ଉତ୍ସବଟିକୁ, ରଜାଝିଅ ହେଲେ ମଧ୍ୟ ଝିଅଟିଏ ଡରିବା ସ୍ବାଭାବିକ; କାରଣ ଭୟ ଥାଏ, ଆଶଙ୍କା ଥାଏ, କିପରି ହୋଇଥିବ ସେଇ ବରଟି ଯାହାର ହାତ ଧରି ସେ ଜୀବନ କାଟିବ ? କିପରି ହୋଇଥିବେ ସେ ବରର ବାପମାଆ, ଯେଉଁମାନଙ୍କୁ ସେ ଏ’ ନୂଆ ଜୀବନରେ ବାପାମାଆ ବୋଲି ଡାକିବ ? ସେମାନେ ବାପାମାଆ ପରି ଆଦର କରିବେ ନା ଭୟାନକ ଶାଶୁଶ୍ବଶୁରପଣିଆ ଜାହିର କରିବେ ? ଏ’ ଦରବ ସେ ଦରବ ତୋ’ ବାପଘରୁ ଆଣ ବୋଲି କହିଲେ, ସେଥକୁ ବାପଘର ସମର୍ଥ ଥିବ କି ନାହିଁ ? ସେ ଘର ନିର୍ଯାତନାର ଯମପୁର ସାବ୍ଯସ୍ତ ହେବ ନାହିଁ ତ ? ଏହିପରି ଅନେକ ଅନାଗତ ଆଶଙ୍କାରେ ବୁଡ଼ି ଝିଅଟି ବାହାଘର ବେଳେ ଭାରୀ ଡରିଯାଏ ଆଉ ସେଇଥିପାଇଁ ବାହା ହୋଇ ଶାଶୁଘର ଯିବାକୁ ସାମୟିକ ଅମଙ୍ଗ ହୋଇଥାଏ ।

ମାତ୍ର ବାସ୍ତବିକତା ଯାହା ବି ହେଉ, ପକ୍ଷିରାଜ ଘୋଡ଼ା ଚଢ଼ି ରାଜକୁମାର ଟିଏ କେଉଁ ଝିଅର ସ୍ବପ୍ନରେ ବା ନ ଆସେ ? ସୁନା ସଂସାର ଟିଏ ଗଢ଼ି ତା’ ଭିତରେ ରାମ କୃଷ୍ଣ ପରି ଯୋଡ଼ାଏ ସୁନ୍ଦରିଆ ପୁଅ, ଲକ୍ଷ୍ମୀ ପାର୍ବତୀ ପରି ଯୋଡ଼ିଏ ସୁନାନାକୀ ଝିଅଙ୍କର ଯଶୋଦା ମାଆ ହୋଇ ସ୍ନେହ ସୌହାର୍ଦ୍ଦର ଗୋପପୁରରେ ଆନନ୍ଦର ଦହି ମନ୍ଥିବାକୁ କେଉଁ ଝିଅ ବା ନ ଚାହେଁ ? (ଏବର ଝିଅ ମାନଙ୍କ ସ୍ବପ୍ନ କିଛି ଅଲଗା ହୋଇପାରେ, ମାତ୍ର ଏ’କଥା ଏ’ ଅକିଞ୍ଚନ ଲେଖକ ତା’ ନିଜର ମହିମାମୟୀ ମାଆଙ୍କୁ ଆଉ ତାଙ୍କ ସମୟର ଆଉ ଅଧିକାଂଶ ମାଆ ମାନଙ୍କୁ ଦେଖି ଲେଖୁଛି ।) ଚାହିଁବ ନାହିଁ ବା କାହିଁକି ? ସେ ଚାହିଁବା ସ୍ବାଭାବିକ ଆନନ୍ଦ ତଥା ଅଧିକାର ।

‘ଜାଇ’କି ଆମର ସେହି ସାମୟିକ ‘ଅମଙ୍ଗ ରୋଗ’ ବୋଲି ଆଉ ସମସ୍ତେ ବି ନ ଭାବିବେ କାହିଁକି ? ସେମାନେ ତ ସେମାନଙ୍କ ଆଖିପାଆନ୍ତାରେ ଆଉ ଦଶ ଜଣଙ୍କୁ ଦେଖିବାକୁ ପାଉ ନାହାଁନ୍ତି, ଯେଉଁମାନେ କି କେବଳ ଈଶ୍ବରଙ୍କ ପାଇଁ ତପସ୍ୟା କରି ଜୀବନ ଜୀଉଁଛନ୍ତି । ତେଣୁ ଜାଇ କାହିଁକି କାନ୍ଦେ, ସେ କାନ୍ଦଣାର ଭେଦ କିଏ ବୁଝିବ ? “ଝିଅ ଜନମ ତ ପରଘରକୁ ଲୋ ମାଆ ।” ଆବହମାନ ଅନ୍ଯୋପାୟହୀନ ସମ୍ବେଦନାର ଏହି ଆପ୍ତକାବ୍ଯଟି କହି ଦେଇ ଝିଅକୁ ଆପାତତଃ ବୁଝାଇବାର ଚେଷ୍ଟା କରିଛନ୍ତି ବୋଲି ଘରଲୋକେ ସନ୍ତୁଷ୍ଟ ଥିବେ । ବିଚାରୀ ବୋଉ କଅଣ କରି ପାରିବ ? ସାତ ଲୋକଙ୍କର ସତର ନଜର । ସେଥିରେ ପୁଣି ସାହି ପଡ଼ିଶାଙ୍କ ଟାହି ଟାପରା ସହି କେତେ ଦିନ ଆଉ ଝିଅକୁ ବାଡ଼ୁଅ କରି ରଖିଥିବ ! “ଆମେ ସିନା ଝିଅଟିକୁ ସ୍ନେହ ଶ୍ରଦ୍ଧାରେ ବଢ଼ାଉଛୁ ; ହେଲେ ଆମ ପରେ କିଏ ତା’ ସୁଖଦୁଃଖ ବୁଝିବ ? ଭାଇ ଭାଉଜ ତ ଆଉ ବାପମାଆ ପରି ହେବେ ନାହିଁ !” ଏ’ ଚିନ୍ତା ସବୁବେଳେ ବାପାଙ୍କୁ ଘାରେ । ସେ’ ଦୁହିଁଙ୍କ ମୁହଁ ଶୁଖିଯାଏ । ଜାଇ ବିଚାରୀ ତ ଏତେ ନରମହୃଦୟ ଯେ କାହାରି ଦୁଃଖ ସହି ପାରେନାହିଁ, ଅଗତ୍ଯା ଶାଶୁଘର ଯିବାକୁ ରାଜି ହେଲା ।

ପ୍ରାଚୀନ ଭାରତବର୍ଷରେ ପିଲା ଦିନରୁ ବାହାଘର ହେଉଥିଲେ ମଧ୍ୟ ଝିଅ ବାପଘରେ ହିଁ ଥାଏ ଆଉ ଘରଯୋଗ୍ଯା ବୟସ ହେଲେ ଯାଇ ଶାଶୁଘରକୁ ଯାଏ। ଉଦାହରଣ ସ୍ୱରୂପ, ଦକ୍ଷିଣେଶ୍ବରର ସାରଦା ମାଆ ପାଞ୍ଚ ବର୍ଷ ବୟସରେ ବାହା ହୋଇଥିଲେ, ମାତ୍ର ଘରକରଣାର ବୟସ ହବା ପରେ ଯାଇ ଦକ୍ଷିଣେଶ୍ବର ଯାଇଥିଲେ ।

ତାହା ହିଁ ଘଟିଛି । ଚିଲିକା ବକ୍ଷସ୍ଥ ପାରିକୁଦ ଦ୍ବୀପରେ ଥିବା ତା’ର ଶାଶୁଘରେ ନେଇ ଛାଡ଼ି ଦେବା ପାଇଁ ଷୋଡ଼ଶୀ ଜାଇକୁ ଧରି ବାପା ବାହାରିଛନ୍ତି । ଏହି ପ୍ରେକ୍ଷାପଟରେ ଘଟିତ ଘଟଣାର କାବ୍ୟରୂପ ହେଉଛି ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ କାଳଜୟୀ କବିତା ‘କାଳୀଜାଇ’ । “ଘଣ୍ଟଶିଳା ଶିଖେ ଚାହିଁ ସେ କହନ୍ତା ଦିଅ ରେ ମେଲାଣି ମୋତେ ….. ” , “ମାଆ ଭଉଣୀଏ ସାଥୀ ସଙ୍ଗାତଏ ରହିଲେ ଦୂରସ୍ଥେ କାହିଁ ….. ” ଏହିପରି ଆମୂଳଚୂଳ କବିତାଟିରେ ମାନବୀୟ ସ୍ନେହ ସମ୍ବେଦନାର ଆବେଗ ଗୁଡ଼ିକ ଗୋଦାବରୀଶଙ୍କ ଲେଖନୀରେ ଅତି ସାବଲୀଳ ଭାଷାରେ ଫୁଟି ଉଠି ଅନାୟାସରେ ପାଠକର ମର୍ମଭେଦ କରି ପାରିଛନ୍ତି ।

ତେବେ ବାସୁ ମାଷ୍ଟ୍ର ସହିତ ପଳେଇ ଯାଇଥିଲେ ଫକୀରମୋହନଙ୍କ ରେବତୀ, ସହସ୍ର ରେବତୀଙ୍କ ଗହଳିରେ ହଜି ଯାଇଥାଆନ୍ତା; ମାତ୍ର ଜେଜୀ ସହିତ ତା’ର କରୁଣ ଅକାଳ ମୃତ୍ୟୁ ତାକୁ ଜନସମ୍ବେଦନାରେ କାଳଜୟୀ କରି ବଞ୍ଚେଇ ରଖିଛି । ଜାଇର କ୍ଷେତ୍ର ତାହାଠାରୁ ବହୁ ଅଧିକ ବ୍ଯାପକ । ସୁତରାଂ ଝିଅଟି ଯଦି କୌଣସି ଦୁର୍ଘଟଣାରେ ମରିଯାଏ ତା’ହେଲେ ଅତି ସହଜରେ କାଳବ୍ଯାପି ସମସ୍ତଙ୍କର ସହାନୁଭୂତିର ପାତ୍ର ହୋଇ ପାରେ । “ଆହା ବିଚାରୀ” – ଅନେକ ଚକ୍ଷୁ ଅଶ୍ରୁବର୍ଷା କରନ୍ତି । ମାତ୍ର ଝିଅଟି ଯୋଗିନୀ ହୋଇ ଈଶ୍ବରୀୟ ମାର୍ଗରେ ଏକାକିନୀ ରହୁ, ଏ’କଥା ଗତାନୁଗତିକ ଜୀବନଧାରା ଠାରୁ ଭିନ୍ନ ହୋଇ ଥିବାରୁ ସଚରାଚର ସମସ୍ତେ ସେଥିରେ ଉଦାସୀନ ରହନ୍ତେ ! କାଳ ଗର୍ଭରେ ହଜି ଯାଆନ୍ତା ଏ’ ସୁନ୍ଦର ଆଖ୍ଯାନଟି । ତେଣୁ କିମ୍ବଦନ୍ତୀ କାଳୀଜାଇକୁ ଏକ ନାଟକୀୟ ଦୟନୀୟତା ପ୍ରଦାନ କରି ଲୋକମୁଖରେ ଚିରଞ୍ଜୀବୀ କରାଇ ନେଇଛି । (ହାୟ, ଯଦି ଏ’ ଅକାରଣ ଦୟାଟି ତା’ର ଈଶ୍ବରପଣର ଭାସକ ବୋଲି ମନୁଷ୍ୟ ବୁଝି ପାରନ୍ତା !) ଆଉ କାହାଣୀଟି ଚିରଞ୍ଜୀବୀ ହୋଇଥିବାରୁ ଆଜି ତାହାର ପ୍ରକୃତ ସତ୍ଯ ଉଦ୍ଭାସିତ ହୋଇ ପାରିଛି ।

ଈଶ୍ବରଙ୍କ କରୁଣାରୁ ମାଟି ଖାଇବା ବୟସରୁ ସୁଦ୍ଧା ଏ’ ଅକିଞ୍ଚନର ଚେତନା ଯଥେଷ୍ଟ ଜାଗ୍ରତ ଥିଲା। ଆଦ୍ଯ ଶୈଶବରେ ଆପଣାର ବୀଣାଜିଣା କଣ୍ଠରେ ବଙ୍ଗଳାଶ୍ରୀ ରାଗରେ ଯେଉଁଦିନ ପ୍ରଥମେ ଏହି ଗୀତଟି ଗାଇ ମୋତେ ଖୁଆଇ ଦେବାର ସଦୁଦ୍ଯମ କରିଥିଲେ ମୋ’ର ମମତାମୟୀ ମାଆ, “ଜାଇ କାହିଁକି ମରିଯିବ ? ” ବୋଲି ଆର୍ତ୍ତ ପ୍ରତିବାଦ ସହିତ ସେଦିନ ଅସହ୍ୟ ଯନ୍ତ୍ରଣାରେ କାନ୍ଦି କାନ୍ଦି ତାଙ୍କ କୋଳରୁ ଉଠି ଆସିଥିଲି । ସେବେଠାରୁ ଜାଇର ସେ ଦାରୁଣ ନିୟତି ବିରୋଧରେ ଯେଉଁ ବିଦ୍ରୋହଟି ମୋ’ ଅନ୍ତଃକରଣରେ ନିରବଚ୍ଛିନ୍ନ ବର୍ତ୍ତମାନ ଥିଲା, ଚେତନାର ଅଭିଯାତ୍ରା ପଥରେ ଯେଉଁ ଅନ୍ତରୁଦ୍ଭାସନଟି ସେ ପ୍ରଶ୍ନକୁ ସମାଧାନ ଦେଇଥିଲା, କହିବା ବାହୁଲ୍ଯ, ‘କାଳୀଜାଇ: ଇପ୍ସିତ ଝଡ଼ର ଦେବୀ’ କବିତା ସେହି ଉଦ୍ଭାସନର ବାଙମୟ ସ୍ବରୂପ ।

ଗୋଦାବରୀଶ କହୁଛନ୍ତି:
“ଧୀରେ ଧୀରେ ନାଆ ବୁହା ରେ ନାଉରି ଝିଅକୁ ମାଡ଼ୁଛି ଡର ।
ଗଡ଼େ ଗଡ଼ ଲୋକ ଚାହିଁ ବସିଥିବେ ଝିଅ ଯିବ ଶାଶୁଘର ॥”

ନା ପଣ୍ଡିତେ, ତାହା ନୁହେଁ, ସତ୍ୟଟି ଏହିପରି:
ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ ଝିଅକୁ ନ ମାଡ଼େ ଡର,
ଚିଲିକା ଜଳକୁ ଝିଅ ଡରେନା ଲୋ ଭବଜଳେ ଭାରି ଡ଼ର ॥

ଗୋଦାବରୀଶଙ୍କ ଜାଇ କାନ୍ଦୁଛି:
“ବର ବୋଲି ଯା’ର ଧରାଇଲ ହାତ, କି ତା’ର ଦେଖିଲ ଶିରୀ  ?
ରୂପ ବିଦ୍ୟା ଆଉ ବିଭବ ବାପା ହେ ତିହ୍ନିହେଁ ତିହ୍ନିଙ୍କି ବଳି ॥ “

ପଣ୍ଡିତେ କିଛି ଭୁଲ୍ କରିନାହାନ୍ତି, ବରଂ କାହାଣୀର ଆବେଦନ ଅନୁଯାୟୀ ଗତାନୁଗତିକ ଆରୋପ ଯୋଗେ ଗାଥାଟିକୁ ଜୀବନ୍ତ, କାରୁଣିକ କରିଛନ୍ତି । କିନ୍ତୁ ଏକ ଅଲୌକିକ ରୂପ ବିଦ୍ୟା ଆଉ ବିଭବର ଅଧିକାରିଣୀ ସେ ଅନନ୍ଯ କନ୍ଯା ଲୌକିକ ଜଗତର ସେ’ସବୁ ମରଣଶୀଳ ସାମଗ୍ରୀ ଲୋଡ଼ନ୍ତା ବା କାହିଁକି ?

” ଜଗତ ନ ଜାଣୁ ସେ ତ ଜାଣେ ତା’ର ବିଭବ ଗୋପନ
   ………  ସେ କିଆଁ ବରିବ ଏକ ମୃତ୍ୟୁଶୀଳ ବର ? “

ସେ ଦୁର୍ଘଟଣାରେ ଜାଇ ମୃତ୍ୟୁ ବରଣ କରି ନଥିଲା, ବରଂ ସେ ସୁଯୋଗରେ ଝଡ଼ର ଆଢ଼ୁଆଳରେ ପାହାଡ଼ ଗୁମ୍ଫାରେ ଆତ୍ମଗୋପନ କରି ଯାଇଥିଲା ।

“ବାପା ପଚାରନ୍ତି ଖୋଜି ନାଉରିରେ ଝିଅ ମୋ’ର ଗଲା କାହିଁ ?
ତୁନି ହୋଇ ଠିଆ ନାଉରି ବାପୁଡ଼ା ତୁଣ୍ଡ ତା’ର ଫିଟୁ ନାହିଁ ॥”

ଝଡ଼ୋପମ ତୀବ୍ର ବ୍ଯାକୁଳତାବୋଧ ଅଧ୍ଯାତ୍ମ ମାର୍ଗରେ ସମ୍ଭବ କରାଇପାରେ ଅନେକବିଧ ଆକସ୍ମିକ ଅଘଟଣ ଆଉ ତ୍ବରାନ୍ବିତ ଉତ୍ତରଣ , ଯାହାର ଅଧ୍ଯାତ୍ମ ପ୍ରତିଭୂ ହେଉଛନ୍ତି ଅନ୍ୟତମ ଭାଗବତୀ ଶକ୍ତି କାଳୀ । କହିବା ଅନାବଶ୍ୟକ, କାଳୋତ୍ତୀର୍ଣ୍ଣ ଅସୀମ ‘କାଳୀ’ ଚେତନାରେ ସମାହିତ ସେ ଚେତନା ଆଉ ‘ଜାଇ’ ହୋଇ ରହି ନଥିଲା । ତେଣୁ ସୀମିତ ଚେତନାର ମନୁଷ୍ୟ ପିତାକୁ ଆଉ ମିଳିବାର ପ୍ରଶ୍ନ କାହିଁ ?

ଝଡ଼ବତାସ ପରି ଦୁର୍ଘଟଣାରେ ଅପମୃତ୍ଯୁ, ଭାରତୀୟ ବିବେଚନାରେ ପାପ ପ୍ରାରବ୍ଧର ଫଳ ବୋଲି କୁହାଯାଏ । ସୁତରାଂ ପାପର ଦଣ୍ଡ ସ୍ବରୂପ ଅପମୃତ୍ଯୁ ବରିଥିବା ଝିଅଟି ଦେବୀ ବନିଯିବ କିପରି ? ସେ କିପରି ଚିଲିକାରେ ଝଡ଼ ବତାସ ନିବାରଣ କରି ପାରିବ ? ସେ ନୁପୂରଧ୍ବନି କଅଣ ଜାଇର ? ଅକାଳେ ସକାଳେ ସେ ରହସ୍ୟମୟ କାନ୍ଦଣାଟି ଅବା ଦିଏ କେଉଁ ସଂକେତ ?

ଅଧ୍ଯାତ୍ମିକ ଉତ୍ତରଣ ପାଇଁ ଅନିଚ୍ଛୁକ ମୋହଗ୍ରସ୍ତ ପ୍ରାଣର କବଳରେ ପଡ଼ି କୁଣ୍ଡଳିନୀ ଶକ୍ତି ବ୍ଯକ୍ତିର ମୂଳାଧାର କେନ୍ଦ୍ରରେ ବନ୍ଦିନୀ ହୋଇ ରହିଥାଆନ୍ତି । ଏହା ଭାରତୀୟ ଯୋଗବିଜ୍ଞାନର ପ୍ରମାଣସିଦ୍ଧ ସତ୍ଯ । ନିଖିଳ ଜଡ଼ ପ୍ରକୃତି ଦିନେ ବ୍ରହ୍ମବୋଧ ଲାଭ କରି ଅଦ୍ବୈତ ପ୍ରକାଶରେ ପ୍ରକାଶିତ ହେବ, ଏହା ତା’ର ଅବଧାରିତ ଅନିବାର୍ଯ୍ୟ ନିୟତି ।ସ୍ବତଃସ୍ଫୁର୍ତ୍ତ ନାନାବିଧ ନାଦ ଯୋଗେ, ସେ ଦିଗରେ ବ୍ଯକ୍ତି ସ୍ତରର ଅଭିଯାନଟି ମାନ ଆରମ୍ଭ କରିବା ନିମନ୍ତେ ବେଳ ଅବେଳରେ ଆନ୍ତଃ ଆହ୍ବାନ ଆସିଥାଏ । ସେ ନାଦ ନୁପୂରଧ୍ବନି ହୋଇପାରେ , ହୋଇପାରେ ଶଙ୍ଖ, ହୁଳହୁଳି, କ୍ରନ୍ଦନ, ମୃଦଙ୍ଗ, ବୀଣା, ବଂଶୀ ଅଥବା ପ୍ରପାତ ଧ୍ବନି ପରି । ସେ ନାଦରେ ଏକାତ୍ମ ରହି ପାରିଲେ ତ୍ବରାନ୍ବିତ ହୋଇଥାଏ ମୁକ୍ତିଙ୍କରା ଗତି । କାଳୀଜାଇ ପାହାଡ଼ରେ କଦବା କ୍ବଚିତ ବ୍ଯକ୍ତିବିଶେଷ ଶୁଣି ପାରୁଥିବା ସେ ନୁପୂର ଅଥବା କ୍ରନ୍ଦନ ଧ୍ବନି, ସେହି ସେହି ବ୍ଯକ୍ତି ମାନଙ୍କର ନିଜସ୍ୱ ଅନ୍ତର୍ନାଦ । ଭୂମିର ନିରୀହ (= ନିରିମାଖୀ ) ଜାଇର ଅଦମ୍ଯ ଆସ୍ପୃହା ମଧ୍ୟରେ ଭୂମାର ନିରୀହ (ନିର୍+ଇହ = ଯେ ଇହଲୋକର ନୁହଁନ୍ତି) କାଳୀ ଚେତନାର ଅବତରଣଜନିତ ଭାବସ୍ପନ୍ଦନରେ ପୁନୀତ  ସେ ବାତାବରଣ ସେଥିପାଇଁ ଏକ ଭିତ୍ତିଭୂମି ଦେଇଥାଏ ଯାହା ।

ସେଇଥିପାଇଁ ହିଁ ତୀର୍ଥାଟନ, ଭ୍ରମରବର ମାନଙ୍କର ଭ୍ରମ-ଭ୍ରମଣ ପାଇଁ ନୁହେଁ  ! କେବେ କେଉଁ ପବିତ୍ର ସ୍ଥଳୀରେ ଉନ୍ମୁଖ ଚେତନାର ଲାଗି ଦିବ୍ୟ ଅନୁଭବର କେଉଁ କବାଟ ଖୋଲିଯିବ, କିଏ କହିବ  ?

ସମସ୍ତ ପୂର୍ବାବତାର ତଥା ଋଷିମୁନିଙ୍କ ସମର୍ଥିତ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଦର୍ଶନ କହେ, ଭବିଷ୍ୟ ଗର୍ଭରେ ନିହିତ ଅଛି ଏକ ସାର୍ବଜନୀନ ଅଧ୍ଯାତ୍ମ ଉଷାର ଅନତିକ୍ରମ୍ଯ ବିଧାନ; ଆଉ ସେଇଥିପାଇଁ  ବ୍ଯକ୍ତି ଚେତନାରେ ଝଡ଼ୋପମ ତୀବ୍ର ଆସ୍ପୃହା ଅଭୀପ୍ସାର ଜାଗରଣ ନିତାନ୍ତ ଆବଶ୍ୟକ । ଅନ୍ତର୍ଜଗତରେ ତାହା ସହଜ । ତଥାପି ଯଦି ମନୁଷ୍ୟ ସଭ୍ଯତା ସେ ଦିଗରେ ତପସ୍ୟା ସ୍ବୀକାର ନକରେ, ତେବେ ତାହାର ବଳପୂର୍ବକ ଆଧାନ ଲାଗି ବହିର୍ଜଗତରେ କ୍ରୁରାତ୍ କ୍ରୁରତର ଝଡ଼ ସବୁ ଏକାନ୍ତ ଅନିବାର୍ଯ୍ଯ ହୋଇ ପଡ଼ିବ । ଅନ୍ତର କିମ୍ବା ବାହାର – ବିଜ୍ଞାନୀ ସଭ୍ଯତା ତା’ ପସନ୍ଦର ଝଡ଼ଟି ମାନ ବାଛି ନେବା ଚାହି । ସଭ୍ୟତାର କଥା, ସଭାର କଥା ପଛକୁ ଥାଉ, ଯିଏ ବୁଝିଲାଣି, ସେ ବାଛିନେଉ । ନା, କଅଣ କହୁଛନ୍ତି ?

‘କାଳୀଜାଇ: ଇପ୍ସିତ ଝଡ଼ର ଦେବୀ’ କବିତାଟି ପଢ଼ି କେତେକ ସଜ୍ଜନ କହିଲେ, “ଆପଣ ମାନବୀକୁ ଦେବୀର ମର୍ଯ୍ଯାଦା ପ୍ରଦାନ କଲେ ।” କିନ୍ତୁ ବିନୟର ସହିତ କହେ, ଏହା ବିଶୁଦ୍ଧ ଅତିଶୟୋକ୍ତି । ମାଆ କାଳୀଜାଇ ଚିଲିକା ବକ୍ଷରେ ଏ’ ଲେଖକର ବହୁ ପୂର୍ବରୁ ଉପସ୍ଥିତ ଅଛନ୍ତି । ମାନବୀ କନ୍ଯା ଜାଇ ମଧ୍ୟରେ ଦୈବୀ ଚେତନା କାଳୀଙ୍କର ଅବତରଣ ସତ୍ଯ ଏବଂ ଭାଗବତୀ କରୁଣା ସେ ସତ୍ଯର ଉଦ୍‌ଘାଟନ ଦିଗରେ ଅକିଞ୍ଚନ କ୍ରୀତଦାସର କବିତାକୁ ବ୍ଯବହାର କରି ଥାଇ ପାରନ୍ତି ମାତ୍ର ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, “ସେକ୍ସପିୟରଙ୍କ’ ବ୍ରାଇଡ଼ାଲ୍ ସଙ୍ଗ୍ ‘ଆଉ ଭାରତର ବୁଲବୁଲ ସରୋଜିନୀ ନାଇଡ଼ୁଙ୍କର ‘ଭିଲେଜ୍ ସଙ୍ଗ୍’ ଏହିପରି ଆଉ ଯୋଡ଼ିଏ କବିତା । “ମୋ’ର ଇଂରାଜୀ ସାହିତ୍ୟ ଅଧ୍ଯୟନ ଦ୍ରୁତଗାମୀ ରେଳ ଉପରୁ ଚିଲିକା ଦର୍ଶନ ପରି; ସୁତରାଂ ତାହା ଯେ ‘କାଣିଚାଏ’ ଠାରୁ ସୁଦ୍ଧା ଆହୁରି କମ୍, ଏହା ସ୍ବୀକାର କରିବାରେ ଦ୍ବିଧା ନାହିଁ । ତେବେ ସେ କବିତା ଦ୍ବୟକୁ ପଢ଼ି ଦେଖିଲି । ମହାନ କବିଙ୍କର ସମସ୍ତ ସୃଷ୍ଟି ଯେ ମହାନ ହେବ, ଏପରି କିଛି ଧରାବନ୍ଧା ନିୟମ ନାହିଁ । ସେ ଦୃଷ୍ଟିରୁ ମହାକବି ସେକ୍ସପିୟରଙ୍କ ‘ବ୍ରାଇଡ଼ାଲ୍ ସଙ୍ଗ୍’ ଏକ ସାଧାରଣ ଜୀବନଚିତ୍ର ହୋଇଥିବା ସ୍ଥଳେ ପୂଜ୍ଯା ସରୋଜିନୀ ନାଇଡ଼ୁଙ୍କର ‘ଭିଲେଜ୍ ସଙ୍ଗ୍’ରେ ଗତାନୁଗତିକତାର ଊର୍ଦ୍ଧ୍ବରେ ଶୁଭୁଛି ଭାରତର ଚିରନ୍ତନ ଜୀବନର ଡାକ । ନିରଭିମାନ ନିଷ୍ପକ୍ଷ ସମୀକ୍ଷା ଦିଏ: ଉପସ୍ଥିତ କାଳୀଜାଇ କବିତାର ଆବେଦନ ରହିଛି ବେଶ୍ ବହୁ କୋଶ ଆଗରେ ।

ଗୋଦାବରୀଶଙ୍କ ଖେଦୋକ୍ତି,
“ପାଞ୍ଚକୋଶ ବାଟ ଯିବାକୁ ଅଛି ଲୋ ବେଳ ତ ପାଇବ ନାହିଁ !”

“ନା ଲୋ ମାଆ କାଳୀଜାଇ, ବେଳ ପାଉ ସମସ୍ତଙ୍କର ।
ଇପ୍ସିତ ଝଡ଼ ଗୋଟିକ ଆଶୀର୍ବାଦ କରୁଥିବୁ ।”

ଏହି ପ୍ରାର୍ଥନା ସହିତ ନିବେଦନ କରୁଛି, ଆଉ ଥରେ ପଢ଼ନ୍ତୁ କବିତା “କାଳୀଜାଇ: ଇପ୍ସିତ ଝଡ଼ର ଦେବୀ” ।
ଇତି ଶମ୍ । 

Leave a Comment

Your email address will not be published. Required fields are marked *

Scroll to Top