କର୍ମବୀର ଗୌରୀଶଙ୍କର

ଲେଖା: ଦେଵ ତ୍ରିପାଠୀ

୧୮୭୫ ମସିହା । ତତ୍କାଳୀନ ଭାରତ ସରକାରଙ୍କ ଆନୁକୁଲ୍ୟରେ ପ୍ରକାଶ ପାଇଥିଲା ‘The Antiquities of Orissa‘ ନାମକ ଦୁଇଭାଗ ବିଶିଷ୍ଟ ଏକ ମହାର୍ଘ ପୁସ୍ତକ । ଏଇ ପୁସ୍ତକରେ ପ୍ରାମାଣିକ ଭାବେ ଓଡ଼ିଶାର ଅତୁଳନୀୟ ପ୍ରାଚୀନ କୀର୍ତ୍ତିରାଜି ଉପରେ ମନନ ଗବେଷଣାତ୍ମକ ଆଲୋଚନାମାନ ଉପସ୍ଥାପନ କରି ଦେଶୀୟ ତଥା ପାଶ୍ଚାତ୍ୟ ପଣ୍ଡିତମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ ଜଣେ ବଙ୍ଗାଳୀ ପଣ୍ଡିତ ।

ସୂଚନାଯୋଗ୍ୟ ଯେ ଭାରତର ପ୍ରତ୍ନତତ୍ତ୍ଵ ଓ ଭାସ୍କର୍ଯ୍ୟ ଉପରେ ନିର୍ଦ୍ଦିଷ୍ଟ ଗବେଷଣା ପାଇଁ ତତ୍କାଳୀନ ଲଣ୍ଡନର Royal Society of Art ଭାରତ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରନ୍ତେ, ସରକାର ବଙ୍ଗଳା ପ୍ରେସିଡେନ୍ସିଙ୍କୁ ପ୍ରଚୁର ଅର୍ଥ ସହିତ ଏ ଗବେଷଣା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସମଗ୍ର ବଙ୍ଗଳା ପ୍ରେସିଡେନ୍ସିରେ ଏକମାତ୍ର ଓଡ଼ିଶା ବ୍ୟତୀତ ଅନ୍ୟ କୌଣସିଠାରେ ପ୍ରତ୍ନତତ୍ତ୍ଵ ଓ ଭାସ୍କର୍ଯ୍ୟ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ପ୍ରାଚୀନ ମନ୍ଦିର ଅଥବା ଐତିହାସିକ କୀର୍ତ୍ତି ନ ଥିଲା ! ସେ ନିମନ୍ତେ କୋଣାର୍କ, ଭୁବନେଶ୍ୱର ଇତ୍ୟାଦି ସ୍ଥାନର ମନ୍ଦିର ତଥା କୀର୍ତ୍ତିରାଜିର ସାଂସ୍କୃତିକ ଓ ଐତିହାସିକ ପୃଷ୍ଠଭୂମି ଗବେଷଣା ସହିତ ଓଡ଼ିଶାର ପ୍ରାଚୀନ ଇତିହାସ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଓଡିଶା ମାଟିକୁ ପ୍ରେରିତ ହୋଇଥିଲେ ସେଇ ବଙ୍ଗାଳୀ ପଣ୍ଡିତ ।

ଅତୀତର ଏକ ‘ବିସ୍ମୃତ ସଭ୍ୟତା ଓ ବିଗତ ସୌଭାଗ୍ୟ‘ ଉପରେ ଅଶ୍ରୁତର୍ପଣ କରୁଥିବା କେତେକ ପ୍ରାଚୀନ ଧ୍ୱଂସାବଶେଷର ବିବରଣୀ (Some of the relics of the Past, weeping over a lost Civilisation and an estinguished grandeur) ପ୍ରଦାନ କରିଥିବା ସେଇ ପଣ୍ଡିତ ଜଣକ ସେ ପୁସ୍ତକରେ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ ଓଡ଼ିଶାର ସୀମା ଏକଦା ଉତ୍ତରରେ ହୁଗୁଳୀ ନଦୀଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତିର ଗର୍ବିତ ସ୍ପନ୍ଦିତ ଗାଥା ! ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରେ ଓଡ଼ିଶା ଭୂଖଣ୍ଡର ଇତିହାସକୁ ଚିହ୍ନିବାରେ କୋୖଣସି ତ୍ରୁଟି କରି ନ ଥିଲେ ସେ ପଣ୍ଡିତ ରାଜେନ୍ଦ୍ରଲାଲ ମିତ୍ର !

ବିଶ୍ୱବାସୀଙ୍କ ନିକଟରେ ଓଡ଼ିଶାମାଟିର ମହାନ ଇତିହାସକୁ ଯେପରି ପରିଚିତ କରାଇପାରିଥିଲେ, ସେଥି ନିମନ୍ତେ ଓଡ଼ିଆ ଜାତି ସେ ପଣ୍ଡିତଙ୍କୁ ମୁଣ୍ଡରେ ବସାଇଥାନ୍ତା, ପାଦଧୋଇ ପାଣି ପାଇଥା’ନ୍ତା !

କିନ୍ତୁ ସେ ପଣ୍ଡିତ ଜଣକ ଥିଲେ ଜଣେ ବଙ୍ଗାଳୀ !

ନିଜର ଗଭୀର ଅଧ୍ୟବସାୟ ବଳରେ କଳିପାରିଥିବା ବିସ୍ମୃତ ସଭ୍ୟତା ଓ ବିଗତ ସୌଭାଗ୍ୟର ଧ୍ୱଂସାବଶେଷ ସବୁ ଯେପରି ତାଙ୍କୁ ଉତ୍ତରାଧିକାରୀ ବିହୀନ ସମ୍ପତ୍ତି ବୋଲି ପ୍ରତ୍ୟୟ ହେଉଥିଲା !

ଗବେଷଣାରୁ ଜାତ ମହାନ ଇତିହାସକୁ ଦେଖି ମନ ଭିତରେ ଗଜରୁଥିଲା ଇର୍ଷା, ହୃଦୟରେ ସଞ୍ଚରୁଥିଲା ହଳାହଳ ବିଷ ଏଇ ନିରୀହ ଜାତିଟା ପ୍ରତି ! ରୂପ ବଦଳାଇଲେ ସେ ବଙ୍ଗାଳୀ ପଣ୍ଡିତ !

ସେଇ ମହାନ ତଥା ‘ବିସ୍ମୃତ ସଭ୍ୟତା ଓ ବିଗତ ସୌଭାଗ୍ୟ’ର ଉତ୍ତରାଧିକାରୀ ପାଇଁ ଲାଳାୟିତ ଧୂର୍ତ୍ତ ପଣ୍ଡିତ ରଚିଲେ ଷଡ଼ଯନ୍ତ୍ର ! ପଣ୍ଡିତଙ୍କ ହୀନଚକ୍ଷୁକୁ ଦିଶୁଥିଲା କଟକ, ବାଲେଶ୍ଵର, ପୁରୀ ପରି ତିନୋଟି ଜିଲ୍ଲାକୁ ନେଇ ବକଟେ ବୋଲି ରାଜ୍ୟ ଯାହାର ଲୋକସଂଖ୍ୟା କୋଡ଼ିଏ ଲକ୍ଷ ଟପିବ ନାହିଁ ! କୋଡ଼ିଏ ଲକ୍ଷ ଅପରିଚ୍ଛନ୍ନ ଓ ଅମାର୍ଜିତ (ସେଇ ଧୂର୍ତ୍ତ ପଣ୍ଡିତଙ୍କ ଭାଷାରେ) ଲୋକଙ୍କ ପାଇଁ ପୁଣି ଗୋଟିଏ ଭାଷାର କି ପ୍ରୟୋଜନ ! ଓଡ଼ିଆଏ ବଙ୍ଗଭାଷୀ ହୋଇପାରିଲେ ସେଇ ‘ବିସ୍ମୃତ ସଭ୍ୟତା ଓ ବିଗତ ସୌଭାଗ୍ୟ’ର ଉତ୍ତରାଧିକାର ପଣ୍ଡିତଙ୍କ ଭାଷାଭାଷୀମାନଙ୍କୁ ଅକ୍ଳେଶରେ ମିଳିଯିବାର କୁତ୍ସିତ ଭାବନା ଉଦିତ ହୋଇଥିଲା ତାଙ୍କ ମାନସପଟରେ !

ଧୂର୍ତ୍ତ ରାଜେନ୍ଦ୍ରଲାଲଙ୍କୁ ଏ ବେଳରେ ସମର୍ଥନ କରିଥିଲେ ଜଣେ ଗୃହଶତ୍ରୁ କଟକୀ ବଙ୍ଗାଳୀ ଆଇନ ଅଧ୍ୟାପକ ରାଜକୃଷ୍ଣ ମୁଖୋପାଧ୍ୟାୟ ଏବଂ ଜଣେ କଲିକତିଆ ବଙ୍ଗାଳୀ ଉମାଚରଣ ହାଲଦାର୍ ! ସେମାନେ ଭାବି ସ୍ଥିର କରିଥିଲେ ଯେ ରାଜେନ୍ଦ୍ରଲାଲ ପରି ଜଣେ ସରକାରୀ ପଣ୍ଡିତ ଯଦି ଓଡ଼ିଆ ଭାଷାର ବିଲୋପ ସମ୍ପର୍କରେ କଟକ ମାଟିରେ ଆସି ପ୍ରାମାଣିକ ମତମାନ ପ୍ରକାଶ କରିଦିଅନ୍ତି, ତେବେ ସେମାନଙ୍କ ପକ୍ଷେ ତାହା ଅନୁକୂଳ ହେବ ଏବଂ ଓଡ଼ିଆ ଭାଷାସମର୍ଥକମାନେ ତାଙ୍କର ପ୍ରତିବାଦ କରି ନ ପାରି ନିରବ ହୋଇ ବସିଯିବେ !


ଓଡ଼ିଆ ଭାଷା ତଥା ଓଡିଶାମାଟିର ଏଇ ତ୍ରିଶତ୍ରୁ ମିତ୍ର, ମୁଖୋପାଧ୍ୟାୟ ଓ ହାଲଦାର୍’ଙ୍କ ଆହ୍ୱାନରେ ଯେଉଁ ଓଡ଼ିଆଭାଷା ବିଦ୍ଵେଷୀମାନେ ମୁହଁ ମାଡ଼ି ପଡ଼ି ରହିଥିଲେ, ସେମାନେ ହଠାତ ତେଜି ଉଠିଲେ ! ହେଲେ ଏପରି ଅସହ୍ୟ, ଅସ୍ବସ୍ତିକର ପରିସ୍ଥିତି ଭିତରେ କଟକ ମାଟିରେ ଆଗ୍ନେୟଗିରିର ବିସ୍ଫୋରଣ ଭଳି ଉତ୍କୀର୍ଣ୍ଣ ହୋଇଥିଲେ ଜଣେ ସ୍ଫୁଲିଙ୍ଗ – ଅଜେୟ ସୈନିକ; ଓଡ଼ିଶା ମାଟିରେ ଦେଶପ୍ରେମ, ଭାଷାପ୍ରେମ, ଜାତିପ୍ରେମର ଅନିର୍ବାଣ ଦୀପଶିଖା ଜଳାଇଥିଲେ କର୍ମଯୋଗୀ ଉତ୍କଳପ୍ରାଣ କର୍ମବୀର ଗୌରୀଶଙ୍କର, ଉତ୍କଳ ଦୀପିକା ପରି ତାଙ୍କ ଉଦ୍ଗତ ମସୀ ଆକ୍ରମଣ କରିଥିଲା ଶତ୍ରୁଙ୍କୁ !

“xxx ଆମ୍ଭମାନେ ଜ୍ଞାନ କରୁଥିଲୁ ଯେ ରାଜେନ୍ଦ୍ରଲାଲ ଉତ୍କଳକୁ ଆସି ଏଠାରେ ଅନେକ ବିଷୟରେ ଅବଗତ ହୋଇଛନ୍ତି, କିନ୍ତୁ ମିଥ୍ୟା କାରଣ ପ୍ରଦର୍ଶନ ପୂର୍ବକ ଆପଣା ମତ ସ୍ଥାପନ କରିବାର ଚେଷ୍ଟା ତାଙ୍କର ଅସଲ ଉଦ୍ଦେଶ୍ୟ ପ୍ରତିପାଦନ କରୁଛି କେବଳ !xxx ଉତ୍କଳର ଲୋକସଂଖ୍ୟା ବାବଦରେ ସେ କ’ଣ ଜାଣୁ ନ ଥିଲେ, ଉକ୍ତ ଲୋକସଂଖ୍ୟା କେବଳ ମୋଗଲବନ୍ଦୀର ଅଟଇ ଓ ଉତ୍କଳ ଭାଷା ପ୍ରଚଳିତ ଥିବା ଦେଶର ଉତ୍ତରସୀମା ମେଦିନୀପୁର, ଦକ୍ଷିଣ ସୀମା ଗଞ୍ଜାମ ଏବଂ ପୂର୍ବପଶ୍ଚିମରେ ମହୋଦଧିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ବିସ୍ତୃତ ?xxx ରାଜେନ୍ଦ୍ରଲାଲ, ଯେଉଁ ମହାନ ଇତିହାସର ଅଧିକାରୀ ଜାତିକୁ ‘ଅପରିଚ୍ଛନ୍ନ ଓ ଅମାର୍ଜିତ’ ବୋଲି ଆକ୍ଷେପ କରିଛନ୍ତି, ସେଇ ଓଡ଼ିଆମାନେ ବୈଦେଶିକ ଶାସନର ଶତ ଷଡ଼ଯନ୍ତ୍ର ଭିତରେ ଖଣ୍ଡବିଖଣ୍ଡ, ଇତଃସ୍ତତଃ ଓ ବିକ୍ଷିପ୍ତ ହୋଇ ତିନିଗୋଟି ପ୍ରାଦେଶିକ ଶାସନାଧୀନରେ ଯେପରି ପଡ଼ି ରହିଥିଲେ, ତାହା ତାଙ୍କ କ୍ଷୁଦ୍ର ମସ୍ତିଷ୍କରେ ସ୍ଥାନ ପାଇପାରି ନ ଥିଲା !xxx ଉତ୍କଳଭାଷା ପ୍ରଚଳିତ ଥିବା ଭୂମିଖଣ୍ଡର ଆୟତନ ବଙ୍ଗଳା ପ୍ରଚଳିତ ଦେଶରୁ ଊଣା ନୁହଇ । ଅତଏବ ଉତ୍କଳ ଭାଷାର ଉନ୍ନତି ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି ।


xxx ବର୍ତ୍ତମାନ ଉତ୍କଳଭାଷା ‘ତିନିଥେଣ୍ଟିଆ କାକୁଡ଼ିବାଡ଼ି’ ପ୍ରାୟ ତୁଚ୍ଛାକୁ କ୍ଷତିଗ୍ରସ୍ତ ହେଉଅଛି ! ଏହାର ରକ୍ଷକ ତିନି ଗଭର୍ଣ୍ଣମେଣ୍ଟ ହୋଇଅଛନ୍ତି, ସେଥିପାଇଁ ଏହାର ସର୍ବାଙ୍ଗ ସମାନ ରୂପେ ଗଠିତ ହେଉନାହିଁ ! ସୁତରାଂ ଉତ୍କଳଭାଷା ତିନିଘର କୁଣିଆ ହୋଇ ଉପବାସରେ ଶୋଉଅଛି ! କେହି ଏହାର ଚର୍ଚ୍ଚା କରିବାକୁ ନାହିଁ !xxx ନିତାନ୍ତ ପକ୍ଷେ ତିନିସ୍ଥାନର ଅବସ୍ଥା ଜାଣିବାର ଗୋଟିଏ ଉପାୟ ହେଉ, ତାହାହେଲେ ଆମ୍ଭମାନଙ୍କ ଉଦ୍ଦେଶ୍ୟ ସାଧନ ହେବ . . “କର୍ମଵୀରଙ୍କ ଗବେଷଣାତ୍ମକ ତଥା ଯୁକ୍ତିନିଷ୍ଠ ତଥ୍ୟ ଆଗରେ ହାର ମାନିଲେ ଧୂର୍ତ୍ତ ବଙ୍ଗାଳୀଏ, ଜୋକ ମୁହଁରେ ଲୁଣ ଲାଗିଲା ପରି !ଓଡ଼ିଶା ମାଟିର ଏପରି ସମୟରେ କେହି ଜନନେତା ନ ଥିଲେ ସତ ! ତେବେ ଉତ୍କଳ ଜନନୀ ଯାହାକୁ ବିକଳ ହୋଇ ଖୋଜୁଥିଲା ସେ ୨୯ବର୍ଷୀୟ ଓଡ଼ିଆ ପୁଅ ଥିଲା ଦୂରଦେଶରେ ! ଦୀର୍ଘଶ୍ୱାସ ପକାଇ ସେଇ ଯୁବକଟି ଭାବୁଥିଲା, ଉତ୍କଳଭାରତୀଙ୍କ ଆଶୀର୍ବାଦରୁ ଓଡ଼ିଶାମାଟିରେ ଓଡ଼ିଆ ଭାଷା ଆବହମାନ କାଳରୁ ଥିଲା, ଏବେ ମଧ୍ୟ ରହିଗଲା “ଗୁରୁ” ଗୌରୀଶଙ୍କରଙ୍କ ଉତ୍ଥିତ ମସିର ପ୍ରଭାବରେ !

Leave a Comment

Your email address will not be published. Required fields are marked *

Scroll to Top