ଲେଖା: ଦେଵ ତ୍ରିପାଠୀ
~ କଂସାର କୁଣୁଆ ~
ନଵେ ଦଶକର କୌଣସି ଏକ ସନ୍ଧ୍ୟା । ତତ୍କାଳୀନ ବମ୍ବେ ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍ ।
ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ପୁରସ୍କାର ବିଜେତାଙ୍କ ନାମ ଘୋଷଣା ପୂର୍ବରୁ ଉପସ୍ଥାପକଙ୍କ କଣ୍ଠରୁ ନିଃସୃତ ହେଲା ଭାବଗର୍ଭକ କେଇପଦକଥା ! କଣ୍ଠରେ ଅଦ୍ଭୁତ ଉଚ୍ଛ୍ୱାସ ରଖି ସେ ବଖାଣି ଚାଲିଥିଲେ – “ଆଜି ଏ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଯୋଗିତା ଅନୁଷ୍ଠିତ କରାଉଥିବା ସମସ୍ତ କର୍ମକର୍ତ୍ତା ଧନ୍ୟ, ପ୍ରତି ବର୍ଷ ପରି ଆଜି ପୁରସ୍କୃତ ହେଉଥିବା ବିଶ୍ୱବିଦ୍ୟାଳୟଟି ସେଇ ମହାନ ରାଜ୍ୟର, ଯେଉଁଠି, ପାଷାଣ ବି ଗାଏ #କଳାର_ସଙ୍ଗୀତ, ଯେଉଁଠି ତାଳପତ୍ରଠୁ ଶାଢ଼ୀ ଯାଏଁ, ନିର୍ଜୀବ ମାଟିରୁ ନାରୀର ମୁଖମଣ୍ଡଳ ଯାଏଁ ମିଳେ କଳାର କାରିଗରୀ !
କଳା, ଭାସ୍କର୍ଯ୍ୟ, ସଂସ୍କୃତିରେ ଉର୍ବରା ସେ ମାଟିର ନିପଟ ପଲ୍ଲୀର ନିରୀହ, ନିରନ୍ନ, ନିରକ୍ଷର ମଣିଷ ନିଜର ଅଭାବୀ ଦୁନିଆକୁ ଅଣଦେଖା କରି ଜୀବନ୍ୟାସ ଦିଏ ନିର୍ଜୀବ ପଥର, ନିର୍ବାକ ତାଳପତ୍ର, ପିଣ୍ଡୁଳାଏ ମାଟି, କମନୀୟ ରୂପାରେ ନିଜ କଳ୍ପନାର ସ୍ବପ୍ନମୟ ଦୃଶ୍ୟପଟ ।” କହିବା ବାହୁଲ୍ୟ, ସେଦିନର ସେ ପ୍ରଶଂସିତ ବିଶ୍ୱବିଦ୍ୟାଳୟଟି ଥିଲା ଆମ ବ୍ରହ୍ମପୁରର #ଭଞ୍ଜବିହାର ।
ତେବେ ସେଦିନର ସେ ପ୍ରଫେସର ହୁଏତ ଜାଣି ନ ଥିବେ ଏଇ କଳାଭୂମିରେ ଚିତ୍ରକରର ଜୀବନ ଯେ କିପରି ବ୍ୟଥା ଜର୍ଜରିତ ! କୁହାଯାଏ, ପ୍ରତି ସୃଜନକର୍ମ ପାଇଁ ପ୍ରକୃତି ପ୍ରସ୍ତୁତ କରିଥାଏ ଉର୍ବର ଭୂମି, ପ୍ରେରଣାପ୍ରଦ ପରିବେଶ, ଯେଉଁଠି ଚିତ୍ରକରଟିଏ ଲୋଡ଼ି ବସେ ଆଦର, ଲାଳନପାଳନ, ଶିକ୍ଷା, ଗୁରୁଦୀକ୍ଷା ଓ ସର୍ବୋପରି ପ୍ରଶଂସା ! ହେଲେ ଆମ ମାଟିର ଚିତ୍ରକରଙ୍କ ସେ ଭାଗ୍ୟ କାଇଁ ? କଳାର ମାଟିରେ ଅସହାୟତାର ଅନ୍ଧକାର ଭିତରେ ତଥାପି ଓଡ଼ିଆ ଚିତ୍ରକର ଅବା ଶିଳ୍ପୀଟିଏ ଆଜି ଖୋଜିବସେ ବଞ୍ଚିବା ପାଇଁ ଆଶାବାଡ଼ି !
ଦିନ ଥିଲା, ସବୁଜ ଅରଣ୍ୟାନି ପରିବେଷ୍ଟିତ, ଚିରପ୍ରବହମାନ ମହାନଦୀର ତଟଦେଶର ନୟାଗଡ଼ ଜିଲ୍ଲା ପ୍ରାଚୀନ ପର୍ଯ୍ୟଟନପୀଠ #କଣ୍ଟିଲୋ, #କଂସାବାସନ ତିଆରି ଓ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶା ତଥା ଓଡ଼ିଶା ବାହାରେ ପାଇଥିଲା ପରିଚିତି ଓ ପ୍ରସିଦ୍ଧି । ଦିନ ଥିଲା, ଶ୍ରୀମନ୍ଦିରର ନୀଳଚକ୍ର ଠାରୁ ଶିବମନ୍ଦିରର ଝୁଲନ୍ତା ଘଣ୍ଟି, ସଙ୍କୀର୍ତ୍ତନ ଆସର ଏବଂ ପାଲାର ଝାଞ୍ଜ, ଗିନି ଠାରୁ ଶଗଡ଼ିଆ ବଳଦ ବେକର #ଘାଗୁଡି, ନର୍ତ୍ତକୀର ଘୁଙ୍ଗୁର ଯାଏଁ ଏବଂ ଖାଇବା ସ୍ଥାନରେ #କଂସାବାସନର_ଆଭିଜାତ୍ୟ – ଏ ଶିଳ୍ପକୁ କରିଥିଲା ସୁଦୂର ପ୍ରସାରିତ ।
ମହାନଦୀର ନୀଳ ସ୍ବଛ ଜଳଧାରାର ଅବିରତ ଛଳ ଛଳ ସଙ୍ଗୀତ, ପକ୍ଷୀମାନଙ୍କ ପ୍ରାଣପ୍ରଦ କୂଜନ ଓ ଶୀତଳ ଛାୟାପ୍ରଦ ବୃକ୍ଷରାଜି ବିଭୂଷିତ, ନୀଳଶୈଳର ଶିଖରରେ ଶବରରାଜା ବିଶ୍ୱାବସୁପୂଜିତ, ଜଗନ୍ନାଥ ସଂସ୍କୃତିର ଆଦିଦେବତା #ଶ୍ରୀନୀଳମାଧବ ବିରାଜିତ କ୍ଷେତ୍ର କଣ୍ଟିଲୋ ଓ ନିକଟବର୍ତ୍ତୀ #ଖଳିସାହି ଗ୍ରାମ ଏଇ କମନୀୟ କଂସାକଳାର ଅପ୍ରତିଦ୍ଵନ୍ଦୀ କଳାକ୍ଷେତ୍ର । ନିଆଁର ତାତି ଓ ହାତୁଡିର କାନଅତଡା ଶବ୍ଦ ଭିତରେ ଦିନେ ନିମଜ୍ଜମାନ ରହୁଥିଲେ ଏ ଗାଁ ଦୁଇଟି !
ଦିନ ଥିଲା, ଏଇ ଗାଁ ଦୁଇଟିର ଶହ ଶହ ପରିବାର ତିଆରି କରୁଥିଲେ ହଣ୍ଡାହାଣ୍ଡି, ଡଙ୍କି, ଚଟୁ, ଥାଳି, ଥାଳିଆ, ଗିଲାସ ପରି କେତେ କେତେ ବାସନ; ଘଣ୍ଟି, ଘଣ୍ଟା, #ମାଣପେଡି, ଗଡୁ,ଦୀପ, ଦୀପଦାନୀ ପରି ପୂଜା ସାମଗ୍ରୀ; ପୁଣି #ବୋଡା, #ଅଡା, #ଶେର, #ଗଉଣି, #ନଉତି ପରି ମାପ ଉପକରଣ; ଘର ପାଇଁ ଗରା, ବାଲତି, ଢାଳ, #ଡିବିରି ପରି କେତେ ରକମର ଜିନିଷ; ଘରସଜ୍ଜା ପାଇଁ ଫୁଲଦାନି, #ନକ୍ସଗରା, କୁଟିକମଭରା ଥାଳି ଇତ୍ୟାଦି ।
ସାମାଜିକ ଚଳଣିରେ ଦିନେ ଘରେଘରେ ସୁନାମୂଲ ହେଉଥିବା କଂସାବାସନ ଆଜି ପ୍ରାୟ ହୋଇଯାଇଛି ଡ୍ରଇଂ ରୁମର ସୌଖିନ ବସ୍ତୁ । ଅତୀତରେ ଶାଶୁଶଶୁରଙ୍କ ପାଇଁ ବୋହୂ ଆଣୁଥିବା ପିକଦାନି, #ପାନପେଡି ଆଜି ମିଉଜିୟମର ଦର୍ଶନୀୟ ଚିଜ । ଆଜି କେବଳ କଂସାବାସନ କାରିଗରମାନଙ୍କର ଦୋଦୁଲ୍ୟମାନ ଆର୍ଥିକ ଓ ସାମାଜିକ ସ୍ଥିତି ନୁହେଁ ବରଂ ଏହି ଶିଳ୍ପ ନିତିପ୍ରତି ଏକ ଆହ୍ବାନର ସାମ୍ନା କରୁଛି । ମରି ମରି ଯାଉଛି ଏଇ କୁଟୀରଶିଳ୍ପ, ସରି ଯାଉଛି ସେଇ କଂସା କାରିଗରମାନଙ୍କ ଜୀବନରୁ ମଧୁ ଆଉ ସଙ୍ଗୀତର ସ୍ପନ୍ଦନ ।
ସେଇ ଶିଳ୍ପୀମାନଙ୍କର ଦଗ୍ଧ ନିୟତିକୁ ଏକକ ପ୍ରଚେଷ୍ଟା ହୁଏତ ବଦଳା ଯାଇ ପାରିବନି, କିନ୍ତୁ ସେଇ ଅଗଣିତ ଚିତ୍ରଶିଳ୍ପୀଙ୍କ ସଙ୍କଳ୍ପକୁ ସମୟ ସୁଅରେ ଭାସିଯିବାକୁ ନ ଦେବାର ପଣ କରି ଆଗେଇ ଆସିଥିଲେ ଜଣେ ! ଓଡ଼ିଆ ସଂସ୍କୃତି ଓ ହସ୍ତଶିଳ୍ପର ଏଇ ପରମ୍ପରାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କଣ୍ଟିଲୋ ଗ୍ରାମର ଶ୍ରୀଯୁକ୍ତ ସୁଦର୍ଶନ ସାହୁ ଏ ବାବଦରେ ହାତକୁ ନେଇଥିଲେ ଗୁରୁଦାୟିତ୍ୱ !
ବ୍ୟାଙ୍କ ପ୍ରବନ୍ଧକ ଭାବେ ଗୁରୁଦାୟିତ୍ୱରେ ଥାଇ ମଧ୍ୟ ଦୀର୍ଘ ୩୦ ବର୍ଷରୁ ଅଧିକ କାଳରେ ଶ୍ରୀଯୁକ୍ତ ସାହୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ (କେବଳ କଣ୍ଟିଲୋ କି ଖଳିସାହି ନୁହେଁ, ବରଂ ଓଡ଼ିଶାର ପ୍ରାୟ ସମସ୍ତ କଂସାରୀ ଗ୍ରାମ) ସେ ସାଉଣ୍ଟିଛନ୍ତି ୧୦୦ ରୁ ୨୦୦ ବର୍ଷର ପୁରୁଣା କଂସାପିତଳ ସାମଗ୍ରୀ ! କଂସା କାରିଗର ପିତା ଗୋପୀନାଥ ସାହୁଙ୍କ ଠାରୁ ଏ ବାବଦରେ ପ୍ରେରଣା ପାଇ ବର୍ଷ ବର୍ଷ ଧରି ସଂଗ୍ରହ କରି ଚାଲିଛନ୍ତି ବିରଳ ଉପକରଣ, ବାଦ୍ୟଯନ୍ତ୍ର, ଜନଜାତିଙ୍କ ଅଳଙ୍କାର, ବ୍ୟବହାର୍ଯ୍ୟ ପଦାର୍ଥ, ରାଜାରାଜୁଡ଼ା ସମୟର ଅଳଙ୍କାର, ଘରୋଇ ସାମଗ୍ରୀ, ଲାଠି, ଖଣ୍ଡା, ସୌଖିନ ବସ୍ତୁ !
ସାଧାରଣ ଜନତାର ଆଖିରେ ସାମାନ୍ୟ ପ୍ରତୀୟମାନ ହେଉଥିବା ଚିଜଟି ପଛର କଳାକୃତି ତଥା ସେ କଳାର ପରିସ୍ଫୁଟନ ପାଇଁ ଯେଉଁ ଶ୍ରମ ସ୍ୱିକାରିଥାଏ ଶିଳ୍ପୀ, ସେ ଶ୍ରମର ମୂଲ୍ୟ ଦେଇ ହୁଏନା ବୋଲି ପ୍ରକାଶ କରନ୍ତି ଶ୍ରୀଯୁକ୍ତ ସାହୁ ! ତେଣୁ ବୁଡି ବୁଡି ଯାଉଥିବା ଏଇ କମନୀୟ ହସ୍ତଶିଳ୍ପ କୃତିଗୁଡ଼ିକୁ ଉତ୍ତର ପିଢ଼ି ପାଇଁ ସାଇତି ରଖିବା ଉଦ୍ଦେଶ୍ୟରେ ନିଜର ଜାଗମରା (ଭୁବନେଶ୍ୱର) ସ୍ଥିତ ବାସଭବନରେ ସ୍ଥାପନ କରିଛନ୍ତି “Gopinath Heritage Museum of Brass & Bell Metal Craft and Neglected Arts” ପରି ଏକ ସଂଗ୍ରହାଳୟ ! ଏଇ ସଂଗ୍ରହାଳୟରେ ଆଗ୍ରହୀ କଳାପ୍ରେମୀ ଜଣେ ଦେଖିପାରିବ ୩୨ ପ୍ରକାରର ବିରଳ ବେଲା, ୨୮ ପ୍ରକାରର କଂସାଥାଳି, ୧୨ ପ୍ରକାରର #ପିକଦାନି, ୨୨ ପ୍ରକାର ଡିବିରି, ୪୦ ପ୍ରକାରର ସିନ୍ଦୁର ଫରୁଆ, ୪୦ ପ୍ରକାରର #କଜଳପାତି, ୩୫ ପ୍ରକାରର ଚିଲମ, ୮ ପ୍ରକାରର କଏନବକ୍ସ, ଅଗଣିତ ପ୍ରକାରର ବିରଳ ଜନଜାତି ଅଳଙ୍କାର, ଖଡୁ, ବେକମାଳି, ହେୟାରପିନ, #ପାଇକ_ବିଦ୍ରୋହ ସମୟର ଅସ୍ତ୍ରଶସ୍ତ୍ର, ଘଣ୍ଟଘଣ୍ଟି, ଦୀପଦାନି, ବହୁ ପୁରୁଣା ସମୟର ବାସନକୁସନ, ମହାପୁରୁଷଙ୍କ ମୂର୍ତ୍ତି ଇତ୍ୟାଦି ୪୦୦୦ରୁ ଉର୍ଦ୍ଧ୍ବ ସାମଗ୍ରୀ !
ଅନ୍ୟ ପ୍ରଦେଶରେ ସମପ୍ରକାରର ହସ୍ତଶିଳ୍ପ କୁଟୀରଶିଳ୍ପକୁ ପ୍ରୋତ୍ସାହନର ବହୁ ଉଦାହରଣ ଅଛି, କିନ୍ତୁ ଓଡ଼ିଶାରେ କାହିଁକି ନୁହେଁ ? ଏ କଳକାରିତାର ବିଲୋପ ପଛରେ ବହୁ କାରଣ ଭିତରୁ ଓଡ଼ିଆଙ୍କ କଳାବିମୁଖତା ସଂସ୍କୃତି ବିମୁଖତା ହିଁ ମୁଖ୍ୟ ଦାୟୀ ବୋଲି କୁହନ୍ତି ଶ୍ରୀଯୁକ୍ତ ସାହୁ I ତଥାପି ଆଶା ହରାଇ ନାହାନ୍ତି ସେ ! ନିଜ ମାଟିର ଏଇ ଅନନ୍ୟ କଳା ଓ ହସ୍ତଶିଳ୍ପର ପରମ୍ପରାକୁ ସଜାଗ କରିବା ପାଇଁ ସେ ଅସାମାନ୍ୟ ତ୍ୟାଗ କରି ଗଢ଼ିଛନ୍ତି ସଂଗ୍ରହାଳୟ ! ଶ୍ରୀଯୁକ୍ତ ସାହୁଙ୍କର ନିଷ୍ଠା ଓ ତ୍ୟାଗ ଏତିକିରେ ସରିନି ! ଏ କଳା ପ୍ରତି ବିମୁଖ ଜନତାଙ୍କ ମଧ୍ୟରେ ଉପଯୁକ୍ତ ଆଗ୍ରହ ଓ ସଚତେନତା ସୃଷ୍ଟି ଲକ୍ଷ୍ୟରେ ତାଙ୍କର ଗବେଷଣା ଅବ୍ୟାହତ ରହିଛି ! ପତ୍ରପତ୍ରିକା ମାଧ୍ୟମରେ ଏ ବାବଦରେ ଲେଖାମାନ ପ୍ରକାଶ କରି ଚାଲିଛନ୍ତି ସେ ନିରନ୍ତର ଭାବେ ! ଅବସର ଗ୍ରହଣ ପରର ସମସ୍ତ ସମୟ ସେ ନିୟୋଜିତ କରି ଚାଲିଛନ୍ତି ଏଇ ସାମଗ୍ରୀ ଆଦିର ସଂଗ୍ରହ, ସଂରକ୍ଷଣ, ଗବେଷଣା ଓ ପ୍ରସାର ନିମନ୍ତେ !
ଏଇଠି ମନେପଡ଼େ,
“ଗୁଣ ଚିହ୍ନେ ଗୁଣିଆ,
କଂସା ଚିହ୍ନେ କୁଣୁଆ” !
କଂସାର କୁଣୁଆ ଶ୍ରୀଯୁକ୍ତ #ସୁଦର୍ଶନ_ସାହୁଙ୍କ ପରି ଗୁଣଗ୍ରାହୀଙ୍କ ନିଷ୍ଠାପର ସାଧନା ଯେ ଓଡ଼ିଶା ମାଟିରେ ଅଗଣିତ କଳାପ୍ରେମୀଙ୍କୁ ଅଭିପ୍ରେରିତ କରୁ, ସେଇ ଆଶା କରିବା !
ବନ୍ଦେ ଉତ୍କଳ ଜନନୀ