କଂସାଥାଳି

ଲେଖା: ସୁଦର୍ଶନ ସାହୁ
~ଆମ ଓଡ଼ିଆ ପରମ୍ପରାରେ କଂସାଥାଳି ~
ଉତ୍କଳୀୟ ପରମ୍ପରାରେ କଂସାଥାଳି ର ବ୍ୟବହାର କାହିଁ କେବେଠୁ ରହିଆସିଛି । ପିଢ଼ା, ପାଣି ଥୋଇବା ପରେ କଂସାଥାଳିରେ ଭାତ ବଢ଼ାଯାଏ #ଓଡ଼ିଆଣୀ ହାତରେ ! ଏହା ଛଡ଼ା ଗ୍ରାମଦେବତୀଙ୍କ ଠାରେ ଉଖୁଡ଼ା ଭୋଗ, ବିଷ୍ଣୁ ମନ୍ଦିରରେ ଶଙ୍ଖୁଡ଼ି (ଖେଚୁଡ଼ି) ଭୋଗ, ଅତିଥି, ଅଭ୍ୟାଗତ, ପୁରୋହିତଙ୍କୁ ଭୋଜ୍ୟ/ସଞ୍ଚା ଦେବା, ନିର୍ବନ୍ଧ/ପିନ୍ଧାଣୀ ବେଳର ସଂକଳ୍ପ, ବାହାବେଦୀ ମୂଳେ ବନ୍ଦାଣ, ମେଳଣ, ଯାନିଯାତ୍ରା ପାଇଁ ଚୁଡ଼ାଘଷା ତିଆରି ଇତ୍ୟାଦିରେ ଥାଳିର ଆବଶ୍ୟକତା ପଡ଼ିଥାଏ। ତେବେ ଖାଇବା ଥାଳିଟି କଂସାଥାଳି ହେବା ଥୟ ! ତେବେ ଯାହା ହେଉନା କାହିଁକି ପଖାଳକଂସା ଭଳି ଥାଳିର ୨୨ ଟି ନାମ (ଏ ପର୍ଯ୍ୟନ୍ତ) ଗବେଷଣାରୁ ପ୍ରାପ୍ତ ହୋଇଛି ! ସେ ସବୁର ବିଶଦ ବିବରଣୀ . .
ଏ ଥାଳି ଏକ ଅପରୂପ ଓ ଉଚ୍ଚକୋଟୀର କଂସାଥାଳି ! ଏଥିରେ କଳା ସହିତ କୌତୁକ ଯୋଡ଼ି ହୋଇ ରହିଛି ! କହିବାକୁ ଗଲେ ଏହା ଏକ ମହାସଉକିଆ ଥାଳିରେ ଗଣା, ଯାହାକି ରଜା, ଜମିଦାର, ଗାଁ ପ୍ରଧାନ, ଧନୀକ ଶ୍ରେଣୀର ଲୋକଙ୍କ ଘରେ ପ୍ରତୀୟମାନ ହେଉଥିଲା । ଏ ଥାଳିର ଏନ୍ତୁଡ଼ିଶାଳ କଣ୍ଟିଲୋ କଂସାରୀ ଗ୍ରାମ ବୋଲି ଜଣାଯାଏ, ତେବେ ସୋନପୁରର ବଇରାସର, ବରଗଡ଼ର କଟାପାଲି ଗ୍ରାମରେ ମଧ୍ୟ ତିଆରି ହେଉଥିଲା ।
ଏ ଥାଳି ଅତି ନିବାଡ଼ (ଚିକ୍କଣ ଓ ମସୃଣ) ଧରଣର ଏବଂ ଏହା ବାଡ଼ିଆପିଟା ପଦ୍ଧତିରେ ତିଆରି ହୁଏ । ଏ ଥାଳିର ପେଟ ଅତି ମସୃଣ ହେବା ସଙ୍ଗେ ସଙ୍ଗେ ଫଙ୍ଗ ଏଭଳି ଭାବେ ତିଆରି କରାଯାଇଥାଏ ଯେ ନ ଜାଣିବା ଲୋକ ମନରେ ଦୁଇଟି ଥାଳି ତଳ ଉପର ହୋଇ ରହିଥିବାର ଭ୍ରମ ସୃଷ୍ଟି ହୁଏ। ସେଥିପାଇଁ ଏହାର ନାମକରଣ ‘ଦୋହରି ରେକାବି’ (ଦୋହରି ଅର୍ଥ ଦୁଇଟି) ଥାଳି ହୋଇଛି। ଏ ଥାଳିର ଫଙ୍ଗର ତଳଭାଗରେ ପାଖାପାଖି ୪୦/୫୦ଟି ନିଖୁଣ ଟିପଚିହ୍ନ ସୃଷ୍ଟି କରାଯାଇଥାଏ; ଯାହା ରେକାବି ଥାଳିର ଫଙ୍ଗରେ ଦେଖିବାକୁ ମିଳେ । ଠିକ୍ ଏହା ଉପରେ ପ୍ରାୟ ଏକ ସେଣ୍ଟିମିଟର ଛାଡ଼ି, ସାଦା ମସୃଣ ଫଙ୍ଗ ୪୫ ଡିଗ୍ରୀ ବାଙ୍କରେ ଉପରକୁ ଉଠିଥାଏ। ଏ ଭଳି ଗଠନଶୈଳୀ ଯୋଗୁଁ ଗୋଟିଏ ଗେବୁଲୁ ଥାଳି ଭିତରେ ଗୋଟିଏ ରେକାବି ଥାଳି ରହିଯାଇ ଥିବା ଭଳି ପ୍ରତୀୟମାନ ହୁଏ । ଏହି ଥାଳିରେ ଏଭଳି ଦୁଇଟି ଫଙ୍ଗ ଉକୁଟାଇବା ବହୁତ କଷ୍ଟସାଧ୍ୟ ।
ଏଥିରେ କଳାଚାତୁରୀ/ବାହାଦୂରୀ କେବଳ କଂସାରୀ କାରିଗର (ଗଢା ଓ କୋରା)ଙ୍କୁ ମିଳିଥାଏ, କାରଣ #ଗଢା (କଂସାରୀଶାଳ ମୁଖ୍ୟ ବିନ୍ଧାଣୀ) ର ନିର୍ଦ୍ଦେଶରେ #କୋରା (ଯିଏ ତତଲା କଂସାପଟିକୁ କୋରିଥାଏ ବା ପିଟା କରିଥାଏ) ଛୋଟ ହାତୁଡ଼ିରେ ଅତି ସନ୍ତର୍ପଣରେ ଟିପଚିହ୍ନ ସୃଷ୍ଟି କରିଥାଏ । ତେବେ ଏପରି ଦାମିକା ଥାଳି ବରାଦ ମୁତାବକ ବଡ଼ବଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହେଉଥିଲା । ଏବେ ଏ କଳା ସମ୍ପୂର୍ଣ୍ଣ ମୃତ ! ଥାଳି ମଧ୍ୟ ଦୁଷ୍ପାପ୍ୟ !
ଏ ଥାଳିର ବ୍ୟବହାର ପଛରେ ବି କୌତିକିଆ କଥା ଟିଏ ଅଛି ! ଜନଶୃତି କହେ, ନୂଆ ସମୁଦୀ (ପୁଅର ବାପା) ବାହାଘର ପରେ ଯେବେ ପ୍ରଥମ କରି କୁଣିଆ ହୋଇ ସମୁଦୀ ଘରକୁ ଯାଉଥିଲେ, ସେତେବେଳେ ଏଇ ଥାଳି ରେ ତାଙ୍କୁ ଚର୍ଚ୍ଚା କରାଯାଉଥିଲା ! ଦୁଇଟି ଥାଳିର ଭ୍ରମରେ ପଡ଼ି ସମୁଦୀ ମହାଶୟ ନଖରେ ଥାଳିର ଫଙ୍ଗ ପରଖିଲା ବେଳେ ବହୁତ ଥଟ୍ଟା ମଜା, ହାସପରିହାସ ହେଉଥିଲା ! ଆଉ ସେଦିନ କାଇଁ ? ଏପରି ଗୋଟେ କଂସାଥାଳି ଲେଖକର ସଂଗ୍ରହାଳୟ ରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରୁଛି !
ଏ କଂସାଥାଳି ଗେବୁଲୁ ଥାଳି ଧରଣର ହେଲେ ବି ଏଥିରେ ଶାସ୍ତ୍ରମତେ ଭୋଜନ କରିବା ନିଷେଧ କରାଯାଇଛି । ଏ ଥାଳିରେ ଅନ୍ତତଃ ପକ୍ଷେ ଫଙ୍ଗରେ ୪୦ରୁ ୫୦ଟି ବାଡ଼ିଆ ଟିପଦାଗ ଦିଆଯାଇଥାଏ । ଯାଜପୁର ଓ ଢେଙ୍କାନାଳ ଅଞ୍ଚଳରେ ଏ ଥାଳିକୁ #ଦାନ୍ତଥାଳି କୁହାଯାଏ । କାରଣ, ବାଡ଼ିଆଟିପ ଦାନ୍ତ ଭଳି ଦେଖାଯାଏ । ଦକ୍ଷିଣ ଓଡ଼ିଶାରେ ଏ ଥାଳିକୁ #କୁଞ୍ଚଚଢୁଆ ଥାଳି କୁହାଯାଏ । ଏ ଥାଳିର ବିଶେଷତ୍ଵ ହେଲା ଅତିଥି, ଅଭ୍ଯାଗତ, ପୁରୋହିତ, #ଚକୁଳିଆ ପଣ୍ଡା, #ଜାନୁଘଣ୍ଟିଆ, #ବାନାବଇରଖିଆ, #ଆପଟ ମାନଙ୍କୁ #ଭୋଜ୍ୟ ବା #ସଞ୍ଚା (ଚାଉଳ, ମୁଗଡାଲି, ଗୁଡ଼, ପରିବା, ଗାମୁଛା ଓ ଘିଅ ଇତ୍ୟାଦି) ଦେବା ପାଇଁ ଏହାର ସ୍ୱତନ୍ତ୍ର ବ୍ୟବହାର ହେଉଥିଲା !
ଗବେଷଣାରୁ ଜଣାଯାଏ ଯେ, ଗ୍ରାମାଞ୍ଚଳର ବିଧାନ ଅନୁସାରେ, ଦୁଇହାତର ପାପୁଲି ଯୋଡ଼ି ଭୋଜ୍ୟ ପଦାର୍ଥ ପ୍ରଦାନ କରାଯାଇଥାଏ । ସେଥିଲାଗି ହାତର ୧୦ଟି ଟିପ ଓ ପାପୁଲି ଭୋଜ୍ୟ ସଂସ୍ପର୍ଶରେ ଆସିଥାଏ । ଏହି ଧାର୍ମିକ ଚିନ୍ତାଧାରାକୁ ଆଖିଆଗରେ ରଖି ରେକାବି ଥାଳିର ସୃଷ୍ଟି । ଏଥିରେ ୪୦ରୁ ୫୦ଟି ବାଡ଼ିଆ ଟିପଚିହ୍ନ ସୃଷ୍ଟି କରାଯାଇଥାଏ; ଯାହାକୁ ସମସ୍ତ ଭୋଜ୍ୟଦ୍ରବ୍ୟ ସ୍ପର୍ଶ କରିଥାଏ। ଏହି ଥାଳି #ଗେବୁଲ_ଥାଳି ଭଳି ହାଲୁକା ଏବଂ ଏହାର ଏନ୍ତୁଡ଼ିଶାଳ #କଣ୍ଟିଲୋ ଗ୍ରାମ । ତେବେ ଗଞ୍ଜାମର #ମାମୁଡିହ, #ଜଗମୋହନ, ବଲାଙ୍ଗିରର #ତରଭା, ବରଗଡ଼ର #କଟାପାଲି ଓ ପୁରୀର #ବାଳକାଟି ଆଦି ଗ୍ରାମରେ ଏ ଥାଳିର ବହୁଳ ଭାବରେ ତିଆରି ହେଉଥିଲା। ଏବେ କାଁ ଭାଁ କେଉଁଠି ତିଆରି ହେଉଛି । ଲୋକେ ଥାଳିର ଧାର୍ମିକ ବିଶେଷତ୍ୱ ନ ଜାଣି ଥାଳିକୁ ଭୋଜନ ପାଇଁ ବ୍ୟବହାର କରୁଛନ୍ତି ! ଫୁଲବାଣୀ ଓ ବଉଦ ଜିଲ୍ଲାରେ ଏ ଥାଳିର ଆଦର ରହିଛି, ଖାଇବା ଥକି ଭାବରେ ! ଥାଳିର ଫଙ୍ଗରେ ଟିପବାଡ଼ିଆ କାମ କଷ୍ଟକର ହୋଇଥିବା କାରଣରୁ ଯୁବପିଢ଼ି କାରିଗରମାନେ ଏ ଥାଳି ଉତରିବାରେ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି ! ଏ ଥାଳିରେ ନକ୍ସାକାମ ହୋଇ ନ ଥାଏ !
ଏ ଥାଳିର ଗଠନ ଅତ୍ୟନ୍ତ ମନଲୋଭା । ଫଳରେ ଦେଖଣାହାରୀ କିଛି ସମୟ ଅଟକିଯାଇ ଏ କଂସାଥାଳି ସାରା ହାତ ବୁଲାଇନିଏ । ଏହାକୁ ଛୋଟ #କଞ୍ଚନ_ଥାଳି ବୋଲି ଧରି ନେଇ ହେବ ।
ଏଭଳି ଥାଳିର ଗଠନ ପରିକଳ୍ପନା ୧୯୬୦ ମସିହାରେ କଣ୍ଟିଲୋର ବିଶିଷ୍ଟ ଥାଳି (ଗଢ଼ା) କାରିଗର #କୃଷ୍ଣଚନ୍ଦ୍ର_ମହାରଣା କରିଥିଲେ। କହିବାକୁ ଗଲେ ସେ ଏ ଥାଳିର ଜନକ । #କଂସାଥାଳିର_ଗୁରୁ ଭାବେ ପରିଚିତ ଶ୍ରୀଯୁକ୍ତ ମହାରଣାଙ୍କର ୯୫ ବର୍ଷ ବୟସରେ ଗତ ୧୦ ତାରିଖରେ ଦେହାନ୍ତ ଘଟିଛି ! ଚରମ ପ୍ରଶାସନିକ ଅବହେଳାର ଶିକାର ହୋଇ ଏ ବିଶିଷ୍ଟ କାରିଗର ଦୀର୍ଘ ଦିନରୁ ଶଯ୍ୟାଶାୟୀ ଅବସ୍ଥାରେ ଥିଲେ ! ଦୁଃଖର କଥା ଏଇ କଳାଚାତୁରୀକୁ ଅନ୍ୟ କେହି କଂସା କାରିଗର ଆୟତ୍ତ କରିପାରି ନ ଥିବାରୁ ଏ ଅନନ୍ୟ କାରିଗରୀ ଆଜି ସମ୍ପୂର୍ଣ୍ଣ ଲୁପ୍ତ ! 
ଏ ଥାଳିର ଫଙ୍ଗ ଦୁଇରୁ ତିନିଇଞ୍ଚ ଉଚ୍ଚା ହୋଇ ପୁଣି ବାହାରକୁ ହାରାହାରି ଏକ ଇଞ୍ଚ ମୋଡ଼ିହୋଇ ମେଲେଇ ଥାଏ। ଫଙ୍ଗକୁ ମୋଡ଼ିକରି ମେଲେଇବା ବହୁତ କଷ୍ଟକର କାମ । ପୁଣି ସେହି ମେଲା ଫଙ୍ଗରେ ୫ଟି କାଣି ଆଙ୍ଗୁଠି ସରୁ ଗର୍ତ୍ତ କରାଯାଇ ୩ଟି ଅତି ନିବାଡ଼ ତାଟିଆ ଓ ଦୁଇଟି ଅତି ନିବାଡ଼ (ଖୁବ୍ ଚିକ୍କଣକରା) ଚଟିକି, କଂସା ତିଆରି ବକ୍ରନାଡ଼ (ପଦ୍ମନାଡ଼ ସଦୃଶ)ରେ ଖଞ୍ଜି ଦିଆଯାଏ। ପଦ୍ମଫୁଲକୁ ତାହାର ନାଡ଼ ଯେପରି ଆୟତ୍ତ କରି ରଖିଥାଏ, ସେପରି ଏ ଗାଢୁଆ ଓଜନିଆ ଥାଳିଟି ଏହାର ୫ଟି ତାଟିଆ ଓ ଚଟିକିକୁ ଆୟତ୍ତରେ ରଖିଥାଏ ।
ଥାଳିରେ ଅଣ୍ଟା ଯାଇଥିବା ବକ୍ରନାଡ଼ ମଧ୍ୟ କଂସାରେ ତିଆରି, ଏବଂ ଏହାକୁ ଉତାରିବା ମଧ୍ୟ କଷ୍ଟକର ! କାରଣ କଂସାରେ ମିଶ୍ରିତ ଦୁଇ ଧାତୁ ଯଥା ତମ୍ବା ଓ ରାଙ୍ଗାର ଭାଗମାପରେ ସାମାନ୍ୟ ବ୍ୟତିକ୍ରମ ହେଲେ, ବାଡ଼ିଆ ପିଟା ପଦ୍ଧତିରେ ନାଡ଼ଜିନିଷ ଠିକ୍‌ରେ ଉତୁରି ପାରି ନ ଥାଏ ଏବଂ ବାରମ୍ବାର ଭାଙ୍ଗିଯାଏ ।
ଏ ଥାଳିର ଓଜନ ହାରାହାରି ଅଢ଼େଇ କିଲୋ ଏବଂ ଗର୍ତ୍ତ ୧୩ରୁ ୧୫ ଇଞ୍ଚ । ଏହା ଅତି ନିବାଡ଼ ଥାଳିରେ ଗଣା ।
ପୂର୍ବକାଳରେ ବଡ଼ଲୋକିଆ ଜ୍ଵାଇଁପୁଅର ପ୍ରଥମ କୋଠାମଡ଼ାଣ (ପ୍ରଥମ ଥର ଶଶୁର ଘରେ କୁଣିଆ ହେବା) ସମୟରେ ଏହି ଥାଳିରେ ଜ୍ଵାଇଁଚର୍ଚ୍ଚା କରାହେଉଥିଲା । ବିଧି ଅନୁସାରେ ଜ୍ଵାଇଁପୁଅ ବିଦା ହେଲାବେଳେ ଥାଳିଟି ତାଙ୍କର ପ୍ରାପ୍ୟ ହେଉଥିଲା । ଏଭଳି ଏକ କଂସାଥାଳି ବହୁ କଷ୍ଟରେ ସଂଗୃହିତ ହୋଇ ସଂଗ୍ରହାଳୟରେ ସ୍ଥାନପାଇ ଦର୍ଶକଙ୍କ ମନମୋହୁଛି ।

Leave a Comment

Your email address will not be published. Required fields are marked *

Scroll to Top