ଲେଖା: ଦେଵ ତ୍ରିପାଠୀ
୧୮୩୭ ସନ୍ । କଟକ ।
ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରସାର ଏବଂ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନ ଦିଗରେ ବ୍ରିଟିଶ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ନିଶ୍ଚିତଭାବେ ଥିଲା ପ୍ରଶଂସନୀୟ । ସେତେବେଳେ ଓଡ଼ିଶାରେ ଛାପାଖାନା ନ ଥିଲା ! ଓଡ଼ିଆ ପୁସ୍ତକର ଅଭାବ ଥିଲା, ଓଡ଼ିଆ ପିଲାଏ ବିଦ୍ୟାଳୟରେ ବଙ୍ଗାଳୀ ପୁସ୍ତକମାନ ପଢ଼ିବାକୁ ବାଧ୍ୟ ହେଉଥିଲେ !
ବ୍ରିଟିଶମାନେ ଅତ୍ୟାଚାରୀ ଶାସକ ଥିଲେ, ମାତ୍ର ବଙ୍ଗାଳୀଙ୍କ ପରି ଓଡ଼ିଆ ଭାଷା ପାଇଁ ସେମାନେ ଶତ୍ରୁ ସାଜି ନ ଥିଲେ । ଓଡ଼ିଆ ଭାଷା ଉପରେ ହୀନମନା ବଙ୍ଗାଳୀ ଜାତି କାଳସର୍ପ ପରି ଉଭା ହେଲା ବେଳକୁ ପରୋକ୍ଷ ତ୍ରାଣକର୍ତ୍ତା ସାଜିଥିଲେ Reverend Dr. Amos Sutton !
ପୂର୍ବରୁ ସଟନ୍ ଓଡ଼ିଆରେ ବାଇବେଲର ଅନୁବାଦ ସହିତ ଅଗଣିତ ଖ୍ରୀଷ୍ଟୀୟ ସାହିତ୍ୟ ରଚନା କରିଆସୁଥିଲେ । ଏସବୁ ପୁସ୍ତକ ଛପାଇବା ପାଇଁ ତାଙ୍କୁ ସୁଦୂର ୩୦ ମାଇଲ ଦୂରବର୍ତ୍ତୀ କଲିକତା ଉପରେ ନିର୍ଭର କରିବାକୁ ପଡ଼ୁଥିଲା ! ଅଯଥା ସମୟ ଓ ଅର୍ଥ ବ୍ୟୟକୁ ଦୂର କରିବା ପାଇଁ, ସଟନ୍ କଟକରେ ଏକ ଛାପାଖାନା ସ୍ଥାପନା ପାଇଁ ଲଣ୍ଡନକୁ ଲେଖିଲେ । ପତ୍ର ପାଇବା କ୍ଷଣି ହୋମ୍ କମିଟି ସଟନ୍’ଙ୍କ ଆବେଦନକୁ ସହାନୁଭୂତିର ସହ ବିଚାର କରି ଆନନ୍ଦରେ ସେଇ ପ୍ରସ୍ତାବରେ ରାଜି ହେଲେ ।
୧୮୩୭ ମସିହାରେ Captain Lessy ଲଣ୍ଡନରୁ ଫେରିଲା ବେଳେ ସାଙ୍ଗରେ ଗୋଟିଏ ଛାପାକଳ ଧରି କଟକ ଆସିଲେ । ସେ ସମୟରେ ବହୁ ବିଶିଷ୍ଟ ଲୋକ ମଧ୍ୟ କଟକକୁ ଧାଉଁଥଲେ ଛାପାଖାନା ଦେଖିବା ପାଇଁ ଏବଂ ସେ ଥିଲା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟଜନକ ଚିଜ ।
୧୮୩୮ ମସିହାର ସେ ସକାଳ ଥିଲା ଓଡ଼ିଆଙ୍କ ପାଇଁ ନିଶ୍ଚିତ ଭାବେ ଗର୍ବର ସମୟ । କଟକ ମାଟିରେ ସ୍ଥାପନା ହେଲା ଓଡ଼ିଶା ମାଟିର ପ୍ରଥମ ଛାପାଖାନା – ଓଡ଼ିଶା ମିଶନ ପ୍ରେସ୍ ! ନିଜେ ସଟନ୍ ଉକ୍ତ ପ୍ରେସ୍ର ସର୍ବପ୍ରଥମ ତତ୍ତ୍ବାବଧାରକ ହେଲେ ।
ଓଡ଼ିଆରେ ଖ୍ରୀଷ୍ଟୀୟ ସାହିତ୍ୟ ପୁସ୍ତକମାନ ଛପା ହେବାରେ ସହଜ ସାଧ୍ୟ ହେଲା । ଖ୍ରୀଷ୍ଟୀୟ ସାହିତ୍ୟର ପରିବ୍ୟାପ୍ତି ଉଦ୍ଦେଶ୍ୟରେ ସ୍ଥାପନ ହୋଇଥିଲେ ମଧ୍ୟ ମିଶନ ପ୍ରେସରେ ସର୍ବପ୍ରଥମେ ଯେଉଁ ପୁସ୍ତକ ଛପା ହୋଇଥିଲା ତା’ର ନାମ ହେଉଛି “ଜଗନ୍ନାଥ ତୀର୍ଥ ମହାତ୍ମ୍ୟ” । ପରେ ପରେ ଓଡ଼ିଶା ମିଶନ ପ୍ରେସ୍ ପ୍ରକାଶ କରିଥିଲେ ଅନେକ ପୁରାଣଗନ୍ଥ, ପଞ୍ଚତନ୍ତ୍ର ତଥା ପ୍ରାଚୀନ ଓଡ଼ିଆ ସାହିତ୍ୟସୃଷ୍ଟି ମାନ ।
ସଟନ୍’ଙ୍କ ପରେ ୧୮୪୧ ମସିହାରେ ପ୍ରେସ୍ କାର୍ଯ୍ୟରେ ଦକ୍ଷ ଓ ଅଭିଜ୍ଞ William Brook ଏହି ପ୍ରେସ୍ ଚଳାଇବା ପାଇଁ ଇଂଲଣ୍ଡରୁ ଆସିଲେ । ମିଶନ୍ ପ୍ରେସ୍’ରେ ଯୋଗଦେଇ ସେ ନିଜର ସମସ୍ତ ସମୟ ଏଥିରେ ବ୍ୟୟ କରୁଥିଲେ । ଏହି ପ୍ରେସ୍ ସ୍ଥାପିତ ହେବା ଦ୍ୱାରା କଟକର ବହୁ ଖ୍ରୀଷ୍ଟୀୟ ଲୋକେ ସେଥରେ ନିଯୁକ୍ତି ପାଇଥିଲେ । ବିଶେଷତଃ ଅନାଥାଶ୍ରମର ବହୁ ପିଲା ଏହି ପ୍ରେସ୍’ରେ କାମ ଶିଖି ନିଜ ନିଜର ଜୀବିକା ନିର୍ବାହ କରିପାରିଥିଲେ ।
୧୮୫୬ ମସିହାରେ ଓଡ଼ିଶା ଶିକ୍ଷା ବିଭାଗ ପାଇଁ ସ୍ବତନ୍ତ୍ର ଇନସ୍ପେକ୍ଟର ପଦ ସୃଷ୍ଟି ହେଲା ଏବଂ ଓଡ଼ିଆ ପାଠ୍ୟପୁସ୍ତକ ରଚନା ଉପରେ ବିଶେଷ ଦୃଷ୍ଟି ଦଆଗଲା । ଓଡ଼ିଶାର ପ୍ରଥମ ଇନ୍ସପେକ୍ଟର ହେଲେ Dr. Roehr । ଅବହେଳିତ ଓଡ଼ିଶାର ଶିକ୍ଷା ପ୍ରସାର ପାଇଁ ତାଙ୍କର ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ । ସେ ଘୋଷଣା କରିଥିଲେ, “ଓଡ଼ିଆ ଭାଷା, ବଙ୍ଗଳା ଭାଷାର ଏକ ଉପଭାଷା ନୁହେଁ । ଓଡ଼ିଆ ନିଶ୍ଚିତ ଭାବେ ଏକ ସ୍ବତନ୍ତ୍ର ଭାଷା । ଏହାର ବ୍ୟାକରଣ, ଲିପି ପ୍ରଣାଳୀ ଓ ଭାଷାପଦ୍ଧତି ସ୍ବତନ୍ତ୍ର । ଏହି ଭାଷାରେ ହିତୋପଦେଶ, ବତ୍ରିଶ ସିଂହାସନ ଓ ପୁରାଣରୁ ଅନୁବାଦ ହୋଇଥିବା କେତେକ ପୁସ୍ତକ ଅଛି । ଏଣୁ ଓଡ଼ିଆ ସ୍କୁଲରେ ବଙ୍ଗଳା ପୁସ୍ତକ ନ ଚଳି ଏଣିକ କେବଳ ଓଡ଼ିଆ ପୁସ୍ତକ ଚଳିବ” ।
ତଦନୁଯାୟୀ, ପାଠ୍ୟପୁସ୍ତକ ଭାବେ ନୀତିକଥା, ବର୍ଣ୍ଣବୋଧକ, ପାଟୀଗଣିତ, ଭୂଗୋଳ, ନୀତିବୋଧ ପଦାର୍ଥ ବିଦ୍ୟାସାର, ଓଡ଼ିଆ ବ୍ୟାକରଣ, ଓଡ଼ିଶାର ଇତିହାସ, ନୀତିକଥା, ହିତୋପଦେଶ, ବର୍ଣ୍ଣବୋଧକ, ପାଟୀଗଣିତର ଅନୁବାଦ, ଭର୍ଣ୍ଣାକୁଲାର୍ କ୍ଲାସ୍ ବୁକ୍ ରଡ଼ର୍, ଓଡ଼ିଆ ଗଣିତ ଓ ଭୁଗୋଳ ବିବରଣ ଆଦି ପୁସ୍ତକମାନ ମୁଦ୍ରିତ ହେଲା ।
୧୮୮୧ ମସିହାରେ ଆଉ ଗୋଟିଏ ଛାପାକଳ ଲଣ୍ଡନରୁ କଟକ ପଠାଗଲା । ଏଇ କଳଟି “ଚିନସୁରା” ନାମକ ଏକ ଜଳଜାହାଜରେ ଲଣ୍ଡନରୁ ଆସୁଥିଲା ବେଳେ ଫଲସ୍ ପଏଣ୍ଟ୍ ନିକଟରେ ଉକ୍ତ ଜାହାଜଟି ବୁଡ଼ି ଯାଇଥିଲା । ଫଳରେ ଏହାର କିଛିଦନ ପରେ ପୁନଶ୍ଚ ଆଉ ଗୋଟିଏ ଖୁବ୍ ଉନ୍ନତ ଧରଣର ଛାପାକଳ ଆସି କଟକରେ ବସିଥିଲା ।
ବ୍ରୁକ୍ ୧୮୪୨ରୁ ୧୮୮୧ ମସିହା ପର୍ଯ୍ୟନ୍ତ ମିଶନ ପ୍ରେସର ଅଧ୍ୟକ୍ଷ ଥଲେ । ତାଙ୍କ ପରେ Dr. Mallahaland, Dr. J. Hill, Harvey, Dr. Grandy, Dr. E.R.Lajarwood ଓ Rabinson ପ୍ରମୁଖ ବରିଷ୍ଠ ଅଧିକାରୀ/ପାଦ୍ରୀମାନେ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଥିଲେ ।
୧୮୩୮ ମସିହାରେ ଓଡ଼ିଶା ମିଶନ ପ୍ରେସ ପାଇଁ ଯେଉଁ ଗୃହ ନିର୍ମିତ ହୋଇଥିଲା ତାକୁ ୧୮୯୯ ମସିହାରେ Harveyଙ୍କ ଦ୍ଵାରା ଏବଂ ପୁନଃ ୧୯୧୨ ମସିହାରେ Grandyଙ୍କ ଅମଳରେ ସେ ଗୃହକୁ ଆହୁରି ବଢ଼ାଇ ଦିଆଗଲା । ପରିଶେଷରେ ୧୯୨୭ ମସିହାରେ Rabinsonଙ୍କ ସମୟରେ ଏହାକୁ ଲାଗି ଆଉ ଏକ ବଡ଼ ହଲ୍ ତିଆରି କରାଯାଇଥିଲା । Grandyଙ୍କ ସମୟରେ ଏଠାରେ ଅଧ୍ୟକ୍ଷ ନିବାସ’ ବା ‘ପ୍ରେସ ହାଉସ୍’ ନିର୍ମିତ ହୋଇଥିଲା ।
୧୯୪୦ ମସିହା ପର୍ଯ୍ୟନ୍ତ ଏହି ମିଶନ ପ୍ରେସ୍’ଟି ମିଶନ୍ ହାତରେ ଥିଲା । ଏହା ପରେ ଏହାର ତତ୍ତ୍ବାବଧାନ ଭାର ଉତ୍କଳ ବାପଟିଷ୍ଟ କେନ୍ଦ୍ର ମଣ୍ଡଳୀ ସମ୍ମିଳନୀ ହାତକୁ ଯାଇଥିଲା ।
ଓଡ଼ିଶାରେ ଏଥିମଧ୍ୟରେ ବହୁସଂଖ୍ୟକ ପ୍ରେସ୍ ସ୍ଥାପିତ ହେଲାଣି, ହେଲେ ଓଡ଼ିଶା ମିଶନ ପ୍ରେସ୍ ଭଳି ଉତ୍କୃଷ୍ଟ କାର୍ଯ୍ୟ ଖୁବ୍ କମ୍ ପ୍ରେସ୍’ରେ ଦେଖିବାକୁ ମିଳେ । ଆଜି ସେହି ମିଶନ ପ୍ରେସ୍’ର ଛାପାକଳ ନାହଁ କି କର୍ମଚାରୀ ନାହାଁନ୍ତି । ଇତିହାସକୁ ଦେଖିଲେ ମନେହୁଏ ସତେ ଯେପରି କର୍ପୁର ଉଡ଼ାଯାଇ ଖାଲି କନାଟି ପଡ଼ି ରହଛି ।
ଓଡ଼ିଶା ମାଟିରେ ଖ୍ରୀଷ୍ଟଧର୍ମର ପ୍ରଚାର ଓ ପ୍ରସାର ସହିତ ଖ୍ରୀଷ୍ଟୀୟ ସାହିତ୍ୟର ପ୍ରୋତ୍ସାହନ ଉଦ୍ଦେଶ୍ୟ ନିହିତ ଥିଲେ ମଧ୍ୟ Dr. Suttonଙ୍କ ସେଦିନର ସେ ପଦକ୍ଷେପ ଭାବେ ଓଡ଼ିଶା ମିଶନ ପ୍ରେସ୍ ସ୍ଥାପନା ଓଡ଼ିଆ ଭାଷାସାହିତ୍ୟ, ଓଡ଼ିଆ ପାଠ୍ୟପୁସ୍ତକ ତଥା ଓଡ଼ିଆ ପତ୍ରପତ୍ରିକା ପ୍ରକାଶନ ପାଇଁ ବାଟଟିଏ ଖୋଲିଦେଇଥିଲା ।
ଭାଷାସାହିତ୍ୟ ତଥା ଶିକ୍ଷାର ପ୍ରସାର କ୍ଷେତ୍ରରେ ଯେଉଁ ନବଜାଗରଣ ସୃଷ୍ଟି ହେଇଥିଲା ତା’ର ପ୍ରତିଷ୍ଠାତା ଓ ଦିଗଦର୍ଶକ ଥିଲା ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ! ଶିକ୍ଷା ବିକାଶ ଆନ୍ଦୋଳନରେ ଅଢ଼େଇ ହଜାର ବର୍ଷରୁ ଅଧିକ କାଳ ଧରି ଗଢ଼ି ଉଠିଥିବା ଏଇ ଶାସ୍ତ୍ରୀୟ ନଗରୀର ଭୂମିକା ଥିଲା ଅନସ୍ବୀକାର୍ଯ୍ୟ ଓ ପ୍ରଶଂସନୀୟ !