ଲେଖା: ନିରଞ୍ଜନ ସାହୁ
ମହର୍ଷି ବ୍ୟାସଦେବକୃତ ଶ୍ରୀମଦଭାଗବତ ସଂସ୍କୃତ ବାଙମୟ ମଧ୍ୟରେ ଏକ ପରମୋତ୍କୃଷ୍ଟ ପରିଣତି । ଏହାର ଆଧ୍ୟତ୍ମିକ ଓ କାବ୍ୟିକ ମୂଲ୍ୟବୋଧ ତଥା ଏଥିରେ ବର୍ଣ୍ଣିତ ସାଧନାଭକ୍ତି, ଜ୍ଞାନ, ବୈରାଗ୍ୟ, ସମାଜ ଗଠନ ପ୍ରଣାଳୀ ପ୍ରଭୃତି ସମଗ୍ର ବିଶ୍ବ ପାଇଁ ଅତ୍ୟନ୍ତ ଉପାଦେୟ । ମାନବର ପରମ କଲ୍ୟାଣ ନିମନ୍ତେ କୃଷ୍ଣଦ୍ଵୈପାୟନ ବ୍ୟାସଦେବ ଏହି ଗ୍ରନ୍ଥରତ୍ନ ପ୍ରଣୟନ କରିଥିଲେ। ଉଦ୍ଧବଙ୍କ ପ୍ରାର୍ଥନାକ୍ରମେ ସ୍ଵୟଂ ଭଗବାନ ଏଥିରେ ପ୍ରବିଷ୍ଟ ହୋଇଛନ୍ତି – ‘ତିରୋଧାୟ ପ୍ରବିଷ୍ଟୋଽଶ୍ରୀମଭାଗବତାର୍ଣ୍ଣବମ୍ ।
‘ଭାଗବତ’ ଶବ୍ଦ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ଏକ ସ୍ପଷ୍ଟ ଝଲକ। ଭିନ୍ନ ଭିନ୍ନ ରୀତିରେ ଏହାର ବ୍ୟୁତ୍ପତ୍ତି କରାଯାଇପାରେ –
୧. ଭଗବତଂ ଅଧିକୃତ୍ୟ କୃତୋ ଗ୍ରନ୍ଥଃ ଭାଗବତମ୍ – ଯେଉଁ ଗ୍ରନ୍ଥର ପ୍ରତିପାଦ୍ୟ ତତ୍ତ୍ଵ ଭଗବାନ, ତାହାର ନାମ ଭାଗବତ।
୨. ଭାଗବତଃ ଇମେ ଭାଗବତାଃ, ତାନ୍ ଅଧିକୃତ କ୍ରୁତୋ ଗ୍ରନ୍ଥଃ ଭାଗବତମ୍ – ଯେଉଁ ଗ୍ରନ୍ଥରେ ଭଗବଦ୍ ଭକ୍ତଙ୍କ ମହତ୍ତ୍ଵ ଓ ବିଶେଷତ୍ତ୍ୱ ବର୍ଣ୍ଣିତ ତାହାର ନାମ ଭାଗବତ।
୩. ଭଗବତା ପ୍ରୋକ୍ତଂ ଭାଗବତମ୍ – ଯାହା ଭଗବାନଙ୍କ ଦ୍ଵାରା କଥିତ ତାହାହିଁ ଭାଗବତ। ସର୍ବପ୍ରଥମେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପ୍ରତି ଉପଦେଶ ନିସୃତ ହୋଇ କ୍ରମଶଃ ନାରଦ, ବ୍ୟାସଦେବ, ଶୁକଦେବ ଓ ପରୀକ୍ଷିତଙ୍କ ମାଧ୍ୟମରେ କ୍ରମେ ଏ ବାଣୀ ମନ୍ଦାକିନୀ ସଦୃଶ ବହି ଆସି ମାନବ ସମାଜକୁ ଭଗବଦ୍ ରସରେ ପ୍ଲାବନ ଓ ପବିତ୍ର କରିଅଛି।
୪. ଭାଗବତ – ‘ଭା’ ଅର୍ଥ ଭାବ, ‘ଗ’ ରୁ ଜ୍ଞାନ, ‘ବ’ ରୁ ବ୍ରହ୍ମ ଓ ‘ତ’ ରୁ ତତ୍ତ୍ଵ। ଅର୍ଥାତ ଭାବ, ଜ୍ଞାନ, ବ୍ରହ୍ମ ଓ ତତ୍ତ୍ଵ ହିଁ ଭାଗବତ । ଏହା ପରମ ଶାସ୍ତ୍ର ।
ଭାରତୀୟ ସଂସ୍କୃତିରେ ପରମଶାସ୍ତ୍ର ଭାଗବତ ଏକ ବିଶିଷ୍ଟ ସ୍ଥାନ ଅଧିକାର କରେ । ମୂଳ ସଂସ୍କୃତ ରଚନା ସେହି ହେତୁ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ସମୟକ୍ରମେ ଅନୁଦିତ ହୋଇଅଛି । ଭାଗବତ ପାଠ କରି ଧର୍ମପ୍ରାଣ ଶ୍ରଦ୍ଧାଳୁଗଣ ବହୁକାଳରୁ ଜୀବନର ପରମ ଶ୍ରେୟ ଲାଭ କରିଆସୁଛନ୍ତି । ଷୋଡ଼ଶ ଶତାବ୍ଦୀ ବେଳକୁ ଏହି ଧାରା (ଅନୁବାଦ), ଭାରତୀୟ ସାହିତ୍ୟରେ ଦୃଷ୍ଟିଗୋଚର ହୋଇ ଆସୁଅଛି । ସେହିବେଳକୁ ଓଡ଼ିଆରେ ସଂସ୍କୃତ ଭାଗବତର ମୂଳରୂପକୁ ନେଇ ଲିଖିତ ହୋଇଛି ଭାଗବତ । ଆଧ୍ୟାତ୍ମିକ ସାହିତ୍ୟ କୃତି ମଧ୍ୟରେ ଏହି ଭାଗବତ ଓଡ଼ିଆ ଜନଜୀବନରେ ଏକ ବିଶିଷ୍ଟ ସ୍ଥାନ, ଶ୍ରେଷ୍ଠ ଆସନ ଯେପରି ଅଧିକାର କରିଛି, ତଦୁପରି ଭାଗବତର ରଚୟିତା ଭକ୍ତକବି ଜଗନ୍ନାଥ ଦାସ ପ୍ରତି ଓଡ଼ିଆର ପ୍ରାଣ ହୋଇଉଠିଛନ୍ତି । ଅତି ଦକ୍ଷତାର ସହ ମୂଳ ସଂସ୍କୃତ ଭାଗବତର ମର୍ମ, ଭକ୍ତିତତ୍ତ୍ଵ ଓ ଦର୍ଶନର ଜଟିଳ ତତ୍ତ୍ଵଗୁଡିକ ସର୍ବସାଧାରଣଙ୍କ ବୋଧଗମ୍ୟ ହୋଇ ସରଳ ଓଡ଼ିଆ ଭାଷାରେ ଉପସ୍ଥାପନ କରିଛନ୍ତି ଜଗନ୍ନାଥ ଦାସ ।
ସରଳୀକରଣ, ତାତ୍ତ୍ୱିକ ବିଶ୍ଳେଷଣ, ଅଧ୍ୟାୟମାନଙ୍କରେ ବିଭକ୍ତିକରଣ, ସଂଯୋଜନ – ବିୟୋଜନ ପଦ୍ଧତି ସହ ଯୋଡ଼ି ହୋଇଯାଇଛି ଉତ୍କଳୀୟ ରୀତିନୀତି ଏହି ରତ୍ନଗର୍ଭା, ପବିତ୍ର ଗ୍ରନ୍ଥରେ । ଅତଏବ ଓଡ଼ିଆ ଭାଗବତ ମୂଳ ସଂସ୍କୃତ ଭାଗବତର ଅନୁବାଦ ନୁହେଁ, ଅନୁସୃଜନ ନିଶ୍ଚିନ୍ତ ଭାବେ ।
~ ମୌଳିକ ଓ ସ୍ଵତନ୍ତ୍ର ~
“ଭାଗବତ ସଂସ୍କୃତ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ । ମୂଳ ସଂସ୍କୃତ ପଦାବଳୀର ଛାୟାରେ ଜଗନ୍ନାଥ ଦାସ, ସ୍ଵତନ୍ତ୍ର ଭାଗବତ ରଚନା କରିଛନ୍ତି । ଏହାର କବିତ୍ଵ ନିଶୀଥର ତାରାଞ୍ଚିତ ଆକାଶ ପରି ରହସ୍ୟମୟ, ଶିଶିରସ୍ନାତ ସକାଳ ପରି ସ୍ନିଗ୍ଧ ଓ ନବୀନ, ଗୋଧୂଳିର ସ୍ତିମିତ ଆଲୋକ ପରି ଭାବୋଭୀର୍ଣ୍ଣ, ସ୍ୱଳ୍ପୋକ୍ତି ମଧ୍ୟରେ ଭାଗବତର ପଦାବଳୀ, ସର୍ବତ୍ର ସହଜବୋଧଗମ୍ୟ ନୁହେଁ। ତଥାପି ଏହାର ଆଧ୍ୟତ୍ମିକ ସୌନ୍ଦର୍ଯ୍ୟ ଓ ରହସ୍ୟମୟ କବିତ୍ଵ ମଧ୍ୟରେ ପୂର୍ଣ୍ଣ ଭବପୁଷ୍ଟି ସାଧିତ ହୋଇଥାଏ । ଓଡ଼ିଆଜାତିର ଅବଚେତନରେ ଭାଗବତ ଏପରି ପ୍ରତିଷ୍ଠା ଲାଭ କରିଅଛି ଯେ, ‘ଭାଗବତ’ର ପଦାବଳୀ ଉଦ୍ଧାର କରି, ସବୁ ଯୁକ୍ତି ଓ ବିତର୍କର ଚରମ ସିଦ୍ଧାନ୍ତ ମିଳିଥାଏ ।”( ସୁରେନ୍ଦ୍ର ମହାନ୍ତି )*
ଓଡ଼ିଶା ଓ ପଡ଼ୋଶୀ ବଂଗପ୍ରଦେଶରେ ଭାଗବତ କହିଲେ, ଭାଗବତକାର ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ହିଁ ବୁଝାଏ, ବ୍ୟାସଦେବକୃତ ଭାଗବତକୁ ନୁହେଁ । ମୂଳ ଭାଗବତର ଅନୁବାଦ କରିନାହାନ୍ତି ଜଗନ୍ନାଥ ଦାସ । ସଂସ୍କୃତ ଭାଗବତ ଉପରେ ଶ୍ରୀଧର ସ୍ବାମୀ ଲେଖିଥିବା ଟୀକାକୁ ବହୁଭାବରେ ଅନୁସରଣ କରି ଜଗନ୍ନାଥ ଦାସ ରଚନା କରିଛନ୍ତି ଓଡ଼ିଆ ଭାଗବତ । ଶ୍ରୀଧର ସ୍ବାମୀ ଅଚିନ୍ତ୍ୟ ଭେଦାଭେଦ ଭାବକୁ ନିଜ ଟୀକାରେ ଗ୍ରହଣ କରି ନାହାନ୍ତି, ଫଳରେ ଓଡ଼ିଆ ଭାଗବତରେ ମଧ୍ୟ ଏ ତତ୍ତ୍ଵର ପରିପ୍ରକାଶ ଘଟିନାହିଁ । ମୂଳ ସଂସ୍କୃତ ଭାଗବତର ଶ୍ଲୋକମାନଙ୍କୁ ଅତି ସତର୍କତାର ସହିତ ତା’ର ଭାବକୁ ପାଠକମାନଙ୍କୁ ବୁଝାଇବା ସହ, ଶ୍ରୀଧର ସ୍ଵାମୀଙ୍କ ଟୀକାର ଅନୁସରଣରେ ଆପଣା ସୃଜନଶୀଳତାର ଚିନ୍ତାଧାରାର ପ୍ରଲେପ ହିଁ ଜଗନ୍ନାଥ ଦାସ କୃତ ଭାଗବତ । ଉଦାହରଣ ସ୍ୱରୂପ:
“ଜନ୍ମାଦସ୍ୟ ଯତୋଽନ୍ଵୟାଦିତରଶ୍ଚାର୍ଥେସ୍ଵଭିଜ୍ଞଃ ସ୍ଵରାଟ,
ତେନେ ବ୍ରହ୍ମଦୃତା ଯ ଆଦି କବାୟେମୁହ୍ୟନ୍ତି ଯତ୍ ସୁରୟଃ ।
ଧ୍ୱନ୍ଵା ସ୍ଵେନ ସଦା ନିରସ୍ତ କୁହୁକଂ ସତ୍ୟଂ ପରଂ ଧିମହି।”
(ମୂଳ ଭାଗବତର ପ୍ରଥମ ଶ୍ଳୋକ) ଏହି ଚାରି ଧାଡ଼ିର ଶ୍ଳୋକ କିନ୍ତୁ ଜୀବନ୍ତ ହୋଇଉଠିଲା, ସଂଯୋଗ ହୋଇ ଯିବା ଦ୍ଵାରା ଭାଗବତକାର ଜଗନ୍ନାଥଙ୍କ ରଚନାରେ, ଅନୁବାଦ ନୁହେଁ, ବରଂ ସୃଜନଶୀଳତାର ପରିଚୟ ବହନ କରି, ପ୍ରାଞ୍ଜଳ ଭାବେ ଓଡ଼ିଆମିର ଲେପ ବହନ କରି —
“ନମଇଁ ନୃସିଂହ ଚରଣ।
ଅନାଦି ପରମ କାରଣ ।।
ଯା ବିନୁ ଆଦି ମଧ୍ୟ ଅନ୍ତ।
ବିଚାରେ ନଘଟେ ଜଗତ।।
ଇନ୍ଦ୍ରିୟ ଅର୍ଥ ଯେ ଜାଣଇ।
ସୁତେଜେ ନିତ୍ୟ ପ୍ରକାଶଇ ।।
ଆନନ୍ଦ ମନେ ବେଦ ସାର।
ବ୍ରହ୍ମରେ ଯେକଲା ବିଚାର।।
(ଓଡ଼ିଆ ଭାଗବତ ପ୍ରଥମ ପଦ )
~ ଦୁଇ ମତବାଦର ସମନ୍ଵୟ ~
ଶ୍ରୀ ଚୈତନ୍ୟଙ୍କ ପରେ ଭକ୍ତିଧର୍ମର ପ୍ରବଳ ବନ୍ୟାରୁ, ଓଡ଼ିଶାର ପାରମ୍ପାରିକ ଯୋଗପଣ୍ଡିତ ଶୂନ୍ୟସାଧନାକୁ ରକ୍ଷା କରିବା ପାଇଁ ଦୁଇ ସାଧନା ପଦ୍ଧତି ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଜଗନ୍ନାଥ ଦାସ, ଐକାନ୍ତିକ ଭକ୍ତିଧର୍ମର ଆଦିଗ୍ରନ୍ଥ ‘ଭାଗବତ’ରେ ଶୂନ୍ୟବାଦର ଆଭିମୁଖ୍ୟ, ଚରିତ୍ର ଓ ସାଧନାମାର୍ଗ ପ୍ରବର୍ତ୍ତନ କରିଥିଲେ । ଓଡ଼ିଆ ଭାଗବତର ବହୁସ୍ଥାନରେ ଏହା ପରିଲକ୍ଷିତ ହୋଇଥାଏ, ଯାହା ମୂଳ ଭାଗବତର କେତେ ପାଦ ଆଗରେ । ଏହାର ଆଭ୍ୟନ୍ତରୀଣ ଉପାଦାନ ଦୃଷ୍ଟିରୁ, ଏହା ଜଗନ୍ନାଥ ଦାସଙ୍କ ଯଥେଷ୍ଟ ପ୍ରବୀଣ କାଳର ରଚନା ରୂପେ ଗୃହୀତ ହେବା ହିଁ ସମୀଚୀନ ।
“ପରମ ପଦେ କରି ସ୍ଥାନ ।
ତେବେ ସାଧିବ ଦୃଢ଼ାସନ ।।
ବାମ ଚରଣ ପଛେ ଭର ।
ତେଣେ ନିରୋଧି ମୂଳାଧାର ।।
ମୂଳ ପବନ ଉର୍ଦ୍ଧ୍ଵେ ତୋଳି ।
ନାଭିପବନ ସଙ୍ଗେ ମିଳି ।।
ବେନି ପବନ ପୁଣି ବଳେ ।
ସ୍ଥାପିବ ହୃଦୟ କମଳେ ।।
ତହୁଁ ତୋଳିବ ତିନି ପ୍ରାଣ ।
କଣ୍ଠେ ଯେ ବସଇ ଉଦାନ।।
ବ୍ୟାନ ପବନ ତାର ତୂଲେ ।
ଧରି ସ୍ଥାପିବ ତାକୁ ମୂଳେ ।।
ତହୁଁ କୁମ୍ଭକ ସାଧ୍ୟ କରି ।
ପ୍ରାଣକୁ ଭ୍ରୂମଣ୍ଡଳେ ଧରି ।।
ନିରୋଧ କରି ସପ୍ତ ଦ୍ଵାର ।
ସ୍ମରଣ କରିବ ଓଁ କାର ।।”
(ତୃତୀୟ ସ୍କନ୍ଧ, ଦ୍ଵିତୀୟ ଅଧ୍ୟାୟ )
~ ସାହିତ୍ୟିକ ମୂଲ୍ୟାୟନ ~
ଓଡ଼ିଆ ଭାଗବତକୁ କେବଳ ଧର୍ମତତ୍ତ୍ଵ ସମ୍ବଳିତ ଏକ ପୁରାଣ ଭାବରେ ଗ୍ରହଣ କରାଯାଇ ନପାରେ । ଏହା ଭକ୍ତିଭାବ, ଜନଚେତନା, ସାହିତ୍ୟିକ ବୈଶିଷ୍ଟ୍ୟ ବହନକାରୀ ଏକ ଗ୍ରନ୍ଥ ମଧ୍ୟ । କବିତ୍ଵ ଚାତୁରୀ, ଛନ୍ଦ ସଂଯୋଜନା, ଅଳଙ୍କାର, ଶବ୍ଦ ନିର୍ବାଚନ, ସୁଭାଷିତ ପଦାବଳୀ ଏକ ଐନ୍ଦ୍ରଜାଲିକ ବିଭୂତି ଆହରଣ କରିଛି ଏହି ଗ୍ରନ୍ଥ । ଏଥିରେ ଯେଉଁ ରୂପଲୋକ, ଭାବଲୋକ ସୃଷ୍ଟି ହୋଇପାରିଛି, ତାହା ସବୁ ବିଚାର ଓ ବିଶ୍ଳେଷଣର ଉର୍ଦ୍ଧ୍ବରେ ଏକ ଅପୂର୍ବ କାବ୍ୟ ସୁଷମାର ଗନ୍ତାଘର । ଏହାର ମୌଳିକତା ଅନନ୍ୟ।କାବ୍ୟମୟ କୋମଳତା ହିଁ ‘ଓଡ଼ିଆ ଭାଗବତ’। ପାଠକର ଭାବଲୋକରେ କେବଳ ଉପଲବ୍ଧି କରାଯାଇପାରେ ଭାଗବତକୁ – “ସମଗ୍ର ଭାଗବତ ଏହିପରି ବହୁ ଅନବଦ୍ୟ କବିତ୍ଵରେ ପୂର୍ଣ୍ଣ । ଭକ୍ତମାନଙ୍କର ଚନ୍ଦନଛିଟା ତଳେ, ପୁଣି ବଲୀକମାନଙ୍କର ଗର୍ଭରେ ‘ଭାଗବତ’ର ଅପୂର୍ବ କବିତ୍ଵ ଅଧୁନା ଲୁପ୍ତ ହୋଇଅଛି । ତାହାର ପୁନରୁଦ୍ଧାନ ହୋଇପାରିଲେ , ସାରସ୍ଵତ ଉପବନରେ ଏହା ପୁଣି ଏକ ଅମ୍ଳାନ କମଳ ପରି ପ୍ରସ୍ଫୁଟିତ ହୋଇ ରସା ମୋଦୀ ମାନଙ୍କୁ ନିନ୍ଦିତ କରିପାରିବ ।” (ସୁରେନ୍ଦ୍ର ମହାନ୍ତି )*
~ ଓଡି଼ଆ ଜାତୀୟଜୀବନର ମୁଖଶାଳା ~
ଓଡ଼ିଆ ଜାତିର ଛାତି ଗର୍ବରେ ଫୁଲି ଉଠିଛି, ସରଳ ଓଡ଼ିଆ ଭାଷାରେ ଲିଖିତ ଏପରି ଏକ ଗ୍ରନ୍ଥକୁ ହାତପାଆନ୍ତରେ ପାଇ । ଏହି ଗ୍ରନ୍ଥକୁ ପାଠକରି ପୁଣ୍ୟ ଓ ଜ୍ଞାନ ଅର୍ଜନ କରିବା ନିମନ୍ତେ ଓଡ଼ିଆ ଜାତି ସାକ୍ଷର ହେବାକୁ ଚେଷ୍ଟା କଲା । ସମୟ ଥିଲା ଯେତେବେଳେ ଓଡ଼ିଶାରେ ସାକ୍ଷରଙ୍କ ସଂଖ୍ୟା କମ୍ ଥିଲା। ମାତ୍ର ଭକ୍ତିର ନୈବେଦ୍ୟ ହିଁ ଥିଲା ସେମାନଙ୍କ ପକ୍ଷେ ଭାଗବତ ପଠନ । ଏଣୁ ଏଇ ଓଡ଼ିଆ ଭାଗବତ ଶ୍ରବଣ ଓ ପଠନରେ ମାତି ଉଠିଥିଲା ପଲ୍ଲୀସମାଜ !ବଢ଼ିଥିଲା ସାକ୍ଷର ସଂଖ୍ୟା ! ଏହି ଦୃଷ୍ଟିରୁ ଓଡ଼ିଆ ଭାଗବତ ହେଉଛି ଏକମାତ୍ର ଗ୍ରନ୍ଥ, ଯାହା ଓଡ଼ିଆଙ୍କୁ ଶିକ୍ଷିତ, ସଂସ୍କୃତିସମ୍ପନ୍ନ ଓ ଆଧ୍ୟାତ୍ମିକ ଚେତନା ପ୍ରଦାନ କରିବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ଭାଗବତ ଆବୃତ୍ତି ପାଇଁ ଓଡ଼ିଶାର ଜନସମାଜରେ ବ୍ୟଗ୍ରତା, ଓଡ଼ିଶାରେ ସାକ୍ଷରତା ଓ ଶିକ୍ଷାର ପ୍ରସାରରେ ଯେପରି ସହାୟକ ହୋଇଥିଲା ଭାଗବତ, ତାକୁ ଲକ୍ଷ୍ୟ କରି ଐତିହାସିକ ବି .ସି. ମଜୁମଦାର ତାଙ୍କର Typical selection from Odia Literature ପୁସ୍ତକରେ ଲେଖିଛନ୍ତି, “This is why the art of reading and writing is known and practised by the common people more extensively in Orissa than in Bengal. Long ago Bhudev Mukherjee, as Inspector of Schools thus observed this mass education and reported the matter in his Public Report.”
~ ଓଡ଼ିଆ ଚଳଣୀର ବିଶିଷ୍ଟ ଅଙ୍ଗ ~
ଜଗନ୍ନାଥ ଦାସ କୃତ ଭାଗବତ ସତେ ଯେମିତି ଆମର ଲୋକସାହିତ୍ୟ ! ଏହାର ବହୁ ପଦ, ସଦୁକ୍ତି ବା ସୁଭାଷିତ ରୂପେ ଓଡ଼ିଶାର ଜନମାନସରେ ଦୈନନ୍ଦିନ ଜୀବନରେ ଉଚ୍ଚାରିତ ହୋଇଥାଏ, ଯଥା-
ଆତ୍ମା କୌଶଳେ ସର୍ବସିଦ୍ଧି ।
ତରଇ ସଂସାର ଜଳଧି ।।
+ + +
ଧନ କାର୍ପଣ୍ୟ ସେବା ଫଳେ ।
କିବା ଅସାଧ୍ୟ ମହୀ ତଳେ ।।
+ + +
ଦଣ୍ଡିବା ଶକ୍ତି ଯାର ଥାଇ ।
ସେ ପୁଣି କ୍ଷମା ଆଚରଇ ।।
+ + +
ମହତେ ଯାହା ଆଚରିବେ ।
ଇତରେ ତାହାହିଁ କରିବେ ।।
+ + +
ଯେ ପ୍ରାଣୀ ପରେ ହିଂସା କରେ ।
ଦେବତା ପୂଜି ସେ ନ ତରେ ।।
+ + +
ଅମୃତ ବିନୟ ବଚନ ।
କହି ତୋଷିବ ପ୍ରାଣୀ ମନ ।।
+ + +
ଆହାରେ ଭଲ ମନ୍ଦ ନାହିଁ ।
ଯେ ସ୍ଥାନେ ଯେମନ୍ତ ମିଳଇ ।।
+ + +
ଦୁଃଖେ ସଞ୍ଚିତ ଯେତେ ଧନ ।
ସେ ନୁହେଁ ସୁଖେ ପ୍ରୟୋଜନ ।।
+ + +
ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ।
ଦେବତା ହୋଇଲେ ମରଇ ।।
+ + +
ଆପଣା ହସ୍ତେ ଜିହ୍ୱା ଛେଦି ।
କେ ତାର ଅଛି ପ୍ରତିବାଦୀ ।।
ଏହାହିଁ ଚିରନ୍ତନ ଓ ସାର୍ବଜନୀନ ପଦ । ଲୋକ ମୁଖରେ କଥାକଥାକେ ଉଚ୍ଚାରିତ । ଏହାହିଁ ବୈଶିଷ୍ଟ୍ୟ ଜଗନ୍ନାଥ ଦାସ କୃତ ଭାଗବତର । ଏହାହିଁ ସାମ୍ୟଭାବନା, ମୈତ୍ରୀ ବୋଧ ଓ ଆଧ୍ୟାତ୍ମିକ ଚିନ୍ତନର ଅପୂର୍ବ ସମନ୍ବୟ !
ସେଇଥିପାଇଁ ଏହାର ଲୋକପ୍ରିୟତା ସମ୍ପର୍କରେ ‘ପ୍ରାଚୀନ ଉତ୍କଳ’ର ଗ୍ରନ୍ଥାକାର ଜଗବନ୍ଧୁ ସିଂ କହନ୍ତି — “++ ଚାହାଳୀରେ ପିଲାମାନଙ୍କର ଭାଗବତ ପ୍ରଧାନ ପାଠ୍ୟପୁସ୍ତକ ଥିଲା । ଯେଉଁ ପିଲା ଅଧ୍ୟାୟେ ଭାଗବତ ବୋଲି ପାରିଲା, ତାର ବିଦ୍ୟା ଶେଷ ହେଉଥିଲା । ଲୋକର ଆସନ୍ନ ମୃତ୍ୟୁ ବେଳେ, କାହାର ପୁତ୍ର ପୌତ୍ରାଦୀ ଆତ୍ମୀୟ ସ୍ଵଜନ ତା’ କାନରେ ଅଧ୍ୟାୟେ ଭାଗବତ ଶୁଣାଉଥିଲେ । ଗ୍ରାମରେ ବିସୂଚିକା, ମାରି ଭୟ ପ୍ରଭୃତି ଉପଦ୍ରବ ହେଲେ, ଭାଗବତ ପାଠ, ହରିହାଟ, ସପ୍ତାଙ୍ଗ ଭାଗବତ ପ୍ରଭୃତି ହେଉଥିଲା । ଭାଗବତ ପାଠ ହେଲେ ଗ୍ରାମରୁ କାଳଭୟ ଦୂର ହେଉଥିଲା ବୋଲି ଲୋକଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା । ଅନେକ ଲୋକଙ୍କର ସକାଳେ ସ୍ନାନ ପରି ସନ୍ଧ୍ୟା ବେଳେ ଭାଗବତ ପାଠ କରିବା ନିତ୍ୟନୈମିତିକ କାର୍ଯ୍ୟ ଥିଲା ।” (ଜଗବନ୍ଧୁ ସିଂହ)
~ ଇତିହାସରୁ କିଞ୍ଚିତ ~
ଭାଗବତ ପଦାବଳୀ ଆବୃତ୍ତି କରି ଓଡ଼ିଆ ଜାତିର ପ୍ରାଣସତ୍ତା ତୃପ୍ତ ହୋଇଉଠେ । ଭାଗବତ (ସଂସ୍କୃତ) ଐକାନ୍ତିକ ଶୁଦ୍ଧାଭକ୍ତି ଧର୍ମର ଶାସ୍ତ୍ର ହୋଇଥିଲେ ହେଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ଶୁଦ୍ଧ ଭକ୍ତିଭାବ ପରିବର୍ତ୍ତେ ଜ୍ଞାନମିଶ୍ରା ଭକ୍ତିଧର୍ମ ଓ ଶୂନ୍ୟ ସାଧନା ପ୍ରବର୍ତ୍ତିତ ହୋଇଅଛି । ଏହା ମୂଳ ଭାଗବତ ସମର୍ଥିତ ନୁହେଁ । ଏହା ନବାକ୍ଷରୀ ଛନ୍ଦ ବା ଗୁଜ୍ଜରୀ ଛନ୍ଦରେ ଲିଖିତ ।
ଏହି ଓଡ଼ିଆ ଭାଗବତ ତ୍ରୟୋଦଶ ସ୍କନ୍ଧ ବିଶିଷ୍ଟ । ମାତ୍ର ଐତିହାସିକ ଉପାଦାନକୁ ଭିତ୍ତି କରି ଜଣାଯାଏ ଯେ, ଜଗନ୍ନାଥ ଦାସ କେବଳ ଏକାଦଶ ସ୍କନ୍ଧ ପର୍ଯ୍ୟନ୍ତ ୩୨୯ ଟି ଅଧ୍ୟାୟ ରଚନା କରିଥିଲେ । ପରବର୍ତ୍ତୀ ସମୟରେ ସେଥିରେ ଆଉ ଦୁଇ ଗୋଟି ସ୍କନ୍ଧ (ଦ୍ଵାଦଶ ଓ ତ୍ରୟୋଦଶ) ମହାଦେବ ଦାସ ଯୋଗ କରିଥିଲେ —
“ଜଗନ୍ନାଥ ଦାସଙ୍କ ଗୀତ ।
ନାମ ତା ଶିରୀ ଭାଗବତ ।।
ତିନିଶତ ଊନତିରିଶ ।
ଏକାଦଶ ଯାଏ ପ୍ରକାଶ ।।
+ + +
ଜଗତ ଉଦ୍ଧାର ନିମନ୍ତେ ।
ରଚିଲେ ଶିରୀ ଭାଗବତେ ।।
ତେଣୁ ତାଙ୍କର ଚରଣେ ମନ ।
ସୁଜନେ ଦୋଷ ମୋ ନ ଘେନ ।।
ଆଶ୍ରା ମୋ ସାଧୁଙ୍କ ଚରଣ ।
ଶରଣ ମହାଦେବ ହୀନ ।।”
ଅଲୌକିକ ସାଧନା ବା ସିଦ୍ଧିସମ୍ପନ୍ନ ଅତିବଡ଼ି ରୂପେ ନୁହେଁ, ନୈସର୍ଗିକ କବିତ୍ଵର ଅଧିକାରୀ, ଓଡ଼ିଆ ଜନଜୀବନର ଅଗ୍ରପୂଜ୍ୟ ହିଁ ଜଗନ୍ନାଥ ଦାସ । ଓଡ଼ିଶାର ବେଦ ହିଁ ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ।
ଓଡ଼ିଶାର ଆଧ୍ୟାତ୍ମିକ ଜାଗରଣ, ସାଂସ୍କୃତିକ ବିକାଶ, ପାରସ୍ପରିକ ସଦ୍ଭାବ ପ୍ରତିଷ୍ଠା, ଶୃଙ୍ଖଳିତ ସମାଜ ଗଠନ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଗ୍ରାମ୍ୟ ଏକତା, ଭେଦାଭେଦ ନିରୋଧ, ଚାରିତ୍ରିକ ଶିକ୍ଷା, ପାରିବାରିକ ଏକତ୍ଵ ଏବଂ ସର୍ବୋପରି ଓଡି଼ଆଙ୍କ ଅଭ୍ୟୁଦୟ ହିଁ ଜଗନ୍ନାଥ ଦାସ କୃତ ଭାଗବତ ! ଏବଂ ସେଇଥିପାଇଁ –
“ସକଳ ଶାସ୍ତ୍ର ଭାଗବତ ।
ଅଭ୍ୟାସ କରୁଥିବ ନିତ୍ୟ ।।”
ଆଧାର:
ଜଗନ୍ନାଥ ଦାସଙ୍କ ଭାଗବତ
ଓଡ଼ିଆ ସାହିତ୍ୟର ମଧ୍ୟପର୍ବ (ସୁରେନ୍ଦ୍ର ମହାନ୍ତି)
ଓଡ଼ିଆ ସାହିତ୍ୟର ଇତିହାସ (ବାଉରୀବନ୍ଧୁ କର)
ଓଡ଼ିଆ ସାହିତ୍ୟର ଇତିହାସ (ସୁରେନ୍ଦ୍ର ମହାରଣା)