ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ
~ ଉତ୍କଳ ହିତୈଷିଣୀ ~
୧୮୬୮ ମସିହାରେ କଟକ ହିତୈଷିଣୀ ପ୍ରେସରୁ କାଳୀପଦ ବାନାର୍ଜୀଙ୍କ ସମ୍ପାଦନାରେ #ଉତ୍କଳ_ହିତୈଷିଣୀ ପତ୍ରିକା ପ୍ରକାଶିତ ହୋଇ ଓଡ଼ିଆ ପତ୍ରପତ୍ରିକା ଜଗତରେ ନୂତନ ଆଲୋକ ବର୍ତ୍ତିକା ସାଜିଥିଲା। ତେବେ ଉକ୍ତ ବର୍ଷଟି ଓଡ଼ିଆ ପତ୍ରପତ୍ରିକା ପାଇଁ ଥିଲା ଉଲ୍ଲେଖନୀୟ । ବାଲେଶ୍ଵରରୁ #ସାହିତ୍ୟପିତା #ବ୍ୟାସକବି #ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ହେଲା #ବୋଧଦାୟିନୀ ଏବଂ #ବାଲେଶ୍ଵର_ସମ୍ବାଦବାହିକା । ‘ଉତ୍କଳ ହିତୈଷିଣୀ’ ସହ ‘ବାଲେଶ୍ଵର ସମ୍ବାଦବାହିକା‘ ସମତାଳରେ ଓଡ଼ିଶାର ଜନଜୀବନରେ ସ୍ଵାଧୀନତାର ଆହ୍ବାନବାହିକା ହେଲା ।
ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ପ୍ରକାଶିତ ଓଡ଼ିଆ ପତ୍ରପତ୍ରିକା ଗୁଡ଼ିକର ଶୈଳୀ ଓ ପ୍ରକାଶଭଙ୍ଗୀ ଥିଲା ସ୍ବତନ୍ତ୍ର ! ଏହା ସେ ସମୟରେ ଭାରତର ଅନ୍ୟାନ୍ୟ ସମ୍ବାଦପତ୍ର ତଥା ବିଦେଶରୁ ପ୍ରକାଶିତ ସମ୍ପାଦପତ୍ରଗୁଡ଼ିକରେ ପ୍ରକାଶିତ ସମ୍ବାଦର ମାନରୁ କୌଣସି ଗୁଣରେ ଉଣା ନଥିଲା ।
କଟକରୁ ପ୍ରକାଶିତ ଗୌରୀଶଙ୍କରଙ୍କ ସମ୍ପାଦିତ #ଉତ୍କଳ_ଦୀପିକା ଏବଂ ‘ବାଲେଶ୍ବର ସମ୍ବାଦବାହିକା’ ସମ୍ବାଦପତ୍ର ଦୁଇଟି ତତ୍କାଳୀନ ସମଗ୍ର ଓଡ଼ିଶାରେ ଜନମତକୁ ସୁନିୟନ୍ତ୍ରତ କରୁଥିଲା । ଏପରିକି ପାଶ୍ଚାତ୍ୟ ମନୀଷୀ ରେଭେନ୍ସା, ଜନ୍ ବୀମସ୍ ତଥା ଅନ୍ୟମାନଙ୍କର ମଧ୍ୟ ଏହି ପତ୍ରିକାଗୁଡ଼ିକ ପ୍ରତି ଥିଲା ଗଭୀର ଆସ୍ଥା ।
~ ସଂସ୍କାରକ ଓ ଉତ୍କଳପୁତ୍ର ~
୧୮୭୩ ମସିହାଟି ମଧ୍ୟ ଓଡ଼ିଆ ପତ୍ରପତ୍ରିକା ଜଗତ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ ଥିଲା । କଟକ ମାଟିରୁ ବିଶେଷ ଚହଳ ସୃଷ୍ଟି କିମ୍ବା ପାଠକଙ୍କ ମଧ୍ୟରେ ପ୍ରଭାବ ବିସ୍ତାର କରି ପାରି ନ ଥିବା #ବିଦେଶୀ ପତ୍ରିକା ସହିତ ଚତୁର୍ଭୁଜ ପଟ୍ଟନାୟକଙ୍କ ସମ୍ପାଦନାରେ #ସଂସ୍କାରକପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସମ୍ପାଦନାରେ #ଉତ୍କଳପୁତ୍ର (ଅପ୍ରେଲ ୧୬ ତାରିଖ) ପରି ତିନୋଟି ପତ୍ରିକା ଆତ୍ମପ୍ରକାଶ କରିଥିଲେ । ଉଭୟ ‘ସଂସ୍କାରକ’ ଏବଂ ‘ଉତ୍କଳପୁତ୍ର’ ପ୍ରକାଶିତ ହୋଇ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ସମାଜ ସଂସ୍କାର ଓ ସାମାଜିକ ପରବର୍ତ୍ତନର ବାର୍ତ୍ତା ଦେଉଥିଲେ ।
ଏତଦବ୍ୟତୀତ ଏଇ ବର୍ଷ ଅନ୍ୟ ଏକ ଉଲ୍ଲେଖନୀୟ କୀର୍ତ୍ତିମାନ ଘଟଣାର ଅବତାରଣା ହୋଇଥିଲା #ବାଲେଶ୍ଵର ମାଟିରେ ।
କରାଳ ନଅଙ୍କ ଦୁର୍ଭିକ୍ଷ (୧୮୬୬) ତଥା ଭାଷାସୁରକ୍ଷା ଆନ୍ଦୋଳନ ଓଡ଼ିଶାର ଆଧୁନିକ ରୁଚିସମ୍ପନ ଓ ପାଶ୍ଚାତ୍ୟଶିକ୍ଷାପ୍ରାପ୍ତ ଯୁବମାନସ ମଧ୍ୟରେ ଏକ ସଚେତନତା ଓ ଜାତୀୟ ଜାଗରଣ ସୃଷ୍ଟି କରିଥିଲା ଏବଂ ଏହି ଜିଜ୍ଞାସୁ ଯୁବମାନସ ସ୍ଵୀୟ ମାତୃଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରକୃତ ଅବସ୍ଥା ଉପଲବ୍ଧି କରି ଏହାର ଉନ୍ନତି ଓ ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇଥିଲା । ପ୍ରେସ୍-ପ୍ରତିଷ୍ଠା, ପାଠ୍ୟପୁସ୍ତକ ରଚନା, ଭାଷାସୂତ୍ରରେ ଓଡ଼ିଶା ପ୍ରଦେଶର ଏକତ୍ରୀକରଣ ଓ ବିବିଧ ପତ୍ରପତ୍ରିକାର ପ୍ରକାଶନ ସହିତ ଜନମତକୁ ସଂଗଠିତ କରି ଓଡ଼ିଆ ଭାଷା ତଥା ସାହିତ୍ୟର ଉନ୍ନତିକରିବାର ଯେଉଁ ଧାରାଟି ସୃଷ୍ଟି କରିଥିଲେ #ଉତ୍କଳପ୍ରାଣ #କର୍ମବୀର_ଗୌରୀଶଙ୍କର, ସେଥିରେ ଅଭିପ୍ରେରିତ ହୋଇଥିଲେ ଆହୁରି କେତେ କେତେ ଯୁବକ ! ସେପରି ଜଣେ ଥିଲେ ୨୧ ବର୍ଷୀୟ ବାଲେଶ୍ଵରର ରାଜା #ବୈକୁଣ୍ଠନାଥ_ଦେବ !
~ ଉତ୍କଳ ଦର୍ପଣ ~
#କବିବର_ରାଧାନାଥ_ରାୟ ତଥା ଭକ୍ତକବି ମଧୁସୂଦନଙ୍କ ସହଯୋଗ ଏବଂ ରାଜାଙ୍କ ପୃଷ୍ଠପୋଷକତାରେ ଆତ୍ମପ୍ରକାଶ କଲା #ଓଡ଼ିଶାର_ପ୍ରଥମ_ସାହିତ୍ୟପତ୍ରିକା #ଉତ୍କଳ_ଦର୍ପଣ ! ଉଭୟ କବିବର ଓ ଭକ୍ତକବିଙ୍କ ସାହିତ୍ୟିକ ଜୀବନ ବସ୍ତୁତଃ ଏଇ ପତ୍ରିକାରୁ ହିଁ ଆରମ୍ଭ ହୋଇଥିଲା । ଓଡ଼ିଆ ସାହିତ୍ୟରେ ନବଚେତନାର ବାହକ ଭାବେ ବହୁ ପାଠକ ଓ ଲେଖକ ସୃଷ୍ଟି କରିଥିଲା ଏବଂ ପ୍ରଚୁର ପାଠକୀୟ ଆଦୃତି ଓ ସ୍ବୀକୃତି ଲାଭ କରିପାରିଥିଲା ଉତ୍କଳ ଦର୍ପଣ ! ତେବେ ପରବର୍ତ୍ତୀ ସମୟରେ ସାହିତ୍ୟକୁ ଗୌଣ କରି ଶିକ୍ଷା, ଜ୍ଞାନବିଜ୍ଞାନ, ଦର୍ଶନ, ସଙ୍ଗୀତ, ମନସ୍ତତ୍ତ୍ୱ, ରାଜନୀତି ଇତ୍ୟାଦି ବିଷୟରେ ଲେଖାମାନ ପ୍ରକାଶ କରିବା କାରଣରୁ କିଛି ଐତିହାସିକ ଓ ଗବେଷକଗଣ ଏହାକୁ ସମ୍ପୂର୍ଣ୍ଣ ରୂପେ ସାହିତ୍ୟ ପତ୍ରିକା ଭାବେ ବିବେଚନା କରନ୍ତି ନାହିଁ । ବୋଧହୁଏ ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହେବା କାରଣରୁ ତତ୍କାଳୀନ ଗୁଣୀ ପାଠକଙ୍କ ଆଦୃତି ଲଭି ଓଡ଼ିଶାରେ ଚହଳ ସୃଷ୍ଟି କରିପାରିଥିବା ସତ୍ତ୍ୱେ ଦେଢ଼ବର୍ଷ ନ ପୁରୁଣୁ ବନ୍ଦ ହୋଇଗଲା ଏଇ ପତ୍ରିକା !
~ ସ୍ବଦେଶୀ ~
ଉତ୍କଳପ୍ରାଣ ଗୌରୀଶଙ୍କରଙ୍କ ଧାରାର ପ୍ରଭାବ ମଧ୍ୟ ଗୁଞ୍ଜରି ଉଠୁଥୁଲା #ବ୍ରହ୍ମପୁର ମାଟିରେ ! ୧୮୭୬ ମସିହାରେ ଉଇଲିୟମ୍ ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ #ସ୍ବଦେଶୀ ସାପ୍ତାହିକ ପତ୍ରିକା ! ଅଳ୍ପଦିନ ପାଇଁ ହେଲେ ମଧ୍ୟ ଗଞ୍ଜାମ ତଥା ଆଖପାଖ ଅଞ୍ଚଳରେ ପ୍ରଭାବ ବିସ୍ତାରି ପାରିଥିଲା ଏଇ ପତ୍ରିକା !
~ ଉତ୍କଳ ମଧୁପ ~
୧୮୭୮ ମସିହା ଏପ୍ରିଲ ମାସରେ କଟକର କତିପୟ ଉତ୍ସାହୀ ଯୁବକଙ୍କ ଉଦ୍ୟମରେ ‘ଉତ୍କଳ ସଭା’ ସାଂସ୍କୃତିକ ଅନୁଷ୍ଠାନ ତରଫରୁ #କୃଷ୍ଣମୋହନ ପଟ୍ଟନାୟକଙ୍କ ସମ୍ପାଦନାରେ #ଉତ୍କଳ_ପ୍ରିଣ୍ଟିଂ_କମ୍ପାନୀ ଦ୍ଵାରା ଆତ୍ମପ୍ରକାଶ କଲା ଓଡ଼ିଆ ଭାଷାର ପ୍ରଥମ ସମ୍ପୂର୍ଣ୍ଣ ସାହିତ୍ୟପତ୍ରିକା #ଉତ୍କଳ_ମଧୁପ
ଯେଉଁ ସମୟରେ ଉପନ୍ୟାସର ନାମ ସୁଦ୍ଧା ଓଡ଼ିଶାରେ ଶୁଣା ନ ଥିଲା, ସେତେବେଳେ, ‘ଉତ୍କଳ ମଧୁପ’ ପତ୍ରିକା ପାଠକଙ୍କୁ ସମର୍ପି ଦେଇଥିଲା ଓଡ଼ିଆ ଭାଷାରେ ରଚିତ ପ୍ରଥମ ଉପନ୍ୟାସ (ଅବଶ୍ୟ ଅସମ୍ପୂର୍ଣ୍ଣ), #ରାମଶଙ୍କର_ରାୟ ଙ୍କ #ସୈାଦାମିନୀ କୁ ଧାରାବାହିକ ଭାବରେ । କିଛି ଗବେଷକ ଏ ବାବଦରେ ଭିନ୍ନମତ ପୋଷଣ କରୁଥିଲେ ମଧ୍ୟ ବହି ଆକାରରେ ପ୍ରକାଶ ନ ପାଇ ପତ୍ରିକାର ବୃହତ୍ତର ପାଠକଙ୍କ ଶ୍ରଦ୍ଧାଭାଜନ ହୋଇଥିବା କାରଣରୁ ‘ସୈାଦାମିନୀ’କୁ ହିଁ ପ୍ରଥମ ଉପନ୍ୟାସର ମାନ୍ୟତା* ଦିଅନ୍ତି ଅଧିକାଂଶ ନିରପେକ୍ଷ ଗବେଷକ ।
ଏହି ପତ୍ରିକାଟି #ଭକ୍ତକବି_ମଧୁସୂଦନ_ରାଓ, କବିବର ରାଧାନାଥଙ୍କ ପରି ପ୍ରଚଣ୍ଡ କବିଙ୍କର ସୃଷ୍ଟିସମୂହର ପ୍ରକାଶ ସହିତ ବହୁ ସମାଲୋଚନା ଉପସ୍ଥାପନା କରି ଓଡ଼ିଆ ସାହିତ୍ୟକୁ ନୂତନ ଆଶାର ଆବହନୀ ଶୁଣାଇଥିଲା ।
ପାଠକମାନଙ୍କ ପାଇଁ ଜ୍ଞାନର ପେଡ଼ି ମେଲି ଦେଇଥିବାରୁ ଏଇ ପତ୍ରିକା ପ୍ରତି କବିବର ଥିଲେ ଅତ୍ୟନ୍ତ ପ୍ରଶଂସମୁଖର । ‘ଉତ୍କଳ ମଧୁପ’ ନିମନ୍ତେ ସେ ଲେଖିଥିଲେ ପଦିଏ:
“ଜ୍ଞାନର ପେଡା ସଭିଙ୍କି ଲୋଡ଼ା,
ସଭିଏଁ ଖାଇବେ ଥୋଡା ଥୋଡା ।”
ଓଡ଼ିଆ ସାହିତ୍ୟର ସମସ୍ତ ବିଭାଗରେ ନୂତନତ୍ବର ଝଲକ ପ୍ରଦାନ କରିବା ସତ୍ତ୍ୱେ, ଭଞ୍ଜସାହିତ୍ୟ ପ୍ରତି ନକରାତ୍ମକ ସମାଲୋଚନା, ପ୍ରାଚୀନ ସାହିତ୍ୟ ପ୍ରତି ବିମୁଖତା ତଥା ସେ ବାବଦରେ କର୍ମବୀରଙ୍କ ଉତ୍କଳ ଦୀପିକାର ତୀବ୍ର ବିରୋଧର ସାମନା କରି ଦୀର୍ଘକାଳ ତିଷ୍ଠି ପାରି ନ ଥିଲା ‘ଉତ୍କଳ ମଧୁପ’ !
ଏ ପତ୍ରିକାଟି ପ୍ରାୟ ୧୪୦ ବର୍ଷ ହେବ ବନ୍ଦ ହେଲାଣି, ତେବେ ଏଇ ଉତ୍କଳ ମଧୁପର ମଧୁ ଯେ ଥରେ ପାନ କରିଛି, ସେ କଦାପି ଭୁଲିପାରିବନି ଏହାର ନୂତନ ରୁଚିବୋଧକୁ, ଏହାର ସାବଲୀଳ ଭାଷାକୁ, ଏହାର ଅବଦାନକୁ, ଏହାର ସ୍ୱାଦକୁ । ଉନବିଂଶ ଶତାବ୍ଦୀର ଅନ୍ୟତମ ସାହିତ୍ୟ ପତ୍ରିକାର କୀର୍ତ୍ତି ଏବେ ସୁଦ୍ଧା ସଞ୍ଜୀବିତ ।
~ ମୟୂରଭଞ୍ଜ ~
କଟକରେ ଭାଷାପ୍ରେମକୁ ନେଇ ଯେଉଁ ନବଉନ୍ମାଦନା ସୃଷ୍ଟି କରିଥିଲେ କର୍ମବୀର, ସେ ପ୍ରେମର ଉନ୍ମେଷ ଅନୁଭୂତ ହେଇଥିଲା କଳାଭୂମି ମୟୁରଭଞ୍ଜରେ ! ମୟୁରଭଞ୍ଜ ମାଟିରୁ ୧୮୭୮ ମସିହାରେ ଆତ୍ମପ୍ରକାଶ କଲା ସାପ୍ତାହିକ ପତ୍ରିକା #ମୟୁରଭଞ୍ଜ । ଏଥୁରେ ମୁଖ୍ୟତଃ ମୟୂରଭଞ୍ଜ ଅଞ୍ଚଳର ଖବର ପ୍ରକାଶିତ ହେଉଥିଲା। ମୟୂରଭଞ୍ଜ ସମେତ ବିଶାଳ ଅଞ୍ଚଳରେ ଅଦ୍ଭୁତପୂର୍ବ ପାଠକୀୟ ଆଦୃତି ଲାଭ କରିବା କାରଣରୁ ତିନିବର୍ଷର ପ୍ରକାଶନ ପରେ ମାସିକ ପତ୍ରିକାରେ ରୂପାନ୍ତରିତ ହେଲା ଏଇ ପତ୍ରିକା, ପତ୍ରିକାର ନବକଳେବର ସହିତ ନୂତନ ନାମ ରହିଲା #ଭଞ୍ଜପ୍ରଦୀପ
କଟକ ମାଟିରେ ଅଙ୍କୁରୋଦ୍ଗମ ହୋଇଥିବା ପତ୍ରିକା ପ୍ରକାଶନର ମହାଦ୍ରୂମ ହେଉଥିଲା ପଲ୍ଲବିତ । ଏହି ମହାନ ଐତିହାସିକ ଓ ସାଂସ୍କୃତିକ ପୀଠ ଓଡ଼ିଶାର ପ୍ରକାଶନ କ୍ଷେତ୍ରକୁ ନିୟନ୍ତ୍ରଣ, ପ୍ରସାରଣ ଓ ସମୃଦ୍ଧ କରିଚାଲିଥିଲା ! ପ୍ରତ୍ୟକ୍ଷ ଅବା ପରୋକ୍ଷରେ ହେଉ ଓଡ଼ିଶା ଭୂଖଣ୍ଡର ବିଭିନ୍ନ ଅଞ୍ଚଳରେ ବହୁ ଓଡ଼ିଆ ପତ୍ରପତ୍ରିକା ପ୍ରକାଶନ ନିମନ୍ତେ ପଥ ପ୍ରଦର୍ଶନ କରୁଥିଲା ଏଇ କଟକ !
କର୍ମବୀରଙ୍କ ପଥରେ ପାଦ ଥାପିବାକୁ ପ୍ରସ୍ତୁତ ହେଉଥିଲେ ଆଉ କେତେ କରିତକର୍ମା ! କଟକ ସମେତ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ପତ୍ରିକା ପ୍ରକାଶନର ଧାରାରେ ଯୋଡ଼ି ହେଇଥିଲେ ଅସଂଖ୍ୟ ପତ୍ରପତ୍ରିକା  !
*ସୈାଦାମିନୀ ପ୍ରକାଶ ହେବାର ଦୀର୍ଘ ବର୍ଷ ପରେ ୧୮୮୯ ମସିହାରେ #ଉମେଶଚନ୍ଦ୍ର_ସରକାର ଙ୍କ ରଚିତ ଉପନ୍ୟାସ #ପଦ୍ମମାଳୀ ପୂର୍ଣ୍ଣ ରୂପେ ପ୍ରକାଶିତ ହୋଇଥିଲା ! ସ୍ବୟଂ କର୍ମଵୀର ଉତ୍କଳ ଦୀପିକାରେ ଏହାକୁ ଓଡ଼ିଆ ଭାଷାର ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ ଭାବେ ଅଭିହିତ କରିଥିଲେ । ବଙ୍ଗଳା ମିଶା ଓଡ଼ିଆରେ ରଚିତ ହୋଇଥିବା କାରଣରୁ ବିଶେଷ ପାଠକୀୟ ଆଦୃତି ଲାଭ କରି ନ ଥିଲେ ମଧ୍ୟ ଏଇ ପ୍ରଥମ ଉପନ୍ୟାସ ଓଡ଼ିଆ ଭାଷା ସାହିତ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା ।
© ଅନ୍ତରଙ୍ଗ କଳିଙ୍ଗ
ଆଧାର: ଗବେଷକ ଡ. ଶୈଳେଶ୍ୱର ନନ୍ଦ; ‘ଓଡ଼ିଆ ସାହିତ୍ୟର ଇତିହାସ’, ପ୍ରଫେସର ବାଉରୀବନ୍ଧୁ କର, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ; ପୁରାତନ ‘ସମାଜ’ ଓ ବିଭିନ୍ନ ପତ୍ରପତ୍ରିକା

Leave a Comment

Your email address will not be published. Required fields are marked *

Scroll to Top