ଉତ୍ତରେଶ୍ୱର ମହାଦେବ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ
~ ଉତ୍ତରେଶ୍ୱର ମହାଦେବ ମନ୍ଦିର ~
ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ ନଗରୀ #ଚୌଦ୍ଵାର !
ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମକୁ ଯେ ଋଦ୍ଧିମନ୍ତ କରିଥିଲା; ତାହାର ଅସଂଖ୍ୟ ପ୍ରମାଣ ଏବେ ଦୃଶ୍ୟମାନ ସତ ! କିନ୍ତୁ କାଳର ପ୍ରଭାବରେ ଲୁପ୍ତ, ମୃତ ! ଶ୍ମଶାନିତ ! ଐତିହ୍ୟପ୍ରେମୀ ଓଡ଼ିଆଟିଏ ସେସବୁ ଇତିହାସ-ବିଜଡ଼ିତ ପୀଠର ଦର୍ଶନାନ୍ତେ ଅଶ୍ରୁବବିସର୍ଜନ କରିପାରେ କେବଳ !
ତେବେ ସେଇ ଗୌରବର ଆକର୍ଷଣରୁ ଆମେ ମୁକୁଳାଇ ପାରି ନ ଥିଲୁ ନିଜକୁ ! ସେଥିପାଇଁ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାର ପରବର୍ତ୍ତୀ ପର୍ବ ଭାବେ ଆମେ ବାଛିନେଇଥିଲୁ ସେମିତି ଏକ ଐତିହ୍ୟ ପୀଠ #ଉତ୍ତରେଶ୍ୱର_ମନ୍ଦିରକୁ ।
ଏକାଦଶ ଶତାବ୍ଦୀରେ କଟକ ଓ ଚୌଦ୍ୱାରରେ ଶାସନ କରୁଥିବା #ସୋମବଂଶୀ ଶାସକ ବା #କେଶରୀ ରାଜାମାନଙ୍କ ଦ୍ୱାରା ନିର୍ମିତ ଏହି ପୂର୍ବମୁଖ ଉତ୍ତରେଶ୍ୱର ମହାଦେବ ମନ୍ଦିର ମାଙ୍କଡ଼ା ପଥରରେ ନିର୍ମିତ l ଏହି ମନ୍ଦିରକୁ ସୋମବଂଶୀ ଶାସକ #ଉଦ୍ୟୋତ_କେଶରୀ ନିର୍ମାଣ କରିଥିବା ଜଣାଯାଏ l
ମନ୍ଦିରର ବିମାନକୁ ଲାଗି ଜଗମୋହନ ଓ ଜଗମୋହନକୁ ଲାଗି ପ୍ରବେଶଦ୍ୱାର ରହିଛି l ବିମାନ, ଜଗମୋହନ ଓ ପ୍ରବେଶଦ୍ୱାର ପରସ୍ପର ସହ ଲଗା ଲଗି ହୋଇ ରହିଛି l ମନ୍ଦିର ପ୍ରବେଶପଥ ସମ୍ମୁଖରେ ଏକ ବିରାଟ ନନ୍ଦୀମୂର୍ତ୍ତି ବା ବୃଷଭମୂର୍ତ୍ତି ରହିଛି, ଯାହାକି ନିଆଳି ନିକଟ #ଶୋଭନେଶ୍ୱର_ମନ୍ଦିର ପରିସରରେ ସ୍ଥାପିତ ହୋଇ ଥିବା ଵୃଷଭମୂର୍ତ୍ତି ପରି ବୃହତ ତଥା ଏକ ଆଧୁନିକ ନିର୍ମାଣ l
ଉତ୍ତରେଶ୍ୱର ମହାଦେବ ମନ୍ଦିର ପ୍ରବେଶପଥର ବାମପାର୍ଶ୍ୱରେ ଏକ କ୍ଷୁଦ୍ର ଜଳାଶୟ ରହିଛି, ଯାହାର ଚତୁଃପାର୍ଶ୍ଵ ମାଙ୍କଡ଼ା ପଥରର ପରିବେଷ୍ଠନୀରେ ଆବଦ୍ଧ ଅଟେ l ପାର୍ଶ୍ୱ ଦେବଦେବୀ ଭାବେ ଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବାବେଳେ ଗର୍ଭଗୃହରେ କଳାମୁଗୁନି ପଥରରେ ନିର୍ମିତ ଶିବଲିଙ୍ଗ ଏକ ବୃତ୍ତାକାର ଯୋନି ପୀଠରେ ପ୍ରତିଷ୍ଠିତ l ମନ୍ଦିର ଚତୁଃପାର୍ଶ୍ୱ ମଧ୍ୟ ମାଙ୍କଡ଼ା ପଥରର ପ୍ରାଚେରୀ ଦ୍ୱାରା ଆବଦ୍ଧ l
କିମ୍ବଦନ୍ତୀ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ମନ୍ଦିରର ନିର୍ମାଣ ସମୟ ମହାଭାରତ ଯୁଗୀୟ ! l କୁହାଯାଏ ଏହି ଅଞ୍ଚଳଟି #ବିରାଟ ରାଜାଙ୍କ ରାଜଧାନୀ ଥିଲା ଏବଂ ସେ ତାଙ୍କ ରାଜଧାନୀର ଚତୁଃପାର୍ଶ୍ୱରେ ଆଠଗୋଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଏବଂ ସେହି ଆଠଗୋଟି ଶିବଲିଙ୍ଗ ମଧ୍ୟରୁ ଏହି ଉତ୍ତରେଶ୍ଵର ମହାଦେବ ହେଉଛନ୍ତି ଅନ୍ୟତମ ଯାହାକି ତାଙ୍କ ଝିଅ ଉତ୍ତରାଙ୍କ ନାମାନୁସାରେ ନାମିତ ହୋଇଛି l
ଏହି ମନ୍ଦିରଠାରୁ ଅନତି ଦୂରରେ, ବର୍ତ୍ତମାନର ଚୌଦ୍ୱାର ଜେଲ ପରିସରକୁ ଲାଗିକରି ଏକ ରାଜବାଟୀ ବା ଦୁର୍ଗର ଭଗ୍ନାବଶେଷ ରହିଛି; ଯାହାକି #ବିରାଟଗାଦି ନାମରେ ଜନମୁଖରେ ପରିଚିତ l ଏହି ଐତିହାସିକ ଅଞ୍ଚଳଟି ଭାରତୀୟ ପତ୍ନତତ୍ତ୍ୱ ବିଭାଗ ବା Archeological Survey Of India (ASI) ଦ୍ୱାରା ସରକ୍ଷିତ l କୁହାଯାଏ ସେହି ସମୟରେ ପାଣ୍ଡବମାନେ କିଛି ଦିନ ପାଇଁ ବିରାଟ ରାଜାଙ୍କ ମହଲରେ ଅଜ୍ଞାତବାସ କାଳୀନ ଅବସ୍ଥାନ କରିଥିଲେ ଯାହାକି ମହାଭାରତରେ ବର୍ଣ୍ଣିତ ଓ ଲୋକମୁଖରେ ଆଲୋଚିତ l
ଚୌଦ୍ୱାର ଅଞ୍ଚଳର #ଅଷ୍ଟଶମ୍ଭୁଙ୍କ ମଧ୍ୟରେ ସର୍ବ ପୁରାତନ ମନ୍ଦିର ହେଉଛି #କେଦାରେଶ୍ୱର ବା #ବୁଢ଼ାଲିଙ୍ଗ ଯାହାକି କଳାପାହାଡ଼ ଦ୍ୱାରା ଧ୍ୱସ୍ତ ଓ ବିଧ୍ୱସ୍ତ ମାତ୍ର ଭଗ୍ନାବଶେଷ ଏବେ ବି ରହିଛି ଏବଂ ଦ୍ଵିତୀୟ ସର୍ବପୁରାତନ ମନ୍ଦିର ହେଉଛି ଏହି ଉତ୍ତରେଶ୍ଵର ମହାଦେବ ମନ୍ଦିର l ଏହି ମନ୍ଦିରରେ ସୁକ୍ଷ୍ମ କାରୁକାର୍ଯ୍ୟ ଦୃଷ୍ଟିଗୋଚର ନ ହେଲେ ବି ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତିରେ ନିଖୁଣତା ସ୍ପଷ୍ଟ ବାରି ହୋଇପଡ଼େ l
ଉତ୍ତରେଶ୍ୱର ମହାଦେବ ମନ୍ଦିର ପରିସରରେ ଅନେକ ଗୁଡ଼ିଏ ପ୍ରାଚୀନ ଭଗ୍ନମୂର୍ତ୍ତି ବିକ୍ଷିପ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳେ l ସୁଖର କଥା ହେଲା ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ଅନେକ ଗୁଡ଼ିଏ ଉନ୍ନତିମୂଳକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି । ଅବଶ୍ୟ କାର୍ଯ୍ୟକାରୀ କେବେ ଓ କିପରି ହେବ ତାହା ସେଇ ଉତ୍ତରେଶ୍ୱର ମହାଦେବଙ୍କୁ ମଧ୍ୟ ଅଗୋଚର ହେଇପାରେ ! ମନ୍ଦିର ଦେହରେ ଘାସ ଚରିଯିବା ଦେଖିଲେ ପ୍ରତ୍ନତତ୍ତ୍ଵ ବିଭାଗ, ସ୍ଥାନୀୟ ପ୍ରଶାସନର ତତ୍ପରତା ସ୍ପଷ୍ଟ ବାରିହୁଏ ! ସ୍ଥାନୀୟ ଜନତାଙ୍କ ମନ୍ଦିର ପ୍ରତି ବିମୁଖତା ଆମ ବୁଦ୍ଧିଜୀବୀ ପଣିଆକୁ ଛିଗୁଲାଏ କେବଳ !
ଆହୁରି ଦୁଃଖ ଓ ପରିତାପର କଥା ଏହିକି ଯେ ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ନଗଣ୍ୟ l ଉପଯୁକ୍ତ ପ୍ରଚାର ପ୍ରସାର ତଥା ଆନୁସଙ୍ଗିକ ସୁବିଧା ସୁଯୋଗର ଆବଶ୍ୟକତା ପୂରଣ ହୋଇ ପାରିଲେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଆନ୍ତା ଓ ହଜାର ବର୍ଷର ଏହି ପ୍ରାଚୀନ କୀର୍ତ୍ତିକୁ ତାର ହୃତଗୌରବ ଯେ ମିଳିପାରନ୍ତା ଏଥିରେ ଦ୍ବିମତ ନାହିଁ l

Leave a Comment

Your email address will not be published. Required fields are marked *

Scroll to Top