ଲେଖା: ନିରଞ୍ଜନ ସାହୁ
~ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ~
ସମ୍ମାନୀୟା, ପୂଜ୍ୟା ମା’ ମୋର !
ଆପଣଙ୍କ ହାତରେ ନଥିଲା ବୀଣା, ପୁସ୍ତକ ନଥିଲା ଅପର ହସ୍ତରେ । ହେ ଭଗବତୀ ଭାରତୀ !
କୌଣସି ମଣ୍ଡପରେ ସ୍ଥାନିତ ହୋଇ ନା ପାଇଥିଲେ ଆପଣ ପୂଜାର୍ଚ୍ଚନା, ନା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାର୍ଷିକ ପୂଜୋତ୍ସବରେ ଆପଣଙ୍କୁ ଆବାହନ କରି ପୁଷ୍ପାଞ୍ଜଳି ପ୍ରଦାନ କରୁଥିଲେ, ନା କୌଣସି ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରି ନିତ୍ୟ ଧୂପଦୀପ, ନୈବେଦ୍ୟ ଅର୍ପଣ କରୁଥିଲେ କେହି, ତଥାପି ଆପଣ ସରସ୍ଵତୀ, ଜାନଭିକା, ଭାରତୀ ! କୌଣସି ବ୍ୟକ୍ତି ବିଶେଷଙ୍କ ପୂଜିତା ଦେବୀ ନୁହନ୍ତି, କୌଣସି କ୍ଷୁଦ୍ର ବା ବୃହତ ଅନୁଷ୍ଠାନର ଭାରତୀ ନୁହନ୍ତି ! ଆପଣ ଯେ ସଂସ୍କୃତି ସମ୍ପନ୍ନ ଆର୍ଯ୍ୟାବର୍ତ ଉତ୍କଳଖଣ୍ଡର ଭାରତୀ ! ଆପଣ ଯେ ଉତ୍କଳ ଭାରତୀ !
ଆପଣଙ୍କ ସମ୍ପର୍କରେ ଦି’ପଦ ଲେଖିବାର ସାହସ ମୋ’ର ବା କାହୁଁ ଆସିବ ? ଉତ୍କଳର ଗୁଣୀଜନ ଆପଣଙ୍କର ସଠିକ ମୂଲ୍ୟାୟନ କରିପାରିବେ ତ ? ସନ୍ଦେହ . . !
ତଥାପି ହେ ମାତ ଉତ୍କଳ ଭାରତୀ କୁନ୍ତଳା କୁମାରୀ ! ଆପଣଙ୍କ କୀର୍ତ୍ତି ବଖାଣିବା ପାଇଁ ପ୍ରୟାସ କରୁଥିବା ସମୟରେ ମୋ ସ୍ମୁତି ପଟରେ ଝଲସି ଉଠିଲେ ପଲ୍ଲୀକବି ନନ୍ଦକିଶୋର, ସାହିତ୍ୟରଥୀ ମାନନୀୟ ନୀଳକଣ୍ଠ, ଓଡ଼ିଆ ପ୍ରାଚୀନ ସାହିତ୍ୟର ଅବଗାହୀ ସାହିତ୍ୟବେତ୍ତା ପ୍ରବାଦପୁରୁଷ ଡ. ଆର୍ତ୍ତବଲ୍ଲଭ, ଓଡ଼ିଆ ସାହିତ୍ୟର ବିସ୍ମୟ ପ୍ରତିଭା ଡ. ମାନସିଂହ ଓ ବିଶିଷ୍ଟ ସାହିତ୍ୟ ସମାଲୋଚକ ଡ. ବିଜୟଚନ୍ଦ୍ର ମଜୁମଦାର ଆଦି । ଓଡ଼ିଆ ତଥା ଭାରତୀୟ ସାହିତ୍ୟର ଏହି ଉଜ୍ଜ୍ୱଳ ନକ୍ଷତ୍ରମାନେ ଆପଣଙ୍କ ସମ୍ପର୍କରେ ଯାହା କିଛି କହିଛନ୍ତି, ତାହା ହିଁ ହେବ ଆପଣଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି:
![](https://antarangakalinga.org/wp-content/uploads/2022/02/k4-197x300.jpg)
(ଭାଗ୍ୟବନ୍ତ ଚିତ୍ରଶିଳ୍ପୀ: ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ, ବାଲେଶ୍ଵର)
~ ପଲ୍ଲୀକବି ନନ୍ଦକିଶୋର ~
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ କବିତା #ଉଚ୍ଛ୍ଵାସରେ ଶେଫାଳୀ ପ୍ରତି, ଚନ୍ଦ୍ର ପ୍ରତି, କାମିନୀ ପ୍ରତି, କମଳ ପ୍ରତି, ତାରା ପ୍ରତି ଓ ସହକାର ପ୍ରତି ଏହି ଛଅଟି କବିତା ତରଙ୍ଗ ଉଚ୍ଛ୍ଵସିତ ହୋଇଅଛି । ପ୍ରକୃତିର ଯେଉଁ ସାମଗ୍ରୀମାନ କବିମାନଙ୍କର ଚିର ସମ୍ବଳ, ଆମ୍ଭମାନଙ୍କର କବି ତନ୍ମଧ୍ୟରୁ ଶ୍ରେଷ୍ଠ ଛଅଟି ବାଛି ନେଇ ଅତି ମନୋହର ଭାଷାରେ ଏହି କମନୀୟ ହାରଟି ଗୁନ୍ଥି ଉତ୍କଳ ଭାରତୀଙ୍କ କଣ୍ଠରେ ପିନ୍ଧାଇ ଦେଇଅଛନ୍ତି । ବର୍ତମାନ ପ୍ରାଣର ଗଭୀରତମ ପ୍ରଦେଶରେ ଭାବତରଙ୍ଗ ସମ୍ବଳିତ ଏହି #ଉଚ୍ଛ୍ଵାସ ଗ୍ରନ୍ଥ ପ୍ରକାଶ କରିବା ଦ୍ୱାରା ସେ ଉତ୍କଳ ସାହିତ୍ୟ, ତଥା ଉତ୍କଳ ନାରୀସମାଜକୁ ଗୌରବାନ୍ଵିତ କରିଅଛନ୍ତି । ଏତେ ଅଳ୍ପ ବୟସରେ ଏବଂ ସାହିତ୍ୟ ଚର୍ଚ୍ଚାର ପ୍ରତିକୂଳ ଡାକ୍ତରି ବିଦ୍ୟାନୁଶୀଳନ ମଧ୍ୟରେ ନାରୀ କାହିଁକି, ପୁରୁଷ ଲେଖକ ଓ କବି ମଧ୍ୟରେ ସୁଦ୍ଧା କୁନ୍ତଳାଙ୍କ ପ୍ରତିଦ୍ଵନ୍ଦୀ ଉତ୍କଳରେ ବିରଳ । ତଦୀୟ ନିସର୍ଗଦତ୍ତ ପ୍ରତିଭା ହିଁ ତାଙ୍କର ଅଦ୍ଭୁତ ବିକାଶର ହେତୁ ବୋଲି ପ୍ରତୀୟମାନ ହୁଏ ।
ଆମ୍ଭମାନଙ୍କ ନବୀନ କବିଙ୍କର ଗୋଟିଏ ବିଶେଷତ୍ଵ ଏହି ଯେ, ତାଙ୍କର ସବୁ କବିତା ଭଗବତ୍ ପ୍ରେମ ଦ୍ଵାରା ପବିତ୍ରୀକୃତ ଓ ଧର୍ମଭାବାନୁପ୍ରାଣିତ । ଅୟସ୍କାନ୍ତ ମଣି ଯେପରି ସର୍ବଦା ଓ ସର୍ବତ୍ର ଚୁମ୍ବକ ପ୍ରସ୍ତର ପ୍ରତି ଆକୃଷ୍ଟ ହୁଏ , ସେହିପରି ଏହି କବିଙ୍କର ସବୁ କବିତା ଈଶ୍ଵରଭକ୍ତିପୂତ ଓ ପୁଣ୍ୟଭାବବିଧୌତ ଅଟେ । ଜଗତର ଶ୍ରେଷ୍ଠ ଭକ୍ତ ଓ କବିମାନେ ତିନି ରୂପରେ ଈଶ୍ଵରସତ୍ତା ଅନୁଭବ କରି ପାଠକସମାଜ ପାଖରେ ସମୁପସ୍ଥିପିତ କରିଥାନ୍ତି; ଯଥା — ପ୍ରକୃତିରେ ପରମେଶ୍ବର (God in Nature), ମାନବ ସମାଜ ବା ଇତିହାସରେ ଈଶ୍ଵର (God in Society or God in History) ଏବଂ ମାନବାତ୍ମାରେ ଈଶ୍ଵର (God in the Human Soul) । ଆମମାନଙ୍କ ନବୀନ କବି ଅଳ୍ପ ବୟସରେ ନିଃସର୍ଗ ଲାବଣ୍ୟ ମଧ୍ୟରେ ବିଶ୍ଵ ସ୍ରଷ୍ଟାଙ୍କର ମହୀୟାନ ସତ୍ତାର ନିଦର୍ଶନ ପାଇ ଏବଂ ଗଭୀର ଭାବରେ ତାହା ପ୍ରାଣରେ ଅନୁଭବ କରି ଆମମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିଅଛନ୍ତି । ଆଦିରସ ବହୁଳ ଉତ୍କଳ ସାହିତ୍ୟ ଏପରି ପୁଣ୍ୟ ସଙ୍ଗୀତ ଦ୍ଵାରା ପୁଣ୍ୟ ଶ୍ରୀମଣ୍ଡିତ ହୋଇଅଛି । ମୁଁ ଆଶା କରେଁ, ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଏହି ପବିତ୍ର ସୁନ୍ଦର ଆରତିସଙ୍ଗୀତରେ କାଳେ ଉତ୍କଳ-ସାହିତ୍ୟ-ମନ୍ଦିର ଅଧିକ ପ୍ରତିଧ୍ଵନିତ ହେବ ଏବଂ ତଦୀୟ ଧୂପଧୂନାସୌରଭ ଓ ପୂଜାପୁଷ୍ପଚନ୍ଦନର ପରିମଳ ଦ୍ଵାରା ତାହା ଆମୋଦିତ ହେବ ।
× × × × ×
ଜଗତ୍ ପୂର୍ଣ୍ଣତାର ସ୍ଥାନ ନୁହେଁ । ଯେଉଁ ଆବେଗମୟୀ ଭାଷା ପ୍ରାଚୀନ ଉତ୍କଳ ସାହିତ୍ୟର କମନୀୟ ପରିଚ୍ଛଦ, ଯେଉଁ “ପାଟପୀତାମ୍ବରୀ” ଭଞ୍ଜ-କବିସୂର୍ଯ୍ୟଙ୍କ ନିସର୍ଗଦତ୍ତ ତୂଳିକାର ଚିର ସହଚର, ଯାହା ରାଧାନାଥ ଧୁରନ୍ଧର ରୂପେ ଅନୁକରଣ କରିପାରିଥିଲେ , ସେହି ଶବ୍ଦବିଭବ ଓ ଶବ୍ଦ ସଂଯୋଜନା ଉଚ୍ଛ୍ଵାସରେ ଅଧିକ ନ ଥିଲେ ହେଁ ତହିଁରେ ବିଷୟର ଉପଯୋଗୀ ଓ ଆଧୁନିକ ପ୍ରାଞ୍ଜଳ ପଦବିନ୍ୟାସ ପାଟକର ଅଭାବ ନାହିଁ । କବିଙ୍କର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ଷେତ୍ର ଅନ୍ୟତ୍ର ଥିଲେ ହେଁ ଆଶା ଅଛି, ବୁଦ୍ଧିମତୀ ଲେଖିକା କାଳକ୍ରମେ ଓଡ଼ିଆ ଭାଷାର ନିଜସ୍ଵକୁ ଆୟତ୍ତ କରି ଅଧିକ ଭାବରେ ପ୍ରୟୋଗ କରିବେ ।
ଉଦାର ବିଶ୍ଵଜନୀନ ଭାବ କବିଙ୍କର ଅନ୍ୟତମ ବିଶେଷତ୍ଵ । ତାଙ୍କ କବିତାରେ ଭାରତ ଆସମୁଦ୍ର ପୃଥିବୀ ନୁହେଁ, ଭାରତ ପୃଥିବୀର ଅଂଶ ମାତ୍ର —
“ସାରଳା ଉପେନ୍ଦ୍ର କାଳିଦାସ ଆଦି
ହୋମର ହାଫେଜ ଭବଭୂତି ସାଦି
ବାଇରନ୍ ଶେଲି ମୁର ଟେନିସନ୍
………….. ମିଲଟନ୍ । “
ଏ ସମସ୍ତଙ୍କ ସ୍ଥାନ ତାଙ୍କ କବିତା କ୍ଷେତ୍ରରେ ଅନ୍ତର୍ଗତ ।
“ବିଭୁଙ୍କର ସମସ୍ତ ବିଧାନ ମଙ୍ଗଳମୟ ଏହା ସମର୍ଥନ କରିବା (To justify the ways of God to man )”– କବିବର ମିଲଟନଙ୍କ ମତରେ କବିତାର ଉଦ୍ଦେଶ୍ୟ । କବିତାର ଏହି ମହତ୍ ଉଦ୍ଦେଶ୍ୟ ସାଧିତ ହୋଇଥିବାରୁ କବୀନ୍ଦ୍ର ରବୀନ୍ଦ୍ରଙ୍କ ଗୀତାଞ୍ଜଳି ଜଗତବିଖ୍ୟାତ । ଆମ୍ଭମାନଙ୍କର ଉତ୍କଳର ଏହି ବାଳିକା କବି ପୂଜାକୁସୁମମାଳା ହସ୍ତରେ ଧାରଣ କରି #ମନ୍ଦିରପଥବର୍ତ୍ତିନୀ ରୂପେ ଆଜି ଦଣ୍ଡୟାମାନା । ନାରୀ କବି ପକ୍ଷରେ ଏହାହିଁ ବିଶେଷ ଭାବରେ ଶୋଭନୀୟ । ଉଚ୍ଛ୍ଵାସ କବିଙ୍କର ଉଦ୍ଦାମ ଉଚ୍ଛ୍ଵାସତରଙ୍ଗ ସେହି ମଙ୍ଗଳବିଧାତା ମହତୋମହୀୟାନ୍ ବିଶ୍ଵ ନିୟନ୍ତା ଅଥଚ ଚିର ଲୀଳାମୟ ପ୍ରାଣର ଶ୍ରୀହରିଙ୍କ ଶ୍ରୀପାଦପଦ୍ମରେ ସମର୍ପିତ । କବିତାର ଛତ୍ରେ ଛତ୍ରେ ଏହି ଧର୍ମଭାବ, ଈଶ୍ଵର ନିର୍ଭରଶୀଳତା, ସେବା ଧର୍ମରେ ପ୍ରାଣ ଉତ୍ସର୍ଗ କରିବାର ଆକାଙକ୍ଷା ପରିସ୍ଫୁଟ ହୋଇଅଛି । କବିଙ୍କ ନିଜ ଅମୃତମୟୀ ଭାଷାରେ:
“ଶେଫାଳି !
ତୋହ ପରି କ୍ଷୁଦ୍ର ମୁହିଁ ତୋହ ପରି କ୍ଷଣିକ,
ହସେ , ବସେ , ରସେ ମାତ୍ର ଫୁଟି ଅଛି ଘଡି଼କ,
ମାଟିରେ ମିଶିବୁ ତୁହି ମାଟିରେ ମିଶିବି ମୁହିଁ
ତଥାପି ମୋ ଆତ୍ମା ଫୁଲ ନ ଯିବରେ ମଉଳି
ତେଣୁ ଆଶା ବହି ଦିନ କାଟେଁ ଗଙ୍ଗଶିଉଳି !”
×××
ରେ ରସାଳ ଦ୍ରୁମ !
ଶିଖାଅ ହେବି ତୋ ସମ
ସୁବିନୀତ ନମ୍ରମନ,
ଅକାତରେ ଭବସେବା ଯାଉଥିବି କରି,
ମୋ କ୍ଷୁଦ୍ର ଆୟାସେ ବହୁ କ୍ଳେଶ ନେବି ହରି ।
ପ୍ରତିଦାନ ବିନା ହିତ କରିବି ତୋ ପରି । “
ଏହା ଉପରେ କଥା ନାହିଁ । ଏହି ନିଷ୍କାମ ଧର୍ମ ହିଁ ମାନବର ଶ୍ରେଷ୍ଠ ଧର୍ମ । ଜ୍ଞାନୀ ହୁଅ, ଧର୍ମବୀର ହୁଅ, କର୍ମବୀର ହୁଅ, ସ୍ଵଦେଶ ପ୍ରେମିକ ହୁଅ, କବି ହୁଅ, ଏହି ଅପୂର୍ବ ସେବାଧର୍ମର ପ୍ରଚାର ଓ ଆଚାର ଦ୍ଵାରା ସ୍ଵଦେଶ, ସ୍ବଜାତି ତଥା ସାରା ଧରିତ୍ରୀର ମୁଖ ଉଜ୍ଜ୍ୱଳ କରି ସ୍ଵଜୀବନ ଧନ୍ୟ କର ।
ଶ୍ରୀ ନନ୍ଦକିଶୋର ବଳ
ଡେଲାଙ୍ଗ
ତା ୨୫/୭/୧୯୨୪
![](https://antarangakalinga.org/wp-content/uploads/2022/02/k3-300x277.jpg)
~ ପଣ୍ଡିତ ନୀଳକଣ୍ଠ ଦାସ ~
ଆୟୁଷ୍ମତୀ କୁମାରୀ,
ଆପଣଙ୍କ ସଙ୍ଗେ ଥରେ ମାତ୍ର ଦେଖା ହୋଇଥିଲା । ସେ ବହୁଦିନ ତଳେ । ଏ ମଧ୍ୟରେ ଜୀବନର ଗତି ଏକ ପ୍ରକାର ପ୍ରହେଳିକାର ମାୟାଜାଲରୁ ବଳିଛି । ନିଷ୍ଠା ନିମନ୍ତେ ଅବକାଶ ନାହିଁ । ଯେଉଁଠାରେ ନିଷ୍ଠା ନାହିଁ, ସେଠାରେ ସରସ୍ଵତୀଙ୍କର କି ଘୋର ସଂକୋଚ, ତାହା ଆପଣଙ୍କୁ ବୁଝାଇ କହିବା ନିଷ୍ପ୍ରୟୋଜନ । ବେଳେ ବେଳେ ମନେ ହୁଏ, ସାହିତ୍ୟ କବିତାଦି ଆଲୋଚନା କରିବା ଦୂରେ ଥାଉ, ଅନୁଭବ କରିବା ହୁଏତ ଭାଗ୍ୟରେ ଘଟିବ ନାହିଁ । କିନ୍ତୁ ବଡ଼ ବିଚିତ୍ର କଥା ଆଜି ଆପଣଙ୍କ ପାଖକୁ ଏ ପତ୍ର ନ ଲେଖି ରହିପାରୁନାହିଁ ବୋଲି ଲେଖୁଛି । ମୋର ସାହିତ୍ୟ-ସୁହୃଦ ବାସୁଦେବ ମହାପାତ୍ର ଆଜି ‘ସାହିତ୍ୟ ସଂଗ୍ରହ‘ ପୁସ୍ତକ ଧରି ଆପଣଙ୍କ ‘ପୂଜା ପଦ୍ଧତି’ ଶୀର୍ଷକ କବିତାଟି ପଢୁଥିଲେ । “ହରି ହରି କେହି ଡାକୁଛି ସତତ, ପ୍ରଭୁ, ପ୍ରଭୁ କେହି କହେ”, ଏହା ତାହାର ପ୍ରଥମ ପଦ । କବିତା ଶୁଣି ବସିଲି, କିନ୍ତୁ କେତେବେଳେ କିପରି ଶୁଣିଲି ତାହା ଏବେ ମଧ୍ୟ, ବାସ୍ତବିକ୍ ବୁଝି ପାରୁନାହିଁ । କବିତାଟିର ମୁଗ୍ଧ ସୁନ୍ଦର ମୂର୍ତ୍ତି ଏବେ ମଧ୍ୟ ମନରୁ ଯାଉନାହିଁ । ବିଶେଷ କଥା ମୋର ମନେହୁଏ ଓଡ଼ିଆ ସାହିତ୍ୟରେ ଏପରି ସାର୍ବଜନୀନ ପ୍ରାଣସ୍ପର୍ଶୀ #ପୂଜାପଦ୍ଧତି କେହି କେବେ ଲେଖିନାହାନ୍ତି । ଆପଣଙ୍କୁ ଅଧିକ କ’ଣ ଲେଖିବି ?
ହେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ! ଆପଣଙ୍କ ଲେଖନୀର ଧାରା ଏବେ କାହିଁକି ଏତେ ମନ୍ଥର ଭାବରେ ଗତି କରୁଛି ବୁଝି ପାରୁନାହିଁ । ଯୌବନ ହିଁ ଜୀବନର ସମ୍ପଦ — ଭାବୁକତା ଓ କବିତାର ଶୁଦ୍ଧ ଅବକାଶ ଯୌବନରେ ହିଁ ସମ୍ଭବ । ଏହାହିଁ ଅନନ୍ତ ମାନବାଶାର ପରମପୀଠ । ଏତେବେଳେ କାବ୍ୟନିଷ୍ଠା ମାନବର ବିଳାସ ନୁହେଁ , ପ୍ରକୃତିଗତ । ବିଧାତାଙ୍କର ଆପଣଙ୍କ ଠାରେ ଯେ ଅନୁଗ୍ରହ ପ୍ରକାଶ ପାଇଛି ତାହା ସାବ୍ୟସ୍ତ କରିବାର ଅବକାଶରେ ରହି , ଆପଣ ଏତେବେଳେ କାବ୍ୟଦେବୀଙ୍କୁ ସେବାରେ ବିଶେଷ ନିରାଶ କରିବେ ନାହିଁ ବୋଲି ଅନୁରୋଧ କରେ । କାମନା କରେ ବିଧାତାଙ୍କର ଶୁଭ ଆଶୀର୍ବାଦରେ ଆପଣଙ୍କ କାବ୍ୟ କଳାରେ ପୁଷ୍ପ ବୃଷ୍ଟି ହେଉ । ଉତ୍କଳ ଭାରତୀ ଆପଣଙ୍କ ସେବାରେ ତୁଷ୍ଟ ହୁଅନ୍ତୁ ।
ଇତି ।
ନୀଳକଣ୍ଠ ଦାସ
ଶ୍ରୀରାମଚନ୍ଦ୍ରପୁର
୧୫/୫/୧୯୨୬
~ ଶ୍ରୀ ବିଜୟଚନ୍ଦ୍ର ମଜୁମଦାର ~
ଯେତେବେଳେ ମୁଁ କଲିକତା ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡ଼ିଆ ସାହିତ୍ୟର ପ୍ରାଚୀନ ଓ ଆଧୁନିକ ସୁରଚିତ କାବ୍ୟମାନଙ୍କରୁ ରଚନା ଚୟନ କରୁଥିଲି, ସେତେବେଳେ ଦୈବାତ୍ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ କେତୋଟି ପଦ୍ୟ ରଚନା ପଢ଼ିବାକୁ ପାଇଲି । ସେତେବେଳେ ଲେଖିକାଙ୍କର କୌଣସି ପରିଚୟ ମୋତେ ଜଣାନଥିଲା; କିନ୍ତୁ ମୁଁ ତାହାଙ୍କ ଭାଷାର ବିଶୁଦ୍ଧତା ଓ ସରଳତା ଏବଂ ଭାବର ମାଧୁରୀ ଓ ପବିତ୍ରତା ଦେଖି ତାହାଙ୍କ ରଚିତ ଯେଉଁ କେତୋଟି କବିତା ପାଇଥିଲି, ତାହା ବିଶ୍ଵବିଦ୍ୟାଳୟ କର୍ତ୍ତୃକ ପ୍ରକାଶିତ ଓଡ଼ିଆ ସାହିତ୍ୟ ପରିଚୟର ତୃତୀୟ ଭାଗରେ ମୁଦ୍ରିତ କରିଥିଲି । ଏହି ସାହିତ୍ୟ ପରିଚୟ ଗ୍ରନ୍ଥ ପ୍ରକାଶିତ ହେବାର ଅନେକ ଦିନ ଉତ୍ତାରେ କବିଙ୍କ ରଚିତ କେତେକ ଖଣ୍ଡି ଗ୍ରନ୍ଥର ପରିଚୟ ପାଇଲି ଓ ତାହାଙ୍କ ପ୍ରଣୀତ ଏହି କାବ୍ୟଗ୍ରନ୍ଥ ଖଣ୍ଡିକର ମୁଖପତ୍ର ଲେଖିବାକୁ ଅନୁରୁଦ୍ଧ ହେଲି । ମୁଁ ସାନନ୍ଦରେ ଏହି କାର୍ଯ୍ୟଟି କରିବାକୁ ପ୍ରସ୍ତୁତ ହୋଇଅଛି । ମୋର ପ୍ରଶଂସାବାଣୀ ଉପରେ ଓଡ଼ିଶାରେ କବିଙ୍କ ଯଶର ପ୍ରତିଷ୍ଠା ନିର୍ଭର କରୁନାହିଁ। କାରଣ ମୁଁ ଦେଖୁଛି ଯେ ଓଡ଼ିଶାର ସୁଧୀ ପାଠକମାନେ ଏହି ତରୁଣୀ କବିଙ୍କ ରଚନା ଯଥେଷ୍ଟ ଆଦରରେ ଗ୍ରହଣ କରିଅଛନ୍ତି ଓ ପୁରୀର ଚିରପ୍ରସିଦ୍ଧ #ମୁକ୍ତି #ମଣ୍ଡପ ନାମରେ ପଣ୍ଡିତସଂଘ, ଏହାଙ୍କ କାବ୍ୟ ପ୍ରତିଭାର ପ୍ରଶଂସା କରିଅଛନ୍ତି; ପୁଣି ପୁରୀର #ମହିଳା #ବନ୍ଧୁ #ସମିତି ଏହାଙ୍କୁ #ଉତ୍କଳ #ଭାରତୀ ଉପାଧି ଦେଇଅଛନ୍ତି । ଗୁଣର ଏହି ଆଦର ଓ ପ୍ରତିଭାର ଏହି ସମ୍ମାନ ଦେଖି ମୁଁ ଆନନ୍ଦିତ ହୋଇଅଛି ।
![](https://antarangakalinga.org/wp-content/uploads/2022/02/k2.jpg)
ଏହାଙ୍କର ଯେଉଁ ସକଳ ଗଦ୍ୟ ରଚନା ଧର୍ମପ୍ରାଣତାର ସୂଚନା କରେ ତହିଁରୁ କେତୋଟି ବଙ୍ଗଭାଷାରେ ପ୍ରକାଶିତ ହୋଇଅଛି । ଏହାଙ୍କର ସାହିତ୍ୟିକ ଭବିଷ୍ୟତ ଅତି ଉଜ୍ଜ୍ୱଳ; ମୁଁ ମନେ କରେ, ଏ ନିଜର ବିଶିଷ୍ଟତାରେ ଓଡ଼ିଆ ସାହିତ୍ୟରେ ଗୋଟିଏ ବିଶେଷ ସ୍ଥାନ ଅଧିକାର କରିବେ ଓ ଉତ୍କଳ ଗୌରବରେ ତାହାଙ୍କ ପ୍ରଦତ୍ତ ଅଳଂକାର ଚିରଦିନ ପାଇଁ ଧାରଣ କରିବ ।
ଆଶୀର୍ବାଦ କରେ, ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ନିରାମୟ ଦୀର୍ଘ ଜୀବନରେ ଉତ୍କଳବାସୀଙ୍କି ଆନନ୍ଦିତ ଓ ଧନ୍ୟ କରି ନିଜେ ଧନ୍ୟ ହୁଅନ୍ତୁ ।
ଶ୍ରୀ ବିଜୟଚନ୍ଦ୍ର ମଜୁମଦାର
କଲିକତା
୨୨/୨/୧୯୨୭
ପୂଜ୍ୟା ମା’ ମୋର ! ଉତ୍କଳ ଭାରତୀ କୁନ୍ତଳା କୁମାରୀ !
୧୯୦୧ ମସିହା ଫେବୃଆରୀ ସାତ ତାରିଖରେ ଆପଣ ଆସିଲେ ଏବଂ ବିଧିର ଦୁଃଖଦ ନିଷ୍ପତ୍ତି ହେତୁ ସ୍ଵସ୍ଥାନକୁ ଫେରିଗଲେ ମାତ୍ର ୩୮ ବର୍ଷ ବୟସରେ । ଏହାରି ଭିତରେ ଲେଖା ହୋଇଗଲା ଗୋଟିଏ ଚମକପ୍ରଦ ଜୀବନର ଇତିହାସ । ଆଜି ସେହି କଥା ମନରେ ଆସିଲେ କେବଳ ଦୁଃଖ ହିଁ ଦୁଃଖ ସଭିଙ୍କ ପାଖରେ ।
ଆମେ ଅଧମ ଓଡ଼ିଆଏ ଆପଣଙ୍କ ଋଣ ଶୁଝିବା ପାଇଁ ଅକ୍ଷମ ମାତ୍ର ! ତଥାପି ପୂଜ୍ୟପୂଜାର ଏହି ପରମ୍ପରା ବଜାୟ ରଖିବାକୁ ଶତଚେଷ୍ଟିତ ଆମେ ! ହେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ! ଆମର ଶ୍ରଦ୍ଧାଞ୍ଜଳି ଘେନିବା ହୁଅନ୍ତୁ ।
ତଥ୍ୟ: କୁନ୍ତଳା କୁମାରୀ ସାବତ ଗ୍ରନ୍ଥାବଳୀ