ଲେଖା: ଦେଵ ତ୍ରିପାଠୀ
ଆମ ଓଡ଼ିଆଙ୍କ ଖାଇବା ଇ ନିଆରା !
ସେ ଟଙ୍କିକିଆ ଚାଉଳର ଭାତ ହେଉ କି ୩୦୦ଟଙ୍କିଆ ବାସୁମତୀ ଚାଉଳର ଭାତ ଖାଉ, ମହାପ୍ରସାଦ ହେଉ ଅବା ରେଷ୍ଟୁରାଣ୍ଟର ଭୋଜନ ହେଉ ଓଡ଼ିଆ ଖାଇବା ଶେଷକୁ ଲୋଡ଼େ ମିଠା ଟିକିଏ ! ମିଠା ନ ଥିଲେ ଓଡ଼ିଆର ରଜାଘର ଖାନା ବେକାର ବୋଲି ଜାଣ ! ସେଥିପାଇଁ ପରା ମଧୁରେଣ ସମାପୟେତ !
ସେତିକି ନୁହେଁ, ନିମିତପରବ ଭୋଜି ହେଉ କି ପାର୍ଟି ହେଉ, ଅଫିସରଙ୍କୁ ଲାଞ୍ଚ ଦେବା ହେଉ, ହେଉ ଅବା ଝୁଅ ବାହାଘର ଭାର, ମିଠା ନ ହେଲେ କି ଚଳେ ! ଆମ ଠାକୁର ବି ଏଇ ମିଠାନିଶାଠୁ ଦୂରେଇପାରେନି ନିଜକୁ !
ଭାରତଭୂଖଣ୍ଡରେ ଭଳିକି ଭଳିକି ଭଳି ମିଠା ତିଆରି କରି ନିଜର ଖାଦ୍ୟପ୍ରିୟ ଗୁଣ ସହିତ ସୃଜନଶୀଳତାର ପରିଚୟ ଦେଇଥିବା ଏଇ ଓଡ଼ିଆ ଜାତି ଆଜି ପଡ଼ିଶା ଜାତିର ଚକ୍ଷୁଶୂଳ !
ନ ହେବ ବା କିପରି ?
ହୀନମନା ପଡ଼ୋଶୀ କି ବୁଝିପାରେ ଏସବୁ ମିଠା ତିଆରି ପଛରେ ଥିବା ଓଡ଼ିଆ ଜାତିର ମୌଳିକ ପ୍ରେରଣା, ନିଷ୍ଠା ଓ ସଚ୍ଚୋଟପଣିଆ ! କେତେ କେତେ ପରିପ୍ରୟୋଗରେ ଯେ ଓଡ଼ିଆ ଜାତି ପାଇପାରିଛି ଏଇ ମହାର୍ଘ ସଫଳତା !
ଏଇ ମିଠା କଥା ଭାବିଲେ ଆଖି ଆଗରେ ନାଚି ଉଠେ ସେଇ ଓଡ଼ିଆ ମିଠା ଜଗତର ମଉଡମଣି ଛେନାପୋଡ଼ର ଚିତ୍ର ! ଭାରତ ତଥା ବିଦେଶର ମହାନଗରୀମାନଙ୍କର ବିପଣିସ୍ଥଳରେ ସଗୌରବେ ଦୃଶ୍ୟମାନ, ମାତ୍ର ଆଜକୁ ୭୫ ବର୍ଷ ପୂର୍ବେ ଏଇ ଆମ ଓଡ଼ିଆ ମିଠା ଛେନାପୋଡ଼ ଜନ୍ମ ନେଇଥିଲା ଏକ ଗଡ଼ଜାତୀୟ ତନ୍ଦ୍ରିଳ ଗ୍ରାମ୍ୟବଜାର ସାତପାଟଣାରେ !
ସେ ଗାଁ ରେ ଥିଲା ଜଣେ ଅଧ୍ୟବସାୟୀ କିଶୋର । ପଇସା ଅଭାବରୁ ସିନା ପାଠ ପଢ଼ି ପାରିଲାନି, ହେଲେ ମନରେ ଥାଏ ଆଗକୁ ବଢ଼ିବାର ସ୍ପୃହା ! ନୂଆ କିଛି କରିବାର ମାନସିକତା !
ବାପାଙ୍କ ମିଠା ଦୋକାନରେ ସେ ଅନୁଧ୍ୟାନ କରେ ନିତିଦିନିଆ ଆବଶ୍ୟକତା ଅନୁଯାୟୀ ମିଠା ତିଆରି କରିବା ପରେ ମଧ୍ୟ କିଛି ଛେନା ବଳିପଡୁଛି ! ଆବଶ୍ୟକତା ଠାରୁ ଅଧିକ ଜିନିଷ ପ୍ରସ୍ତୁତ କରିଦେଇ ବାସି ଚିଜ ବିକ୍ରି କରିବାର ପ୍ରବୃତ୍ତି ବାପପୁଅ ଙ୍କର ନ ଥାଏ । ସୁଆଦିଆ ତଟକା ଜିନିଷ ପରଷିଦେଇ ଗରାଖଙ୍କ ଠାରୁ ବାହାବା ପାଇବାରେ ତୃପ୍ତି ଅନୁଭବ କରନ୍ତି ଉଭୟ ।
ମାତ୍ର ଏତେ ଗୁଡ଼ିଏ ଛେନା ହେବ କ’ଣ ! ବିରି ପିଠୋଉ ପରି ଧୋବ ଫରଫର ଛେନାଥାଳିକୁ ଚାହିଁ ଚାହିଁ କ’ଣ କରାଯାଇପାରେ ଭାବନ୍ତି ଦିହେଁ ।
ହଠାତ ଦିନେ ଅଜବ ବୁଦ୍ଧିଟିଏ ମୁଣ୍ଡରେ ଢୁକିଲା ! ବିରି ପୋଡ଼ପିଠା ପରି ଛେନାରେ ଚିନି ପକାଇ ପୋଡ଼ପିଠା କଲେ କେମିତି ହୁଅନ୍ତା !
ସାଙ୍ଗେ ସାଙ୍ଗେ ଛେନାରେ ଚିନି କିଛି ଚାଉଳ ଚୂନା କିଛି ମିଶାଇ ଚକଟି କଦଳୀ ପତ୍ରରେ ଗୁଡ଼ାଇ ପୋଡ଼ ପିଠା ପରି ତଳେ ଉପରେ ନିଆଁ ଦେଇ ପୋଡ଼ି ଦିଆଗଲା । ପିଠା ସିଝିଗଲା ପରେ ଥଣ୍ଡା କରି ରଖାଗଲା ।
ବାସ୍ ! ବିରି ପୋଡ଼ପିଠା ଠାରୁ ଶହେ ଗୁଣରେ ସୁଆଦିଆ ଥିଲା ଏଇ ଅଜବ ନୂଆ ପିଠାଟି !
ନୂଆ ଏକ ମିଠା ତିଆରିର ସଫଳତାର ପୁଲକରେ ଅଭିଭୂତ ହୋଇଗଲେ ବାପପୁଅ ! ହେଲେ ସେଦିନ କ’ଣ ସେମାନେ ଭାବିଥିଲେ ଯେ ଏଇ ପିଠାଟି ଦିନେ ମିଠା ଜଗତର ମଉଡମଣି ହୋଇଯିବ ବୋଲି !
ନୂଆ କିଛି କରିବାର ଲକ୍ଷ୍ୟରେ ପାରମ୍ପରିକ ଓଡ଼ିଆ ମିଠା ପ୍ରସ୍ତୁତିରେ ଅଭ୍ୟସ୍ତ ବିଦ୍ୟାଧର ସାହୁ ଓ ତାଙ୍କ ୧୭ ବର୍ଷିଆ ପୁଅ ସୁଦର୍ଶନଙ୍କ ହାତରେ ଲେଖା ହୋଇଗଲା ଓଡ଼ିଆ ମିଠା ଜଗତରେ ନୂଆ ଏକ ଫର୍ଦ ! ଆରମ୍ଭ ହେଲା ସଫଳତାର ଯାତ୍ରା !
ଛେନା ପୋଡ଼ପିଠା ଖାଇବା ପାଇଁ ଗ୍ରାହକମାନଙ୍କର ମଧୁମକ୍ଷିକା ପ୍ରାୟ ଭିଡ଼ ଲାଗିଲା ବିଦ୍ୟାଧରଙ୍କ ଦୋକାନରେ । ରାତି ପାହିଲେ ସେର ସେର ଛେନା ପୋଡ଼ ପିଠା ବିକ୍ରି ହେଲା, ଏବଂ ତା’ ସାଙ୍ଗକୁ ବ୍ୟାପି ଚାଲିଲା ଛେନାପୋଡ଼ର ବୈଶିଷ୍ଟ୍ୟ ଦୂରକୁ ଦୂରକୁ; ପାଟିକୁ ପାଟି, କାନକୁ କାନ ହୋଇ ତା’ର ପ୍ରଶଂସା ଓ ସୁଆଦ ସାତପାଟଣା ଗାଁରୁ ଯାଇ ନୟାଗଡ଼ ସୀମା ସରହଦ ଟପି କଟକରୁ କଲିକତା, ବ୍ରହ୍ମପୁରରୁ ବମ୍ବେ !
ସେ ମିଠା ଆଉ ସାଧାରଣ ମିଠାଟିଏ ହୋଇ ରହିଲାନି, ବରଂ ବନିଗଲା ଓଡ଼ିଆର ଭାବପ୍ରବଣତା !
ସଫଳତା ସହିତ ଯୋଡି ହୋଇଥାଏ ବିପଦର ଆଶଙ୍କା ! ଆମ ଓଡ଼ିଆ ମିଠା ଛେନାପୋଡ଼ ର ବଜାର ବଢିବା ଦେଖି ବ୍ୟବସାୟରେ ଯୋଡ଼ି ହୋଇଯାଇଥିଲେ ଅନେକ ଧୂର୍ତ୍ତ ଠକ ବ୍ୟବସାୟୀ ! ଏଥିପାଇଁ ସାହୁ ବାପପୁଅ ବହୁ କ୍ଷତି ସହିଛନ୍ତି ମାତ୍ର ନିଜର ନିଷ୍ଠା, ସଚ୍ଚୋଟପଣ ଓ ଗ୍ରାହକ ସନ୍ତୁଷ୍ଟିକୁ ପାଥେୟ କରି ଆଗେଇଚାଲିଲେ !
ସଚରାଚର ଦୁନିଆଁରେ ଏମିତି ହୁଏ ! ସାହୁ ବାପପୁଅଙ୍କର ଜୀବନଯାକର ତ୍ୟାଗ, ନିଷ୍ଠା, ଭାବପ୍ରବଣତାରେ ପରିପୁଷ୍ଟ ସେଇ ମିଠା ଆଜି ବିଶ୍ୱରେ ପରିବ୍ୟାପ୍ତ ହୋଇଥିଲେ ମଧ୍ୟ ଆଜି ଜନ୍ମମାଟିରେ ଏଇ ମିଠାସମ୍ରାଟ ଅନେକାଂଶରେ ପରାଭୂତ !
ଆଜି ନୟାଗଡ଼ ସମେତ ଭୁବନେଶ୍ୱରର ଅନେକ ଅଞ୍ଚଳରେ ମାନହୀନ ଛେନାପୋଡ଼ର ବହୁଳ ବିକ୍ରି ଦେଖି ବିଦ୍ୟାଧର ଓ ସୁଦର୍ଶନଙ୍କ ଆତ୍ମା କାନ୍ଦୁଥିବ ଯାହା !
ଚିତ୍ର ସୈାଜନ୍ୟ: Bhubaneswar Buzz, Bhojan Stories (Instagram), Odia Foodie and Pranabesh Pattanaik