ଅନ୍ୟଜଣେ ବାଇମୁଣ୍ଡି ବିଛିନ୍ନାଞ୍ଚଳର ଓଡ଼ିଆ ଶହିଦ ଜଗୁ ଦେବାନ୍ (Jagu Dewan)

ଲେଖା: ନିରଞ୍ଜନ ସାହୁ

ମହାତ୍ମାଗାନ୍ଧୀ ଓ ନେତାଜୀଙ୍କ ସ୍ଵାଧୀନତା ପାଇଁ ଆହ୍ଵାନ ଦେବା ପୂର୍ବରୁ ପ୍ରଥମେ ୧୮୫୭ ମସିହାରେ ଭାରତୀୟ ସିପାହୀ ମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ । ତତ୍କାଳୀନ ଓଡ଼ିଶା ରାଜ୍ୟ ଅନ୍ତର୍ଗତ ସିଂହଭୂମି ଜିଲ୍ଲାରେ ସିପାହୀ ବିଦ୍ରୋହ ତଥା ଦେଶରୁ ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ଯେଉଁ ସଂଗ୍ରାମ ଆରମ୍ଭ ହୋଇଥିଲା, ସେଥିରେ ନେତୃତ୍ଵ ନେଇ ଶହିଦ ହୋଇ ଯାଇଥିଲେ ଓଡ଼ିଆ ପୁଅ ଜଗୁ ଦେଵାନ ।  

ସିଂହଭୂମି ପୋଡା଼ହାଟରେ ରାଜା ଥିଲେ ଅର୍ଜୁନ ସିଂହ। ରାଜାଙ୍କର ଜଣେ ମୁଖ୍ୟ କର୍ମଚାରୀ ଥିଲେ ଜଗବନ୍ଧୁ ପଟ୍ଟନାୟକ (ଜଗୁ ଦେଵାନ୍)

୧୮୫୭ ମସିହା ଜୁଲାଇ ୩୦ ତାରିଖରେ ବିହାରର ହଜାରୀବାଗ ସେନା ଛାଉଣୀରେ ପ୍ରଥମେ ସିପାହୀ ବିଦ୍ରୋହର ସୂତ୍ରପାତ ହେଲା । କ୍ରମେ ଏହି ବିଦ୍ରୋହ ଚାଇଁବସାର ରାମଗଡ଼ ସେନା ଛାଉଣୀକୁ ସଂପ୍ରସାରିତ ହୋଇଥିଲା । ସମଗ୍ର ସିଂହଭୂମି ଅଞ୍ଚଳରେ ଆନ୍ଦୋଳନ ଉଗ୍ରରୂପ ଧାରଣ କଲା । ସେହି ବର୍ଷ ସେପ୍ଟେମ୍ବର ମାସର ତିନି ତାରିଖ ଦିନ ରାମଗଡ଼ ସେନା ଛାଉଣୀରେ ଆନ୍ଦୋଳନ ଆରମ୍ଭ ହେଲା ସେନା ବାହିନୀ ଦ୍ଵାରା । ଉକ୍ତ ଆନ୍ଦୋଳନକାରୀ ମାନଙ୍କୁ ପ୍ରଥମେ ସାହାଯ୍ୟ ସହଯୋଗ ଓ ଆଶ୍ରୟ ଦେଲେ ଜଗୁ ଦେଵାନ୍ । ସେ ମଧ୍ୟ ରାଜା ଅର୍ଜୁନ ସିଂହଙ୍କୁ ଦେଶବାସୀଙ୍କ ପ୍ରତି ଇଂରେଜ ସରକାରଙ୍କ ବର୍ବର ଅତ୍ୟାଚାର ସମ୍ପର୍କରେ ବୁଝାଇ ଆନ୍ଦୋଳନରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।

ସ୍ଵାଧୀନଚେତା ନିର୍ଭୀକ ବୀର ଜଗୁ ଦେଵାନଙ୍କୁ ସିଂହଭୂମିର ବିଦ୍ରୋହ ସଂଗଠନ ପାଇଁ ଦାୟିତ୍ବ ଦିଆଗଲା । ସେ ଜଣେ ଚତୁର, ବିଚକ୍ଷଣ ତଥା ପ୍ରତିଷ୍ଠିତ ଦେଵାନ୍ ଥିଲେ । ସାଧାରଣ ପ୍ରଜାଙ୍କ ଠାରୁ ଆଦିବାସୀଙ୍କ ପର୍ଯ୍ୟନ୍ତ ପୋଡ଼ାହାଟ (ଚକ୍ରଧରପୁର) ରାଜ୍ୟର ସମସ୍ତ ଲୋକଙ୍କର ତାଙ୍କ ପ୍ରତି ସମ୍ମାନ ଓ ବିଶ୍ୱାସ ଥିଲା। ଗାଆଁ ଗଣ୍ଡା ଚାରିଆଡ଼େ ବୁଲି କୋହ୍ଲ ଆଦିବାସୀମାନଙ୍କୁ ପ୍ରବର୍ତ୍ତାଇ ବିଦ୍ରୋହରେ ସାମିଲ କରେଇ ପାରିଥିଲେ ଜଗୁ ଦେଵାନ୍ । ତାଙ୍କ କଥାରେ ପ୍ରଭାବିତ ହୋଇ ଅନ୍ୟ ଜାତିର ଲୋକେ ମଧ୍ୟ ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଲେ । “ସ୍ଵାଧୀନତା ଆମର ଅଧିକାର”, ଏହି ମହାନ ଉକ୍ତି ଥିଲା ଜଗୁ ଦେଵାନ୍’ଙ୍କର । ଏହି ବାକ୍ୟ ସମଗ୍ର ସିଂହଭୂମି ଅଞ୍ଚଳରେ ପ୍ରତିଧ୍ଵନି ତୋଳିଲା । ଇଂରେଜ ସରକାରଙ୍କ କାର୍ଯ୍ୟାଳୟ ଓ ତାଙ୍କ କର୍ମଚାରୀମାନଙ୍କୁ ତୀବ୍ର ବିରୋଧ କରାହେଲା। 

ସିଂହଭୂମିର ଚକ୍ରଧରପୁର ପୁରୁଣା ବସ୍ତି ଓ ପୋଡ଼ାହାଟ ରାଜପ୍ରାସାଦ ସମ୍ମୁଖ କେନ୍ଦ୍ର ସ୍ଥଳରେ ରାଜା ଅର୍ଜୁନ ସିଂହ ଇଂରେଜ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଜଗୁ ଦେଵାନ୍’ଙ୍କର ପରାମର୍ଶକ୍ରମେ ପ୍ରତ୍ୟକ୍ଷ ଭାବେ ସଂଗ୍ରାମ ସହ ସାମିଲ୍ ହୋଇଗଲେ ରାଜା ଅର୍ଜୁନ ସିଂହ ।

~ ବୀରମାଟିର ବୀର ସନ୍ତାନ ଜଗୁ ~
ଦେଵାନଙ୍କ ନେତୃତ୍ଵରେ ସିଂହଭୂମିରେ ବିଦ୍ରୋହ ପ୍ରଚଣ୍ଡ ରୂପ ଧାରଣ କଲା । ଆନ୍ଦୋଳନର ଭୟାବହ ରୂପ ଦେଖି ଇଂରେଜ ସରକାରଙ୍କ ଭାଳେଣି ପଡ଼ିଲା । ସେପ୍ଟେମ୍ବର ୧୮ ତାରିଖ ଦିନ ଇଂରେଜ ସରକାରଙ୍କ ଡେପୁଟି କମିଶନର କ୍ୟାପଟେନ ବ୍ରିକ୍ ସାହେବ ବିଦ୍ରୋହ ଦମନ ନିମନ୍ତେ ଦାୟିତ୍ଵ ଗ୍ରହଣ କରି ଅଦମ୍ୟ ଚେଷ୍ଟା ଚଳାଇଲେ । ଏଥିପାଇଁ ଷଢ଼େଇକଳାର ରାଜା ଚକ୍ରଧର ସିଂହ ଇଂରେଜ କମିଶନର କ୍ୟାପଟେନ ବ୍ରିକ୍’ଙ୍କୁ ଗୁପ୍ତ ଭାବରେ ସାହାଯ୍ୟ କରୁଥାନ୍ତି । ଏହି ସ୍ଥାନୀୟ ରାଜାଙ୍କ ସାହାଯ୍ୟରେ ବିଦ୍ରୋହୀ ମାନଙ୍କ ନାମ, ଠିକଣା ଓ ଆଶ୍ରୟସ୍ଥଳ ବିଷୟରେ ବିଦେଶୀ ଶାସକଙ୍କ କର୍ମଚାରୀମାନେ ଅନେକ ତଥ୍ୟ ଜାଣିପାରିଲେ ।

ଜଗୁ ଦେଵାନଙ୍କ ପରାମର୍ଶକ୍ରମେ ରାଜା ଯୁଦ୍ଧ ଘୋଷଣା କଲେ । ଏଥିରେ ଉତକ୍ଷିପ୍ତ ହୋଇ ଇଂରେଜ ସରକାର ଅର୍ଜୁନ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିବା ସଂଗେ ସଂଗେ, ତାଙ୍କୁ ଧରାଇ ଦେଲେ ଏକ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କଲେ । ଏହା ସତ୍ତ୍ୱେ ରାଜା ଅର୍ଜୁନ ସିଂହ କର୍ଣ୍ଣେଲ ଲୁସିଙ୍ଗଟନଙ୍କ ସହିତ ଦୀର୍ଘକାଳ ପର୍ଯ୍ୟନ୍ତ ଯୁଦ୍ଧ ଚଳାଇ ରଖିଲେ । ଏହି ଯୁଦ୍ଧରେ ଦୁଇ ଜଣ ଇଂରେଜ ସେନାପତି, ୨୩ ଜଣ ଇଂରେଜ ଶିଖ୍ ସିପାହୀଙ୍କୁ ରାଜାଙ୍କ ସୈନ୍ୟବାହିନୀ ହତ୍ୟା କରିଥିଲେ ।

ତତ୍କାଳୀନ ମୟୁରଭଞ୍ଜ ରାଜାଙ୍କର ଜାମାତା ଥିଲେ ରାଜା ଅର୍ଜୁନ ସିଂହ । ଇଂରେଜମାନଙ୍କୁ ବିରୋଧ ନ କରିବା ପାଇଁ ସେ ଚିଠି ଲେଖି ଅର୍ଜୁନ ସିଂହଙ୍କୁ ତାଗିଦ୍ କରିଥିଲେ । କେତେକ ସ୍ଥାନୀୟ ରାଜା ମଧ୍ୟ ଇଂରେଜ ସରକାରଙ୍କୁ ଭିତିରିଆ ସମର୍ଥନ କରି ରାଜା ଅର୍ଜୁନ ସିଂହଙ୍କୁ ଧରାଇଦେବା ପାଇଁ ଇଂରେଜମାନଙ୍କୁ ସାହାଯ୍ୟ କରୁଥାନ୍ତି । ମୟୁରଭଞ୍ଜ ରାଜାଙ୍କ ଚିଠିରେ ଉଲ୍ଲେଖ ଥିଲା ,“ସେ ଯୁଦ୍ଧରୁ ବିରତ ହୁଅନ୍ତୁ ନଚେତ ହଜାରେ ଟଙ୍କା ଲୋଭରେ କେହି ପରଶ୍ରୀକାତର ରାଜା ବା  ଜମିଦାର ତାଙ୍କୁ ଧରାଇ ଦେଇ ପାରନ୍ତି ।” କିନ୍ତୁ ସ୍ଵାଧୀନଚେତା ଓ ନିର୍ଭିକ ଅର୍ଜୁନ ସିଂହ ମାତୃଭୂମି ସୁରକ୍ଷା ପାଇଁ ବଦ୍ଧ ପରିକର ଥିଲେ । ସେ ଓହରି ଯିବା ତ ଦୂରର କଥା, ଆହୁରି ଯୁଦ୍ଧ ଚଳାଇ ରଖିଲେ । ଶେଷରେ ହୀନମନ୍ୟ, ବେଇମାନର ମଣିଷ ତାଙ୍କୁ ଧରାଇ ଦେଇ ହଜାରେ ଟଙ୍କା ପୁରସ୍କାର ନେଇଗଲେ । ରାଜା ଅର୍ଜୁନ ସିଂହ ବନ୍ଦୀ ହୋଇ ବନାରସ ଜେଲକୁ ସ୍ଥାନାନ୍ତରିତ ହେଲେ ।

କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଇଂରେଜ ସରକାର ଜଗୁ ଦେଵାନଙ୍କୁ ଧରି ପାରିଲେ ନାହିଁ। ପ୍ରାୟ ୩୦୦ ଓଡ଼ିଆ ଓ କୋହ୍ଲ ସିପାହୀଙ୍କୁ ସାଂଗରେ ଧରି ସେ ସରକାର ବିରୁଦ୍ଧରେ ବିଦ୍ରୋହ ଜାରି ରଖିଲେ । ତାଙ୍କୁ ଧରିବା ସମ୍ଭବ ନ ହେବାରୁ ଇଂରେଜ ମାନେ କେନ୍ଦୁଝର ରାଜାଙ୍କ ସାହାଯ୍ୟ ନେଇଥିଲେ । ପୋଡା଼ହାଟ ରାଜାଙ୍କର କେତେ ଜଣ ଆତ୍ମୀୟ, କେତେ ଜଣ ଶିଖ୍ ସୈନ୍ୟ ଓ କେନ୍ଦୁଝର ରାଜ୍ୟର ରାଜ କର୍ମଚାରୀଙ୍କ ସହ ସମ୍ବଲପୁରର ଇଂରେଜ କ୍ୟାପଟେନ ଲି.ସାହେବ ଜଗୁ ଦେଵାନଙ୍କୁ ଖୋଜିବା ଆରମ୍ଭ କରିଦେଲେ । ୧୮୫୭ ମସିହା ଅକ୍ଟୋବର ମାସ ୨୦ ତାରିଖ ଦିନ ଚାଇଁବସାର ଲେଫଟନାଣ୍ଟ ବର୍ଚ୍ଚ ଓ କ୍ୟାପଟେନ ହାଲେ ଚକ୍ରଧରପୁର ଆକ୍ରମଣ କରି, ଜଗୁ ଦେଵାନଙ୍କୁ ବନ୍ଦୀ କଲେ ।

ଏହାପରେ ଇଂରେଜ ହାକିମଙ୍କ ଦ୍ଵାରା ତାଙ୍କର ବିଚାର ଆରମ୍ଭ ହେଲା । ନିର୍ଭୀକ ଭାବରେ ଜଗୁ ଦେଵାନ୍ ସ୍ଵୀକାର କଲେ ଯେ, ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ସିଂହଭୂମିବାସୀଙ୍କୁ ପ୍ରବର୍ତ୍ତାଇ ଥିଲେ ।ବିଚାରରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇଥିଲା । ତାଙ୍କ ସହ ଆନ୍ଦୋଳନ ଚଳାଇ ଥିବା ୧୦୦ ଜଣ ସିପାହୀଙ୍କ ସହ ରାଜ୍ୟର ଅନ୍ୟ ୪୩ ଜଣ ବିଦ୍ରୋହୀଙ୍କୁ ମଧ୍ୟ ଫାଶୀ ଦଣ୍ଡାଦେଶ ହୁକୁମ ହେଲା । 

କ୍ରୋଧ ଜର୍ଜରିତ ବ୍ରିଟିଶ ସେନାଧ୍ୟକ୍ଷମାନେ ଅନ୍ୟମାନଙ୍କୁ ଫାଶୀଦଣ୍ଡ ଦେଇଥିଲେ ମଧ୍ୟ ଜଗୁ ଦେଵାନଙ୍କୁ କେବଳ ଫାଶୀ ଦେବାରେ ସନ୍ତୁଷ୍ଟ ହୋଇ ନଥିଲେ । ପାଖାପାଖି ଦୁଇଟି ଗଛର ଡାଳକୁ ବହୁ କଷ୍ଟ କରି ଟାଣି ଏକାଠି କରି, ତାଙ୍କ ଦୁଇ ଗୋଡ଼କୁ ଦୁଇ ଗଛର ଡାଳରେ ବାନ୍ଧି ଦିଆଗଲା ଦୃଢ଼ ଭାବରେ । ପରେ ଦୁଇ ଗଛର ଡାଳ ଦୁଇଟିକୁ ଛାଡି ଦିଆଗଲା । ଫଳରେ ଜଗୁ ଦେଵାନଙ୍କ ଜିଅନ୍ତା ଶରୀର ଗୋଡ଼ ଠାରୁ ମୁଣ୍ଡ ଯାଏଁ ଦୁଇ ଫାଳ ହୋଇଗଲା । ଅତି ଦୟନୀୟ ଭାବରେ ଚିତ୍କାର କରି ସେ ପ୍ରାଣତ୍ୟାଗ କଲେ । ଦେଶମାତୃକା ପାଇଁ ଶହୀଦ ହୋଇଗଲେ ଅଦ୍ୱିତୀୟ ବୀର ଜଗୁ ଦେଵାନ । ଜନସାଧାରଣ ଏଭଳି ନିର୍ମମ ଦଣ୍ଡ ଦେଖି ଆଉ ବିଦ୍ରୋହ କରିବାକୁ  ସାହସ କରିପାରିଲେ ନାହିଁ ।

ଜଗୁ ଦେଵାନ୍ ହେଉଛନ୍ତି ସ୍ଵାଧୀନତା ସଂଗ୍ରାମରେ ପ୍ରଥମ ବୀର ଓଡ଼ିଆ ଶହୀଦ । ଅବଶ୍ୟ ତାଙ୍କୁ ସେଭଳି ସହଯୋଗ ମିଳିଥିଲେ ସେ ଭାରତ ଇତିହାସରେ ଜଣେ ଜାତୀୟ ସ୍ତରର ନେତା ଭାବେ ପରିଚିତ ହୋଇପାରିଥାନ୍ତେ ।

ଏହି ବୀର ସନ୍ତାନ ଜଗୁ ଦେଵାନଙ୍କ ସ୍ମୃତିକୁ ଅମର ରଖିବା ପାଇଁ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ସମାଜ ପକ୍ଷରୁ ୧୯୭୯ ମସିହା ଅଗଷ୍ଟ ୧୬ ତାରିଖରେ ଏକ ପୂର୍ଣ୍ଣ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି ଚକ୍ରଧରପୁର (ଆଜିର ଝାଡ଼ଖଣ୍ଡ ରାଜ୍ୟ) ଠାରେ । ଏବେ ଏହା ଓଡ଼ିଆ ମାନଙ୍କର ସ୍ମୃତିର ସନ୍ତକ ହୋଇ ରହିଛି । କିନ୍ତୁ ସମଗ୍ର ସିଂହଭୂମି ଜିଲ୍ଲାର ଅଗଣିତ ଜନସାଧାରଣଙ୍କ ମନରେ, ହୃଦୟରେ ଉଜ୍ଜିବିତ ହୋଇ ରହିଛନ୍ତି ଆମର ପ୍ରିୟ ଓଡ଼ିଆ ପୁଅ ଜଗୁ ଦେଵାନ୍ । ସେ ସେଇଥିପାଇଁ ଯଶୋଦେହେ ଆୟୁଷ୍ମାନ ଯୁଗ ଯୁଗକୁ । ଓଡ଼ିଶା ମାଟିରେ ଅନାଲୋଚିତ ଏହି ବୀର ସନ୍ତାନ ଜଗୁ ଦେଵାନଙ୍କୁ ଓଡ଼ିଆ ଭାଇଭଉଣୀଙ୍କ ତରଫରୁ ‘ଅନ୍ତରଙ୍ଗ କଳିଙ୍ଗ’ର ଶତ ଶତ ଦଣ୍ଡବତ ।

ଆଧାର: ଆମେ ଓଡ଼ିଆ, ଶ୍ରୀ ନୃସିଂହ ଚରଣ ସାହୁଙ୍କ ସଂକଳିତ ପୁସ୍ତକ

Image: Odisha Bytes

Leave a Comment

Your email address will not be published. Required fields are marked *

Scroll to Top