ଲେଖା: ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ
ଅଇଘରା ବା ଅଇଘରା ପୁନେଇଁ (ଲୋକମୁଖରେ ଅଗିରା ପୁନେଇଁ ଭାବେ ପରିଚିତ) ଏକ ପାରମ୍ପରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନିଦେବଙ୍କୁ ସ୍ଥାପନ କରାଯାଏ । କମାରଶାଳର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ଶୋଲରେ ସଂଗ୍ରହ କରି ନଡ଼ାକୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ । ଏଥି ନିମନ୍ତେ ଗ୍ରାମର କମାର ତାଙ୍କ ଶାଳକୁ ଲିପା ପୋଛା କରି ଏବଂ ଶାଣ ଯନ୍ତ୍ରକୁ ଭୋଗ ଦେଇ ପୂଜା କରିବା ପରେ ଅଗ୍ନି ସଂଗ୍ରହ କରାଯାଏ । ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନିଦ୍ୱାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାଆନ୍ତି । ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଏ । ଭକ୍ତମାନେ ଖୋଳ କୀର୍ତ୍ତନ କରି ଅଗ୍ନିର ଚତୁଃପାର୍ଶ୍ୱ ପ୍ରଦକ୍ଷିଣ କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ ଆଦି ଫଳ ନିକ୍ଷେପ କରିଥାଆନ୍ତି । ଲୋକମାନଙ୍କର ବିଶ୍ୱାସ ରହିଛି ଯେ; ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏନାହିଁ । ଆଉ ମଧ୍ୟ ବିଶ୍ୱାସ ରହିଛି ଅଗ୍ନି ନିଆଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ ।
ଅଇଘରା ପୁନେଇଁ ବା ମାଘ ପୂର୍ଣ୍ଣମୀର ଏହି ଅଗ୍ନ୍ୟୁତ୍ସବ ଏକ କୃଷିଭିତ୍ତିକ ପର୍ବ । କାରଣ କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦାଆ ଆଦି କମାର ଶାଳରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୁଏ । ତେଣୁ କମାର ଶାଳର ଅଗ୍ନି କମାରର ଇଷ୍ଟ ଦେବତା । ଅଇଘରା ପୁନେଇଁ ଅବସରରେ ଅଗ୍ନ୍ୟୁତ୍ସବ ପାଳି ଅଗ୍ନି ଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରର ଚାଳଛପର କାର୍ଯ୍ୟ କରିଥାଆନ୍ତି । କଥାରେ ଅଛି, ‘ଘର ପୋଡ଼ିଠାରୁ ବିପତ୍ତି ନାହିଁ ।’ ତେଣୁ ଗୃହକୁ ଅଗ୍ନିଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନିଦେବଙ୍କ ସନ୍ତୋଷ ବିଧାନ ନିମନ୍ତେ ଅଇଘରା ପୁନେଇଁ ମାଘ ପୂର୍ଣ୍ଣମୀ ଦିନ ଅଗ୍ନି ଉତ୍ସବ ପାଳିତ ହୋଇଥାଏ।
ଏ ଅଇଘରା ପୁନେଇଁ ଉଦ୍ଦେଶ୍ୟରେ ରଚିତ ଗୋପାଳଙ୍କ ଓଗାଳ, ଅନ୍ତରଙ୍ଗ କଳିଙ୍ଗର ସୁଧୀବୃନ୍ଦଙ୍କ ନିମନ୍ତେ ଏଠାରେ ଉପସ୍ଥାପନ କରୁଛୁ।
ଶୁଣ ହେ ଗୋପାଳ ମାନେ ଦେଇ ମନ କର୍ଣ୍ଣ,
ଆଉରି କଥାଏ ଭାଇ ପଡିଲା ମୋ ମନ
ଅଇଘରା ପୁନେଇଁ କାହିଁକି କହନ୍ତି ?
ଅଗ୍ନି ଜଳାଇଣ ବାଡ଼ି ଲଉଡି ଖେଳନ୍ତି ?
ଆଳୁ ବାଇଗଣ କନ୍ଦମୂଳ ନାରିକେଳ
ଆନନ୍ଦ ହୋଇଣ ପୋଡି ଖାଆନ୍ତି ସକଳ !
ସର ଲବଣି ଛାଡି ନନ୍ଦର ନନ୍ଦନ
ଫଳ ପୋଡି ଖାଆନ୍ତି ସେ ସଖାଙ୍କ ସଙ୍ଗେଣ !
ଅଇଘରା ପୁନେଇଁ ର ଯେମନ୍ତ ବୃତ୍ତାନ୍ତ
ଯାହା କରି ଅଛନ୍ତି ଯେ ଆମ୍ଭ ନନ୍ଦସୁତ . . !
ସଖାଙ୍କୁ ଡାକିଣ କୃଷ୍ଣ ବୋଲନ୍ତି ବଚନ
ବନସ୍ତରୁ ଶୁଷ୍କ କାଠ ଆଣହେ ବହନ . . !
ସଖା ମାନେ ଶୁଣି ତହୁଁ ଆନନ୍ଦ ହୋଇଲେ
କାଠ ମାନ ଆଣି କୃଷ୍ଣ ପାଶେ ଜମା କଲେ . . !
ଶ୍ରୀକୃଷ୍ଣ ବୋଇଲେ ସଖା ଶୁଣ ମୋ ବଚନ
ଅହିଘରମାନ ଏବେ କରହେ ଦହନ . . !
ଶୁଣିକରି ସଖା ମାନେ ଅଗ୍ନି ଲଗାଇଲେ
ଅହି ଗର୍ତ୍ତମାନ ସବୁ ପୋଡି ପକାଇଲେ . . !
ଅଗ୍ନି ଜାଳି ସର୍ପ ବିଷ ହରଣ କରାଇ
ନନାଦି ଫଳ ପୋଡି଼ଣ ଖାଆନ୍ତି କହ୍ନlଇ . . !
ସଖାମାନେ ଉପବାସ ରହିଣ ଯେ ଥିଲେ
କୃଷ୍ଣ ଅଚେତରେ କିଛି ଖାଇଣ ନଥିଲେ . . !
ସଖାଏ ଆନନ୍ଦ ହୋଇ ଫଳ ମାନ ଆଣି
ଅଗ୍ନିରେ ପକାଇ ପୋଡ଼ି ଖାଆନ୍ତି ପୁଣି . . !
ଶ୍ରୀକୃଷ୍ଣ ଜାଣିଲେ ଆଉ ବିଷଜ୍ଵଳା ନାହିଁ
ପରୀକ୍ଷା ହୋଇଲା ଏବେ ଫଳ ମାନ ଖାଇ . !
ଅହିଘର ପୋଡ଼ି କୃଷ୍ଣ ଆନନ୍ଦ ହୋଇଲେ
ଅଇଘରା ପୁନେଇଁ ଯେ ନାମ ବିକାଶିଲେ !