ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଭାରତୀୟ ବ୍ରାହ୍ମୀଲିପି ଵର୍ଣ୍ଣମାଳା ସମୂହ ଓ ସ୍ଵରଵର୍ଣ୍ଣର ପ୍ରଥମ ଅକ୍ଷର ହେଉଛି ‘ଅ’ ! ଏହା ବ୍ରାହ୍ମୀଲିପିରୁ ଜାତ ଅଧିକାଂଶ ଆଧୁନିକ ଲିପିରେ ଚଳୁଅଛି । ଯଥା:
■ବ୍ରାହ୍ମୀ ― ?
■ଓଡ଼ିଆ ― ଅ
■ଦେଵନାଗରୀ ― अ
■ଗୁଜୁରାଟୀ ― અ
■ତାମିଲ୍ ― அ
■ତେଲୁଗୁ ― అ
■ମଲୟାଲମ ― അ
■କନ୍ନଡ ― ಅ
■ବଙ୍ଗାଳୀ ― অ
■ପଞ୍ଜାବୀ ― ਅ
■ଥାଇ ― อ/ะ
■ଅହମିୟା ― অ
■ତିଵତ୍ତି ― ཨ
■ସିଅଲହଟୀ ― ꠀ
■ବର୍ମୀ ― အ
■ଖମେର୍ ― អ
■ବାଲିନିଜ୍ ― ᬅ
■ଜାଭାନିଜ୍―ꦄ
■ସୁନ୍ଦାନିଜ୍―ᮃ
■ବଟକ/ଟୋବା―ᯀ
■ବାୟବୈନ୍―ᜀ
ଇତ୍ୟାଦି…
ଏହି ଵର୍ଣ୍ଣର ସ୍ବତନ୍ତ୍ର ଚିହ୍ନ ଵା ମାତ୍ରା ନାହିଁ। ସଂସ୍କୃତ ଏବଂ ଓଡ଼ିଆରେ ଆମ୍ଭେମାନେ ଵ୍ଯଞ୍ଜନ ଵର୍ଣ୍ଣମାନଙ୍କୁ ଏହି ‘ଅ’ ସ୍ବରସଙ୍ଗେ ଯୁକ୍ତ କରି ଉଚ୍ଚାରଣ କରୁଁ ଓ ଵର୍ଣ୍ଣପରିଚୟ କରୁଁ। ଏଥିପାଇଁ ଓଡ଼ିଆ ଭାଷାର ଉଚ୍ଚାରଣ ଶୈଳୀ ଅକାରାନ୍ତ ହୋଇଥାଏ । ‛ଅ’ ର ଉଚ୍ଚାରଣ ସ୍ଥାନ କଣ୍ଠ ବୋଲି ଏହାକୁ କଣ୍ଠ୍ଯ ଵର୍ଣ୍ଣ ମଧ୍ୟ କୁହାଯାଏ । ସଂସ୍କୃତରେ ଏହାର ହ୍ରସ୍ବ, ଦୀର୍ଘ, ପ୍ଲୂତ, ଉଦାତ୍ତ, ଅନୁଦାତ୍ତ ଓ ସ୍ବରିତ ଆଦି ଉଚ୍ଚାରଣମାନ ଅଛି । ଆଗେ ଅବଧାନମାନେ ପିଲାଙ୍କୁ ଏହି ଅକ୍ଷର ମଡ଼ାଇଵାବେଳେ ଏହାକୁ ‘ସ୍ବରେ ଅ’ ବୋଲି ଡାକୁଥିଲେ । ହିନ୍ଦୁ ଶାସ୍ତ୍ର ଅନୁସାରେ ‘ଅ’ ଅକ୍ଷରର ଅଧୁଷ୍ଠାତା ଦେଵତା ସ୍ଵୟଂ ପରମାତ୍ମା ଅଟନ୍ତି ।
~ ଅ (ଶବ୍ଦ) ~
★କେଵଳ ଵର୍ଣ୍ଣ ନୁହେଁ ‘ଅ’ ଏକ ଶବ୍ଦ ମଧ୍ଯ ଅଟଇ । ଭାରତୀୟ ମାନକ ଶାସ୍ତ୍ରୀୟ ଭାଷାରେ ‛ଅ’ର ଵିଭିନ୍ନ ଅର୍ଥ ରହିଛି । ନିମ୍ନରେ ମୁଖ୍ୟ ଅର୍ଥଗୁଡି଼କ ପ୍ରଦାନ କରାଗଲା ।
■ଵିଶେଷ୍ଯ ଅର୍ଥ■
୧. ଅର୍କମଣ୍ଡଳ ବୀଜାତ୍ମକ ଅକ୍ଷର
୨. ପରଂବ୍ରହ୍ମସୂଚକ ଏକାକ୍ଷର
୩. ବିଷ୍ଣୁ
୪. ଶିବ
୫. ପରଂବ୍ରହ୍ମ
ପ୍ରଣବ ଵା ଓଁକାରର ଆଦ୍ଯ ଅଙ୍ଗ । ‛ଅ’ ଟି ‛ॐ’ ଵା ପ୍ରଣଵର ଅଙ୍ଗଵିଶେଷ ବୋଲି ଶାସ୍ତ୍ରରେ କଥିତ । ପ୍ରାଚୀନ ଭାରତୀୟ ଵୈୟାକରଣିକମାନଙ୍କ ମତରେ ଅ+ଉ+ମ୍ ମିଶି ଓଁ ହୋଇଅଛି ।
୬. ଵାନ୍ତି
■’ଅ’ ଅକ୍ଷର ଲୁପ୍ତ ହୋଇ ଯେଉଁ ଚିହ୍ନ ହୁଏ = ଽ(ଯଥା—ସୋଽହଂ, ଅନ୍ଯୋଽନ୍ଯ),
■ସଂ.ଅଵ୍ୟୟ■
ଅ―(ଅସମୟ,ଅନ୍ୟାୟ)
■ସଂ. ଉପପଦ■
ନଞ୍ଜ ଵା ‘ନାହିଁ’ ଵାଚକ (ଅବ୍ରାହ୍ମଣ, ଅକାଳ)
★ସମଗ୍ର କଥିତ ଓଡ଼ିଆ ଭାଷାରେ ‛ଅ’ର ଅର୍ଥ ଓ ଵିଶେଷ ଵ୍ଯଵହାର
■(ଅଵ୍ୟୟ) ବେଖାତିର୍ ଵା ଅସମ୍ମତିସୂଚକ ଧ୍ବନି
ସାଧାରଣତଃ ଵାକ୍ୟର ଆରମ୍ଭରେ ଵ୍ୟଵହୃତ l
[ଅ ! ସକାଲୁ ସକାଲୁ ମୁଇଁ ଏତେ ଧୁର୍ ନାଇଁ ଯାଇପାରେଁ ]
ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଏହି ସ୍ଥାନରେ ଆଉ କେତେକ ଅଵ୍ଯୟ ମଧ୍ୟ ଵ୍ଯଵହୃତ ହୁଏ । ଯଥା: ହେ, ଇ, ଏ , ହେକ୍, ହେତ୍ ଓ ଧେତ୍ ଇତ୍ୟାଦି
■(କ୍ରିୟା) ଓଡ଼ିଆଭାଷାର ସାମାନ୍ୟ ଵର୍ତ୍ତମାନ କାଳ ୨ୟ ପୁରୁଷ ଏକଵଚନ ‘ଅଟ’ର ପ୍ରତିରୂପ l
( ତୁମେ ଭଲ୍ ଲୋକ୍ଟେ ଅ ) ବହୁବଚନରେ ଏହା ଆଏ ହୁଏ ।
■ଵାନ୍ତି କରିଵାର ଧ୍ଵନ୍ଯାନୁକରଣ ରୂପ ଶବ୍ଦ; ଅ
■ବାନ୍ତି
■ଶବ୍ଦ ପୂର୍ଵରେ ଯୁକ୍ତ ହେଵା ‘ନାହିଁ’ ଅର୍ଥକ ପୂର୍ବ-ପ୍ରତ୍ୟୟ l (ଅଜଣା, ଅକାଳ, ଅକାମି ଇତ୍ୟାଦି) ଏହା ସଂସ୍କୃତଜ ପ୍ରତ୍ୟୟ !