ଦାରିଙ୍ଗବାଡ଼ି

ଲେଖା: ନିରଞ୍ଜନ ସାହୁ

ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ମଣ୍ଡଳରୁ ବ୍ରହ୍ମପୁର ମଣ୍ଡଳର କନ୍ଧମାଳ ଜିଲ୍ଲାକୁ ବଦଳି ହେଲା । ତେଣୁ ୨୦୦୭ ମସିହା ମଇ ମାସ ସାତ ତାରିଖରେ ବ୍ରହ୍ମପୁରରୁ ଚିଠି ନେଇ ଯିବାକୁ ହେଲା ଫୁଲବାଣୀ ଆଞ୍ଚଳିକ କାର୍ଯ୍ୟାଳୟକୁ । ସେଠାରୁ ହିଁ ମୋର ନିଯୁକ୍ତି ପତ୍ର (Posting Order ) ଧରି କୌଣସି ଶାଖାରେ ଯୋଗ ଦେବାକୁ ହେବ । ସେହି ଦିନ ବ୍ରହ୍ମପୁରରୁ ବସ୍ ଧରି କନ୍ଧମାଳ ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କଲି ।

ଉପକୂଳ ଅଞ୍ଚଳରୁ ଯାଇ ଏକ ପାହାଡ଼ିଆ ଜିଲ୍ଲାରେ ଯେ ଚାକିରି କରିବାକୁ ହେବ, ଏଇ କଥାଟିକୁ ହଜମ କରିବା କଷ୍ଟକର ଥିଲା । ତେଣୁ ମନରେ ଅସ୍ଥିରତା ସୃଷ୍ଟି ହେବା ସ୍ବାଭାବିକ । ମେ ମାସର ଖରା ସହ ନିର୍ଧୁମ ଗୁଳୁଗୁଳି । ବସ୍ ଭିତରେ ଝରକା କଡ଼ ସିଟ୍ ଗୋଟାଏ ମିଳିଯିବା ଦ୍ଵାରା ଟିକେ ଆଶ୍ୱସ୍ତି ଲାଗିଲା ଅବଶ୍ୟ । ବସ୍ ଯାତ୍ରା ଚାରି ଘଣ୍ଟାର। ତେବେ ଏହି ଦୀର୍ଘ ସମୟ ତ କିମିତି ହେଉ କଟେଇବାକୁ ହେବ, ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ।

ବସ୍ ଯାତ୍ରା ତ ପ୍ରାୟ ଦେଢ଼ ଘଣ୍ଟା ପୂରିବାକୁ ବସିଲାଣି ! ଏ ପର୍ଯ୍ୟନ୍ତ ତ କେବଳ ହାଟ, ବଜାର, ବିପଣୀ, ଜନପଦ ମଧ୍ୟରେ ଆମେ ଚାଲିଛୁ ! ତେବେ ଆଗରୁ ଶୁଣିଥିବା ‘ଫୁଲବାଣୀ ପ୍ରକୃତିର ଗନ୍ତାଘର’ କଥାଟା କ’ଣ ସତ୍ୟ ନୁହେଁ ? ଏମିତି ମନରେ କେତେ କେତେ କଥା ଆସି ଯାଉଥିବା ବେଳେ ବସ୍ ଭିତରୁ ଦେଖିବାକୁ ମିଳିଲା ସମ୍ମୁଖରେ ପର୍ବତମାଳା । ସେହି ପର୍ବତମାଳାର ପାଦଦେଶରେ ଗୋଟିଏ ହୋଟେଲ୍ ପାଖରେ ଅଟକିଲା ବସ୍ ଏବଂ ସବୁ ଯାତ୍ରୀ ଗୋଟି ଗୋଟି କରି ଓହ୍ଲାଇ ଗଲେ କିଛି ନା କିଛି ଖାଇନେବା ପାଇଁ । ମୁଁ ମଧ୍ୟ ଅନୁଧାବନ କଲି । ହୋଟେଲ ଓ ଆଖପାଖ ଦୋକାନ ମାନଙ୍କରେ ଲାଗିଥିବା ଫଳକମାନଙ୍କରୁ ଜାଣିବାକୁ ମିଳିଲା ଯେ ଏହି ସ୍ଥାନଟିର ନାଆଁ ‘ଦୁର୍ଗା ପ୍ରସାଦ’। ଏଇଠୁ ଶେଷ ହୋଇଗଲା ଐତିହ୍ୟ ସମ୍ପନ୍ନ ଗଞ୍ଜାମ ଜିଲ୍ଲାର ସୀମା ଏବଂ ପାହାଡ଼ର ପାଦଦେଶରୁ ଆରମ୍ଭ ହେଲା କନ୍ଧମାଳ ଜିଲ୍ଲା । ବୁଝିନେଲି ଏଇଠୁ ଗୋଟିଏ ଘାଟି ଆରମ୍ଭ, ତାପରେ ଜନପଦ ।

~ କଳିଙ୍ଗା ଘାଟି ~
ଯାତ୍ରା ଆରମ୍ଭ ହେଲା । ପାଖରେ ବସିଥିବା ସହଯାତ୍ରୀଙ୍କୁ ଜିଜ୍ଞାସା କରନ୍ତେ, ଉତ୍ତର ମିଳିଲା – “ଏହି ଘାଟିର ନାମ ହେଉଛି କଳିଙ୍ଗା ଘାଟି । ଏହା ତେର କିଲୋମିଟର ଦୀର୍ଘ ଏବଂ ୨୭୦୦ ଫୁଟ ଉଚ୍ଚ ।” ଘାଟିର ନାଁ ଶୁଣିବା ପରେ ନିଜକୁ ନିଜେ ପ୍ରଶ୍ନ ପଚାରି ନେଲି, ଏତେ ସୁନ୍ଦର ନାଁ କଳିଙ୍ଗ ଅପଭ୍ରଂଶ ହୋଇ କଳିଙ୍ଗା ହୋଇ ଯାଇନାହିଁ ତ ? ଆମ ଲୋକେ ସହଜେ ତ ଉଦାସ ପ୍ରକୃତିର ! ଟିକେ ପୂର୍ବରୁ ପରା ଛାଡ଼ି ଆସିଲି ଭଞ୍ଜଭୂମି ! ଯେଉଁଠି ସାହିତ୍ୟ ସୃଷ୍ଟି ହେଉଥିଲା ପୁରୁଷ ପୁରୁଷ ଧରି, ଯେଉଁଠି ଗୋଟିଏ ଶବ୍ଦର ବହୁ ଅର୍ଥ ବାହାର କରି କେତେ ‘ଅଳଙ୍କାର’, କେତେ ‘ଉପମା’, କେତେ ‘ଛାନ୍ଦ’ ବିଶିଷ୍ଟ କାବ୍ୟ ରଚନା କରି ସମଗ୍ର ବିଶ୍ବକୁ ଚମତ୍କୃତ କରିଦେଇଥିଲେ ସାର୍ବଭୌମ କବି ଉପେନ୍ଦ୍ର ! ହାୟରେ ବିଡ଼ମ୍ବନା ! ଭଞ୍ଜଭୂମି ଶେଷ ହେଉ ହେଉ ଏତେ ବଡ଼ ଅପଭ୍ରଂଶ ! ଇତିହାସ, ସାହିତ୍ୟ, ସଂସ୍କୃତି ଇତ୍ୟାଦିର ଧାର୍ ଧାରୁନଥିବା ଏହି ଲୋକଟି ପାଖରେ ଏହାର ଉତ୍ତର କିଛି ନଥିଲା । ତେଣୁ ପୂର୍ବବତ ଚାହିଁ ରହିଲି ଘାଟି ଦୁଇ କଡ଼ରେ ଥିବା ସବୁଜ ବନାନୀ ଓ ମୁଣ୍ଡ ଟେକି ଉଠିଥିବା ପର୍ବତମାଳାକୁ ।

ଗୋଟିଏ ପରେ ଗୋଟିଏ ବାଙ୍କ ମୋଡ଼ ଅତିକ୍ରମ କରି ଚାଲୁଥିଲା ବସ୍ । ଅପୂର୍ବ ଶ୍ୟାମଳିମା ଘେରରେ ହଜିଯାଉଥିବା ପରି ମନେ ହେଉଥିଲା । ହଠାତ ଯେମିତି କବିତାର ସ୍ଫୁରଣ ହେଉଥିଲା ମନର ନିଭୃତ କୋଣରେ । କବିଟିଏ ହୋଇଥିଲେ ହୁଏତ କିଛି ଗୋଟାଏ ଲେଖି ପକାଇଥାନ୍ତି ! କିନ୍ତୁ ତାହା ମୋ’ କର୍ତ୍ତୃତ୍ଵରେ ନଥିଲା। ତଥାପି ଯୁବାବସ୍ଥାରେ ପଢି଼ଥିବା ଧାଡ଼ି କେତୋଟି ମନେ ପଡ଼ିଗଲା —
“ସଙ୍ଗୀତ ଆବେଶେ ନାନାରୂପେ ମନ,
ଅତୀନ୍ଦ୍ରିୟ ଦେଶେ କରେ ବିଚରଣ ।
ଚାଲିଯାଏ ଶୂନ୍ୟେ ଶୂନ୍ୟେ କେଉଁ ସ୍ଥାନେ,
କି ଲୋଡ଼ିବା ଆଶେ ସେହି ତ ନ ଜାଣେ” । 
(ଚିଲିକା)

ଏମିତି ଯାତ୍ରୀବାହୀ ବସ୍ କଳିଙ୍ଗା ଘାଟିର ଉପରିଭାଗରେ ପହଞ୍ଚି ଆଗେଇ ଚାଲିଲା ଗନ୍ତବ୍ୟସ୍ଥଳ ଫୁଲବାଣୀ ସହର ଅଭିମୁଖେ । ଅପରାହ୍ନ ତିନିଟା ବେଳେ ପହଞ୍ଚି ଗଲୁ ସମସ୍ତେ State Bank ଆଞ୍ଚଳିକ କାର୍ଯ୍ୟାଳୟରେ। ମୋ ସହ ଥିଲେ ପନ୍ଦର ଜଣ ସରିକି ଅଫିସର । ଏଇଠି ଭାଗ୍ୟ, କର୍ମ ଇତ୍ୟାଦିର ପରୀକ୍ଷା । ଆଶା, ଉତ୍କଣ୍ଠା, ସମ୍ଭାବନାରେ ଏଇଠି ପୂର୍ଣ୍ଣଛେଦ ପଡ଼ିବ । ଆସିଥିବା ବନ୍ଧୁ ମାନଙ୍କ ମନରେ ଅନେକ ପ୍ରଶ୍ନ, “ସହରିଆ ଜାଗାଟିଏ ମିଳିବ ତ ?” ସହରିଆ ଜାଗା ଅର୍ଥ, ଟିକେ ରହିବା ପାଇଁ ଭଲ ଘର ଥିବ, ବଜାର ଟାଉନ ଥିବ, ବ୍ରାଞ୍ଚଟି ଭଲ ହୋଇଥିବ, ମୋବାଇଲ ନେଟୱର୍କ ଥିବ ଆଉ ବିଶେଷ କରି କଟକ ଭୁବନେଶ୍ୱରକୁ ସପ୍ତାହରେ ଥରେ ଯିବା ଆସିବା କରିବାପାଇଁ ଗମନାଗମନର ସୁବ୍ୟବସ୍ଥା ଥିବ ନିହାତି ପକ୍ଷେ !

ଏହି ମଧ୍ୟରେ ପାଖାପାଖି ତିନି ଘଣ୍ଟା ପରେ ସମସ୍ତେ ପ୍ରାୟ ଚିଠି (Posting Order ) ପାଇଗଲେ । କାହା ମନରେ ବିଷାଦର ଛାୟା, କାହାର ସ୍ମିତହାସ୍ୟ ! ମୋ ମନ ମରିଗଲା ଅର୍ଡର ପାଇବା ପରେ । ଶୁଣିଥିଲି ଦଣ୍ଡ ଜନିତ ବଦଳି  (Punishment Order) ଏହି ପରି ଜାଗାକୁ ହୁଏ ! ମୋ’ର ମନର ଅବସ୍ଥା ଧରା ପଡି଼ଗଲା ମାନବସମ୍ବଳ ମୁଖ୍ୟଙ୍କ ନିକଟରେ । ଟିକେ ପାଖେଇ ଆସି ସାନ୍ତ୍ଵନା ଦେଲେ ମୋତେ, “ଦୁଃଖ କରନ୍ତୁ ନାହିଁ । ସବୁ କିଛି ବିଚାରକୁ ନେଇ ଆପଣଙ୍କୁ ଶାଖାପ୍ରବନ୍ଧକ ଭାବେ ସ୍ଥାନିତ କରାଯାଇଛି । କର୍ମମୟ ଦିନଗୁଡ଼ିକ ଭିତରେ ଜୀବନକୁ ଉପଭୋଗ କରିବାର ସ୍ଥାନ ତ ହେଉଛି ଦାରିଙ୍ଗବାଡ଼ି ! “ଚିଠି ଧରି ନିଜକୁ ନିଜେ ସାନ୍ତ୍ଵନା ଦେଲି, ଅତୀତର ଗୋଟିଏ ଛୋଟ ଅନୁରୋଧ ମନେ ପକେଇ । ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ମୋ ଗେହ୍ଲା ଝିଅ ତା’ର ପାଠ୍ୟପୁସ୍ତକରେ ଥିବା ‘ଦାରିଙ୍ଗବାଡି – ଓଡ଼ିଶାର କାଶ୍ମୀର’ ଅଧ୍ୟାୟଟି ପଢ଼ି ମୋତେ ଅଳି କରିଥିଲା, ଥରେ ଦାରିଙ୍ଗବାଡ଼ି ଯାଇ ବୁଲି ଆସିବାକୁ । ସମ୍ଭବ ହୋଇ ନ ଥିଲା ଏପର୍ଯ୍ୟନ୍ତ କୋୖଣସି ପ୍ରକାରେ ! ଏବେ ମୋ ଝିଅର ସେହି ଇଛା ଅନ୍ତତଃ ପୂରଣ ହୋଇପାରିବ।

ଚିଠି ଧରି ଫେରି ଆସିଲି ଭୁବନେଶ୍ୱର । ଏଇଠୁ ନିଜର କିଛି ଜିନିଷ ପତ୍ର ଧରି ଦୁଇ ଦିନ ପରେ ଚାକିରିରେ ଯୋଗଦେବାକୁ ହେବ । ତେଣୁ ମେ ମାସର ଦଶ ତାରିଖରେ ପହଞ୍ଚିଲି ବାଲିଗୁଡ଼ାରେ । ସେଇଠୁ ସକାଳ ଛଅଟା ବେଳକୁ ଆଉ ଏକ ବସ୍ ଧରି ଚାଲିଲି ମୋ ଗନ୍ତବ୍ୟ ସ୍ଥଳକୁ । ମେ ମାସର ସକାଳ ଛଅଟାରେ ସବୁ ଫର୍ଚ୍ଚା ଦେଖାଯାଉଥାଏ । ଛୋଟ ଛୋଟ ପାହାଡ଼ିଆ ଘାଟି ଦେଇ ଆଗେଇ ଚାଲିଥାଏ କିରୋସିନ-ଡିଜେଲ ଚାଳିତ ଯାତ୍ରୀବାହୀ ଯାନଟି, ଘର୍ଘର ନାଦ କରି ! ପାଖେଇ ଆସୁଥାଏ କ୍ରମଶଃ ଦାରିଙ୍ଗବାଡ଼ି, ମୋ ଆଶା ଓ ସମ୍ଭାବନାର ସ୍ଥାନ, ଅଭିମାନର ବଦଳି ସ୍ଥାନ, ଭବିଷ୍ୟତର କର୍ମଭୂମି !

~ ନବ ଉନ୍ମାଦନା ~
କିନ୍ତୁ ଏ କ’ଣ ? ହଠାତ୍ ଦୃଶ୍ୟ ହେଲା ପାଇନ୍ ବୃକ୍ଷ ! ରାସ୍ତାର କଡ଼େ କଡ଼େ ସୁନ୍ଦର ପ୍ରାକୃତିକ ପରିବେଶରେ ବଢ଼ି ଉଠିଥିବା ପାଇନ୍, ଅନ୍ୟାନ୍ୟ ଜଙ୍ଗଲ ଜାତୀୟ ଉଦ୍ଭିଦ ! ଓଡ଼ିଶାରେ ପାଇନ୍ ବୃକ୍ଷ ! ଉପକୂଳବର୍ତ୍ତୀ ଗ୍ରୀଷ୍ମ କାହିଁ ? ଶୀତୁଆ ପବନ ଧୀରେ ଧୀରେ ପ୍ରବାହିତ ! ମେ ମାସର ସକାଳ ବେଳେ ଝରକାକାଚ ବନ୍ଦ କରି ବାହାରର ଦୃଶ୍ୟ ଦେଖିବାକୁ ଆରମ୍ଭ କଲି ! ଏ କ’ଣ ସତ୍ୟ ! ସକାଳ ନଅଟା ବେଳକୁ ପହଞ୍ଚି ଗଲି, କିଛି ଲୋକଙ୍କୁ ପଚାରି ପଚାରି ଷ୍ଟେଟ ବ୍ୟାଙ୍କ ଶାଖାର ଅବସ୍ଥିତି । ସେଦିନ ଥିଲା ରୌଦ୍ରଦଗ୍ଧ ମେ ମାସର ଦଶ ତାରିଖ । ଏଠାରେ ସ୍ଵୟଂ ବସନ୍ତ କ’ଣ ଆସ୍ଥାନ ଜମେଇ ଦେଇଛନ୍ତି !

ସେଦିନ ଠିକ୍ ଦଶଟା ବେଳକୁ କର୍ମସ୍ଥାନରେ ଯୋଗଦେବା ସହ, ମୋ ମନ ଘୁରି ବୁଲୁଥିଲା ଗୋଟିଏ ବସାଘର ପାଇଁ, କାରଣ ହୋଟେଲ ବା ଲଜ୍ ଦୃଷ୍ଟିରେ ପଡ଼ିନଥିଲା । ଭଡ଼ାଘର ନମିଳିବା ପର୍ଯ୍ୟନ୍ତ ଆଡ଼ଜଷ୍ଟ କରି ମୋତେ ଦାୟିତ୍ଵ ହସ୍ତାନ୍ତର କରିବାକୁ ଥିବା ମ୍ୟାନେଜରଙ୍କ ଘରେ ରହିବାର ଅନୁରୋଧକୁ ଆଉ ପ୍ରତ୍ୟାଖ୍ୟାନ କଲି ନାହିଁ । ଚାର୍ଜ ଦେବାନେବା ସମୟରେ ବନ୍ଧୁ ମୋତେ ପଚାରିଲେ, “ସାର୍, ଶୀତଲୁଗା କିଛି ସାଥିରେ ଆଣିଛନ୍ତି ତ ?”

ମନ ଭିତରେ ହସିଲି, ଏଇ ମେ ମାସରେ ଶୀତ ଲୁଗାର ଆବଶ୍ୟକତା ? ବନ୍ଧୁ ମୋତେ କହିଲେ, “ଆଜି ରାତିରେ ରହିବା ପରେ ସବୁ କିଛି ବୁଝି ପାରିବେ । ହାଲୁକା ଶୀତ ଅନୁଭବ କରିବେ ନିଶ୍ଚିତ ଭାବରେ ।” ବେଶ୍ ଖୁସି ଲାଗିଲା କଥା ଶୁଣି ।ଯେତେବେଳେ ମୋ ଓଡି଼ଶାର ଉପକୂଳ ଜଳୁଛି, ସେତେବେଳେ ଓଡ଼ିଶାର ଏହି ଦାରିଙ୍ଗବାଡ଼ି ଖଣ୍ଡରେ ଶୀତ ? ଯାହା ହେଉ ରାତିରେ ଦଶଟା ବେଳକୁ ଫ୍ୟାନ୍ ବନ୍ଦ କରି, ଏକ ହାଲକା ବେଡ଼ସିଟ୍ ଘୋଡ଼େଇ ହେବାକୁ ଆବଶ୍ୟକ ମଣିଲି !

~ ବାଇମାଲା ଘାଟି ~
ଯୋଗ ଦେବାର ତିନି ଦିନ ପରେ ଶନିବାର ଆସିଲା । ସେବେଳକୁ ଦାୟିତ୍ଵ ହସ୍ତାନ୍ତର କାର୍ଯ୍ୟ ଶେଷ ହୋଇଯାଇଥିଲା । ପୂର୍ବୋକ୍ତ ବନ୍ଧୁ ଶନିବାର ଦୁଇଟା ପରେ ନିଜ କାର୍ ଧରି ବାହାରିଲେ ଭୁବନେଶ୍ୱର । ପରିବାର ପାଖକୁ ଫେରି ଆସି ନିଜ ଚଳିବା ମୁତାବକ ଅନ୍ୟାନ୍ୟ କିଛି ବ୍ୟବହାର୍ଯ୍ୟ ସାମଗ୍ରୀ ନେଇ ସୋମବାର ଫେରି ଆସିବାକୁ ମନସ୍ଥ କଲି । ତେଣୁ ସାଥି ହୋଇ ତାଙ୍କ ସହ ବାହାରିଲି, ଦାରିଙ୍ଗବାଡି଼ ଠାରୁ ସୋରଡ଼ା ରାସ୍ତା ଦେଇ । ୩୨୦୦ ଫୁଟ ଉପରୁ ତଳକୁ ଆସିବାର ସ୍ପୃହା ବଢ଼ି ଯାଇଥାଏ। ଦାରିଙ୍ଗବାଡି଼ରୁ ବାଇମାଲା ଘାଟିର ୧୩ କି.ମି. ଅଙ୍କାବଙ୍କା ରାସ୍ତା ଦେଇ ପହଞ୍ଚିବାକୁ ହେବ ଗାଜଲବାଡ଼ି ନାମକ ସ୍ଥାନରେ, ଯେଉଁଠୁ ସମତଳ ଅଞ୍ଚଳ ଆରମ୍ଭ । ମୋ ବନ୍ଧୁ ବହୁତ ଧିରେଧିରେ ଗାଡ଼ି ଚଳାଉଥାନ୍ତି, ମୁଁ କିନ୍ତୁ ମଜ୍ଜି ଯାଇଥାଏ ଜଙ୍ଗଲର ଅପରୂପ ସୌନ୍ଦର୍ଯ୍ୟ ମଧ୍ୟରେ । ଘାଟି ରାସ୍ତା ଦେଇ ଆସୁଥିବା ସମୟରେ ମନର ଭୟ, ଛନକା, ବ୍ୟାକୁଳତା କିନ୍ତୁ ଦୂରେଇ ଯାଉଥାଏ, ପ୍ରକୃତି ମଧ୍ୟରେ ଏକାକାର ହୋଇଯିବାର ବାସନା ହେଉଥାଏ ଜାଗରିତ ।

ଅବର୍ଣ୍ଣନୀୟ ଶୋଭା ! ଅପରାହ୍ନ ଚାରିଟା ବେଳକୁ ଜଙ୍ଗଲର ସବୁଜିମାକୁ ଘେରି ଆସୁଥାଏ ସ୍ଵଳ୍ପ ସ୍ଵଳ୍ପ କୁହୁଡ଼ିର ଆସ୍ତରଣ । ଘାଟି ମଝିରେ ଗାଡ଼ି ଅଟକାଇ ଦୁହେଁ ନିଷ୍ପତ୍ତି ନେଲୁ, କିଛି ସମୟ ଏଠାରେ ରହି ମନ ଭରି ଉପଲବ୍ଧି କରି ନେବାକୁ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟ। ଶିହରଣ ଖେଳିଗଲା ମନରେ ! ଆଖି ପୂରେଇ ଦେଖି ନେଲି ପ୍ରକୃତି ସୁନ୍ଦରୀଙ୍କୁ । ମନେ ପଡ଼ିଗଲା —
“ଆହା ସେ ଶୋଭାର ନାହିଁ ପଟାନ୍ତର,
ଥିଲେ ଥିବ ସ୍ଵର୍ଗେ, ମର୍ତ୍ତ୍ୟେ ଅଗୋଚର ।

~ ଶୈଳନିବାସର ଇନ୍ଦ୍ରଜାଲ ସୃଷ୍ଟି ~
ପଛରେ ଦାରିଙ୍ଗବାଡି଼ ଛାଡ଼ି ଦେଇ ଆସି ଆମେ ଆଗେଇ ଚାଲିଥିଲୁ ଭୁବନେଶ୍ୱର ଅଭିମୁଖେ । ଦୁଃଖ ନଥାଏ, ଆଉ ଦୁଇ ଦିନ ପରେ ତ ଦର୍ଶନ ମିଳିବ, ସେହି ପାହାଡ଼ ପର୍ବତ ଘେରା, ସବୁଜିମା ଭରା, ପ୍ରକୃତି ସୁନ୍ଦରୀ ଦାରିଙ୍ଗବାଡି଼ ! ଘରେ ପହଞ୍ଚିଲି ।  ମୋ ସ୍ତ୍ରୀଙ୍କ ସମେତ ପିଲାମାନେ ଘେରିଯାଇ ମୋ ମୁହଁକୁ ବଲବଲ କରି ଚାହିଁଲେ ଓ ଭଲଭାବରେ ମୁହଁକୁ ଦେଖି ନେଲେ । ସେମାନଙ୍କ ଆଗରେ ଏକ ପ୍ରଶ୍ନବାଚୀ ଥିଲା, “ଏ କ’ଣ ? ବାପାଙ୍କ ମୁହଁର ଖରାଦିନିଆ ଲାଲ୍ ଦାଗ ଯେ ନିଶ୍ଚିହ୍ନ !” (ଏଇଠି କହିରଖେ, ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ଖରାଦିନ ଆସିଲେ ମୋ ମୁହଁ ଲାଲ ହୋଇ ଯାଉଥିଲା । କଟକର ଦୁଇ ଜଣ ଚର୍ମରୋଗ ବିଶେଷଜ୍ଞଙ୍କର ବିଭିନ୍ନ ପରୀକ୍ଷା ଏବଂ ଔଷଧ କୌଣସି ପ୍ରକାରର ଫଳ ଦେଇନଥିଲା । ମାତ୍ର ତିନି ଦିନର ଜଳବାୟୁରେ ଏତେ ପରିବର୍ତ୍ତନ !) ମୋ ସ୍ତ୍ରୀ କହିଉଠିଲେ, ସେ ଜଳବାୟୁ ହିଁ ତମର ଶ୍ରେୟଃ । ହେ ଈଶ୍ଵର, ତମରି ସୃଷ୍ଟିର ପଟାନ୍ତର ନାହିଁ । ତମେ ଗଢ଼ି ଦେଇଥିବା ପରିବେଶ, ଜଳବାୟୁ , ପ୍ରକୃତି ହିଁ ଏକମାତ୍ର ଡାକ୍ତର ଏହି ମାନବ ସମାଜ ପାଇଁ !

~ ଆକାଶେ କି ରଙ୍ଗ ଲାଗିଲା ~
ଦୁଇ ଦିନ ପରେ ବସ୍ ଯୋଗେ, ବାଲିଗୁଡ଼ା, ତାପରେ ସକାଳୁ ସକାଳୁ ଚାଲିଲି ଦାରିଙ୍ଗବାଡ଼ି । ସେହି ଶୀତଳତା, ସେହି ବସନ୍ତର ଅନୁଭବ । ବ୍ରାଞ୍ଚରେ ଯୋଗ ଦେଲି । ନିହାତି ତ ଏଠି ଦୁଇ ବର୍ଷ ରହିବାକୁ ହେବ, ତେବେ ତରବର ନ ହୋଇ ଏହି କାଶ୍ମୀରକୁ ଉପଭୋଗ କରିବାର ଅନେକ ସମୟ ପଡ଼ିଛି । ସେଦିନ ଅପରାହ୍ନ ଚାରିଟା ବେଳକୁ ହଠାତ ଆକାଶ ଲାଲ୍ ରଙ୍ଗରେ ରଙ୍ଗାୟିତ ହୋଇଉଠିଲା । ମୋ’ର ଫିଲ୍ଡ ଅଫିସର ମୋତେ ବାହାରକୁ ନେଇ ଆସି ଆକାଶକୁ ଚାହିଁବା ପାଇଁ ଇଶାରା ଦେଲେ । ଅପୂର୍ବ ଲୋହିତ ରଙ୍ଗର ବଳୟ ! ମୋତେ ବନ୍ଧୁ କହିଲେ, “ସାର୍, ଦେଖିବେ ପନ୍ଦର କୋଡ଼ିଏ ମିନିଟ୍ ମଧ୍ୟରେ ଅସରାଏ ବର୍ଷା ହେବ ।” ସତକୁ ସତ ତାହାହିଁ ହେଲା । ବର୍ଷା ହୋଇ ଥମିଗଲା ପରେ ଦେଖିଲି ରାସ୍ତାରେ ପାଣିର ଚିହ୍ନବର୍ଣ୍ଣ ନାହିଁ, ସବୁ ନିଗିଡ଼ି ଯାଇଛି । ମେ ମାସରେ ଆରମ୍ଭ ହୋଇଗଲା ଅଦିନିଆ ଶୀତ ।

ମନର ଉତ୍କଣ୍ଠାକୁ ଆଉ ସମ୍ଭାଳି ନପାରି ଯୋଜନା କଲି ଦାରିଙ୍ଗବାଡି଼ର ଶୋଭା, ଜଳବାୟୁ, ପରିବେଶକୁ ଉପଭୋଗ କରିବା ପାଇଁ । ସହଜେ ଦାରିଙ୍ଗବାଡି଼ ବ୍ଲକର ଆଉ ତିନୋଟି ଶାଖାକୁ ମାସରେ ଥରେ ଲେଖାଏଁ ପରିଦର୍ଶନରେ ଯିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଥିଲେ ମୋର କର୍ତ୍ତୃପକ୍ଷ, କାରଣ ସେ ସବୁ ବ୍ରାଞ୍ଚ ଗୁଡ଼ିକ ଥିଲା ଦୁର୍ଗମ ଅଞ୍ଚଳରେ । ସେଠାରେ ଥିବା ବ୍ୟାଙ୍କ ସମୂହର ଟେଲିଫୋନ ସେବା ମାସରେ ଅନ୍ତତଃ କୋଡ଼ିଏ ଦିନ ବ୍ୟାହତ ହୋଇଥାଏ । ତେଣୁ ବ୍ୟାଙ୍କର, କର୍ମଚାରୀଙ୍କ ଭଲମନ୍ଦ ବୁଝି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ଥିଲା ମୋର ଗୋଟିଏ ପ୍ରାଥମିକ କାର୍ଯ୍ୟ । ସେହି ହେତୁ ଦାରିଙ୍ଗବାଡି଼ ବ୍ଲକର ସମସ୍ତ ଜାଗା ବୁଲିବା ମୋ ପାଇଁ ଥିଲା ଏକ ଆଶୀର୍ବାଦ ସଦୃଶ ସର୍ବନିୟନ୍ତାଙ୍କର ।

ସେହି ଦୃଷ୍ଟିରୁ ନୈସର୍ଗିକ ଶୋଭାର ଭଣ୍ଡାର ଏହି ଦାରିଙ୍ଗିବାଡ଼ିକୁ ଅତି ନିକଟରୁ ଦେଖିବାକୁ ପାଇଲି ଏବଂ ମୋର ଅନୁଭୂତିକୁ ପରଶି ଦେବାକୁ ମନସ୍ଥ କଲି ।

~ ହିଲ୍ ଭିୟୁ ~
ରହିବାର ଦୁଇ ଦିନ ପରେ ମନର ଉତ୍କଣ୍ଠାକୁ ଆଉ ସମ୍ଭାଳି ପାରିଲି ନାହିଁ । ବାହାରିଲି ନିକଟସ୍ଥ ମୁଣ୍ଡିଆ ଉପରେ କରାଯାଇଥିବା ହିଲ୍ ଭିୟୁ ଦେଖିବାକୁ । ବ୍ୟାଙ୍କର ଦୁଇ ବନ୍ଧୁଙ୍କର ସହାୟତାରେ ପହଞ୍ଚିଲି ସେଇଠି । ସେମାନଙ୍କ ଠାରୁ ଟିକେ ଦୂରେଇ ଯାଇ ଏକୁଟିଆ ଛିଡ଼ା ହୋଇ ରହିଲି ପ୍ରକୃତିକୁ ଉପଭୋଗ କରିବା ପାଇଁ ।

ଅପରାହ୍ଣ ଆଗତ ପ୍ରାୟ । ସୂର୍ଯ୍ୟଙ୍କର ସୁନେଲି କିରଣ ବିଛୁରିତ । ମନରେ ଅପୂର୍ବ ସ୍ପନ୍ଦନ । ଆକାଶରେ ପକ୍ଷୀଗଣଙ୍କର ଚିରିଂ ମିରିଂ ଶବ୍ଦ କରି ସ୍ଵନୀଡ଼ ଅଭିମୁଖେ ଯାତ୍ରାରମ୍ଭ । ତଳେ ପୁଷ୍ପର ସମ୍ଭାର ସହ ସବୁଜ ଘାସର ଗାଲିଚା । ଚତୁଃପାର୍ଶ୍ଵ ସବୁଜିମା ଘେରା ଦୂର ଦିଗବଳୟରେ ଆକାଶ ମିଶିଯାଇଛି ଅବନୀ ସହ । ଧରଣୀରାଣୀ ତା’ର ଉତ୍ତୁଙ୍ଗ ମସ୍ତକ ଉତ୍ତୋଳନ କରି ଆଲିଙ୍ଗନ କରୁଛି ଆକାଶକୁ ସୁନେଲି ସୁନେଲି ସ୍ମିତହାସ୍ୟ ସହ । ନଇଁ ଆସୁଛି ସଞ୍ଜ । ଆହୁରି ରମଣୀୟ, ଆହୁରି କମନୀୟ, ଆହୁରି ଜୀବନ୍ତ ହୋଇଉଠୁଛି ଦୃଶ୍ୟରାଜି । ଆକାଶ ନିର୍ମଳ, ବାଦଲର ଚିହ୍ନବର୍ଣ୍ଣ ନାହିଁ । ସାନ୍ଧ୍ୟ କାଳୀନ ତାରାମାନେ ଫୁଟି ଉଠୁଛନ୍ତି ଗୋଟିଏ ପରେ ଗୋଟିଏ । ଦାଲୁକାଏ  ଦାଲୁକାଏ ମଳୟ ପବନରେ ଦେହ, ମନ ସବୁକିଛି ହୋଇଉଠିଛି ରୋମାଞ୍ଚିତ । ସାରା ରାତ୍ରୀ ଏଇମିତି ଆକାଶ ଓ ଅବନୀ କୋଳରେ ପୁହେଇ ଦେଲେ କ୍ଷତି କ’ଣ ? କିନ୍ତୁ
“ଇଚ୍ଛାମତେ କାହୁଁ ଚଳିବ ବା ଜନ,
ସମାଜେ ନିଜର ନୁହେଁ ନିଜ ମନ !”

ସମୟ ତ ଆମ ହାତରେ କେବେ ନଥାଏ । “ସନ୍ଧ୍ୟା ହୋଇଗଲାଣି ସାର୍, ଚାବି ଦେବାକୁ ହେବ, ତଳ ଫାଟକରେ ।” କଥା ଶୁଣି ସମ୍ବିତ୍ ଫେରି ପାଇଲି । ହଁ, ଏଥର ଅବ୍ୟାହତି ନେବାକୁ ହେବ । କେବଳ ଥିଲା, ଉପଲବ୍ଧି, ଉପଲବ୍ଧି, ଉପଲବ୍ଧି ! ବର୍ଣ୍ଣିବାର ଅପଚେଷ୍ଟାରୁ ନିସ୍ତାରିଲି । ଏବେ ଆଲୋକିତ ହୋଇ ଗଲାଣି ଅଦୂରର ରାସ୍ତା, ବିପଣୀ । ସ୍ଵପ୍ନାୟିତ ମନରେ ଉଙ୍କି ମାରିଲା, ଏଇ ଯେ ରାତ୍ରୀ ଉପଗତ !

~ କଫି ଗୋଲମରିଚ ଉଦ୍ୟାନ ~
ଦାରିଙ୍ଗବାଡ଼ି ଗାଁର ମୁଖ୍ୟ ଛକ, ଚାରିଛକ । ଟିକେ ତଳକୁ ଗଲେ ଆସିଯିବ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ କରାଯାଇଥିବା କଫି ଓ ଗୋଲମରିଚ ଉଦ୍ୟାନ । ଦୁଇଟି କଫି ଉଦ୍ୟାନ ଯଥାକ୍ରମେ କିଲାବାଡ଼ି ଓ ପ୍ଲିହେରୀ । କିଲାବାଡ଼ି କଫି ଉଦ୍ୟାନ ଷାଠିଏ ହେକ୍ଟର ପରିମିତ ଏବଂ ପ୍ଲିହେରୀ ଚବିଶ ହେକ୍ଟର ପରିମିତ । ଏହି ଦୁଇ ଉଦ୍ୟାନ ମଧ୍ୟରେ ଶାଳଗଛ, ତହିଁରେ ଲଟେଇଛି ଗୋଲମରିଚ ଲତା, ଛାଇରେ କଫି ଗଛ । ସମନ୍ଵିତ କୃଷି ପ୍ରଣାଳୀର ସୁନ୍ଦର ଉଦାହରଣ । ଧାଡ଼ି ଧାଡ଼ି ହୋଇ ଶାଳଗଛ ସବୁ ବହୁ ଉଚ୍ଚକୁ ଉଠିଯାଇଛି, ସୂର୍ଯ୍ୟକିରଣ ପାଇଁ ପ୍ରତିଯୋଗିତା ଆରମ୍ଭ କରି ପରସ୍ପର ମଧ୍ୟରେ । ଉଦ୍ୟାନ ସୂର୍ଯ୍ୟ କିରଣ ବିରହିତ । ଗ୍ରୀଷ୍ମଦିନେ ଥଣ୍ଡାର ଅପୂର୍ବ ଆନନ୍ଦ । ପାଦରେ ଚାଲି ଚାଲି ଏଇଠି ବୁଲିବାର ସୌଭାଗ୍ୟ ପ୍ରାପ୍ତି ଯେମିତି ଭାଗ୍ୟରେ ଥିଲେ ମିଳେ !  କ୍ଲାନ୍ତ ହେବା ପ୍ରଶ୍ନ ନାହିଁ ! ଭାବୁକର ମନ ନେଇ, ସୌନ୍ଦର୍ଯ୍ୟ ପିପାସୁର ଦୃଷ୍ଟିରେ ହେ ପାନ୍ଥ, ଏଇଠି ପଥଚାରୀ ହୋଇଯାଆନ୍ତୁ ତ ଥରେ, ଦେଖିବେ କିଛି ନା କିଛି ସୃଷ୍ଟି କରିବା ପାଇଁ କେମିତି ଉଚ୍ଚାଟିତ ହୋଇ ଯାଉଛି ମନ !

~ କିରିକୁଟିର ଏମୁ ~
ଦାରିଙ୍ଗବାଡ଼ି ଠାରୁ କିଛି ଦୂରରେ କିରିକୁଟି ଗାଁ, ଜଙ୍ଗଲ ପରିବିଷ୍ଟ । ଘରୋଇ ଉଦ୍ୟୋଗରେ ପ୍ରତିଷ୍ଠିତ ହୋଇଛି ଏକ ଏମୁ ଫାର୍ମ । ତାହାର ମାଲିକଙ୍କ ଅନୁରୋଧ କ୍ରମେ ପହଞ୍ଚିଲି ସେହି ଫାର୍ମରେ । ସେତେବେଳେ ଥିଲା ପ୍ରାରମ୍ଭ କାଳ । ସେହି ଅବସ୍ଥାରେ ଦଶଟି ଏମୁ ଦେଖିବାର ସୁଯୋଗ ମିଳିଲା। ୫-୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଏମୁମାନଙ୍କୁ ଦେଖି ମନ ଆକର୍ଷିତ ହୋଇଯାଇଥିଲା । ଗାଢ଼ ସବୁଜ ରଙ୍ଗର ଅଣ୍ଡା ଦେଖି ଆନନ୍ଦ ସଞ୍ଚରିଲା । ଏବେ ପଚାଶରୁ ଉର୍ଦ୍ଧ୍ବ ଏମୁ ଥିବାର ଖବର ପାଇଛି । ଏଠାକାର ଜଳବାୟୁ ଯେ, ଏମୁ ପକ୍ଷୀ ପାଇଁ ମନ୍ଦ ନୁହେଁ, ଧାରଣା ଦୃଢ଼ୀଭୂତ ହେଲା ।

~ ଈଶ୍ଵରୋପାସନା କ୍ଷେତ୍ର ~
ସମଗ୍ର ମାନବ ଜାତି ସହ ଯୋଡ଼ି ହୋଇଯାଇଛି ଈଶ୍ବରଙ୍କ ପ୍ରତି ଘୋର ବିଶ୍ୱାସ । ସେ ମନ୍ଦିର ହେଉ, ଗୀର୍ଜା ହେଉ, ବୃକ୍ଷର କୋରଟ ହେଉ, ମଣିଷ ପାଇଁ ସେ ସବୁର ଯାଏଆସ୍ କିଛି ନଥାଏ । ତେବେ ଯେଉଁଠି  ନୀରବତାର ରାଜୁତି, ସେଠାରେ ଈଶ୍ବରଙ୍କ ଉପାସନା ପାଇଁ କ୍ଷେତ୍ର ପ୍ରକୃଷ୍ଟ । ଏହି ଶାନ୍ତ, ଶୀତଳ, ନୀରବ, ସବୁଜିମା ଭରା ଉପତ୍ୟକା ବାଦ୍ ଯିବ ବା କେମିତି ? ଦାରିଙ୍ଗିବାଡ଼ି ଏକ ପଞ୍ଚାୟତ, ଏନ୍.ଏ.ସି. ବି ନୁହେଁ । ଖ୍ରୀଷ୍ଟିଆନବହୁଳ ବସତି ଏ’ଠି । ୨୫ରୁ ୩୦ ମଧ୍ୟରେ ଚର୍ଚ୍ଚ, ହିନ୍ଦୁ ମନ୍ଦିର ସଂଖ୍ୟା ହେଉଛି ତିନୋଟି । ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ମା’ ପାଟଖଣ୍ଡା ମନ୍ଦିର । ତେବେ ପାଟଖଣ୍ଡା ମନ୍ଦିରର ପରିବେଶ ନିଆରା । ମନ୍ଦିର ନାହିଁ, ତେନ୍ତୁଳି ଗଛ କୋରଟରେ ମାଁ ଙ୍କ ମୂର୍ତ୍ତି ସ୍ଥାପିତ । ଛାତ ନାହିଁ, ତେନ୍ତୁଳି ବୃକ୍ଷର ଗହଳିଆ ପତ୍ର ସବୁ ମାଁ ପାଟଖଣ୍ଡାଙ୍କ ଉପରେ ଛାତ ସଦୃଶ । ତେନ୍ତୁଳି ବୃକ୍ଷର ଶାଖା ପ୍ରଶାଖାରେ ଦେଖିବାକୁ ମିଳେ ଲାଲ୍ ରଙ୍ଗର କପଡ଼ାରେ  ମୁହଁ ବନ୍ଦ ହୋଇଥିବା ମାଟିର ଅସଂଖ୍ୟ ଅସଂଖ୍ୟ ଠେକି । ଏସବୁ ମାନସିକ ପୂରଣ ପାଇଁ ଶ୍ରଦ୍ଧାଳୁଙ୍କ ଦ୍ଵାରା ବନ୍ଧା ହୋଇଥିବା ଠେକି/ମାଟିପାତ୍ର । ପାଚେରୀ ବେଷ୍ଟିତ, ପ୍ରାୟ ଅଧ ଏକର ଜମି ବିସ୍ତାରିଛି କାୟା । ସନ୍ଧ୍ୟା ବେଳକୁ ଘଣ୍ଟ, ମାର୍ଦ୍ଦଳ, ଶଙ୍ଖଶବ୍ଦରେ ପ୍ରକମ୍ପିତ ହୋଇଯାଏ ଦାରିଙ୍ଗବାଡ଼ି ବଜାର ଓ ସନ୍ନିକଟ ଗ୍ରାମଗୁଡ଼ିକ । ଚୈତ୍ର ପୂର୍ଣ୍ଣିମାରୁ ଆରମ୍ଭ ହୋଇଯାଏ ନଅ ଦିନ ବ୍ୟାପି ପୂଜୋତ୍ସବ । କନ୍ଧମାଳ ଜିଲ୍ଲା ସହ ନିକଟବର୍ତ୍ତୀ ଜିଲ୍ଲା ଗଞ୍ଜାମ, ନୟାଗଡ଼, ବୌଦରୁ ଶ୍ରଦ୍ଧାଳୁମାନଙ୍କର ସମାଗମ ହୁଏ, ସ୍ଵତନ୍ତ୍ର ଯାତ୍ରା ବସେ । ସେହିଠାରୁ ପୁଣି ଆରମ୍ଭ ହୋଇଯାଏ ଦଣ୍ଡ ଯାତ୍ରା । ବିଭିନ୍ନ ଗ୍ରାମରୁ ବ୍ରତଧାରୀ ମାନେ ପନ୍ଦର ଦିନ ପର୍ଯ୍ୟନ୍ତ କ୍ରମାଗତ ଭାବେ ଆସି ଦଣ୍ଡନାଚରେ ମୁଖରିତ କରି ଦିଅନ୍ତି ମନ୍ଦିର ପରିବେଶ ଓ ଗାଁ ଦାଣ୍ଡ ।

ଅନ୍ୟ ପକ୍ଷରେ ପ୍ରତି ରବିବାର ଭିଡ଼ ପରିଲକ୍ଷିତ ହୁଏ ଚର୍ଚ୍ଚ ମାନଙ୍କରେ । ସେଦିନ ଦିନ ତମାମ ଚାଲେ ସାପ୍ତାହିକ ହାଟ । ଚର୍ଚ୍ଚରେ ସକାଳ ପ୍ରାର୍ଥନା ସାରି ହାଟକୁ ଆସିଯାନ୍ତି ପାଖାପାଖି ଦଶ କିଲୋମିଟର ଦୂରରେ ଥିବା ଗାଁ ଲୋକେ । ସମସ୍ତଙ୍କ ହାତରେ ନିଶ୍ଚିତ ଭାବେ ଦେଖିବାକୁ ମିଳେ ଛତାଟିଏ । ଜିଜ୍ଞାସା କରନ୍ତେ ଜାଣିବାକୁ ପାଇଲି ଯେ, ଏଠାର ଲୋକେ ଖରାରେ ଅଭ୍ୟସ୍ତ ନୁହଁନ୍ତି, ଦ୍ବିତୀୟତଃ ଯେ କୌଣସି ସମୟରେ ଅସରାଏ ବର୍ଷାର ସମ୍ଭାବନା !

~ ପାଙ୍ଗଲି ଉପତ୍ୟକା ~
“ସୁରୂପା ଅଂଶୁପା ଲୋକେ ଅଗୋଚର,
ପୂଜାସ୍ପଦ ହେଲା ଗୋଷ୍ପଦ ପୁଷ୍କର ।
   × × ×
ସ୍ଵଭାବେ ଗିରୀନ୍ଦ୍ର ହୋଇ ମେଘାସନ,
ଲଭି ନାହିଁ ଗିରି ସମାଜେ ଆସନ ।”

ଏହା ହିଁ ହେଉଛି ବିଡ଼ମ୍ବନା ଏ ରାଜ୍ୟର ! ଅନନ୍ୟ ସୁଷମାମଣ୍ଡିତ ସର ଓ ଅଂଶୁପା ଲୋକଲୋଚନକୁ ଆସି ପାରିଲା ନାହିଁ ।ମେଘାସନ ରହିଗଲା ସମ୍ପୂର୍ଣ୍ଣ ଆଢ଼ୁଆଳରେ ।

ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଯିବାକୁ ହେଲା ବ୍ରାହ୍ମଣୀଗାଁ ଓ ଗଦାପୁର ବ୍ରାଞ୍ଚକୁ ଗୋଟିଏ ବିଶେଷ କାମରେ, ଷ୍ଟେଟ ବ୍ୟାଙ୍କ ସେଣ୍ଟ୍ରାଲ ଅଫିସରୁ ଆସିଥିବା ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ । ଦାରିଙ୍ଗବାଡ଼ି ଠାରୁ ଚାଳିଶ କିଲୋମିଟର ଦୂର ଏହି ଶାଖା ଦ୍ଵୟ । ରାସ୍ତାରେ ମଝି ମଝିରେ ଗୋଟାଏ ଅଧେ ଗାଉଁଲି ଦୋକାନକୁ ବାଦ ଦେଲେ, ରାସ୍ତା ସମ୍ପୂର୍ଣ୍ଣ ଭାବେ ଜଙ୍ଗଲ ଘେରା । ପୁଣି ମାଓବାଦୀ ଆତଙ୍କ । ଯାହା ହେଉ ପହଞ୍ଚି, କାମ ଶେଷ କରି ଅପରାହ୍ନ ଚାରିଟା ବେଳକୁ ଫେରି ଆସିବା ପାଇଁ ଅଫିସରଦ୍ଵୟ ଆଗରୁ କହି ସାରିଥିଲେ । ସେ ସମୟରେ ବ୍ରାହ୍ମଣୀଗାଁ ମାଓ ଅଧ୍ୟୁଷିତ । ବ୍ରାଞ୍ଚରେ ପାଞ୍ଚଘଣ୍ଟା ବସି ରହିବା ମଧ୍ୟରେ ଦୁଇ ଚାରି ଜଣ ମାଓବାଦୀଙ୍କ ସହ କଥା ହେବାର ସୁଯୋଗ ମିଳିଲା । ଅତ୍ୟନ୍ତ ଭଦ୍ରୋଚିତ ବ୍ୟବହାର ସେମାନେ ଦେଖାଇଥିଲେ ଅବଶ୍ୟ । ଫେରିବା ସମୟରେ ଆମେ ପାଙ୍ଗଲି ଉପତ୍ୟକା ଓ ମିଡିୟୁବାନ୍ଦା ଜଳପ୍ରପାତ ଦେଖିବାକୁ ଅନୁରୋଧ କରିଥିଲେ ସେମାନେ । ଓଡ଼ିଶା ବାହାରୁ ଆସିଥିବା ହେତୁ ଏହା ସେମାନଙ୍କ ମନରେ ଆନନ୍ଦ ଦେବ ଭାବି, ମୁଁ ସେହି ଅତିଥି ମାନଙ୍କୁ ପ୍ରସ୍ତାବ ଦେଲି ଓ ଆନନ୍ଦର ସହ ସେମାନେ ଗ୍ରହଣ କରିନେଲେ । ଗାଡ଼ିକୁ ଅଟକାଇ ଦେଇ ଆମେ ସମସ୍ତେ ଚାଲିଲୁ ଉପତ୍ୟକା ଆଡ଼କୁ ।

ସେତେବେଳେ ସନ୍ଧ୍ୟା ଉପଗତ । ସୁକୁମାର ଚନ୍ଦ୍ର ତାଙ୍କର ଶୀତଳ କିରଣ ବିଛାଇବାରେ ବ୍ୟସ୍ତ । ଦିବସର ଗ୍ରୀଷ୍ମ ଅନ୍ତେ ଏବେ ଶାନ୍ତ, ଶୀତଳ ସବୁଜିମା ଭରା ଉପତ୍ୟକା । ମୃଦୁ ମନ୍ଦ ସମୀର ପ୍ରବାହିତ । ନୀରବ, ନିଥର ପରିବେଶ । ସୌନ୍ଦର୍ଯ୍ୟ ଭରପୂର । ପାଇନ୍, ସିଲଭର ଓକ୍ ପରିବେଷ୍ଟିତ ଅରଣ୍ୟାନୀ । କ୍ଷୁଦ୍ର ହିମାଳୟ ନୁହେଁ ତ ? ପାଇନ୍ ବୃକ୍ଷରାଜି ଦୋଳି ଖେଳିବାରେ ବ୍ୟସ୍ତ ସେମାନଙ୍କ ପ୍ରିୟ ବନ୍ଧୁ ମୃଦୁ ସମୀରଣ ଆଗମନରେ । ଏକ ଅତିନ୍ଦ୍ରିୟ ଜଗତକୁ ପ୍ରବେଶ କରିଯାଇଥିଲେ ସଭିଏଁ । କେବଳ ଉପଲବ୍ଧି !
ସ୍ନିଗ୍ଧ ତରୁପତ୍ରେ ମସୃଣ ଉପଳେ,
ଜକ ଜକ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ ।
ସର୍ପେ ଚିତ୍ର ଚନ୍ଦ୍ରଚୂଡ଼-ତନୁ ଭଳି ,
ଛାୟା-ମିଶ୍ର-କରେ ଶୋଭେ ବନସ୍ଥଳୀ ।

~ ମିଡିୟୁବାନ୍ଦା ଜଳପ୍ରପାତ ~
ଘଞ୍ଚ ଅରଣ୍ୟାନୀ, ସବୁଜିମା ଓ ଶୀତଳତା ମଧ୍ୟରେ ଯେବେ ଦର୍ଶକ ଅଭିଭୂତ ହୋଇଯାଏ, ସେତିକିବେଳେ ଆଖି ଆଗରେ ନାଚି ଉଠେ କଳକଳ ନାଦିନୀ ମିଡିୟୁବାନ୍ଦା (ମିଡୁ ବଣ୍ଡା) ଜଳପ୍ରପାତ । ମୂଖ୍ୟ ରାସ୍ତାରୁ (ଦାରିଙ୍ଗବାଡ଼ି ଠାରୁ ଦାସିଂବାଡ଼ି) ମାତ୍ର ଦୁଇ ଶହ ମିଟର ତଳେ ପ୍ରକୃତି ସୁନ୍ଦରୀ ସାଇତି ରଖିଛନ୍ତି ଏହି ଅପୂର୍ବ ଶୋଭାର ଖଜାନା ! ବିପଦ ଶଂକୁଳ ପାହାଚ ଆଉ ତିଖ ମଧ୍ୟ । ପ୍ରଥମେ ସହଜ, ପରେ କଷ୍ଟ । ଗୋଟିଏ ଦୁର୍ଲଭ ପଦାର୍ଥ ଟାଣିନିଏ ନିଜ ପାଖକୁ, ଯାହା ପାଖରେ ପହଞ୍ଚିବା ସହଜ ମନେ ହୁଏ । ସେହି ଦୁର୍ଲଭ ବସ୍ତୁ ଆକାଶ କୁସୁମ ସଦୃଶ । ତାକୁ ଛାଡ଼ି ଆସିବାକୁ ଯେଉଁ କଷ୍ଟ ମନରେ ଆସେ, ତାହା ଦ୍ଵିଗୁଣିତ ହୋଇଯାଏ ଯେତେବେଳେ ଶରୀର ପୀଡ଼ା ଆରମ୍ଭ ହୁଏ । ଆମର ଏହି ଜଳପ୍ରପାତ ପାଇଁ ସର୍ବାଦୌ ପ୍ରଜୁଜ୍ୟ ଏଇ କଥାଟି । ଦୁଇ ଶହ ମିଟର ଅତିକ୍ରମ କରି, ପାହାଚକୁ ପାହାଚ ଓହ୍ଲାଇ ସେଠି ପହଞ୍ଚିବା ଯେତେ ସହଜ, ତାକୁ ଛାଡ଼ି ଆସିବା ବେଳେ ମନର ଦୁଃଖ ସହ ଦୁଇ ଶହ ମିଟର ଉପରକୁ ଆସିବା ମଧ୍ୟ ସେତିକି କଷ୍ଟପ୍ରଦ । ହେଲେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଜଳପ୍ରପାତ ନ ଦେଖିଲେ ଦାରିଙ୍ଗବାଡ଼ି କୁ ପର୍ଯ୍ୟଟନରେ ଆସିବା ନିଶ୍ଚିତ ଭାବେ ଅପୂରଣୀୟ ରହିଯିବ । ହେ ପାନ୍ଥ ! ଦଣ୍ଡେ ନିମଗ୍ନ ହୋଇ ଛିଡ଼ା ହୋଇ ଯାଆନ୍ତୁ ତ ସେଇଠି, କାହିଁକି ନା,
“ପ୍ରଶାନ୍ତ, ନୀରବ ଗିରି ବନଦେଶ,
ନାହିଁ ଏଥି ନର ଚହଳର ଲେଶ ।
ଦୂର ଝରନାଦ, ଝିଙ୍କାରି-ଝଙ୍କାର,
କରେ ନିଶୀଥିନୀ-ପ୍ରଭାବ ପ୍ରଚାର” ।

~ ଅନନ୍ୟ ସୋନପୁର ~
ଏହା ଓଡ଼ିଶାର ତିରିଶ ଜିଲ୍ଲାରୁ ଗୋଟିଏ, ସୋନପୁର ନୁହେଁ । ଦାରିଙ୍ଗବାଡ଼ି ର ସୋନପୁର ! ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆଢ଼ୁଆଳରେ ଥିବା ସୋନପୁର ! ଦବେଡ଼ି ଘାଟି ଏବଂ ସୋନପୁର ? ଆଜ୍ଞା ହଁ, ସେହି ସୋନପୁର ଓ ଦବେଡ଼ିଘାଟି କଥା ହିଁ ଶୁଣୁଛନ୍ତି ! ଜୁନ୍ ମାସ ଅଠର ତାରିଖ । ମୋ ସ୍ତ୍ରୀ ଏବଂ ସାନ ଝିଅ ଆସି ପହଁଚିଲେ ମୋ ପାଖରେ । ଝିଅର ପିଲାଦିନର ଇଛା, ଦାରିଙ୍ଗିବାଡ଼ି ଦେଖିବି । ତେଣୁ ରବିବାର ଦିନ ବୁଲି ଯିବାକୁ ବନ୍ଦୋବସ୍ତ କରିଦେଲି ।

ସକାଳ ଆଠଟା ବେଳକୁ ଗାଡ଼ି ଧରି ଦାରିଙ୍ଗବାଡ଼ି ରୁ ବ୍ରାହ୍ମଣୀଗାଁ ରାସ୍ତାରେ ଚାଲିଲୁ ଦାସିଂବାଡ଼ି । ସେଠାରୁ ଡାହାଣହାତି ଗୋଟିଏ କିଲୋମିଟର ପଥୁରିଆ ରାସ୍ତା । ତାପରେ ଆରମ୍ଭ ହେଲା ଘାଟି ରାସ୍ତା, ଦବେଡ଼ିଘାଟି । ତଳକୁ ଲମ୍ବିଛି ସାତ କିଲୋମିଟର ପର୍ଯ୍ୟନ୍ତ । ଘାଟି ଶେଷଭାଗରେ ସୋନପୁର । ରାସ୍ତାର କଡ଼େ କଡ଼େ କିଛି କଣ୍ଟକିତ ଛୋଟ ଛୋଟ ଗଛ, ଜଙ୍ଗଲିଆ ଭେର୍ସୁଙ୍ଗ ଗଛ । ଘାଟିର ଅଙ୍କାବଙ୍କା ରାସ୍ତା ଦେଇ ଖସୁଥିଲୁ ତଳକୁ । ଗାଡ଼ି ଗତିକୁ ଧିର କରି ଡ୍ରାଇଭର କହିଲେ , “ସାର୍, ଏଇଠୁ ସୋନପୁର ଉପତ୍ୟକା ଓ ପ୍ରକୃତିକୁ ଭଲ ଭାବେ ଉପଭୋଗ କରିପାରିବେ ।” ତେଣୁ ଘାଟି ଆରମ୍ଭ ସ୍ଥାନରେ ରହିଗଲୁ ଆମେ ।

ଆଷାଢ଼ର ପହିଲି ମେଘ, ବାଦଲ ଖଣ୍ଡ ଆକାଶରେ ଦୃଶ୍ୟମାନ । ଧୂମ୍ରାଭ ବାଦଲ, କ୍ଷୁଦ୍ରାତି କ୍ଷୁଦ୍ର ଜଳ ବିନ୍ଦୁ ଗାଡ଼ିରେ ଦେଉଥିଲେ ମୃଦୁ ସ୍ପର୍ଶ । କୁହେଳିକା ସଦୃଶ ଆସ୍ତରଣ ଚତୁଃପାର୍ଶ୍ଵରେ । ମନେ ହେଉଥିଲା ଅତି ଗଭୀର ଚୁମ୍ବନ ଦେଇ ଯାଉଛନ୍ତି ବାଦଲ ଖଣ୍ଡ ! ଝରକାର କାଚ ଖୋଲିଦେଇ ହାତ ବାହାର କରି ନେଲା ମୋ ଝିଅ । ଶୀତଳତା, କେବଳ ଶୀତଳତା ! ଆମେ ସମସ୍ତେ ଧରିବାକୁ ଚେଷ୍ଟା କରୁଥିଲୁ ମେଘକୁ ! ତଳକୁ ଓହ୍ଲାଇ ଗଲୁ ସମସ୍ତେ । ମେଘର କ୍ଷୁଦ୍ର ପ୍ରଲେପ ମୋ ଶରୀରରେ ଅନୁଭୂତ ହେଲା । ମୁଁ ହଠାତ୍ ଯେମିତି ଗୋଟିଏ କବି ହୋଇ ଉଠିଲି ! ମନରେ ଆସିଲା, ଦୀର୍ଘ କେଇ ମାସର ରୌଦ୍ରତାପରେ ଉତ୍ତପ୍ତ ହୋଇ ପଡିଥିବା ଏହି ଶରୀରକୁ ଅଳ୍ପ ଦିନ ପୂର୍ବରୁ ବିସ୍ଥାପିତ ହୋଇଥିବା ମେଘକନ୍ୟା ଆଜି ଘରକୁ ବାହୁଡ଼ି ଆସିଛନ୍ତି ସୃଷ୍ଟିରେ ସଞ୍ଜିବନୀ ଭରିଦେବା ପାଇଁ ! ସେ ତ ଅଭିମାନିନୀ ! ତେବେ ତାଙ୍କର ମାନଭଞ୍ଜନ ପାଇଁ ଆଲିଙ୍ଗନ କରିବାକୁ ହେଲା କାହିଁକି ? କବି କିମିତି ବା ହୋଇ ପାରିଥାନ୍ତି, ଛନ୍ଦକବି ରାଧାମୋହନ ଯେ ଅଛନ୍ତି !
“ଏତେ ଦିନେ ମାନିନୀ ଗୋ,
ଏତେ ଦିନେ ଆସି,
ମାଟିର ଛାତିରେ ତୁମେ ପଡ଼ିଅଛ ଝାସି,
ଅସହ ବିରହ ପରେ,
ମେଘ କନ୍ୟା, ଆଗୋ ମେଘ କନ୍ୟା,
ଆଣିଅଛ ମିଳନର ମହ୍ଲାର ରାଗିଣୀ,
ଆଣିଅଛ ପ୍ରଣୟର ବନ୍ୟା।”

ଏମିତି କିଛି ସମୟ ସୁନ୍ଦରୀ ପ୍ରକୃତିରାଣୀଙ୍କ ସାନିଧ୍ୟ ଲାଭ ପରେ ପହଞ୍ଚି ଗଲୁ ଘାଟିର ଶେଷ ଭାଗ ସୋନପୁର ଗାଁରେ । ଘାଟି ଉପରୁ ପ୍ରତୀୟମାନ ହେଉଥିଲା, ଆମେ ଯେମିତି ଗୋଟିଏ ଗଭୀର କୂପ ମଧ୍ୟକୁ ପ୍ରବେଶ କରିବାକୁ ଯାଉଛୁ ! ସୋନପୁର ଉପତ୍ୟକା, ସୁନ୍ଦର ସମତଳ ଅଞ୍ଚଳ । ଧାନ କ୍ଷେତ, କୃଷକଙ୍କ ବଳଦ ଅଡ଼େଇ ଅଡ଼େଇ ନେବା ଦୃଶ୍ୟ, ସର୍ବତ୍ର କୁହୁଡ଼ିର ହାଲୁକା ଆସ୍ତରଣ, ପ୍ରବାହିତ ହେଉଛି ଝରଣା, ପକ୍ଷୀଙ୍କ ସମାଗମ, ଭାରି ସୁନ୍ଦରିଆ ଲଂଗଳା ପଲ୍ଲୀ । ଗାଁ ଭିତରେ ମାଟି ମୋରମ୍ ରାସ୍ତା । ଗାଁ ମୁଣ୍ଡରେ ମନ୍ଦିର, ଜଳେଶ୍ଵର ମହାଦେବଙ୍କର । ଜଳେଶ୍ଵର ମହାଦେବ ବର୍ଷ ତମାମ ଜଳ ମଧ୍ୟରେ । କଳକଳ ନାଦିନୀ ଝରଣା ଧୌତ କରି ଚାଲିଛି ଅବିରାମ ଗତିରେ । ଝରଣା ମଝିରେ ମନ୍ଦିର, ତା ମଧ୍ୟରେ ଶିବଲିଙ୍ଗ । ଫୁଲ, ଚନ୍ଦନ, ବେଲପତ୍ର, କ୍ଷୀର, ନୈବେଦ୍ୟ ଯାହା କିଛି ଅର୍ପଣ କଲେ ବି ସବୁ ସୁଅ ମୁହଁର ପତର ! ସର୍ବଦା ଦୃଶ୍ୟମାନ ହୁଅନ୍ତି ନାହିଁ ଶିବଲିଙ୍ଗ । ପ୍ରତି ମୂହୁର୍ତ୍ତରେ ଜଳ ବାହିବାକୁ ପଡ଼େ ସେବକମାନଙ୍କୁ । ବାହାର ଯାତ୍ରୀ ପହଞ୍ଚିଗଲେ, ବିନା ଦ୍ବିଧାରେ ଲାଗିଯାନ୍ତି ସେବକ ଓ ପୂଜାହାରୀ ଶୀଘ୍ର ଶୀଘ୍ର ଜଳ ବାହିବାକୁ । ଲିଙ୍ଗର ଅଗ୍ରଭାଗ ଦିଶିବା ପର୍ଯ୍ୟନ୍ତ ଚାଲେ ନିଷ୍କାସନ। ସେଠାରେ ଥିବା ପୂଜକ ଓ ସେବାୟତଙ୍କ ସହଯୋଗ ଓ  ଆତିଥେୟତା ଏବେ ବି ସ୍ମୃତିରେ ଉଜ୍ଜୀବିତ ଆମମାନଙ୍କର ।

~ ବରଫପାତ ~
ଏଠାରେ ଶୀତଦିନେ ତାପମାତ୍ରା ହାରାହାରି ସାତ ଡ଼ିଗ୍ରୀ । ତେବେ ସମୟ ସମୟରେ ଶୂନ୍ୟ ଡିଗ୍ରୀ ହୋଇଯାଏ ବୋଲି ଆମେ ବିଭିନ୍ନ ଖବରରୁ ଜାଣିବାକୁ ପାଆନ୍ତି । ‘ଓଡ଼ିଶାର କାଶ୍ମୀର’ ବୋଲି ବିଦିତ ଏହି ସ୍ଥାନରେ ବରଫପାତ ଦେଖିବାକୁ କେତେ ଇଛା ଥିଲା ମୋର, ତାହା ଟିକେ କହିରଖେ। ୨୦୦୮ ମସିହା ଜାନୁଆରୀ ମାସ ଦୁଇ ତାରିଖ । ପ୍ରବଳ ଜାଡ଼ । ଓଠକୁ ଓଠ ବାଜି ଯାଉଥାଏ । ସକାଳ ପାଞ୍ଚଟା ତିରିଶ ପାଖାପାଖି ହେବ ‌। ସାରା ବଜାର କୁହୁଡ଼ି ଆଚ୍ଛାଦିତ । ମୋ ଫିଲ୍ଡ ଅଫିସର ବ୍ୟାଙ୍କ ଗାଡ଼ି ଧରି ପହଞ୍ଚି, ମୁଁ ରହୁଥିବା ଘର କବାଟ ବାଡ଼େଇଲେ । ଏତେ ଶୀତରେ କିଏ ଆସିପାରେ ? କମ୍ବଳଟି ଘୋଡ଼ି ହୋଇ ବାଧ୍ୟରେ କବାଟ ଖୋଲିଲି । ବନ୍ଧୁ କହିଲେ, “ସାର୍, ଶୀଘ୍ର ବାହାରନ୍ତୁ, ବରଫ ପଡ଼ିଛି, ଦେଖିବାକୁ ଯିବା ।” ଏ ସୁଯୋଗ ଆଉ କିଏ ହାତଛଡ଼ା କରୁଛି ! ଧାଇଁଲି ପ୍ଲିହେରୀ ଗାଁକୁ, ବରଫ ପଡ଼ିଥିବା ଜାଗାକୁ । ବହୁ ଲୋକ ରୁଣ୍ଡ ହୋଇ ସାରିଥିଲେ ସେତେବେଳକୁ । ବାହାର ଅଞ୍ଚଳରୁ ଶୀତଦିନ କଟାଇବା ପାଇଁ ଆସିଥିବା ପର୍ଯ୍ୟଟକମାନେ ନିଜ ନିଜ ଗାଡ଼ି ଧରି ପହଞ୍ଚି ଯାଇଥାଆନ୍ତି । ଶୀତକୁ ଖାତିରି ନକରି, କୁହୁଡ଼ି ଆଡ଼େଇ ଦେଇ ପାର୍ଶ୍ଵସ୍ଥ ଗଛ ଗୁଡ଼ିକ ପାଖରେ ପହଞ୍ଚିଗଲୁ । ପତ୍ରଗୁଡ଼ିକ ଉପରେ ବରଫର ପତଳା ଆସ୍ତରଣ ! ସମସ୍ତଙ୍କ କ୍ୟାମେରା, ଫୋନ୍ ବ୍ୟସ୍ତ । ବାସ୍, ଭାବିନେଲି ମୋ ପର୍ଯ୍ୟଟନ ବୃଥା ଯାଇନାହିଁ କୌଣସି ମତେ , ସାକାର ହୋଇଗଲା ସ୍ଵପ୍ନ ! ପରେ ପରେ ଖବର ଆସିଲା ଯେ, ନିକଟସ୍ଥ ମୁଣ୍ଡିଆ, ସାନିକେତା, ଗ୍ରୀନବାଡ଼ି, ସିଆଙ୍ଗବାଲି, କଫି ଉଦ୍ୟାନ ଓ ହିଲ୍ ଭିୟୁ ଠାରେ ପତଳା ପତଳା ବରଫ ପାତ ହୋଇଛି ।

ଦାରିଙ୍ଗବାଡ଼ି ବେଶ୍ ଜଣାଶୁଣା ଏଠାରେ ହେଉଥିବା କୃଷିଜାତ ସାମଗ୍ରୀ ପାଇଁ । ହଳଦୀ, ତିଳା, ପାଳୁଅ, ଗୋଲମରିଚ ଇତ୍ୟାଦି ଚାଷ ଏଠାର ଲୋକଙ୍କ ଜୀବିକା । ସଲପ ଗଛ ମଧ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳେ । ବହୁ ଅତିଥି ପରାୟଣ ଏଠାର ଅଧିବାସୀ ମାନେ । କୁଟିଆ କନ୍ଧ ସମ୍ପ୍ରଦାୟର ଆଦିବାସୀମାନେ ଏଠାରେ ବାସ କରନ୍ତି। ଖାଦ୍ୟପେୟ ରୁଚିକର । ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ପ୍ରଭାବ ଏଠାରେ ପରିଲକ୍ଷିତ ହୁଏ । ଗମନାଗମନର ବ୍ୟବସ୍ଥା ମନ୍ଦ ନୁହେଁ ।

ଶୀତଦିନେ ଦାରିଙ୍ଗବାଡ଼ି ଓଡ଼ିଶାର କାଶ୍ମୀର ବୋଲି କହନ୍ତି ସମସ୍ତେ । ତେଣୁ ଶୀତଦିନେ ଥରେ ଯାଇ ବୁଲି ଆସିବାକୁ ମନସ୍ଥ କରିଥାନ୍ତି ଅନେକେ । କିନ୍ତୁ ଆଉ କେତେକ ପ୍ରସଙ୍ଗ ବା କଥା ଲୁଚି ରହିଯାଏ ଯେମିତି । ଶୀତ ଋତୁରେ ଭ୍ରମଣ ପାଇଁ ଆସୁଥିବା ପରିଦର୍ଶକ ମାନେ କେବେ ଗ୍ରୀଷ୍ମ ଋତୁ କଥା ଭାବି ନଥିବେ ! ଏହା ଶୈଳନିବାସ ସବୁ ଗୁଣରେ । ଖରାଦିନ ଠାରୁ ଆହୁରି ଉତ୍କୃଷ୍ଟ ବର୍ଷା ଦିନ, ତାଠାରୁ ଉତ୍କୃଷ୍ଟ ଶରତ, ହେମନ୍ତ ଓ ବସନ୍ତ ! ପ୍ରକୃତି ସୁନ୍ଦରୀ ଏଠାରେ ସ୍ଵୟଂ ବିରାଜମାନ କରିଥାନ୍ତି ସବୁବେଳେ । ବର୍ଷ ତମାମ ସ୍ଵାସ୍ଥ୍ୟପ୍ରଦ, ଆନନ୍ଦଦାୟକ ଆମର ଏଇ ଦାରିଙ୍ଗବାଡ଼ି । ଥରେ ଯାଇ ଦୂର ଜଙ୍ଗଲରେ ବସିପଡ଼ନ୍ତୁ ନା, ଆପଣ ଭାବୁକ, ପ୍ରେମିକ, କବି, ପ୍ରକୃତି ପିପାସୁ ଭାବେ ରୂପାନ୍ତରିତ ହୋଇଯିବେ ! ସରକାରଙ୍କ ଦ୍ଵାରା ପର୍ଯ୍ୟଟନ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି ଏଠି, ଏହା ଆନନ୍ଦର କଥା । ଏହାଦ୍ବାରା ବା ଅଧିକ ଦର୍ଶକ ସମାଗମ ହେତୁ, ଏହାର ନୈସର୍ଗିକ ଶୋଭା ବ୍ୟାହତ ହୋଇନାହିଁ, ବରଂ ପର୍ଯ୍ୟଟକ ମନରେ ଆସିଛି, “ଏହା ଓଡ଼ିଶାର କାଶ୍ମୀର ନୁହେଁ , ବରଂ ପୂର୍ବଭାରତର କାଶ୍ମୀର ହିଁ ଦାରିଙ୍ଗବାଡ଼ି !”

ଫଟୋ ସୌଜନ୍ୟ: ଷ୍ଟୁଡିଓ  ପ୍ରସାଦ, ରମେଶ ବଡ଼ାଇକ୍ 

1 thought on “ଦାରିଙ୍ଗବାଡ଼ି”

  1. Niranjan Sahu

    ଦାରିଙ୍ଗବାଡି ସତରେ ପୂର୍ବ ଭାରତର କାଶ୍ମୀର ।

Leave a Comment

Your email address will not be published. Required fields are marked *

Scroll to Top