ଖିରିସାଣି

ଲେଖା: ଶିଶିର ସାହୁ ମନୋଜ

ଯୁଗ ସହ ତାଳ ଦେଇ ସମାଜ ଓ ସଭ୍ଯତାରେ ପରିଵର୍ତ୍ତନ ଦେଖାଯାଏ । ସମାଜ ସହ ବଦଳେ ଉକ୍ତ ସମାଜରେ ପ୍ରଚଳିତ ଭାଷା ଓ ତହିଁର ଶବ୍ଦ ତଥା ତାହାର ଵ୍ଯଵହାର ।

ଆଜକୁ ପ୍ରାୟ ୧୦୦ ଵର୍ଷ ତଳେ ଭାରତରେ ଘୋଡ଼ା ମାନଙ୍କର ବହୁତ ଆଵଶ୍ଯକତା ଥିଲା, କିନ୍ତୁ ସମୟ ସହ ଗାଡି଼ମଟର ତାହାର ସ୍ଥାନ ଅଧିକାର କରିନେଇଛି । ଆଜି ଘୋଡ଼ା ସହିତ ତତ୍ ସମ୍ବନ୍ଧିତ ଶବ୍ଦ ମଧ୍ୟ ଵ୍ଯଵହାର ହେଵା ବନ୍ଦ ହୋଇଯାଇଛି ।

ତେଵେ ସାରଳାଯୁଗରେ ସମାଜରେ ଗାଈଗୋରୁଙ୍କ ଭଳି ଘୋଡ଼ା ମଧ୍ଯ ଏକ ଅତ୍ୟାଵଶ୍ୟକ ଜୀଵ ଥିଲା । ଘୋଡ଼ା ଦ୍ଵାରା ଦୂରଦେଶକୁ ଯାତ୍ରା ସମ୍ଭଵ ହୋଇପାରୁଥିଲା, ଯୁଦ୍ଧକ୍ଷେତ୍ରରେ ମଧ୍ୟ ଘୋଡ଼ାର ଵ୍ଯଵହାର ହେଉଥିଲା । ସେତେଵେଳେ ଘୋଡ଼ାର ହସକୁ ତତ୍କାଳୀନ ଓଡ଼ିଆ ଲୋକେ ଖିରିସାଣି କହୁଥିଲେ । ଘୋଡା଼ର ଏଭଳି ହସ ପାଇଁ ଆମ ଶାସ୍ତ୍ରୀୟ ଭାଷାରେ ଅନେକ ଶବ୍ଦ ରହିଛି ।

✓ଅଶ୍ଵହାସ
✓ଘୋଡା଼ହସା
✓ହ୍ରେଷାରବ
✓ଅଶ୍ଵଘୋଷ
✓ସ୍ଥାମ
✓ଅଵଚ୍ଛୁରିତକ
✓ରେଷ
✓ଉଚ୍ଚୈର୍ଘୋଷ
✓ଜୋହୂତ୍ର
✓କନିକ୍ରଦ
✓ହ୍ରେଷିନ
✓ହ୍ଲେଷା
✓ହ୍ରେଷା
✓ହେଷା
✓କୁହକାରାଵ
✓ଅଵକ୍ରନ୍ଦ
✓କ୍ରନ୍ଦହେଷିନ
✓କ୍ରନ୍ଦ୍ଯ
✓ଆଶୁହେଷସ
✓ଉଚ୍ଚୈଃଶ୍ରଵସ

ଘୋଡା଼ର ଏଭଳି ହିଁ ହିଁ ଵା  ହେଁ ହେଁ ଶବ୍ଦକୁ ଇଂରାଜୀରେ Neigh କୁହାଯାଏ ।

ସାରଳା ମହାଭାରତ ଓ ଅନ୍ୟାନ୍ୟ ପ୍ରାଚୀନ ସାହିତ୍ୟରେ ଆମେ ଖିରିସାଣି ଶବ୍ଦର ଵ୍ଯଵହାର ଥିଵା ଦେଖିଥାଉ ‌ । ସାରଳା ମହାଭାରତରେ ଯୁଦ୍ଧକାଳୀନ ଵର୍ଣ୍ଣନା ସମୟରେ କଵି ଖିରିସାଣି ଶବ୍ଦର ଵ୍ଯଵହାରରେ ଲେଖିଛନ୍ତି…

“ହସ୍ତୀଙ୍କର ଘଣ୍ଟାରବ ଗର୍ଜନର ବାଣୀ
କ୍ଷତ୍ରିର ଟଙ୍କାର ଅଶ୍ବଙ୍କର ଖିରିସାଣି”

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖିରିସାଣି ଶବ୍ଦଟି ଶାସ୍ତ୍ରୀୟ ହ୍ରେଷ୍ର ଓ ହ୍ରେଷଣ ଶବ୍ଦ ସହ ସମଦ୍ଧୃତ ବୋଲି ଉଲ୍ଲେଖ କରାଯାଇଛି ।

ସେହିଭଳି କଵିବର ରାଧାନାଥ ରାୟ ତାଙ୍କ ମହାଯାତ୍ରା କାଵ୍ଯରେ  ଘୋଡା଼ର ହସ ପ୍ରକାଶ ଅର୍ଥରେ ହ୍ରେଷାରବ ଶବ୍ଦକୁ ଉପଯୁକ୍ତ ମଣି ଲେଖିଛନ୍ତି:
“ଚକ୍ରର ଘର୍ଘରେ ବାଜି
ରାଜି ହ୍ରେଷାରବେ”

ପୁଣି ଅନ୍ଯ ଏକ ସ୍ଥାନରେ ସଂସ୍କୃତ ଶବ୍ଦକୁ ଓଡ଼ିଆ କ୍ରିୟାର ରୂପ ଦେଇ ହ୍ରେଷିଵା ଶବ୍ଦର ମଧ୍ୟ ଵ୍ଯଵହାର ହୋଇ ପଦେ ଲେଖିଛନ୍ତି:
“ହ୍ରେଷିଲେ ତୁରଙ୍ଗେ ଗଜେ
ଗର୍ଜିଲେ ଭୈରଵେ”

ଓଡ଼ିଆ ଭାଷାରେ ଖରିସାଣି ଛଡ଼ା ହ୍ରେଷ୍ରା ସହିତ ସମଦ୍ଧୃତ ଆଉ କେତେକ ଦେଶଜ ଶବ୍ଦ ମଧ୍ୟ ରହିଛି । ଯେପରିକି,
୧. ଭେରେଷା:
ଏ ଶବ୍ଦର ଅର୍ଥ ଭାଣ୍ଡ ଵା ନିର୍ଲ୍ଲଜ୍ଜ । ଯେଉଁ ଲୋକ ନିର୍ଲ୍ଲଜ ଭାବରେ ବଡ଼ ପାଟି କରି ହସେ ଓ କଥା କହେ ତାହାକୁ ଭେରେଷା କୁହାଯାଏ ।

୨. ହେରସା/ହେରେସା:
ଭେରେଷା ସହିତ ସମର୍ଥକ ଓ ସମଦ୍ଧୃତ ।

୩. ହେରେସେଇଵା/ହେରେଷେଇ ହେଵା:
ହେଁ ହେଁ ହୋଇ ନିର୍ଲଜ୍ଜ ଭାବରେ ହସିଵା, ହେଁ ହେଁ ଫେଁଫେଁ ହେଵାକୁ ହେରେଷେଇଵା କୁହାଯାଏ

ଖିରିସାଣି ପରି ଗଡ଼ଜାତରେ ହିନହିନାଇଵା କ୍ରିୟା ଶବ୍ଦ ଚଳୁଥିଲା  ଯାହାର ଶାସ୍ତ୍ରୀୟ ମାନକ ହିଣିହିଣେଇଵା ଅଟେ । ଏ ଶବ୍ଦଟି ଏକ ଧ୍ଵନ୍ଯାନୁକରଣ ଶବ୍ଦ ଓ ମୂଳତଃ ପ୍ରାକୃତ ଭାଷାରୁ ଯାଇ ଓଡ଼ିଆ, ବଙ୍ଗାଳୀ ଓ ହିନ୍ଦୀ ଇତ୍ୟାଦି ଭାଷାରେ ଚଳୁଅଛି । ଏହାର ଉପକୂଳ ଓଡ଼ିଶାରେ ମଧ୍ୟ ଵିଭିନ୍ନ ସମଦ୍ଧୃତ ରୂପ ଚଳୁଥିଵାର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖରୁ ଜଣାଯାଏ । ଯଥା:

✓ହିଁହିୟା — ଯେଉଁ ବ୍ଯକ୍ତି ସବୁଵେଳେ ହିଁ ହିଁ ହୋଇ ହସୁଥାଏ
✓ହିଁହେଁଈ/ହେଁହେଁଈ — ପ୍ରାୟତଃ ହିଁ ହିଁ ହେଁ ହେଁ ହେଇ ହସୁଥିଵା ସ୍ତ୍ରୀଲୋକ

✓ହେଁହେଁଇଁଆଁ — ଅତି ହସକୁରା ଵ୍ଯକ୍ତି

✓ହେଁହେଁୟାଁ — ଯେଉଁ ଵ୍ଯକ୍ତି ଉଚ୍ଚହାସ୍ଯ କରେ

ଖିରିସାଣି ଓ କିର୍’ସାନୀ ଶବ୍ଦ ମଧ୍ୟରେ ଵାହ୍ୟ ସାମଞ୍ଜସ୍ୟତା ଦେଖି କେହି କେହି ଏ ଉଭୟ ଶବ୍ଦକୁ ଏକ ଭାଵିପାରନ୍ତି କିନ୍ତୁ ପ୍ରକୃତରେ କିର୍ସାନୀ ବଣ୍ଡା ଵା ରେମୋ ଜନଜାତୀୟ ଲୋକଙ୍କ ଏକ ଗୋତ୍ର ଵିଶେଷ । ବାହାର ଲୋକେ ମୁଖ୍ଯତଃ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଅଧିବାସୀ ରେମୋ ଜନଜାତୀୟ ଲୋକଙ୍କୁ ବଣ୍ଡା ନାମ ଦେଇଛନ୍ତି । ଏମାନେ ମୁଣ୍ଡାଭାଷା ପରିବାର ଗୋଷ୍ଠୀର ଅଟନ୍ତି । ବଣ୍ଡା ଜନଜାତି ଗୋଷ୍ଠୀ ଗୋତ୍ରଭେଦରେ ମୁଖ୍ୟତଃ ନଅ ଭାଗରେ ଵିଭକ୍ତ ।

କ. ବଡ଼ନାୟକ
ଖ. ଶିଶା
ଗ. ମୁଦୁଲି
ଘ. ଚାଲାନ
ଙ. ଧାଙ୍ଗଡ଼ାମାଝି
ଚ. କିର୍’ସାନୀ
ଛ. ଝିଗିଡ଼ି
ଜ. ହୋର
ଝ. ମାନ୍ଦ୍ରା 

ଶେଷ ତିନୋଟି ଗୋତ୍ର ଅର୍ଵାଚୀନ । ବଣ୍ଡାସମାଜରେ ଯେଉଁ ଗୋତ୍ରୀ ଲୋକେ ନିଜ ସାମ୍ରାଜ୍ଯରକ୍ଷା ହେତୁ ଶତ୍ରୁ ସହ ସମ୍ମୁଖ ସମରରେ ଲିପ୍ତ ରହୁଥିଲେ ସେମାନଙ୍କୁ କିର୍’ସାନୀ କୁହାଯାଉଥିଲା । ଅଧୁନା କିର’ସାନୀ ଏକ ସଂଜ୍ଞାରେ ପରିଣତ ହୋଇଛି ।

କେହି କେହି ଭାବିପାରନ୍ତି କିର୍’ସାନୀ ଶବ୍ଦ କିଶାନ୍ ଶବ୍ଦରୁ ଆସିଥାଇପାରେ କିନ୍ତୁ ପ୍ରକୃତରେ ଏହାର ମୂଳ ବଣ୍ଡା ଶବ୍ଦ କିର୍ ଅଟେ ଯାହାର ମୁଖ୍ୟ ଅର୍ଥ ଯୁଦ୍ଧ, ଝଗଡ଼ା।

ସମୟ ସହ ଆମ ସମାଜରେ ଅନେକ ପରିଵର୍ତ୍ତନ ଘଟିଯାଇଛି । ଯାନ ଵାହନ ଚଳାଚଳ ପରେ ମଟର, କାର୍, ବସ୍, ଅଟୋ, ଟ୍ୟାକ୍ସି, ଜିପ୍, ଟ୍ରେକର ଇତ୍ୟାଦି ଵୈଦେଶିକ ଶବ୍ଦ ବହୁ ପ୍ରଚଳିତ ହୋଇଯାଇଛି । ଘୋଡା଼ର ଵ୍ଯଵହାର ବହୁମାତ୍ରାରେ ହ୍ରାସପାଇଵାରୁ ଦେଶରେ ସେମାନଙ୍କର ସଂଖ୍ୟା ମଧ୍ୟ ଅନେକାଂଶରେ କମିଯାଇଛି । ଘୋଡ଼ା ସହିତ ତା ସହ ସମ୍ବନ୍ଧିତ ଶବ୍ଦ ମଧ୍ୟ ଆଜି କେଵଳ ଅଭିଧାନରେ ହିଁ ମୁର୍ମୂଷୁ ଅଵସ୍ଥାରେ ପଡ଼ିରହିଛି ।

© ଶବ୍ଦଭେଦ

Leave a Comment

Your email address will not be published. Required fields are marked *

Scroll to Top