ସୌରଭିତ ସୃଷ୍ଟି: କବି ବତ୍ସା ଦାସ
ଓଡ଼ିଶାରେ ଶୈବ ଧର୍ମର ପ୍ରଚଳନ ବହୁ ପ୍ରାଚୀନ । ଏହାର ପ୍ରାଚୀନତମ ନିଦର୍ଶନ ହେଉଛି ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ କେଉଁଝର ଜିଲ୍ଲାର ଅସନପାଟ ଅଭିଲେଖରେ ଖୋଦିତ ନଟରାଜ ଶିବ ବିଗ୍ରହ । ପରେ ଏହି ଶୈବଧର୍ମ ଦଶମ ଓ ଏକାଦଶ ଶତାବ୍ଦୀ ବେଳକୁ ଏକ ପ୍ରକାର ରାଜଧର୍ମରେ ପରିଣତ ହୋଇ ଆଦର ଲାଭ କଲା । ସୋମବଂଶୀ ରାଜାଗଣ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ସେମାନଙ୍କ ରାଜୁତି ସମୟରେ ଅନେକ ଶିବ ମନ୍ଦିର ନିର୍ମାଣ କଲେ । ଫଳତଃ ଭୁବନେଶ୍ୱର ଠାରେ ବହୁ ଶିବମନ୍ଦିର ଗଢ଼ି ଉଠିଥିଲା । ଏବେ ଆମ ରାଜ୍ୟରେ ବହୁ ଧର୍ମମତବାଦ ପ୍ରଚଳିତ ହେଲେହେଁ ଶୈବଧର୍ମର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି ।
ଓଡ଼ିଶାରେ ଓଡ଼ିଆ ଭାଷାରେ ଲିଖିତ ଶୈବଧର୍ମର କଥା ବହୁ ପ୍ରାଚୀନ। ପ୍ରାକ୍ ସାରଳା ଯୁଗ ଓ ପରବର୍ତ୍ତୀ କାଳରେ ଏହାର ଦୃଷ୍ଟାନ୍ତ ଭରପୂର । ଏମାନଙ୍କ ମଧ୍ୟରେ କଳସା ଚଉତିଶା, ରୁଦ୍ର ସୁଧାନିଧି ଓ ସୋମନାଥ ବ୍ରତକଥା ଅଗ୍ରଗଣ୍ୟ ।
~ କଳସା ଚଉତିଶା ~
୧୯୩୧ ମସିହାରେ ବିଛନ୍ଦ ଚରଣ ପଟ୍ଟନାୟକ ହିଁ ପ୍ରାଚୀନ ପୋଥି କଳସା ଚଉତିଶାର ଆବିଷ୍କର୍ତ୍ତା । ଏହାର କବି ହେଉଛନ୍ତି ବତ୍ସାଦାସ । ଏହା ପ୍ରାକ-ସାରଳା ଯୁଗର ବୋଲି କେତେକ ସମାଲୋଚକ ମତ ଦେବା ବେଳେ କେତେକଙ୍କ ମତରେ ଏହା ସାରଳା ଦାସଙ୍କ ପରବର୍ତ୍ତୀ କାଳର ରଚନା ।
ତେବେ ଏପରି ସାହିତ୍ୟ ସମାଲୋଚନାର ଉର୍ଦ୍ଧ୍ବରେ ରହି ବତ୍ସାଦାସ କୃତ ଚଉତିଶାକୁ ଏଠାରେ ଉପସ୍ଥାପନା କରାଯାଇଛି ଯହିଁରେ ଶିବବିବାହ ବର୍ଣ୍ଣନା ଚମତ୍କାର ଭାବେ ରଚିତ ।
ଓଡ଼ିଶାର ପୁରପଲ୍ଲୀରେ ଅନୁଷ୍ଠିତ ହୁଏ ଦେବଦେବ ମହାଦେବଙ୍କ ସହ ଜଗତଜନନୀ ପାର୍ବତୀଙ୍କ ବିବାହ । ଶୀତଳଷଷ୍ଠୀ ଯାତ୍ରା । ମହାଦେବ ବର ରୂପେ ଓ ପାର୍ବତୀ କନ୍ୟା ରୂପରେ ଅଂଶଗ୍ରହଣ କରନ୍ତି ଏ ଯାତ୍ରାରେ ।
କଳସା ଚଉତିଶାରେ ବିବାହ ବର୍ଣ୍ଣନା ଏହିପରି:
“କ୍ଷିତିପତି ଠାକୁର ସେ କପିଳାସେ ସ୍ଥିତି ,
କ୍ଷୁଦ୍ର ବୁଦ୍ଧି ବଛାଦାସ କଳସା ପଢନ୍ତି ।”
ଶିବ ଓ ପାର୍ବତୀଙ୍କ ବିବାହ ବର୍ଣ୍ଣନାରେ ଏହି ଚଉତିଶାର କଳେବର ପୁଷ୍ଟ । ଚଉତିଶା ଆରମ୍ଭରେ ଗୌରୀଙ୍କୁ ବିବାହ କରିବାକୁ ଆସିଥିବା ବରର ବୟସ, ରୂପ ଇତ୍ୟାଦି ବର୍ଣ୍ଣିତ ହୋଇଛି କନ୍ୟା ଆଗରେ ତାଙ୍କର ସଖୀ ମାନଙ୍କ ମୁଖରେ । ବରଟା ନିପଟ ବୁଢ଼ା; ଶ୍ଵାସ ରୋଗାକ୍ରାନ୍ତ ହେତୁ ଦୀର୍ଘ ନିଶ୍ଵାସ ତ୍ୟାଗ କରୁଛି। ଯାନର ଅଭାବରେ ଏକ ହଡ଼ାବଳଦ ଚଢ଼ି ଆସିଛି, ରକ୍ତହୀନତା ଯୋଗୁଁ ଗୋଡ଼ହାତ ହଳଦିଆ ପଡ଼ିଯାଇଛି, ଆଖିରୁ ନେଞ୍ଜରା ବୋହୁଛି, ତୁଣ୍ଡରୁ ଲାଳର ଧାର ଛୁଟୁଛି, କାନରେ କାଠର କୁଣ୍ଡଳ ଦୁଇଟି ଝୁଲୁଛି । ଅଜ୍ଞାତ କୁଳଶୀଳ ଏହି ବୃଦ୍ଧ ଯୋଗୀ ଦୃଷ୍ଟି ଶକ୍ତି ହରାଇଛି । ତା’ ଦେହରେ କେବଳ ଚର୍ମର ଆବରଣ, ସାରା ଶରୀର ପାଉଁଶରେ ମଣ୍ଡିତ, ମସ୍ତକରେ ସର୍ପମାନ ଖେଳୁଛନ୍ତି, ଲଜ୍ଜା ନିବାରଣ ପାଇଁ ସେ କିଛି ଛିଣ୍ଡା କନା ଶରୀର ସାରା ଗୁଡ଼ାଇଛି । ଏହିପରି ଏକ କଦର୍ଯ୍ୟ, କଦାକାର ବୃଦ୍ଧ ଅନିନ୍ଦ୍ୟ ସୁନ୍ଦରୀ ଗୌରୀଙ୍କୁ ବିବାହ କରିବ, ଏହା ଜାଣି ମନ ବିଷାଦଗ୍ରସ୍ଥ ହୋଇଯାଉଛି ସେମାନଙ୍କର ।
ଗୌରୀ ଏପରି ବରକୁ ଗ୍ରହଣ କରିବାକୁ ରାଜି ହୋଇ ନାହାଁନ୍ତି; ତାଙ୍କ ମାତା ମଧ୍ୟ କନ୍ୟାର ଏପରି ଦୁର୍ଦ୍ଦଶା ଲକ୍ଷ୍ୟ କରି କ୍ରନ୍ଦନ କରିଛନ୍ତି । ଗୌରୀଙ୍କ ପିତା ରାଜା ହିମବନ୍ତଙ୍କ କଠୋର ଆଦେଶରେ ବିବାହ କାର୍ଯ୍ୟ ଆରମ୍ଭ ହୋଇ ଅନିୟମ ଓ ଶ୍ରଦ୍ଧାହୀନ ଭାବରେ ସମ୍ପାଦିତ ହୋଇଛି । ତାପରେ ଶିବ ପୂର୍ବୋକ୍ତ ରୂପ ତ୍ୟାଗ କରି ସ୍ଵଦିବ୍ୟମୋହନ ରୂପ ପ୍ରକାଶ କରିଛନ୍ତି । ବର ଯେ ଦେବ ଦେବ ମହାଦେବ, ଏକଥା ଜାଣି ଗୌରୀଙ୍କ ମାତା, ସଖୀଗଣ ଓ ଅନ୍ୟ ବନ୍ଧୁବାନ୍ଧବ ଆନନ୍ଦିତ ହୋଇଛନ୍ତି ।
କବିଙ୍କ ବର୍ଣ୍ଣନାଶୈଳୀ, ଚାତୁରୀ ଅତି ଚମତ୍କାର । ବିବାହ କାଳୀନ ଗୌରୀଙ୍କ ବେଶଭୂଷାର ବର୍ଣ୍ଣନା କବି ପ୍ରଦାନ କରିଛନ୍ତି, ସେଥିରେ ବତ୍ସାଦାସଙ୍କ ଅପୂର୍ବ କୃତିତ୍ୱ ପରିଲକ୍ଷିତ ହୁଏ —
“ଯୁବତୀ ସକଳ ମିଳି ହୁଳହୁଳି ଦେଲେ
ଜଗମୋହିନୀକି ଦିବ୍ୟ ବେଶ କରାଇଲେ ।
ଜାଇଫୁଲ କନିଅର ଖୋସାରେ ଖୋସିଲେ
ଯତନେ କସ୍ତୁରୀ ଚିତା କପାଳରେ ଦେଲେ ।
ରତ୍ନ ଓଢି଼ଆଣୀ ଚୂଡି଼ ମଥାରେ ସୀଉନ୍ତି
ରାମ ଅଭିଷେକ ଚୁଡ଼ି ନାସେ ଗଜମୋତି ।
ରୁଣୁ ଝୁଣୁ ବାଜୁଅଛି ପୟରେ ନୂପୁର
ରାଜୀବଦଳ ଲୋଚନେ ରଞ୍ଜିଲେ କଜ୍ଜ୍ଵଳ ।”
ବର ଶିବଙ୍କ ବର୍ଣ୍ଣନା ନିମ୍ନ ମତେ କରିଛନ୍ତି କବି:
“ଘଟ ଘଟ ହୋଇ ଲାଳ ବହୁଛି ତୁଣ୍ଡର
ଘନ ଜଟା ଲୋଚା ଏକ ବାନ୍ଧିଛି ମୁଣ୍ଡର ।
ନ ଚିହ୍ନଇ ମନୁଷ୍ୟ ସେ ନ ଦେଖେ ନୟନ
ନିକଟେ ଡାକିଲେ ନ ଶୁଣେ ତା ବେନି କର୍ଣ୍ଣ ।
ନଖ ମୁଖ ଚକ୍ଷୁଷ୍ମାନ ପଶିଲା ଭିତର
ନୂଆ ଖଣିଖଣା ପ୍ରାଏ ଦିଶୁଛି ଉଦର ।
ଛିନ୍ନ ଅଙ୍ଗେ ଛିଣ୍ଡା ଗନ୍ଥା ଲାଗିଛି ତାହାର
ଛାର ପାଉଁଶ ଲୋଚାଏ ଲେପିଛି ଶରୀର ।
ଛନ୍ଦିଅଛି ସର୍ପମାଳି ମୁଣ୍ଡେ ଆଭରଣ
ଛଟକେ ଭେଳିକି ବୁଢ଼ା ଲଗାଇଲା ଜାଣ ।”
ଲୌକିକ ଭାବରେ ଓ ପରିହାସ ବ୍ୟଞ୍ଜକ ଭାଷାରେ ଦେବଦେବ ମହାଦେବଙ୍କର ଏପରି ବର୍ଣ୍ଣନା ଏବଂ ବେଦୀ ଉପରେ ଅତିଶୟ ବାର୍ଦ୍ଧକ୍ୟ ହେତୁ ମୂର୍ଛା ଯିବା ଦୃଶ୍ୟର ବର୍ଣ୍ଣନା ବିଶୁଦ୍ଧ ହାସ୍ୟରସ ସୃଷ୍ଟି କରେ । ବାପା, ଅଜା ବୟସର ଜଣେ ବୃଦ୍ଧକୁ ଜଣେ ଷୋଡ଼ଶୀ ସହ ଛନ୍ଦି ଦେଲେ, କନ୍ୟା ଓ କନ୍ୟାମାତାଙ୍କର ଅବସ୍ଥା ଯାହା ହୁଏ ତାହା ସହଜେ ଅନୁମେୟ । କନ୍ୟା ବରଂ ବାଡ଼ୁଅ ରହିଯିବ ନଚେତ ଆତ୍ମହତ୍ୟାର ରାସ୍ତା ଖୋଜିନେବ । ଏହିଠାରେ କରୁଣ ରସ ଉଦ୍ରେକ ହୋଇଛି କଳସା ଚଉତିଶାର ପଦ ମାଧ୍ୟମରେ:
“ଦରିଦ୍ର ହୀନ ବୁଢ଼ାକୁ ଯେବେ ମୋତେ ଦେବୁ ,
ଦୁଇ ନୟନରେ ମୋର ମରଣ ଦେଖିବୁ ।”
ଏକଥା ଶୁଣି ମାତା ନିଜକୁ ସମ୍ଭାଳି ନପାରି କହିଉଠିଛନ୍ତି:
“ନୋହିଲେ ବୁଡ଼ିବୁ ମାଏ ଝିଅ ଦୁହେଁ ହୋଇ
ନୋହିଲେ ମରିବୁ ସ୍ଵହସ୍ତରେ ବିଷ ଖାଇ ।”
ଏସବୁ ମଧ୍ୟରେ ଶିବ ନିଜର ସ୍ଵରୂପ ଧାରଣ କରି ସମସ୍ତଙ୍କୁ ଆନନ୍ଦ ଦେଇଛନ୍ତି । ଶିବ ପାର୍ବତୀ ବିବାହ ସମ୍ପନ୍ନ ହୋଇଛି ।
ସମକାଳୀନ ସମାଜରେ ପ୍ରଚଳିତ ବିବାହ ଅନୁଷ୍ଠାନର ଏକ ନିଖୁଣ ଚିତ୍ର ରୂପାୟିତ ହୋଇଛି ଏହି ଚଉତିଶାରେ । ଏହାହିଁ ହେଉଛି ସେ ସମୟର ଧନୀ ବ୍ୟକ୍ତି ବୃଦ୍ଧ ଓ କଦାକାର ହେଲେହେଁ ଗରୀବ ଲୋକେ ବାଧ୍ୟ ହୋଇ ନିଜର କନ୍ୟାକୁ ସମର୍ପି ଦେଉଥିଲେ ସେହି ମାନଙ୍କ ହାତରେ । ନିଖୁଣ ସାମାଜିକ ଚିତ୍ର ଆଙ୍କି ଦେବାରେ ବତ୍ସାଦାସ ହିଁ ଓଡ଼ିଆ ସାହିତ୍ୟର ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି ।
ଆଧାର: ଓଡ଼ିଆ ସାହିତ୍ୟର ଇତିହାସ, ଶ୍ରୀ ସୁରେନ୍ଦ୍ର ମହାରଣା