ଭାଷା ଓ ସାହିତ୍ୟ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ
~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~
“ଗୋଟିଏ କଥା ମନରେ ଉଠେ, ଯେଉଁ ଦେଶ ଓ ସମାଜରେ ମୂର୍ଖ ପୂଜାପାନ୍ତି ଓ ପଣ୍ଡିତେ ଉପାସେ ମରନ୍ତି, ଯେଉଁଠି ଉପର ପାହାଚର ଲୋକ ତଳ ପାହାଚର ଲୋକକୁ ଉଠେଇନେବା ପରିବର୍ତ୍ତେ ଗୋଇଠା ମାରି ଚାପିଦେବାରେ କୃତକୃତ୍ୟ ବୋଧ କରନ୍ତି, ଯେଉଁଠି ଧନ ଓ ପଦର ଭୟରେ ଗୁଣ ଦାସ ହୋଇରହେ ବା ବାନପ୍ରସ୍ଥ ଅବଲମ୍ବନ କରେ, ସେ ଦେଶ ଓ ସମାଜ ପୁଣି କବିତାର ଅନୈତିକତା ବିଚାର କରିବ ? ରଘୁବଂଶରେ କାଳିଦାସ ଈଶ୍ଵରଙ୍କୁ କବି ବୋଲି ସ୍ତୁତି କରିଛନ୍ତି। ସୃଷ୍ଟିରୂପୀ ମହାକାବ୍ୟର ଲେଖକ ଭାବରେ ସ୍ରଷ୍ଟା ପ୍ରକୃତରେ ହିଁ ମହାକବି। କବିମାନଙ୍କର ବିଚାର ତାଙ୍କରି ହାତରେ।
ଅନ୍ୟପକ୍ଷରେ ଏହା ବିନା ବିବାଦରେ ସ୍ଵୀକାର୍ଯ୍ୟ ସେ ସାହିତ୍ୟର ସମାଜ ପ୍ରତି ସେହିପରି କର୍ତ୍ତବ୍ୟ, ଅନୁଗତା ପତ୍ନୀର ଯେ କର୍ତ୍ତବ୍ୟ ଉଚ୍ଛୃଂଖଳ ସ୍ଵାମୀ ପ୍ରତି। ସାଧ୍ଵୀ ସ୍ତ୍ରୀ ଯେପରି ରତି ହୋଇ ସ୍ଵାମୀର ମନୋହରଣ କରିବ, ଅଥଚ ମନ୍ତ୍ରୀ ହୋଇ ତାକୁ ନିୟନ୍ତ୍ରଣ କରିବ, ସାହିତ୍ୟର ସମାଜ ପ୍ରତି ବ୍ୟବହାର ସେହି ପଦ୍ଧତି। ନିଷେଧ ଜାଲରେ ବ୍ୟକ୍ତିର ହାତଗୋଡ଼ ବାନ୍ଧି ତାକୁ ବଡ଼ କରିବାର ପ୍ରଥା ଏଠିକାର ପ୍ରଥା ନୁହେଁ। ସାହିତ୍ୟର ପ୍ରଥା ହେଉଛି, ଅନୁଭୂତିର ରସ ସଞ୍ଚାର କରି ଜଡ଼଼କୁ ପ୍ରାଣବାନ୍ ଓ ଆତ୍ମଚେତନର କରିବାରେ। ପ୍ରାଣ ନୀତି ନୁହେଁ କି ଅନୀତି ନୁହେଁ। ତା’ର ଲକ୍ଷଣ ହେଉଛି ଯେ, ତାହା ଶକ୍ତିରେ ଚଞ୍ଚଳ ଓ ଅନୁଭୁତିରେ ସରସ। ସାହିତ୍ୟର ଲକ୍ଷଣ ମଧ୍ୟ ଏହା ହିଁ ବା ଏହା ହେବା ଉଚିତ। ମୋ କବିତାରେ ଏ ଲକ୍ଷଣ ଅଛି କି ନାହିଁ ତାହା ମୋ ଅପେକ୍ଷା ପାଠକମାନେ ବେଶୀ ବୋଧ କରିବାର କଥା . . ” — ଏ ଅଭିବ୍ୟକ୍ତି ଥିଲା ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରଥିତଯଶା ଯୁଗପୁରୁଷ ଲେଖକ ଡ. ମାୟାଧର ମାନସିଂହଙ୍କର।
ଏହି କୃତୀ ପୁରୁଷଙ୍କର ଆବିର୍ଭାବ ଘଟେ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ (୧୯୦୫) ଓ ନିର୍ବାଣପ୍ରାପ୍ତି ବିଂଶ ଶତାବ୍ଦୀର ୧୯୭୩ ମସିହାରେ। ଦୀର୍ଘ ୬୮ ବର୍ଷ ଯାତ୍ରା ମଧ୍ୟରେ ଅର୍ଦ୍ଧ ଶତାବ୍ଦୀ ବିନିଯୋଗ ହୁଏ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ। ପ୍ରଥମ ଲେଖା (କବିତା) ‘ତରୁଣ କବିର ଆଶା’ ପ୍ରକାଶିତ ହୁଏ ଉତ୍କଳ ସାହିତ୍ୟ ପତ୍ରିକାରେ (୩୨/୧) ଅପ୍ରେଲ ୧୯୨୮ ସଂଖ୍ୟାରେ । ପ୍ରଥମ ପୁସ୍ତକ #ଧୂପ ପ୍ରକାଶିତ ହୁଏ ୧୯୩୧ ମସିହାରେ କଟକ ସ୍ଥିତ ପ୍ରଗତି ସଂଘ ଦ୍ଵାରା । ଅର୍ଥାତ ୨୩ ବର୍ଷ ବୟସରେ ପ୍ରଥମ ସ୍ଵୀକୃତି ମିଳିଲା ସେ ସମୟର ସାହିତ୍ୟିକ ଗୋଷ୍ଠୀ ମାନଙ୍କ ସହ ଆସନଟିଏ ପାଇବାକୁ ! ଏହି ଆସନଟି କିନ୍ତୁ ଆଉ ଟିକିଏ ଦୃଢ଼ ହୋଇଗଲା ତାଙ୍କର ପ୍ରଥମ କବିତା ପୁସ୍ତକ ଧୂପ ଆତ୍ମପ୍ରକାଶ କରିବା ହେତୁ।
ଏଇଠି ଗୋଟାଏ ବଡ଼ ଭୁଲ୍ ହୋଇଗଲା ! ଅସାମାନ୍ୟ ସଫଳତା ଆଣି ଦେଲା କବିତା ପୁସ୍ତକ ଧୂପ। “ଧୂପ”ରେ ପ୍ରଣୟସିକ୍ତ ତରୁଣ କବିପ୍ରାଣର ଅପୂର୍ବ ଭାବୋଚ୍ଛ୍ଵାସ, ସରଳ ମଧୁର ଭାଷା, ପ୍ରବହମାନ ଛନ୍ଦ, ଜଣେ ଦରଦୀ କିଶୋରର ନିଃସଙ୍ଗତା ସୃଷ୍ଟି କଲା ଏକ କାବ୍ୟ ନିର୍ଝରିଣୀ । ଏହାର କାବ୍ୟିକ ସୌକୁମାର୍ଯ୍ୟ ମଧ୍ୟରେ ଅବଗାହନ କରି ରସସିକ୍ତ ପଂକ୍ତିସମୂହ ଅନୁରଣିତ ହେଲା ଉତ୍କଳର ଶତ ଶତ ତରୁଣ ଓ କିଶୋରଙ୍କ ହୃଦୟରେ —
ଶୁଣିବ ଯେବେ ପ୍ରିୟା ଗୋ ମୋର
ପ୍ରଣୟୀ ତବ ଜଗତେ ନାହିଁ,
ଆସିବ ମୋର ଭସ୍ମ ପାଶେ
ଦେବ ହେ ତାରେ ଦେହର ଛାଇ ।
ପାରିବ ଯଦି ଭସ୍ମ ପରେ
ପଦ୍ମ ପାଦ ଚାଲିବ ଧୀରେ,
ଜୀବନ ପୁଣି ଲଭିବି ସଖି
ନିଶ୍ଚୟ ମୁଁ ମରଣ-ତୀରେ ।
ଏଇଠି ପୁଣି ଗୋଟାଏ ବଡ଼ ଭୁଲ ହୋଇଗଲା ! ମାନସିଂହ ହୋଇଗଲେ ପ୍ରେମ ଓ ପ୍ରଣୟର କବି ! ! ! ଆଉ ପାଠକେ ଆଗକୁ ବଢ଼ିଲେ ନାହିଁ। ତାଙ୍କର (ମାନସିଂହ) ବିପୁଳ ସୃଷ୍ଟି ଯେମିତି ଶ୍ମଶାନିତ ହୋଇ ଆସୁଥିଲା ! କିନ୍ତୁ ଏହି ପ୍ରେମ କବିତା ଯେ, ତାଙ୍କ ସୃଷ୍ଟି ସମ୍ଭାରର ଏକ କ୍ଷୁଦ୍ର ଅଂଶ ବିଶେଷ; ଏହାକୁ ଗ୍ରହଣ କରିବା ପାଇଁ ପଛେଇଗଲେ ସାଧାରଣ ପାଠକେ ! ତେଣୁ ସାହିତ୍ୟ ଚର୍ଚ୍ଚାରେ ଅଳ୍ପକେ ସନ୍ତୁଷ୍ଟ ହେଉଥିବା ପାଠକମାନଙ୍କ ମତରେ ସେ “ପ୍ରେମିକକବି” !
କେତେ ବିଡ଼ମ୍ବନା ସତେ ! ତଥାପି ଯଦି ସାଧାରଣରେ ପ୍ରଶ୍ନ କରାଯାଏ , ମାୟାଧର ମାନସିଂହ କିଏ ? ତେବେ ଉତ୍ତର ଆସିଯିବ — “ସେ ଜଣେ କବି” । ଠିକ୍ ଅଛି, ଆମେ କେବଳ କବି ମାନସିଂହ ବୋଲି ଗ୍ରହଣ କରିନେବା। ତେବେ ତାଙ୍କର ବିପୁଳ କାବ୍ୟ ରଚନା ମଧ୍ୟରେ ତ ଭରିରହିଛି ଦେଶାତ୍ମବୋଧ, ପ୍ରକୃତିପ୍ରୀତି, ପଲ୍ଲୀପ୍ରାଣତା, ଐତିହାସିକ ଗୌରବ, ବୀରତ୍ୱର ବାର୍ତ୍ତା, ଉତ୍କଳୀୟ ସ୍ଵାଭିମାନ, ଶିଳ୍ପ ଭାସ୍କର୍ଯ୍ୟ, ମାନବତାବାଦୀ ଚିନ୍ତାଧାରା, ସର୍ବହରାର ସ୍ଵର, ବିଶ୍ଵମୈତ୍ରୀ, ଗୀତିକବିତା, ଗାଥାକବିତା, ଶିଶୁକବିତା, ଚତୁର୍ଦ୍ଦଶୀ ପଦୀ ସନେଟ୍ ଇତ୍ୟାଦି। ଏ ସମସ୍ତ ତାଙ୍କ କାବ୍ୟ କବିତାରେ ବୃହତ ଅଂଶ।
ତାଙ୍କୁ କେବଳ ପ୍ରେମପ୍ରଣୟର କବି ଭାବରେ ଚିତ୍ରିତ କରିବା, ଆଖ୍ୟାୟିତ କରିବା କେତେ ଦୂର ଯଥାର୍ଥ ଓ ଯୁକ୍ତି ସଙ୍ଗତ ? ?
କି ହେଲାରେ, କହି ତ ନୁହଇ ଭାରତୀରେ . .
ସାହିତ୍ୟିକ ମାନସିଂହଙ୍କୁ ଟିକିଏ ଉଖୁରେଇ ଦେଇ ଜଣେ ବିଜ୍ଞ ପାଠକ ଭାବରେ ବିଶ୍ଳେଷଣ କରିପାରିଲେ ଆମ ସମ୍ମୁଖରେ ପ୍ରତିଭାତ ହୁଏ —
୧. ଗଦ୍ୟସ୍ରଷ୍ଟା ମାନସିଂହ
୨. ପ୍ରାବନ୍ଧିକ ମାନସିଂହ
୩. ସମାଲୋଚକ ମାନସିଂହ
୪. ଐତିହାସିକ ମାନସିଂହ
୫. ଅନୁବାଦକ ମାନସିଂହ
୬. ନାଟ୍ୟକାର ମାନସିଂହ
୭. ଗାଳ୍ପିକ, ଔପନ୍ୟାସିକ ମାନସିଂହ
୮. ସମୀକ୍ଷକ ମାନସିଂହ
୯. ସଂସ୍କାରକ ମାନସିଂହ
୧୦. ପଥିକ ମାନସିଂହ (ଭ୍ରମଣ)
୧୧. ଆତ୍ମଜୀବନୀର ମାନସିଂହ
୧୨. ପତ୍ରିକା ସମ୍ପାଦକ ମାନସିଂହ
୧୩. ଖବରକାଗଜ ସମ୍ପାଦକ ମାନସିଂହ
୧୪. ଓଡ଼ିଆ ଜ୍ଞାନକୋଷ ସଙ୍କଳକ ମାନସିଂହ
୧୫. ଇଂରାଜୀ ଭାଷାରେ ଲେଖକ ମାନସିଂହ
୧୬. ସୁବକ୍ତା ମାନସିଂହ
୧୭. ଶିକ୍ଷାବିତ ମାନସିଂହ ଓ ସର୍ବଶେଷରେ
୧୮. ବିସ୍ମୟ ପ୍ରତିଭା ମାନସିଂହ
ଉପରୋକ୍ତ ପ୍ରତିଟି ବିଭାଗର ସଫଳତମ ବ୍ୟକ୍ତି ଓ ଲେଖକ ମଧ୍ୟ। କିନ୍ତୁ ଦୁଃଖର କଥା ସୀମିତ ପରିଧି ମଧ୍ୟରେ ଆଜି ଆମର ଏହି ବିସ୍ମୟ ପ୍ରତିଭା; ଏହା ହିଁ ଆମ ଓଡିଆଙ୍କ ବିଡ଼ମ୍ବନା !
କେତେ ଯେ ଶୂନ୍ୟତା ! ମାନସିଂହଙ୍କ ବିପୁଳ ସୃଷ୍ଟିରୁ ଏବେ ମଧ୍ୟ ଅନେକ ଅପ୍ରକାଶିତ ! ଏ ପର୍ଯ୍ୟନ୍ତ (୨୦୧୪) ତାଙ୍କ ରଚନାରୁ ଆଠଟି (୮) ଗ୍ରନ୍ଥାବଳୀ ପ୍ରକାଶିତ। ମୋଟ ଉପରେ ସମସ୍ତ ରଚନା ଅଠର (୧୮) ଖଣ୍ଡ ଗ୍ରନ୍ଥାବଳୀ ହେବ ବୋଲି ଆକଳନ କରାଯାଇଛି ସଂକଳକ ଡ. ଶ୍ରୀଚରଣ ମହାନ୍ତି, ଦୁର୍ଗାଚରଣ କୁଅଁର ଓ ପ୍ରଖ୍ୟାତ ପ୍ରକାଶକ ଅଭିରାମ ମହାପାତ୍ର ଓ ତାଙ୍କ ପୁତ୍ର ମନୋଜ କୁମାର ମହାପାତ୍ର (ଗ୍ରନ୍ଥ ମନ୍ଦିର, କଟକ) ଙ୍କ ଦ୍ୱାରା । ଏହା ସମୟସାପେକ୍ଷ ଓ କଷ୍ଟସାଧ୍ୟ ବୋଲି ମତ ଦିଅନ୍ତି ସଂକଳକ ଓ ପ୍ରକାଶନ ସଂସ୍ଥା। ସମସ୍ତ ରଚନା ପ୍ରାୟ ୬୦୦୦ ପୃଷ୍ଠା ସମ୍ବଳିତ (୧୮ ଖଣ୍ଡ), ଏହା ଓଡ଼ିଆ ସାହିତ୍ୟ ପାଇଁ ଏକ ଐତିହାସିକ କର୍ତ୍ତବ୍ୟ । ଏ ସମସ୍ତ ରଚନା ଗ୍ରନ୍ଥାବଳୀ ଭାବରେ ମୁଦ୍ରିତ ହୋଇପାରିଲେ ଓଡ଼ିଆ ପାଠକେ ପ୍ରାପ୍ତ ହେବେ ଏକ ଅମୂଲ୍ୟ ସଂପଦ, ଯାହା ଅତୁଳନୀୟ !
ଆମର କ୍ଷୁଦ୍ର ଅଭିବ୍ୟକ୍ତି:
ଓଡ଼ିଆ ସାହିତ୍ୟ ବହୁ ପ୍ରାଚୀନ, ବୈଭବ ପୂର୍ଣ୍ଣ ଏବଂ ଶାସ୍ତ୍ରୀୟ। କାହିଁ କେତେ କାଳରୁ ଅନେକ ସାହିତ୍ୟ ପ୍ରତିଭା ଓ ମହାପୁରୁଷ ଆମ ଗହଣକୁ ଆସିଛନ୍ତି। ଏ ଜାତି ଅଳ୍ପ ବହୁତେ ସେହି ପ୍ରଚଣ୍ଡ ପ୍ରତିଭାମାନଙ୍କୁ ସ୍ଵୀକୃତି ଦେଇଛି ବିଭିନ୍ନ ରସୋତ୍ତୀର୍ଣ୍ଣ ଉପାଧି ମାଧ୍ୟମରେ, ଯଥା – ଆଦିକବି, ଶୃଙ୍ଗାରକବି, କବିସୂର୍ଯ୍ୟ, କବିସମ୍ରାଟ, କବିବର, ବ୍ୟାସକବି, ଭକ୍ତକବି, ସ୍ଵଭାବକବି, କବିଶେଖର, ମହାକବି, ସନ୍ଥକବି, ବିଦଗ୍ଧ କବି, ଉତ୍କଳ ଭାରତୀ, କବିଚନ୍ଦ୍ର, ଜାତୀୟକବି, ଗଣକବି, ପଲ୍ଲୀକବି, ଉତ୍କଳଚନ୍ଦ୍ର, କବିମଞ୍ଜୁଳ ଓ ଏଇମିତି ଅନେକ। ସେମିତି ଓଡ଼ିଶା ଜନ୍ମିତ ମହାପୁରୁଷମାନଙ୍କୁ (କେତେକାଂଶରେ) ଉପାଧି ପ୍ରଦାନ କରିବାରେ ଏ ଜାତିର କାର୍ପଣ୍ୟ ପରିଲକ୍ଷିତ ହୋଇନାହିଁ ।
ଏଇଠି ଟିକିଏ କହିରଖେ —
ଆମର ଏହି ‘ଅନ୍ତରଙ୍ଗ କଳିଙ୍ଗ’ ତରଫରୁ ସାମାଜିକ ଗଣମାଧ୍ୟମରେ ପ୍ରଥମେ ଆରମ୍ଭ ହୋଇଥିଲା ପୂଜ୍ୟପୂଜା। ପରବର୍ତ୍ତୀ ସମୟରେ ଆମେ ମଧୁସୂଦନ ଦାସଙ୍କୁ ଉତ୍କଳଗୌରବ ଓ ଗୋପବନ୍ଧୁ ଦାସଙ୍କୁ ଉତ୍କଳମଣି ଉପାଧି ବଦଳରେ ଯଥାକ୍ରମେ ଜାତୀୟଗୌରବଭାରତମଣି ବୋଲି ସମ୍ବୋଧିତ କରିବାକୁ ନିଷ୍ପତ୍ତି ନେଇଥିଲୁ, ତଦନୁଯାୟୀ ଆମେ ଆମର ପୃଷ୍ଠାରେ ସେହି ଉପାଧିକୁ ପ୍ରୟୋଗ କରି ଆସୁଛୁ।
ସୁଖର କଥା, ଏବେ ଅନେକ ବନ୍ଧୁ ଏହାକୁ ଗ୍ରହଣ କରି କାର୍ଯ୍ୟରେ ଲଗାଉଛନ୍ତି। ବିଶେଷ କରି ଟିକିଏ ସଂକୀର୍ଣ୍ଣ ପ୍ରାଦେଶିକତାର ପରିଧି ବାହାରକୁ ବାହାରି ଆସିଲେ କ୍ଷତି କଣ ?
ବିଶେଷ କଥନ:
ଏହି ପରିପ୍ରେକ୍ଷୀରେ ଆସନ୍ତୁ ଆମେ ସମସ୍ତେ ବିଚାର କରିବା।
ଓଡ଼ିଆ ସାହିତ୍ୟରେ ଡ. ମାୟାଧର ମାନସିଂହଙ୍କ ଅବଦାନ କ’ଣ କିଛି ନାହିଁ ?
କାହିଁକି କୋଣଠେସା ହୋଇ ରହିଗଲେ ?
ସ୍ପଷ୍ଟବାଦୀ, ମାଲିସ ଓ ସାଲିସହୀନ ସାହିତ୍ୟିକ ବୋଲି ନା ଆଉ କ’ଣ ?
ଏତେ ସୃଷ୍ଟି ସମ୍ଭାର କେଉଁ କାରଣରୁ ଲୁଚି ରହିଗଲା ? ସମସାମୟିକ ଅନ୍ୟାନ୍ୟ ସାହିତ୍ୟିକ ମାନେ କିଛି ନା କିଛି ଉପାଧି ମଣ୍ଡିତ ହେବା ବେଳକୁ ଏହି ପ୍ରତିଭା ?
ଆଜି ସମୟ ଉପନୀତ। ସାମାଜିକ ଗଣମାଧ୍ୟମର ଏହି ‘ଅନ୍ତରଙ୍ଗ କଳିଙ୍ଗ’ର ଆଲୋଚକଗଣ ଦୃଢ଼ତାର ସହ ମତ ଦିଅନ୍ତି – “ସେ କେବଳ ମାନସିଂହ ନୁହନ୍ତି, ଆମର ସାହିତ୍ୟଭାସ୍କର ମାୟାଧର ମାନସିଂହ” !
ଏତିକି ଚିନ୍ତା କରୁଅଛୁ, ଅନେକ ପ୍ରତିକୂଳ ପରିସ୍ଥିତି, ଚାକିରି ଜୀବନରେ ନିର୍ଯାତନା ଓ ବହୁ ବାଧାବିଘ୍ନ ମଧ୍ୟରେ ଗତି କରିଥିବା ଆମର ପ୍ରିୟ ସାହିତ୍ୟିକ ମାନସିଂହ ଦୃଢ଼ ମନୋବଳ, ଆତ୍ମବିଶ୍ବାସ ସହ ଜୀବନବ୍ୟାପି ସଂଘର୍ଷର ମୁକାବିଲା କରିବାକୁ ପଛେଇ ନଥିଲେ। ତେବେ ଦୀପଶିଖା ପରି ନିଜେ ଜଳି ଜଳି ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଜଗତକୁ ଅନେକ କିଛି ଦେଇଛନ୍ତି, କିନ୍ତୁ ପ୍ରତିଦାନରେ କିଛି ବି ପାଇନାହାନ୍ତି। ଜୀବନର ସାୟାହ୍ନରେ ସମାଧି କବିତା ହିଁ ତାଙ୍କ ଅଭିମାନର ଅଶ୍ରୁଳ ପ୍ରତିଲିପି —
“ହେ ନାଥ, ଭରିଛ ପ୍ରାଣ ନାନା ଲାଞ୍ଛନାରେ,
ଶୂନ୍ୟ ତାହା ଆଜିଯାଏ ଖାଲି ବଞ୍ଚନାରେ,
କେବେ କିନ୍ତୁ ନାହିଁ ଦିଅ ଅଯାଚିତ ନବ ଅପମାନ,
ମାପିତ ହେବାର ମୋର କ୍ଷୁଦ୍ର ଯାହା ନଗଣ୍ୟ ସମ୍ମାନ,
ମାନଦଣ୍ଡେ ଅର୍ଥ, ହାକିମିର,
ବଞ୍ଚେ, ମରେ ମାତ୍ର କବି —
ବକ୍ଷେ ଯାର ପରପାଇଁ ନୀର ।
ଛୋଟ ଏକ ସମାଧିଟି ଶ୍ୟାମଘାସ ପରେ
ଥାଇପାରେ ପଲ୍ଲୀ ବା ନଗରେ,
ଏକମାତ୍ର ଚିହ୍ନ ରୂପେ ଦୀନ ଏହି ପୃଥିବୀ-ବାସୀର,
ମୃତ୍ୟୁ-ରାଜ୍ୟେ ଯିବି ଯେବେ,ଛାଡ଼ି କୋଳ ମାଆ ଧରିତ୍ରୀର
ବସନ୍ତର ପୁଷ୍ପୋତ୍ସବେ, ଶରଦ ଜ୍ୟୋତ୍ସାରେ
ସ୍ମରି କେବେ ମୋ ଦେଶର ଯୁବକ ଯୁବତୀ,
ଆସି ସେ ସମାଧି ପରେ ପୁଷ୍ପ ଢାଳି ପ୍ରୀତିଭରେ
କବିରେ ଦେବେ ସେ ଯଦି ଶ୍ରଦ୍ଧାର ଆରତି,
ସେହି ସେ ହୋଇବ ମୋର ଶ୍ରେଷ୍ଠ ପୁରସ୍କାର
ସେହି ମୋର ମାନଦଣ୍ଡ ଜୀବନଯାତ୍ରାର ।”
ହେ ସାହିତ୍ୟଭାସ୍କର ମାନସିଂହ ! ସମଗ୍ର ଓଡ଼ିଆ ଜାତିର ଶ୍ରଦ୍ଧାଞ୍ଜଳି ଘେନା କରନ୍ତୁ ।
ତଥ୍ୟ ସଂଗ୍ରହ: ମାନସିଂହ ଗ୍ରନ୍ଥାବଳୀ
Sahityabhaskar Dr. Mayadhar Mansingh
© Niranjan Sahu
Spread the love
Antaranga Kalinga

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 month ago