~ ରେବା ରାୟ ~
ଲେଖା: ଅମୃତେଶ ଖଟୁଆ
୧୮୬୬ ମସିହାର କରାଳ ଦୁର୍ଭିକ୍ଷ ପରେ ଓଡିଶାରେ ଆରମ୍ଭ ହୁଏ ଆଧୁନିକ ଶିକ୍ଷାର ଦ୍ରୁତ ପ୍ରସାର ଏବଂ ସକ୍ରିୟ ଶିକ୍ଷିତ ମୁଷ୍ଟିମେୟମାନେ ଏକ ପ୍ରକାରର ସାମାଜିକ ଓ ସାଂସ୍କୃତିକ ନବୋନ୍ମଷର ଅଭ୍ୟୁଦୟ କରାଇଲେ। ବ୍ରାହ୍ମଧର୍ମର ପ୍ରସାର, ୧୮୯୦ ମସିହା ବେଳକୁ ଉତ୍କଳ ଦୀପିକା‘, ‘ସମ୍ବାଦବାହିକା’, ‘ସମ୍ବଲପୁର ହିତୈଷିଣୀ ଭଳି ଏକାଧିକ ସାପ୍ତାହିକୀ ଓ ଦୈନିକ ସମ୍ବାଦପତ୍ରର ପ୍ରକାଶନ ଆରମ୍ଭ ଏହି ନବୋନ୍ମଷରେ ଏକ ବିଶେଷ ଭୂମିକା ନିର୍ବହନ କରେ।
‘ଆଶା’ ପତ୍ରିକା – ଯାଜପୁର ଜିଲ୍ଲାର କତବାପୁରଠାରେ ଜନ୍ମିତ ସାଧୁ ଚରଣ ରାୟଙ୍କ ପୃଷ୍ଠପୋଷକତାରେ ଓ ତାଙ୍କ ଧର୍ମପତ୍ନୀ ରେବା ରାୟଙ୍କ ସମ୍ପାଦନାରେ ୧୮୯୦ ମସିହାରୁ ଆରମ୍ଭ ହୁଏ। ଏହି ପତ୍ରିକା ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ନାରୀଶିକ୍ଷା ତଥା ନବଜାଗରଣରେ ଏକ ବିଶିଷ୍ଟ ଭୂମିକା ଅତିବାହିତ କରି ପାରିଥିଲା। ରେବା ରାୟ ଏହି ପତ୍ରିକାକୁ ମହିଳାଙ୍କ ଅବହେଳିତ ସ୍ଥିତିକୁ ତନଖି ଲେଖିଥିଲେ। ତା’ ପରେ ତାଙ୍କ ଲେଖକୀୟତାରେ ଏକ ଭିନ୍ନ ଓ ଯୁଗପତ୍ ମୋଡ ଆସେ।
ଏହି ନାରୀ ପ୍ରତିଭା ଥିଲେ ଜଣେ ଅଦ୍ବିତୀୟ ନାରୀଲେଖିକା, ଯିଏ ଥିଲେ ପ୍ରଥମ ଓଡ଼ିଆ ଗାଳ୍ପିକା ଓ ଶିଶୁ ସାହିତ୍ୟ ପତ୍ରିକା ପ୍ରକାଶିକା। ଏହି ନାରୀ ପ୍ରତିଭା ହେଉଛନ୍ତି ରେବା ରାୟ। ସେ ଥିଲେ ଭକ୍ତକବି ମଧୁସୂଦନ ରାଓଙ୍କ ଝିଆରୀ। ୧୮୭୬ ମସିହାରେ ପିତା ଜଗନ୍ନାଥ ରାଓ ଓ ମାତା ରମା ବାଈଙ୍କ କୋଳମଣ୍ଡନ କରିଥିଲେ ରେବା ରାୟ। ଶୈଶବରୁ ବ୍ରାହ୍ମଧର୍ମରେ ଅନୁପ୍ରାଣିତା। ସେ ହିନ୍ଦୁ ବାଳିକା ବିଦ୍ୟାଳୟରେ ଅଧ୍ୟୟନ କରିଲା ପରେ ମାତ୍ର ୧୫ ବର୍ଷ ବୟସରେ ଯାଜପୁରର ଖଣ୍ଡାୟତ ପରିବାରର ସାଧୁଚରଣ ରାୟଙ୍କ ସହ ତାଙ୍କ ବିବାହ ହୁଏ ।
ପରବର୍ତ୍ତୀ କାଳରେ ସାଧୁଚରଣ ଉତ୍କଳ ବ୍ରାହ୍ମ ସମାଜର ସଂପାଦକ ହୁଅନ୍ତି। ସାଧୁଚରଣ ପ୍ୟାରୀମୋହନ ଏକାଡେମୀର ତୃତୀୟ ଶିକ୍ଷକ ଓ ‘ଆଶା’ ନାମକ ଏକ ବ୍ରାହ୍ମ ପତ୍ରିକାରେ ସମ୍ପାଦକ। ଏହି ପତ୍ରିକା ବନ୍ଦ ହେବା ପରେ ୧୮୯୨ ମସିହାରେ ରେବା ରାୟଙ୍କ ଦ୍ବାରା ସଂପାଦନା ନିର୍ବାହ କରାଗଲା। ଏହା ଛଡା ୧୯୦୯ ମସିହାରେ ନିଜ ସମ୍ପାଦନା ଦ୍ବାରା ‘ପ୍ରଭାତ’ ନାମକ ଶିଶୁ ପତ୍ରିକା ପ୍ରକାଶ କରିଥିଲେ, ଯାହା ଅବଶ୍ୟ ୧୯୧୪ ମସିହାରେ ବନ୍ଦ ହୋଇଯାଇଥିଲା। ଓଡ଼ିଆ ଭାଷାରେ ପ୍ରଥମ ଗାଳ୍ପିକା ହେଉଛନ୍ତି ରେବା ରାୟତାଙ୍କ ଲିଖିତ “ଶକୁନ୍ତଳା” ଗଳ୍ପ (୧୯୦୦ ଖ୍ରୀଷ୍ଟାବ୍ଦ) ହେଉଛି ଓଡ଼ିଆରେ ଲିଖିତ ପ୍ରଥମ ନାରୀ ଲେଖିକାଙ୍କ ଗଳ୍ପ। ଗଳ୍ପ ଗବେଷିକା ଡକ୍ଟର କବିତା ବାରିକଙ୍କ ଭାଷାରେ ଗଭୀର ତାତ୍ତ୍ୱିକତା ଓ ଅସ୍ତିତ୍ୱବାଦ ସହ ଅନ୍ୱେଷଣାତ୍ମକ ଦୃଷ୍ଟିର ସମ୍ମିଶ୍ରଣ ରେବା ରାୟଙ୍କ ସର୍ଜନାତ୍ମକ ବିଶେଷତ୍ୱ ଥିଲା ।
୧୯୦୫ ମସିହାରେ ନାରୀଶିକ୍ଷାର ପ୍ରସାର ନିମନ୍ତେ ନିଜ ଘରେ ସେ ‘ଆଦର୍ଶ ବାଳିକା ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ। ଏହା ସରକାରୀ ସ୍ବୀକୃତିଲବ୍ଧ ଏବଂ ବିଦ୍ୟାଳୟରୁ ୧୯୧୦ ଖ୍ରୀଷ୍ଟାବ୍ଦ ବେଳକୁ ଚାରିଜଣ ଛାତ୍ରୀ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରବର୍ତ୍ତୀ କାଳରେ ରେଭେନ୍ସା ଗାର୍ଲ୍ସ ସ୍କୁଲ ସହ ମିଶିଯାଇଛି।
ତେର ବର୍ଷ ବୟସ ବେଳକୁ କାବ୍ୟ ରଚନା କରି ଜନତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। କବୟିତ୍ରୀ କୋଡିଏ ବର୍ଷ ମଧ୍ୟରେ ପ୍ରକାଶିତ କବିତା ମଧ୍ୟରୁ ୪୦ ଟି ‘ଅଞ୍ଜଳି’ ଶୀର୍ଷକ ସଙ୍କଳନରେ ୧୯୦୩ରେ ପ୍ରକାଶିତ ହୋଇଥିଲା। ଏ ସମ୍ପର୍କରେ ଉତ୍କଳ ଦୀପିକା କହେ: ‘ଶ୍ରୀମତୀ ରେବା ଉତ୍କଳ ସାହିତ୍ୟରେ ସୁପରିଚିତା। ତାଙ୍କର କବିତାମାନଙ୍କୁ ଆମ୍ଭେମାନେ ଅନେକ ଥର ପ୍ରଶଂସା କରିଛୁ। ତାଙ୍କର ବାଳ ବୟସର କବିତାମାନ ଦେଖିବାକୁ ବର୍ତ୍ତମାନ ସୁବିଧା ପାଇ ଆନନ୍ଦିତ ହୋଇ ପଢି ବସିଲୁ ଏବଂ ଦେଖିଲୁ ପୁସ୍ତକର ନାମାନୁଯାୟୀ ତାହା ବାସ୍ତବରେ ଆଞ୍ଜୁଳାଏ ଭକ୍ତି ଅଟେ।’ ( ଉତ୍କଳ ଦୀପିକା, ୧ ଅପ୍ରେଲ ୧୯୦୫)।
ଆଶା ପତ୍ରିକାର ୧୮୯୨ ମସିହାର ଏକଖଣ୍ଡରେ ଉଦ୍ଧୃତ: “କନ୍ୟାପେକଂ ପାଳନୀୟା ଶିକ୍ଷଣିୟାତି ଯତ୍ନତଃ।’ ସେ ସମାନ ବର୍ଷ ‘ଆଶା’ ପତ୍ରିକାର ଏକ ଆଲେଖ୍ୟରେ ଲେଖିଥିଲେ,
“ଅନ୍ୟାନ୍ୟ ଦେଶରେ ଜାତିର ଉନ୍ନତିର
ସ୍ରୋତ-ବହୁଅଛି କେତେ ପଡୁଛି ଚହଳ,
ସମାଜ ସଂସ୍କାର, ଧର୍ମର ସଂସ୍କାର ତୁହି କିମ୍ପା
ଅଛୁ ହୋଇ ହୀନବଳ?”
**** ***** ****
ଜ୍ଞାନେ ନରନାରୀ ହୋଇ ସମସରି,
ସ୍ଵଦେଶର ମୁଖ କରନ୍ତି ଉଜ୍ଜ୍ବଳ,
ଦୁଃଖିନୀ ଉତ୍କଳେ ଏଦୃଶ ନୟନେ
ଦେଖିବ କି କେବେ ହୋଇ କୁତୂହଳ?”
୭ ଅଗଷ୍ଟ, ୧୯୫୭ ମସିହାରେ ତାଙ୍କର ଦେହାବସାନ ଘଟିଥିଲା। ଏହା ପୂର୍ବରୁ ମଧ୍ୟ ସିଏ ଶତାଧିକ କାବ୍ୟକବିତା ସମେତ ନାରୀଚେତନାକୁ କେନ୍ଦ୍ର କରି ଏକାଧିକ ଲେଖା ଲେଖି ଖୁବ ପ୍ରଥିତା ହୁଅନ୍ତି। ବସନ୍ତ କୁମାରୀ ଦେବୀଙ୍କ ୧୯୧୬-୧୭ ମସିହାରେ ପ୍ରକାଶିତ ‘ପରିଚାରିକା’ ପତ୍ରିକାର ପ୍ରକାଶନ, ଯେତେବେଳେ କି ୧୮୯୦ ମସିହାର ରେବା ରାୟଙ୍କ ସହ ସମକାଳୀନ ଆଗଧାଡିର ଲେଖିକା ଥିଲେ। ‘ପରିଚାରିକା’ର ଏକ ଐତିହାସିକ ଘଟଣା ଥିଲା , ଏଥିରୁ ହିଁ ଜଗବନ୍ଧୁ ସିଂହଙ୍କ ପ୍ରସିଦ୍ଧ ଆଲେଖ୍ୟ, ‘ଗୃହଲକ୍ଷ୍ମୀ’ର ସଙ୍କଳନ ଘଟିଥିଲା, ଯାହାକି ସେତେବେଳେ ଘରେ ଘରେ ପ୍ରସିଦ୍ଧ ଥିଲା।
Reba Ray Amritesh Khatua
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago