~ ପୁରୁଷସିଂହ ମଧୁସୂଦନ ~
ଲେଖକ : ବାଳକୃଷ୍ଣ କର
ଦେଶର ପାରିପାର୍ଶ୍ବିକ ଅବସ୍ଥା ଓ ଅନୁକୂଳ ଜଳବାୟୁ ତାହାର ଜନନାୟକ ସୃଷ୍ଟି କରିବାରେ ସହାୟତା କରି ବ୍ୟକ୍ତିବିଶେଷଙ୍କର ସୁପ୍ତ ସମ୍ଭାବନାକୁ ଜାଗ୍ରତ ବାସ୍ତବରେ ପରିଣତ କରେ, ପ୍ରଚ୍ଛନ୍ନ ଶକ୍ତିକୁ ପରିସ୍ଫୁଟ କରେ, ଉଚ୍ଚକୁ ଉଚ୍ଚତର କରେ, ମହୀୟାନକୁ ଆହୁରି ମହୀୟାନ୍ କରେ; ମାତ୍ର, #ପୁରୁଷସିଂହ ମଧୁସୂଦନ – ନିଜ ଜୀବନର ଉଦ୍ଦାମ ବୀର୍ଯ୍ୟକୁ ପ୍ରତିକୂଳ ଅବସ୍ଥାର ପ୍ରତିଲୋମରେ ଚାଳିତ କରି ନିଜର ଅସାଧାରଣ ବ୍ୟକ୍ତିତ୍ବ ଯେପରି ଭାବରେ ଫୁଟାଇ ପାରିଥିଲେ, ପର୍ବତ ବିଦୀର୍ଣ୍ଣ କରି ଗିରିନଦୀର ଅବାଧ ଗତି ପରି ସହସ୍ର ବାଧା ବିପତ୍ତିର ସମ୍ମୁଖୀନ ହୋଇ ନିଜ ଜୀବନଧାରାକୁ ଯେପରି ପ୍ରଧାବିତ କରି ପାରିଥିଲେ, ତାହା ହିଁ ତାଙ୍କ ଜୀବନର ବିଶେଷତ୍ବ ।
ତାଙ୍କ ଅସାଧାରଣତ୍ବର ପରିଚୟ ।
ତାଙ୍କ ମହାମାନବିକତାର ପ୍ରମାଣ ।
ଆବାଲ୍ୟ ପିତୃମାତୃଶୂନ୍ୟ ମଧୁସୂଦନ ସହାୟସମ୍ବଳହୀନ ହୋଇ, ଅଭିଭାବକଶୂନ୍ୟ ହୋଇ ଦେଶବିଦେଶରେ ଉଚ୍ଚଶିକ୍ଷା ଲାଭ କରି ନିଜକୁ ଯେପରି ଗୌରବାନ୍ବିତ କରିପାରିଥିଲେ ଓ ଦୁର୍ଗମ ରାଜନୀତି-ବ୍ୟୂହରେ ବୀର ଅଭିମନ୍ୟୁ ପରି ଏକାକୀ ପ୍ରବେଶ କରି କୌଣସି ସହକର୍ମୀଙ୍କୁ ଅପେକ୍ଷା ନ କରି, କୌଣସି ପୃଷ୍ଠପୋଷକ ଉପରେ ନିର୍ଭର ନ ରଖି – ଯେପରି ଯଶସ୍ବୀ ହୋଇଥିଲେ, ତାହା ଯେ କୌଣସି ଦେଶର ଯେ କୌଣସି ଲୋକ ପକ୍ଷରେ ଗୌରବ ଓ ଗର୍ବର ବିଷୟ ।
ଉଦ୍ୟାନ-ଗୋଲାପ ପରି ସଯତ୍ନରେ ପାଳିତ ହୋଇ ସେ ଉଦ୍ୟାନ-ବିହାରୀଙ୍କ ଚିତ୍ତ ହରଣ କରିନଥିଲେ । ଅରଣ୍ୟ କୁସୁମ ପରି ଅରଣ୍ଯରେ ଫୁଟି ନିଜ ସୌରଭାତିଶଯ୍ୟରେ ଜନମନକୁ ବଳାତ୍କାରରେ (ତୀବ୍ର ଆକର୍ଷଣ ବଳ) ଆକୃଷ୍ଟ କରିପାରିଥିଲେ । ସୁଖ ସମ୍ଭୋଗରେ ଲାଳିତପାଳିତ ହୋଇ ଭାଗ୍ୟଦେବୀଙ୍କ ପ୍ରସାଦରେ ସେ ଭାଗ୍ୟବାନ୍ ହୋଇନଥିଲେ, ଦାରିଦ୍ର୍ୟ କଷାଘାତ ସହ୍ୟ କରି ନିୟତ ବିରୁଦ୍ଧରେ ଯୁଦ୍ଧ କରି ନିଜ ଶକ୍ତି ବଳରେ ନିୟତି ହସ୍ତରୁ ଜୟଲକ୍ଷ୍ମୀଙ୍କୁ ଝିଙ୍କି ଆଣି ନିଜର ଅଙ୍କଗତ କରି ପାରିଥିଲେ । ଅନ୍ୟକୃତ ଭିତ୍ତିଭୂମି ଉପରେ ସେ ସୌଧ ନିର୍ମାଣ କରିନଥିଲେ – ନିଜର ଭିତ୍ତିଭୂମି ନିଜେ ଗଢ଼ି #ଦେଶମାତୃକାର ଆବାହନ ପାଇଁ ତାହାରି ଉପରେ ଅଟ୍ଟାଳିକା ନିର୍ମାଣ କରି ପାରିଥିଲେ ।
ସମାଲୋଚକଙ୍କ ଦୃଷ୍ଟିରେ ତାଙ୍କ ଜୀବନରେ ଯେଉଁ ତ୍ରୁଟିମାନ ପରିଲକ୍ଷିତ ହୋଇଥିଲା, ମୃତ୍ୟୁର ଅଗ୍ନିପରୀକ୍ଷାରେ ସେ ତ୍ରୁଟି, ସେ ଦୋଷ ସବୁ ପୋଡ଼ି ଜଳିଯାଇଛି – ଅଶେଷ ଗୁଣରାଶି ଶୁଦ୍ଧ ସୁବର୍ଣ୍ଣ ପରି ଜନନେତ୍ରରେ ପୂର୍ବାପେକ୍ଷା ଭାସ୍ବରତର ହୋଇଉଠିଛି, ଭବିଷ୍ୟତରେ ଆହୁରି ଭାସ୍ବର ହୋଇ ଉଠିବ । ଜୀବନର ଶତ ସ୍ଖଳନ ସତ୍ତ୍ବେ ସେ ଯେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଏକ ଲକ୍ଷ୍ଯରେ, ଏକ ପ୍ରାଣରେ ମାତୃଭୂମିର ଅର୍ଘ୍ୟରୂପେ ନିଜ ଜୀବନକୁ ଉତ୍ସୃଷ୍ଟ କରି ପାରିଅଛନ୍ତି, ଏହା ହିଁ ମଧୁସୂଦନଙ୍କ ଜୀବନର ବିଶେଷତ୍ବ ଓ ଏହି ବିଶେଷତ୍ବ ହିଁ ଇତିହାସରେ ତାଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ନିର୍ଦ୍ଦେଶ କରି ଦେଉଛି ।
ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ #କର୍ମବୀର ମଧୁସୂଦନ ମୂଳରୁ ଶେଷ ଯାଏଁ, ଯୌବନରୁ ଜରା ପର୍ଯ୍ୟନ୍ତ କର୍ମର ପ୍ରେରଣାରେ ନିଜେ ଉଦ୍ବୁଦ୍ଧ ହୋଇ କର୍ତ୍ତବ୍ୟର ଯେଉଁ ଆଲୋକ ନିଶାଣ ଧରି ବୀରଦର୍ପରେ ଅଗ୍ରସର ହୋଇଅଛନ୍ତି, ଜାତି ସେହି ନିଶାଣକୁ ଲକ୍ଷ୍ୟ କରି, ସେହି ପଦଚିହ୍ନ ଅନୁସରଣ କରି ତାଙ୍କର ପଶ୍ଚାଦ୍ଧାବନ କରିଛି, ଏହା ହିଁ ତାଙ୍କ ଅସାଧାରଣ ବ୍ୟକ୍ତିତ୍ବର ଜ୍ବଳନ୍ତ ପ୍ରମାଣ !
ଦୀର୍ଘକାଳର ଜାଗରଣ ପୂର୍ବରୁ ଉତ୍କଳବାସୀ ଗଭୀର ନିଦ୍ରାରେ ଅଭିଭୂତ ଥିଲେ – ମଧୁସୂଦନ ପ୍ରାଣରେ ମହାକର୍ମର ପ୍ରେରଣା ନେଇ #ଉତ୍କଳବାସୀଙ୍କ ଦ୍ବାରଦେଶରେ କରାଘାତ କରି ବଜ୍ରଗମ୍ଭୀର ସ୍ବରରେ ଡାକିଲେ —
“କୋଟିଏ ସନ୍ତାନ ଗୋଟିଏ ସ୍ବରରେ
‘ଜନନୀ ଜନନୀ’ ଡାକ,
ତୃଷାରେ କାତର ଗଗନକୁ ଚାହିଁ
ଯେସନେ ଡାକେ ଚାତକ ।”
ସୁପ୍ତ ଜାତିର ଜାଗରଣ – ସେହି ଦିନୁଁ ସେ ତାଙ୍କ ପଦାଙ୍କ ଅନୁସରଣ କରି ତାଙ୍କର ଆଦେଶ ପାଳନ କରି ତାଙ୍କ ପଛେ ପଛେ ଚାଲିଛି, ଏତିକି କହିଲେ ତାଙ୍କ ଜନନାୟକତ୍ବର ସ୍ପଷ୍ଟ ପରିଚୟ ମିଳେ ।
ସେ ନିଜ ଅସାଧାରଣ ବ୍ୟକ୍ତିତ୍ବ ବଳରେ ରାଜଦରବାରରେ – କଲେକ୍ଟର କମିଶନରଙ୍କଠାରୁ ଆରମ୍ଭ କରି ଛୋଟଲାଟ ବଡ଼ଲାଟ ଯାଏ, ଭାରତରୁ ଇଂଲଣ୍ଡ ଯାଏଁ, ସ୍ବଦେଶରୁ ବିଦେଶ ଯାଏଁ ଯେପରି ସୁଖ୍ୟାତି ଅର୍ଜନ କରିପାରିଥିଲେ, ଦୀନଦରିଦ୍ର ଉତ୍କଳର ପଲ୍ଲୀବାସୀଙ୍କ ସୁଖଦୁଃଖ ସହିତ ନିଜ ସୁଖଦୁଃଖ ମିଶାଇ ଦେଇଥିବାରୁ ସେହି କୁଟୀରବାସୀଙ୍କଠାରୁ ତଦପେକ୍ଷା ଅଧିକ ସମ୍ମାନ ଅର୍ଜନ କରି ପାରିଥିଲେ ଓ ରାଜଦରବାରର ସମ୍ମାନଠାରୁ ସେ ଉତ୍କଳର କୁଟୀରବାସୀର ସମ୍ମାନକୁ ଅଧିକ ମୂଲ୍ୟବାନ୍ ବୋଲି ମନେ କରୁଥିଲେ ।
ଓଡ଼ିଆ କୃଷକର ଦୁର୍ଦ୍ଦଶାମୋଚନ ପାଇଁ ସେ ନାନା ଭାବରେ ଚିନ୍ତା କରି ନାନା ଉପାୟୋଦ୍ଭାବନ କରୁଥିଲେ ; ଏଣୁ ଉତ୍କଳର ପ୍ରତ୍ୟେକ ପଲ୍ଲୀରେ ସେ ଏପରି ସୁପରିଚିତ ହୋଇଥିଲେ ଯେ ମଧୁବାବୁ କଥାଟି ଆଜି ଓଡ଼ିଶାର ପ୍ରତ୍ୟେକ ତୁଣ୍ଡରୁ ଉଚ୍ଚାରିତ ହୁଏ – ଏହା ହିଁ ତାଙ୍କ ଲୋକପ୍ରିୟତା ଓ ଜନନାୟକତ୍ବର ସର୍ବପ୍ରଧାନ ନିଦର୍ଶନ ।
ମଧୁବାବୁ ବଡ଼ ଥିଲେ ସବୁ ବିଷୟରେ । ତାଙ୍କ ଓଜସ୍ବିତା, ତାଙ୍କ ଦାମ୍ଭିକତା, ତାଙ୍କ ସ୍ବାଧୀନତା, ତାଙ୍କ ସ୍ବାବଲମ୍ବନଶୀଳତା, ତାଙ୍କ ବଦାନ୍ୟତା, ତାଙ୍କ ଉଦାରତା, ତାଙ୍କ ସ୍ପଷ୍ଟବାଦିତା – ହୃଦୟ ଓ ମସ୍ତିଷ୍କର ଯାବତୀୟ ସଦ୍ଗୁଣରାଶି ତାଙ୍କୁ ବଡ଼ ବୋଲି ପରିଚିତ କରାଇଥିଲା । ସେ ଯେଉଁଥିରେ ହାତ ଦେଇଛନ୍ତି, ସେଥିରେ ତାଙ୍କ ମନୀଷାର ନିଖୁଣ ଦାଗ ଆଙ୍କି ପାରିଛନ୍ତି ‌। #ଉତ୍କଳ_ସମ୍ମିଳନୀ ଗଠନରେ ସେ ଯେଉଁ ମହାସଙ୍ଗଠନ ଶକ୍ତିର ପରାକାଷ୍ଠା ରଖି ବିରାଟ ଜାତୀୟ ଭାବ ସୃଷ୍ଟି କରି ଯାଇଅଛନ୍ତି, ତାହା ଅନନୁକରଣୀୟ (ଅନୁକରଣ କରାଯାଇ ନ ପାରେ, ଯେହେତୁ ଅତ୍ୟନ୍ତ ସ୍ବତନ୍ତ୍ର ଓ ଅସାଧାରଣ) ।
ଉତ୍କଳ ଟାନେରୀ ଓ ତାରକସି କାରଖାନାର ସେ ଯେଉଁ ଶିଳ୍ପ-ନୈପୁଣ୍ୟର ପରିଚୟ ଦେଇଛନ୍ତି, ତାହା ଅନନ୍ୟ ସାଧାରଣ ‌। ସ୍ବଦେଶ ଓ ବିଦେଶ ରାଜଦରବାରରେ ସେ ଦୁର୍ବଳ ଓଡ଼ିଆ ଜାତିର ଦୈନ୍ୟଦୁର୍ଦ୍ଦଶାର ପ୍ରତିକାର ପାଇଁ ଯେତେ ନିର୍ଭୀକ ଭାବରେ ତାର ଦାବି ଉପସ୍ଥାପିତ କରି ଅନେକ ପରିମାଣରେ ଜୟଯୁକ୍ତ ହୋଇ ଅଛନ୍ତି, ତାହା କେବଳ ଏକା ମଧୁସୂଦନଙ୍କ ପକ୍ଷରେ ସମ୍ଭବପର ।
ସେ ଲକ୍ଷ୍ମୀର ଉପାସକ ନ ଥିଲେ – ଲକ୍ଷ୍ମୀ ତାଙ୍କ ପ୍ରତିଭାର ଉପାସକ ଥିଲେ । ଜୀବନରେ ସେ ଲକ୍ଷ ଲକ୍ଷ ଅର୍ଥ ଅନାୟାସରେ ଉପାର୍ଜନ କରି ମାଟି ଗୋଡ଼ି ପରି ଦେଶ କାର୍ଯ୍ୟରେ ସେ ଅର୍ଥକୁ ଅତି ଅକୁଣ୍ଠିତ ଭାବରେ ବ୍ୟୟିତ କରି ଦେଇ ଅଛନ୍ତି । ନିଜେ ବିଳାସ ବ୍ଯସନର ଧାର ଧରି ନଥିଲେ, ନିଜର ପୁତ୍ର କନ୍ୟା କେହି ନଥିଲେ, କାହାରି ପାଇଁ କିଛି ସଞ୍ଚିବାର ପ୍ରୟୋଜନ ଅନୁଭବ କରିନଥିଲେ, ଉତ୍କଳର ପୁତ୍ରକନ୍ୟାଙ୍କୁ ନିଜ ପୁତ୍ର କନ୍ୟାରୂପେ ଗ୍ରହଣ କରି ତାଙ୍କରି ଉନ୍ନତି ବାସନାରେ ଯେତେବେଳେ ଯେଉଁ ବିଷୟ ଉଚିତ ମନେ କରୁଥିଲେ, ସେହି ବିଷୟରେ ଅଜସ୍ର ଅର୍ଥ ଉତ୍ସର୍ଗ କରି ଦେଉଥିଲେ ।
ସଂସାରରେ ନିଜର ବୋଲି ତାଙ୍କର କିଛି ନଥିଲା; ଏଣୁ ସେ କେତେବେଳେ ନିଜର ଉନ୍ନତି ଚିନ୍ତା କରୁ ନଥିଲେ । ସ୍ବତନ୍ତ୍ର ଗୃହରେ ବାସ କରୁଥିଲେ ସତ୍ୟ; କିନ୍ତୁ କ୍ଷୁଦ୍ର ପାରିବାରିକ ଜୀବନ ତାଙ୍କର ନଥିଲା । ସମଗ୍ର ଜାତିକୁ ସେ ନିଜର ପରିବାର ବୋଲି ଧରି ନେଇଥିଲେ । ସତ୍ୟ ସତ୍ୟରେ ନିଜ ବ୍ୟକ୍ତିଗତ ଜୀବନକୁ ସେ ଜାତୀୟ ଜୀବନ ସହିତ ଏକାବେଳକେ ମିଶାଇ ଦେଇଥିଲେ । ପ୍ରତ୍ୟେକ କାର୍ଯ୍ଯରେ, ପ୍ରତ୍ୟେକ କଥାରେ ତାଙ୍କର ଏହି ଜାତୀୟ ଭାବ ଫୁଟି ଉଠିଥିଲା – ଜାତିଗତପ୍ରାଣ ମଧୁସୂଦନ ‘ଜାତି’, ‘ଜାତି’ ହୋଇ ଏ ଜାତି ପାଇଁ ଶେଷ ନିଃଶ୍ୱାସଟି ପର୍ଯ୍ୟନ୍ତ ଦେଇ ଚାଲିଗଲେ । ମଧୁସୂଦନ ଚାଲି ଯାଇଛନ୍ତି, କିନ୍ତୁ ଉତ୍କଳକୁ ସେ ଯେଉଁ ମହାଦାନ – #ଜାତୀୟଭାବ, #କର୍ମପ୍ରେରଣା#ସ୍ବାଭିମାନର ମହାର୍ଘ ଉପାଦାନ ଦେଇ ଯାଇ ଅଛନ୍ତି, ତାହା ଏ ଜାତିକୁ ଚିର କାଳ ଉଦ୍ବୁଦ୍ଧ କରିବ । ତାଙ୍କ ମାଟିର ଶରୀର ମାଟିରେ ମିଶିଛି ହେଲେ ସେ ମାଟିରେ ତାଙ୍କ ସ୍ବାଭିମାନର ସ୍ପନ୍ଦନ ଚିରକାଳ ଏ ଦେଶର ସମସ୍ତ ଭାବୀ ବଂଶଧରଙ୍କୁ ଅହରହ ଚଞ୍ଚଳ ଓ ଏକତ୍ରିତ ରଖିବ ।
ଉପସ୍ଥାପନା: ଅମୃତେଶ ଖଟୁଆ
Spread the love
Antaranga Kalinga

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago