~ ପଣ୍ଡିତ ଗୋଦାବରୀଶ ମିଶ୍ର ~

ଉପସ୍ଥାପନା: ଅମୃତେଶ ଖଟୁଆ
“ତୁଙ୍ଗ ଶିଖରୀ ଚୂଳ
କୁଞ୍ଜ କାନନ-ମାଳ
ପୁଣ୍ୟ ଜଳଧି-ଜଳ
ଖେଳି ଉଠେ ସଘନେ,
ପ୍ରାଚୀ ଗଗନ ଶିରେ
ଭାସି କନକ ନୀରେ
ଆସ ତପନ ଉଇଁ
ଏ ଉତ୍କଳ ଭୁବନେ ||”
“ଏ ବିଦ୍ୟାଳୟ ଧନରେ ଗଢା ହେଉ ନାହିଁ। ରକ୍ତମାଂସ ମସ୍ତିଷ୍କରେ ଗଢାଯାଉଛି।” #ସତ୍ୟବାଦୀ #ବନବିଦ୍ୟାଳୟ ସମ୍ପର୍କରେ ଏହା ହିଁ ଥିଲା #କୁଳବୃଦ୍ଧ #ଉତ୍କଳ #ଗୌରବ #ମଧୁସୂଦନ #ଦାସ ଙ୍କ ଆକଳନ ! ମାତୃଭୂମି ଓଡିଶାର ଏକତ୍ରୀକରଣ ଓ ତାର ଉନ୍ନତି ପାଇଁ ସତ୍ୟବାଦୀର ସମଭାବାପନ୍ନ ଶିକ୍ଷକମାନେ ଥିଲେ ସଂକଳ୍ପବଦ୍ଧ।
ତେଣୁ ଏମ୍. ଏ. ପାସ୍ କରି ବିଦେଶରେ ଅଧ୍ୟୟନର ମୋହ ଓ ଉଚ୍ଚ ଚାକିରୀର ପ୍ରତିଶ୍ରୁତିକୁ ଆଡେଇ ଦେଇ #ଭାରତମଣି #ଗୋପବନ୍ଧୁଙ୍କ ଆହ୍ୱାନରେ ସେ ବନବିଦ୍ୟାଳୟରେ ସାମାନ୍ୟ ବେତନଭୋଗୀ ଶିକ୍ଷକଭାବେ ଯୋଗ ଦେଇଛନ୍ତି। ଜୀବନରେ ସତ୍ୟ ଆଚରଣ କରିବେ ବୋଲି ସେ ଧବଳେଶ୍ୱର ପୀଠରେ ଛାତ୍ରଥିବା ବେଳେ ଏକଦା ଗୋପବନ୍ଧୁଙ୍କ ଆଗରେ ଶପଥ କରିଛନ୍ତି।
ସେତେବେଳେ ଓଡିଶାକୁ ନୂତନ ଭାବେ ଗଢିବାକୁ କେତେଜଣ ତ୍ୟାଗୀ ଓ ଦେଶପ୍ରେମୀ ଯୁବକଙ୍କ ସନ୍ଧାନରେ ଗୋପବନ୍ଧୁ ଥା’ନ୍ତି। ତେଣୁ ଜାତୀୟ ଜୀବନର ଦୁରୂହ କାର୍ଯ୍ୟରେ ସେ ତାଙ୍କୁ ଉପଯୁକ୍ତ ସହକର୍ମୀ ଭାବେ ବାଛି ନେଇଛନ୍ତି। କ୍ରମେ ସେହି ମହାମଣିଷର ସଞ୍ଚାର ପଥରେ ଭ୍ରାମ୍ୟମାଣ ପଣ୍ଡିତ ଗୋଦାବରୀଶ ମିଶ୍ର ତାଙ୍କ ପ୍ରତି ଏତେ ଆସକ୍ତ ହୋଇ ପଡିଛନ୍ତି ଯେ, ତାଙ୍କୁ “ମୋ ଜୀବନର ଦେବତା” ବୋଲି ନିଜ ଆତ୍ମଜୀବନୀରେ ଅକପଟ ଭାବେ ଉଲ୍ଲେଖ କରିଛନ୍ତି !
“ଏ ଭବ ପାରାବାରରେ ମୋ ଜୀବନ ତରୀର କର୍ଣ୍ଣଧାର ସେ। ମୋ ପ୍ରାଣର ଉପାସ୍ୟ ଦେବତା। ଦୁର୍ବଳ ମୁହୂର୍ତ୍ତମାନଙ୍କରେ ଆଜି ସୁଦ୍ଧା ମୁଁ ତାଙ୍କରି ମୂର୍ତ୍ତି ଆଖି ଆଗରେ କଳ୍ପନାରେ ଦେଖି ସାନ୍ତ୍ଵନା ପାଏ। ଗୋପବନ୍ଧୁଙ୍କ ପରି ସୁହୃଦ୍, ପଥପ୍ରଦର୍ଶକ ଓ ଦର୍ଶନଗୁରୁ ନିତାନ୍ତ ବିରଳ।”
ଯେଉଁଦିନ କଲିକତାରୁ ଆସି ଗୋଦାବରୀଶ ସାକ୍ଷୀଗୋପାଳ ଷ୍ଟେସନରେ ଓହ୍ଲାଇଲେ, ତାଙ୍କ ଆପେକ୍ଷାରେ ଥିବା ଗୋପବନ୍ଧୁ ଓ ଅନ୍ୟମାନଙ୍କୁ ଦେଖି ସବୁ ଭୁଲିଗଲେ। ତାଙ୍କ ପାଇଁ ଆୟୋଜିତ ସ୍ୱାଗତ-ସଭାରେ ଗୋପବନ୍ଧୁ କହିଥିଲେ- “ଯେଉଁ ଶିକ୍ଷକମାନେ ବିଦ୍ୟାଳୟକୁ ଦେବମନ୍ଦିର ବୋଲି ମନେ କରିବେ, ଶିକ୍ଷକତାକୁ ଜାତୀୟ କାର୍ଯ୍ୟ ଭାବେ ବରଣ କରିନେବେ, ଧର୍ମ ଓ ସାତ୍ତ୍ୱିକ ଭାବରେ ପ୍ରଣୋଦିତ ହୋଇ ଛାତ୍ରମାନଙ୍କଠାରେ ଦେବତ୍ଵର ବିକାଶ କରାଇପାରିବେ ଏବଂ ଯେଉଁମାନେ ଛାତ୍ରମାନଙ୍କୁ ଗଢିବାରେ ଭଗବାନଙ୍କ ପ୍ରତି ମନୁଷ୍ୟର ପରମ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ବୋଲି ମନେ କରିବେ, ସେଇମାନେ ଏଠାରେ ସମବେତ ହୋଇଛନ୍ତି।”
ଗୋଦାବରୀଶ ଏସବୁ ଶୁଣି ଏତେ ଉଦବୁଦ୍ଧ ହୋଇଯାଇଥିଲେ ଯେ, ଆତ୍ମଜୀବନୀରେ ଲେଖିଛନ୍ତି- “ମୋତେ ସେଦିନ ଆଉଥରେ ବ୍ରତ ହେଲା ପରି ଲାଗିଲା। ମୋ ଆଖିରୁ ଅବିରଳ ଲୁହ ବୋହିଯାଉଥାଏ। ମାତ୍ର ମୁଁ ପାଟି ଫିଟାଇ କିଛି କହିପାରିଲି ନାହିଁ।” ଏହି ସାତ୍ତ୍ୱିକ ଅନୁଭୂତି, ଭାବାବେଗ ଏବଂ ସତ୍ୟବାଦୀରେ ରହଣି କାଳର ଜୀବନଧାରା ଗୋଦାବରୀଶଙ୍କ କାବ୍ୟକବିତା ,ନାଟକ ଓ ଗଳ୍ପ-ଉପନ୍ୟାସରେ ସ୍ୱାଭାବିକ ଭାବେ ପ୍ରତିଫଳିତ ହୋଇଛି।
ଗୋଦାବରୀଶଙ୍କ ବ୍ୟକ୍ତିତ୍ୱ- ସରଳ, ସ୍ୱଚ୍ଛ ବିଗଳିତ ପ୍ରାଣ। କୈତବତା ଓ କୁଟିଳତାଠାରୁ ସେ ଥିଲେ ଦୂରରେ। ଗୋପବନ୍ଧୁଙ୍କ ବ୍ୟକ୍ତିତ୍ଵ ପ୍ରତି ତାଙ୍କର ଆକର୍ଷଣ ଏକାନ୍ତ ବୈଷ୍ଣବ ଜନୋଚିତ ଭକ୍ତିଭାବାପନ୍ନ ! ସେଠି ଯୁକ୍ତି ବା ତର୍କର ସ୍ଥାନ ନଥିଲା ! ଗୋପବନ୍ଧୁଙ୍କ ନିର୍ଦ୍ଦେଶରେ ସତ୍ୟବାଦୀରେ ବନବିଦ୍ୟାଳୟ ଛାଡି ଚକ୍ରଧରପୁର ସ୍କୁଲର ଦାୟିତ୍ୱ ବହନ କରିବାକୁ ଗୋଦାବରୀଶ ଯିବାବେଳେ ଜାଣିଥିଲେ ଯେ, ସେ ଏକ ଭୟାନକ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଇଛନ୍ତି।
୧୯୨୨ରେ ଗୋପବନ୍ଧୁ ଜେଲ୍ ଗଲାବେଳକୁ ଚକ୍ରଧରପୁର ହାଇସ୍କୁଲ ସତ୍ୟବାଦୀ ବନବିଦ୍ୟାଳୟ ପରି ଜାତୀୟ ସ୍କୁଲରେ ପରିଣତ ହୋଇସାରିଛି। ଗୋଦାବରୀଶ ନିଜ ଅନିଚ୍ଛାରେ ନିରୀହ ଶିକ୍ଷକତାରୁ ସଂଗ୍ରାମଶୀଳ ରାଜନୈତିକ ଜୀବନ ଆଡକୁ ଆଗେଇ ଯାଇଛନ୍ତି। ସେ ସ୍କୁଲ ଛାଡି #ଶାଳିଆ କୂଳରେ #ଘଣ୍ଟଶିଳା ପର୍ବତ ପାର୍ଶ୍ୱରେ ଆଶ୍ରମ ତିଆରିକରି ସ୍ୱରାଜ୍ୟ-ସନ୍ନ୍ୟାସ ଜୀବନଯାପନ କରୁଛନ୍ତି।
ଘୋର ଆର୍ଥିକ ଦୁରବସ୍ଥାରୁ ଏଇଠି ଦୁଇଦିନ କାଳ ପୋଡାତାଳ ଖାଇ ସେ ସମୟ ଅତିବାହିତ କରିଛନ୍ତି। ତଥାପି ତାଙ୍କ ମନରେ ଶୋଚନା ନାହିଁ। ବରଂ ଆତ୍ମଜୀବନୀରେ ଲେଖିଯାଇଛନ୍ତି – “ମନୁଷ୍ୟ ଜୀବନରେ ସର୍ବସ୍ୱ ହରାଇ ଦାଣ୍ଡର ଭିକାରୀ ହବା ତ ଗୋପବନ୍ଧୁଙ୍କ ପରି ପୁରୁଷର ପ୍ରଭାବରେ ପଡି।”
ପୁଣି #ନୀଳକଣ୍ଠ #ଦାସ ଙ୍କ ସମ୍ପର୍କରେ ସେ ଲେଖିଛନ୍ତି- “ମୁଁ ଯେ ନୀଳକଣ୍ଠ ବାବୁଙ୍କର କେବଳ ବନ୍ଧୁ ବା ସହକର୍ମୀ ଥିଲି ତା’ ନୁହେଁ, ତାଙ୍କର ଅନୁଗତ ଭୃତ୍ୟ ମଧ୍ୟ ଥିଲି। ଦୁହେଁ ଏକାଠି ଗାଧୋଇଲେ, ମୁଁ ତାଙ୍କ ପାଲଟା ଲୁଗା ଚିପୁଡି କାନ୍ଧରେ ଧରୁଥିଲି ଏବଂ ଘରକୁ ଫେରିଲେ ତାଙ୍କର ଖଡମ ଓ ପାଣି ଆଣି ଗୋଡଧୁଆ ଜାଗାରେ ରଖୁଥିଲି। କେତେକ ପିଲା ନୀଳକଣ୍ଠବାବୁଙ୍କ ସମାଲୋଚକ ଥିଲେ। ସେମାନେ ମୋତେ “ବୁକୁଚାବୁହା ଚାକର” ବୋଲି ନା’ ଦେଇଥିଲେ।”
ବୋଧହୁଏ ଗୋଦାବରୀଶ ମିଶ୍ରଙ୍କ ବ୍ୟତୀତ ଅନ୍ୟ କୌଣସି ଜୀବନୀଲେଖକ, ରାଜନେତା ଏପରି ଆବ୍ରୁହୀନ ଉଚ୍ଚାରଣ କରିପାରିବେ ନାହିଁ। ଏହିପରି ଗୋଠେ ଆତ୍ମଜୀବନୀ ଫକୀର ମୋହନଙ୍କ “ଆତ୍ମଜୀବନୀ” ପରେ ଏଯାବତ ସ୍ୱତନ୍ତ୍ର ରହିଛି। ତାଙ୍କର ଉବାଚରେ ଥିବା ନିଷ୍କପଟ ସ୍ୱଚ୍ଛତା, ଭାବ-ତରଳା, ହୃଦୟବତ୍ତା, ସତ୍ୟପ୍ରତି ଉତ୍କଣ୍ଠା, ଭାଷାର ସରଳତା ଓ ବହୁ ଗୋପନୀୟ ବିଷୟକୁ ଖୋଲାମେଲା ପ୍ରକାଶ କରିବାର ସାହସିକତା ତାଙ୍କ ଆତ୍ମଜୀବନୀ #ଅର୍ଦ୍ଧ #ଶତାବ୍ଦୀର #ଓଡିଶା #ଓ #ତହିଁରେ #ମୋ #ସ୍ଥାନ ର ବିଶେଷତ୍ୱ। ଏହା ଆତ୍ମଜୀବନୀ ନୁହେଁ, ଓଡିଶାର ଏକ ଇତିହାସ !
ଗୋଦାବରୀଶଙ୍କ ବିଶେଷତ୍ୱ – #ଗାଥାକବିତା
“ଆଲେଖିକା”(୧୯୨୨) ସମ୍ପର୍କରେ ମାୟାଧର ମାନସିଂହ ମନ୍ତବ୍ୟ ଦେଇଛନ୍ତି- “କବି ଗୋଦାବରୀଶଙ୍କ ଏଇ ରୋମାଣ୍ଟିକ୍ ବ୍ୟକ୍ତିତ୍ୱର ପ୍ରଥମ ପ୍ରକାଶ ଘଟିଛି ଆଲେଖିକାର ଗାଥା କବିତାଗୁଡିକରେ। ଏହାହିଁ ଗୋଦାବରୀଶଙ୍କର ଓଡିଆ ସାହିତ୍ୟକୁ ଶ୍ରେଷ୍ଠ ଓ ଅତୁଳନୀୟ ଦାନ। ଏପରି ଆଉ କେହି ତ ଲେଖି ନଥିଲେ; ସେ ପ୍ରଥମେ ଲେଖିଲେ ଓ ଅନବଦ୍ୟ ଭାବେ ଲେଖିଲେ।”
ଆଲେଖିକାରେ ସର୍ବମୋଟ ଦଶଟି କାହାଣୀଧର୍ମୀ କବିତା ରହିଛି। ଏହା ବ୍ୟତୀତ ଆଉ ପନ୍ଦରଟି ଗାଥାକବିତା ଅନ୍ୟତ୍ର ବିହୁରିତ ରହିଛି। ଇତିହାସ, କିମ୍ବଦନ୍ତୀ ଓ ରୂପକଥାକୁ ଅବଲମ୍ବନ କରି ଏହିକବିତା ଗୁଡିକ ରଚିତ। ତେବେ ଏ ସବୁ ମଧ୍ୟରେ କାଳିଜାଈ ଗାଥାକବିତା ସ୍ଵର୍ଣ୍ଣିମ ସୃଷ୍ଟି। ଶାଶୁଘରକୁ ଡଙ୍ଗାରେ ବସିଯାଉଥିବା ଝିଅ ଚିଲିକା ଗର୍ଭରେ ବର୍ଷା ଓ ଜଳମଗ୍ନ ହୋଇ ମୃତ୍ୟୁମୁଖରେ ପଡିବା ଓ ତା’ପରେ ନିକଟବର୍ତ୍ତୀ ପାହାଡରେ ତା ପାଇଁ ମନ୍ଦିରଟେ ତୋଳାଯାଇ ସେଠାରେ ଦେବୀ ଭାବେ ତାକୁ ପୂଜା କରାଯିବା ଲୋକକଥାକୁ ଅବଲମ୍ବନ କରି ଏହି ବିୟୋଗାତ୍ମକ କାହାଣୀ ପରିକଳ୍ପିତ। ତାଙ୍କର ଅନ୍ୟାନ୍ୟ ଗାଥାକବିତାରେ ଦେଶାତ୍ମବୋଧ ଓ ମାନବିକତାର ସ୍ୱର ନିହିତ।
ଗୋଦାବରୀଶଙ୍କ ରାଶିରାଶି ଗୀତିକବିତା ଚୟନିକା, “କଳିକା”, “କୁସୁମ”, “ଗୀତାୟନ”, “ଗୀତିଗୁଳ୍ମ” ସଂକଳନରେ ରହିଛି। କବିତାରେ ତାଙ୍କର ବ୍ୟକ୍ତିକ ଜୀବନର କରୁଣ ଓ ଦୁଃଖାବହ ଅନୁଭୂତିର ମର୍ମସ୍ପର୍ଶୀ ଚିତ୍ର ଓ ଉଚ୍ଚମାନବତାବାଦୀ ସ୍ୱରର ପ୍ରକାଶ ପାଇଛି। କିନ୍ତୁ ଗୀତିକବିତା, କଳାର କଷଟିରେ ଉତ୍ତୀର୍ଣ୍ଣ ହୋଇପାରିଛି ବୋଲି କହି ହବନି। ବହୁତ କବିତାରେ ବରଂ ତାଙ୍କ ସ୍ନେହସ୍ନିଗ୍ଧ ମନର ପରିଚୟ ମିଳେ !
ସେ ଦୁଇଟି ନାଟକ ଲେଖିଛନ୍ତି- ୧୯୧୭ରେ “ପୁରୁଷୋତ୍ତମ ଦେବ”, ୧୯୨୦ରେ “ମୁକୁନ୍ଦଦେବ”। କିନ୍ତୁ ମଞ୍ଚ ଉପସ୍ଥାପନା ଦୃଷ୍ଟିରୁ ଏ ନାଟକ ଦୁଇଟି ସଫଳ ହୋଇନଥିବାର ସେ କହିଛନ୍ତି । ସେଥିପାଇଁ ନିଜ ନାଟକର କଳାଗତ ଦୁର୍ବଳତାକୁ ଉପଲବ୍ଧି କରି ସେ କରିଛନ୍ତି –“ମୁଁ ଯୌବନରେ ଦୁଇଖଣ୍ଡ ନାଟକ ଲେଖିଥିଲି। ତାକୁ ନାଟକ ନ କହି ନାଟକ ଆକାରରେ ଲିଖିତ ଐତିହାସିକ ଉପନ୍ୟାସ କୁହାଯାଇପାରେ। ଓଡିଶାରେ ନାଟକ ଲେଖକ ବେଶି ନ ଥିବାରୁ ମୁଁ ଜଣେ ନାଟ୍ୟକାର।”
ତେବେ ତାଙ୍କ ଗୀତିକବିତାରେ ଅପରିବ୍ୟାପ୍ତ ଥିବା ଜାତୀୟତାର ପରିପୂର୍ତ୍ତି ଘଟିଛି ତାଙ୍କ ନାଟକରେ। କଳ୍ପନା ଓ କିମ୍ବଦନ୍ତୀ, ନାଟକ ଗୁଡିକର ପୃଷ୍ଠଭୂମି। ରାଜା ପୁରୁଷୋତ୍ତମଦେବ ଓ ମୁକୁନ୍ଦଦେବଙ୍କ ଚରିତ୍ରରେ କ୍ଷମାଶୀଳ ମାନବତାବୋଧ ସୃଷ୍ଟିକରି ଇତିହାସଠାରୁ କଳ୍ପନାକୁ ଅଧିକ ଗୁରୁତ୍ଵ ଦେଇଛନ୍ତି। ବାସ୍ତବତା ଅପେକ୍ଷା ଆଦର୍ଶବାଦର ପ୍ରତୀଷ୍ଠାର ଦୃଷ୍ଟାନ୍ତ ଏଥିରେ ଅଧିକ।
ମହାମହିମଙ୍କ ପ୍ରଣୀତ ‘ପୁରୁଷୋତ୍ତମ ଦେବ’ ନାଟକରେ ଯେତେବେଳେ କାଞ୍ଚି ବିଜୟ ହୋଇ କାଞ୍ଚି ରାଜଜେମା ଯୁଦ୍ଧବନ୍ଦିନୀ, ସେତେବେଳେ ଗଜପତି ମହାରାଜା ପୁରୁଷୋତ୍ତମଦେବଙ୍କ ତାଙ୍କର ଚଣ୍ଡାଳ ସହ ବିବାହ ନିଷ୍ପତ୍ତିକୁ ଧିକ୍କାର କରି ଯାହା ଥରେ କହିଥିଲେ, ତାହାକୁ ମହାମହିମ ନିଜ ନାଟକରେ ବଡ଼ ମର୍ମସ୍ପର୍ଶୀ ଭାବେ ବର୍ଣ୍ଣନା କରିଛନ୍ତି । ପତିପ୍ରାଣା ପଦ୍ମାବତୀଙ୍କ ଭାଷ୍ଯରେ ଏ ରାଜସମ୍ପଦ, ରାଜହର୍ମ୍ମ୍ୟ ମଧ୍ୟରେ ବାସ ଏକ ପଙ୍କିଳ ପ୍ରୀତି। ସୀତା ଯେ ଅଯୋଧ୍ୟାର ରାଜପ୍ରାସାଦ ନୁହେଁ, ବରଞ୍ଚ ବାଲ୍ମିକୀଙ୍କ ତପୋବନରେ ନିଜର ସୁଖାଶ୍ରିତ ହୁଅନ୍ତି !
ପ୍ରତିଟି ବର୍ଣ୍ଣନାପାଟବ ସହ ଉତ୍କଳୀୟ ଐତିହ୍ଯର ପୁନରୁଜ୍ଜୀବନରେ ତାଙ୍କ କାବ୍ୟମାଳା ସହ ସମସ୍ତ ରଚନା ପୁଷ୍ଟ। ନିଜ ଆତ୍ମଜୀବନୀ “ଅର୍ଦ୍ଧ ଶତାବ୍ଦୀର ଓଡିଶା ଓ ତହିଁରେ ମୋ ସ୍ଥାନ” ର ଏକ ଭାଗରେ ସେ ଲେଖିଛନ୍ତି – “ମୁଁ ସମସ୍ତ ଦୁଃଖକଷ୍ଟ ସହି ଅଭାବ ଅନଟନ ମଧ୍ୟରେ ମାଟି କାମୁଡି ପଡିରହିଲି; କାରଣ, ମୁଁ ବାମନ ହେଲେ ସୁଦ୍ଧା ଚନ୍ଦ୍ରକୁ ହାତ ବଢାଇଥିଲି। ଚନ୍ଦ୍ର ଆଖିକି ଦାଉ ଦାଉ ଦିଶୁଥିଲା; କିନ୍ତୁ ତାହା ଯେ କେତେ ଦୂରରେ ଥିଲା, ମୁଁ ବୁଝିବି କିପରି ? କେତେ ଶିଶୁ ମା’ କାଖରେ ବସି ଆକାଶକୁ ଚାହିଁ ଚନ୍ଦ୍ରକୁ ହାତ ବଢାନ୍ତି। କେତେ ମା’ ପିଲାଙ୍କୁ ସାନ୍ତ୍ଵନା ଦେବା ନିମନ୍ତେ କହନ୍ତି –
“ଆ, ଜହ୍ନମାମୁଁ ସରଗ ଶଶୀ
ମୋ କାହ୍ନୁ ହାତରେ ପଡରେ ଖସି।”
ସେହି ଗୀତ ପଦକ ମୋ କାନରେ ବରାବର ପଡୁଥାଏ। ଶିଶୁଗୀତ ଏକ ମୃଗତୃଷ୍ଣା କହିଲେ ଚଳେ। ହଜାରକେ ନଅଶହ ଅନେଶତ ତା ପଛରେ ଧାଇଁ ଧାଇଁ ନିରାଶ ହୁଅନ୍ତି; ଜଣେ ଅବା କଦାଚିତ୍ ତାକୁ ଛୁଇଁପାରେ। କିନ୍ତୁ ଦଉଡ଼ ପ୍ରତିଯୋଗିତାରେ ଧାଇଁଲା ପରି, ତା ପଛରେ ନ ଧାଏଁ କିଏ? ମୁଁ ବାଦ୍ ଗଲି ନାହିଁ, ନଅଶହ ଅନେଶତଙ୍କ ଭିତରେ ଜଣେ ହୋଇ ଧାଇଁବାରେ ଲାଗିଲି।”
ତତ୍କାଳୀନ ସାମାଜିକ, ସାଂସ୍କୃତିକ, ରାଜନୀତିକ ଓ ଅର୍ଥନୀତିକ ପରିବେଶ ଓ ପୃଷ୍ଠଭୂମି ଉପରେ କଥାସାହିତ୍ୟ ଆଧାରିତ। ସେ ସର୍ବମୋଟ୍ ୨୭ଟି ଗଳ୍ପର ରଚୟିତା ଓ “ପୁଆଣିଘର” ତାଙ୍କର ଗଳ୍ପସଂକଳନ। ଗଳ୍ପଜଗତରୁ ସାମାଜିକ ସଂସ୍କାର, ରାଜନୀତିକ ଚେତନା, ପାରିବାରିକ ସମସ୍ୟା, ପ୍ରଣୟ ଓ ପ୍ରେମର ଆବିଷ୍କାର କରାଯାଇପାରେ।
ନାରୀ ଜୀବନର ବୈଚିତ୍ର୍ୟ ଓ ଦୁର୍ଗତିକୁ ନେଇ “ତୋଳାକନ୍ୟା”, “ବିଧବା କନ୍ୟା” ,”ନାରୀର ଗତି”, “ପରଦାସୀନ”, “ଶ୍ରୀମତି”, “ପୁଆଣିଘର”; ପାରିବାରିକ ସମସ୍ୟାକୁ ନେଇ “ସାବତପୁଅ”,”ଭାଇଭାଗ”, “ସେବତୀର ଶବ”, “ପାଷାଣର ଭାଷା”; ରାଜନୀତିକ ସମସ୍ୟାକୁ ନେଇ, “ବନ୍ଦୀ”, “ଅନ୍ନଛତ୍ର”, “ପୋଲ ଉନ୍ମୋଚନ”, “ରାଜଭାଗ” ଆଦି ଗଳ୍ପ ପରିକଳ୍ପିତ। ଗଳ୍ପରେ ପୁରାତନ ଓ ନୂତନ ପିଢି ମଧ୍ୟରେ ଦ୍ୱନ୍ଦ୍ୱ ସହିତ ସଂସ୍କାରର ସ୍ୱର ରହିଛି। ଗଳ୍ପ ଗୁଡିକ ଗଠନମୂଳକ ଓ ଆଦର୍ଶପୁଷ୍ଟ; ସ୍ଥଳ ବିଶେଷରେ ଶୈଳୀ, ବ୍ୟଙ୍ଗାତ୍ମକ, ଭାଷା ପାତ୍ରୋପଯୋଗୀ, ସରଳ ଓ ସାବଲୀଳ। ଗୋଟିଏ ଗୋଟିଏ ଗଳ୍ପରେ ଅନେକ ଗୌଣ ଚରିତ୍ରର ସମାବେଶ ଘଟିଛି। ସେମାନଙ୍କ ମୁହଁରେ ଅଭିଜାତ ଭାଷା ସହିତ ଗ୍ରାମୀଣ ଭାଷା ଖଞ୍ଜି ଦିଆଯାଇଛି। ବହୁ ଗଳ୍ପରେ ଢଗ-ଢମାଳି, ପ୍ରବଚନ ଓ ପହେଳି, ଉପମା, ରୂପକ ଓ ରୂପକଳ୍ପର ପ୍ରୟୋଗ ବେଶ୍ ଉପଭୋଗ୍ୟ। “ମୁହଁଟା ମୁହୂର୍ତ୍ତକପାଇଁ ଫିକା ପଡିଗଲା। ପୋଖରୀର ବାସୀ ପଦ୍ମଫୁଲ ପ୍ରଭାତରେ ଭ୍ରମରକୁ ଦେଖି ଫୁଟିଉଠିଲା ପରି ସେ ମନର ଦୁଃଖ ଦୁର୍ଭାବନା ଲୁଚାଇରଖି ଟିକେ ହସିଦେଲା”। (ବନ୍ଦୀ)
ଗୋଦାବରୀଶ ଗଳ୍ପ-ଉପନ୍ୟାସ ବି ଲେଖିଛନ୍ତି। ତାଙ୍କ ନାମରେ ୪ଟି ଉପନ୍ୟାସ ରହିଛି: “ଘଟାନ୍ତର”, “ଅଭାଗିନୀ”,”ଅଠର ସହ ସତର”“ନିର୍ବାସିତ”। ଇଂରେଜ ରାଜଶକ୍ତି ବିରୋଧରେ ଦେଶୀୟ ଲୋକମାନଙ୍କ ସଂଘର୍ଷ ଓ ପରିଣତିରେ ବିଫଳତା ଉପନ୍ୟାସ ଗୁଡିକର ପ୍ରାଣବାଣୀ। ଅନେକ ବିଦେଶୀ ଉପନ୍ୟାସର ପ୍ରଭାବରେ ଉପନ୍ୟାସ ଗୁଡିକ ରଚିତ ହୋଇଥିଲେ ବି ଏଥିରେ ଓଡିଶା ଇତିହାସର ନାନାବିଧ ଚିହ୍ନ ରହିଛି। ବାଙ୍କୀ ରାଜ୍ୟର ରାଣୀଙ୍କ ସହିତ ୧୮୪୦ ମସିହାରେ ଇଂରେଜ ସୈନ୍ୟଙ୍କ ଯୁଦ୍ଧ ଓ ସେନାପତି ଗୋବିନ୍ଦ ସିଂହଙ୍କ ପରାକ୍ରମ – ପୁଣି ଖୋର୍ଦ୍ଧାକୁ ଗଡଜାତ ଭାବେ ପରିଗଣିତ କରିବା ବିରୋଧରେ ବନମାଳୀ ରାୟ କର୍ତ୍ତୃକ ପ୍ରତିବାଦ ଓ ସଙ୍ଘର୍ଷ “ଅଭାଗିନୀ” ଉପନ୍ୟାସର ବିଷୟବସ୍ତୁ। ସେହିପରି “ଅଠର ଶହ ସତର” ଉପନ୍ୟାସରେ ଇଂଗ୍ରେଜମାନଙ୍କ ବିରୋଧରେ ଖୋର୍ଦ୍ଧାର ପାଇକମାନଙ୍କର ବିଦ୍ରୋହ ଓ ଅନେକ ପାଇକଙ୍କ ପ୍ରାଣପାତ ମଧ୍ୟରେ ବକ୍ସି ଜଗବନ୍ଧୁଙ୍କ ନିଶ୍ୱାର୍ଥ ଦେଶପ୍ରେମ ଓ ଜୀବନଦାନ ମୁଖ୍ୟ ପ୍ରସଙ୍ଗ।
“ନିର୍ବାସିତ” ଉପନ୍ୟାସରେ ଉତ୍କଳ ଇତିହାସର ଏକ କ୍ଷୀଣସ୍ରୋତ ପ୍ରତିଫଳିତ। ଗଜପତି ଦିବ୍ୟସିଂହ ଦେବଙ୍କୁ ନରହତ୍ୟା ଅପରାଧରେ ୧୮୭୮ ମସିହାରେ କଳାପାଣି ଦଣ୍ଡ ହୋଇଥିଲା ସତ୍ୟ, କିନ୍ତୁ ତା’ପରେ ମାଳୟ ଦେଶର ପେରକ ରାଜ୍ୟରେ ତାଙ୍କୁ ବନ୍ଦୀ କରି ରଖାଯାଇଥିବା ଘଟଣା କାଳ୍ପନିକ ମନେ ହୁଏ। ତାଙ୍କ ମୁକ୍ତି ପାଇଁ ଓଡିଆପ୍ରେମୀ ସଦାନନ୍ଦ ବାବୁଙ୍କର ଉଦ୍ୟମ ଓ ମେଜର ବେହେରାଙ୍କ ସ୍ୱନିର୍ମିତ ଉଡାଜାହାଜରେ ନାନା ପ୍ରତିକୂଳ ପରିସ୍ଥିତି ମଧ୍ୟରେ ତାଙ୍କ କାରାମୁକ୍ତି, ଇତିହାସ ସମର୍ଥିତ ନୁହେଁ।
୧୯୦୮ ମସିହାରେ ରିଟ୍ ବ୍ରଦର୍ସ ପ୍ରଥମେ ଉଡାଜାହାଜ ନିର୍ମାଣ କରିଥିବା ଇତିହାସସମ୍ମତ। ତେଣୁ ମେଜର ବେହେରାଙ୍କ ‘ଉଡାଜାହାଜ’ ନିର୍ମାଣ ଗୋଦାବରୀଶଙ୍କ ଅତିକଳ୍ପନା ବ୍ୟତିତ ଆଉ କ’ଣ ହୋଇପାରେ ? Dr. Jackyl and Mr. Hyde ଉପନ୍ୟାସର ଅନୁବାଦ ଓ ଅନୁସରଣରେ ରଚିତ “ଘଟାନ୍ତର” ଉପନ୍ୟାସ ସେହିପରି ତାଙ୍କର କଳ୍ପନାପ୍ରବଣ ରୋମାଣ୍ଟିକ୍ ଗଦ୍ୟମାନସର ପରିଚୟ ବହନ କରେ। ସଂକ୍ଷେପରେ ଗୋଦାବରୀଶ ଓଡିଶାର ରାଜନୀତି, ଶିକ୍ଷାବ୍ୟବସ୍ଥା, ସାଂସ୍କୃତି ଓ ସାମାଜିକ ବ୍ୟବସ୍ଥାର ଜଣେ ମୁଗ୍ଧ ବ୍ୟାଖ୍ୟାକାର।
© Amritesh Khatua

Pandit Godabarish Misra Pandit Gopabandhu Das Pandit Nilakantha Das Satyabadi Bana Bidyalaya

Spread the love
Antaranga Kalinga

Recent Posts

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 days ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

3 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

3 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

3 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

3 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

3 weeks ago