~ ଗୋବିନ୍ଦ ରଥ ~
ଲେଖା: ଅମୃତେଶ ଖଟୁଆ
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଏବଂ ଜଣେ ବିପ୍ଳବୀ ସାରସ୍ୱତ ସାଧକ ଭାବେ ବାଙ୍କୀ ବରପୁତ୍ର ପଣ୍ଡିତ ଗୋବିନ୍ଦ ରଥ ପ୍ରଥିତଯଶା ! ଇଂରେଜ ଶାସନ ବିରୋଧରେ ବିଭିନ୍ନ ଲେଖା ଲେଖି ସେ ଜନମାନସରେ ବିଦ୍ରୋହର ନିଆଁ ଜଳାଇ ଦେଉଥିଲେ। ତାଙ୍କ କଟକସ୍ଥିତ ନିମଚଉଡିଠାରେ ଥିବା “ଗୋବିନ୍ଦ ଚନ୍ଦ୍ର ଲଜ୍”ରେ ସବୁ ସ୍ଵାଧୀନତା ସଂଗ୍ରାମୀ ସେଇଠି ବସଉଠ ଓ ଖାଦ୍ୟପେୟ କରୁଥିଲେ।
ବାଙ୍କୀରେ ନିଯୁକ୍ତ ହୋଇଥିବା ବିଦ୍ରୋହ କାଳରେ ଜଣେ ଡେପୁଟି କଲେକ୍ଟରଙ୍କୁ ବିପୁଳ କ୍ଷମତା ପ୍ରଦାନ କରାଯିବା ପରେ ଗୋବିନ୍ଦ ରଥ ନିର୍ଭୀକ ଭାବରେ ସେହି କଲେକ୍ଟରଙ୍କ ଦୁର୍ନୀତି ବିରୋଧରେ ମାଲିମକଦ୍ଦମା କରି ତାଙ୍କୁ ନୟାନ୍ତ କରି ଦେଉଥିଲେ। ଫଳସ୍ୱରୂପ ଜନୈକ କଲେକ୍ଟର ତାଙ୍କ ଭୟରେ ଆତ୍ମହତ୍ୟା କରିବା ସହ ଅନ୍ୟ ଅଧିକାରୀମାନେ ଲୁଚି ଲୁଚି ବାଙ୍କୀରୁ ପଳେଇଯାଉଥିଲେ!
ଉତ୍କଳଗୌରବ ମଧୁସୂଦନ ଦାସ ଏବଂ କବିବର ରାଧାନାଥ ରାୟଙ୍କ ସମକାଳୀନ ଥିଲେ ପଣ୍ଡିତ ଗୋବିନ୍ଦ ରଥ। ୧୮୪୮ ମସିହା ଅକ୍ଟୋବର ୨୯ ତାରିଖ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନାଗଚତୁର୍ଥୀ ଗୁରୁବାର ଦିନ ବାଙ୍କୀ ନିକଟସ୍ଥ ପାଟପୁର ମୌଜା ଅନ୍ତର୍ଗତ ପଦ୍ମନାଭପୁର ଶାସନର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୀନବନ୍ଧୁ ରଥ ଏବଂ ମାତାଙ୍କ ନାମ ସତ୍ୟଭାମା। ସତ୍ୟଭାମା ଆଶୁକବି ରଚନାରେ ଦକ୍ଷ ହେତୁ ତାଙ୍କୁ କବିବୁଢୀ ଭାବେ ଆଖ୍ୟା ଦିଆଯାଇଥିଲା।
ଗୋବିନ୍ଦଙ୍କ ଅନୁଜ ରାମଚନ୍ଦ୍ରଙ୍କ ଜନ୍ମର ଛ’ ମାସ ପରେ ପିତୃବିୟୋଗ ଘଟେ। ପିତାମହ ଅପର୍ତ୍ତି ରଥ ଲାଳନ ପାଳନ ଦାୟିତ୍ୱ ଗ୍ରହଣ କଲା ଅନ୍ତେ ତାଙ୍କ ମୃତ୍ୟୁ ପରେ ପିତୃବ୍ୟ କୃପାସିନ୍ଧୁ ରଥଙ୍କ ତତ୍ତ୍ୱାବଧାନରେ ତାଙ୍କ ଶିକ୍ଷା ପ୍ରଦାନର ବ୍ୟବସ୍ଥା ସମ୍ପାଦିତ ହୁଏ। ୧୮୭୨ ସାଲରେ କଟକ ନର୍ମାଲ ସ୍କୁଲରୁ ଜଣେ ବୃତ୍ତିଧାରୀ ଛାତ୍ର ଭାବେ କୃତିତ୍ୱର ସହ ଗୋବିନ୍ଦ ଉତ୍ତୀର୍ଣ୍ଣ ହୋଇଥିଲେ।
ସେ ୧୮୭୨ ସାଲରେ ଶିକ୍ଷକତା କରିବା ଆରମ୍ଭ କରିଲେ ପୁରୀଠାରେ। ମାସିକ ଆୟ ୧୭ ଟଙ୍କା। ସ୍ଵାଧୀନଚେତା ଗୋବିନ୍ଦ ଚାକିରୀ ତ୍ୟାଗ କରି ସାରସ୍ଵତ ସାଧନାର ଅୟମାରମ୍ଭ କରନ୍ତି। ସେ ସମୟରେ କାଗଜ ଲିଖନ ଓ କୁଳୀନ ବ୍ରାହ୍ମଣ ପରିବାରରେ ଇଂରାଜୀ ଶବ୍ଦକଥନ ପାପ କାର୍ଯ୍ୟ ଥିଲା। ନିଜର ସ୍ଵାଧୀନ ଚିନ୍ତା, ଆତ୍ମ-ସମ୍ମାନବୋଧ, ସର୍ବୋପରି ପ୍ରଗାଢ ପାଣ୍ଡିତ୍ୟ ବଳରେ ସେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଜଣେ ପୁସ୍ତକ ପ୍ରକାଶକ ତଥା ବିକ୍ରେତା ଭାବରେ। ତାଙ୍କ ପୁସ୍ତକ ଦୋକାନ ଥିଲା ବାଲୁ ବଜାରରେ।
ସେ ବାଙ୍କୀର ତିନିଜଣ ଦୁର୍ନୀତିଗ୍ରସ୍ତ ଅଫିସର ଶ୍ରୀନାଥ ବୋଷ, ବଳରାମ ଦାସ ତଥା ବାଳମୁକୁନ୍ଦ କାନୁନଗୋଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ। ବାଳମୁକୁନ୍ଦ କାନୁନଗୋ ଯେତେବେଳେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ପକ୍ଷରୁ ଗୋବିନ୍ଦ ରଥଙ୍କ ବିରୁଦ୍ଧରେ ମକଦ୍ଦମା ଲଢିବା ପାଇଁ ଅନୁରୋଧ କଲା ବେଳେ ସେ ପ୍ରତ୍ୟୁତ୍ତର ଦିଅନ୍ତି, “ପଣ୍ଡିତ ରଥ ଏକ ଉତ୍ତୁଙ୍ଗ ହିମାଚଳ, ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢିବା ହେଉଛି ତାଙ୍କର ଧର୍ମ। ତାଙ୍କ ବିରୁଦ୍ଧରେ ଦେବତା ଲଢିଲେ ମଧ୍ୟ ହାରିଯିବେ”
ଥରେ କଟକର କମିଶନର କାର୍ଯ୍ୟକ୍ରମ ରଖିଥିଲେ ବାଙ୍କୀ ବାଟେ ଖୋର୍ଦ୍ଧା ଯିବା ପାଇଁ। ସେତେବେଳେ କଟକ ବାଙ୍କୀକୁ ମୁଣ୍ଡମୁହାଣ ଠାରୁ ଅଣଓସାରିଆ କଚ୍ଚା ସଡ଼କ ଥିଲା। କାଁ ଭାଁ ସଡ଼କରେ, ନହେଲେ ଚଳପ୍ରଚଳ ମାଧ୍ୟମରେ ଗମନାଗମନ ହୁଏ। କମିଶନର ସାହେବଙ୍କ ଗସ୍ତକ୍ରମେ ଲୋକମାନେ ହାତରେ ପୋଛି ପୋଛି ରାସ୍ତା ସଫା କରିଥିଲେ। ଗୋରା ସାହେବଙ୍କ ଗସ୍ତ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ଦେଖି ଗୋବିନ୍ଦ ରଥଙ୍କ ମନରେ କ୍ରୋଧ ଜଳି ଉଠିଲା।
ନିଜର ଉପସ୍ଥିତ ବୁଦ୍ଧି ବଳରେ ସେ ଗୋଟିଏ ଶଗଡରେ ଦି’ଟା ଅମଣିଆ ବଳଦ ଯୋଚି ବାଙ୍କୀର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଧୂଳି ଉଡେଇ ଶଗଡ ଚଲେଇ ସବୁ ଏପଟ ସେପଟ କରିଦେଲେ। ଗୋବିନ୍ଦ ରଥ ପୋଲିସ ବାହିନୀକୁ ଦେଖି ଚିତ୍କାର କରନ୍ତି , “ୟେ ମେରା ବାପକା ରାସ୍ତା, ଇସକା ଉପର୍ ଓ ସାହେବ୍ ସେ ମେରା ଅଧିକାର ଜ୍ୟାଦା। ମୁଁ ୟା ଉପରେ ଶଗଡ଼ ଚଳେଇବି। ୟେ ଆଉ କାହାର ନୁହେଁ। ୟେ ମେରା ବାପକା ରାସ୍ତା।” ଅବଶ୍ୟ ସାହେବ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ, କିନ୍ତୁ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେବା ପାଇଁ ସେ ବହୁଥର କାରାବରଣ ଭୋଗିଛନ୍ତି।
ନିଜର ଏକ ବ୍ୟଙ୍ଗ ପୁସ୍ତକ “ଫିଉଚର୍ ସାହେବ୍”ରେ ଲେଖିଲେ:-
“ଏଥର ମଲେ ସାହେବ୍ ହେବି, ଲାଲ୍ ମୁଣ୍ଡରେ କ୍ୟାପ୍ ଦେବି,
କ୍ରିକେଟ୍ ଫ୍ଳାନେଲ୍ ପ୍ୟାଣ୍ଟଲୁନ୍ କରି, ନାଇଟ୍ ଡେ ପିନ୍ଧୁଥିବି” ।
ଫିଉଚର ସାହେବ ସକାଳେ ଓ ସନ୍ଧ୍ୟାରେ ପ୍ରତ୍ୟହ କୁକୁରକୁ ଧରି ବୁଲୁଥିଲା ବେଳେ ଭାରତୀୟଙ୍କୁ ଦେଖି ନାସିକା କୁଞ୍ଚନ ପୂର୍ବକ କୁକୁରକୁ ଚୁମ୍ବନ ତଥା ତତ୍କାଳୀନ ଇଉରୋପୀୟଙ୍କ ବ୍ୟବହାରକୁ ସେ ଏପରି ବର୍ଣ୍ଣନା କରିଛନ୍ତି:-
“ଇଉରୋପିୟାନ୍ ଯେବେ ଦେଖିବି,
ତ୍ରିଖଣ୍ଡି ମଜୁରା ତହିଁ ମାରିବି,
ଗୁଡ୍ ବାଇ ଫ୍ରେଣ୍ଡ୍ ବୋଲିଣ ସେକେଣ୍ଡ୍,
କରିଣ ଲେଟ୍ ମି ଗୋ ବୋଲି ଚଳିବି।”
ବିଭିନ୍ନ ଜାତୀୟ ସମ୍ମିଳନୀରେ ଯୋଗଦାନ ସହ ସମ୍ବଲପୁର ଠାରେ ୧୯୧୫ ମସିହାରେ ଉତ୍କଳ ସମ୍ମିଳନୀରେ ଯୋଗ ଦିଅନ୍ତି। ଏ ସକଳ ବାଦ୍ ଜଣେ ସୁସାହିତ୍ୟିକ ଭାବେ ସେ ମଧ୍ୟ ଖ୍ୟାତ। ତାଙ୍କ ଭ୍ରମଣ ଅନୁଭୂତିକୁ ନେଇ କଲିକତା ଦର୍ଶନ, କଟକ ଦର୍ଶନ, କାବ୍ୟ ଯେପରି ସତ୍ୟେଶ୍ୱର, ମନୋରଞ୍ଜନ, ପଞ୍ଚରତ୍ନ, ସଙ୍ଗୀତ ସୁଧାନିଧି, କବିତା କଳାପ, ବର୍ଣ୍ଣବୋଧକ, ନୀତିମଞ୍ଜରୀ, ଭାରତ ଉତ୍ସବ, କୁସୁମ କଳିକା, ଘୋଡା ଡିମ୍ବ, ଜଣାଣ ସଂଗ୍ରହ, ଚାଟଶାଳୀ ବୋଲି, ବାକିରେ ନବ, ମରକତ ମଣି ଆଦି ଉଲ୍ଲେଖଯୋଗ୍ୟ। ୧୯୧୮ ମସିହା ମେ ୨୮ ତାରିଖରେ ସେ ପରଲୋକ ଗମନ କରିଥିଲେ I
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago