ନବଘନ କହଁର

ଲେଖା: ନିରଞ୍ଜନ ସାହୁ

ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି ହଳଦୀର ରଙ୍ଗ ଗାଢ଼ ହେବ ବୋଲି । କିନ୍ତୁ ଏହିଁ ବଳି ହଳଦୀ କିଆରି ପାଇଁ ଭାବିବା ହିଁ ମୁର୍ଖତା ବୋଲି ବହୁ ଗବେଷକ ମତ ଦିଅନ୍ତି । କାରଣ କନ୍ଧମାନଙ୍କର ମେରିଆ ବଳି ସ୍ତୋତ୍ରକୁ ପଠନ କଲେ ଏସବୁ କଥା ଜଣାଯାଏ ନାହିଁ। ସେହି ବଳିମନ୍ତ୍ର ହେଲା ଯଥା :
“ସରି କାମ୍ଭ୍ରେସି କେପିତି ଇ ଲୋହ କାଡଲି,
ଚିଞ୍ଜିମ୍ ଜାନେ ଦୁର୍ଗା । ରାଜିଉଜୋ, 
ଆତାଇ ବିଶିଉଜୋ ଆତାଇ
ତିଞ୍ଜିମଜାନେ ଦୁର୍ଗା ।”

ଅର୍ଥାତ: କୁମ୍ଭାର କଲା ୟେ ଲୁହା ଟାଙ୍ଗିଆ, ଖାଇବେ ଦୁର୍ଗା  ।  ରାଜ୍ୟ ଉଜ୍ଜଳ ହେବ, ଦେଶ ଉଜ୍ଜଳ ହେବ, ଯଦି ସେ ଖାଇବେ ।

ଏଇଥିରୁ ଅନୁମାନ କରିହୁଏ ଯେ କନ୍ଧମାନଙ୍କର ନରବଳି ବା ମେରିଆ ପ୍ରଥା ତନ୍ତ୍ରପୂଜାରୁ ହିଁ ଆସିଥିଲା, ଯାହାର ଆରମ୍ଭ ହୋଇଥିଲା ଆର୍ଯ୍ୟଙ୍କ ଯଜୁର୍ବେଦ ସୁତ୍ରରୁ । ତଥାପି ଇଂରେଜମାନେ ଅନ୍ୟ କେଉଁଠି ଏ ପ୍ରଥାକୁ ଲୋପ କରିବା  ପାଇଁ ଅଭିଯାନ ନ ଚଳାଇ କେବଳ କନ୍ଧଙ୍କ ଭୂମିମାନଙ୍କରେ ଚଳାଇଥିଲେ । ଯାହାର ପ୍ରତିବାଦର ଫଳସ୍ବରୂପ ବହୁ ଗ୍ରାମ, ବହୁ ଲୋକ ପ୍ରାଣ ହରାଇ ଥିଲେ । ଯଦିଓ ଏହି ପ୍ରଥା ବିଲୋପ ହେବା ହିଁ ସମାଜର ମଙ୍ଗଳ ସାଧନ ପାଇଁ ଠିକ୍ ଥିଲା, ତେବେ କନ୍ଧମାଳ ମାଟିରେ ମାକଫରସନଙ୍କ ମେରିଆ ଅଭିଯାନରେ କ୍ଷୟ ହେଇଥିବା ବିପୁଳ ପରିମାଣର ଧନ, ଜୀବନକୁ ଲକ୍ଷ୍ୟ କରି ଇଂରେଜ ସରକାର ମଧ୍ୟ ବ୍ୟଥିତ ହୋଇଥିଲେ । ମାକଫରସନ୍ ଏହି ଅତ୍ୟାଚାର ସପକ୍ଷରେ  ଯୁକ୍ତି କରୁଥିଲେ ମଧ୍ୟ ଏସବୁକୁ ଲେଫଟନାଣ୍ଟ ପ୍ରିନସଡେଲ, ମେଜର ବାର୍ଡ଼, ଜେ. ଏଫ. ଥମାସ୍ ପ୍ରଭୃତି ବ୍ରିଟିଶ ଅଧିକାରୀମାନେ ମାକଫରସନଙ୍କ ଏହି ଅମାନବିକ କାର୍ଯ୍ୟକୁ ନିନ୍ଦା କରିଥିଲେ ।

ବେଙ୍ଗଲ ଗର୍ଣ୍ଣମେଣ୍ଟର କର୍ଣ୍ଣେଲ ଓସଲେ  ୧୮୪୬ ମସିହା ଏପ୍ରିଲ ୧୮ ତାରିଖ ରିପୋର୍ଟରେ ଲେଖୁଥିଲେ ଯେ: “ବର୍ତ୍ତମାନ ମୁଁ ଯାହା ଜାଣିପାରୁଛି, ସେଥିରେ ମୁଁ ପୂର୍ଣ୍ଣରୂପେ ଆଶଙ୍କା କରୁଛି ଯେ କନ୍ଧମାନଙ୍କର ଏକ ବ୍ୟାପକ ଆନ୍ଦୋଳନ ଆସନ୍ନ”

୧୮୪୬ ମସିହା ଜୁନ ଓ ଜୁଲାଇ ମାସରେ ସାରଙ୍ଗଗଡ଼ ଏବଂ ବନ୍ଧଗଡ଼ରେ ସଂଘଟିତ ହୋଇଥିବା ସଂଘର୍ଷରେ ପ୍ରାୟ ୧୭ ଜଣ କନ୍ଧ ମୃତ୍ୟୁବରଣ କରିଥିଲେ । ଫେରିବାବେଳେ ବହୁ ଗ୍ରାମକୁ ଇଂରେଜମାନେ ପୋଡ଼ିଦେଇଥିବା ଜଣାଯାଏ । ୧୮୪୬ ନଭେମ୍ବର ମାସରେ ନବଘନ କହଁର ଏବଂ ବୀର କହଁରଙ୍କ ନେତୃତ୍ବରେ କନ୍ଧମେଳିର ସର୍ଦ୍ଦାରମାନେ ମାକଫରସନଙ୍କ ସୈନ୍ୟବାହିନୀ ଉପରେ ପୁନଶ୍ଚ ଆକ୍ରମଣ କରିଥିଲେ । ଅତ୍ୟାଚାରୀ ମାକଫର୍ସନ ବହୁ ଚେଷ୍ଟାକରି ୧୮୪୬ ଡିସେମ୍ବର ମାସରେ ବୀର କହଁରଙ୍କୁ ଗିରଫ କରି ଲୌହଶୃଙ୍ଖଳର ବେଡ଼ିଦେଇ ରଖିଲେ । ଏକଥା କମିଶନରଙ୍କ କାନରେ ପଡ଼ନ୍ତେ କମିଶନର ମିଲସ୍ କ୍ଷୁବ୍ଧ ହୋଇଥିବା ସୂଚନା ମିଳେ । କାରଣ କିଛିଦିନ ପୂର୍ବେ ମିଲସ୍ ବୀର କହଁରଙ୍କ ଜୀବନ ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ବୀର କହଁରଙ୍କୁ ମାକଫର୍ସନ ବନ୍ଦୀ କଲା ପରେ ପରେ ତାଙ୍କ ଭାଇ ମହେଶ୍ବର କହଁର ବୀର କହଁରଙ୍କ ମୁକ୍ତି ଦାବୀ କରିବା ସହ ଇଂରେଜ ସେନାକୁ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ । ଏତେ ବଡ଼ ସେନାବାହିନୀ, ଏତେ ପରାକ୍ରମଶାଳୀ ଇଂରେଜକୁ ଖୋଲାଖୋଲି ଭାବେ ଯୁଦ୍ଧ କରିବାକୁ ଆହ୍ବାନ ଦେବା ଅର୍ଥ ମରଣକୁ ମାଳ କରି ବେକରେ ପିନ୍ଧିବା ସହ ସମାନ । ତଥାପି କନ୍ଧମାଳର ଏହି ଦୁର୍ଦ୍ଧର୍ଷ ଅଧିବାସୀମାନେ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପଛାଇ ନ ଥିଲେ ।

୧୮୪୬ ମସିହା ଡିସେମ୍ବର ୧୦ ତାରିଖ । ପାର୍ବତୀୟ ବିଦ୍ରୋହୀଗଣ ଜାଣିବାକୁ ପାଇଲେ ଯେ ଘୁମୁସର ଅନ୍ତର୍ଗତ କୁଲାଡ଼ର କିଛି ବ୍ୟବସାୟୀ ଇଂରେଜସେନାଙ୍କୁ ଖାଦ୍ୟପଦାର୍ଥ ଯୋଗାଉଛନ୍ତି । ଫଳତଃ ଏହି ପାର୍ବତୀୟ ସେନାବାହିନୀର ୪ ଶହ ବିଦ୍ରୋହୀ କୁଲାଡ଼ ଆକ୍ରମଣ କରି ବହୁ ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ । ଏତିକିବେଳକୁ ଇଂରେଜ ଅଧିକାରୀ କ୍ୟାଡ଼େନ ହେଡ଼ଙ୍କୁ ସମତଳ ଅଞ୍ଚଳକୁ ପଠାଇ ମାକଫର୍ସନ ନିଜେ ପାହାଡ଼ି ଅଞ୍ଚଳରେ ଦମନମୂଳକ କାର୍ଯ୍ୟ ଜାରି ରଖିଥିଲେ । ଏହି ପାର୍ବତ୍ୟ ଅଞ୍ଚଳକୁ ହାତମୁଠାରେ ରଖୁବାପାଇଁ ମାକଫର୍ସନଙ୍କ ସହ କ୍ୟାପଟେନ ଡନଲପ୍ ମଧ୍ୟ କାର୍ଯ୍ୟ କରୁଥାନ୍ତି । ଏହାଛଡ଼ା ଏହି ସମୟରେ ଲେପ୍ଟନାଣ୍ଟ ହଟନ ବେଙ୍ଗଲବାହିନୀର ସୈନ୍ୟ ଏବଂ କିଛି ଅଶ୍ଵାରୋହୀଙ୍କୁ ନେଇ ବଲସକୁମ୍ଫାଠାରେ ମାକଫରସନଙ୍କୁ ସହଯୋଗ ଦେଲେ ।

ଅତ୍ୟାଚାରୀ ମାକଫରସନଙ୍କ ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲିଲା । ସାଧାରଣ ମଣିଷମାନେ ଏହି ଅତ୍ୟାଚାରରେ ଅତିଷ୍ଠ ହୋଇ ମାକଫର୍ସନ କ୍ୟାମ୍ପ କରିଥିବା ଆଖପାଖର ୩୦ଟି ଗ୍ରାମକୁ ପୋଡ଼ିଜାଳି ଛାରଖାର କରିଦେଇଥିବା କଥା ଗଞ୍ଜାମ କଲେକ୍ଟର ବାନରମ୍ୟାନ ସରକାରଙ୍କୁ ଜଣାଇଥିଲେ । ଏକଥା ମଧ୍ୟ ଜଣାଇଥିଲେ ଯେ, “ମୁଁ ମାକଫର୍ସନଙ୍କ ସାମରିକ ଶକ୍ତିକୁ ବଢ଼ାଇବା ସପକ୍ଷରେ ନାହିଁ । କାରଣ ମାକଫର୍ସନଙ୍କ ଦମନମୂଳକ କାର୍ଯ୍ୟପନ୍ଥା ବିପଦଜନକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ”

ସାରା କନ୍ଧମାଳରେ ଇଂରେଜ ସେନାଧିକାରୀମାନେ ସଂଗ୍ରାମ ଜାରି ରଖିଥାନ୍ତି । ୧୮୪୭ ଜାନୁୟାରୀ ପ୍ରଥମ ସପ୍ତାହ ବେଳକୁ କ୍ୟାଡ଼େନହେଡ଼ ଏବଂ କ୍ୟାପ୍ଟେନ ଡନଲପ୍‌ଙ୍କ ନେତୃତ୍ୱରେ ଇଂରେଜ ସେନା ଚକାପାଦ ଏବଂ ଗାଲେରୀ ଅଞ୍ଚଳର କନ୍ଧମାନଙ୍କ ସହ ଲଢ଼େଇ ଚଳାଇଥିଲେ । କଲେକ୍ଟର ବାନରମ୍ୟାନଙ୍କ ରିପୋର୍ଟ ଅନୁଯାୟୀ ଜଙ୍ଗଲ ଅଞ୍ଚଳର ବିଦ୍ରୋହୀଙ୍କୁ ଦମନ କରିବାପାଇଁ ଆସିଥିବା ସେନାଧ୍ୟକ୍ଷ ବେଲ୍ ଙ୍କ ସୈନ୍ୟ କନ୍ଧମାନଙ୍କ ସହ ସଂଗ୍ରାମ କରି ପରାସ୍ତ ହୋଇଥିଲେ । ଚକାପାଦ ଅଞ୍ଚଳରୁ ପରାସ୍ତ ହୋଇ ଡନଲପ୍ ଏବଂ କ୍ୟାଡ଼େନହେଡ଼ ବେଙ୍ଗ୍ରିକିଆ ଅଭିମୁଖେ ଯାତ୍ରାକରି, ସେହି ମୁଠାର କନ୍ଧ ସର୍ଦ୍ଦାର ନାଗସନ୍ କହଁରଙ୍କ ଘରକୁ ପୋଡ଼ି ପକାଇଥିଲେ । ଦୀର୍ଘଦିନ ଧରି ବିଶାଳ ସୈନ୍ୟବାହିନୀ ସହ ଲଢ଼େଇ କରି ନିସ୍ତେଜ ହୋଇ ୧୮୪୩ ମସିହା ଫେବୃୟାରୀ ମାସରେ ପୂର୍ବ ବଉଦର କେତେକ କନ୍ଧ ମୁଖିଆ ଯଥା: ପଣ୍ଟିମ ବଉଦର ସାଙ୍ଗ୍ରିମେଣ୍ଡି ଠାରେ ନେତ୍ରପଟ୍ଟା କହଁର, ହରଭଙ୍ଗାଠାରେ ନିଜର କେତେକ ଅନୁଗାମୀଙ୍କ ସହ ଗଣ୍ଡନାୟକ ଯଥାକ୍ରମେ ଇଂରେଜ ଏଜେଣ୍ଟ ଡନଲପ, ମାକଫରସନ ଏବଂ କ୍ୟାଡ଼େନହେଡ଼ଙ୍କ ନିକଟରେ ଆତ୍ମସମର୍ପଣ କରିଥିବାର ଜଣାଯାଏ ।

୧୮୪୭ ମସିହା ମାର୍ଚ୍ଚ ମାସ ୫ ତାରିଖରେ ପାକଫର୍ସନ ଗଭର୍ଣ୍ଣର ଜେନେରାଲଙ୍କ ନିକଟକୁ ପଠାଇଥିବା ପତ୍ରରୁ ଜଣାପଡ଼େ ଯେ ସେତେବେଳେ କନ୍ଧମାଳରେ କାମ କରୁଥିବା ୮ଗୋଟି  କନ୍ଧଗୋଷ୍ଠୀଙ୍କ ମଧ୍ୟରୁ ସେ ୫ ଗୋଟି ଗୋଷ୍ଠୀକୁ ନିଜ ଅକ୍ତିଆରକୁ ଆଣିସାରିଥିଲେ ସୁଦ୍ଧା ନବଘନ କହଁରଙ୍କ ନେତୃତ୍ୱରେ ପରିଚାଳିତ ବଳକା ୩ଗୋଟି ଗୋଷ୍ଠୀଙ୍କ ଦ୍ଵାରା ଇଂରେଜ ବିରୋଧୀ ସଂଗ୍ରାମ ଚାଲୁରହିଛି । ମାର୍କଫର୍ସନ ବେଙ୍ଗ୍ରିକିଆ, ବରଗୋଛା, ଚୋଉପଦକ, ସାଙ୍ଗ୍ରିମେଣ୍ଡି ଓ ମାଧବ କହଁରଙ୍କ ରାଣୀଗଞ୍ଜ ଗୋଷ୍ଠୀ ଉପରେ ବିଜୟଲାଭ କରିଥିବାବେଳେ ବିଦ୍ରୋହୀ ନବଘନ କହଁରଙ୍କ କବଜାରେ ରତାବାରୀ, ଡମସିଂ ଏବଂ ବନ୍ଧଗଡ ଗୋଷ୍ଠୀ ।

ପ୍ରତ୍ୟେକ ଇଂରେଜ ଯେ ଅମଣିଷ ସେ କଥା କହିଲେ ସତ୍ୟର ଅପଳାପ ହେବ । ଉଦାହରଣ ସ୍ଵରୂପ, ମାକଫର୍ସନଙ୍କ ଦମନମୂଳକ କାର୍ଯ୍ୟପ୍ରଣାଳୀକୁ ନିନ୍ଦାକରି କଲିକତା କମ୍ପାନୀ ସରକାର ଆଦେଶ ଦେଇଥିଲେ ଯେ, “ବଳିପ୍ରଥା ବନ୍ଦକରିବା ପାଇଁ ଜନସାଧାରଣଙ୍କୁ ବାଧ୍ୟ କରି ନୁହେଁ, ସେମାନଙ୍କ ମନ ଜିଣି କାମ କର ।” କିନ୍ତୁ ମାକଫର୍ସନ ଏସବୁକୁ  ଅବମାନନା କରି କନ୍ଧମାନଙ୍କ ଉପରେ ନିର୍ମମ ଅତ୍ୟାଚାର ଚଳାଇଥିଲେ । ଫଳରେ କନ୍ଧମାଳ ମାଟିରେ ଅସଂଖ୍ୟ କନ୍ଧ ମୃତ୍ୟୁବରଣ କରିଥିଲେ । ଏହାର ପ୍ରତିକ୍ରିୟାରେ ଏ.ଏଚ୍.ମ୍ୟାଡ଼ଡଙ୍କ ବିବରଣୀ ଉଲ୍ଲେଖଯୋଗ୍ୟ: “ଧନସଂପତ୍ତିର ବିପୁଳ କ୍ଷତି ଓ ସୈନ୍ୟ ବ୍ୟବହାର ଖର୍ଚ୍ଚକୁ ବିଚାରକୁ ନ ନେଇ ଯଦି ଗତବର୍ଷ ଏଜେଣ୍ଟଙ୍କ ଅଭିଯାନରେ ବଳି ପଡ଼ିଥିବା ଜନଜୀବନକୁ ଆମେ ହିସାବ କରୁ ତେବେ ମେରିଆ ପ୍ରଥାରେ ବହୁବର୍ଷରେ ବଳି ଦିଆଯାଇଥିବା ଲୋକଙ୍କ ସଂଖ୍ୟାଠାରୁ ସମ୍ଭବତଃ ଏହା ଅଧିକ ହେବ । ଏହି ପନ୍ଥାରେ ମାନବ ଜାତିର ହିତସାଧନକୁ ଅଗ୍ରଗତି କହି ହେବ କି ?” ଏହିଭଳି ମାକଫର୍ସନଙ୍କ ବିରୋଧରେ ବହୁ ଆପତ୍ତି ଅଭିଯୋଗକୁ ବିଚାରକୁ ନେଇ କମ୍ପାନୀ ସରକାର ୧୮୪୭ ମସିହା ମାର୍ଚ୍ଚ ୨୪ ତାରିଖରେ ତାଙ୍କୁ ଏଜେଣ୍ଟ ପଦରୁ ଅବ୍ୟାହତି ଦେଇଥିଲେ ।

ମାକଫର୍ସନଙ୍କ ସ୍ଥାନରେ ଡାଇସୁଙ୍କୁ ନିଯୁକ୍ତି ମିଳିଲା । ୧୭୬୬ ମସିହାଠାରୁ ୧୮୪୭ ମସିହା ଯାଏ ଦୀର୍ଘ କାଳଧରି ବିଭିନ୍ନ ସର୍ଦ୍ଦାରଙ୍କ ଦ୍ବାରା ସଂଘଟିତ ହୋଇଆସୁଥିଲା କନ୍ଧବିଦ୍ରୋହ । ଦୀର୍ଘଦିନର ସଂଗ୍ରାମ ଏବଂ କିଛି ସଂଗ୍ରାମୀଙ୍କ ମୃତାହତକୁ ନେଇ ୧୮୪୭ ବେଳକୁ କନ୍ଧମାଳର ବିଭିନ୍ନ ଅଞ୍ଚଳ ଇଂରେଜଙ୍କ ଦ୍ଵାରା ଅଧିକୃତ ହେବା ପରେ, ଯୁବପିଢ଼ିର ସର୍ଦ୍ଦାର ନବଘନ କହଁର ଏବଂ ବୀର କହଁର ଦେଖିଲେ ଯେ ସୀମିତ ସମ୍ବଳ ଏବଂ ସୀମିତ ଶକ୍ତିକୁ ନେଇ ଇଂରେଜଙ୍କୁ ସାମନା କରିବା ଆଉ ସମ୍ଭବ ନୁହେଁ ।

ଡାଇସୁ କାର୍ଯ୍ୟଭାର ଗ୍ରହଣ କରିବାସହ ମାକଫର୍ସନ ବନ୍ଦୀ କରି ରଖିଥୁବା ବୌଦ୍ଧରାଜା, ବୀର କହଁର ଏବଂ କୃତିବାସଙ୍କୁ ମୁକ୍ତ କରିଦେଲେ । କନ୍ଧମାଳର ବିଦ୍ରୋହ ଦମନ କରିବାପାଇଁ ଡାଇସୁ ମାକ୍କଭିକ୍କରଙ୍କୁ ନିଯୁକ୍ତି ଦେଇଥିଲେ । ଡାଇସୁ  ତାଙ୍କ ୧୮୪୭ ମସିହା ଏପ୍ରିଲ ୨୫ ତାରିଖ ରିପୋର୍ଟରେ ଲେଖୁଛନ୍ତି ଯେ, ମାକଭିକ୍କରଙ୍କ ନିକଟରେ ବେଙ୍ଗ୍ରିକିଆ, ଡମସିଂ ଏକ ବନ୍ଧଗଡ଼ର କନ୍ଧ ମୁଖୁଆମାନେ ବିଶିପଡ଼ାଠାରେ ଆତ୍ମସମର୍ପଣ କରିଥିଲେ ।

ଏହାମଧ୍ୟରେ କ୍ୟାପଟେନ କ୍ୟାମ୍ପବେଲ କନ୍ଧମାଳରୁ ଯାଇଥାନ୍ତି ଚୀନ୍ ଯୁଦ୍ଧକୁ । ୧୮୪୭ ମସିହାରେ ଚୀନ୍ ଯୁଦ୍ଧରୁ ଫେରିବା ପରେ କମ୍ପାନୀ ସରକାର ତାଙ୍କୁ (କ୍ୟାପଟେନ ଜନ କ୍ୟାମ୍ପବେଲ) ଲେପ୍ଟନାଣ୍ଟ କର୍ଣ୍ଣେଲ ପଦକୁ ଉନ୍ନୀତ କରାଇ ଡାଇସୁଙ୍କ ବଦଳରେ ନୂତନ ମେରିଆ ଏଜେଣ୍ଟ ଭାବେ ପୁନଶ୍ଚ କନ୍ଧମାଳକୁ ପଠାଇଥିଲେ । ଜନ୍  କ୍ୟାମ୍ପବେଲଙ୍କ  କନ୍ଧମାଳ ଆଗମନ ସମୟ ଥିଲା ୧୮୪୭ ଜୁନ୍ ପ୍ରଥମ ସପ୍ତାହ । ୧୮୪୮ ମସିହାରେ କ୍ୟାପଟେନ୍ ଜନ କ୍ୟାମ୍ପବେଲ୍ ଚଳାଉଥାନ୍ତି କନ୍ଧ ବିଦ୍ରୋହୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଆଏ ଚକରା ବିଶୋୟୀଙ୍କ ଗିରଫଦାରୀ । ତେଣୁ ଘୋଷଣା କଲେ ଯେ ଯିଏ ଜୀବିତ ଅବା ମୃତ ଚକରା ବିଶୋୟୀଙ୍କୁ ଧରାଇ ଦେବ ସରକାରଙ୍କ ତରଫରୁ ସେ ପାଇବ ତିନି ହଜାର ଟଙ୍କା ପୁରସ୍କାର । ଏଭଳି ଏକ ନିର୍ମମ ଘୋଷଣାରେ ବ୍ୟଥିତ ହୋର ନୂତନ ଗଭର୍ଣ୍ଣର ଜେନେରାଲ୍ ଲର୍ଡ ଡେଲହାଉସି କାମ୍ପବେଲଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଚକରା ବିଶୋୟୀକୁ ମୃତ ନୁହେଁ ଜୀବିତ ଧରାଯାଉ ।

ମାକଫର୍ସନଙ୍କ ସମୟର ବର୍ବରତା, ଅମାନବିକତାର ତିକ୍ତ ଅନୁଭୂତିକୁ ପୁନରାବୃତ୍ତି ନ କରିବା ପାଇଁ ଜନ କ୍ୟାମ୍ପବେଲ ମନସ୍ଥ କରିଥିଲେ । ସେ ଓ ତାଙ୍କ ସହକର୍ମୀମାନେ ଶାନ୍ତିପୂର୍ଣ୍ଣ ଉପାୟରେ କନ୍ଧମାନଙ୍କୁ ଇଂରେଳଙ୍କ ପ୍ରତି ଆକୃଷ୍ଟ କରାଇବାରେ ସଫଳ ହୋଇଥିଲେ । ୧୮୪୮ରୁ ୧୮୪୯ ଯାଏ ବାଲିଗୁଡ଼ା ଅଞ୍ଚଳରେ ଆରମ୍ଭ ହେଲା ପ୍ରଥମ ମେରିଆ ଅଭିଯାନ । ଜନ କ୍ୟାମ୍ପବେଲ, ମାକଭିକ୍କର, କ୍ୟାଡ଼େନ ହେଡ୍ ପ୍ରମୁଖ ଅଧିକାରୀମାନେ ଏହି ସମୟରେ ନରବଳି ପ୍ରଥାର ବିଲୋପ କରିବା ସହ ବିଭିନ୍ନ ଅବିଜିତ ମୁଠାକୁ ଅଧିକାର କରିନେଇଥିଲେ ।

ଦ୍ବିତୀୟ ପର୍ଯ୍ୟାୟରେ ୧୮୪୭ ଠାରୁ ୧୮୫୫ ମସିହା ଯାଏ ଜନ କ୍ୟାମ୍ପବେଲ ଶାନ୍ତିପୂର୍ଣ୍ଣ ଉପାୟରେ ସାମରିକ ଅଭିଯାନ ଚଳାଇ ଜନସାଧାରଣ ତଥା କମ୍ପାନୀ ସରକାରଙ୍କ ପ୍ରଶଂସାର ପାତ୍ର ହୋଇପାରିଥିଲେ । ୧୮୫୫ ମସିହାରେ ଜନ କ୍ୟାମ୍ପବେଲଙ୍କ କନ୍ଧମାଳ ରହଣିର ଅନ୍ତିମ ସମୟ ଥିଲା । ଏହି ସମୟପରେ ସେ କନ୍ଧମାଳ ଛାଡ଼ି ସ୍କଟଲ୍ୟାଣ୍ଡ ଚାଲି ଯାଇଥିଲେ । କମ୍ପାନୀ ନିର୍ଦ୍ଦେଶକମାନେ ଜନ କ୍ୟାମ୍ପବେଲଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଲେ ଯେ, “ତାଙ୍କଦ୍ଵାରା କନ୍ଧ ଦେଶରେ ସଭ୍ୟତାର ଅଙ୍କୁର ରୋପଣ କରାଯାଇଛି” । ଏହା ପରେ ପରେ ଜନ କ୍ୟାମ୍ପବେଲଙ୍କ ସହକର୍ମୀ ମାକଭିକ୍କର ଇସ୍ତଫା ପ୍ରଦାନ କରନ୍ତେ ତାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ମାକନିଲ୍ ୧୮୫୫ମସିହାରେ ନୂତନ ମେରିଆ ଏଜେଣ୍ଟ ଭାବେ କନ୍ଧମାଳ  ଆଗମନ କରିଥିଲେ ।

୧୮୫୫ ମସିହା ଡିସେମ୍ବର ମାସର କଥା । ମାକନିଲ୍ କନ୍ଧମାଳର ତୁମୁଡ଼ିବନ୍ଧ ଅଞ୍ଚଳରେ ଥିବା କୁଟିଆକନ୍ଧଙ୍କ ସହ ପ୍ରବଳ ସଂଗ୍ରାମ ଜାରି ରଖିଥାନ୍ତି । ଏହି ସମୟରେ ଦୁର୍ଦ୍ଦାନ୍ତ କୁଟିଆ କନ୍ଧଙ୍କ ଆକ୍ରମଣରେ ଇଂରେଜ ସେନା ଛତ୍ରଭଙ୍ଗ ଦେବା ସହ ଏଜେଣ୍ଟ ମାକନିଲ୍’ଙ୍କ ଜୀବନ ବିପଦାପନ୍ନ ହୋଇପଡ଼ିଲା । ଯୋଗକୁ ଇଂରେଳ ଅଧୀନରେ ରହି କାମ କରୁଥିବା ଜମାଦାର ଦୀନବନ୍ଧୁ ପଟନାୟକ କୌଶଳରେ ଇଂରେଳ ଅଧିକାରୀ ମାକନିଲ୍’ଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ । ଏଥିରେ ଖୁସି ହୋଇ ସେହି ୧୮୫୫ ମସିହାରେ ଦୀନବନ୍ଧୁ ପଟ୍ଟନାୟକଙ୍କୁ କନ୍ଧମାଳର ତହସିଲଦାର ଭାବେ ନିଯୁକ୍ତି ଦିଆଗଲା ।

ଶୁଣାଯାଏ ଯେ ଏହି ଦୀନବନ୍ଧୁ ପଟ୍ଟନାୟକ ତହସିଲଦାର ହେବା ପୂର୍ବରୁ ଇଂରେଜଙ୍କ ଅଧୀନରେ ଗଞ୍ଜାମ ଜିଲ୍ଲାରେ ଜମାଦାର ଏବଂ କିଛିଦିନ ୩୦ ଟଙ୍କା ବେତନରେ ଅନୁଗୁଳରେ ପୋଲିସ ଚାକିରି କରୁଥିଲେ । ତହସିଲଦାର ହେବାପରେ ପ୍ରଥମେ ତହସିଲର ସଦରମହକୁମା ବର୍ତ୍ତମାନର ଖଜୁରିପଡ଼ାଠାରେ, ପରେ ନାକପଲ୍ଲା ଏବଂ ଗୁମାଗଡ଼ରେ ତହସିଲ ଅଫିସ୍ ସ୍ଥାପନ କରିଥିଲେ । ତହସିଲଦାର ଦୀନବନ୍ଧୁ ପଟ୍ଟନାୟକ ଯଦିଓ ଓଡ଼ିଶାର ଲୋକ, କନ୍ଧମାଳର ତହସିଲଦାର ତଥାପି ସେ କନ୍ଧମାନଙ୍କୁ ଘୃଣା କରୁଥିବାବେଳେ ଇଂରେଜଙ୍କୁ ମୁଣ୍ଡରେ ମୁଣ୍ଡାଉଥିବାର ପ୍ରମାଣ ମିଳେ । ସେ ଦୀର୍ଘବର୍ଷ ଚାକିରି କରି ୧୮୮୦ ମସିହାରେ ଚାକିରିରୁ ଅବସର ନେଇଥିଲେ । ଏହି ସମୟରେ ପ୍ରାୟ ୧୮୭୦ ମସିହା ବେଳକୁ ଦୀନବନ୍ଧୁ ପଟ୍ଟନାୟକଙ୍କ ଡାକରାରେ କନ୍ଧମାଳକୁ ଶୁଣ୍ଢି ସମ୍ପ୍ରଦାୟର ଆଗମନ ଘଟିଥିବାର ସୂଚନା ମିଳେ । କନ୍ଧମାଳର ଅଧିବାସୀଙ୍କ ପାଖରେ ମଦ, ମାଂସ  ଓ ନୃତ୍ୟ ହିଁ ମୁଖ୍ୟ ବସ୍ତୁ । ଅତଏବ ସେହି କାଳୁ ଶୁଣ୍ଢିମାନେ ଖୋଲି ଦେଇଥିଲେ ମଦଭାଟି । ଯାହାଦ୍ଵାରା କନ୍ଧମାନେ ହରାଇ ଚାଲିଲେ ଜମିଜମା, ସମ୍ପତ୍ତି। ୧୮୮୬/୮୭ମସିହା ବେଳକୁ କନ୍ଧମାଳରେ ୪୭୦ଟି ମଦଭାଟି ଥିବାର ଆଭାସ ମିଳେ । ୧୮୮୭ମସିହାରେ ମିଷ୍ଟର ମେଟକାଫ୍ ସରକାରଙ୍କୁ ଏକଥା  ଜଣାଇଥିଲେ ଯେ, ବହିରାଗତ ମଦ ବେପାରୀ କନ୍ଧଙ୍କୁ ଶୋଷଣ କରି ହୃଷ୍ଟପୁଷ୍ଟ ହେଲାବେଳେ କନ୍ଧମାନେ ତଳିତଳାନ୍ତ ହେଲେଣି । ଏଭଳି ସମସ୍ୟା ଆଜିର ନୁହେଁ । ଏହା ପରାଧୀନ କାଳରୁ ଚଳିଆସୁଛି । କେବଳ ପ୍ରତିକାର ଲୋଡ଼ା ।

କନ୍ଧମାଳର ପ୍ରଥମ ତହସିଲ, ସେତେବେଳେ କଟକ ଅଧୀନରେ ଥାଏ । ଏହାପରେ ସେଭଳି ଦୃଷ୍ଟି ଆକର୍ଷଣକାରୀ କନ୍ଧ ବିଦ୍ରୋହ ସଂଘଟିତ ହୋଇଥିବାର ସୂଚନା ପ୍ରାୟତଃ ଦୃଷ୍ଟିଗୋଚର ହୁଏ ନାହିଁ । କୁଟିଆ କନ୍ଧଙ୍କ ଦ୍ଵାରା ସଂଘଟିତ ସଂଗ୍ରାମ ସମ୍ଭବତଃ ଇଂରେଜଙ୍କ ବିରୋଧରେ କନ୍ଧମାଳ ମାଟିରେ ଶେଷ ସଂଗ୍ରାମ । କନ୍ଧମାଳ ଜନତାଙ୍କୁ ନିଜ ଅଧୀନରେ ରଖୁବା ପାଇଁ ଯେଉଁ ବିଭତ୍ସ କର୍ମ କରାଯାଇଥିଲା ତା’ର ବିବରଣୀ ୧୮୪୬ରେ କଲିକତା ରିଭ୍ୟୁ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା । ବହୁଲୋକଙ୍କୁ ଗୁଳିକରି ହତ୍ୟା, କାହାକୁ କାହାକୁ ଫାଶୀ ଦିଆଗଲା । ଏପରି ଅତ୍ୟାଚାର ସତ୍ତ୍ୱେ ଦୁର୍ଦ୍ଧର୍ଷ କନ୍ଧମାନେ ଦୀର୍ଘ କୋଡ଼ିଏ  ବର୍ଷକାଳ କେବଳ ନିଜ ଅଞ୍ଚଳର ସ୍ବାଧୀନତା ପାଇଁ ସଂଗ୍ରାମ  ଚଳାଇ ଆସୁଥିଲେ । ଏହା ଇତିହାସର ଏକ ଗୌରବୋଜ୍ଜଳ  ଅଧ୍ୟାୟ ।

ଆଧାର: ‘କନ୍ଧମାଳ ଇତିହାସ’ ଶ୍ରୀ ବାଇଡଙ୍କ ଦାସ; ‘ଆମେ ଓଡ଼ିଆ’, ନୃସିଂହ ଚରଣ ସାହୁ

© Niranjan Sahu

Spread the love
Antaranga Kalinga

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago