~ ମହାପାତ୍ର ନୀଳମଣି ସାହୁ ~
ଲେଖା: ଅମୃତେଶ ଖଟୁଆ
“ଏ ଜଗତ ଅସଂଖ୍ୟ ପ୍ରକାରର, ଅସଂଖ୍ୟ ଅନୁଭୂତିର ଅସଂଖ୍ୟ କକ୍ଷରେ ପରିପୂର୍ଣ୍ଣ। ରସଜଗତରେ ଦିବାଭିସାରୀମାନେ ଜ୍ଞାନଗ୍ରନ୍ଥୀ। ସେମାନେ କକ୍ଷରୁ କକ୍ଷାନ୍ତରକୁ ମୁଖ୍ୟ ଦ୍ବାର ବାଟେ ଚାବି ଖୋଲି ଯିବେ। ତିମିରାଭିସାରୀମାନେ ପ୍ରେମୀ। ସେମାନେ ପ୍ରାୟତଃ ଚାବି ହଜାଇଥା’ନ୍ତି। ସେମାନଙ୍କ ଲାଗି ଚୋରାବାଟ ପ୍ରଶସ୍ତ …..” (ଅନ୍ଧରାତିର ସୂର୍ଯ୍ୟ)
ଦୈହିକ ଆବର୍ତ୍ତନରୁ ଦେହାତୀତ-ସ୍ତରକୁ ଉତ୍ତରଣ – ଜଣେ ଜୀବନ ସମର୍ପିତ ମଣିଷ ଆପଣାକୁ ରୂପାନ୍ତରିତ କରି ଦେହ-ମନ-ପ୍ରାଣରେ ସୃଷ୍ଟିର ଚରମ ସତ୍ୟ ଲାଭ କରି ବିବର୍ତ୍ତିତ ହୋଇପାରେ । ଆଉ ଇତି ମଧ୍ୟରେ ପଶୁତ୍ବ ଏବଂ ମନୁଷ୍ୟତ୍ଵ ମଧ୍ୟରେ ମନୁଷ୍ୟତ୍ଵ ହିଁ ଯେ ପରିଶେଷରେ ବିଜୟମାଲ୍ୟ ଆହୃତ କରେ – ଏଥିରେ ତାଙ୍କ ଜୀବନାତୀତ ଉପଜୀବ୍ୟ ଆହୁରି ଉଦ୍ଭାସିତ ହେଇ ଉଠେ। ଗଳ୍ପରେ ସ୍ରଷ୍ଟାଙ୍କ ପ୍ରବଣତାଠାରୁ ଜୀବନର ପ୍ରବଣତା – ସୂର୍ଯ୍ୟାଲୋକରେ ଉଦ୍ଭାସ ଲଭୁଥିବା ପୁଷ୍ପନିଚୟ ପରି ପ୍ରତୀୟମାନ। ମହାପାତ୍ର ନୀଳମଣି ସାହୁ !
ଅବିଭକ୍ତ କଟକ ଜିଲ୍ଲାର ପ୍ରାଚୀ ତୀରବର୍ତ୍ତୀ ନିଆଳିଠାରେ ପିତା ମହେଶ୍ବର ମହାପାତ୍ର ଏବଂ ମାତା ରଙ୍ଗଲତା ଦେବୀଙ୍କ ୧୯୨୬ ମସିହା ଡିସେମ୍ବର ୨୨ ତାରିଖରେ କୋଳମଣ୍ଡନ କରିଥିଲେ ମହାପାତ୍ର ନୀଳମଣି ସାହୁ। ତାଙ୍କ ସମକାଳୀନ ସାହିତ୍ୟିକ ଐତିହ୍ୟ ଥିଲା ସ୍ଵାଧୀନୋତ୍ତର ଉପୋଦ୍ଘାତରେ ଗଠିତ – ଓଡ଼ିଆ ସାହିତ୍ୟିକ ଇତିହାସରେ ମଧ୍ୟ ଏହା ଏକ ସ୍ମରଣୀୟ ବର୍ଷ। ଏହି ବର୍ଷ ଗଠିତ ହୋଇଥିଲା ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ଵାରା ପ୍ରସିଦ୍ଧ “ପ୍ରାଚୀ ସମିତି”। ପୁଣି ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ଗଠିତ ହେଉଥାଏ ସାହିତ୍ୟିକ ସଭା – ଏପରି ଏକ ଐତିହ୍ୟବହୁଳ ଲଗ୍ନରେ ଭୂମିଷ୍ଠ ହୋଇଥିଲେ “ଅଭିଶପ୍ତ ଗନ୍ଧର୍ବ”ର ଆତ୍ମୀୟ ଜଣେ !
ମହାପାତ୍ର ନୀଳମଣିଙ୍କୁ ତାଙ୍କ ନିକଟବର୍ତ୍ତୀ ଗ୍ରାମ ନୂଆଗାଁର ମହାପାତ୍ର ବଂଶୀୟ ବୀରବର ସାହୁ ଓ ରାଧିକାଦେବୀଙ୍କ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ। ଆଉ ସେବେଠାରୁ ତାଙ୍କ ନାମ ମହାପାତ୍ର ନୀଳମଣି ‘ସାହୁ’। ତାଙ୍କ ଗ୍ରାମ ନିଆଳିରେ ରହିଛି ଏକାଧିକ ଦେବପୀଠ। ପନ୍ତିପନ୍ତି ନଡିଆ ଗଛକୁ ଆମ୍ବତୋଟାର ଆସର। ନୈସର୍ଗିକ ସୁଷମାରେ ଏହି ଅଞ୍ଚଳର ସ୍ନିଗ୍ଧତା ପରିପୂରି ଉଠିଛି । ନିଆଳି ମାଇନର୍ ସ୍କୁଲରୁ ଉଚ୍ଚପ୍ରାଥମିକ ଓ ମଧ୍ୟ ଇଂରାଜୀ ଉତ୍ତୀର୍ଣ୍ଣ ହେବା ବିଞ୍ଝାରପୁର ବକ୍ରେଶ୍ଵର ହାଇସ୍କୁଲରୁ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୁଅନ୍ତି।
ଅଧ୍ୟାପନା ବୃତ୍ତିରେ ଥାଇ ସାହିତ୍ୟ ସାଧନା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଓଡ଼ିଆ ସାରସ୍ୱତ ସାଧକଙ୍କ ମଧ୍ୟରୁ ମହାପାତ୍ର ନୀଳମଣି ସାହୁ ଅନ୍ୟତମ । ତାଙ୍କ ରଚିତ ଏକାଧିକ ଗଳ୍ପ, ଉପନ୍ୟାସ, ରମ୍ୟ ରଚନା, ପ୍ରବନ୍ଧ, ଅନୁବାଦଶିଶୁସାହିତ୍ୟ ଦ୍ୱାରା ଓଡ଼ିଆ ସାରସ୍ୱତ ଭଣ୍ଡାର ସମୃଦ୍ଧ ହୋଇଛି । ଅବିଭକ୍ତ କଟକ ଜିଲ୍ଲାର ନିଆଳି ଗ୍ରାମରେ ନୀଳମଣି ଜନ୍ମ ହୋଇଥିଲେ । ରେଭେନ୍ସା କଲେଜରୁ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର ଉତୀର୍ଣ୍ଣ ପରେ ଅଧ୍ୟାପନାକୁ ବୃତ୍ତି ଭାବେ ଗ୍ରହଣ କରିଥିଲେ ।
ପ୍ରଥମ କ୍ଷୁଦ୍ରଗଳ୍ପ ପ୍ରେମ ଓ ତ୍ରିଭୁଜ ୧୯୫୨ରେ ପ୍ରକାଶିତ ହୋଇଥିଲା । ନୀଳମଣିଙ୍କ ରଚିତ ଅଭିଶପ୍ତ ଗନ୍ଧର୍ବ ଓ ଆକାଶ ପାତାଳ ଯଥାକ୍ରମେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ପୁସ୍ତକ । ଅନ୍ଧରାତିର ସୂର୍ଯ୍ୟ, ସୁମିତ୍ରାର ହସ, ଧରା ଓ ଧାରା, ତାମସୀ ରାଧା, ମିଛବାଘ, ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରା, ଅନ୍ୟ ରୂପ ରୂପାନ୍ତର, ରାନୁଅପା ଠାରୁ ପୁଷି ପର୍ଯ୍ୟନ୍ତ ଆଦି ତାଙ୍କର ପ୍ରସିଦ୍ଧ ସାହିତ୍ୟ କୃତୀ ମଧ୍ୟରୁ ଅନ୍ୟତମ ।
ଶିଶୁସାହିତ୍ୟ ବିହଙ୍ଗ ବିପ୍ଳବ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ପାଠକୀୟ ଆଦୃତି ଲାଭ କରିଥିଲା । ସେ ଥିଲେ ଯୋଗୀ ଶ୍ରୀଅରବିନ୍ଦଙ୍କ ପରମ ଶ୍ରଦ୍ଧାଳୁ । ଭକ୍ତିଯୋଗ, ଶ୍ରୀଅରବିନ୍ଦଙ୍କ ଯୋଗ, ଭବାନୀ ଭାରତୀ ଭଳି ପୁସ୍ତକର ସଫଳ ଅନୁବାଦ କରିଥିଲେ । ଷାଠିଏ ଦଶକର ସବୁଠାରୁ ଲୋକପ୍ରିୟ ପତ୍ରିକା ଝଙ୍କାରର ସଂପାଦକ ଥିଲେ । ତାଙ୍କ ସଂପାଦନାରେ ଉକ୍ରଳ ପ୍ରସଙ୍ଗOrissa Review ପ୍ରକାଶିତ ହେଉଥିଲା ।
୨୦୧୬ ଜୁନ ୨୫ ଜୁନରେ ବରେଣ୍ୟ ସାହିତ୍ୟ ସାଧକ ନୀଳମଣିଙ୍କ ପରଲୋକ ହୋଇଥିଲା ।
“ଏହି ସ୍ଥୂଳ ଜଗତରେ ସମସ୍ତ ଅଦ୍ଭୁତ ବୈଚିତ୍ର୍ଯ, ରୁଚିହୀନତା, ବିରୂପତା ସତ୍ତ୍ଵେ ମନୁଷ୍ଯ ଚିରକାଳ ନିଜର ଜଗତକୁ ସୁନ୍ଦର, ସମ୍ପନ୍ନତର, ବିଶୁଦ୍ଧ ଓ ଅର୍ଥପୂର୍ଣ୍ଣ କରିଚାଲିବ ତାହାର ପ୍ରେମ, କରୁଣା, ବୁଝାମଣା ଓ ଅଧ୍ଯବସାୟ ମାଧ୍ଯମରେ |” (ମହାପାତ୍ର ନୀଳମଣି ସାହୁ)
Mohapatra Nilamani Sahoo
Amritesh Khatua
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago